STORYMIRROR

Ruksar Begum

Abstract

2  

Ruksar Begum

Abstract

କବିତ୍ୱ

କବିତ୍ୱ

2 mins
521

କବିତାଟିଏ ଲେଖିବା ପାଇଁ ଭାବ ଓ ଶବ୍ଦର ସମନ୍ୱୟ ଲୋଡ଼ା।କବି ଜଣକ ଭାବୁକ ହୋଇ ବସିଥାନ୍ତି ସମୁଦ୍ର ତଟରେ। ବିଷୟ ବସ୍ତୁ ସ୍ଥିର ହୋଇଯାଇଥାଏ।ଏକ ଆଦର୍ଶ ନାରୀ ଉପରେ ଆଧାରିତ ଆଜିର ଶୀର୍ଷ।ଅପେକ୍ଷା ଥାଏ ତ କେବଳ ଶବ୍ଦର। ପ୍ରକୃତି ମଧ୍ୟରେ ହଜି ସେ ଉଦ୍ଧାର କଲେ କେତୋଟି ଉପମାନ ନିଜ ଆଦର୍ଶ ନାରୀ ଚରିତ୍ର ଲାଗି।

ଶେଷରେ ଅନେକ ଉପମାନ ଓ ଉପମେୟର ସମାହାର ବର୍ଷିବାକୁ ଲାଗିଲା ତାଙ୍କ କଲମ ମୁନରୁ।

ଯେପରି-

 ସୂର୍ଯ୍ୟ ପରି ତେଜସ୍ଵୀ ସିଏ

ମୁଖ ଯେପରି ଜହ୍ନ ଟିଏ

ମେଘ ପରି କେଶ ତା ଘନ

ନୟନ ତା ହ୍ରଦ ସମାନ....

କୋକିଳ ପରି କଣ୍ଠ ଯାର

ହୃଦୟ.......

ପରିଶେଷରେ କବି ହୃଦୟଠାରେ ଅଟକି ଗଲେ।ହୃଦୟ ଲାଗି ଶ୍ରେଷ୍ଠ ଉପମାନ ଖୋଜିବାକୁ ଲାଗିଲେ। ନାରୀ ମଧ୍ୟେ ଜନନୀ ହୃଦୟ ସଂସାରରେ ଶ୍ରେଷ୍ଠ। ଜନନୀ ହୃଦୟ ସହ ତୁଳନୀୟ ପୁଣି ଭୌତିକ ଜଗତରେ କଣ ବା ହୋଇ ପାରିବ? ଏହି ପ୍ରଶ୍ନ କିଛି ସମୟ ଲାଗି ବିରତି ଦେଲା କବିଙ୍କ କଲମକୁ। କାଳ୍ପନିକ ସ୍ତରରେ ସେ ସାରା ସଂସାର ଭ୍ରମଣ କରି ଆସିଲେ। ହେଲେ ଶ୍ରେଷ୍ଠ ହୃଦୟ ଲାଗି ଶ୍ରେଷ୍ଠ ଉପମାନର ଠିକଣା ମିଳିଲା ନାହିଁ। କୋଣାର୍କରେ ଧରମାର ଅନ୍ତିମ ସ୍ପର୍ଶ ଯେପରି ଲୋଡ଼ା ଥାଏ।କବି ଜଣକ ଶବ୍ଦାଭାବେ କାଙ୍ଗାଳ ପରି ଅନୁଭବ କରୁଥାନ୍ତି। ନିଜ ବେଲଗାମ ମିଜାଜ ସମୀପେ ଆତ୍ମସମର୍ପଣ କରି ସେ କଲମଟିକୁ ଫିଙ୍ଗିଦେଲେ ସମୁଦ୍ର ଗର୍ଭକୁ।"ହାୟ ରେ ବ୍ୟାକୁଳ କଲମ! ଧରମା ମୁଣ୍ଡିଟିକୁ ଆକାର ଦେବା ପଶ୍ଚାତ ମୋ ଗର୍ଭେ ଲମ୍ଫ ଦେଇଥିଲା ହେଲେ ତୁ ତ କର୍ମହୀନ ଆସିଗଲୁ।"ଏତିକି କହି ସାଗର କଲମଟିକୁ ପୁନଶ୍ଚ ତଟବର୍ତୀ କବିଙ୍କ ସମୀପେ ଘେନି ଆଣିଲା।

କବି ସାଗର ସହ କଲମଟିକୁ ଦେଖି ରହିଗଲେ।ଏବଂ କଲମଟିକୁ ଉଠେଇ ଆଣି ନିଜ ଚତୁଃପାର୍ଶ୍ବରେ ଥିବା ଗଛ ଲତା ସମୁଦ୍ରକୁ ନିରେଖି ହସିବାକୁ ଲାଗିଲେ।ଏବଂ ପୁନଶ୍ଚ କର୍ମ କ୍ଷେତ୍ରକୁ ଫେରି ଆସି ସମାପ୍ତ କଲେ କବିତାଟିକୁ।ସତରେ କବିତ୍ୱ କେବେ ହାର ମାନେନି। ବ୍ରହ୍ମାଣ୍ଡ ଆଜନ୍ମ ଭାବଯୋଗ୍ୟ, କେବଳ ଅପ୍ରତ୍ୟକ୍ଷ ଦୃଷ୍ଟି ପ୍ରୟୋଜନ,ଭାବୁକର ପ୍ରୟୋଜନ।ସ୍ୱୟଂ ବ୍ରହ୍ମାଣ୍ଡ ମଧ୍ୟ ଚାହେଁ ଅମର ହେବାକୁ କବି ସୃଜନ ମଧ୍ୟେ।ଏହା ସହିତ କବିଙ୍କୁ ମିଳିଗଲା ଶ୍ରେଷ୍ଠ ଉପମାନ ନାରୀ ହୃଦୟ ଲାଗି।ହଁ... ନମ୍ର,କୋମଳ,ତ୍ୟାଗୀ,ନିଃସ୍ୱାର୍ଥପର...ଏତେ ସାରା ଜନନୀ ହୃଦୟ ଚରିତ୍ର ସବୁ ଏକତ୍ର ପୃଥିବୀ ମଧ୍ୟେ। ନିଜ ଗର୍ଭରେ ଅଗ୍ନି ତପ୍ତ ସହି ମଧ୍ୟ ଶୀତ ପ୍ରଦାନ କରେ। ବୀଜ ଦେଲେ ବୃକ୍ଷ ପ୍ରଦାନ କରେ,କିଛି ରଖେନି ନିଜ ପାଖରେ।ଦେଖୁନ କଲମଟିକୁ ମଧ୍ୟ ଫେରାଇଦେଲା କିପରି! କେତେ ସାରା ଭାବନା ଆସିଯାଇଥାଏ ଏବେ।ହେଲେ କବି ନିଜ ଶେଷ ପଦ ସହ ନିଜ ଭାବ ମୁଖରେ ଲଗାମ ଲଗାଇବାକୁ ଶ୍ରେୟସ୍କର ମନେକଲେ।ଓ ଶେଷ ପଦ ସହ ସମାପ୍ତ ହେଲା କବିତାଟି।

ହୃଦୟ ନାମ ମହୀ ସାର.....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract