ଖୋଳ
ଖୋଳ
ଜୀବନ ଅଳ୍ପ ଆଲୁଅ, ବେଶୀ ଅନ୍ଧାରର।
ଏକଥା କେତେଜଣ ବୁଝନ୍ତି ଏଠି!ସେ' ତ ଆଦୌ ବୁଝି ନ ଥିଲା କି ବୁଝୁନଥିଲା।
କ୍ରୋଧ ନିଜ ପାଇଁ ଖୁବ୍ କ୍ଷତିକାରକ।
ଏତକ ବି ବୁଝିଥାନ୍ତା ହେଲେ!ଟିକେ ଟିକେ କଥାରେ ରାଗି ପାଚି ଯାଉଥିଲା ସେ । ତା'ର ଯାହା ଇଚ୍ଛା ହେଉଥିଲା ସେତେବେଳେ, ସେ ତାହା କରି ପକାଉଥିଲା।
ଏମିତିରେ ସେ' ଯେ ଖାଲି ଅନ୍ୟର କ୍ଷତି କରୁଥିଲା ତା' ନୁହେଁ, ନିଜର ବି କମ୍ କ୍ଷତି କରୁନଥିଲା।ଏହା ତା'ର ଜୀବନକୁ ଆହୁରି ଅନ୍ଧାର କରି ଦେଉଥିଲା।
କଥା କଥାରେ ଭୁଲ୍ ବୁଝିବା ତା'ର ଗୋଟେ ଅଭ୍ୟାସରେ ପଡି ଯାଇଥିଲା।ସବୁଠୁ ବେଶୀ ଭୁଲ୍ ବୁଝୁଥିଲା ସେ ତା' ସ୍ତ୍ରୀକୁ।ନିଜକୁ ଚମକେଇ ଦେବା ଯେମିତି ଥିଲା ତା'ର ଏକ ପ୍ରବଣତା।ଅନେକ ସମୟରେ ଏପରି ହେଉଥିଲା ,ସେ ତା' ସ୍ତ୍ରୀକୁ ଭୁଲି ନିଜକୁ ଇ ଖୋଜିବାରେ ଲାଗିଥିଲା।
ତା' ସ୍ତ୍ରୀ ତା' ଠାରୁ ହାରିଯାଉ, ଅଦମ୍ୟ ପରାକ୍ରମରେ ସବୁବେଳେ ଚାହୁଁଥିଲା ସେ । ବେଳେବେଳେ ସେ ଏପରି କ୍ରୋଧରେ ଫାଟି ପଡୁଥିଲା ଯେ ସ୍ତ୍ରୀର ଛାଇ ବି ଦେଖିବାକୁ ଇଚ୍ଛା କରୁନଥିଲା।
ବିବାହ ଆଗରୁ ଯେତେବେଳେ ଯେମିତି ଲୋଡିଥିଲା ସେତେବେଳେ ସେମିତି ତାକୁ ପାଇଥିଲା ତା'ର ସ୍ତ୍ରୀ । ସୁସ୍ଥ, ରଙ୍ଗୀନ ପର ଦୁଇଟି ନେଇ ପ୍ରେମର ନୀଳ ଆକାଶରେ ଉଡି ବୁଲୁଥିଲା । ପଞ୍ଜୁରୀ ଭିତରେ କେବେ ଆବଦ୍ଧ କରି ରଖି ନ ଥିଲା ନିଜର ଜୀବନକୁ।
ସେ ସୁନ୍ଦରୀ । ସରଳତା ଓ ପତିବ୍ରତା ତା'ର ଦେହରେ ଅଳଙ୍କାର ହୋଇ ରହିଥିଲେ ସବୁବେଳେ।
ଏବେ ବିବାହ ପରେ ସେ ଅନୁଭବ କରୁଥିଲା ଯେମିତି ତା'ର ସୁସ୍ଥ ଓ ରଙ୍ଗୀନ ଡେଣାକୁ କିଏ କାଟିଦେଇଛି।ଗୋଟେ ଲୁହା ପଞ୍ଜୁରୀ ଭିତରେ ଆବଦ୍ଧ ହୋଇଯାଇଛି ତା'ର ଜୀବନ।
ସ୍ୱାମୀର ପ୍ରତ୍ୟେକ କ୍ରୋଧକୁ ଛାତି ଦେଖାଇବାକୁ ଏବେ ସାହସ ସଂଗ୍ରହ କରୁଥିଲା ସେ । ନମ୍ରତାର ସହିତ ନିଜର ଉତ୍ତର ରଖୁଥିଲା।ଅବିଚଳିତ ରହୁଥିଲା।
- "ଦେଖ,ଗୋଟେ ଖୋଳ ଭିତରେ ଏମାନେ ସବୁ କେଡ଼େ ଶାନ୍ତ ଭାବରେ ଅଛନ୍ତି।ନିଆଁ ଏମାନେ।ହେଲେ ଜଳି ପାରୁଛନ୍ତି ନା ଜଳେଇ ପାରୁଛନ୍ତି।" ଦିନେ ସ୍ୱାମୀଙ୍କର ଏକ ଖୁସିର ମୁହୂର୍ତ୍ତରେ ଦିଆସିଲିଟିଏ ତାଙ୍କୁ ଦେଖେଇ କହିଲା ସେ।
- "କ୍ରୋଧ ନିଜ ପାଇଁ କ୍ଷତିକାରକ - ମୁଁ ଭୁଲିଯାଇଛି ବୋଧେ।ଖୋଳ ନ ହୋଇ ଦିଆସିଲି କାଠି ହେବାରେ କି ଲାଭ ମିଳୁଛି ଯେ!"
ସ୍ତ୍ରୀର କଥା ପରେ ପରେ ବହୁତ ଭାବିଚିନ୍ତି ମନକୁ ମନ କହିଲା ସେ । ଏବେ ସେ କାହାକୁ ଜାଳିଛି, କାହାକୁ ପୋଡିଛି ଓ କାହାକୁ ଚମକାଇଛି ମନେମନେ ହିସାବ କରିବାକୁ ଲାଗିଲା । ତା'ର ମନେହେଲା ଯେମିତି ସେ ନିଜେ ହିଁ ଅନ୍ଧାର।
ସବୁକିଛି ନୀରବରେ ସହିଥିବା ତା' ସ୍ତ୍ରୀ ପ୍ରତି ଏବେ ତା' ମନରେ ଦୟା ଓ ମାନବିକତା ସୃଷ୍ଟି ହେଲା।ରଡ ନିଆଁରେ ସେ ତାକୁ ପୋଡିନି, ବରଂ ନିଜେ ପୋଡିହୋଇଛି ଭାବିଲା।
ପ୍ରେମର ରଙ୍ଗୀନ ସବୁଜ ଦିନଗୁଡିକ ଏବେ ତାକୁ ସ୍ପଷ୍ଟ ଦିଶିଲା।କେତେ ଭଲ ଲାଗୁଥିଲା ସେଇ ଦିନଗୁଡିକ।ସତେ ଯେମିତି ସେ ସୁଖ ଶାନ୍ତିର ପଦ୍ମ ପୋଖରୀରେ ପହଁରୁଥିଲା।
ଏବେ ନିଜର କ୍ରୋଧକୁ ଦୂରକୁ ଫିଙ୍ଗିଦେଲା ସେ।ଆଉ ସେ ଅନ୍ଧାର ହୋଇ ନ ଥିଲା, ବରଂ ଫର୍ଚ୍ଚା ଆଲୁଅରେ ଝଲସିତ ହେଉଥିଲା।
- " ଏବେ ମତେ ଦଣ୍ଡ ଦିଅ କି କ୍ଷମା କର, ତୁମରି ଅଧିକାର। "
ସ୍ତ୍ରୀର ମୁହଁକୁ ଚାହିଁ ନିଃଶଦ୍ଦରେ ଏତିକି କହିଲା ସେ।
ୟା ପରଠାରୁ ଆଉ ତାକୁ କ୍ରୋଧିତ ହେବାର ଦେଖାଯାଇ ନ ଥିଲା।ଗୋଟେ ଦିଆସିଲି ଖୋଳ ପାଲଟି ଯାଇଥିଲା ସେ । ତା'ର କ୍ରୋଧ କାଠି ହୋଇ ପଡି ରହିଥିଲେ ତା' ଭିତରେ।