Sambit Srikumar

Tragedy Inspirational

4.8  

Sambit Srikumar

Tragedy Inspirational

କାର୍ପଟଦାର

କାର୍ପଟଦାର

8 mins
393



ସେଦିନ ସକାଳୁ ସକାଳୁ ଖବରକାଗଜର ପ୍ରଥମ ପୃଷ୍ଠାରେ ପ୍ରକାଶିତ ଖବରର ଶିରୋନାମା ଦେଖି ଆକାଶୁ ଖସି ପଡିବା ପରି ମନେ କରୁଥିଲେ ମାନଗୋବିନ୍ଦ ବାବୁ । କୋଟରଗତ ଚକ୍ଷୁରେ ବାରମ୍ବାର ଖବରକାଗଜକୁ ପଢୁଥିଲେ ତନ୍ନ ତନ୍ନ କରି । ଖବରଟା ହିଁ ଏମିତି ଚମକପ୍ରଦ ଥିଲା । ଯଦିଓ ଏହା ତାଙ୍କ ପାଇଁ ଆଦୌ ଶୁଭଙ୍କରୀ ନଥିଲା । କେମିତି ବା ହୋଇଥାଆନ୍ତା? ଯାହା ଭରସାରେ ଜୀବନ ଯାକର ସାଇତା ଜମାପୁଞ୍ଜି ବାନ୍ଧିଥିଲେ ସେ ଯଦି ଦେଶାନ୍ତରୀ ହୋଇଯିବ, ତାହେଲେ ଆଉ କଣ ବା କରାଯାଇପାରିବ? ଆଇନର ହାତ ଲମ୍ବା କେବଳ ଫିଲ୍ମରେ, କାହାଣୀରେ କିନ୍ତୁ ବାସ୍ତବ ଜୀବନରେ ନୁହେଁ!

ମାନଗୋବିନ୍ଦ ମହାନ୍ତି! ରାଜଧାନୀ ଭୁବନେଶ୍ଵରର ବାସିନ୍ଦା । ତାହା ପୁଣି ସ୍ଥାୟୀ ନୁହେଁ, ମାନେ ଭଡାଟିଆ! ଭଡାଘରେ ରହୁଥିବା ହେତୁ ବେଳେ ବେଳେ ନିଜକୁ ଭୁବନେଶ୍ୱରିଆ ବୋଲି କହିବାକୁ ଶଙ୍କା ଅନୁଭବ କରନ୍ତି ସେ । ମୂଳତଃ ବାଲେଶ୍ୱରିଆ ଲୋକ ମାନଗୋବିନ୍ଦ ବାବୁ । କିନ୍ତୁ ଦୀର୍ଘ ତିରିଶ ବର୍ଷ ଧରି ଭୁବନେଶ୍ଵର ତାଙ୍କର ଠିକଣା ପାଲଟିଛି ଯଦିଓ ଅସ୍ଥାୟୀ ଭାବେ । ଗାଆଁ ପାଖର ଅନ୍ୟ ଜାତିର ବଙ୍ଗୀୟ ଯୁବତୀଙ୍କୁ ପ୍ରେମ ବିବାହ କଣ କଲେ ଯେ ଗାଆଁ ମାଟି ସବୁଦିନ ପାଇଁ ପର ହୋଇଗଲା ତାଙ୍କ ପାଇଁ।

ଆଜିକାଲି ପରି ସେତେବେଳେ ପ୍ରେମ ଏତେ ପ୍ରସିଦ୍ଧ ନଥିଲା ସମାଜରେ । ସଭିଏଁ ନାକ ଟେକୁଥିଲେ ଏଇ ପ୍ରେମକୁ ନେଇ । ପରିବାରରେ ସମ୍ମତି ମିଳିବା ଥିଲା ଅସାଧ୍ୟ ବ୍ୟାପାର । ନିନ୍ଦା ଅପବାଦ ଲୋକ ଲଜ୍ଜା ଛି ଛାକର ଆଦି ଥିଲା ପ୍ରାପ୍ଯ ପ୍ରେମୀ ଯୁଗଳଙ୍କର । ଖୁଲମଖୁଲା ପ୍ରେମର ପ୍ରଶ୍ନ ଉଠୁନଥିଲା । ତଥାପି ବଡ଼ ସାହାସର ସହିତ ମାନଗୋବିନ୍ଦ ବାବୁ ନିଜ ପ୍ରେମକୁ ସାକାର ଓ ସାର୍ଥକ କରିପାରିଛନ୍ତି । ଗୋଟିଏ ଝିଅ ଓ ଗୋଟିଏ ପୁଅର ଜନକ ସିଏ । ଏହା ହିଁ ତାଙ୍କ ଜୀବନର ସବୁଠାରୁ ବଡ଼ ଉପଲବ୍ଧି ବୋଲି ବିବେଚନା କରନ୍ତି ସେ । ଭଗବାନଙ୍କ ଉଦ୍ଦେଶ୍ୟରେ ଆପେ ଆପେ ହାତ ଦୁଇଟି ଉଠିଯାଏ ତାଙ୍କର । ବୈଷ୍ଣବ ଦୀକ୍ଷିତ ହୋଇଥିବାରୁ ତାଙ୍କର ପରମ ଆରାଧ୍ୟ ଦେବତା ଥିଲେ ଶ୍ରୀକୃଷ୍ଣ, ଯାହାଙ୍କୁ ସେ ସଦାସର୍ବଦା "ଗୋବିନ୍ଦ" "ଗୋବିନ୍ଦ" ବୋଲି ଜପ କରୁଥିଲେ।

କେତେ ଦିନ ବା ଲୁଚି ରହିଥାନ୍ତା ଦୁହିଁଙ୍କ ମଧ୍ୟରେ ଥିବା ପ୍ରେମ ସମ୍ବନ୍ଧ । ଧିରେ ଧିରେ ଗ୍ରାମାଞ୍ଚଳରେ ପ୍ରଘଟ ହେବାକୁ ଲାଗିଲା ଦୁହିଁଙ୍କ ବିଷୟରେ । କେତେ ଲୋକ କେତେ କଥା କହିଲେ ଲଗେଇ ଜୁଟେଇ । ଦିନକୁ ଦିନ ଅସହ୍ୟ ହୋଇ ପଡିଲା ଦୁହିଁଙ୍କ ପାଇଁ ଗାଆଁରେ ରହିବା । ପ୍ରଥମ ବାଧକ ଥିଲା ପ୍ରେମ ଓ ଦ୍ୱିତୀୟ ବାଧକ ସାଜିଲା ଜାତି । କାହାକୁ କିଛି ନ କହି ଗାଆଁରୁ ଦୁହେଁ ପଳାଇ ଆସିଥିଲେ ଭୁବନେଶ୍ୱର କଲେଜରୁ ବିଏ ପାଶ୍ କରୁ କରୁ । ହାତରେ କାମ ନଥିଲା । ପକେଟରେ ପଇସା ନଥିଲା । ପ୍ରେମ ସିନା ଯାହିତାହି ସଫଳ ହୋଇଗଲା କିନ୍ତୁ ଜୀଇଁବା ଦୁର୍ବିସହ ହୋଇପଡିଲା । ହାଃ ହତାଶାରେ କାଳପିପାତ କରୁଥାନ୍ତି ନବ ଦମ୍ପତ୍ତି । ଠିକ୍ ଏତିକି ବେଳେ ମାନଗୋବିନ୍ଦ ବାବୁଙ୍କୁ ଗୋଟିଏ ଘରୋଇ ସଂସ୍ଥାରେ କ୍ଯାଶିୟରର ଚାକିରି ମିଳିଗଲା । ଓଳିଏ ଖାଇବା ସହିତ ମାସକୁ ତିନି ହଜାର ଟଙ୍କା ପାରିଶ୍ରମିକ । ସତେ ଯେମିତି ଡୁବିଯାଉଥିବା ନୌକା ଭାସି ଭାସି କୂଳରେ ଲାଗିଗଲା । ଏହା ପରେ ଆଉ ସେ ପଛକୁ ଫେରି ଚାହିଁ ନାହାଁନ୍ତି । ଘର ପରିବାର ଲୋକେ ତ ତାଙ୍କୁ ପର କରି ଦେଇଥିଲେ । ସେ ବି ଆଉ ସେମାନଙ୍କୁ କେବେ ବି ଲୋଡ଼ି ନାହାଁନ୍ତି କି ଖୋଜି ନାହାଁନ୍ତି।

ଏମିତି ଗଡି ଚାଲିଲା ଦିନ ସବୁ ପାଣି ପରି । ସମୟକ୍ରମେ ଦୁହେଁ ମାତାପିତା ହେବାର ଗୌରବ ପ୍ରାପ୍ତ ହେଲେ । ପରିବାର ବୃଦ୍ଧି ପାଇଲା, ତତସହିତ ଖର୍ଚ୍ଚ ମଧ୍ୟ ବଢ଼ୁଥାଏ । ଏହା ଉପରେ ମୁଦ୍ରାସ୍ଫୀତି ମହଙ୍ଗା ମାଡ଼ରେ ଅଣ୍ଟା ନଇଁ ଯାଉଥାଏ । କିନ୍ତୁ ସ୍ୱପ୍ନ ଦେଖା ସରିନଥାଏ ମାନଗୋବିନ୍ଦ ବାବୁଙ୍କର । ଦିନେ ନା ଦିନେ ଏଇ ମନ୍ଦିରମାଳିନୀ ଭୁବନସୁନ୍ଦରୀ ଭୁବନେଶ୍ୱରର ଛାତିରେ ତାଙ୍କର ହେବ ନୀଡ଼ଟିଏ । ହେବ ତାଙ୍କର ସ୍ଥାୟୀ ଠିକଣା । ଦୁନିଆଁ ଯାକର ସମସ୍ତ ପ୍ରକାର ଜିନିଷ ସେଇଠି ସେ ସାଇତି ରଖିବେ । ଖଣ୍ଡିଆ ସେକେଣ୍ଡ ହ୍ଯାଣ୍ଡ୍ ସ୍କୁଟରର ଫଟଫଟିଆ ଶବ୍ଦ ଆଉ ରୁଚୁନି । ଯାହାବି ହେଉ ଚାରିଚକିଆ ବାହାନଟେ ହେବ । କିଛି ନହେଲେ ନାହିଁ ଅତି କମରେ ମାରୁତି ଅଲ୍ଟୋ! ଯେଉଁଥିରେ ଚାରି ପ୍ରାଣୀର କୁଟୁମ୍ବ ସ୍ୱାଛନ୍ଦ୍ୟରେ ଯୁଆଡ଼େ ଇଚ୍ଛା ସିଆଡ଼େ ଯାଇ ପାରୁଥିବେ।

ପିଲା ଦୁଇଜଣ ଶଶିକଳା ପରି ବଢିବାକୁ ଲାଗିଲେ । ଟିକେ ବଡ଼ ହୋଇଯିବା ପରେ କନଭେଣ୍ଟ୍ ସ୍କୁଲରେ ପଢ଼ିବାରେ ଲାଗିଲେ । ଦୁହିଁଙ୍କର ଷ୍ଟାଣ୍ଡାର୍ଡ୍ ବହୁତ ଭଲ । ବିନା ଟ୍ୟୁସନରେ ବି ପାଠ ପଢ଼ାରେ ଆଗୁସାର ଭାଇ ଭଉଣୀ । ପିଲାମାନଙ୍କ ଚନ୍ଦ୍ର ଉଦିଆ ମୁହଁକୁ ଚାହିଁ ଦେଲେ ମାନଗୋବିନ୍ଦ ବାବୁଙ୍କର ସବୁ ଅଭାବ ଅସୁବିଧା କୁଆଡ଼େ ଦୂରେଇ ଯାଏ । ମନ ପ୍ରଫୁଲ୍ଲ ରହେ, ସତେଜ ଅନୁଭବ କରନ୍ତି ସେ । ମନେ ମନେ ଭାବନ୍ତି ଯାହା କିଛି ବି ହୋଇଯାଉ ପିଲା ଦୁହିଁଙ୍କୁ ମଣିଷ ଭଳିଆ ମଣିଷ କରିବେ । ନିଜ ଗୋଡ଼ରେ ଠିଆ କରାଇବେ, ସଶକ୍ତ ଏବଂ ସ୍ୱାବଲମ୍ବୀ । ଏଥିପାଇଁ ତାଙ୍କୁ ଯାହା ବି କରିବାକୁ ହେବ କରିବେ । ନିଜେ ବନ୍ଧା ପଡନ୍ତୁ କି ଛନ୍ଦା ପଡନ୍ତୁ କିନ୍ତୁ ପିଲା ଦିହେଁ ମଣିଷ ଭଳିଆ ମଣିଷ ହେବେ ନିଶ୍ଚିତ । ଏହା ପରେ ଦୁହିଁଙ୍କର ଖୁବ୍ ଧୁମଧାମରେ ବାହାଘର କରିବେ । ତାଙ୍କର ଅତିକମରେ ଅଧା ଡଜନେ ସରିକି ନାତିନାତୁଣୀ ହେବେ । ସେମାନଙ୍କ ପାଇଁ ଘୋଡ଼ା ହୋଇ ପିଠିରେ ବସାଇ ବୁଲାଇବେ...

ନିଜେ ସିନା ଲୁଚିଛପି ବାହା ହେଇଥିଲେ ମନ୍ଦିରରେ ତାହା ପୁଣି ବିନା ଖର୍ଚ୍ଚରେ ମାତ୍ର ପିଲାମାନଙ୍କ ପାଇଁ ସେମିତି ହେବନି । ଏଇ ଯେଉଁ ପେଟରୁ କାଟି ସଞ୍ଚି ରଖିଛନ୍ତି କେଉଁ ଦିନ ଆଉ କାମରେ ଲାଗିବ? ମାନଗୋବିନ୍ଦ ବାବୁଙ୍କ ଧର୍ମପତ୍ନୀ ମହାଶ୍ୱେତା ଦେବୀ ଆଜନ୍ମ ରୋଗିଣୀ । କିଛି ନା କିଛି ରୋଗ ବଇରାଗ ତାଙ୍କର ସବୁବେଳେ ଲାଗି ରହିଥିବ । ତଥାପି ସେ ସଦାସର୍ବଦା ଚଳ ଚଞ୍ଚଳ । କେବେ ବି ଜୀବନସାଥିଙ୍କ ଉପରେ ବୋଝ ହୋଇ ନାହାଁନ୍ତି ସେ । ବରଂ ଶିଖିଥିବା ସିଲେଇ କାମରୁ ଭଲ ଦୁଇ ପଇସା ରୋଜଗାର କରି ସ୍ୱାମୀଙ୍କ ସହିତ ପରିବାର ପ୍ରତିପୋଷଣରେ ସହଯୋଗ କରନ୍ତି । ପତ୍ନୀଙ୍କ ପାଇଁ ଅନେକ ଟୁଣୁକାଟୁଣୁକି ଚିକିତ୍ସା କରାଇଲେଣି ମାନଗୋବିନ୍ଦ ବାବୁ । କିନ୍ତୁ କିଛି ଦିନ ପରେ ପୁଣି ଆଉ କିଛି ନୂଆ ବେମାରି ଧରେ ମହାଶ୍ୱେତା ଦେବୀଙ୍କୁ । ଏଣୁ ଏଥର ଦୃଢ଼ ନିଶ୍ଚୟ କରିଛନ୍ତି ଆଗକୁ ସବୁ ରୋଗ ବଇରାଗର ସଠିକ୍ ଚିକିତ୍ସା ହେବ । ଆଉ କଷ୍ଟ ସହିବାକୁ ଦିଆଯିବନି ଧର୍ମପତ୍ନୀଙ୍କୁ।

ହେଲେ ଏତେ ସବୁ ସ୍ୱପ୍ନ ସ୍ଵଳ୍ପ ବେତନ ଓ ସୀମିତ ସାଧନରେ ସାକାର ହେବ କେମିତି? ଆଜିର ବସ୍ତୁବାଦୀ ଦୁନିଆରେ ତ ଅର୍ଥ ହିଁ ସବୁକିଛି । ଅର୍ଥ ବିନା ଦଣ୍ଡେ ଜିଇଁବା ମୁସ୍କିଲ୍ । ପୁଣି ଏତେ ସବୁ ସ୍ୱପ୍ନର ପାହାଡ଼ ସତରେ ପରିଣତ ହେବ କିପରି? ନିଜର ମନକୁ ପ୍ରଶ୍ନ ପଚାରନ୍ତି ମାନଗୋବିନ୍ଦ ବାବୁ । ପୁଣି ନିଜକୁ ନିଜେ କହି ହୁଅନ୍ତି, "ଯାହା ଗୋବିନ୍ଦଙ୍କ ଇଛା, ସେ ହିଁ ଏକା ଭରସା!" କିନ୍ତୁ କଠିନ ପରିଶ୍ରମୀ ମାନଗୋବିନ୍ଦ ବାବୁ ଗୋବିନ୍ଦଙ୍କ ଭରସାରେ ବସି ରହିନଥିଲେ । କାରଣ ଗୋବିନ୍ଦ ତ କହିଛନ୍ତି, "ଫଳକୁ ଆଶା ନକରି କର୍ମ କରିବାକୁ!" ଫୁରୁସତ୍ ସମୟରେ ସ୍କୁଲ ପିଲାଙ୍କୁ ଟ୍ୟୁସନ ପଢାନ୍ତି । ସେଥିରୁ ଭଲ ଦି' ପଇସା ରୋଜଗାର ହୁଏ । ମେଧାବୀ ହୋଇଥିବାରୁ ତାଙ୍କ ନିଜ ପିଲାମାନଙ୍କର ଟ୍ୟୁସନ ଦରକାର ପଡ଼ିନି ୟୁନିଭର୍ସିଟିରୁ ଡିଗ୍ରୀ ପାଇବା ଯାଏଁ।

ମାନଗୋବିନ୍ଦ ବାବୁଙ୍କର ଝିଅ ବଡ଼ । ନାଁ ତା'ର ନନ୍ଦିନୀ! ଦେଖିବାକୁ ଖୁବ୍ ସୁନ୍ଦର, ଅନିନ୍ଦ୍ୟ ସୁନ୍ଦରୀ! ସ୍ୱଭାବରେ ଅନୁରୂପ ଭାବେ ସୁଶୀଳା । ମେଧାବୀ ଛାତ୍ରୀ । ଏବେ ରାଜଧାନୀ ଉପକଣ୍ଠରେ ଥିବା ଗୋଟିଏ ଘରୋଇ ମହାବିଦ୍ୟାଳୟରେ ଅର୍ଥନୀତି ବିଭାଗର ଅସ୍ଥାୟୀ ଅଧ୍ୟାପିକା ଭାବେ କାର୍ଯ୍ୟରତା । ଦୁଇ ଚାରି ମାସକୁ ଥରେ ଅଧେ କେବେ ଦରମା ମିଳେ ତ କେବେ ମିଳେ ନାହିଁ । ପୁଅ ନୀରଜ ମୁକ୍ତବୃତ୍ତି ସାମ୍ବାଦିକ । ଅଗଣିତ ପତ୍ରପତ୍ରିକାର ସହ ସମ୍ପାଦକ । ସାରା ରାଜ୍ୟରେ ନାଁ କରିଛି ମାତ୍ର ରୋଜଗାର କଥା ନକହିବା ଭଲ । ପିଲାମାନଙ୍କ ଉପରେ କେବେ ବି ନିଜ ଜିଦ୍ ଅବା ଇଛାକୁ ଲଦି ଦେଇ ନାହାଁନ୍ତି ମାନଗୋବିନ୍ଦ ବାବୁ । ସେମାନଙ୍କୁ ସେମାନଙ୍କ ନିଜର ଜୀବନର ପଥ ନିର୍ଦ୍ଧାରଣ କରିବାକୁ ସଦା ସର୍ବଦା ସ୍ୱାଧୀନତା ଦେଇଛନ୍ତି।

ନିଜର ସୀମିତ ସମ୍ବଳରୁ କିଛି କିଛି ସଞ୍ଚୟ କରି ରଖନ୍ତି ମାନଗୋବିନ୍ଦ ବାବୁ ଜୀବନର ପହିଲି ରୋଜଗାର ଦିନରୁ । ଏମିତି ଦୀର୍ଘ ତିରିଶ ବର୍ଷ ଧରି ସଞ୍ଚୟ କରି ରଖିଥିବା ଅର୍ଥକୁ ଦିନେ ଜନୈକ ହୀତକାଂକ୍ଷୀ ଅରବିନ୍ଦ ଅଗସ୍ତିଙ୍କ ପରାମର୍ଶ କ୍ରମେ ଗୋଟିଏ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାରେ ବିନିଯୋଗ କରିଥିଲେ । ସଂପୃକ୍ତ ହୀତାକାଂକ୍ଷୀ ସେହି ଅର୍ଥ ଲଗାଣକାରୀ ସଂସ୍ଥାର ଆର୍ଥିକ ପରାମର୍ଶଦାତା ମଧ୍ୟ ଥିଲେ । ସେ ମଧ୍ୟ ମାନଗୋବିନ୍ଦ ବାବୁ କାର୍ଯ୍ୟରତ ଥିବା ଘରୋଇ ସଂସ୍ଥାରେ ଅଡ଼ିଟର ଥିଲେ । ଏଣୁ ଅବିଶ୍ଵାସର କାରଣ ନଥିଲା । ଏହା ହୁଏତଃ ତାଙ୍କ ଜୀବନର ସବୁଠାରୁ ବଡ଼ ଭୁଲ୍ ଥିଲା! ନିବେଶର ମୂଳ ନିୟମ ଅନୁସାରେ ସମସ୍ତ ଅର୍ଥ କେବେ ବି ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ବିନିଯୋଗ କରିବା ବୁଦ୍ଧିମାନର କାର୍ଯ୍ୟ ନୁହେଁ! କିନ୍ତୁ ମାନଗୋବିନ୍ଦ ବାବୁ ପ୍ରଲୋଭନର ବଶବର୍ତ୍ତୀ ହୋଇ ଏପରି ମସ୍ତବଡ଼ ତୃଟି କରି ବସିଲେ ଯେ ତାହାର ମୂଲ୍ଯ ତାଙ୍କୁ ବେଶ୍ ମହଙ୍ଗା ପଡ଼ିଲା!

ରାଜ୍ୟର ସର୍ବାଧିକ ବହୁଳ ପ୍ରସାରିତ ଖବରକାଗଜଗୁଡ଼ିକର ପ୍ରଥମ ପୃଷ୍ଠାରେ ସୁବିସ୍ତୃତ ଭାବେ ଆକର୍ଷଣୀୟ ବିଜ୍ଞାପନଟିଏ ପ୍ରକାଶିତ ହୋଇଥିଲା "ଅର୍ଥର ଅର୍ଥ ଫାଇନାନ୍ସିଂ" ସଂସ୍ଥା ପକ୍ଷରୁ । ନିଜର ପ୍ରଚାର ନିମନ୍ତେ ଛାପିଥିଲା ବିଜ୍ଞାପନଟିକୁ ବିପୁଳ ଅର୍ଥ ଖର୍ଚ୍ଚ କରି । ରାଜ୍ୟର ପ୍ରମୁଖ ରାଜନୈତିକ ଦଳଗୁଡିକର ଶୀର୍ଷ ସ୍ଥାନୀୟ ନେତାଙ୍କ ସହାସ୍ଯ ବଦନର ଫଟୋଚିତ୍ର ମଧ୍ୟ ଟେଷ୍ଟିମୋନି ଭାବେ ପ୍ରକାଶ ପାଇଥିଲା । ବିଜ୍ଞାପନ ମାଧ୍ୟମରେ ପ୍ରଦର୍ଶିତ ନିବେଶ ବା ଇନଭେଷ୍ଟମେଣ୍ଟ୍ ଯୋଜନାରୁ ଲାଭ ଉଠାଇବାର ଅବଧି ଖୁବ୍ ସୀମିତ ସମୟର ଥିଲା । ବେଶ୍ ଲୋଭନୀୟ ପ୍ରସ୍ତାବ! ଲାଭଜନକ ପ୍ରସ୍ତାବ! ଜୀବନ ବଦଳାଇବାର ପ୍ରସ୍ତାବ! ମାତ୍ର ତିନି ବର୍ଷରେ ଲଗାଣ ଅର୍ଥ ଦ୍ୱିଗୁଣିତ ହୋଇଯିବାର ପ୍ରଲୋଭନ ଦେଖା ଯାଇଥିଲା ନିବେଶକମାନଙ୍କୁ । ପ୍ରଲୋଭନ ସହିତ ଦଳମତ ନିର୍ବିଶେଷରେ ବିଭିନ୍ନ ରାଜନୈତିକ ନେତାଙ୍କ ଦମ୍ଭୋକ୍ତି ଭରା ଟେଷ୍ଟିମୋନି ଜନସାଧାରଣଙ୍କ ମନରେ ବିଶ୍ୱାସ ଜନ୍ମାଇବାର ସକ୍ଷମ ହୋଇଥିଲା । ଏହି ମାୟାଜାଲରେ ଅନ୍ୟ ଲୋକଙ୍କ ପରି ମାନଗୋବିନ୍ଦ ବାବୁ ମଧ୍ୟ ଫସି ଯାଇଥିଲେ।

ମାତ୍ର କିଛି ଦିନର ତ କଥା! ତାପରେ ଖାଲି ଟଙ୍କା ଆଉ ଟଙ୍କା, ପୁଳା ପୁଳା ଟଙ୍କା! ଲୋକଙ୍କ ଖୁସି କହିଲେ ନ ସରେ! ଭାଗ୍ୟରେ ଥିଲେ ଏମିତି ଏକ ଯୋଜନାରେ ଭାଗୀଦାରୀ ମିଳେ । ସବୁ ଅଭାବ ଅସୁବିଧା କଷଣ ଦୂରେଇ ଯିବ ଏଥର । କେଇଟା ଦିନରେ ସଞ୍ଚିତ ଧନ ବହୁ ଗୁଣିତ ହୋଇଯିବ, ହିସାବ ରଖିଲେ ବି ରହିବନି! ଏଣିକି ମନ ଇଚ୍ଛା ଜୀଇଁ ହେବ ଜୀବନ । କୌଣସି ପାର୍ଥିବ ପଦାର୍ଥ ଆଉ ଅପହଞ୍ଚ ହୋଇ ରହିବ ନାହିଁ, ସବୁ କିଛି ହସ୍ତଗତ କରି ହେବ! ଉଜ୍ଜ୍ୱଳ ଆର୍ଥିକ ଭବିଷ୍ୟତର ସୁନେଲି ସ୍ୱପ୍ନରେ ବିଭୋର ହୋଇ କିଛି ଦିନ ବିତିଗଲା । ଅର୍ଥ ପ୍ରାପ୍ତିର ଦିନ ଧିରେ ଧିରେ ପାଖେଇ ପାଖେଇ ଆସୁଥିଲା । ବିନିଯୋଗକାରୀଙ୍କ ମନରେ ଖୁସିର ଜୁଆର ଉଠୁଥିଲା।

ଅଚାନକ ଦିନେ ପୁଣି ଖବରକାଗଜଗୁଡ଼ିକରେ ପ୍ରକାଶ ପାଇଲା ଗୋଟିଏ ଚାଞ୍ଚଲ୍ୟକର ଖବର ପ୍ରଥମ ପୃଷ୍ଠାରେ । ଖବରଟିକୁ ଅବିଶ୍ଵାସ କରିବା ପାଇଁ କିଛି ବି କାରଣ ନଥିଲା । ସବୁ କିଛି ସୂର୍ଯ୍ୟାଲୋକ ପରି ସ୍ଵଚ୍ଛ ଓ ପରିଷ୍କାର ଥିଲା । ଭୂମିକମ୍ପର ତୀବ୍ର ଝଟକା ଅନୁଭବ କଲେ ସଭିଏଁ । ବିନା କୌଣସି ପୂର୍ବାନୁମାନର ଏଇ ଭୂମିକମ୍ପରେ ଧୂଳିସାତ୍ ହୋଇ ଯାଇଥିଲା ଅନେକ ସ୍ଵପ୍ନର ନଭଶ୍ଚୁମ୍ବୀ ଇମାରତ । କାହାର ଝିଅ ବାହାଘର ତ କାହା ପୁଅର ଉଚ୍ଚଶିକ୍ଷା । କାହାର ଦୂରାରୋଗ୍ୟ ବ୍ୟାଧିର ଚିକିତ୍ସା ତ ଆଉ କାହାର ଘରତୋଳା । କାହାର ସୌଖିନ ଜୀବନଚର୍ଯ୍ୟାର ଅଭିପ୍ସା ତ କାହାର ମୌଳିକ ଆବଶ୍ୟକତା ପୂରଣ କରିବାର ଅଭିପ୍ରାୟ । ଏମିତି ବହୁ ସ୍ଵପ୍ନ ସୁଦୂର ପରାହତ ଗୋଟିଏ ଝଟକାରେ...

ଅର୍ଥର ଅର୍ଥ ଫାଇନାନ୍ସିଂ ମୁଖ୍ୟ ଦପ୍ତର ସମେତ ସଂସ୍ଥାର ବିଭିନ୍ନ ସ୍ଥାନରେ ଥିବା ଦପ୍ତରଗୁଡ଼ିକରେ ତାଲା ଝୁଲୁଥିଲା ଆଉ ସମସ୍ତ କର୍ମଚାରୀ ଏକସଙ୍ଗରେ ନିରୁଦ୍ଦିଷ୍ଟ ହୋଇ ଯାଇଥିଲେ । କେହି ବୋଲି କେହି ବି ଉପସ୍ଥିତ ନଥିଲେ ସେଠାରେ । ଦିନର ବୟସ ବଢ଼ିବା ସହିତ ଜମାକାରୀଙ୍କ ଭିଡ଼ ଜମିବାରେ ଲାଗିଲା ଦପ୍ତର ସାମ୍ନାରେ । ଜମାକାରୀମାନଙ୍କର ପୁଞ୍ଜୀଭୂତ ଅସନ୍ତୋଷ ଆନ୍ଦୋଳନର ରୂପ ଧାରଣ କଲା । ଭିଡ଼ ଅସମ୍ଭାଳ ହେବାରୁ ପୁଲିସ୍ ଲାଠି ଚାଳନା କଲା । ଶେଷରେ ବାଧ୍ୟ ହୋଇ ଲୁହ ବୁହା ଗ୍ୟାସ୍ ମାଡ଼ କରାଗଲା ବିକ୍ଷୋଭକାରୀଙ୍କ ଉପରେ । ଅନେକ ଛତ୍ରଭଙ୍ଗ ଦେଲେ, କେତେକ ଆହାତ ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ । କିନ୍ତୁ ମୂଳ ସମସ୍ୟା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ କି ଲୋକଙ୍କ ଅର୍ଥ ଫେରସ୍ତ ପାଇଁ ପଦକ୍ଷେପ ନିଆଗଲା ନାହିଁ । ସରକାର ସବୁଥର ଭଳି ଥିଲେ ନିଦାବିଷ୍ଣୁ, ଉଦାସୀନ । ଜମାକାରୀଙ୍କ ସ୍ୱାର୍ଥ ସୁରକ୍ଷା କରିବା ପରିବର୍ତ୍ତେ ଆର୍ଥିକ ଅପରାଧରେ ସଂପୃକ୍ତ ଥିବା ବ୍ୟକ୍ତି ବିଶେଷଙ୍କୁ ସୁରକ୍ଷା ଦେବାକୁ ତତ୍ପର ଥିଲେ । ଦୁଇ ଚାରି ଦିନ ଟିଭି ଚ୍ୟାନେଲରେ ଜୋରଦାର ଚର୍ଚ୍ଚା ହୋଇଥିଲା । ସପ୍ତାହ ପରେ ସଭିଏଁ ନୀରବି ଗଲେ ଉତଫଣ ନାଗସାପ ସାପୁଆ କେଳାର ପଦ୍ମତୋଳାରେ ବଶୀଭୂତ ହେବା ପରି।

ଲକ୍ଷ ଲକ୍ଷ ଜମାକାରୀଙ୍କ ଶହ ଶହ କୋଟି ଟଙ୍କା ଲୁଟି ସଂସ୍ଥା ଉଭାନ୍ । ଅର୍ଥର ଅର୍ଥ ଫାଇନାନ୍ସିଂ ସଂସ୍ଥାର ମାଲିକାନା ସତ୍ୱାଧିକାରୀ ଜୟଦତ୍ତ ଜଗଦେବ ବିଦେଶକୁ ସପରିବାରେ କରିଥିଲେ ପଳାୟନ ଆଇନର ଜାଲକୁ କାଟିଦେଇ ବେଶ୍ ସନ୍ତର୍ପଣରେ ସମସ୍ତ ବୁଦ୍ଧିମତ୍ତାକୁ ଉପଯୋଗ କରି । ପ୍ରଶାସନିକ ବିଭାଗରେ ଅଧିଷ୍ଠିତ ପ୍ରଭାବଶାଳୀ ବ୍ୟକ୍ତି ବିଶେଷଙ୍କୁ ହସ୍ତ ମୁଦି ମାହାଲ କରି ବିସ୍ତାର କରିଥିବା ବ୍ୟବସାୟିକ ସାମ୍ରାଜ୍ୟର ପତନ ଘଟି ସାରିଥିଲା । ରାଜନୈତିକ ପୃଷ୍ଠପୋଷକତାରେ ଗଢି ଉଠିଥିବା ପୁଞ୍ଜିବାଦର ସାମ୍ରାଜ୍ୟ ତାସ୍ ଘର ପରି ଭୁଷୁଡ଼ି ପଡ଼ିଥିଲା । ଅଗଣିତ ଜନସାଧାରଣଙ୍କ କଷ୍ଟାର୍ଜିତ, ସ୍ୱେଦ ରକ୍ତ ବିଜଡିତ ଧନକୁ କରଗତ କରି ନିଜ ନିଜ ଭିତରେ ଭାଗବଣ୍ଟାରେ ବ୍ୟସ୍ତ ଥିଲେ ଏଥି ସହିତ ପରୋକ୍ଷ ଅଥଚ ପ୍ରଗାଢ଼ ଭାବେ ଜଡ଼ିତ ମୁଷ୍ଟିମେୟ ରାଜନୈତିକ ରାଜନେତା ଓ ସରକାରୀ ଅଧିକାରୀ ନିଜ ନିଜ ଭିତରେ।

ମାନଗୋବିନ୍ଦ ବାବୁଙ୍କ ପରି ଅସଂଖ୍ୟ କ୍ଷତିଗ୍ରସ୍ତ ଜମାକାରୀ କୋର୍ଟ କଚେରୀ ଧାଇଁ ଧାଇଁ ଚପଲ ଛିଣ୍ଡାଇଲେ ଯାହା । ତାରଖ ପରେ ତାରିଖ ଗଡ଼ିଚାଲିଲା । କେସ୍ ଲଢୁଥିବା ଓକିଲଙ୍କୁ ପୋଷିବା ସାର ହେଲା । ବମ୍ବେ ଦିଲ୍ଲୀ କିମ୍ବା ଦେଶ ଭିତରେ କେଉଁଠି ହୋଇଥିଲେ ଆଇନ୍ ଯାହା କିଛି କରିପାରିଥାନ୍ତା, ବିଦେଶର ଲୁଚିଥିବା କାର୍ପଟଦାରକୁ ବା କିଏ ଖୋଜିଥାନ୍ତା? ଆଜିର ଦିନରେ ଏହି ମାମଲାର ତଦନ୍ତ ଚାଲିଛି ଯେ ଚାଲିଛି ସରିବାର ନାଁ ନେଉନି । ନିର୍ବାଚନ ପରେ ନିର୍ବାଚନ ଅନୁଷ୍ଠିତ ହେଉଛି, ସରକାର ପରେ ସରକାର ବଦଳୁଛି । ଗତକାଲିର ଶାସକ ଦଳ ବିରୋଧୀ ଆସନରେ ବସୁଛନ୍ତି ଓ ବିରୋଧୀ ଦଳ ଶାସନଗାଦିରେ । ପୁନଃପୌନିକ କ୍ରିୟାରେ ଶାସନ କଳ ଗଡ଼ିଚାଲିଛି।

କାର୍ପଟଦାର ଜୟଦତ୍ତ ଜଗଦେବ ବିଦେଶରେ ସୁରା ସାକୀର ସୁରମ୍ୟ ବିପଣି ଖୋଲିଛି । ଯାହା ସାଧାରଣରେ ଶୁଣାଯାଏ ସେ କାଳେ ମଧ୍ୟପ୍ରାଚ୍ୟରେ ପାପର ରାଜଧାନୀ ଦୁବାଇ ମହାନଗରୀରେ ଆତ୍ମଗୋପନ କରିଛି ନାମ ବଦଳାଇ । ଦେଶାନ୍ତରୀ ହେବାପରେ ଅନ୍ୟ ଧର୍ମକୁ ଧର୍ମାନ୍ତରିତ ବି ହୋଇଯାଇଛି । ବିନା କାମରେ ନିଶ୍ଚିନ୍ତରେ ଦିନ କାଟୁଛି । ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରୁଛି । ତା' ସହିତ ଭାଗୀଦାର ଥିବା ଲୋକେ ମଧ୍ୟ ଏଠି ବେଶ୍ ପ୍ରତିପତ୍ତିଶାଳୀ ଓ ବିତ୍ତଶାଳୀ ହୋଇଯାଇଛନ୍ତି ଦିନ କେଇଟାରେ । ହିତାକାଂକ୍ଷୀ ଅରବିନ୍ଦ ଅଗସ୍ତି ଯାହାଙ୍କର ପରାମର୍ଶରେ ମାନଗୋବିନ୍ଦ ବାବୁ ସର୍ବସ୍ୱ ହରାଇ ବସିଲେ ସେ ମଧ୍ୟ ତାଙ୍କ ପହଞ୍ଚରୁ ବହୁ ଦୂରରେ । ଦର୍ଶନ ମିଳିବା ବି କାଠିକର ପାଠ।

ଆଜିକାଲି ମାନଗୋବିନ୍ଦ ବାବୁଙ୍କର ମାନସିକ ଭାରସାମ୍ୟ ଠିକ୍ ନାହିଁ । କାହାରିକୁ କିଛି ବି କହୁ ନାହାଁନ୍ତି ସେ ଅଭିମାନରେ । ଏଇ ଅଭିମାନ ତାଙ୍କର ଅତି ପ୍ରିୟ ଆରାଧ୍ୟ ଗୋବିନ୍ଦଙ୍କ ଉପରେ ସବୁଠାରୁ ଅଧିକ । ଗୋବିନ୍ଦଙ୍କ ଛତ୍ରଛାୟା ତଳେ ରହି କରି ମଧ୍ୟ କେମିତି ଏମିତି ମନ୍ଦ ବୁଦ୍ଧି ଦୁର୍ବୁଦ୍ଧି ଆସିଲା ତାଙ୍କ ମନରେ? ତାଙ୍କ ସଂସାର ଯେମିତି ଅଭାବ ଅସୁବିଧାରେ ଥିଲା ସେମିତି ଅଛି । ଅଭିଆଡ଼ି ଝିଅ, ପ୍ରଛନ୍ନ ବେକାର ପୁଅ ଓ ଚିର ରୋଗାକ୍ରାନ୍ତ ସ୍ତ୍ରୀଙ୍କୁ ନେଇ ବଖୁରିଏ ଭଡ଼ାଘରେ ଜୀବନ ବିତୁଛି ଅଗାଧ ଦୁଃଖ କଷ୍ଟରେ, କାଣିଚାଏ ନ୍ୟାୟର ଆଶାରେ ଚକମକ୍ ଗୋଲାମନଗରୀରେ...



Rate this content
Log in

Similar oriya story from Tragedy