କାଉ
କାଉ
କାଉକୁ ସଭିଏଁ ଏକ କ୍ରୁର ଅସ୍ପୃଶ୍ୟ ପକ୍ଷୀ ଭାବେ ଲୋକେ ଭାବିଥାନ୍ତି।ହେଲେ ସେ ନିଜ ଅଜାଣତରେ ଏକ ଭଲ କାମ ବି କରିଥାଏ।ଦେଖିବାକୁ ମିଳେ କାଉ ବସାରେ କୋଇଲି ଆସି ଅଣ୍ଡା ଦେଇ ଚାଲିଯାଏ। କୋଇଲି ବସା କରି ନ ଥାଏ ବୋଲି କାଉ ବସାରେ ଅଣ୍ଡା ଦିଏ|ଚତୁର ବୋଲାଉ ଥିବା କାଉ ଏତିକିବି ଜାଣି ପାରେନି ସେ ଅଧିକ ଅଣ୍ଡାକୁ ଉଷୁମାଉଛି।ବା ଏମିତି ହୋଇଥାଇପାରେ ସେ ଜାଣି ଜାଣି ଅନ୍ୟର ଅଣ୍ଡାକୁ ନଷ୍ଟ ନକରି ଦୟା ପରବଶହୋଇ ଉଷୁମାଇ ଦିଏ।
ଅଣ୍ଡାରୁ ଶାବକ ଫୁଟି ବାହାରେ।କଳାରଙ୍ଗ ହେତୁ
ସେ ଜାଣି ପାରେନା ସେ ତାର ନିଜ ଶାବକ ନୁହେଁ ବୋଲି। ମାଆଁ ର ମମତା ନେଇ ସେ ଚଞ୍ଚୁରେ ଆହାର ଖୋଜିଆଣି ସବୁ ଶାବକଙ୍କୁ ଖୁଆଏ ପିଆଏ।ଦିନ ସାରା ଆହାର ଖୋଜିବା ଓ ଆଣି ଖୁଆଇବାରେ ତାର ସମୟ ସରିଯାଏ ହେଲେ ମନରେ ତାର ସନ୍ତୋଷ ଥାଏ ସେ ନିଜ ସନ୍ତାନକୁ ପାଳୁଛି ବୋଲି।
ଧିରେ ଧିରେ ଶାବକ ବଡ ହୁଅନ୍ତି।ଯେତେବେଳେ ପିଲାମାନେ ନିଜ ସ୍ବର ତୋଳନ୍ତି।କୋଇଲି ଛୁଆ କାଆ କାଆ ବଦଳରେ କୁହୁକୁହୁ କରି ମଧୁର ତାନ ମେଲିଦିଏ।ସେତେବେଳେ କାଉ ଜାଣିପାରେ ଏ ତାର ସନ୍ତାନ ନୁହେଁ। ସେତେବେଳେ ସେ ତାକୁ କାମୁଡିବାକୁ ଗୋଡାଏ।ଦୂରକୁ ଘଉଡାଇ ଦିଏ।ଏମିତି ଦୃଶ୍ୟ ମିନତି ବହୁତ ଥର ଦେଖିଛି ଗାଆଁରେ।କାଉ କୋଇଲିକୁ ଦଉଡାଉ ଥିବ।ଆଉ କୋଇଲି କେକ୍ କେକ୍ କରି ଭୟରେ ଜୀବନ ବଞ୍ଚାଇ ପଳାଉଥିବ।
ଜଣେ ମାଆ କଣ ଏମିତି ନିଜ ପାଳିତ ସନ୍ତାନକୁ ଘଉଡାଇ ପାରେ?
ଆଜି ଏ ପ୍ରଶ୍ନ ମିନତୀ ମନରେ ଘାରୁଥିଲା।
ତାରି ଜୀବନରେ ବି ତ ଏମିତି ଘଟଣା ଟିଏ ଘଟି ଯାଇଥିଲା।ଆଜି ବାଇଶବର୍ଷ ପରେ ସେ ଜାଣି ପାରିଥିଲା ତା ସନ୍ତାନ ବଦଳି ଯାଇଛି।ତା ନିଜ ଶାଶୁ ବୋହୁର କନ୍ୟା ସନ୍ତାନ ଜନ୍ମହେବା ଦେଖି ଚାକରାଣୀର ଜନ୍ମିତ ପୁତ୍ରସନ୍ତାନକୁ ତା କୋଳରେ ଆଣି ଥୋଇ ଦେଇଥିଲେ।ଆଉ ତା ଝିଅକୁ ଚାକରାଣୀ କୁ ପାଳିବାକୁ ଦେଇଥିଲେ।ଯାହାକୁ ନିଜ ରକ୍ତ କହି ପାଳୁଥିଲା |ସେ ସଞ୍ଜୟ ବଡ ହେବାପରେ ମଦୁଆ ଅଭଦ୍ର ହେବାକୁ ଲାଗିଲା।ଯେତେ ଭଲ ଭଦ୍ର ବ୍ୟବହାର ଶିଖେଇଲେ ବି ଶିଖୁ ନ ଥିଲା।ଅଥଚ ଚାକରାଣୀ ମିଲିର ଝିଅ ଝୁନୁ ବହୁତ ଭଦ୍ର ଥିଲା।ବଡ ମେଧାବୀ ଥିଲା ।ତା ପାଖରେ ଭଲ ଖାଇବା ଖାଦ୍ୟ ନଥିଲା।ଭଲ ପୋଷାକ ନଥିଲା।ବହିପତ୍ର ନଥିଲା ପଢିବାକୁ ତଥାପି ସେ କ୍ଲାସରେ ପ୍ରଥମ ହେଉଥିଲା।ମିନତୀର ଏକ ଆକ୍ସିଡେଣ୍ଟ ହେଇଗଲା।ବହୁତ ରକ୍ତ ବହି ଯାଇଥିଲା।ଡାକ୍ତର କହିଲେ ରକ୍ତ ଦରକାର ପଡିବ ବୋଲି।ଏଖବର ଶୁଣି ସଞ୍ଜୟ ସହିତ ଝୁନୁ ବି ଆସିଥିଲା।ଉଭୟେ ରକ୍ତଦେବାକୁ ପରୀକ୍ଷା କଲେ।ସେତେବେଳେ ଜଣା ପଡିଲା ସଞ୍ଜୟର ରକ୍ତ ଗୃପ ଅଲଗା ଥିଲା କିନ୍ତୁ ଝୁନୁର ରକ୍ତ ମିଶିଗଲା।ସଞ୍ଜୟର ରକ୍ତ ତା ବାପା ମାଆଙ୍କ ଠାରୁ ଅଲଗା ଥିଲା।ସେକଥା ମିନତୀର ମନରେ ଆସଙ୍କା ସୃଷ୍ଟି କଲା।
ସେ ଏକଥାର ମୂଳକୁ ଯିବା ପାଇଁ ଲାଗି ପଡିଲା।ଦିନେ ଚାକରାଣୀ ସହ ତା ଶାଶୁ କଥା ହେଉଥିବା ବେଳେ ଶୁଣିବାକୁ ପାଇଲା ,ଶାଶୁ କହୁଥିଲେ,ମିଲି ତୋ ଝିଅ ମୋ ବୋହୁକୁ ରକ୍ତଦେଇ ବଞ୍ଚାଇଲା ସେଥିପାଇ ତୋ ପାଖରେ ମୁଁ ଖୁସୀ।ମୁଁ ଜାଣିଥିଲି ଝୁନୁର ରକ୍ତ ନିଶ୍ଚୟ ମିଶିବ କାରଣ ସେ ମିନତୀର ଜନ୍ମିତ ସନ୍ତାନ।ସେଥିପାଇଁ ତାକୁ ସଞ୍ଜୟ ସାଥୀରେ ରକ୍ତ ଦେବାକୁ ପଠାଇଥିଲି।ଏବେ ସେ ଜାଣି ସାରିଥିଲା ସଞ୍ଜୟ ତାର ଜନ୍ମକଲା ସନ୍ତାନ ନୁହେଁ।ତେବେ କଣ ସେ କାଉ ପରି କୋଇଲି ସନ୍ତାନକୁ ଭଗାଇଦେବ।ଯଶୋଦା ବିତ ଅଜାଣତରେ କୃଷ୍ଣଙ୍କୁ ନିଜ ସନ୍ତାନଭାବି ମାଆର ମମତା ଅଜାଡି ଦେଇଥିଲେ।ପରେ ଜାଣିଲା ପରେ ବି କଣ ହୃଦୟ ଭିତରୁ ବାହାର କରି ପାରିଲେ ତାଙ୍କୁ |
ସେ ଏବେ ନିଜ ଝିଅକୁ ଆଉ ଦାରିଦ୍ରତା ଭିତରେ ଘାଣ୍ଟିହେବାକୁ ଛାଡିବ ନାହିଁ।ସେ ନିଜ ସ୍ବାମୀକୁ କହିଲା ସେ ଝୁନୁକୁ ପୋଷ୍ୟପୁତ୍ରୀ କରିବାକୁ ଚାହୁଁଛି।ସେ ତାକୁ ରକ୍ତ ଦେଇ ଜୀବନ ବଞ୍ଚାଇଛି ତେଣୁ ତାକୁ ନିଜର କରିବାକୁ ଚାହେଁ।
ତା ସ୍ବାମୀ ଶ୍ୟାମଳେନ୍ଦୁ ବି ରାଜି ହୋଇଗଲେ ତା କଥାରେ କାରଣ ସେ ବି ଝୁନୁପ୍ରତି ସ୍ନେହ ଆକର୍ଷଣରେ ଆକୃଷ୍ଟ ଥିଲେ।ତାର ବ୍ୟବହାର ଚରିତ୍ର ତାଙ୍କୁ ଆକୃଷ୍ଟ କରୁଥିଲା।ତା ଶାଶୁବି ଏକଥାରେ ରାଜି ହୋଇଗଲେ କାରଣ ସେ ଜାଣିଥିଲେ ସେ ତାଙ୍କ ପରିବାରର ରକ୍ତ ବୋଲି।ସଞ୍ଜୟ ପ୍ରଥମେ ଅରାଜି ହେଉଥିଲା।ହେଲେ ପରେ ମିନତୀର ବୁଝେଇବାରେ ବୁଝିଗଲା।ଯଦିଓ ସେ ଜଣେ ମଦୁଆ ଟ୍ରକ ଡ୍ରାଇଭର ର ସନ୍ତାନ ଥିଲା।ହେଲେ ମିନତୀକୁ ସମ୍ମାନ କରୁଥିଲା।ନିଜ ମାଆ ଭାବୁଥିଲା।ଏବେ ସଭିଏଁ ଏକାଠି ମିଶିକି ରହିଲେ।ଝୁନୁ ତାର ଡାକ୍ତରି ପାଠ ଶେଷକରି ଡାକ୍ତର ହେଲା।ଆଉ ସଂଜୟ ପୋଲିସଇନ୍ସପେକ୍ଟର ହେଲା | ଝୁନୁର ପ୍ରେରଣାରେ ସଞ୍ଜୟ ଭଲ ହୋଇ ଯାଇଥିଲା ପୁରୁଣା କୁ ଅଭ୍ୟାସ ସବୁ ଛାଡି ଦେଇଥିଲା ।ଝୁନୁ ଓ ସଂଜୟ ଭିତରେ ଏବେ ଭାଇ ଭଉଣୀର ମଧୁର ବନ୍ଧନ ନିବିଡ ହୋଇ ଯାଇଥିଲା।
ପରସ୍ପରକୁ ବହୁତ ଭଲ ପାଉଥିଲେ।ଝୁନୁର ବିବାହ ବେଳେ ସଂଜୟ ଭାଇ ହେବାର ସବୁ କର୍ତ୍ତବ୍ୟ ନିଭେଇଲା ।ଆଉ ସଂଜୟ ପାଇଁ ଝୁନୁ ତାର ଅନ୍ତରଙ୍ଗ ବାନ୍ଧବୀ ସ୍ମିତାକୁ ବାଛିଥିଲା ଭାଉଜ ରୂପରେ |ଯିଏ ଜଣେ ଭଲ ଗୁଣର ଝିଅ ଥିଲା।ମିଲି ବି ଏବେ ପରିବାରର ସଦସ୍ୟ ପରି ତାଙ୍କ ଘରେ ରହୁଥିଲା।ମିନତୀ ସବୁ ରହସ୍ୟ ଜାଣି ବି କାଉ ପରି କଥାକୁ ନ ଉଘାରି ହୃଦୟ ଭିତରେ ଦବାଇ ରଖିଲା।ଏକଥା ପ୍ରଘଟ ହୋଇଥିଲେ ସଂଜୟ ମନରେ କଷ୍ଟ ହୋଇଥାନ୍ତା।ଏଥିରେ ତାର ବା କଣ ଦୋଷ?ସବୁ ଦୋଷ ତ ତା ଶାଶୁଙ୍କ ଥିଲା।ସେ ଅନେକଙ୍କୁ ଦୁଃଖି କରିବା ଚାହୁଁ ନ ଥିଲା ବୋଲି ନୀରବ ରହିବାକୁ ଶ୍ରେଷ୍ଠ ଭାବିଲା।ଏମିତି ବୁଝାମଣା ପାଇଁ ତା ଘର ଏବେ ସୁଖରେ ରହିଛି।କାଉ ସନ୍ତାନ ବି ତାର ନିଜର ହୋଇ ଯାଇଛି।
