Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.
Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.

Satyabati Swain

Tragedy

4  

Satyabati Swain

Tragedy

କଏଦୀ

କଏଦୀ

6 mins
23.6K


କଏଦୀ


ବାପାଙ୍କୁ ମୋ ନିକି ଭାଇ ଓ ମିଷ୍ଟି ଦିର ଭାରି ଡର।ସେ ଯେତିକି ଦିନ ଚାକିରିରୁ ଘରକୁ ଆସନ୍ତି ସେ ଦୁଇ ଜଣ ଖୁବ୍ ଡରି ଡରି ଚଳନ୍ତି।ସେମାନେ ମା ପାଖେ ରହି ଅଳସୁଆ ହୋଇ ଯାଇ ଥାଆନ୍ତି।ମା କଥା ମାନନ୍ତି ନାହିଁ।କିଛି ବି କାମ ଠିକରେ କରନ୍ତି ନାହିଁ।ମିଷ୍ଟି ଦି ସାତ ଟାରେ ଉଠେ ତ ନିକି ଆଠ ଟା।ଛୁଟି ଦିନ ମାନଙ୍କରେ ନଅଟା କି ଦଶ ବାଜି ଯାଏ ସେମାନଙ୍କର।ଦାନ୍ତ ଡିହ ମାରିଲା ପରି ମାରି ଦିଅନ୍ତି।ମିଷ୍ଟି ଦି ସକାଳ ଜଳଖିଆ ଖାଏ ତ ନିକି ଭାଇ ଖାଏ ନାହିଁ।କିଏ ଅଗାଧୁଆ ସ୍କୁଲ ପଳାଏତ,କାହାର ସମୟ ହୋଇଯିବାରୁ ଅଖିଆ ମୁଣ୍ଡ ନ କୁଣ୍ଡାଇ ଯାଏ। ପୋଷାକ ପତ୍ର ଏଣେ ତେଣେ ଅବେଇଛତର ହୋଇ ପଡ଼ିଥାଏ।ବହି ଖାତା ଝଡର ପତ୍ର ପରି ଟେବୁଲ ଉପର ତଳ,ଘର ସାରା ବିଛେଇ ହୋଇ ଥାଆନ୍ତି।


ସ୍କୁଲରୁ ଆସିଲା ମାତ୍ରେ ଯିଏ ଯେଉଁଠି ପାଇଲା ବ୍ୟାଗ୍,ଜୋତା,ଓ ପୋଷାକ କୁଆଡେ ନାଇଁ କୁଆଡେ ଫୋପାଡ଼ି ମାରନ୍ତି ଡିଆଁ ଖେଳ ପଡ଼ିଆକୁ।


ସନ୍ଧ୍ୟା ବେଳେ ବାଧ୍ୟତାମୂଳକ ଆଖି ମିଞ୍ଜି ମିଞ୍ଜି କରି ବସନ୍ତି ଠାକୁରଙ୍କ ଆଗେ।ଟିଉସନ୍ ସାର୍ ଆସିଲେ କାହାର ପେଟ କାମୁଡେ ତ କାହାକୁ ଟିଉସନ୍ ରେ ବାରମ୍ବାର ଶୋଷ ହୁଏ।ଟିଉସନ୍ ସାର୍ ଗଲେ ସଇଲା ପାଠ ପଢା।ଟିଭି ଖୋଲି କାଟୁନ୍ ଦେଖା ଚାଲିବ।


ଖାଇଲା ବେଳେ ଆହୁରି ଛଇ।ୟାକୁ ଖାଇବୁ ନାହିଁ।ତାକୁ ଖାଇବୁ ନାହିଁ।ଏଇଟା ଭଲ ଲାଗୁନାହିଁ।ଡାଲି ପାଣିଆଁ ହୋଇଛି ଇତ୍ୟାଦି ଯେତେ ପେଖେନା।ଠିକରେ ବସି ବି ଖାଇବେ ନାହିଁ।ଥାଳି ଚାରି ପାଖ ଭାତ ତରକାରୀ କୁଢ଼ା ହୋଇଥିବ।


ମା କେମିତି ସବୁ ଏକା ଏକା କରେ ଭାବିଲେ ଆଶ୍ଚର୍ଯ୍ୟ ଲାଗେ।ମୁଁ ଘରେ ସବୁଠାରୁ ସାନ।କୋଡ଼ ପୋଛା।ଜେଜେମା ଓ ଜେଜେ ମୋତେ ସେତେ ଭଲ ପାଆନ୍ତି ନାହିଁ।ତାଙ୍କର ଆଉ ଗୋଟେ ନାତି ଦରକାର ଥିଲା।ମୁଁ ନାତୁଣୀଟିଏ ହୋଇଗଲି ତ;ସେଥିପାଇଁ।


ବୋଧେ ସେଇ ପାଇଁ କି କଣ ତିନି ପିଲାଙ୍କ ଭିତରେ ମୁଁ ଟିକେ ଅଲଗା ଥିଲି।ସବୁବେଳେ ମା କାନି ଧରି ଚାଲୁଥିବ।ମା କୋଳରେ କାଙ୍ଗାରୁ ଛୁଆ ପରି ପଇଥିବି।ମା ଯେତେବେଳେ ଉଠେ ମୁଁ ବି ତା ସହ ଉଠି ପଡେ।।ମାକୁ ଧରି ତା ବ୍ଲାଉଜ ଭିତରେ ହାତ ନ ପୁରାଇଲେ ମୋତେ ନିଦ ହୁଏନି।ମା କୁହେ ଛିଃ ବଡ଼ ପିଲା ହେଲୁଣି ସବୁବେଳେ ତତି ଧଇଲେ ଶୋଇବୁ।ସତ କିନ୍ତୁ ଧରୁ ଧରୁ ପାଟିରେ ପୁରାଇ ଚୁଚୁମି ଦିଏ।କେଜାଣି ମା ତତି ଠେଇଁ ମୋର ଭାରି ଲୋଭ।ମାକୁ କିନ୍ତୁ ଅଡ଼ୁଆ ଲାଗେ।ମୋ ହାତ ଛିଞ୍ଚାଡ଼ି ଦିଏ।ବେଳେବେଳେ ଧେତି କୁକୁର ଭଳିଆ ଲାଗେ ତା ସହ ମୁଁ।ଦି ଚଟକଣି ବସେଇ ଦିଏ ମୋତେ ମା।ବେଶୀ; ଯେବେ କୌଣସି କାରଣରୁ ରାଗିଥାଏ ବା କାମ କରି ହାଲିଆ ହୋଇଥାଏ।


କିନ୍ତୁ ବିଚିତ୍ର ମୁଁ ରାଗିକି ତାଠୁ ଟିକେ ଦୁରେଇ ଶୋଇଥିଲେ ସେ ମୋତେ ତା କୋଳକୁ ଟାଣି ନେଇ ଜାକି ଦିଏ ତା ଛାତିରେ।କେବେ ଯଦି ଅତି ଅବୁଝା ହୁଏ,ମା କୋଳରେ ପୁରେଇ ତା ତତି ଲୋଭ ଦେଖାଏ।ଧପ୍ କରି ମୋ କାନ୍ଦ ବନ୍ଦ ହୋଇଯାଏ।ମୋ ପିଠି ଥାପୁଡ଼ାଇ ମା ବି ଖୁସିରେ କୁରୁଳି ଉଠେ।ମୋ ମୁହଁରେ ଆକାଶର ତାରା ଭର୍ତ୍ତୀ ହସ।ବେଳେବେଳେ ମୁଁ ବି ତତି

ଖାଇବା ଲୋଭରେ ମିଛି ମିଛି ରାଗି ମା କୁ ଠକେ।


ମା ଘରକୁ ଏକା।ଜେଜେ,ଜେଜେମା ଓ ଆମ କଥା ସହ ଗାଈଟିର ଖବର ବୁଝୁ ବୁଝୁ ନିଜ କଥା ବୁଝିବା ଭୁଲିଯାଏ। ଅଯଥା କୌଣସି କାରଣରୁ ଗୋଟିଏ ମୁହୂର୍ତ୍ତ ସେ ନଷ୍ଟ କରିବାକୁ ଦିଏନି।ଏଣୁ ମୁଁ ଅଝଟ ହେଲେ ସେ ତା ଅମୋଘ ଅସ୍ତ୍ର ପ୍ରୟୋଗ କରିବ ମୁଁ ଜାଣେ।ସେଇଥି ପାଇଁ ଜାଣି ଜାଣି ତତି ଖାଇବାର ଥିଲେ,ମାଗିଲେ ତ ମା ଦେବନି ଏଡୁଟିଏ ହୋଇ ଦୁରେଇ ଦେବ।ଏଣୁ ମା କୁ ଠକିବାକୁ ମୁଁ ଅବୁଝା ହୁଏ।ତଳେ ଗଡେ।ମା ବିଚାରୀ ତା ସମୟ ନଷ୍ଟ ହେବ ଭାବି ମୋ ନେଇ କୋଳରେ ଜାକି ଦିଏ।ମୁଁ ବାଛୁରୀ ମୁଣ୍ଡିଆ ମାରିଲା ପରି ଖୁସିରେ ତଟିକୁ ଚୁଚୁମେ କ୍ଷୀର ବାହାରୁ କି ନ ବାହାରୁ।ମା ପିଠି ଥାପୁଡ଼େଇ କୁହେ ମୋ ଗେଲ୍ଲୀ ଖୁସି ରାଣୀ ଏବେ ଖେଳିବ।ମା କାମ କରିବ।ଆହା କି ସୁନ୍ଦର ମା କୋଳରେ ଚିପିକି ହୋଇ ତତି ଖାଇବାର ସ୍ୱର୍ଗ ସୁଖ!


ଏ ମା ସତରେ କଣ?ଅହରହ ଖଟୁଥିବ ଲୋଟଣୀ ପାରା ପରି।


ମୋ ନକି ଭାଇ ଓ ମିଷ୍ଟି ଦି ମୋତେ ଚିଡାନ୍ତି ଦରବୁଢୀ ହେଲାଣି କ୍ଷୀର ଖାଉଛି।ହଉ ଖାଉ ଥା ଦାନ୍ତ ପୋକ ଖାଇବ ଯେ।ମୁଁ କୁହେ ହଉ ଯା ମୋ ଦାନ୍ତ ପୋକ ଖାଉ,ତମର କଣ ଯାଉଛି।ଜେଜେମା କହିବ କାହିଁକି ତା ସହ ଏମିତି ଲଗେଇଛ।ସାନ ଛୁଆ ଗୁଡାକ ଏମିତି ଦରବୁଢ଼ୀ ହେବା ଯାଏ ତତି ଖୋଜନ୍ତି।


ନିକି ଭାଇ ଓ ମିଷ୍ଟି ଦି ଏମିତି ହେବା ପାଇଁ ମୋ ଜେଜେ ଓ ଜେଜେମା ଦାୟୀ।ମା ଯଦି ଟିକେ ରାଗିବ କି ରୀତି ନୀତି ମାନିବାକୁ କହିବ ଜେଜେମା କହିବ ଛୁଆ ଗୁଡା ଲୋ ବିନି,ଗାଣ୍ଡିରୁ ଘୁହ ଛାଡିନି,ବଡ଼ ହେଲେ ବଳେ ବାଟକୁ ଆସିଯିବେ ନାହିଁବିନି ମୋ ମା ନାଁ।ଜେଜେ କହିବେ ଏ ମାନଙ୍କର ଦୁଷ୍ଟାମୀ କାଇଁ ବା।ମୁଁ ଯେଉଁ ଦଣ୍ଡା ବାଳୁଙ୍ଗା ଥିଲି ପୁଣି ସୁଧୁରିଲି ନା ନାହିଁ।


ଜେଜେମା ଓ ଜେଜେଙ୍କ ସମର୍ଥନ ପାଇ ନିକି ଭାଇ ଓ ମିଷ୍ଟି ଦି ଦିନକୁ ଦିନ ଅବଗିଆ ମନ ମଟୁଆ ହୋଇ ଯାଆନ୍ତି।ପାଠଶାଠ ହୁଏନି ସେମାନଙ୍କର।ନିକି ଖାଲି କ୍ରିକେଟ ଖେଳିବ।ମିଷ୍ଟି ଦି ଓଠରେ ଲିପିଷ୍ଟିକ ବୋଲି ଡ୍ରେସିଂ ଟେବୁଲ ଆଗରେ ସଜବାଜ ହେବ।ମା ଶାଢ଼ୀ ପିନ୍ଧି ବୋହୁ ହେବ।


କିନ୍ତୁ ବାପା ଆସିଲେ ସମସ୍ତେ ସିଧା ହୋଇ ଯାଆନ୍ତି।ବାପା ଭାରି କଡା ମିଞ୍ଜାଜର ପ୍ରିନ୍ସପୁଲ ଲୋକ।ଦିନରେ ଶୋଇବା,ଡେରିରେ ଉଠିବା,ଟିଭି ଦେଖିବା,ବହି ପତ୍ର ଅଳିଆ ମଳିଆ କରିବାକୁ ଆଦୌ ପସନ୍ଦ କରନ୍ତି ନାହିଁ।ଟିକିଏ ବାହାରକୁ ଗଲେ ବି ରାଗନ୍ତି।ଖାଅ ପିଅ ଘରେ ରୁହ।ବହାରକୁ ଯାଇ ବାଜେ ପିଲାଙ୍କ ସଂଗେ ସାଙ୍ଗ ହେବାକୁ ତାଙ୍କର ନାପସନ୍ଦ।


ଏଣୁ ବାପା ଘରକୁ ଆସିଲେ ନିକି ଭାଇ ଓ ମିଷ୍ଟି ଦି ଭାରି କଷ୍ଟ ପାଆନ୍ତି।ବାପା ଆସିଲେ ଖୁସି ତ ହୁଅନ୍ତି;କିନ୍ତୁ ବାପାଙ୍କ ନୀତି ନିୟମ ମାନୁ ମାନୁ ଅଣନିଃଶ୍ବାସୀ ହୋଇ ଯାଆନ୍ତି।ତାଙ୍କୁ ଲାଗେ ସେମାନେ ଜେଲରେ କଏଦୀ ଜୀବନ ଜୀଉଛନ୍ତି।


ବାପା ଙ୍କ ସହ ପାଞ୍ଚଟାରୁ ଉଠି ନାଳ ବନ୍ଧରେ ଦୌଡ।।ଦାନ୍ତ ପତ୍ର ଘଷି ଠିକ୍ ସାତଟାରେ ଜଳଖିଆ ଖାଅ।ଖାଇ ସାରି ପଢା କର।ଠିକ୍ ନଅଟାରେ ଗାଧାଅ।ଖାଇ ପିଇ ସ୍କୁଲ ଯାଅ।ଟିଫିନ୍ ଘର ତିଆରି ଜିନିଷ ନିଅ।ବଜାର କିଣା ଜିନିଷ ବନ୍ଦ।ସ୍କୁଲରୁ ଆସି ହ୍ୟାଙ୍ଗରରେ ସ୍କୁଲ ପୋଷାକ ରଖ।ବହି ଥାକରେ ବହି ଓ ବ୍ୟାଗ୍ ସଜେଇ ରଖ। ସନ୍ଧ୍ୟାପାଞ୍ଚଟା ଯାଏବଗିଚାରେ ଟିକେ ବଲ୍ ଗଡ଼ାଅ ଓ ଖେଳ।ଟେବୁଲ ଉପରେ ଆଳୁରୁ ମାଳୁରୁ ଜମାଆ ନାହିଁ।ଗୋଡ଼ ହାତ ଧୋଇ "ତୁମେ ଅଖିଳର ତୁମେ ନିଖିଳର "ପ୍ରାର୍ଥନା ବୋଲ।କଣ ଟିକେ ଖାଅ।ହରଲିକିସ୍ ପିଅ।ଟିଉସନ୍ ସାର୍ ଗଲା ପରେ ସ୍କୁଲ ପାଠ କର।ରବିବାରିଆ ପଢା ସାରି ଟିଭି ଦେଖ ଓ ଖେଳ।ଏମିତି କେତେ କଣ ସେମାୟାନୁବର୍ତ୍ତୀ କସମ ଶିଖାନ୍ତି ଆମକୁ।


ଓଃ ନିକି ଭାଇ ଓ ମିଷ୍ଟି ଦି ନାକେଦମ୍ ହୋଇ ଯାଆନ୍ତି ବାପା ଆସିଲେ।ମୋତେ କିନ୍ତୁ ଭଲ ଲାଗେ।ଚଗଲା ନୁହେଁ,ସବୁ କଥା ଭଲ ମନେ ରଖେ।ମା ପଛେ ପଛେ ଚାଲୁଥାଏ।ବାପାଙ୍କ ଠାରୁ ଗପ ଶୁଣିବାକୁ ଭଲ ପାଏ।କିନ୍ତୁ ମା ବ୍ଳାଉଜରେ ହାତ ଡରିକି ପୁରାଏ ନାହିଁ।କାଳେ ବାପା ମାରିବେ।


ଆମ ତିନି ଭାଇ ଭଉଣୀଙ୍କ ହାବ ଭାଵ ଦେଖି ମା ଟିକେ ହସେ।ବାପା ଆସିଲେ ମା ର କାମ ଆହୁରି ବଢିଯାଏ।ତଥାପି ତା ମୁହଁ ହସେ।


ଜେଜେ କୁହନ୍ତି ଦିଇଟା ମାସ ରାଘବ, ମୋ ବାପା; ଘରେ ରହିଗଲେ ଛୁଆ ଗୁଡା ସାବାଡ଼ ହୋଇ ଯାଆନ୍ତେ।ଜେଜେମା କୁହେ ହଇରେ ରଘୁଆ ତୁ ମୋ ଛୁଆ ଗୁଡାଙ୍କୁ ଏମିତି କାଇଁ ଦରାଉଛୁ।ବାପା ଘରକୁ ଆସିଲେ ପିଲାଏ ଖୁସି ହୁଅନ୍ତି ହେଲେ ତୁ ଘରକୁ ଆସିଲେ ପିଲାଙ୍କ ହାଲକ ଶୁଖି ଯାଉଛି।ବାପା କୁହନ୍ତି ବୋଉ ତୁ ଚୁପ୍ ରହତ।ତୋ ମୁହଁ ପାଇ ଏମାନେ ବିଗିଡି ଗଲେଣି।ତୋ ପୁଅ ଜଣେ ସରକାରୀ ଅଫିସର।ହେଲେ ଜାଣିଛୁ ତୋ ଗେହ୍ଲା ନାତି ନାତୁଣୀ କ୍ଲାସରେ ତଳ ଆଡୁ ଫାଷ୍ଟ ହେଉଛନ୍ତି।


ବୁଝିଲୁ ବୋଉ ମୁଁ ଘରକୁ ଆସିଲେ ଆଗ ସ୍କୁଲ ସାର୍ ଙ୍କ ପାଖକୁ ଯାଏ।ଏଥରକ ସାର୍ ଭାରି ମନ ଦୁଃଖ କରି କହୁଥିଲେ ରାଘବ ବାବୁ !ଆପଣଙ୍କ ପିଲା ଆପଣଙ୍କ ପରି ହେବେ ନାହିଁ।ଖାଲି ଖେଳ କୁଦରେ ମନ।ପାଠ ପଢିବାକୁ ଜମା ଇଛା ନାହିଁ।ଟିକେ ପିଲାମାନଙ୍କ ପ୍ରତି ଦୃଷ୍ଟି ରଖନ୍ତୁ।


ତୁ ଓ ବାପା ଘରେ ଥାଇ ବି ପିଲା ମାନେ ଏତେ ବେମୁରୁବା କଣ ପାଇଁ?ଗେହ୍ଲା କରି ନଷ୍ଟ କରି ଦେଲଣି।ମୋ ମାକୁ ଲକ୍ଷ୍ୟ କରି କହିଲେ,ଆଉ ବିନି ତୁମେ ପିଲାଙ୍କୁ ଟିକେ ନଜର ଦେଉନ।ତୁମେ ବା ଗୋଟେ ପାଠଶାଠ ପଢିଥିବା ମା।ସବୁବେଳେ ଖାଲି କାମ କାମ।ଗାଈ ରଖିବାକୁ କିଏ କହିଛି।କ୍ଷୀର କିଣିବାକୁ ପଇସା ଦିଆ ଯାଉନି।


ବାପା ଙ୍କ କଥା ଉପରେ କେହି କିଛି କୁହନ୍ତି ନାହିଁ।ନିକି ଭାଇ ଓ ମିଷ୍ଟି ଦି ପ୍ରମାଦ ଗଣନ୍ତି।କେଉଁ ଦିନ ବାପା ଚାକିରୀକୁ ଯିବେ କେଜାଣି।ବାପାଙ୍କ ଶାସନ ତାଙ୍କୁ ଜଞ୍ଜିର ପରି ଲାଗେ।ମନ ମାରି ବାପା ଯିବା ଯାଏ ଘର କୋଣେ ବନ୍ଧା ହେଲା ପରି ପଡି ରୁହନ୍ତି।


ଏଣିକି ବାପା ମାସେ ଦି ମାସରେ ଦୁଇ ତିନି ଦିନ ଘରକୁ ଆସନ୍ତି।ମୋ ଭାଇ ଭଉଣୀ ହାତ ଗୋଡ଼ରେ "ବେଢ଼ି" ପଡ଼ିଯାଏ।ସତେକି ଖୋଲା ଆକାଶ ଚଢେଇ ଦିଟା ପିଞ୍ଜରା ଭିତରେ କଏଦୀ ହୋଇ ଯାଆନ୍ତି।ବାପା ଗଲା ପରେ ମୁକ୍ତିର ଆନନ୍ଦରେ ସେମାନେ ଆତ୍ମହରା ହୋଇ ଫୁର୍ ଫାର ଉଡନ୍ତି।କିନ୍ତୁ ବାପାଙ୍କ ବାରମ୍ବାର ଆସିବାରୁ ମୋ ଭାଇ ଭଉଣୀ ଦି ଟା ଆଉ ଆଗ ପରି ନାହାନ୍ତି।ପଢ଼ାରେ ମନ ଦେଲେଣି।ମା ବି ଶୀଘ୍ର ଶୀଘ୍ର କାମ ସାରି ପଢାଏ ସେମାନଙ୍କୁ।


ଆଉ ମୁଁ ଏବେ ଏବେ ସ୍କୁଲ ଗଲେଣି।ମୋତେ ପଢ଼ାଇବାକୁ ପଡେନି।ମୋତେ ନେଇ ବାପାଙ୍କ ଆଖିରେ ଅନେକ ସ୍ବପ୍ନ ମା କୁହେ।


ହେଉ ପଛେ କଏଦୀ ଜୀବନ;ଏ ଜୀବନରେ ଶୃଙ୍ଖଳା ଥାଏ।ପାରିବାରିକ ସମ୍ପର୍କ ଯେତେ ଦୃଢ଼ ସୁସଂଜତ ପିଲା ସେତେ ଶୃଙ୍ଖଳିତ,ସଂସ୍କାରୀ ହୁଅନ୍ତି ଯାହା ଆମେ ବଡ଼ ହେଲା ପରେ ବୁଝିଲୁ।ଅଧିକ ସ୍ୱାଧୀନତା ପିଲାଙ୍କୁ ବିପଥଗାମୀ କରାଏ ଏତକ ବୁଝିଲା ବୟସ ହେଲା ବେଳକୁ ବାପାଙ୍କ ଶୃଙ୍ଖଳିତ ଜୀବନ ଆଉ ନଥିଲା।


ନିକି ଭାଇ ଓ ମିଷ୍ଟି ଦି ଯେଉଁ ଜୀବନକୁ କଏଦୀ ଜୀବନ ଭାବୁଥିଲେ ଏବେ ବହୁତ ଖୋଜନ୍ତି।ନିକି ଭାଇକୁ ତେର,ମିଷ୍ଟି ଦି କୁ ଦଶ ଓ ମୋତେ ସାତ ବର୍ଷ ହେଲା ବେଳକୁ ଆମ ସମସ୍ତଙ୍କୁ କଏଦୀ ଜୀବନରୁ ସବୁଦିନ ମୁକ୍ତ କରୁଦେଇ ବାପା ହାର୍ଟ ଆଟାକ୍ ରେ ଆଖି ବୁଜି ଦେଲେ।


ଆକସ୍ମିକ ବଜ୍ର ପାତରେ ପୋଡି ଜାଳି ଛାରଖାର ହୋଇଗଲା ଆମ ପାରିବାରିକ ଜୀବନ।


ମା ପଥର,ଜେଜେ ଓ ଜେଜେମା ଆଖିରୁ ବହୁଛି ଅବିରତ ଲୁହ।ନିକି ଭାଇ ଓ ମିଷ୍ଟି ଦି ବାପାଙ୍କ କର୍ପୂର ମାଳ ପକା ଫଟୋ ପାଖେ ବସି କାନ୍ଦି କାନ୍ଦି କୁହନ୍ତି ଆମର ସେଇ କଏଦୀ ଜୀବନ ଲୋଡ଼ା ବାପା।ଆମେ ତୁମେ ଆସ ବୋଲି ଆଉ ରାଗିବୁ ନାହିଁ।ଆମେ ଏବର୍ଷ କ୍ଲାସରେ ଫାଷ୍ଟ ହେଇଛୁ ବାପା।ତୁମେ ଫେରିଆସ।ବାପା...କହି ଖୁବ୍ କାନ୍ଦନ୍ତି


ମା ଆମ ତିନି ଜଣକୁ ଧରି ଭୋ ଭୋ କାନ୍ଦେ।



Rate this content
Log in

More oriya story from Satyabati Swain

Similar oriya story from Tragedy