STORYMIRROR

ayiswarya maharana

Inspirational Others

4  

ayiswarya maharana

Inspirational Others

କାଠ କଣ୍ଢେଇ

କାଠ କଣ୍ଢେଇ

7 mins
477

କୁସୁମ ପୁର ନାମରେ ଏକ ଛୋଟ ଗାଁ ଟିଏ ଥିଲା। ଗାଁ ଟି ବାସ୍ତବରେ ତାର ନାମକୁ ସାର୍ଥକ କରିଥିଲା। ପ୍ରକୃତି ରାଣୀ ଫୁଲ ଫଳ ରେ ସଜେଇ ହୋଇ ରହିଥିଲା। ସକାଳ ସଂନ୍ଧ୍ୟାରେ ମନ୍ଦିର ର ଘଣ୍ଟ ଘଣ୍ଟା ଶବ୍ଦ ସହିତ ନାନାଦି ଫୁଲ ମାନଙ୍କର ଭୁରୁଭୁରୁ ବାସ୍ନା ଏକ ଦିବ୍ୟ ବାତାବରଣ ସୃଷ୍ଟି କରୁଥିଲେ।

                    ଏହି ପରିବେଶ ରେ ଏକ ନିମ୍ନ ମଧ୍ୟବିତ୍ତ ପରିବାରରେ ଏକ କଳିକା ର ଜନ୍ମ ହୋଇଥିଲା ,ତାର ନାମ ଥିଲା ପୂର୍ଣ୍ଣିମା। ଯଦିଓ ସେ ପୂର୍ଣ୍ଣମୀ ଜହ୍ନ ପରି ଅତି ସୁନ୍ଦର ନଥିଲା, ଅସୁନ୍ଦର ମଧ୍ୟ ନଥିଲା।ସେ ଥିଲା ସରଳ ହୃଦୟର ଅଧିକାରିଣୀ,ସରଳ ସୁନ୍ଦରୀ।ନିଜର ବ୍ୟବହାର ପାଇଁ ସାଇ ପଡ଼ିଶାରେ ସେ ସଭିଙ୍କ ପ୍ରିୟ ଥିଲା।

ପୂର୍ଣ୍ଣିମା ର ପରିବାର କହିଲେ ଛୋଟ ଭାଇ, ବାପା, ମା, ଜେଜେମା ଓ ସେ।ତାର ବାପା କୁମ୍ଭାର କାମ କରି ଗୁଜୁରାଣ ମେଣ୍ଟାଉ ଥିଲେ। ତଥାପି ସେ ପିଲାମାନଙ୍କୁ ଅର୍ଥାଭାବ ଦର୍ଶାଇ ନଥିଲେ , ବରଂ ମିତବ୍ୟୟୀ କରାଇବାକୁ ଚେଷ୍ଟା କରିଥିଲେ। ବାପାଙ୍କର ଏହି କଠିନ ପରିଶ୍ରମ କୁ ସେ ବୁଝି ପାରିଥିଲା।ତା ନିରିହ ଆଖିରେ ଭରି ରହିଥିଲା ଅସୁମାରୀ ସ୍ବପ୍ନ ,ସେ ସ୍ବପ୍ନ ଥିଲା ଯେ ବଡ ହେଲେ ନିଜେ ସ୍ୱାବଲମ୍ବୀ ହୋଇ ଘରର ଆର୍ଥିକ ସ୍ଥିତି ସୁଦୃଢ କରିବ ଏବଂ ସେହି ଅଞ୍ଚଳର ବିକାଶ ମୂଳକ ବ୍ୟବସ୍ଥା ରେ ନିଜକୁ ସାମିଲ କରିବ ।ତେଣୁ ସେ ସମ୍ପୂର୍ଣ୍ଣ ଧ୍ୟାନ ପାଠ ପଢିବା ରେ କେନ୍ଦ୍ରିତ କରିଥିଲା। ଭଲ ପାଠ ପଢୁଥିବାରୁ ବିଦ୍ୟାଳୟରେ ମଧ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପ୍ରିୟ ହୋଇଥିଲା।

କିନ୍ତୁ ଅନ୍ୟ ପିଲାମାନଙ୍କପରି ତାର ବି ଚପଳାମିଥିଲା। ସାଇର ଝିଅମାନେ ପୋଖରୀକୁ ଗଲେ ସେ ବି ଘରେ ଯିବାପାଇଁ କୁହେ।କିନ୍ତୁ ମା କଦାପି ଅନୁମତି ଦିଅନ୍ତି ନାହିଁ..... କାଳେ ଦୁଷ୍ଟାମୀ କରି କିଛି ଦୁର୍ଘଟଣା ନାହେଇଯାଉ। ଗାଁଦାଣ୍ଡ ରେ ପିଲାଙ୍କ ସହ ଖେଳିବାକୁ ଯାଇଥିଲେ ଜେଜେମା ଆକଟକରି କୁହନ୍ତି ଯେ.... ତୁ ଝିଅପିଲାଟା ଧିରେ ଧୀରେ ବଡ଼ ହେଉଛୁ ଏମିତି ଛୁଆଙ୍କ ଭଳି କଣ ଖେଳୁଚୁ, ଯା ଯାଇକି ମାଆକୁ କାମରେ ସାହାଯ୍ୟ କରେ।କାମ ଶିଖେ କିଛି। ଗାଁ ରେ କେବେ ଯାନିଯାତ୍ରା ହେଲେ ସାଙ୍ଗମାନଙ୍କସହ ବୁଲି ବାହାରିଲେ ବାପା ମଧ୍ୟ ମନାକରିଦିଅନ୍ତି।

କିନ୍ତୁ ପରେ ନିଜେ ବୁଲେଇନିଅନ୍ତି। କାରଣ ବାପାହିସାବରେ ସେ ଝିଅର ସୁରକ୍ଷା ପ୍ରତି ବେଶ୍ ସଚେତନ ଥିଲେ।

                ପୂର୍ଣ୍ଣିମା ଅବାଧ୍ୟ ନହେଲେ ମଧ୍ୟ ତା'ମନରେ ବହୁତ ପ୍ରଶ୍ନ ଉଠେ କି ,ମୁଁ ତ ପାଠପଢାରେ କେବେ ବି ଅବହେଳା କରୁନାହିଁ କି ଦୁଷ୍ଟାମୀ କରୁନାହିଁ। ତଥାପି ମୋତେ ସବୁବେଳେ ଏତେ ଆକଟ କାହିଁକି। କ'ଣ ମୁଁ ଝିଅଟିଏ ବୋଲି। ଘରେ ସାନଭାଇକୁ ଆକଟ କରାଗଲେ ମଧ୍ୟ ତାଭଳି ଏତେ କଠୋର ନୁହେଁ। ଛୋଟ ମନଟି ବିଦ୍ରୋହ କରିଉଠେ। ମାଆଙ୍କୁ ବେଳେ ବେଳେ ଅଭିଯୋଗ କରିଦିଏ। କିନ୍ତୁ ମାଆ ତାକୁ ବୁଝାଇଦିଅନ୍ତି ଯେ ବାପା ମା ସର୍ବଦା ସନ୍ତାନ ମାନଙ୍କ ହିତ କରନ୍ତି।

                       ସମୟକ୍ରମେ ସେ ବହୁତ ଭଲ ନମ୍ବର ରଖି ୧୦ମ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଯାଏ। ତେଣୁ ବାପା ଚିନ୍ତା କଲେ ଯେ ଏବେ ଆଗକୁ ପୂର୍ଣ୍ଣିମା କିପରି ପଢ଼ିବ। ପୂର୍ଣ୍ଣିମାର ଇଚ୍ଛାଥିଲାଯେ ସେ ବିଜ୍ଞାନ ନେଇ ୨ ପଢା ଆରମ୍ଭ କରିବ, କିନ୍ତୁ ଗାଁ ରେ କଲେଜଟିଏ ନଥିଲା। ଗାଁ ବାହାରେ ଯେଉଁ କଲେଜ ଥିଲା ସେଠାର ଶିକ୍ଷା ବ୍ୟବସ୍ଥା ସେତେ ଭଲ ନଥିଲା। ସେ ଶିକ୍ଷାଦ୍ଵାରା ନିଜର ସ୍ବପ୍ନକୁ ସତ କରିବା ପାଇଁ ବାହାରେ ଭଲ କଲେଜରେ ପଢିବାକୁ ଚାହୁଁଥିଲା। ଏଥିପାଇଁ ଅଧିକ ଅର୍ଥ ଦରକାର ଥିଲା। ହେଲେ ବାପାଙ୍କର ଆର୍ଥିକ ଅବସ୍ଥା ସେତେ ଭଲ ନଥବାରୁ ସେ ଗାଁ ପାଖ କଲେଜରେ ପଢିଲା। ଧିରେ ଧିରେ କଲେଜ ରେ ଆକାଶ ସହିତ ତାର ଭଲ ବନ୍ଧୁତା ସ୍ଥାପନ ହେଲା। ଆକାଶ ପୂର୍ଣ୍ଣିମା ପରି ମେଧାବୀ ନଥିଲା। ତେଣୁ କ୍ଲାସ୍ ନଥିବା ସମୟରେ ସେ ଦୁହେଁ ପାଠ ସବୁ ଆଲୋଚନା କରନ୍ତି, କେବେ କେବେ ବହୁତ ଗପନ୍ତି ମଧ୍ୟ। ପୂର୍ଣ୍ଣିମା ଆକାଶ ପାଖରେ ନିଜକୁ ସମ୍ପୂର୍ଣ୍ଣ ସୁରକ୍ଷିତ ମନେକରେ।ଯେହେତୁ ପୂର୍ଣ୍ଣିମାର ଗାଁ ପ୍ରଥମେ ଆସେ ପରେ ଆକାଶର ଗାଁ ଆସେ ଦୁହେଁ ସାଙ୍ଗହୋଇ କଲେଜରୁ ଫେରନ୍ତି। ପ୍ରେମ ଓ ବନ୍ଧୁତା ମଧ୍ୟରେ ଏକ ସମ୍ପର୍କ ଥାଏ।ବୋଧହୁଏ ସେମାନଙ୍କ ସଂପର୍କ ଏହିଭଳି ହିଁ ହୋଇଯାଇଥିଲା, ଯାହାକି ଅନ୍ୟମାନଙ୍କର ଦୃଷ୍ଟିକଟୁ ଥିଲା। ଧୀରେ ଧୀରେ ଏହା ଏକ ଅପବାଦର ରୂପ ନେଇ ଉପସ୍ଥିତ ହୋଇଥିଲା ପୂର୍ଣ୍ଣିମାର ଘରେ। ତେଣୁ ତା ବାପା ତାର କଲେଜ ଯିବା ବନ୍ଦ କରିଦେଇଥିଲେ। ପୂର୍ଣ୍ଣିମା ତ କ୍ଲାସ୍ ବନ୍ଦ କରିବା ଝିଅ ନଥିଲା, ପୁଣି ସେ କଲେଜ ନଆସିବାର ୫ ଦିନ ବିତି ଯାଇଥିଲl। ଆକାଶ ତାର ସାଙ୍ଗମାନଙ୍କୁ ପଚରିବୁଝିଲା କିନ୍ତୁ ସେମାନଙ୍କୁ ମଧ୍ୟ କିଛିଜଣାନଥିଲା।ସେଦିନ ଆଊ ଆକାଶ କ୍ଲାସ୍ ନକରି ପୂର୍ଣ୍ଣିମାର ଘରକୁ ଚାଲିଗଲା। ହେଲେ ତାକୁ ପୂର୍ଣ୍ଣିମାର ଘର ଠିକଣା ଜଣାନଥିବାରୁ ବହୁ କଷ୍ଟରେ ତା ବାପାଙ୍କ ନାମ ପଚାରି ପଚାରି ପୂର୍ଣ୍ଣିମା ଘରେ ପହଞ୍ଚିଥିଲା। ତାଙ୍କ ଘର ଦୁଆରେ ହିଁ ତାଙ୍କର କୁମ୍ଭାର ଶାଳ ଟି ଥିଲା। ସେଠାରେ ତା ବାପା କିଛି କାମ କରୁଥିଲେ। ତାଙ୍କର ନଜର ଯେତେବେଳେ ଆକାଶ ଉପରେ ପଡ଼ିଲା, ସେ ତାକୁ ଏକ ପ୍ରଶ୍ନିଳ ଦୃଷ୍ଟିରେ ଚାହିଁଲେ। ଆକାଶ ଆସି ତାଙ୍କୁ ପ୍ରଣାମ କରିଲା।ନିଜ ପରିଚୟ ଦେବାକୁ କହିଲା ଯେ ମୁଁ ପୂର୍ଣ୍ଣିମାର ସାଙ୍ଗ ଆକାଶ। ଏତିକି କହିବା ପରେ ତା ଗାଲରେ ଏକ ଶକ୍ତ ଚାପୁଡ଼ା ବସିସାରିଥିଲା। ସେତେବେଳକୁ ଆକାଶ ବିଭିନ୍ନ ପ୍ରଶ୍ନ ରେ ଛନ୍ଦି ହୋଇ ହତବାକ ହୋଇଯାଇଥିଲା।ସେପଟରୁ ଏକ ରୁକ୍ଷ ସ୍ୱରରେ ପୂର୍ଣ୍ଣିମା ର ମାଆ କହିଲେ ତମେ ଏଠାକୁ ପୁଣି କାହିଁକି ଆସିଛ।

ଏବେ ଆକାଶ ପରିସ୍ଥିତି ଟିକୁ ଆଂଶିକ ଭାବେ ବୁଝିସାରିଥିଲା ଏଵଂ ମନେ ମନେ ଚିନ୍ତା କରୁଥିଲା ଯେ, ଯଦି ସେ କିଛି ନକରେ , ଝିଅ ଟିର ଭବିଷ୍ୟତ ଟି ଖରାପ ହୋଇଯିବ। ତେଣୁ ସେ ସାହାସ କରି କହିଲା ଯେ, ବୋଧହୁଏ ଆପଣଙ୍କର କିଛି ଭୂଲ୍ ବୁଝମଣା ହୋଇଛି। ପୂର୍ଣ୍ଣିମାର ବାପା କହିଲେ ଯେ,ଆମ ଗରିବର ସମ୍ବଳ ହେଉଛି ଆମର ସମ୍ମାନ।ଥରେ ସମ୍ମାନ ଚାଲିଗଲେ ଗରିବ ବାପାଟିର ସମାଜ ରେ ଚଳିବା କାଠିକର ପାଠ ହୋଇଯାଏ। ତେଣୁ ତା'ର ଆଉ କଲେଜ ଯିବା ଦରକାର ନାହିଁ।

ଆକାଶ ପୁଣି ପଚାରିଲା ,କ'ଣ ପୂର୍ଣ୍ଣିମା ନିଜେ କିଛି କହିଛି? ଯାହାର ଉତ୍ତର ମିଳିଥିଲା"ନାହିଁ"। ତେବେ ଆପଣ ବାହାର ଲୋକଙ୍କ ପ୍ରରୋଚନାରେ ଆସି ନିଜର ସଂସ୍କାର ଉପରେ ପ୍ରଶ୍ନ ଉଠାଇଥିଲେ। ନିଜ ଝିଅର ଭବିଷ୍ୟତକୁ ଅନ୍ଧାରରେ ରଖିବାକୁ ଯାଉଥିଲେ। ଗୋଟିଏ ପୁଅ ଓ ଗୋଟିଏ ଝିଅ ପରସ୍ପରର ଉତ୍ତମ ବନ୍ଧୁ ମଧ୍ୟ ହୋଇପାରନ୍ତି। ସେ ଯାହା ହେଉ ମୁଁ ବର୍ତ୍ତମାନ ଠାରୁ ପୂଣ୍ଣିମା ସହ ମିଶିବି ନାହିଁ, ଦୟାକରି ଆପଣ ତାକୁ କଲେଜ ଛାଡ଼ନ୍ତୁ। ପୂର୍ଣ୍ଣିମା ର ବାପାମା କିଛି ନ କହି ଘର ଭିତରକୁ ଚାଲିଗଲେ।

ପୂର୍ଣ୍ଣିମା ୨ଦିନ ପରେ କଲେଜ ଗଲା। ଆକାଶ ତାକୁ ଦେଖି ମନେମନେ ଆସ୍ୱସ୍ତ ହୋଇ ଟିକେ ହସିଦେଲା। କିନ୍ତୁ ପୂଣ୍ଣିମା ତା'ର ବାପା ମା ଙ୍କର ଆକାଶ ପ୍ରତି ବ୍ୟବହାରରେ ଖୁବ୍ ଲଜ୍ଜା ବୋଧ କରୁଥିଲା। ତେଣୁ ସେ ଏଥିପାଇଁ ଆକାଶକୁ କ୍ଷମା ମାଗେ ଏବଂ ବନ୍ଧୁ ଭାବେ ତା'ପ୍ରତି କରିଥିବା ଉପକାର ପାଇଁ ଧନ୍ୟବାଦ ଜଣାଏ। ଆକାଶ ଓ ପୂଣ୍ଣିମା କଥା ହେଉଥିଲେ କିନ୍ତୁ ଆଉ ପୂର୍ବଭଳି ମିଶୁନଥିଲେ। ଏମିତି ହୋଇ ତାଙ୍କର ୨ ଶେଷ ହେଲା। ଦୁହେଁ ଭଲ ନମ୍ବର ରଖି ପ୍ରଥମ ଶ୍ରେଣୀରେ କୃତକାର୍ଯ୍ୟ ହୋଇଥିଲେ। ଏବେ ପୂର୍ଣ୍ଣିମାଆହୁରି ଆଗକୁ ପଢ଼ିବାପାଇଁ ଚହ୍ନୁଥିଲା। ହେଲେ ଜେଜେମା ର ସେଇ ଗୋଟାଏ କଥା, ଝିଅ ପିଲାଙ୍କରପାଠ କ'ଣ ହେବ। ଯେତେ ହେଲେ ତ ରୋଷେଇ ସମ୍ଭାଳିବାକୁ ପଡ଼ିବ। ପାଠ ରେ ଖର୍ଚ୍ଚ, ବାହାଘର ଖର୍ଚ୍ଚ, ପୁଣି ସାନପୁଅ ଟିଏ ଅଛି, ତା ପାଇଁ କିଛି ରଖିବାକୁ ପଡ଼ିବ। ଏତେ ସବୁ କରିପାରିଲେ ତ। ଏସବୁକୁ ତାର ବାପା ଅନୁମାନ କରିପାରୁଥିଲେ ମଧ୍ୟ ସେ ଇଛକରୁଥିଲେ ଝିଅ ଟି ଆଗକୁ ବଢୁ।

                                        ପୂର୍ଣ୍ଣିମା ବହୁତ ଖୁସି ହେଉଥିଲା କି ବୋଉ କିଛି ନ କହିଲେ ନାହିଁ , ବାପା ତ ମୋ କଥା ବୁଝିଲେ। ତା ବାପା ଗାଁ ଠାରୁ ଦୂରରେ ଏକ ଛୋଟ ସହର ରେ ଥିବା ଏକ କଲେଜ ରେ ୩ ପଦାର୍ଥ ବିଜ୍ଞାନ ରେ ନାମଲେଖାଇଦେଲେ ।ସେ ସେହି କଲେଜରେ ହଷ୍ଟେଲରେ ରହି ପଢିଲା। ସେ ତା'ବାପାଙ୍କର ପରିସ୍ଥିତିକୁ ଭଲଭାବେ ହୃଦୟଙ୍ଗମ କରି ପାରୁଥିଲା। ତେଣୁ ସେ ନିଜର ସ୍ୱପ୍ନ ପ୍ରତି ଆହୁରି ଦୃଢ଼ ହେବାରେ ଲାଗିଥିଲା।ତେଣେ ଗାଁରେ ନିଜର ଉତ୍ତମ ବ୍ୟବହାର ତଥା ଏକ କୃତି ପରିଚୟଯୋଗୁ ପୂର୍ଣ୍ଣିମାର ବହୁତ ବିବାହ ପ୍ରସ୍ତାବ ଆସୁଥାଏ ।ତା'ର ବାପା ୨ଟି କାରଣରୁ ସେସବୁକୁ ମନାକରୁ ଥିଲେ। ପ୍ରଥମତଃ ଝିଅର ପାଠପଢ଼ା ଚାଲିଥିଲା। ଦ୍ୱିତୀୟତଃ ବିବାହ ପାଇଁ ଯଥେଷ୍ଟ ଅର୍ଥ ଯୋଗାଡ଼ କରିବା ସମ୍ଭବ ହେଉନଥିଲା।

ଦିନେ ଏକ ପ୍ରସ୍ତାବ ଆସିଲା ଯେ ପିଲାଟି ବାପା ମା ଙ୍କର ଗୋଟିଏ ବୋଲି ପୁଅ, ପେଶାରେ ଜଣେ ଅଧ୍ୟାପକ ,୪/୫ଅଞ୍ଚଳରେ ମର୍ଯ୍ୟାଦା ଥିବା ଏକ ପରିବାର।କିନ୍ତୁ ପୂର୍ଣ୍ଣିମା ର ବାପା ତାଙ୍କର ଅସୁବିଧା ଦର୍ଶାଇ ବାହାଘର ପାଇଁ ମନାକରି ଦେଇଥିଲେ। ସେମାନେ ଚାହୁଁଥିଲେ ଯେ, ଉଭୟ ପରିବାର ଗୋଟିଏ ଥର ଦେଖାକରି ଯାହା କଥା ହେବା। ଧାର୍ଯ୍ୟ ହୋଇଥିବା ଦିନ ଆସି ପୂର୍ଣ୍ଣିମା ଘରେ ପହଞ୍ଚି ଏସବୁ ବିଷୟରେ ଜାଣିବାକୁ ପାଇଲା।ସେ ରାଗ ଓ ଦୁଃଖ ରେ କାନ୍ଦିବାକୁ ଲାଗିଲା। ହେଲେ ମା ବୁଝାଇ ଦେଲେ ଯେ କେବଳ କିଛି କଥା ବାର୍ତ୍ତା ହିଁ ହେବେ କ'ଣ ବାହାଘର ହେଇଯାଉଛି।ଏଣେ ପୁଅ ଘରୁ ଜଣାଇଦେଲେ ଯେ ଝିଅ ବାହାଘର ପରେ ମଧ୍ୟ ପାଠ ପଢିପାରିବ ଏବଂ ଆମର ଯାନିଯୌତୁକ କିଛି ଆବଶ୍ୟକ ନାହିଁ,ଆମେ କେବଳ ଝିଅ କୁ ନେବୁ। ଆମେ ବିବାହ ର ଦିନ ଧାର୍ଯ୍ୟ କରି ଜଣାଇଦେବୁ।ଯଥା ସମୟରେ ବାହାଘର ଶେଷ ହେଲା।

ନିଦରେ ଦେଖାଯାଇଥିବା ସୁନ୍ଦର ସ୍ବପ୍ନ ଭାଙ୍ଗି ଗଲେ , ସେହି କ୍ଷଣକ ପାଇଁ ଦୁଃଖ ଲାଗିପାରେ। ହେଲେ ଖୋଲା ଆଖିରେ ଦେଖାଯାଇଥିବା ସ୍ୱପ୍ନ ଭାଙ୍ଗିଲେ,ସ୍ୱପ୍ନ ସବୁ ଲୁହ ହୋଇ ଆଖିରୁ ଅଲଗା ହୋଇଯାଏ।

ବାହାଘର ଗୋଟିଏ ମାସ ବିତିଗଲା ପରେ ମଧ୍ୟ ପୂର୍ଣ୍ଣିମା ର କଲେଜ ଯିବା କଥା ଉଠାଉନଥିଲେ।ଦିନସାରା ଘର କାମ କରୁଥିଲା ସତ କିନ୍ତୁ ଭାବୁଥିଲା କେହି କିଛି କହୁନାହାନ୍ତି, ମୁଁ କାହାକୁ କ'ଣ କହିବି, କେମିତି କହିବି। ତେଣୁ ସ୍ଥିର କଲା ଯେ ସେ ତା ସ୍ବାମୀ ଙ୍କ ସହିତ ଏ ବିଷୟରେ କଥା ହେବ। ରାତି ର କାମ ସାରି ସେ ତା ସ୍ବାମୀଙ୍କୁ ତା କଲେଜ ଯିବା କଥା କହିଲା।ତା ସ୍ବାମୀ ପ୍ରତିଉତ୍ତର ରେ କହିଲେ , "ଏବେ ତ ଗୋଟିଏ ମାସ ହୋଇଛି।ନୂଆବୋହୁ ହୋଇ କଲେଜ ଗଲେ ଲୋକେ ଆମକୁ କ'ଣ କହିବେ।"ପୂର୍ଣ୍ଣିମା ବିଶ୍ୱାସ କରିପାରୁ ନଥିଲା ଯେ ତା ସ୍ବାମୀ ଜଣେ ଅଧ୍ୟାପକ ହୋଇ ଏପରି କିପରି କହିପାରୁଛନ୍ତି। ତା ପରଦିନ ସେ ତା ଶ୍ୱଶୁର ଙ୍କୁ ଏ ବିଷୟରେ ପଚାରିବାରୁ ତା ଶ୍ୱଶୁର କହିଲେ ଯେ,"ମୁଁ ପୁଅକୁ କହି ମୋ ବହିସବୁ ନେଇ ଆସିବି।ତୁ ତ ଗୋଟେ ଭଲ ଛାତ୍ରୀ, ତାଛଡା ପୁଅକୁ କହିଲେ ସେ ମଧ୍ୟ ସାହାଯ୍ୟ କରିବ"।

ସତରେ ଯେବେ "କାଠ କଣ୍ଢେଇ"ବୋଲି ଏକ ଶବ୍ଦ ଆସେ ଏହାର ଉପଯୁକ୍ତ ତୁଳନା ହୋଇପାରେ କେବଳ ଗୋଟିଏ ଝିଅ ସହିତ। ଝିଅଟିଏ ଜନ୍ମହେବା ପରେ ପିଲାଦିନଟି ବାପା ମା,ପରିବାରର ଆକଟରେ ବିତିଯାଏ। କୈଶୋର ଅବସ୍ଥାରେ ସାଇପଡିଶା ଙ୍କ ଦୃଷ୍ଟି ଯୋଡ଼ି ହୋଇଯାଏ। ବିବାହ ପରେ ଶାଶୁ ଘର କଟକଣା ରେ ସେ ବନ୍ଦୀ ହୋଇଯାଏ। ଝିଅଟିଏ କିଭଳି ଖାଉଛି, କିପରି ପିନ୍ଧିଛି, କିପରି ହସୁଛି, କିପରି ଚାଲୁଛି, ଇତ୍ୟାଦି ଇତ୍ୟାଦି ରେ ସଭିଙ୍କ ନଜର ରହିଥାଏ। ଝିଅଟିଏ ଯେ ଅଜନ୍ମା ବନ୍ଦୀନୀ।କାଠ କଣ୍ଢେଇ ର ଡୋରି ଗୁଡ଼ିକ ଯେପରି ନଚାଳିର ଅଧୀନରେ ଥାଏ ସେହିପରି ଝିଅଟିର ସମସ୍ତ ମାନସିକ ତଥା ଶାରୀରିକ ତନ୍ତ୍ରୀ ଗୁଡ଼ିକ ର ମାଲିକାନା ସମୟ ଅନୁଯାୟୀ ବଦଳିଥାଏ।

                                    ପୂର୍ଣ୍ଣିମା ଶ୍ୱଶୁରଙ୍କ କହିବା ଅନୁସାରେ ଘରେ ହିଁ କାମସବୁ ସାରି ପାଠ ପଢ଼ିବାକୁ ଲାଗିଲା। ଏହିପରି ତାର ଗ୍ରାଜୁଏସନ୍ ଶେଷ ହୋଇଗଲା। ଏବେ ସେ ସ୍ୱାବଲମ୍ବୀ ହେବାକୁ ଚାହୁଁଥିଲା। ଏହା ଜାଣି ତା ଶାଶୁ କହିଲେ,"ତୋର ଚାକିରି କରିବା କଣ ଦରକାର। ଆମ ଘରେ କଣ ଅଭାବ ରହିଛି କି ତୁ ଚାକିରୀ କରିବୁ। ଜମିବାଡ଼ି ଜାଗା ସବୁତ ଅଛି, ପୁଅ ବି ତ ରୋଜଗାର କରୁଛି। ତା'ଛଡା ଆମର ଚାରି ପାଞ୍ଚ ଗାଁ ରେ ନାମ ଅଛି। ଏ ଘର ର ବୋହୁ ବାହାରେ କାମ କଲେ ଆମ ଘରର ସମ୍ମାନ ରହିବନି। ଚାକିରି କରିବା ଚିନ୍ତା ଛାଡ଼ି ଘରର କାମ ରେ ମନ ଦେ। କାଲି ତମର ପିଲା ହେଲେ ତୁ ଚାକିରି ଗଲେ ସେସବୁ କିଏ କରିବ। ମୁଁ ଆଉ ଘର କାମକୁ ପାରୁନି।"

ପୂର୍ଣ୍ଣିମା ସବୁ କିଛି ବୁଝିପାରୁଥିଲା। ଶାଶୁଘର ଲୋକଯେ ଗାଁ ରୁ ଗରିବ ପରିବାରରୁ ନିଜ ପୁଅ ପାଇଁ ଯୋଗ୍ୟ କଣ୍ଢେଇଟିଏ ଆଣିଥିଲେ। ବାହାଘର ପୂର୍ବରୁ ସେମାନେ ହିଁ ତା ସ୍ୱପ୍ନ ର ଭବିଷ୍ୟତ ପାଇଁ ରାଜିଥିଲେ। ଏବେ ଏହି ସ୍ୱାର୍ଥପୂର୍ଣ୍ଣ ସମ୍ପର୍କ ପାଇଁ ନିଜର ବର୍ଷ ବର୍ଷର ସାଧନାକୁ ନଷ୍ଟ କରିବାକୁ ଚାହୁଁନଥିଲା।

ସେ କାଠ କଣ୍ଢେଇଟିଏ ହୋଇପାରେ କିନ୍ତୁ ଡୋର ସବୁକୁ ଅନ୍ୟ ହାତରୁ ଛଡେଇ ଆଣିବାକୁ ସ୍ଥିର କରିସାରିଥିଲା।

ଶାଶୁ ଘରୁ ହଠାତ୍ ବାହାରି ଆସି ଏକା ଚାଲିଗଲା ତା ଗାଁ କୁସୁମ ପୁର। ବାପା ହଠାତ୍ ଏସବୁ ଶୁଣି ଚୁପ୍ ହୋଇ କିଛି ଚିନ୍ତା କରିକହିଥିଲେ ଏଟା ବି ତୋର ଘର, ସବୁଦିନ ପାଇଁ ରହିପାରୁ। ଏବେ ବାପା ଝିଅ ଦୁହିଁଙ୍କ ଆଖିରେ ଭରି ରହିଥିବା ଲୁହ ସବୁ ସୂର୍ଯ୍ୟ କିରଣ ରେ ଚିକ୍ ମିକ୍ ହୋଇ ବହି ଯାଉଥିଲା। ପୂର୍ଣ୍ଣିମା ତାର ସଫଳତା ଆଡକୁ ପାଦ ଥାପି ସାରିଥିଲା।

                        ସଫଳତା ପାଇଥିବା ପ୍ରତ୍ୟେକ ଝିଅ ପଛରେ ଏକ ବିଶାଳ ମନ ଥିବା ବାପା ଟିଏ ନିଶ୍ଚିତ ରହିଥାଆନ୍ତି।



Rate this content
Log in

Similar oriya story from Inspirational