Mr.GAGAN BIHARI NAYAK

Abstract

2  

Mr.GAGAN BIHARI NAYAK

Abstract

କ୍ଵାଟର

କ୍ଵାଟର

6 mins
292


           ଅପରାହ୍ନର ସୁରୁଜ ଲାଳିମାରେ, ହତାଶ ଗୋଧୂଳୀର ଛାଇ । ଅସ୍ପଷ୍ଟ ଦେଖା ଯାଉଥିଲା କଳ୍ପନାର ମୁହଁ । ସେ ନିରୁତ୍ସାହ ହୋଇ ନୂଆ କରି ଘରଟିଏ ନେଇ ସହରର ଅପନ୍ତରିଆ ଜନ ବସତିରେ ତିନୋଟି ପିଲାଙ୍କୁ ନେଇ ରହୁଛି । ସ୍ଵାମୀ କୌଣସି ସରକାରୀ ଅଫିସିରେ କାମ କରେ । ହେଲେ ତାକୁ ଘରଟିଏ ଦେବାରେ ତା ଅଫିସର ବିମୁଖ । ତା ଠାରୁ ସାତ ପଛ କର୍ମଚାରୀଙ୍କୁ କ୍ଵାଟର ମିଳୁଥିଲେ ହେଁ ତାକୁ କାହିଁକି ମିଳୁ ନଥିଲା ଏ କଥା ପ୍ରଶ୍ନର ପାହାଡ ହେଇ ଠିଆ ହେଇଥିଲା କଳ୍ପନାର ସୀମିତ ମୁଣ୍ଡ ଭିତରେ । ସେ ଅନେକ କଥା ଭାବେ, ଭାବେ ସ୍ଵାମୀ ସୁଧୀର ସ୍ଵଭାବ କଥା । କାହିଁ, ସୁଧୀର ବ୍ୟବହାର ଅନ୍ୟମାନଙ୍କ ପାଇଁ କିଛି ଖରାପ ତ ନାହିଁ । ମୁହଁ ପୋତି ଅଫିସି ଯାନ୍ତି ଫେରନ୍ତି ସଞ୍ଜବେଳେ । ସେ ବାହା ହେଇ ତିନିଟା ପିଲା ଜନ୍ମ କଲା ପରେ ବି କାହା ସ୍ତ୍ରୀକୁ ମୁହଁ ଟେକି ଚାହିଁବା ଦେଖି ନାହାନ୍ତି, କଳ୍ପନା । ସେ ସବୁବେଳେ ଖୁସିରେ ବୁଝି ଆସିଛନ୍ତି ସୁଧୀରର ସମସ୍ତ କଥା । ହେଲେ ତାଙ୍କୁ ତାଙ୍କ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଘରଟିଏ ଦେବାରେ ଅସୁବିଧା କାହିଁକି ଅନୁଭବ କରନ୍ତି । ବିତିଯାଏ ସମୟ, ସ୍ଵାମୀଙ୍କ ଚରିତ୍ର ଉପରେ ସନ୍ଦେହ ନ ଥିଲେ ବି ତାଙ୍କ ଅଫିସିର କ୍ୟାମ୍ପସ ଭିତରେ ତାଙ୍କୁ ଘର ନ ଦେବା ସନ୍ଦେହ ସୃଷ୍ଟିକରେ କଳ୍ପନାର ମନ ଭିତରେ, କହିପାରେନା, କିନ୍ତୁ ଦିନେ ସରାଗରେ ସ୍ଵାମୀ ସୁଧୀର ପାଖରେ ବସି, ପଚାରିଲା । ତୁମକୁ କ୍ଵାଟର ଦେବାରେ ତୁମ ଅଫିସରର ଅସୁବିଧା କଣ । 

ସୁଧିର, ଟିକେ ହସି ଦେଇ କହିଲା- କାଇଁ, ଏ ଘର ଠାରୁ ସେ ଘର କଣ ସୁନ୍ଦର । ଏଠି ଖୋଲା ପବନ । ମେଲା ଆକାଶ ତଳେ ସଞ୍ଜ ହେଲେ ଧାଡିଲଗା ପକ୍ଷୀ ମାନଙ୍କର ବିହଙ୍ଗମ ଦୃଶ୍ୟ । ସୂର୍ଯ୍ୟ ବୁଡିଯିବା ଆଗରୁ ମେଞ୍ଚାମେଞ୍ଚା ଲାଳିମାର ଗୋଲାପ ଉପହାର ଦେଇ ଯାଏ । ଉଦୟରେ ପ୍ରଥମ କିରଣର ଭେଟି ତୁମକୁ ଦିଏ । କଥା ଛଡେଇ ନେଇ କଳ୍ପନା କହେ-ହଁ, ଦିଏ । ଖରା ଦିନେ ମୁଁ  ଖରାରେ ତିନି ତିନି ଟା ପିଲା ନେଇ ସେ ବସ୍ତି ଆଗରେ ବରଗଛ ମୂଳେ ଆଉ ବର୍ଷା ଦିନେ, ଘର ଚାଳ ନିଗିଡା ପାଣି ପଡି ନ ଭିଜିବାକୁ ଏଠି ସେଠି ବାସନ କୁସନ ରଖି ସୁଖେଇ ରଖୁଛି ବୋଲି ଆସିକି ଟିକେ ଶାନ୍ତିରେ ଶୋଇଯାଉଛ । ହତାଶାରେ ‘’ହଁ ‘’ କହି ଚୁପ ଚାପ ଭାବେ ସେ । କହେ କଳ୍ପନା ଯାହା କହୁଛି ସତ କଥା , ଆମେ ଏ ଦେଶର ନାଗରିକ କେବଳ ନୁହଁ । ଜଣେ ସଚେତନ କର୍ମଚାରୀ, ଯାହାର ସମସ୍ତ ହାତ ପାଦ ଆନୁଶାସନିକ ନିତୀରେ ବନ୍ଧା । ତଥାପି, ତାକୁ କ୍ଵାଟରଟିଏ ନ ଦେବାରେ ଅସୁବିଧା କେଉଁଠି । କ୍ଵାଟର ଗୋଟିଏ ନୁହେଁ, ତିନି ତିନିଟା ଖାଲି ପଡିଛି । ତାକୁ ନ ଦେବାର ପଛରେ ଓ କ୍ଵାଟର ଖାଲି ନାହିଁ କହି ଭୁଲେଇ ଦେବା ପଛରେ ବାସ୍ତବତା କଣ ଥାଇପାରେ ବୋଲି ନିଜେ ନିଜକୁ ପ୍ରଶ୍ନ କରେ ସୁଧୀର । କଲ୍ପନାକୁ ବୁଝେଇଲା ଭଳି କଥା କହିବାକୁ ଯାଇ କହେ- ମିଳିବ । ଅପେକ୍ଷା କର ।

ପୁଅ ସୁବାସ ଆସି ବାପା ସୁଧୀର ଉପରେ ଲଦି ହେଇ କହେ- ସେ ତାଙ୍କ ସାଙ୍ଗ ମାନଙ୍କ ସାଥିରେ ପୂଜା ବେଳେ ତାଙ୍କ କ୍ଵାଟର ଯାଇ ଦେଖୁଛି, ଏମାନଙ୍କ ଘର ଠାରୁ ସେମାନଙ୍କ କ୍ଵାଟର ସବୁଠୁ ଭଲ । ବାପା ସୁଧୀର ପୁଅକୁ ବୁଝେଇ କହେ- ଆଗ ଭଡାଘରେ ରହି ରହି ସେମାନେ କ୍ଵାଟର ପାଇଲେ । ତେଣୁ ସୁବାସ ବୁଝିଯାଏ ବସ୍ତିରେ ସେମାନେ ଘରେ ରହୁଛନ୍ତି କିନ୍ତୁ କଲୋନୀରେ ଯେଉଁମାନେ ରହନ୍ତି ସେମାନଙ୍କ ରହିବା ସ୍ଥାନକୁ କ୍ଵାଟର କୁହାଯାଏ । ସେ ସେଇ ଘର ଓ କ୍ଵାଟର ଭିତରେ ଇତିହାସ ପ୍ରାସଙ୍ଗିକତାକୁ ନେଇ ବୁଝିଯାଏଯେ, ପ୍ରଥମେ ମଣିଷ ଜଙ୍ଗଲ ପରେ ବସତି ଠିକ ସେମିତି ପ୍ରଥା ଏଇ ବସ୍ତିଘର ପରେ କ୍ଵାଟର । ସେ ବୁଝି ଯାଇ ସ୍କୁଲକୁ ବାହାରି ଯାଏ । ଝିଅ ବେଳେ ବେଳେ ତା ମା’କୁ ପଚାରେ ତା ସାଙ୍ଗର ବାପା ଯେଉଠି କାମ କରେ, ସୁଧୀର ସେଇଠି କାମ କରେ । ହେଲେ ସେ ଆଗ ଚାକିରୀ ପାଇ ବି କ୍ଵାଟର ଟିଏ ନ ମିଳିବା କଥା ଶୁଣି, ତାକୁ ଅଡୁଆ ଲାଗେ ଓ ସେ ନିରୂତ୍ସାହିତ ହୁଏ । 

ସାମୟିକ ମାନସିକ ଚାପ ଓ ପଶ୍ଚାତାପରେ ସୁଧୀର ଏଣିକି ବଡ ଦୁର୍ବଳ ଅନୁଭବ କରନ୍ତି । ଦିନକୁ ଦିନ ପିଲାମାନେ ବଢିବାରେ ଲାଗିଛନ୍ତି । ଏତେବର୍ଷ କାମ କଳା ପରେ କ୍ଵାଟର ଟିଏ ନ ମିଳିବା ତା କର୍ମ ଅପାରଗତାକୁ ବୁଝାଉଛି ବୋଲି ସେ ଭାବେ । ଚାହୁଁ ଚାହୁଁ ବିତିଲାଣି ଅନେକ ଦିନ । ସେଇ ଘରକୁ ମନ୍ଦିର କରି ସେ ପିଠେଇ ଦେଇଛି କେତେ ରୂତୁ ।

ହସିଛି କେତେ ଉନିଦ୍ର ରଜନୀର ଜହ୍ନ ତା ଖୋଲା ଅଗଣାରେ । ତା ଘରର ଜାଳାବାଟ ଦେଇ ପଶି ଆସେ ଅମାନିଆଁ ଜହ୍ନର ଜ୍ୟୋତ୍ସ୍ନା । ଫୁଲେଈ ଫଗୁଣର ମୃଦୁ ସମୀରଣ ଛୁଇଁ ଯାଇଛି ତା ଘର କୋଣ ଅନୁକୋଣ । ଶ୍ରାବଣୀ ନାଛିଛି ତା ଘର ମଥାନରେ, ତା ଲୁହ ଗୁଡାକ ମୋତି ଭଳି ଭଙ୍ଗା ଘର ଚାଳ ବାଟେ ଝରି ପଡେ ତା ଘର ଭିତରକୁ । ସେ ସେଇ ଝର ପାଣିକୁ ବାସନ କୁସନ ନେଇ ସାଇତି ରଖି ବାହାରକୁ ଫିଙ୍ଗେ । କହେ ଆଉ କାନ୍ଦ ନା ଲୋ...ଶ୍ରାବଣୀ । ଭୋଦୁଅ ଖରାକୁ ଟିକେ ପଠା । ଖୁଦୁରୁକୁଣୀ ଓଷାରେ ତା ଝିଅର ସୁଲଳିତ କଣ୍ଠରେ ବହି ପଢା ଶୁଣେ । ତପୋଇର ଦୁଃଖ କାହାଣୀ ଶୁଣି ବଡ ଦୁଃଖିତ ହୁଏ । ଖୁଦୁରୁକୁଣୀ ଆଗରେ ମାନସିକ କରେ, କେମିତି କ୍ଵାଟରଟିଏ ମିଳନ୍ତା କି ? 

ସେ ଘର ସାମନାକୁ ଦେଖେ, ଶହ ଶହ ଟଙ୍କାରେ ମନ୍ଦିର ତିଆରି ହେଉଛି । ମଣିଷ ରହିବାକୁ ସହରରେ ଘର ଅଭାବ । ମନ୍ଦିରର ଦିଅଁ ରହୁଛନ୍ତି ପକ୍କା ଘରେ ଆଉ ସେ ଅପାନ୍ତରିଆ ବସ୍ତିରେ। ସେ ରହିବା ପାଇଁ ଘର ଭଡା ଦେଉଛି ଅଥଚ ଠାକୁରେ ବିନା ଭଡାରେ ତୂଳୀ ତଳ୍ପ ସିଂହାସନରେ ବସିଛନ୍ତି । ତା ପିଲା ପୁଷ୍ଟିକର ଖାଇବାକୁ ପାଉ ନାହାନ୍ତି । ହେଲେ ଭଗବାନ କେତେ ପ୍ରକାର ଭୋଗର ମଜା ନେଉଛନ୍ତି । କେହି କେହି ସେଇ ପ୍ରସାଦ କିଣି ଆଜି କୋଟିପତି ହେଇଗଲେଣି ତା ଆଖି ଆଗେ । ସେଇ ମନ୍ଦିର ଆଗରେ ସେ ଅନେକ ଥର ଜୋଡ ହସ୍ତ ହେଇ ପ୍ରାଥନା କରିଛି –ଘର ଟିଏ ମିଳିବାକୁ ନେହୁରା ହେଇଛି । ହେଲେ ଯେତେବେଳେ ସେ ଜାଣିଲା କେହି ତା’ ଦୁଃଖ ବୁଝିବା ଲୋକ ନାହାନ୍ତି । ସେତେବେଳେ ତାର ନାସ୍ତିକତା ମନରେ ଆସିଲା । ଘୃଣା ଆସିଲା ମନରେ । ତା ଆସ୍ତିକ ମନରେ ଆଜି ନାସ୍ତିକତାର ବୀଜ ବୁଣି ଦେଇଛି ଅଧିକାରୀ । ସର୍ବେ ଭାବନ୍ତୁ ସୁଖୀନଃ କହୁଥିବା ଅଧିକାରୀ, କ୍ଵାଟରଟିଏ ନ ଦେଇ ଦୁଃଖରେ ଛଟ ପଟ କରି ଧର୍ମ ଧାରଣାକୁ କାଢି ନେଇ, ଧର୍ମ ଉପଦେଶକୁ ନିମ୍ନ କରି ଦେଇଛି । ତେଣୁ ସେ ଭାବେ, ଏମିତି ଧର୍ମକୁ କିଏ କାହିଁକି ମାନିବ ଯେଉଁଠି ମାନବ ବାଦର ଆବରଣ ତଳେ ପାଶବିକ ନୀତିରେ ନିରୀହ ମାନଙ୍କୁ ଠକି ଦିଆ ଯାଉଛି । ଉଚ୍ଚ-ନୀଚର ପ୍ରାଚୀର ଠିଆ କରି ଭେଦଭାବ ସୃଷ୍ଟି କରା ଯାଉଛି । ସେ ସ୍ୱଳ୍ପ ଅଧସ୍ଥନ ଚାକିରୀଆଟିଏ ହେଇପାରେ,ହେଲେ ମଣିଷ । କୁକୁର ବିଲେଇ ସୌଖୀନ ଘରେ ରହି,ସୁଷମ ଖାଦ୍ୟ ଖାଇ ଆରାମରେ କାଳ କାଟୁଛନ୍ତି । ହେଲେ ସେ .....? । କେଇଟା ଦୀର୍ଘଶ୍ୱାସ ମାରି ତା ଭାରକ୍ରାନ୍ତ ଦେହଟାକୁ ବିଶ୍ରାମ ଦେଇ ଭାବେ-ଏଇମିତି ଆସ୍ତିକବାଦୀ ମାନେ ନାସ୍ତିକ ମାନଙ୍କୁ ଗଢିଥାନ୍ତି । ଯେଉଁମାନେ ଆସ୍ଥା ହରା ହେଇ ଆଜି ନାସ୍ତିକରୁ ବାସ୍ତବବାଦତା ଆଡକୁ ଯାଇ ଏଇଭଳି ରୁଗଣ ମାନସିକ ଲୋକଙ୍କ ହରେଇ ଦେଇଛନ୍ତି ବଞ୍ଚିବାର ରାହା ଟିକକ । ସର୍ବ ନିମ୍ନ ସୁବିଧା ଦେବା ପରିବର୍ତ୍ତେ ଏଇ ଭଳି ଚରିତ୍ରମାନେ ସମାଜକୁ ଆଜି ଦୁର୍ବଳ କରି ତିଆରି କରୁଛନ୍ତି- ଦୁଃସ୍ଥ ସମାଜ । କ୍ଵାଟର ଥାଇ ବି ସରକାରୀ କର୍ମଚାରୀକୁ ବଞ୍ଚିତ କରି ମିଛ କହି ନିଜକୁ ଚତୁରତା ସହିତ ପ୍ରମାଣିତ କରିଚାଲିଛିଯେ, ସେ ଠିକ ଆଉ ତା ଅଧିନସ୍ଥ କର୍ମଚାରୀର ବଞ୍ଚିବାର ସୁଖକୁ ହତ୍ୟା କରି ଚାଲିଛି ନିର୍ବିଘ୍ନେ । ସରକାରୀ ରାଜସ୍ଵ ନଷ୍ଟ କରି, ଦେଶ ପ୍ରତି ଅନ୍ୟାୟ କରୁଥିଲେ ହେଁ, କହିବା ଲୋକର ଗଳାରୁଦ୍ଧ ଓ ସାହସ ହୀନ ନିମ୍ନ ଶ୍ରେଣୀ ଚାକିରୀଆ । କଣ ବା ସେ କରିବ ଏମିତି ଭ୍ରଷ୍ଟମାନଙ୍କୁ ବଦଳେଇ ପାରିବନି ବରଂ ନିଜେ ଆଜି ବଦଳି ଯାଇଛି ସୁଧୀର । ଏମିତି ଅମୀମାଂଶିତ ବୁଢିଆଣୀ ଜାଲର ଭଲି ଅଡୁଆ ପ୍ରଶ୍ନ ପରିଧି ଭିତରେ ନିରୀହ କୀଟପରି କେବଳ ଛଟପଟ ହୁଏ,ସେ ।      ଅପରାହଣର ସୂର୍ଯ୍ୟାସ୍ତ ସମୟ । ଦିନେ ସେ କ୍ଵାଟର ଦେଖିବାକୁ ତା ଅଫିସିକୁ ଗଲା,ଦେଖିଲା ଅନେକ ଘର ଖାଲି ପଡିଛି । ସେଦିନ ସେ ଦମ୍ଭ ଧରି ତାଙ୍କ ଅଫିସି ବାବୁକୁ କହିଲା-କ୍ଵାଟର ତ ଖାଲି ଅଛି ମୋତେ ଗୋଟିଏ ଦିଅନ୍ତୁ । ବାବୁ ଖପପା ହେଇ କହିଲେ- ତୁମକୁ ଘର ଦେବେନି । ହଉ ମୋତେ ନ ଦେବେ ନାହିଁ । ତୁମ ଭଉଣୀକୁ ନେଇ କେତେ ହଇରାଣ ହେଉଛି-ଦେଖୁଛନ୍ତିତ । ଅନ୍ତତଃ ଭଉଣୀ କଥାଟା ବୁଝନ୍ତୁ । ସେଇଟା ମୋତେ ବାହା ହେଇକି କି ଦୋଷ କରିଥିଲାଯେ, ମୋ ସାଥିରେ ସେ ରହି ଜୀବନ ସାରା ଦୁଃଖ ପାଇବ। କେତେ ଆଉ ସେ ବସ୍ତିରେ ରହିବୁ । ଏଣିକି ସେ ବସ୍ତି ଉଠିଯିବାକୁ ବସିଲାଣି । ତା ଉପରେ ମୁନିସିପାଲିଟି ଲୋକ ମାନଙ୍କର ଦୌରାତ୍ମ ।  

ବାବୁ ରାଗିଗଲେ କହିଲେ-ତୁମ ସ୍ତ୍ରୀ ମୋ ଭଉଣୀ । ମାନେ ତୁମେ ମୋ ଭେଣଇଁ । କଣ କହୁଛ ଜାଣିଛ । ହଁ, ଜାଣିଛି । ଭୁଲ କିଛି କହିନାହିଁ । ସେଦିନ ପରା, ସ୍ଵାମୀ ବିବେକାନନ୍ଦ ଚିକାଗୋ ସହରରେ ପ୍ରଥମ ଅଭିଭାଷଣରେ-‘’ ମୋର ପ୍ରିୟ ଆମେରିକା ଭାଇ ଓ ଭଉଣୀ’’, କହି ଭାରତ କାହିକି ବିଶ୍ଵସାରା ଚହଳ ପକେଇ ଦେଇଥିଲେ । ଆମେ ସମସ୍ତେ ଭାଇ ଭଉଣୀ ବୋଲି କେତେ କିଏ କହୁଛନ୍ତି । ନେତା ମାନେତ ତାଙ୍କ ଭାଷଣ ଆରମ୍ଭରେ ମୋ ସଭାରେ ଉପସ୍ଥିତ ପ୍ରିୟ ଭାଇ ଓ ଭଉଣୀ ବୋଲି ସମ୍ବୋଧନ କରିଥାନ୍ତି । ତେଣୁ ମୋର କିଛି ଭୁଲ ହେଇନିତ । ମୁଁ ତୁମ ଭଉଣୀକୁ ନେଇ ଏ କ୍ଵାଟରରେ ରହିଲେ ଆମ ଭିତରେ ଗୋଟେ ଭଲ ସମ୍ପର୍କ ହୁଆନ୍ତା । ରାକ୍ଷୀ ପୁନେଇଁ ଦିନ ମୋ ସ୍ତ୍ରୀ ରାକ୍ଷୀଟି ବାନ୍ଧି ଦେଇ ଧନ୍ୟ ମନେ କରନ୍ତା । କ୍ରମଶଃ ଲାଜରେ ମୁଣ୍ଡ ନଇଁ ବସିଥିଲେ ବାବୁ ଜଣକ । ଭାବୁଥିଲେ କ୍ଵାଟର ତ ମୋର ନୁହେଁ, ଚାକିରିଆ ହିଁ ପାଇବେ । ହେଲେ ତାକୁ ନ ଦେବାର କାରଣ କଣ ହେଇପାରେ । ସେତିକି ବେଳକୁ ପୋଷ୍ଟ ପିଅନ ଚିଠିଟିଏ ବଢେଇ ଦେଲା ବାବୁଙ୍କ ହାତକୁ । ତରବର ହେଇ ବାବୁ ଖୋଲି ପଢୁଥିଲେ ଉପର ମହଲାର ଆଦେଶନାମା । ସେଥିରେ ଲେଖା ଥିଲା, ଚାକିରିଆକୁ କ୍ଵାଟର ନ ଦେଇ ମନ ଇଚ୍ଛା କାମ କରୁଥିବା ଭ୍ରଷ୍ଟାଚାରୀ ଅଧିକାରୀଙ୍କ ଠାରୁ ଜବରଦସ୍ତ ଆଦାୟ ହେବ ସେଇ ଘରର ରାଜସ୍ୱ । ଯେଉଁ ଦିନ ଠାରୁ ଘର ଖାଲି ପଡିଛି । କ୍ଵାଟର ଭତ୍ତା ମାସିକ ନେଇ, ବସ୍ତିରେ ଜୀବନ ଯାପନ କରି, ବସ୍ତି-ବାସିନ୍ଦାଙ୍କ ସମସ୍ତ ସରକାରୀ ସୁବିଧା ସୁଯୋଗ ପାଇ,ସେଇ ଟଙ୍କାରେ ଅନ୍ୟାନ୍ୟ କାମ କରି ଭଲରେ ରହିଥିବା ସୁଧୀର ନିଜକୁ ପ୍ରଶଂସା କରୁଥିଲା । ସେ ଭାବୁଥିଲା ସତରେ, ସେ କେତେ ବୁଦ୍ଧିଆ ଆଉ ତା ଅଧିକାରୀ ? ।  ସଞ୍ଜ ନଇଁ ଆସୁଥିଲା । ଆଖି ମିଟିକା ମାରି ହସୁଥିଲେ ତାରା, ଆକାଶ ଛାତିରେ ।




Rate this content
Log in

Similar oriya story from Abstract