କାର
କାର
ସନ୍ଧ୍ୟା ହେଇ ସାରାଲାଣି।ଜାଙ୍ଗୁଲୁ ଜାଙ୍ଗୁଲୁ ଅନ୍ଧାର ମାଡି ଆସୁଛି ଧିରେ ଧିରେ।ସବିତା ଝିଅ କୁନିକୁ ଧରି ଅପେକ୍ଷାକରି ବସିଛନ୍ତି।ବଡପୁଅ ତରୁଣ କୁନେଇ ରାମଚନ୍ଦ୍ର ବାବୁ ସକାଳୁ ବାହାରିଗଲେ ରାଉରକେଲା ନୂଆ କାର ଆଣିବା ପଇଁ।ହେଲେ ସନ୍ଧ୍ୟାଗଡି ରାତି ହେବାକୁ ବସିଲାଣି କାହିଁ ତାଙ୍କର ଦେଖା ଦର୍ଶନ ନାହିଁ?ଏପଟେ ଝିଅ ବିରକ୍ତ କରି ସାରିଲାଣି ମାଆ ନୂଆଗାଡି କେତେବେଳେ ଆସିବ ବୋଲି।ପ୍ରଥମେ ପ୍ରଥମେ ତ ସେ ଭଲକି ବୁଝାଇ କହୁଥିଲେ କିଛି ଅସୁବିଧାରେ ବାପା ଫସି ଯାଇଥିବେ।ଆସୁ ଥିବେ ତୁ ଟିକେ ଅପେକ୍ଷା କର।ଏମିତି ଅଥୟ ହେଲେ ଚଳିବ।ବାରମ୍ବାର ସେହି ଗୋଟିଏ ପ୍ରଶ୍ନକରିବାରୁ ସେ ରାଗରେ ଗୋଟେ ଚାପୁଡା କସିଦେଲେ।ଆଉ କୁନି ପ୍ରଥମେ ଭେଁ କିନା କାନ୍ଦିଲା ଘଡିଏ ତାପରେ ସୁସୁକି ସୁସୁକି ଶୋଇପଡିଲା।ମୁହଁଟା ସିଙ୍ଘାଣି ଆଉ ଲୁହରେ ଲତପତ ହେଇଯାଇଥିଲା।ନିଜ ଶାଢୀକାନିରେ ମୁହଁକୁ ପୋଛି ତା ନିରୀହ ମୁହଁକୁ ଟିକିଏ ଅନାଇଁ ନିଜକୁ ବି ଚାପୁଡାଏ ମାରିହେଲେ।ଝିଅ କପାଳରେ ଚୁମାଟିଏ ଦେଇ ଖଟରେ ଭଲକରି ଶୁଆଇଦେଲେ।ତାପରେ ଯାଇ ରାତ୍ରିପାଇଁ ରୋଟି ତରକାରି ବନାଇଲେ।ସେ ସବୁକାମ ସାରି ଟିଭି ପାଖରେ ଆସି ବସିଲାବେଳକୁ ବାହାରେ ଗାଡିର ହର୍ନ ବାଜିବାର ଶବ୍ଦହେଲା।ସେ ବାହାର ଦରଜା ଖୋଲିଲା ବେଳକୁ ସିଲ୍ଭର ରଙ୍ଗର ଆଲ୍ଟୋ ଟିଏ ଘର ସାମନାରେ ଠିଆହେଇଛି।ଗାଡିଭିତରୁ ଜଣେ ଭଣଜା ପୁଅ ଓ ସେ ବାହାରି ଆସିଲେ।ସବିତା ଘରକୁ ଯାଇ ଧୂପକାଠି ଦୀପ ଓ ପାଣି ଗଡୁଏ ଧରି ଆସିଲେ।ପ୍ରଥମେ ଗଡୁରୁ ଆଞ୍ଜୁଳାରେ ପାଣି ଢାଳି ଗାଡି ଉପରେ ସାତଥର ଫିଙ୍ଗିଲେ।ତାପରେ ଦୀପ ଓ ଧୂପ ଜଳାଇ ବନ୍ଦାଣ କଲେ।ଠିକ୍ ସମୟରେ ଝିଅ ଶୋଇପଡିବାରୁ ମନଦୁଃଖ ଲାଗୁଥିଲା।ହେଲେ ଥରେ ଶୋଇଗଲେ ସେଆଉ ସକାଳ ଯାଏ ଉଠିବନି।ସକାଳେ ଉଠିଲେ ଗାଡି ଦେଖି ବହୁତ ଖୁସିହେବ।
ଅନେକ ଦିନରୁ ଗାଡିଟିଏ କିଣିବା ପାଇଁ ତା ବାପାଙ୍କୁ ଅଳି କରୁଥିଲା।ପ୍ରଥମେ ତ ବାପାଙ୍କସହ ସ୍କୁଟରରେ ବୁଲିବାକୁ ଯାଉଥିଲା।ହେଲେ ତା କାକା ନୂଆ କାରଟେ କିଣିବା ପରେ ସେ ବି ତା ବାପାକୁ ଲଗେଇଛି ସେବି କାର୍ ବସିବ ବୋଲି।ତା କାକା କିଛି ମାସତଳେ ବାହା ହେଲେ।ବାହାବେଳେ କେତେଟଙ୍କା ଯୌତୁକ ମିଳିଥିଲା।ସେ ଟଙ୍କାରେ ଗାଡିଟେ କିଣିଲେ।ବାହା ଆଗରୁ ଝିଅକୁ ବଡ ଗେହ୍ଲାକରି ରଖିଥିଲେ।ପାଠ ପଢିଲାବେଳେ ତାକୁ ନେଇ ଟେବୁଲରେ ବସାଇ କଛିି ଖେଳିବାକୁ ଜିନିଷଟେ ଦେଇଦେଲେ ସେ ତାରତାର ଖେଳୁଥାଏ।
ଆଉ ସେ ନିଜର ଲେଖା ପଢା କରୁଥାନ୍ତି।ଝିଅ ଛୋଟବେଳୁ ବଡ ସୁଧାର କିଛି ଜିନିଷ ଫଡାଫଡି କରେନି।ତାକୁ ଯାହାଦେଲେ ସେଇଟା ହିଁ ଖେଳେ।
ଦିନେଦିନେତ ତା କାକା ସହ ଶୋଇଯାଏ।ଅଧରାତିରେ ସବିତା ନେଇଯାନ୍ତି କାଳେ ପରିଶ୍ରା କରିଦେବ ଭାବି।ତାଙ୍କସହ ସ୍କୁଟରରେ ବୁଲିବାକୁ ଯାଏ।ତାପାଇଁ ଚକଲେଟ ବିସ୍କୁଟ ଖେଲଣା କିଣିଦିଅନ୍ତି।ବାପା ମାଆ ଯାହା କିଣିଦେବାକୁ ମନା କରିିବେ କାକାଙ୍କୁ କହି ସେଇଟା ପୂରାକରିବ। ସବିତା କୁହନ୍ତି ଝିଅକୁ ଏମିତି ଉପରେ ଚଢାଇଲେ ବଡହେଲେ କାହାକୁ ମାନିବନି।ଉଦଣ୍ଡୀ ହେଇଯିବ।ଶାଶୁଘରେ ନିନ୍ଦା ଶୁଣାଇବ ଆମକୁ। ଏମିତି ଚାଲିଥାଏ ସୁଖର ସଂସାର।ରାମଚନ୍ଦ୍ରବି ଘରର ସବୁ ଦାୟିତ୍ବ ସମ୍ଭାଳୁଥିଲେ।ଭାଇ ଭଉଣୀଙ୍କ ପାଠପଢା ବାହାଘର ସବୁ ନିଜ କମାଣିରେ ତୁଲାଇଛନ୍ତି।ଭାଇ ତାଙ୍କରି ଦୟାରେ ଆଜି ଇଞ୍ଜିନିୟର ହେଇପାରିଛି।ଭଉଣୀ ମାନେ ଭଲଘର ରେ ବାହାହେଇ ଯାଇଛନ୍ତ।ସେଦିନ
ନୂଆକାର ଧରି କୁଆଡେ ବୁଲିବାକୁ ବାହାରୁଥିଲେ କୁନି ଜିଦ୍ କଲା ସେବି କାକାଙ୍କ ସାଙ୍ଗେ କାରରେ ବୁଲିଯିବ।
ହେଲେ କାକି ମନା କରିଦେଲା ତତେ ନେବୁନି ବୋଲି।ସେଇକଥା ତା ପିଲାମନକୁ ବାଧିଗଲା।କାକାକୁ ନିଜର ଅଧିକାର ଭାବୁଥିବା ଝିଅ ଅନ୍ୟର ହେଇଯିବା କଥା ସହି ପାରୁନଥିଲା।ସେଦିନଠୁ ଲଗାଇଥାଏ ବାପା ଆମେବି କାର କିଣିବା।ପିଲାର କଥା ରାମଚନ୍ଦ୍ର ବୁଝୁଥିଲେ।ହେଲେ ଏତେଦିନର କମାଣି ସେ ଘର ଚଳାଇବାରେ ସାରି ଦେଇଥିଲେ। ସଂଚୟ କିଛି ନଥିଲା।ବାଧ୍ୟହେଇ ଜିପିଏପରୁ କିଛି ଉଠାଇ ଏଆଡୁ ସେଆଡୁ ଯୋଗାଡ କଲେ ଗାଡିପାଇଁଟଙ୍କା।ଶେଷରେ ଝିଅର ଇଛା ପୂରଣ ହେଲା।ଏତେ ରାତି କେମିତି କରିଦେଲ ବୋଲି ସବିତା ପଚାରିବାରୁ
ରାମବାବୁ କହିଲେ ରାଉରକେଲାରେ ନି ପସନ୍ଦର ଗାଡି ମିଳିଳାନି।ତେଣୁପୁଣି ସମ୍ବଲପୁର ମାରୁତି ସୋରୁମ୍ କୁ ଆସିଲେ ସେଠି ଏ ରଙ୍ଗ ପସନ୍ଦ ହେବାରୁ ନେଇକି ଆସିଲୁ।ଯେମିତି ହେଲେ ଆଜି ଆଣିବାର ଥିଲା ନହେଲେ କୁନି ରଖେଇ ଥୋଇ ଦେଇନଥାନ୍ତା।ସେଥିପାଇଁ ଯେତେ ବିଲମ୍ବ ହେଲେବି ନେଇ ଆସିଲି।ସକାଳେ କୁନି ଉଠି ଗାଡି ଦେଖି ନାଚି ଉଠିଲା।ସମସ୍ତେ ଗାଧୁଆପାଧୁଆ ସାରି ଗାଡିରେ ଯାଇ ଭଗବାନଙ୍କ ମନ୍ଦିରରେ ଗାଡିକୁ ପୂଜାକରି ଆସିଲେ।ଝିଅର ମୁହଁରେ ଯେଉଁ ମଧୁର ଆତ୍ମ ତୃପ୍ତିର ହସ ଧାରେ ଖେଳୁଥିଲା ଥିଲା ତାହାଦେଖି ବାପାମାଆଙ୍କ ମନରେ ଥିବା ସବୁ ଦୁଃଖ ଅପସରି ଯାଇଥିଲା।ଝିଅ ଯେଉଁ ହିନମନ୍ୟତାର ଶିକାର ହେଉଥିଲା ତାହା ଚାଲି ଯାଇଥିଲା।ସେ ଏବେ ତା କାକୀ ସାମନାରେ ନିଜ ଗାଡିରେ ବସି ବୁଲିଗଲାବେଳେ ଯେମିତି କହୁଥିଲା ଦେଖ ତୁମ ଗାଡି ନହେଲା ନାହିଁ ମୋ ବାପାଙ୍କ ଗାଢିରେ ମୁଁ ବୁଲି ଯାଉଛି।ସତରେଏ ସରଳ ପିଲା ହୃଦୟରେ କାହାର କୋଉ କଥା ଗଡିଯିବ କହି ହୁଏନି।ସେଥିପାଇଁ ବଡମାନଙ୍କୁ ଭାବିଚିନ୍ତି ଶବ୍ଦ ର ପ୍ରୟୋଗ କରିବା ଉଚିତ୍।
