STORYMIRROR

Madhabi Patel

Inspirational

4  

Madhabi Patel

Inspirational

କିଛି ସ୍ମୃତି

କିଛି ସ୍ମୃତି

4 mins
236

ସେଦିନ ମିନା ଶୋଇଥିଲାବେଳେ ତା କାନରେ ଏକ ଛୋଟ ଝିଅ ପିଲାର ସ୍ବର ବାଡେଇ ହେଉଥିଲା।ଝଅଟିି କହୁଥିଲା ନାଁ ମାଆ ମୁଁ ଆଉ ଆମ ଘର ଯିବିନି।ସେଠି ତ କିଛି ନାଇଁ।ବାପା ମରିଗଲାପରେ ଘର ଅଧା ଭାଙ୍ଗିଗଲାଣି । ଖାଇବାକୁ ବି କିଛି ନ ଥିବ ସେଠି।ତୁତ ଆଗପରି କ୍ଷେତ ବାଡି କାମ କରିପାରୁନୁ ଆମେ ସେଠି ଗଲେ ଖାଇବା କଣ? ରହିବା କିପରି?

ଏଠି ଭଲଭଲ ଖାଇବାକୁ ମିଳୁଛି।ରହିବାକୁ ଜାଗାଟେ ଅଛି।ମୁଁ ଏଠୁ ଯିବିନି।ତୁ ଯେତେ ବୁଝେଇଲେ ବି ଜମା ଯିବିନି।ଏବେ ମୁଁ ଆଉ ବଦମାସି କରିବିନି।କିଛି ଜିନିଷ ଖରାପ କରିବିନି। ଯାହା କହିବୁ ସବୁ ମାନିବି। ମାଆ ଟି ବଡ ଅସହାୟ ଜଣାପଡୁଥିଲା।ସେ କଣ କରିବ? ମାଲିକାଣୀ ତାକୁ ଘରୁ ବାହାରି ଯିବାକୁ କହି ଯାଇଛନ୍ତି।ଏତେଦିନ ମିନା ଘର ପଛପଟେ ଥିବା କୋଠରୀରେ ସେମାନେ ଆଶ୍ରୟ ପାଇଥିଲେ।ସ୍ବାମୀ ମରିଯିବାପରେ ଏଠି ସହରରେ ଆସି କେତକୀ ତାଙ୍କ ଘରେ ଚାକରାଣୀ କାମ କରୁଥିଲା।ଝାଡୁପୋଛା,କପଡା ଧୁଆ,ବାସନମଜା ଆଦି ସବୁ କରୁଥିଲା।ତା ବଦଳରେ ସବୁ ଖର୍ଚ୍ଚ ଦେଉଥିଲେ ସେମାନେ।ଘରେ ଯାହା ଭଲ ଜିନିଷ ବନୁଥିଲା ସେସବୁ ବି କିଛି ଏମାନଙ୍କୁ ମିଳି ଯାଉଥିଲା ଖାଇବାକୁ।ଏଠି ଆସି ସୁସ୍ବାଦୁ ଜିନିଷ ଖାଇବା ଶିଖିଯାଇଥିଲା ଖଏରୀ।କେତକୀ ର ଝିଅର ନାଆଁ ଖଏରୀ।ବେଶି ଗୋରାରଙ୍ଗ ବୋଲି ତାକୁ ଖଏରୀ ଡାକୁଥିଲେ।ମାଆ ଝିଅ ପଛକୋଠରୀରେ ରହୁଥିଲେ। ଶୀତଦିନ ବୋଲି ଘରପଛରେ ଥିବା କାଠ ଗଦାରୁ କାଠ ଆଣି ଜଳାଉଥିଲେ।ଗରମ ମିଳିବ ବୋଲି।ସେ କାଠ ଭିତରେ କିଛି ଦରକାରି ସାଗୁଆନ କାଠ ଥିଲା ଯାହା ଖଏରୀ ଆଣି ଜଳେଇ ଦେଇଥିଲା।ପୁଣି ତାଙ୍କ ବାଡିରେ ପ୍ରଥମ କରି ଫଳିଥିବା ଅଧକିଲୋ ଖଣ୍ଡେ ଶିମ୍ବକୁ ସେଦିନ ଖଏରୀ ତୋଳି ଖଣ୍ଡଖଣ୍ଡ କରି ନଷ୍ଟକରି ଦେଇଥିଲା କେବେ ଫୁଲକଢିସବୁ ତୋଳି ଚିମୁଟି ଦଳି ଦେଉଥିଲା।ମାଲିକାଣୀ ଏସବୁ ଦେଖି ସବୁଜିନିଷ ତୋ ଝିଅ ନଷ୍ଟ କରୁଛି ତୁ ଘର ଛାଡିଦେ ବୋଲି ଆଦେଶ ଦେଇଥିଲେ।ସେତେବେଳୁ କେତକୀ ବଡ ଦୁବିଧା ରେ ଥିଲା।କଣ କରିବ ଭାବି ପାରୁନ ଥିଲା । କେତକୀ ବିବଶ ହୋଇ ଝିଅକୁ ନେଇ ବାହାରି ଯାଇଥିଲା ଘରୁ। ଘରପିଣ୍ଡାରେ ଛାଡିଯାଇଥିଲା ଶିମ୍ବର ଭରଣା ପାଇଁ ଚାଳିଶିଟା ଟଙ୍କା ଯାହା ସେ ସଞ୍ଚୟ କରି ରଖିଥିଲା। ହେଲେ ଖଏରୀର କରୁଣ କଥା ଗୁଡାକ ହାତୁଡି ପରି ପିଟି ହେଉଥିଲେ ମିନାର କାନରେ।

ଖଏରୀର ଶବ୍ଦ ବଦଳି ଅନ୍ୟଜଣକ ସ୍ବର ତାକୁ ଶୁଭୁ ଥିଲା।ସେ ପହଞ୍ଚି ଯାଇଥିଲା ଅତୀତ ରାଜ୍ୟରେ। ସେ ସ୍ବର ତାକୁ ନିଜ ଭିନ୍ନକ୍ଷମ ଭଉଣୀ ଗୁଡି ର ସ୍ବର ପରି ଶୁଭା ଯାଉଥିଲା।ମିନାର ଜନ୍ମ ଏକ ଉପାନ୍ତ ଅଞ୍ଚଳରେ।ବଣ ଜଙ୍ଗଲ ଭରା ଏକ ଗାଆଁରେ ତାର ପରିବାର ବସତି କରି ରହୁଥିଲେ।କିଛି ଜମି ଥିଲା ତାଙ୍କର।ବାପା ମାଆଁ ସେ ମାଟିକୁ ହଳକରି ଦଳି ଚକଟି ଅନେକ ଶସ୍ୟ ଉପୁଯାଉଥିଲେ। ସେଥିରେ ଚଳୁଥିଲା ତାଙ୍କର ପରିବାର। ତିନିଭଉଣୀ ଭିତରୁ ବଡ ଦୁଇଜଣ ପାଠପଢି ଯୋଗ୍ୟ ହୋଇଗଲେ।ଚାକିରୀ ବି କଲେ। ହେଲେ ଛୋଟ ଭଉଣୀ କୁନୁ ଅଳ୍ପ ବୁଦ୍ଧିଆ ହୋଇଗଲା। ତାର ପୂର୍ଣ ମାନସିକ ବିକାଶ ହୋଇ ପାରିଲାନି ।ତା ସାଙ୍ଗରେ ଅନେକ ରୋଗର ଶିକାର ଥିଲା ସେ।ସେଥିପାଇଁ ପଛରେ ପଡିଗଲା ସେ।ନାଁ ପାଠ ହୋଇ ପାରିଲା ନାଁ ବିବାହ କରି ପାରିଲା।ମାଆ ବାପାଙ୍କ ମୁଣ୍ଡରେ ବୋଝ ହୋଇ ରହିଲା ସବୁଦିନ ପାଇଁ।ବାପା ଦିନେ ଚାଲିଗଲେ ଆରପାରିକୁ।ଏବେ ମାଆ ଝିଅ ଘରେ ରହିଲେ କିଛି ବର୍ଷ।ମାଆ ଙ୍କ ବଳ ଥିବା ଯାଏ ଚାଷବାସ ସମ୍ଭାଳି ଗାଁରେ ରହୁଥିଲେ।ଦୁର୍ବଳ ହେଲାପରେ ବଡ ଝିଅ ଘର ମାନଙ୍କ ପାଖକୁ ଆସି ରହୁଥିଲେ।ଗାଆଁ ଘର ଯତ୍ନ ଅଭାବରୁ ଭାଙ୍ଗି ଯାଉଥିଲା।ସାପ ମୂଷାଙ୍କ ଆଶ୍ରୟ ସ୍ଥଳି ପାଲଟି ଯାଇଥିଲା ସୁନ୍ଦର ଘରଟି।ଦିନେ ଯୋଉ ଘର ଜୀବନଶକ୍ତି ନେଇ ହସୁଥିଲା ପରିବାର ସଦସ୍ୟଙ୍କ ହସରେ।ଏବେ ସେ ଘର ନିର୍ଜୀବ ମଶାଣୀ ପାଲଟି ଯାଇଥିଲା। କୁନୁ ଭିନ୍ନକ୍ଷମ ଅଳ୍ପ ବୁଦ୍ଧିଆ ହେତୁ ବଡ ନାନୀ ମାନଙ୍କ ଘରେ ଅନେକ ଭୂଲ କାମ କରିଦିଏ।କେବେ କିଛି ଭାଙ୍ଗି ପକାଏ।କେବେ ବାଥରୁମ ଯାଇନପାରି ଅଧ ବାଟରେ ଝାଡା କରିଦିଏ।କେବେ ଏଇଟା ଖାଇବିନି ସେଇଟା ଖାଇବିନି କହି ଖାଦ୍ୟକୁ ବାହୁନେ।ଅନେକ ଜିନିଷ ଭାଙ୍ଗି ପକାଏ।ମିନା ପାଖରେ ବି ଏମିତି କେବେକେବେ ଲେଟ୍ରିନ ନ ଯାଇ ଶୋଇବା କୋଠରୀରେ ଝାଡା କରିଦିଏ।ସେତେବେଳେ ମିନା ରାଗିଯାଇ ଯାଅ ତୁମ ଗାଆଁ ଘରକୁ ଚାଲିଯାଅ ସେଠି ରହିବ ଆଉ ଏମିତି ମଇଳା କରିବ ବୋଲି କୁହେ।କୁନୁକୁ ଡରାଇବାକୁ କୁହେ ମୋ ଘରେ ମଇଳା କରିବାକୁ ଦେବିନି।ମାଆକୁ କୁହେ ଯାଆ ତୋ ଝିଅକୁ ନେଇ ଗାଆଁରେ ରହିବୁ।ମାଆ ତା କଥା ଶୁଣି ବିବଶ ହୋଇ ପଡନ୍ତି।କୁନୁ ନାନୀ କଥାଶୁଣି ପାଟିକରି କାନ୍ଦିବାକୁ ଲାଗେ।କୁହେ, ମାଆ ଆମେ ଗାଆଁକୁ ଆଉ ଯିବାନି।ବାପା ଗଲାପରେ କିଏ ସେଠି ଚାଷକରିଦେବ ଯେ ଆମେ ଖାଇବା।ଘର ଭାଙ୍ଗିଗଲାଣି ସେଠି କେମିତି ରହିବା।ମୁଁ ଜମା ଯିବିନି ଗାଆଁକୁ।ମୁଁ ଆଉ ଭୂଲ୍ କରିବିନି।ସବୁକାମ ଠିକ୍ ରେ କରିବି।ମଇଲା କରିବିନି କି କିଛି ଜିନିଷ ବାଉନିବିନି।ସବୁ ଖାଇବି।ମାଆ ଛୋଟ ଝିଅ ଭୂଲ କରୁଥିବାରୁ ମିନାପାଖରେ ଦୋଷୀ ଭାବୁଥାଆନ୍ତି ନିଜକୁ। ହେଲେ କଣ କରିବେ ଛୋଟଝିଅର ସେତିକି ବୁଝିବା ଶକ୍ତି ନାହିଁ।ସେ ବୁଝି ପାରେନା ଅନ୍ୟ ଘରେ ରହୁଛି।ଭିଣୋଇ ଘରେ ରହି ଏମିତି ମଇଳା କଲେ ସେମାନେ ସହିବେ ନାହିଁ।ସେ ତାର ମନ ଭଲ ଥିଲାବେଳେ ଅନେକ ବୁଝାନ୍ତି ତୁ ଏମିତି ଦୁଷ୍ଟ କାମ କରିବୁନି।ଆମେ ଅନ୍ୟଘରେ ରହୁଛୁ।ତୋ ନାନୀ ବି ଅନ୍ୟର ଦୟାରେ ଚଳୁଛି।ସେମାନେ ଯଦି ଆମକୁ ରଖିବାକୁ ଚାହିଁବେନି କୁଆଡେ ଯିବା?

ସେ ଥରେ ବୁଝିଯାଏ, ହଁ ଆଉ ଏମିତି କରିବିନି ବୋଲି କୁହେ।ପୁଣି କିଛିଦିନ ପରେ ଭୂଲିଯାଏ ଓ ପୁଣି ବଦମାସି କରେ।ବେଳେବେଳେ ବଡ ପାଟି କରି ସମସ୍ତଙ୍କୁ ଗାଳି ଗୁଲଜ ବି କରେ।କେବେ ମାଆ ଉପରେ ରାଗ କରେ ତ କେବେ ମିନା ଉପରେ ରାଗରେ ପାଟିକରେ।ଥରେ ଏମିତି ଗାଳି କରିବାରୁ ମିନା କହିଦେଲା ଯାଆ ମୋ ଘରଛାଡି ଚାଲିଯାଆ ମୁଁ ତତେ ଆଉ ସମ୍ଭାଳି ପାରିବିନି।ଏସବୁ ସେ ତାକୁ ଡରାଇବା ପାଇଁ କହିଲା। ହେଲେ କୁନୁ ଓ ମାଆ ସତ ଭାବନ୍ତି।

ସେଦିନ ବି କୁନୁ କବାଟ ବନ୍ଦ କରି ଏମିତି ଗୁମୁରି ଗୁମୁରି କାନ୍ଦୁଥିଲା।କହୁଥିଲା ମୁଁ ଏ ଘରଛାଡି ଯିବିନି।ଯାହା କହିଲେ ବି ଯିବିନି।ସେଠି ଭଙ୍ଗା ଘରେ ରହିବି କେମିତି? କଣ ଖାଇବି?ଏଠି ରହିବି ସବୁକଥା ମାନିବି ଏବେ।ସେ ଦିନର କୁନୁର କରୁଣ କ୍ରନ୍ଦନର ଶବ୍ଦ ମିନା କାନରେ ଗୁଞ୍ଜୁ ଥିଲା।ଏବେ ତାକୁ ବହୁତ ଅନୁତାପ ହେଉଥିଲା କେବେ ଭଉଣୀକୁ ଏପରି ଶବ୍ଦ କହି କଷ୍ଟ ଦେଇଥିଲା ବୋଲି।ହେଲେ ପ୍ରକୃତରେ କୁନୁକୁ ଡରାଇ ବାଟକୁ ଆଣିବାକୁ ଏପରି ଟାଣ କଥା କହୁଥିଲା।ତାପାଖରେ ଥିଲାବେଳେ ସେ ତାଙ୍କର ସବୁଧ୍ୟାନ ରଖୁଥିଲା।ଭଲ ଭଲ ଜିନିଷ ଖାଇବାକୁ ଦେଉଥିଲା।ପିନ୍ଧିବା ପାଇଁ ବି କିଛି ଅସୁବିଧା କରୁନଥିଲା।କେବଳ ମଇଳା ଅସନା କଲେ କି ଗାଲି ଗୁଲଜ କଲେ ଡରାଉ ଥିଲା ଏମିତି କଲେ ଗାଆଁକୁ ପଠାଇଦେବି ବୋଲି। ଆଜି ବି ଖଏରୀକୁ ସେମିତି କହିଦେଇଥିଲା।ଯଦି ଏମିତି ଜିନିଷ ନଷ୍ଟ କିରିବୁ ତେବେ ତୁମ ଘର ଚାଲି ଯାଅ ବୋଲି।ସେଇ ଗ୍ଲାନିରେ ତାକୁ ଆଜି ପୁଣି ସ୍ବପ୍ନ ଆସିଥିଲା।ଆଉ ସେ ଖଏରୀ ଗାଆଁକୁଯିବିନି କହି କାନ୍ଦିବା ଶୁଣି ପାରିଥିଲା ସ୍ବପ୍ନରେ।ଖଏରୀ କ୍ରନ୍ଦନରେ ସେ କୁନୁର କାନ୍ଦିବା ସ୍ବର ଶୁଣୁଥିଲା।ଆଜି ତା ମାଆ ଓ କୁନୁ ଆଉ ନାହାଁନ୍ତି।ହେଲେ ତାଙ୍କର ସ୍ମୃତି ରହି ଯାଇଛି ସବୁଦିନ ପାଇଁ। ସେ ନିଜ ଭୂଲ ବୁଝି ପାରିଥିଲା।ସକାଳୁ କେତକୀର କୋଠରୀକୁ ଗଲାବେଳେ ସେମାନେ ମାଆ ଝିଅ କୋଠରୀ ଭିତରେ ଥିଲେ।ଗାଆଁକୁ ଯାଇନଥିଲେ।ତାମାନେ ଏସବୁ ତାର ସ୍ବପ୍ନଥିଲା।ସେ ମନରେ ଭାବିଥିଲା ଖଏରୀକୁ ଗାଳିକରିବ ବୋଲି।ତାହା ସ୍ବପ୍ନରେ ଆସି ଚେତେଇ ଦେଲା ଏମିତି ଭୂଲ ଆଉଥରେ ନକର ବୋଲି।

ଏମିତି ମିନା କିଛି ଭୂଲ କରିବାକୁ ଯାଉଥିଲେ କିଏଜଣେ ସ୍ବପ୍ନରେ ଆସି ସେ ଭୂଲ୍ କାମ କରିବା ଆଗରୁ ଚେତେଇ ରୋକିଦିଏ। ସେବି ସବୁବେଳେ ଭଗବାନଙ୍କୁ କୁହେ ଭଗବାନ ଯଦି ଅଜାଣତରେ ମୋ ଦ୍ବାରା କିଛି ଭୂଲ ହେବାକୁ ଯାଉଥିବ ତାହେଲେ ତୁ ମତେ ଠିକ୍ ବାଟକୁ ଟାଣି ଆଣିବୁ।ଆଉ ଅନେକ ଥର ଏମିତି କେବେ ସ୍ବପ୍ନରେ ତ କେବେ ଅନ୍ୟ କାହା ମୁହଁରେ ଆସି ତାକୁ ଭୂଲକାମ କରିବାକୁ ଯାଉ ଯାଉ ରୋକି ଦେଇଛନ୍ତି ସେଇ ବିଶ୍ବ ନିୟନ୍ତା।



Rate this content
Log in

Similar oriya story from Inspirational