Satyabati Swain

Tragedy

3  

Satyabati Swain

Tragedy

ଖୁସିର ଠିକଣା

ଖୁସିର ଠିକଣା

6 mins
169


"ଖୁସି "ଖୋଜୁଛି ଖୁସିର ଠିକଣା।


ଖୁସି ଟା କି ଚିଜ?ରୂପ,ରଙ୍ଗ,ଭାଵ କେମିତି?କିଏ ଦେବ ଖୁସିର ଠିକଣା।


 ତମେ ଜାଣିଛ ଖୁସିର ଠିକଣା?


ମୋ ଜନ୍ମରେ ମୋ ଜେଜେ ଏତେ ଖୁସି ହୋଇଗଲେ ଯେ ମୋ ନାଁ ଦେଲେ ଖୁସି।ମିଠାରେ ଭାସିଲେ ସମସ୍ତେ।କଲୋନୀ ସାରା ମୋ ଏକୋଇଶିଆ ଦିନ ଭୋଜି ଭାତର ଖୁବ୍ ମଜା ନେଲେ।ଜେଜେ କୁହନ୍ତି ଦୁଇ ବର୍ଷ ଯାଏ ମାଟି ଛୁଇଁନି ମୁଁ।ମୋ ବାବା ପ୍ରତୀକ ଦେଓ ମଲ୍ଟି ନ୍ୟାସନାଲ୍ କଂପାନୀର ମ୍ୟାନେଜର୍।ମା ପାମିଲା କଲେଜର ଅଧ୍ୟା

ପିକା।ଜେଜେ ଅବସର ପ୍ରାପ୍ତ ସିଭିଲ୍ ଇଞ୍ଜିନିୟର୍।ଦୁଇ ଜଣ କକା ମୋର ସିଙ୍ଗାପୁରରେ ଅଵସ୍ଥାପିତ ଇଲୋକୄଟ୍ରି

କାଲ୍ ଇଞ୍ଜିନିୟର୍।ଘର ସହ ସେମାନଙ୍କ ସମ୍ପର୍କ ନାହିଁ କହିଲେ ଚଳେ।ଜେଜେଙ୍କ ଝିଅ ନଥିଲେ।ମୋ କକା ମାନଙ୍କର ବି କେବଳ ଗୋଟିଏ ଲେଖାଏଁ ପୁଅ।ଜେଜେ

ମାଙ୍କୁ ମୁଁ ଦେଖିନି।ଜେଜେ କୁହନ୍ତି ମୁଁ କୁଆଡେ ଅବିକଳ ତାଙ୍କରି ପରି ହୋଇଛି।ସେଥିପାଇଁ ସେ ମୋତେ କୁହନ୍ତି "ରୁବି" ଡୁପ୍ଲିକେଟ୍।ରୁବି ମୋ ଜେଜେମାଙ୍କ ନାମ।ବ୍ରେନ ଇନ୍ଫେକ୍ସନ୍ ରେ ମୋ ଜନ୍ମ ପୂର୍ବରୁ ସେ ମରି ଯାଇଥିଲେ।ଏଣୁ ତିନି ବାପା ଓ ଦୁଇ ଭାଇରେ ମୁଁ ଅଲିଅଳି ରାଜଜେମା।


ଜହ୍ନ ମାଗି ତଅପୋଇ ବଣରେ ଛେଳି ଜଗିଲା।ଆଉ ମୁଁ 

ଜହ୍ନ ଫହ୍ନ କିଛି ମାଗି ନଥିଲି।ମାଗିବାକୁ ପଡୁ ନଥିଲା।ଖୋଜିବା ପୂର୍ବରୁ ମିଳି ଯାଉଥିଲା ସବୁ।କିନ୍ତୁ ମିଳୁ ନ

ଥିଲା ଗୋଟିଏ ଚିଜ।ମୋ ବାବା ମାମାଙ୍କ ସ୍ନେହ।ଦୁହେଁ ତ ସକାଳୁ ବାହାରି ଯାଆନ୍ତି।ମାମା ଟିକେ ସହଳ ଆସନ୍ତି।କିନ୍ତୁ ବାବା ସବୁଦିନେ ଟଳି ଟଳି ବିଳମ୍ବିତ ରାତିରେ ଫେରନ୍ତି।ମୁଁ ଟିକେ ଠେକ ହେଲା ଦିନୁ ଦେଖିଛି ମାମା ବାବା ଖୁବ୍ ପାଟି ତୁଣ୍ଡ କରନ୍ତି।କାହିଁକି କରନ୍ତି ମୁଁ ବୁଝି ପାରେନି।ମୋତେ କିନ୍ତୁ ଡର ଲାଗେ ସେମାନେ ଯେମିତି ହୁଅନ୍ତି।ମୁଁ ଭେମା ରଡି ଛାଡେ ସେମାନଙ୍କ କଳି

ଗୋଳ,ଜିନିଷ ପତ୍ର ଫିଙ୍ଗା ଫିଙ୍ଗି ଦେଖି।ସେମାନଙ୍କ

ଆଖିକୁ ଅନେଇଁବାକୁ ମୋତେ ପ୍ରବଳ ଭୟ ଲାଗେ।କିଛି ସମୟ ଫୋପଡା କଚଡ଼ା ହେଲା ପରେ ବାବା ଫାଆଁ ଗାଳି ପଡନ୍ତି ସୋଫା ଉପରେ।ମାମା ରାଗ ଗରଗର ହୋଇ ଟେବୁଲ ଉପରେ ବସୁ ବସୁ ସେଇଠି ଶୋଇ ପଡନ୍ତି।ଆଉ ମୁଁ.....।ମୋ କଥା କେହି ଚିନ୍ତା କରନ୍ତି ନାହିଁ।ମୁଁ କେଡେ ବଡ଼ ବେଡ୍ ରେ ଏକା ଏକା କାନ୍ଦି କାନ୍ଦି ଶୋଇ ପଡେ କ ଯେ ଆଖି ଖୋଲେ ଆୟା ଡାକରେ।ମୋତେ ଲାଗେ ମୋ ବାବା ମାମା ସବୁ ଏଇ ଆୟା।ଡରରେ ଆଉ ମୁଁ ବାବା ମାମା ଙ୍କ ରୁମ ରେ ନ ଶୋଇ ଶୁଏ ଆୟା କୋଳରେ।


ଆସ୍ତେ ଆସ୍ତେ ବଡ଼ ହେଲି।ଟିକେ ଟିକେ ବାବା ମାମାଙ୍କ କଳି କାରଣ ବୁଝିବାକୁ ଚେଷ୍ଟା କଲି।ପାଞ୍ଚ ବର୍ଷ ପରେ ମୁଁ ମୋ ବେଡ୍ ରୁମ ରେ ଏକା ଶୋଇବା ଶିଖିଲି।ସ୍କୁଲ ୟୁନିଫର୍ମ,ଜୋତା ମୋଜା ପିନ୍ଧି ଶିଖିଲି।ମୁଁ ଅନୁଭବ କଲି 

ମୋର କେହି ନାହାନ୍ତି।ଜେଜେ ବି ରୋଗୀଣା ହୋଇ ଯାଇଥିଲେ।ମୋ ବାବା ଜେଜେଙ୍କ ପୁଅ ମାନଙ୍କ ଭିତ

ରେ ସବୁଠୁ ସାନ।ଜେଜେମା ମଲା ପରେ ବାବାଙ୍କୁ କ୍ଷଣେ ପାଖରୁ ଛାଡି ନାହାନ୍ତି ବୋଲି କୁହନ୍ତି। ଜେଜେ ଖୁବ୍ ଭଲ ପାଆନ୍ତି ବାବାଙ୍କୁ।।ଏଣୁ ଅନ୍ୟ ଦୁଇ ପୁଅ ପାଖେ ନ ରହି ମୋ ବାବା ଙ୍କ ପାଖେ ରହିବାକୁ ରହୁଛନ୍ତି ଜେଜେ।।କିନ୍ତୁ ବାବା ମାମା ଙ୍କ ଭିତରେ ତ ମୂଲରୁ ପଡେନି।ସେ କଣ ଜେଜେଙ୍କ କଥା ବୁଝିବେ।କେୟାର ଟେକର୍ ,ଆୟା ଓ ପୂଜାରୀ ଆମ ଜେଜେ ନାତୁଣୀ ଙ୍କ ଦୁନିଆଁ କହିଲେ ଚଳେ।ଏମାନଙ୍କ ସହ ଆମେ ଆମ ଭଲ ମନ୍ଦ ବାଣ୍ଟୁ।ଜେଜେ ଅଚଳ ହେଲେବି କଥା କହିବା ଶକ୍ତି ହରାଇ ନ ଥାଆନ୍ତି।ବାବା ମାମା ଙ୍କ ସୁଖ ଟିକେ ମୁଁ ଜେଜେଙ୍କ ଠାରୁ ପାଏ।


ଆମ ଘରେ ଅର୍ଥ କି କୌଣସି ଜିଣିଷର ଅଭାବ ନାହିଁ।କେବଳ ସ୍ନେହ ପ୍ରେମ ବୁଝାମଣାର ଅଭାବ ଯାହା।


ମୁଁ ବେଳେବେଳେ ବାବାଙ୍କୁ କୁହେ "ବାବା ତୁମେ ମାମା ସଂଗେ କଳି କରୁଛ କାହିଁକି?"


ମାମାଙ୍କୁ ବି ପଚାରେ "ମାମା ସବୁଦିନ ବାବା ଙ୍କ ସଙ୍ଗେ କାହିଁକି କଳି କର।"


କିନ୍ତୁ ତୁ ଯା କହି ଘଉଡେଇ ଦିଅନ୍ତି ମୋତେ।କିନ୍ତୁ କାରଣ କୁହନ୍ତି ନାହିଁ।କେମିତି ଜିତେ ଶୁନ୍ୟ ଜୀବନ ଯିଏଁ ମୁଁ।ମାମାଙ୍କୁ ଜର ରୋଗରେ ବାଉଳି ହେଲେ ଆୟା ଥାପୁଡ଼ାଇ ଦିଅନ୍ତି।ବାବା ବାବା ଚିତ୍କାର କଲେ କେବେ କେବେ ବାବା କାନ୍ଧରେ ପକାଇ ଝୁଲାନ୍ତି।ମୋତେ ଭାରି ଭଲ ଲାଗେ।ସବୁବେଳେ ମୋ ଦେହ ହୁଅନ୍ତା କି,ବାବା କାନ୍ଧରେ ଶୋଇବା ସୁଖ ପାଇଁ ମିଳନ୍ତା ବୋଲି ଚାହେଁ।କିନ୍ତୁ ମୋତେ ରୋଗ କରେଇ ଦିଅନ୍ତି ନି।ଟିକେ ଖୁଁ ଖୁଁ ହେଲେ ହାଜର ହୋଇ ଯାଆନ୍ତି ଦୁଇତିନି ଡାକ୍ତର।ମୋ ଦେହ ଖରାପ ହେବ କେତେବେଳେ?ଏତେ ଖଞ୍ଜା ମୋ ପାଇଁ କିନ୍ତୁ ମୁଁ ଖୁସି ନୁହେଁ।କାହିଁକି ନା ମୋର ଏସବୁ ନୁହେଁ,ସ୍ନେହ ଆଦର ତ ଲୋଡ଼ା।


ମୋତେ ସାତ ବର୍ଷ ହୋଇଥାଏ।ସେଥରକ କଳି ଏପରି ହେଲା ଯେ ପୋଲିସ୍ ଆସିଲେ ଆମ ଘରକୁ।ମାମାକୁ ବାବା ପିଟି ଛନ୍ତି ସେଇ ଅପରାଧରେ ବାବା ଙ୍କୁ ପୋଲିସ୍ ବାନ୍ଧିନେଲେ।କିନ୍ତୁ ବାବା ମାମାଙ୍କୁ ମାରିଲେ କାହିଁକି?ଦୁଷ୍ଟ ହେଲେ ଦୁଷ୍ଟ ପିଲା ସିନା ମାଡ଼ ଖାଆନ୍ତି।କିନ୍ତୁ ମାମା ତ ବଡ଼ ଲୋକ।ବଡ଼ ଲୋକମାନେ ଦୁଃଷ୍ଟାମୀ କରନ୍ତି ନା କଣ?


ମୋତେ ଭାରି ଖରାପ ଲାଗୁଥାଏ।ଆୟାକୁ ପଚାରିଲି ଆଣ୍ଟି କୁହତ ବାବା ମାମାଙ୍କୁ ମାରିଲେ କାହିଁକି?କାହିଁକି ସେମାନେ କଳି ଲାଗନ୍ତି?ମୋତେ କୋଳକୁ ନେଇ ଆଣ୍ଟି ମୋ ମୁଣ୍ଡ ଆଉଁସି ଦେଇ କହିଲେ" ଖୁସି ବେବି ତୁମେ ସାନ ପିଲା ଏସବୁ ବୁଝି ପାରିବ ନାହିଁ।ତୁମେ ଚାଲ ଖାଇ କି ପଢିବ।ଟିଉସନ ସାର୍ ଏବେ ଆସିଯିବେ।"


ମୋର ଏକା ଜିଦ୍ ନ କହିଲେ ମୁଁ ଖାଇବିନି,ପକ୍କା।ଆଣ୍ଟି ମୋର ଷ୍ଟାଣ୍ଡାର୍ଡ଼ ଟୁ ହେଲାଣି,ଜାଣିଛ।ମୁଁ ତୁମ ଠାରୁ ବି ଅଧିକ କଥା ଜାଣିଲିଣି।କୁହ ମୁଁ ବୁଝି ପାରିବି।


କାହିଁକି ଜିଦ୍ କରୁଛ ବେବି?ଆଉ ଟିକେ ବଡ଼ ହୋଇ

ଗଲେ ଆପେ ବୁଝିଯିବ।


ନା ଆଜି ତୁମେ କହିବ।ନଚେତ୍ ତୁମ କଥା ମୁଁ ମାନିବି ନାହିଁ।କ୍ଷୀର ପିଇବି ନାହିଁ।ସତ..।ଏତକ କହି ମୁଁ ଉଁ ଉଁ ହୋଇ କାନ୍ଦିବାକୁ ଲାଗିଲି।


ମୋ ଲୁହ ପୋଛି ଆୟା କହିଲେ ତୁମ ମାମା ଆଉ ଜଣଙ୍କୁ ଭଲ ପାଆନ୍ତି।ସେଇଥି ପାଇଁ ତୁମ ବାବା ଓ ତୁମ ମାମାର ପଡେନି।ବାହାଘର ପୂର୍ବରୁ ତୁମ ମାମା ଜଣଙ୍କୁ ଭଲ ପାଉଥିଲେ।କିନ୍ତୁ ତୁମ ମାମାଙ୍କ ବାବା ଜୋର ଜବର ଦସ୍ତ ତାଙ୍କର ବାହା କରିଦେଲେ।ବାହା ଘର ପରେପୁଣି ତୁମେ ଜନ୍ମ ହେଲା ପରେ ବି ତୁମ ମାମାଙ୍କ ସମ୍ପର୍କ ସେ ଲୋକଟି ସଂଗେ ରଖିଲେ।ଲୁଚେଇ ମନ ଇଚ୍ଛା ଯୁଆଡେ ତାଙ୍କ ସଂଗେ ବୁଲା ବୁଲି କରନ୍ତି।ସେଇଥି

ପାଇଁ ତୁମ ବାବା ଓ ମାମାଙ୍କ କଳି ଲାଗେ।ମାମା ତୁମର କାଲି ଡିଭୋର୍ସ ପାଇଁ ଅଡି ବସିବାରୁ ତୁମ ବାବା ତାଙ୍କୁ ମାରିଲେ।ଏଇ କଥା।କୁହତ ବେବି କଣ ବୁଝି ପାରିଲ ଏଥିରୁ।


ନା...ବୋକାଙ୍କ ପରି ମୁଣ୍ଡ ହଲାଇ କହିଲି ମୁଁ।କିନ୍ତୁ ଏତିକି ବୁଝିଲି କି ମୋ ବାବା ଭାଗ ଭଲ ପାଇବା ମୋ ମାମା ଙ୍କ ଠାରୁ କେହି ନେଇ ଯାଉଛି।


ହେଲେ ମାମା......!ମୋ ମାମା ଟା ଗୋଟେ ବାଜେ ଝିଅ ଏ ଧାରଣା ମୋର ହୋଇ ଗଲା।ମୋତେ ଭଲ ପାଉ ନାହାନ୍ତି,ମୋ ବାବା ଙ୍କୁ ଭଲ ପାଉ ନାହାନ୍ତି;ଅଥଚ ଭଲ ପାଉଛନ୍ତି ଜଣେ ଅନ୍ୟ ଲୋକଙ୍କୁ।କିନ୍ତୁ କାହିଁକି?ମୋ ପାଖେ ସେ ଭଲ ପାଇବା ନାହିଁ ନ କଣ?କଣ ଏମିତି ସେ ଲୋକ ଦେଇ ପାରନ୍ତି ଯାହା ମୋ ବାବା ଦେଇ ପାରନ୍ତି ନାହିଁ?ସେ ଲୋକଟି ବି କେମିତି?ବାହାସାହା ହୋଇ ମା ହେବା ଝିଅଟିକୁ ଭଲ କଣ ପାଇଁ ପାଉଛନ୍ତି?


ମାମା ପାଖକୁ ଗଲି।ପଚାରିଲି "ମାମା ତୁମେ ଅନ୍ୟ ଜଣଙ୍କୁ ଭଲ ପାଅ।କିନ୍ତୁ କାହିଁକି?? "ଠୁ ବ୍ୟାଡ ମାମା।ୟୁ ଆର ସୋ ବ୍ୟାଡ ଗାର୍ଲ।


ମୁଁ ଅଛି,ମୋ ବାବା ଅଛନ୍ତି।ଆମକୁ ଭଲ ନ ପାଇ ଆଉ ଜଣେ ଏତେ ନିଜର ତୁମର?ସେ କିଏ ମାମା?


ମାମା କେବଳ ମୋତେ ଚାହିଁଲେ,ନୀରବରେ।ବୋଧେ ସାତ ବର୍ଷ ଝିଅକୁ ଉତ୍ତର ଦେବାକୁ ତାଙ୍କ ପାଖେ କିଛି ଶବ୍ଦ ନ ଥିଲା।


ମୁଁ ବହୁତି କାନ୍ଦିଲି।ଭାବିଲି ପଚାରିବି କି "ମାମା ତୁମ କଳି ଭିତରେ ମୋ ସ୍ଥାନ କେଉଁଠି,ମାମା?କିଏ ଦୋଷୀ ମୁଁ ତ ଜାଣିନି।କିନ୍ତୁ ମୋର କଣ ଦୋଷ?ମୁଁ ମାମା ସ୍ନେହ ପାଏନି,ବାବା ସ୍ନେହ ପାଏନି।ମାମା ଛାତି ଭାବି ଅଣ୍ଡାଳେ ଆୟା ଟାଆଁସିଆ ଛାତି।ମାମା କୋଳ ଖୋଜି ଶୁଏ ଆୟା କୋଳରେ କାହିଁକି?କାହିଁକି ମୋ ପିଲା ମନ ତୁମେ ଭାଙ୍ଗ।ଅନ୍ୟ ମାମା ପରି ତୁମେ ନୁହଁ କାହିଁକି?ହଜାରେ କାହିଁକି ମୋତେ ମୋଡି ମାଡି ଭାଙ୍ଗିଦେଲେ।ମୁଁ କିନ୍ତୁ ପଚାରିଲି ପାରିଲି ନାହିଁ ଏସବୁ।କାରଣ ମୁଁ ପିଲା।


ଆଉ କିନ୍ତୁ ସହି ପାରିଲିନି ମାମା କୋଳରେ ମଥା ଗୁଞ୍ଜି କାନ୍ଦି କାନ୍ଦି ପଚାରିଲି ମାମା ମୋର ଦୋଷ କଣ ?ମୁଁ କାହିଁକି ତୁମ ଦୁହିଁଙ୍କ ଭିତରେ ଚିପି ହୋଇ ଯାଉଛି?


ମାମା ନିର୍ବିକାର ଭାବରେ କହିଲେ କି ଦୋଷ ତୋ ବାବାର।ମୁଁ ଚାହୁଁ ନ ଥିଲି ପିଲା।କିନ୍ତୁ ସେ ଜୋର ଜବରଦସ୍ତ ତୋତେ ଦୁନିଆଁ କୁ ଆଣିବାକୁ ଚାହିଁଲେ।ଏଣୁ ତୁ ଦୁଃଖ ହିଁ ଭୋଗିବୁ।ମୁଁ ଅଣ ନିଃଶ୍ବାସୀ ଏ ଘରେ।ମୁଁ ମୁକ୍ତି ଚାହେଁ।ମୋ ବାଟ ଆଉ କେହି ଅନାଇଁ ବସିଛି।ତୁ ତ ଏବେ ବଡ଼ ହେଲୁଣି।ନିଜ କଥା ନିଜେ ବୁଝି ପାରିବୁ।ମୋତେ ଚିଡାନି ଯା କହି ମୋ ହାତ ଛିଞ୍ଚାଡ଼ି ଦେଲେ।"


ମୁଁ କାବା ହୋଇଗଲି।ଇଏ କେମିତି ମା........!!

ନିଜର ସାତ ବର୍ଷର ଝିଅ ମୁହଁ କୁ ନ ଅନେଇଁ ଖୋଜୁଛନ୍ତି ଆଉ କାହାକୁ??


ବାସ୍ ସେବେଠାରୁ ମୁଁ ଅନୁଭବ କଲି ମୋର କେହି ନାହାନ୍ତି।ମୁଁ ଜଣେ ଅନାଥ।ବାବା ଙ୍କୁ ମୁଁ ଦୟା କଲି।ବିଚରା।ଜେଲରୁ ବାବା ଆସିଲେ ସତ,କିନ୍ତୁ ନୂଆ ହିଂସ୍ର ମଣିଷଟିଏ ହୋଇ।ମାମା ଙ୍କୁ କହିଲେ "ମୁଁ ତୋତେ ଡିଭୋର୍ସ ଦେବିନି।ଦେଖିବି କେମିତି ତୁ ବିରାଜ ସଂଗେ ମ୍ୟାରେଜ କରି ସୁଖରେ ରହିବୁ।ମୋତେ କନ୍ଦାଉଛୁ,ମୋ ଝିଅକୁ କନ୍ଦାଉଛୁ,ତୋତେ ମୁଁ ଖୁସିରେ ରହିବାକୁ ଦେବି,ଭାବୁଛୁ କେମିତି?ଦେଖ୍ ମୁଁ କଣ କରୁଛି?


ମୁଁ ସେ ଘରେ ଆଉ ରହିବାକୁ ଚାହିଁଲି ନାହିଁ।ଜେଜଙ୍କୁ କହି ବୋଡିଙ୍ଗ୍ ରେ ରହିଲି।ଛୁଟିରେ ଜେଜେଙ୍କୁ ଦେଖିବାକୁ ଯାଏ।ବୋଡିଙ୍ଗ୍ କୁ ମୋ ସାଙ୍ଗ ମାନଙ୍କ ବାବା ମା ଦେଖା କରିବାକୁ ଆସନ୍ତି,କେତେ ଭଲ ମନ୍ଦ ଜିନିଷ ଆଣନ୍ତି।ରବିବାର ଘଣ୍ଟାଏ ଦୁଇ ଘଣ୍ଟା ବୁଲାଇ ନିଅନ୍ତି।ମୁଁ ଏସବୁ ଦେଖେ କିନ୍ତୁ ମୋ ଭାଗ୍ୟରେ ଏସବୁ କାହିଁ।ଲୁଚେଇ କାନ୍ଦି ପକାଏ।ପିଲା ମନ ମୋର ଆକ୍ତାମାକ୍ତା ହୋଇଯାଏ।ଖୁବ୍ ଝୁରେ ଶୈଶବର ନିରୋଳା ଅଝଟ ପଣକୁ।ଜେଜେ ମୋର ଠିକ୍ ରେ ଚାଲି ପାରୁ ଥାଆନ୍ତେ କି?ଅନ୍ତତଃ ସେ ମୋ ଅଭାବ କିଛି ପରିମାଣରେ ଭରି ଦିଅନ୍ତେ।କିନ୍ତୁ ସେ ତ ପର ଉପରେ ନିର୍ଭରଶୀଳ।କେମିତି ଜୀବନ ମୋର ଏ.....


ଶେଷରେ ଏପରି ହେଲା ବାବା ରାକ୍ଷସ ହୋଇଗଲେ।ମୋ ମାମା ମୋ ବାବାଙ୍କୁ ନିଷ୍ଠୁର ରାକ୍ଷସଟିଏ କରି

ଦେଲେ।ଫଳତଃ ବାବା ବିରାଜ ଅଙ୍କଲ ଓ ମାମାଙ୍କୁ ଜୀବନରୁ ମାରି ଦେଲେ। ପାର୍କର ଗୋଟିଏ ଵେଞ୍ଚରେ ଯେଉଁଦିନ ମାମା ବିରାଜ ଅଙ୍କଲ ଙ୍କ କୋଳରେ ମୁଣ୍ଡ ରଖି ଶୋଇଥିଲେ ଓ ହସି ହସି ଫାଟି ପଡୁଥିଲେ।ସେମାନଙ୍କୁ ମାରି ଦେଇ ବାବା ଆତ୍ମସମର୍ପଣ କରି

ଦେଲେ ନିଜକୁ ଥାନାରେ।ନିଜ ମୁହଁରେ ସ୍ୱୀକାର କଲେ "ଯେ ମୋ ପତ୍ନୀ ଅନ୍ୟ ପର ପୁରୁଷ ସହ ଦେହ ସମ୍ପର୍କ ରଖିବାରୁ ମୁଁ ସେ ଦୁଇ ଜଣଙ୍କୁ ବିଶ୍ୱାସ ଘାତକତାର ପୁରସ୍କାର ସ୍ୱରୂପ ମୃତ୍ୟୁ ଦଣ୍ଡ ଦେଇଛି।ମୋତେ ଯାହା ଦଣ୍ଡ ଦେବାର ଅଛି ଦିଅନ୍ତୁ।"


ସେବେ ଠାରୁ ବାବା ଜେଲରେ।ମାମା ସ୍ଵର୍ଗରେ।ମୁଁ "ଖୁସି" ଖୋଜୁଛି ଖୁସିର ଠିକଣା ମାତ୍ର ଆଠ ବୟସରୁ ବୋଡିଙ୍ଗ୍ ସ୍କୁଲର୍ ଚାରିକାନ୍ଥ ନିବୁଜ ପୃଥିବୀ ଭିତରେ।ଖୋଜୁଛି ଜଣେ ମାମାଙ୍କୁ।ଖୋଜୁଛି ଜଣେ ବାବା ଓ ଝୁରୁଛି ଗୋଟିଏ ହସିଲା ପରିବାରକୁ।ହଁ ମୁଁ ଖୁସି, ବୟସ ଏଗାର,ଖୋଜୁଛି ଖୁସିକୁ।


କଣ ଆପଣ ଜାଣିଛନ୍ତି ଖୁସିର ଠିକଣା...!!



Rate this content
Log in

Similar oriya story from Tragedy