ଖରା ଛାଇ
ଖରା ଛାଇ
ଜୀବନଟା ଖରା ଛାଇର କାହାଣୀ।ସବୁବେଳେ ସୁଖ
ରହେନି କି ଦୁଃଖବି ବେଶି ଦିନ ଠହରେନି।ଋତୁ ପରିବର୍ତ୍ତନ ପରି ସୁଖ ଦୁଃଖ ବି ପରିବର୍ତ୍ତନ ହେଉଥାନ୍ତି।ଦିନେ ହିଂସା ଅସୂୟାରେ ଆକ୍ତାମାକ୍ତା ହେଉଥିବା ପ୍ରାଣ ପରବର୍ତ୍ତୀ ସମୟରେ ପ୍ରେମରେ ଜୁଡୁବୁଡୁ ହୋଇଥାଏ।ଏହା ସୁକାନ୍ତିର ଅଙ୍ଗେ ନିଭା ଘଟଣା।ମଳୟର ହାତଧରି ଶୁଭଶଙ୍ଖବଜାଇ ସେ ପ୍ରବେଶ କରିଥିଲା ତା ଶାଶୁଘରେ।ଦୁଇଜଣ ପ୍ରେମ ବିବାହ କରିଥିଲେ।
ଏକା ଅଫିସରେ କାମ କରୁ କରୁ ଉଭୟଙ୍କ ଭିତରେ ପ୍ରେମ ହୋଇ ଯାଇ ଥିଲା।ସେମାନଙ୍କ ଧର୍ମ ଅଲଗା ଥିଲା ବୋଲି ଶାଶୁ ଘରଲୋକେ ଆପଣାଇବାକୁ ଚାହୁଁ ନ ଥିଲେ।ମାତ୍ର ଚାରିଟା ଦିନ ଶାଶୁ ଘରେ ରହିବାର ସୌଭାଗ୍ୟ ପାଇଥିଲା ସେ ରୋଷେଇଘରେ ପଶିବା ତା ପାଇଁ ମନା ଥିଲା।ସେ ଚାହୁଁଥିଲା ଧିରେ ଧିରେ ସମସ୍ତଙ୍କ ମନ ପରିବର୍ତ୍ତନ ହୋଇଯିବ ତାର ମଧୁର ବ୍ୟବହାରରେ।ସେଥିପାଇଁ ମନ ଦୁଃଖ ନକରି ସେ ପରିବାରର ବଡ ଲୋକେ ଯେମିତି କହୁଥିଲେ ମାନି ନେଇ ଚଳି ଯାଉଥିଲା।ମଳୟ କିନ୍ତୁ ତାର ହାତଧରି ଚାଲୁଥିଲେ।କେବେ ସାଙ୍ଗ ଛାଡି ନାହାଁନ୍ତି।ଜୀବନ ସାଥୀ ଯଦି ନିଜ ପକ୍ଷରେ ଥାଏ ତାହେଲେ ଯେତେ ବାଧାବିଘ୍ନ ଆସିଲେ ବି ସହିହେଇ ଯାଏ।ତାଙ୍କର ଦୁଇପଦ ମିଠାକଥା,ସାହଚର୍ଯ୍ୟର ହାତ ଟିକେ ମିଳିଲେ ପାହାଡ ପରି ଦୁଃଖବି ହାଲୁକା ହୋଇଯାଏ। ସୁକାନ୍ତି ବି ମଳୟ ମୁହଁକୁ ଦେଖି ଅନ୍ୟ ମାନଙ୍କ ଅବହେଳାକୁ ଅଣଦେଖା କରିନେଉଥିଲା।ଅଳ୍ପ ଦିନତ ରହିବ ଏଠି।ତାପରେ ଚାକିରି ଜାଗାକୁ ଚାଲିଯିବେ ଦୁଇଜଣ । ଏମିତି ଭାବରେ ଚାରିଦିନ କଟିଗଲା।ସେମାନେ ଫେରିଆସିଲେ ନିଜ ସହରକୁ।ଘରଲୋକେ ହାଏ କରିଥିବେ।ସେ ବି ନିଜ ଜାଗାକୁ ଆସି ନିଶ୍ଚିନ୍ତରେ ନିଜ ନୂଆ ଜୀବନ ସଜାଡିଲା।ନୂଆ ଭଡା ଘରକୁ ଆପଣା ହାତରେ ସଜାଡି ନୂଆ ରଙ୍ଗଦେଲା।ଦୁଇଜଣ କାମରେ ମନ ଦେଲେ।ଛୁଟିଦିନରେ ମିଶି ବଜାର ସଉଦା କରି ଆସନ୍ତି।ପ୍ରତି କାମକୁ ଭାଗ ବାଣ୍ଟି କରନ୍ତି।ଉଭୟଙ୍କ ଭିତରେ ଭଲ ବୁଝାମଣା ଥିଲା।ଦୁହେଁ ଦୁହିଙ୍କୁ ସମ୍ମାନ କରୁଥିଲେ।ଅବିଶ୍ବାସକୁ ପାଖ ପଶିବାକୁ ଦେଉ ନ ଥିଲେ।ପୂର୍ଣ ବିଶ୍ବାସ ଥିଲା ବୋଲି କାହାର ବିଲମ୍ବ ହେଲେ କେହି ମନରେ ଧରୁ ନଥିଲେ।ଏମିତି ଜୀବନ ଚାଲିଥାଏ ଆପଣା ରାସ୍ତାରେ ।
ଦିନେ ଫୋନ ଆସିଲା ଶାଶୁ ବାଥରୁମରେ ଖସି ପଡି ଅଣ୍ଟା ମକଚି ଯାଇଛି।ସେମାନେ ଶୀଘ୍ର ଘରକୁ ଯାଇ ନେଇ ଆସିଲେ ସହରକୁ।ଡାକ୍ତର ଖାନା ରେ ଭର୍ତ୍ତି କଲେ।ସୁକାନ୍ତି ଅଫିସରୁ ଛୁଟି ନେଇଗଲା ଓ ପାଖରେ ରହି ସବୁ ପ୍ରକାର ସାହାଯ୍ୟ କଲା।ଉଠାଇବା ବସାଇବା ବ୍ରସ କରାଇବା,ମୁଣ୍ଡ କୁଣ୍ଡାଇବା।ପେନ ରେ ଝାଡା ପରିଶ୍ରା କରାଇବା ସବୁ ନିସଂକୋଚରେ କରୁଥିଲା । ବୋହୁର ଏପରି ସେବା ଭାବନା ଦେଖି ଶାଶୁ ମାଳତୀ ଧିରେ ଧିରେ ମହମ ପରି ତରଳୁ ଥିଲେ।ମନେ ମନେ ଆପଣାଇ ନେଉଥିଲେ ନିଜ ହୃଦୟ ଭିତରେ।ସତରେ ବୋହୁଟି ନିର୍ମଳ ହୃଦୟର ଦରଦୀ ଝିଅଟେ ଥିଲା।ସଫା ସୁତୁରା ସହ ବଡ କର୍ମ ଚଞ୍ଚଳ ବି ଥିଲା।ସବୁ କାମ ଫଟାକ୍ ସେ କରି ନେଉଥିଲା।ବଡ ସ୍ମାଟ ବି ଥିଲା।ଗାଡି ଚଳାଠୁ ଘର କାମ ସବୁଥିରେ ଦକ୍ଷ ଥିଲା।ପାଖରେ ରହିଲା ପରେ ତାର ସୁବାସରେ ସେ ମୋହିତ ହେବାକୁ ଲାଗିଲେ।ଶଶୁର ବି ଶାଶୁ ବୋହୁର ଆପଣାପଣ ଦେଖି ମନେ ମନେ ଖୁସି ହେଉଥିଲେ।ଏବେ ଘରେ ଖୁସି ଫେରି ଆସିଥିଲା।ସଭିଏଁ ଏକା ସାଙ୍ଗେ ପୁଅ ପାଖେ ରହିଲେ। ଏ ଭିତରେ ଜଣା ପଢିଲା ସୁକାନ୍ତି ଗର୍ଭବତୀ ଅଛି।ଏବେ ଶାଶୁଙ୍କ ଖୁସି କହିଲେ ନ ସରେ। ସେ ଭଲ ହେଇ ଗଲାପରେ ସୁକାନ୍ତିର ସବୁ ପ୍ରକାର ଯତ୍ନ ନେବାକୁ ଲାଗିଲେ।ପରସ୍ପର ଭିତରେ ଏମିତି ବୁଝାମଣା ଘରଟାକୁ ସ୍ବର୍ଗରେ ପରିଣତ କରି ଦେଇଥିଲା।ଦିନେ ଯୋଉଁ ଘରେ ପରସ୍ପର ପ୍ରତି ଆକ୍ଷେପ ନିନ୍ଦା କଟାକ୍ଷ କସା କସି ହେଉ ଥିଲା ସେଠି ଏବେ ପ୍ରେମର ସୁଗନ୍ଧ ସଂଚରିବାକୁ ଲାଗି ଥିଲା।ମାଳତୀ ବୋହୁ ପସନ୍ଦର ଅନେକ ଜିନିଷ ତିଆରିକରି ଖୁଆଉଥିଲେ।
ଶେଷରେ ଅପେକ୍ଷାର ସମୟ ଅନ୍ତ ହେଇ ଥିଲା ।ସୁକାନ୍ତି ପୁଅ ଟିଏ ଜନ୍ମ କରିଥିଲା।ଏବେତ ମାଳତୀଙ୍କ ଖୁସି କହିଲେ ନ ସରେ।ସୁକାନ୍ତି ଦୁଧ ପିଆଉ ଥିଲା ଯାହା।ପିଲାର ବାକି ସବୁ କାମ ମାଳତୀ କରୁଥିଲେ।ନାତି ହେବାପରେ ଆଉ ଗାଆଁ ଯିବାର ନାଆଁ ଧରୁନ ଥିଲେ।ଏତେ ଦିନ ଯାଏ ଯିଏ ଗାଆଁ ଛାଡି କୁଆଡେ ଯିବାକୁ ରାଜି ନଥିଲେ ସେ ନାତି ପ୍ରେମରେ ସହରରେ ରହିବାକୁ ରାଜି ହୋଇଯାଇ ଥିଲେ।ଆଈ ନାତିଙ୍କ ଯୋଡି ଭଲ ଜମି ଯାଇଥିଲା।ଅଜା ବି ନାତି ସାଙ୍ଗରେ ମିଶି ବଡ ଖୁସି ରହୁଥିଲେ।ଏବେ ତାଙ୍କ ଜୀବନରୁ ଖରା ଅପସରି ଯାଇ ନିର୍ମଳ ଛାଇ ପ୍ରବେଶ କରିସାରିଥିଲା।
