Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Satyabati Swain

Tragedy

3  

Satyabati Swain

Tragedy

କବ୍ଜା

କବ୍ଜା

5 mins
471



ଡିସେମ୍ବର ତିନି। ଅସହ୍ୟ ଶୀତ ଲହରୀ ଦେଶବ୍ୟାପୀ ଜାକିଜୁକି ଦେଇଥାଏ ଜନଜୀବନ। ମଞ୍ଜ ଥରି ଯାଉଥାଏ। ଶୀତ ବସ୍ତ୍ର ଭାରି ପଇଁତରା ମାରୁଥାନ୍ତି। ଦେଖେଇ ହେଉଥାନ୍ତି ନିଜ ନିଜ ଷ୍ଟାଇଲ ଓ କରାମତି। ରାତି ଆଠଟା ନ ବାଜୁଣୁ କୁଞ୍ଜି କାଞ୍ଜି ଶୋଇ ପଡ଼ୁଥାଏ ଗାଁ ଓ ସହର କନ୍ଥା,ଲୁଗା,ଚଦର କି ଦାମୀ କମ୍ବଳ ତଳେ। କାମ ଧନ୍ଦା ଠପ୍। ଦାନ୍ତକୁ ଦାନ୍ତ ବାଜୁଥାଏ। ଚା ଓ କଫି ମାର୍କେଟ୍ ନେଇଥାନ୍ତି। ଗରମ ଗରମ ପକୁଡି,ବରା,ଚପ୍ ଆଦି ତେଲ ଭାଜି ଜିନିଷ ଆନନ୍ଦରେ ପଶି ଯାଉଥାନ୍ତି କଅଁଳ ଠାରୁ ଟାଆଁସିଆ ପାଟି ପର୍ଯ୍ୟନ୍ତ। ସୂର୍ଯ୍ୟ ବି ଲୁଚି ଥାଆନ୍ତି ବାଘ ପରି ହାଡ଼ ଭଙ୍ଗା ଶୀତ ଭୟରେ ବଉଦ ତଳେ।


      ଠିକ୍ ରାତି ତିନିଟା।ଫୋନ୍ ରିଙ୍ଗ ହେଲା।ଆମ ଗାଁରୁ ମହେନ୍ଦ୍ର କହିଲା ଦି ବଡ଼ ବାପାଙ୍କ ଦେହ ଭାରି ଖରାପ। ସେ ତୁମକୁ ଦେଖିବାକୁ ଖୋଜୁଛନ୍ତି। ହଠାତ୍ ଶୀତ ଭୂତ ମୋଠାରୁ ଉତ୍ତରି ଗଲା। କମ୍ବଳ ଫିଙ୍ଗି ମୁଁ ଫୋନ୍ ଲଗାଇଲି। ପାଞ୍ଚ ସାତ ଥର ଲଗାଇଲା ପରେ ବି ଫୋନ୍ ସ୍ୱିଚ୍ ଅପ୍ ଦେଖାଇଲା। ଚିନ୍ତାରେ ପଡ଼ିଗଲି। ଦଶହରା ଛୁଟିରେ ଘରୁ ଆସିଲା ବେଳେ ତ ବାପା ଠିକ୍ ଥିଲେ। କହିବାକୁ ଗଲେ ମୁଁ ଦିନେ ଦେଖିନି ମୋ ବାପାଙ୍କ ଦେହ ଖରାପ ହେବାର ମୋ ହେତୁ ହେଲା ଦିନୁ। ଏମିତି ଥଣ୍ଡା କି କାଶ ଟିକେ ହୁଏନି। କାରଣ ବାପା କାମ କରିବା ,ଖାଦ୍ୟ ଖାଇବା,ଶୋଇବା ଓ ଉଠିବା ଆଦି କାର୍ଯ୍ୟ ପ୍ରତିଦିନ ଠିକ୍ ସମୟରେ ହିଁ କରନ୍ତି। ଦିନ ବେଳା ଖରା ଦିନେ ବି ଟିକିଏ ଲମ୍ବ ହୋଇଯିବା ମୁଁ ଦେଖିନି। ସମସ୍ତେ ଖରାଦିନ ଖରାବେଳେ ବିଶ୍ରାମ ନେଉଥିଲା ବେଳେ ବାପା କିଛି ନା କିଛି କାମ କରୁଥିବେ। ବର୍ଷା ଦିନେ ସମସ୍ତେ ଘର ଭିତରେ ଥିଲା ବେଳେ ଛତା ଧରି ବାପା ବାହାରେ ଯେ କୌଣସି କାମରେ ବ୍ୟସ୍ତ ଥିବେ।


      ମୁଁ ଆଶ୍ଚର୍ଯ୍ୟ ହୁଏ ଏପରି ମେହେନତି ମଣିଷ ସୃଷ୍ଟିରେ ଅଛନ୍ତି!!ବାପାଙ୍କ କର୍ମ,ଶ୍ରମ,ସମୟ ଜ୍ଞାନ ଦେଖି ଚକିତ ହୋଇଯାଏ ମୋ ମନ। ଏଇ ବର୍ଷ ବାପା ଚାକିରିରୁ ଅବସର ନେଇଛନ୍ତି। କେବେ ଦେହ ଖରାପ ହେଉ ନଥିବା ବାପା ଅତ୍ୟନ୍ତ ଅସୁସ୍ଥ ! ମୋତେ ଅବିଶ୍ୱାସ ମନେ ହେଲା । ତଥାପି ରାତି ତିନିଟାରେ କଣ ବା ଯାଇ ପାରିବି ରେଭେନ୍ସାରୁ ଏକା ଏକା। ମନଟି ଅସ୍ଥିର ହେଉଥାଏ। ଲାଗୁଥାଏ ଚଢେଇ ହୋଇ ଯାଆନ୍ତି କି ଉଡ଼ି ପହଞ୍ଚି ଯାଆନ୍ତି ଘରେ। ଦେଖନ୍ତି କେତେ ସତ କେତେ ମିଛ ମୋ ବାପାଙ୍କ ଦେହ ଖରାପ କଥା। ଏମିତି ଅସହାୟ କେବେ ଅନୁଭବ ହୋଇ ନଥିଲା ଜୀବନରେ। ରୁମ୍ ନମ୍ବର୍ ପାଞ୍ଚରେ ଖାଲି ପଦାଚାରଣ କରି ଅପେକ୍ଷା କଲି ଡିସେମ୍ବର ଚାରି ତାରିଖ ସକାଳକୁ। ସକାଳ ହେଉ ନଥାଏ। ଅପେକ୍ଷା ସମୟ ଏତେ ଲମ୍ବା ଲାଗନ୍ତି କାହିଁକି ? କାହିଁକି ଘଣ୍ଟା କଣ୍ଟା ଧୀରେ ଧୀରେ ବୁଲିଲା ପରି ଲାଗନ୍ତି।ଇଚ୍ଛା ହେଲା ଘଣ୍ଟା କଣ୍ଟାକୁ ଛଅ ଉପରେ ଥୋଇଦେବାକୁ। ମାତ୍ର ମୋ ଏମିତି କରିବା ଦ୍ୱାରା ସକାଳ ଯଦି ଆସି ଯାଆନ୍ତା ;ମୁଁ ତ ଫୋନ୍ ପାଇଲା ପରଠୁ କଣ୍ଟାକୁ ଛଅ ଉପରେ ଥୋଇ ଘରକୁ ଛୁ କରନ୍ତେ ଣି।ଓଃ ସକାଳ ହୁଅ,ପ୍ଲିଜ୍ ପ୍ଲିଜ୍। ସକାଳ କିନ୍ତୁ ମୋ ଆକୁଳ ଭାବକୁ ପଢି ପାରୁ ନଥିଲା। ସେ ତ ନିଘୋଡ଼ ନିଦରେ ଶୋଇଥିଲା କନ୍ଥା କମ୍ବଳ କି ଶୀତ ତାପ ନିୟନ୍ତ୍ରୀତ ଘରେ। ମୋ ବ୍ୟସ୍ତ ଉଦବିଗ୍ନ ଭାଵ ସେ ବା କାହ୍ନୁ ବୁଝାନ୍ତା !

      ଘଣ୍ଟାରେ ପାଞ୍ଚ ବାଜିଲା।ମୁଁ ରୁମ୍ କବାଟ ଖୋଲି କରିଡର ଆଡକୁ ଟିକେ ଚାହିଁଲି ? ହେଲେ ଏ କଣ? ସକାଳ ବହଳିଆ କୁହୁଡି ଚଦର ଘୋଡି ହୋଇ ଆସିଛି। ସୂର୍ଯ୍ୟ ପୂର୍ବକାଶରେ ମୁହଁ ଦେଖାଉ ନାହାନ୍ତି। କୁହୁଡି ବର୍ଷାରେ କରିଡର ସମ୍ପୂର୍ଣ୍ଣ ଓଦା ମେଘ ବର୍ଷାରେ ଓଦା ହେଲା ପରି। ଓଃ ଗଡ୍ ମୋ ପାଇଁ ଏ କଣ କରୁଛ !ମୁହଁକୁ ମୁହଁ ଦେଖା ଯାଉନାହିଁ। କେମିତି ବସ୍ ଷ୍ଟାଣ୍ଡ ଯାଏ ଯିବି। ପବନ ବି ଭସେଇ ଆଣୁଥାଏ କୁହୁଡି ଛିଟା। ଖାଲି ଧୂଆଁ ଧୂଆଁ ଦେଖାଯାଉଥାଏ ଚତୁର୍ଦ୍ଦିଗ। ବିବଶ ହୋଇ ପଡି ପୁଣି ଫୋନ୍ ଲଗାଇଲି ଘରକୁ।ସାଇ ଭିତର ଦାଦା ଫୋନ୍ ଧରି କହିଲେ ''ବାଉଆ"ଦୂର ସମ୍ପର୍କୀୟ ମୋ ଜଣେ ମାମୁଁ ପୁଅ ଛୋଟ ଭାଇ ମୋତେ ନେବାକୁ ଆସୁଛି।

  

    ମୁଁ ବ୍ୟାଗ୍ ପ୍ୟାକ୍ ନକରି ଗେଟ୍ ପାଖେ ଅପେକ୍ଷା କଲି।ଗୋଟିଏ ଚିନ୍ତା ବାପାଙ୍କୁ ଦେଖିବା।ବାପା ମୋ ପାଇଁ ରୋଲ୍ ମଡେଲ୍, ମୋ ଆଦର୍ଶର ହିରୋ,ମୋ ସ୍ବପ୍ନ ସହରର ଯାଦୁକର,ମୋ ହସଖୁସିର ନିଶ୍ଚିନ୍ତ ଠିକଣା।ବହୁତ... ବହୁତ... ଭଲ ପାଏ ମୁଁ ବାପାଙ୍କୁ।ଆମ ଜୀବନର ପ୍ରଥା, ପରମ୍ପରା,ସଂସ୍କୃତି,ଐତିହ୍ୟ ଓ ଶିଷ୍ଟାଚାର ସମସ୍ତ ଶିକ୍ଷା ମୋତେ ବାପା ହିଁ ଦେଇଛନ୍ତି।ବାପା ମୋ ଭିତରେ ଭରିଛନ୍ତି ଆଗକୁ ବଢିବାର ସାହାସ,ଶକ୍ତି ଓ ଧୈର୍ଯ୍ୟ।ବାପାଙ୍କ ବିନା ମୁଁ ଶୁନ୍ୟ,ଆକାଶ।


      କୁହୁଡି ମେଘକୁ ଚିରି ବାଉଆ ସାଢେ ପାଞ୍ଚରେ ଆମ ହଷ୍ଟେଲ୍ ଗେଟ୍ ପାଖେ ପହଁଚିଲା।ଦରଖାସ୍ତ ଲେଖି ଆଗରୁ ସାଙ୍ଗ ଶୁଭାଙ୍ଗିକୁ ଦେଇ ଆସିଥିଲି।ବାଉଆ ଆଷାଢ଼ ମାସ ବର୍ଷାରେ ଓଦା ହେଲା ପରି ହୋଇଥାଏ। ଝର ଝର ଖସି ପଡୁଥାଏ ତା ଦେହରୁ ପାଣି। ଦାନ୍ତକୁ ଦାନ୍ତ ବାଜୁଥାଏ। ମୁଁ ତାର ଏ ଅବସ୍ଥା ଦେଖି ହଷ୍ଟେଲ୍ କ୍ୟାଟିନ୍ ରୁ ତା ପାଇଁ କଫି କପେ ମଗେଇଲି।ସେ କହୁଥାଏ ତୁ ବଅ ତ କଫି ଥାଉ।"ଆରେ ତୋ ଗୋଡ଼ ହାତ ତ କୋଲାପସ୍ ହୋଇ ଗଲାଣି ;ବାଇକି କେମିତି ଚଳାଇବୁ।ଦେଖୁଛୁ ତ ଏ ଯେଇଁ କାଲୁଆ ପାଗ,ଶୀତ ଲହରି ପୁଣି ଏ କୁହୁଡି ବର୍ଷା!!ନେ ନେ ପି ଦେ।ଟିକେ ଉଷୁମ ହୋଇଯାଉ ତୋ ଦେହ" ମୁଁ କହିଲି।


      ସେ ବାଧ୍ୟ ହୋଇ କଫି ପିଉଥିବା ବେଳେ ମୁଁ ପଚାରିଲି," ବାପାଙ୍କ ଦେହ କଣ ହୋଇଛି? ସେ ମେଡିକାଲ୍ ଆସିଛନ୍ତି କି??" ତୁ ଗଲେ ଦେଖିବୁ ନାହିଁ।ସେତେ ଖରାପ ନୁହେଁ।ଚାଲ ଯିବା ବାଉଆ କହିଲା।


      ବାଉଆ କହିଲା ବେଳେ ଟିକେ ଥଙ୍ଗ ମଙ୍ଗ ହେଉଥିଲା।ସବୁଦିନ ପରି ତା ହସିଲା ମୁହଁରେ ହସ ନଥିଲା।ମୁଁ କାଳ ବିଳମ୍ବ ନ କରି ତା ପଛରେ ବସି ଗାଁ ଅଭିମୁଖେ ଯାତ୍ରା କଲି।କୁହୁଡି କାଟି ରାସ୍ତାରେ ଯିବା ଭାରି କସ୍ତ ହେଉଥାଏ।ରାସ୍ତାରେ ଗାଡି ମଟର ଶବ୍ଦ ବ୍ୟତୀତ କିଛି ଦିଶୁ ନଥାଏ। କେବଳ ଦୂରରୁ ପିଲାବେଳେ ମଶାଣୀରେ ଡାହାଣୀ ଆଲୁଅ ଜଳିଲା ପରି ଦୂରରୁ ସେଇ ଭ୍ରମ ସୃଷ୍ଟି କରୁଥାଏ। ମୁଁ ଚୁପ୍ ଚାପ୍ ବସିଥାଏ। କନ୍ଦଳପୁରେ ବାଉଆ କହିଲା କିଛି ଜଳଖିଆ ଖାଇ ନେବା। ମୁଁ କହିଲି ନା ଆଗ ବାପାଙ୍କୁ ଦେଖିବା।ହଷ୍ଟେଲ୍ ଠାରୁ ଆମ ଘର ନବେ କିଲୋ ମିଟର ଦୂର।


      ସୂର୍ଯ୍ୟ ଆସୁ ନଥାନ୍ତି।ବଉଦ ଜବରଦସ୍ତ ମାଡି ବସି ଲୁଚାଇ ଦେଇଥାଏ ବୋଧେ ସୂର୍ଯ୍ୟଙ୍କୁ।ଆମେ ସାଢେ ବାରଟା ବେଳକୁ ଆମ ଗାଁ ମୁଣ୍ଡ ଆରମ୍ଭ ଛକରେ ପହଞ୍ଚିଲୁ।ଟିକେ ଝାପ୍ସା ଫର୍ଚ୍ଚା ଦେଖା ଯାଉଥାଏ।ମୁଁ ଉଣ୍ଡୁଥାଏ କାହା ମୁହଁ ଟିକେ ଦେଖିଲେ ପଚାରିବି ମୋ ବାପାଙ୍କ କଥା।କେହି ଦେଖା ଯାଉ ନଥାନ୍ତି।ଆମ ଗାଁ ଟି ବହୁତ ବଡ଼ ଗାଁ।ଗାଁ ର ଶେଷ କୁ ଅଳ୍ପ ଘର ଥାଇ ଆମ ଘର।ମନ ଉଚ୍ଚାଟ କଣ ହୋଇଛି ବାପାଙ୍କର ଦେଖିବାକୁ। ଯଦି ସେମିତି କିଛି ଜଟିଳ ପରିସ୍ଥିତି ହୋଇଥିବ ତେବେ କଟକ ବଡ଼ ମେଡିକାଲ୍ ମାମୁଁଙ୍କୁ କହି ନେଇ ଆସିବି ବୋଲି ମନସ୍ଥ କରିଥାଏ।ଆମ ଘର ମେନ୍ ରୋଡ୍ ଠାରୁ ଟିକେ ଭିତରକୁ।ପାଖାପାଖି ଗୋଟାଏ ବେଳକୁ ମୁଁ ଆମ ଘର ପାଖ ହୋଇଗଲି। ଦାଣ୍ଡରେ ପରଭା ଦାଦା,ବାବୁଲି ଭାଇ,ଜଗୁଆ ଜେଜେ,ନରି ମାମୁଁ,ନିକୁଞ୍ଜ ଭାଇ ଆଦି ଅନେକ ଲୋକ ଜଳଖିଆ କରୁଥାନ୍ତି।


      ମୁଁ ଆବାକାବା ହୋଇ ସମସ୍ତଙ୍କ ମୁହଁକୁ ଅନାଇଁଲି।ଖୋଜିଲି ବାପାଙ୍କୁ।ଆରେ ତମେ ଏଠି କାହିଁକି ଖାଉଛ?ମୋ ବାପା କାହାନ୍ତି? ବୋଉ ଏ ବୋଉ ;ବାପାଙ୍କ କଣ ହୋଇଛି। ମହାବାତ୍ୟାରେ ଛୁଆଟିଏ ହୋଇଥିଲି ଗାଁ ର ସବୁ ଲୋକ ଏମିତି ଆମ ଘରେ ଆସି ଖାଉଥିଲେ।ଏ ଶୀତ ଲହରୀ ଓ କୁହୁଡି ପାଇଁ ବାପା ଗାଁ ଲୋକଙ୍କୁ ଖୁଆଉଛନ୍ତି କି ? ଘର ଭିତରକୁ ପଶି ଗଲି ।ମୋ ବୋଉ ମୋତେ ଦେଖି 'ଖୁସି' କହି ମାଡି ବଡ଼ିଲା। ଅନିନ୍ଦ୍ୟ ସୁନ୍ଦରୀ ମୋ ବୋଉ ମୁଣ୍ଡ ଖୋଲା ,ଧଳା ଲୁଗା,ଖାଲି ମଥା,ଲଂଗଳା ହାତ ମୋତେ ଶୀତ ସକାଳର କୁହୁଡି ଭର୍ତ୍ତୀ ଅସରା ରାସ୍ତାଟିଏ ପରି ମନେ ହେଉଥିଲା। ମୁଁ ବୋଉ କହି ତଳେ କଚାଡି ପଡିଲି।


    ମାତ୍ର ଅଣଷଠି ବର୍ଷରେ ମୋ ବାପା ମୋତେ ଓ ମୋ ବୋଉକୁ ଛାଡି ହୃଦଘାତରେ ଡିସେମ୍ବର ତିନି ତାରିଖ ରାତି ଦୁଇଟାରେ ଆକାଶର ତାରା ହୋଇ ଯାଇଛନ୍ତି। ପାଠରେ ଡୋରି ବାନ୍ଧି ସିଟି ଟ୍ରେନିଂ ନେଇ ମୁଁ ଅପରପ୍ରାଇମେରୀ ସ୍କୁଲ ଟିଚର ଟିଏ ହୋଇଛି। ବୋଉ ଏବେ ମୋ ସହ ରହୁଛି।ଯେବେ ଶୀତ ସକାଳ କୁହୁଡି ବର୍ଷା ହୁଏ,ଶୀତ ଲହରୀ କବ୍ଜା କରେ ପୃଥିବୀ ଓ ମଣିଷଙ୍କୁ ମୋ ବାପା ବହୁତ ମନେ ପଡନ୍ତି। ମୋତେ କବ୍ଜା କରେ ବାପାଙ୍କ ମୁହଁ,ହସ,ଗେହ୍ଲା ଓ ପ୍ରୋତ୍ସାହନ କଥା। ସତରେ କେତେ ଅନ୍ ଲକି ମୁଁ ବାପାଙ୍କୁ ଦେଖି ପାରିଲି ନାହିଁ ଶେଷ ସମୟରେ। ଏ ଦୁଃଖ ମୋ ସହ ମଶାଣୀ ଯିବା ଯାଏ ଥିବ ।


Rate this content
Log in

More oriya story from Satyabati Swain

Similar oriya story from Tragedy