STORYMIRROR

Ruksar Begum

Abstract Fantasy

2  

Ruksar Begum

Abstract Fantasy

ଅପେକ୍ଷାର ନାମ ରାତ୍ରି

ଅପେକ୍ଷାର ନାମ ରାତ୍ରି

2 mins
467

ଅନ୍ଧାର ରାତ୍ରି...ଘଞ୍ଚ ଅରଣ୍ୟ ମଧ୍ୟେ ହଜି ଯାଇଥାଏ ମୋ ବାଟ। ଦିଗ ହରା ହୋଇ ବସିଥାଏ ମୁଁ ଏକ ବୃକ୍ଷ ତଳେ। ଭାବିଲି ଆକାଶକୁ ଚାହିଁଲେ କାଳେ ପାଇଯିବି ଧ୍ରୁବ ତାରାର ସ୍ଥିତି। ଏବଂ ପାଇଯିବି ଏକ ଦିଗ।ଆଉ ତାପରେ ଆନୁମାନିକ ରୂପେ ପାଇପାରିବି ଅନ୍ୟ ଦିଗଗୁଡିକୁ ମଧ୍ୟ। ହେଲେ ପ୍ରକୃତିର ଜିଦ ଆଗରେ ମୋ ପ୍ରୟାସ ବା କି ଫଳ ଦିଅନ୍ତା। ରଚିଲା ଏକ ଷଡଯନ୍ତ୍ର,ବିସ୍ତାରି ଦେଲା ଖଦ୍ୟୋତମାନଙ୍କୁ ସାରା ଆକାଶରେ।ଏହା ସହିତ ପଡ଼ିଗଲି ମୁଁ ଏକ ଭ୍ରମରେ । ଅସହାୟ ହୋଇ ପୁନଶ୍ଚ ବସିଗଲି ନିଜ ଭାଗ୍ୟକୁ ଦୋଷ ଦେଇ। ହେଲେ ହୃଦୟ ପାଞ୍ଚିନେଲା ସୌନ୍ଦଯ୍ୟ ସେ ଭ୍ରମ ମଧ୍ୟେ। ସଙ୍କଟର କାରଣ ହେବା ଲାଗି ଆସିଥିବା ଖଦ୍ୟୋତମାନେ ଅଜ୍ଞାନବଶତଃ ସାଜିଲେ ମୋ ନୂତନ ଆଶାର କାରଣ। ତାଙ୍କ ଉପସ୍ଥିତିରେ ଆକାଶ ଯେତେ ସୁନ୍ଦର ଦେଖାଯାଉଥାଏ ଅରଣ୍ୟଟି ସେତିକି ଭୟାବହ। ଆକାଶକୁ ଯେବେ ଚାହୁଁଥାଏ ଖଦ୍ୟୋତମାନଙ୍କ ଛୋଟ ଛୋଟ ଆଲୁଅରେ ମନରେ ଆତ୍ମବିଶ୍ୱାସର ଦୀପ ଜଳିଯାଉଥାଏ।


ପୁଣି ଯେବେ ନୟନ ନିଜ ଚତୁଃପାଶ୍ୱରେ ପଡିଯାଉଥାଏ ତ ଭୟ ଆକ୍ରମଣ କରିଦେଉଥାଏ ମୋ ମନକୁ ଓ ଭୁଲି ଯାଉଥାଏ ଆକାଶର ସୌନ୍ଦଯ୍ୟକୁ। ଆପ୍ରାଣ ପ୍ରୟାସ କରୁଥାଏ ଯେମିତି କେହି ମୋତେ ପରାସ୍ତ କରିବା ପାଇଁ। ସତେବା ଯେପରି ଦୈଵ ଓ ଅଦୈଵ "ମୁଁ" ମଧ୍ୟେ ସଂଘର୍ଷ ଚାଲିଥାଏ। ଧୀରେ ଧୀରେ ଫିକା ପଡିଗଲା ସେ ଅନ୍ଧାରର ଭୟ । ଅନେକ ଭୟ ଓ ଆଶଙ୍କା ଘେରରେ ଥିବା ସେ ରାତ୍ରିର ନାମ ମୁଁ "ଅପେକ୍ଷା" ଦେଇଦେଲି। ଏଥର ମନରେ ଏକ ଆଶ୍ୱାସନା ଆସିଲା ଏହା ଭାବି ଯେ, ଅପେକ୍ଷାର ଅନ୍ତ ଅନିର୍ବାର୍ଯ୍ୟ ଅଟେ ଏବଂ ଏହା ସହିତ ମୁଁ ଶେଷଥର ଲାଗି ହଜିଗଲି ସେ ବର୍ତ୍ତମାନରେ ଥିବା ଆକାଶର ସୌନ୍ଦଯ୍ୟ ମଧ୍ୟରେ। ଆତ୍ମବିଶ୍ୱାସ ସହ ଖେଳୁଥିବା ସେ ଅନେକ ଉଦାହରଣ ମାନଙ୍କ ଗହଣରେ ବିତି ଗଲା ମୋ ଅପେକ୍ଷାର ସେହି କଠିନ ସମୟ। ପ୍ରକୃତିର ଷଡ଼ଯନ୍ତ୍ର ସାଜିଲା ମୋ ପ୍ରେରଣାର ଉତ୍ସ। ଫଳ ଦେଲା ମୋ ଧୈର୍ଯ୍ୟ । ହାର ମାନିଲା ଅନ୍ଧାର।ଉଦୟ ହେଲା ଏକ ନୂତନ ସୂର୍ଯ୍ୟ।ଅନ୍ୟ ଦିନ ଅପେକ୍ଷା ଏ ସୂର୍ଯ୍ୟଟିର ଆଲୁଅ ଭାରି ମନଲୋଭା ଲାଗୁଥାଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract