ଖବରକାଗଜ
ଖବରକାଗଜ
ସକାଳୁ ସକାଳୁ ଉଠି ଭାରି ଗୋଟେ ଖରାପ ଖବର ଶୁଣିବାକୁ ମିଳିଲା। ପଦିଆଦା କୁଆଡ଼େ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଛନ୍ତି। ଗାଁର ସେ ମୁଣ୍ଡରେ ପଦିଆଦା ଘର। ଆମର କୌଣସି ପ୍ରକାର ବନ୍ଧୁବାନ୍ଧବ ବା ଭାଇଆଳିଆ ସମ୍ପର୍କ ନ ଥିଲେ ବି ଆମେ ପଦିଆଦା ଡାକୁଥିଲୁ। ମୋ ବାପାଙ୍କୁ ସିଏ ବି ବଡ଼ଭାଇର ସମ୍ମାନ ଦିଅନ୍ତି ଆଉ ଭାଇ ଡାକନ୍ତି। ତାଙ୍କର ସବୁ ସମସ୍ୟା ବାପାଙ୍କୁ କୁହନ୍ତି ଆଉ ତାଙ୍କ ପରାମର୍ଶ ନିଅନ୍ତି।
ଆମର ଗାଁରେ ଗୋଟେ ସମ୍ପନ୍ନ ଚାଷୀ ପରିବାର ହୋଇଥିବା ବେଳେ ପଦିଆଦା ଜଣେ ନାମମାତ୍ର ଚାଷୀ। ନିଜର ଦେଢ଼ମାଣ ଜମି ସହ ଆମର କିଛି ଜମି ଭାଗଚାଷ ସୂତ୍ରରେ ଚାଷ କରନ୍ତି। ସେତିକିରେ କୌଣସିମତେ।ତାଙ୍କର ଗୁଜୁରାଣ ମେଣ୍ଟିଯାଏ। କେବେ କେମିତି ଅଭାବ ଅସୁବିଧା ପଡିଲେ ବାପାଙ୍କଠୁ ସାହାଯ୍ୟ ନେଇଥାନ୍ତି। ଅବଶ୍ୟ ପରେ ସୁବିଧା ଦେଖି ସୁଝି ଦିଅନ୍ତି।
ପଦିଆଦାଙ୍କର ଗୋଟିଏ ବୋଲି ପୁଅ ଶରତ। ଯଦିଓ ସେତେ ଭଲ ପଢେନି, ତଥାପି ଏତେଟା ଖରାପ ବି ନୁହେଁ। ବାହାଘରର ଅନେକ ବର୍ଷ ପରେ ପୁଅଟିଏ କୋଳକୁ ଆସିଥିବାରୁ ଖୁଡି ଶରତକୁ ଭାରି ଗେହ୍ଲା କରିଥାନ୍ତି। କୌଣସିମତେ ଶରତ ମାଟ୍ରିକ ପରୀକ୍ଷାଟା ସେକେଣ୍ଡ ଡିଭିଜନରେ ପାସ୍ କରିଯାଇଥିଲା। ପାଖ କଲେଜରେ ବିଜ୍ଞାନ ନେଇ ଇଣ୍ଟରମେଡିଏଟରେ ନାଁ ଲେଖେଇ ଥିଲା। ତା'ର ପଢାପଢି ଖର୍ଚ୍ଚ ତୁଲେଇବାକୁ ଆଉ ପୁଅକୁ ପାଞ୍ଚଟା ପିଲାଙ୍କ ସାଙ୍ଗେ ସମାନ କରି କଲେଜକୁ ପଠାଇବା ପାଇଁ ଅଧିକ ଟଙ୍କାପଇସା ଦରକାର। ସେଥିପାଇଁ ପଦିଆଦା ବାପାଙ୍କୁ କହି ଆଉ ମାଣେ ଜମି ଅଧିକ ଭାଗଚାଷ କରିଥିଲେ। ଅଧିକ ପରିଶ୍ରମ ପଡିଲେ ପଡୁ ପଛେ, ସେଥିପାଇଁ ପଦିଆଦା ପଛେଇ ନଥିଲେ। ପୁଅଟାକୁ ମଣିଷ କରିବାକୁ ସତେ ଯେମିତି ପଦିଆଦା ପଣ କରିଛନ୍ତି। ଘରେ ପାଠ ପଢାପଢିରେ ଅସୁବିଧା ହେବ ବୋଲି ଛାତିରେ ପଥର ରଖି ଶରତକୁ ହଷ୍ଟେଲରେ ରଖେଇଥିଲେ।
ମୋର ସେଇ ବର୍ଷ ଚାକିରି ହେଇଗଲା। ପ୍ରଥମ ମାସର ଦରମାରେ ବାପା, ମାଆ ଆଉ ପରିବାରର ସମସ୍ତଙ୍କ ପାଇଁ କିଛି ନା କିଛି ଆଣିବା ସହ ପଦିଆଦା ପାଇଁ ଭଲ ଚଦର ଖଣ୍ଡେ ଆଣିଥିଲି। ସେଇଥିରେ ପଦିଆଦା ଭାରି ଖୁସିଟାଏ ହେଇ ଯାଇଥିଲେ। ସେଇ ଭିତରେ ଶରତକୁ ପଢାପଢିରେ ସାହାଯ୍ୟ କରିବାକୁ ଅନୁରୋଧ କରିଥିଲେ।
ସେ ବର୍ଷ ଶରତର ଇଣ୍ଟରମେଡିଏଟ ସାଇନ୍ସରେ ଦ୍ବିତୀୟ ବର୍ଷ। ଫାଇନାଲ ପରୀକ୍ଷା ପାଇଁ ଫର୍ମ ପୂରଣ କରିବା ପାଇଁ ହେବ। ବାପା ସେ ସମୟରେ ମାଆକୁ ନେଇ କୌଣସି କାମରେ ମାମୁଁଘରକୁ ଯାଇଥିଲେ। ଘରେ ମୁଁ ଏକୁଟିଆ। ପଦିଆଦା ଆସି ପହଞ୍ଚିଲେ। ଝାଳ ଜରଜର ଦେହ। ସମ୍ଭବତଃ ବିଲରୁ ଆସି ନ ଗାଧୋଇ ଆସିଛନ୍ତି। ସେଇଥିରୁ ଅନୁମାନ କରିନେଲି କଥାର ଗୁରୁତ୍ୱକୁ। ଯଦି ସେମିତି କିଛି ଗୁରୁତ୍ବପୂର୍ଣ୍ଣ କଥା ନ ହେଇଥାନ୍ତା ତେବେ ପଦିଆଦା ଏମିତି ଆସି ନଥାନ୍ତେ। ପଦିଆଦା କେବେ ବୁଲେଇ ବଙ୍କେଇ କଥା କହନ୍ତି ନାହିଁ। ବଡ଼ ଦୁଃଖର ସହ କହିଲେ, "କୋଉଠୁ ଯୋଗାଡ଼ କରି ପାରିଲିନି। ତୋ ବାପା ଥିଲେ ନିଶ୍ଚୟ ସାହାଯ୍ୟ କରିଥାନ୍ତେ। ପୁଅଟାର ପରୀକ୍ଷା ପାଇଁ ଫର୍ମ ପୂରଣ କରିବାକୁ ପଡିବ। ପଇସାପତ୍ର ନାହିଁ। ଟଙ୍କା ପାଁ'ଶ ଅଛି କି, ଦେଇଥାନ୍ତୁ ପୁଅ।" ମୋତେ ପଦିଆଦା ଶ୍ରଦ୍ଧାରେ 'ପୁଅ' ଡାକନ୍ତି। ମନା କରିପାରିଲିନି। ଦରମାଟା ପୂର୍ବଦିନ ମିଳିଥିଲା। ବାପା ଘରେ ନଥିବାରୁ ଦେଇ ପାରିନଥିଲି। ମୋ ପାଖରେ ଥିଲା। ସେଇଥିରୁ ପାଞ୍ଚଶ ଟଙ୍କା ପଦିଆଦାଙ୍କୁ ଦେଲି। ମୁଁ ଜାଣିଛି, ପଦିଆଦା ସେ ଟଙ୍କାଟା ବାପାଙ୍କୁ ଅବଶ୍ୟ ସୁଝିଦେବେ। ସେ ବିଶ୍ୱାସ ଥିଲା। ଏଇମିତି ଅନେକ ସମୟରେ ପଦିଆଦା ମୋଠାରୁ ନହେଲେ ବାପାଙ୍କଠୁ ନେଇ ତାଙ୍କର ଆବଶ୍ୟକତା ପୂରଣ କରିଥାନ୍ତି।
ଶରତର ଇଣ୍ଟରମେଡିଏଟ ପରୀକ୍ଷା ଫଳ ବାହାରିଲା। ସେକେଣ୍ଡ ଡିଭିଜନରେ ପାସ୍ କରିଥିଲା। ସେ ସମୟର ଶୈକ୍ଷିକ ଅବସ୍ଥକୁ ଦେଖିଲେ ସେକେଣ୍ଡ ଡିଭିଜନ କିଛି କମ୍ ନଥିଲା। ଯେ କୌଣସି ଭଲ କଲେଜରେ ସିଟ୍ ମିଳିଯାଇଥାନ୍ତା। ବି.ଏସ୍.ସିରେ ଭଲ ଅନର୍ସ ବି ମିଳିଥାନ୍ତା। କିନ୍ତୁ ଶରତର ଏକା ଜିଦ୍, ଇଂଜିନିୟରିଂ ଡିପ୍ଲୋମା କରିବ। ମୁଁ ଶରତକୁ ଯେଉଁ ସ୍ତରର ଛାତ୍ର ବୋଲି ଭାବୁଥିଲି ସେ ତହିଁରୁ ଅନେକ ଉର୍ଦ୍ଧ୍ଵରେ। ତା'ର ଫର୍ମ ପୂରଣ ସରିଲା, ଆଉ ବ୍ରହ୍ମପୁରରେ ଶରତ ନାଁ ଲେଖେଇଲା। ଅନେକ ଟଙ୍କା ଧାର ଉଧାର କରି ପଦିଆଦା ଶରତକୁ ପଢୋଉଥିଲେ।
ଏମିତି ଏକ ସମୟରେ ପଦିଆଦା ଆତ୍ମହତ୍ୟା କରିବାଟା କାହିଁକି କେଜାଣି ମୋ ମନ ଜମାରୁ ଗ୍ରହଣ କରିପାରୁ ନଥାଏ। କ'ଣ କାରଣ ଜାଣିବା ପାଇଁ ଭାରି ଉତ୍କଣ୍ଠା। ପଦିଆଦାଙ୍କ ଘରକୁ ଗଲି। ଖୁଡି ତ କାନ୍ଦି କାନ୍ଦି ଭୂଇଁରେ ଲୋଟି ଯାଉଥିଲେ। ସେତେବେଳକୁ ପୋଲିସ ଆସିଯାଇଥିଲା। ଶବକୁ ଓହ୍ଲାଇ ପୋଷ୍ଟମର୍ଟମ ପାଇଁ ପଠାଇବା ବନ୍ଦୋବସ୍ତ କରାଯାଉଥାଏ। ମୋତେ ଦେଖି ଖୁଡି ଆହୁରି ବିକଳ ହୋଇ ଡକାପାଡି କାନ୍ଦିଲେ। ଖୁଡିଙ୍କ ପାଖରେ ବସି 'ଏମିତି କାହିଁକି ହେଲା ଆଉ କେମିତି?' ମୁଁ ପଚାରିବାରୁ ଖୁଡି ହଠାତ୍ ଚୁପ୍ ହେଇଗଲେ। ସେତେବେଳକୁ ପୋଲିସ ଶବକୁ ପୋଷ୍ଟମର୍ଟମ ପାଇଁ ନେଇ ଯାଇସାରିଥିଲା। ସାଙ୍ଗରେ ବାପା ଆଉ ଗାଁର ଆଉ କେତେଜଣ ମୁରବି ସ୍ଥାନୀୟ ଭଦ୍ରଲୋକ ଯାଇଥିଲେ। ଘରେ ଏକରକମ ଭିଡ କମିଯାଇଥିଲା। ଘରଟା ଗୋଟେ କେମିତି ଖାଁ ଖାଁ ଲାଗୁଥିଲା, ଯେମିତି ଦୁନିଆଯାକର ଶୂନ୍ୟତା ଘରଟା ଭିତରେ ଖୁନ୍ଦି ହେଇଯାଇଛି।
ଖୁଡି କହୁଥିଲେ,"ଏଇ ଖବରକାଗଜଟା ପଢି ତୋ ଦାଦା କାଲି ରାତିରୁ ମୁହଁ ଶୁଖେଇ ବସିଥିଲେ। କ'ଣ ଥିଲା ସେ କାଗଜରେ କେଜାଣି, କାଲି ରାତିରୁ କିଛି ପାଟିରେ ଦେଇନାହାନ୍ତି। ରାତିଟା ଭିତରେ ଏମିତି କରି ବସିବେ ବୋଲି କିଏ ଜାଣିଥିଲା। ଆମକୁ ଭସେଇ ଦେଇ ସେପାରିକୁ ଚାଲିଗଲେ ତୋ ଦାଦା।
ଏତିକି କହି ଖୁଡି ମୋ ହାତକୁ ଖଣ୍ଡେ ଖବରକାଗଜ ବଢ଼ାଇ ଦେଲେ। ଛୋଟିଆ ଖବରଟିଏ, "ଡ୍ରଗ କାରବାରରେ ଲିପ୍ତ ଇଂଜିନିୟରିଂ ଛାତ୍ର ଗିରଫ" ଶୀର୍ଷକ ଥିବା ଅଳ୍ପ କେଇ ଧାଡିର ଖବର। ସେଥିରେ ଶରତ ନାମକ କୌଣସି ଇଂଜିନିୟରିଂ ଛାତ୍ର ବ୍ରହ୍ମପୁରରେ ଡ୍ରଗ୍ କାରବାରରେ ଧରାହୋଇ ଜେଲ ଯିବାର ଖବର ଯାହାକୁ ପଢି ପଦିଆଦା ହତାଶ ହୋଇ ଏପରି ଚରମ ପଦକ୍ଷେପ ନେଇଥିବେ ବୋଲି ସହଜରେ ଅନୁମାନ କରିନେଲି। ପଦିଆଦା ଭାବି ନେଇଥିବେ ନିଶ୍ଚୟ ତାଙ୍କର ନିର୍ଦ୍ଦୋଷ ପୁଅ ଶରତକୁ ପୋଲିସ ଫସେଇ ଦେଇଛି। ତା'ର ଜୀବନ ବରବାଦ ହେଇଗଲା। କିନ୍ତୁ ଘଟଣାର ସତ୍ୟାସତ୍ୟ ବିଷୟରେ ନ ଜାଣି ଏପରି ପଦକ୍ଷେପ ନେବା ପଦିଆଦାଙ୍କର ହୁଏତ ଭୁଲ, କିନ୍ତୁ ଏପରି ସମୟରେ ସେସବୁର ତର୍ଜମାର କୌଣସି ମୂଲ୍ୟ ନଥିଲା। ଅବଶ୍ୟ ମୁଁ ସ୍ଥିର ନିଶ୍ଚିତ ଥିଲି ଯେ ଶରତ ପରି ସାଧାରଣ ପିଲା, ଯିଏ ହଲିଲା ପାଣିକୁ ଗୋଡ଼ ବଢେଇବାର ନଜିର ନାହିଁ, ସିଏ ଏମିତି କିଛି ଅନୈତିକ କାମରେ ଲିପ୍ତ ନଥିବ। ମୋ ମନ ଜମାରୁ ମାନୁ ନଥିଲା।
ଖୁଡିଙ୍କୁ ପଚାରିଲି, ଶରତକୁ ଖବର ଦିଆଗଲାଣି କି ନାହିଁ। ମୁଣ୍ଡ ହଲେଇ ଖୁଡି ନାହିଁ କରିବାରୁ ମୁଁ ଗାଁ ଛକରେ ଥିବା ପି.ସି.ଓରୁ ଶରତର ହଷ୍ଟେଲକୁ ଫୋନ ଲଗେଇଲି। ଯୋଗକୁ ହଷ୍ଟେଲ ସୁପରିନଟେଣ୍ଡେଣ୍ଟ ଫୋନ ଉଠେଇଲେ। ତାଙ୍କୁ ଶରତ କଥା ପଚାରିବାରୁ ସିଏ ଓଲଟି ପଚାରିଲେ,"କୋଉ ଶରତକୁ ଖୋଜୁଛନ୍ତି? ଜଣେ ନିଶା କାରବାରରେ ଧରାହୋଇ ଜେଲରେ, ଆଉ ଜଣେ କ୍ଲାସକୁ ଯାଇଛି।" ମୁଁ ପ୍ରଥମ ବର୍ଷ ଛାତ୍ର ଶରତ ପ୍ରଧାନକୁ ଖୋଜୁଛି ବୋଲି କହିବା ପରେ ସୁପରିନଟେଣ୍ଡେଣ୍ଟ ମହାଶୟ ଖୁବ୍ ଖୁସିଟାଏ ହେଲାଭଳି ଜଣାପଡିଲା। ତା ପ୍ରଶଂସାରେ ସିଏ ବହୁତ କିଛି କହିଲେ। "ଏମିତି ପିଲାଟିଏ, ପାଠରେ ଭଲ, କୌଣସି ପ୍ରକାର ବଦମାସିରୁ ଖୁବ୍ ଦୂରରେ। ଖୁବ୍ ବଢିଆ ପିଲା। ....।" ଏମିତି ସେ ଆହୁରି କ'ଣ ସବୁ କହୁଥିଲେ। କିନ୍ତୁ ମୁଁ ପଦିଆଦାଙ୍କ ଦେହାନ୍ତ କଥା କହିବାରୁ ସେ ଖୁବ୍ ବ୍ୟସ୍ତ ହେଇ ସଙ୍ଗେ ସଙ୍ଗେ ଶରତକୁ ଡକାଇ ପଠାଇଲେ।
ମୁଁ ସେଦିନ ଆଉ ଡିଉଟି ଯାଇପାରିଲିନି। ସଞ୍ଜ ସରିକି ବାପା ଆଉ ଗାଁର ଅନ୍ୟ ଲୋକମାନେ ପଦିଆଦାଙ୍କର ଶବ ଆଣି ପହଞ୍ଚିଲେ। ସେତେବେଳକୁ ଶରତ ମଧ୍ୟ ଘରେ ପହଞ୍ଚି ସାରିଥିଲା। ପଦିଆଦାଙ୍କର ଖବରକାଗଜ ପଢି ଏମିତି ଚରମ ପଦକ୍ଷେପ ନେବା କଥା ସବୁ ମୁଁ ଖୋଲି କହିଲି। ସବୁକଥା ଶୁଣିବା ପରେ ବାପା କେମିତି ଗୋଟେ ଗମ୍ଭୀର ଦେଖାଗଲେ। ଯାହା ହେଲେ ବି ପଦିଆଦା ସହ ତାଙ୍କର ଗୋଟେ ହୃଦୟର ସମ୍ପର୍କ ଥିଲା ଆଉ ଦୁହେଁ ଦୁହିଁଙ୍କୁ ଖୁବ୍ ଭଲ ପାଉଥିଲେ।
ସକାଳୁ ଉଠିଲେ ଚା' କପ୍ ସହ ଖବରକାଗଜ ପଢିବା ବାପାଙ୍କର ଗୋଟେ ପୁରୁଣା ଅଭ୍ୟାସ। କିନ୍ତୁ ସେଦିନ ଦେଖିଲି ଖବରକାଗଜଟାକୁ ଅଳିଆଗଦାକୁ ଫୋପାଡ଼ି ଦେଇ ବାପା ଚାହା କପ୍ ର ଧୂଆଁରେ ଅତୀତକୁ ତର୍ଜମା କରିବା ଭଙ୍ଗୀରେ ଏକ ଅଛିଣ୍ଡା ହିସାବରେ ମଗ୍ନ। ଆଉ ତା ପରଠୁ ଆମ ଘରକୁ କେବେ ଖବରକାଗଜ ଆସେନି କି ବାପା ଖବରକାଗଜ ପାଇଁ କହିନାହାନ୍ତି।