କାହ୍ନା ବେଶ
କାହ୍ନା ବେଶ


କାହ୍ନା ଦୌଡି ଦୌଡି ଆସି ତା ମାଆକୁ କହିଲା ମାଆ ମାଆ ଅଗଂନବାଡି ଦିଦି କହିଛନ୍ତି ଜନ୍ମାଷ୍ଟମୀରେ କୃଷ୍ଣ ବେଶ ପଡିବାପାଇଁ। ଆଜି ଜନ୍ମାଷ୍ଟମୀ ମତେ କାହ୍ନା ବେଶରେ ସଜେଇଦେ ମାଆ।ଆଉ କହିଛନ୍ତି ଯାହାର ବେଶ ଅଧିକ ସୁନ୍ଦର ହେବ ତାକୁ ପୁରସ୍କାର ଦିଆଯିବ।ମାଆ ମାଆ ପିଲାମାନେ କଥାହେଉଥିଲେ କିଏ ହଳଦିଆ ପାଟ ପିନ୍ଧିବ ଆଉ କିଏ ନାଲି ପାଟପିନ୍ଧିବ ଆଉ କିଏ କୃଷ୍ଣ ରଙ୍ଗର।ମାଆ ମୁଁ କେଉଁ ରଙ୍ଗର ପାଟପିନ୍ଧିବି? ପୁଅର କଥା ଶୁଣି ମାଆ ଆଖିରେ ଲୁହ ଆସିଯାଇଥିଲା! ନାଇରେ ଧନ ତୁ କ'ଣ ପାଟଛିଟ ପିନ୍ଧିଲେ କାହ୍ନା ପରି ଦିଶିବୁ! ଏମିତିରେ ତୁ ଦେଖିବାକୁ ସାକ୍ଷାତ ନଟଖଟିଆ ମୋ କାହ୍ନାଟିଏ। ତୋର ରୂପବଦନକୁ ଦେଖି ମୁଁ ତତେ କାହ୍ନାନାଆଟିଏ ଦେଇଥିଲି।
ତୁତ ଗରିବ ଘରେ ଜନ୍ମ ହୋଇଛୁ।ଆମେ ତ ମଳିମୁଣ୍ଡିଆ ଲୋକ! ଗୋଟିଏ ଓଳି ଖାଇଲେ ଅନ୍ୟ ଓଳି ଉପାସ।ଆମ ପାଖରେ ଏତେ ସମ୍ଭଳ ନାହିଁ ତୋ ପାଇଁ ପାଟଛିଟ ଆଣି ତତେ ସଜାଇବି।ମନ ଦୁଃଖ କରେନି ଧନ।ତୁ ମୋର ଧନ ଶଙ୍କାଳିଟା।ମୋର ପୁଟୁଳା ବସ୍ଥାନିରୁ ଦେଖିବି କାଳେ ଶାଢିଥିବ ତତେ ପିନ୍ଧାଇଦେବି ।କାହ୍ନାର ମାଆ ବୁଜୁଳା ବସ୍ଥାନିରୁ ଶାଢି ଦୁଇଟି ପାଇଲେ ମାତ୍ର ସେସବୁ ଚିରା ଫଟା। ଭାରି ମନ କଷ୍ଟ ହେଲା କାହ୍ନାର ମାଆଙ୍କର। ଛାଟିମାଟି କାନ୍ଥରେ ଲାଗିଥିବା କୃଷ୍ଣ ଫୋଟଟିକୁ ଚାହିଁ ବହୁତ କାନ୍ଦିଲେ, ଏ ପ୍ରଭୁ ଗରିବ ଘରେ ପୁତ୍ରଟିଏ କାହିଁକି ଦେଲ ! ପେଟରେ ସିଏ ରହିବା ସମୟରୁ ପ୍ରତ୍ୟକ ଦିନ ତୁମ ଫୋଟଟିକୁ ମୁଁ ଦେଖୁଥିଲି। ହେ ପ୍ରଭୁ ତୁମକୁ ଚାହିଁ ସବୁବେଳେ ତା ବିଷୟରେ ଚିନ୍ତା କରୁଥିଲି। ସତକୁ ସତ ଭଗବାନ ତୁମ ପରି ନଟଖଟ କାହ୍ନା ମୋ କୋଳକୁ ଦେଇଦେଲ ବରଂ ମୁଁ ତା ପାଇଁ କିଛି କରିପାରିଲି ନାହିଁ।
କାହ୍ନା ତା ମାଆ ପାଖକୁ ଯାଇ କହିଲା କାହିଁକି ମନ ଦୁଃଖ କରୁଛୁ।ମନ ଦୁଃଖ କରେନି ଯମା।ମୁଁ ଏଥର କାହ୍ନା ବେଶ ନ ପଡିଲେ ଆସନ୍ତା ଥରକୁ ପଡିବି।ବାପା କାମ ପାଇଁ ପଡୋଶି ରାଜ୍ୟକୁ ଯାଇଛନ୍ତି ତାଙ୍କୁ କିଛି ପଇସା ମିଳିଲେ ପୁଣି ଆସନ୍ତା ବର୍ଷ ଜନ୍ମାଷ୍ଟମୀରେ କୃଷ୍ଣ ବେଶ ପଡିବି। ମାଆ ପୁଅ ଦୁଇଜଣ କଥାହେବା ସମୟରେ ଝାଟିମାଟି କାନ୍ଥରେ ଲାଗିଥିବା କୃଷ୍ଣ ଫୋଟରେ ଖୁଞ୍ଚା ହୋଇଥିବା ମୟୁର ପିଞ୍ଛଟିଏ ତଳକୁ ଖସିପଡିଲା। କାହ୍ନା ସଙ୍ଗେ ତାକୁ ଗୋଟେଇ ଆଣି ମୁଣ୍ଡରେ ଖୋସିଦେଲା।
ମୁଣ୍ଡରେ ମୟୁର ପୁଛଟି ଖୋସି ମାଆକୁ ଯାବୁଡି ଧରି କହିଲା ମାଆ ମାଆ ମୁଁ କେମିତି ଲାଗୁଛି ! ତାମାଆକୁ ଲାଗିଲା ସତରେ ସେହି ବାଳଗୋପାଳ ଆସି ଆଗରେ ଛିଡା ହୋଇଛନ୍ତି।
ସଗେଂ ସଗେଂ ସେ ବେକରେ ପିନ୍ଧିଥିବା ପ୍ଳାଷ୍ଟିକ ସୁତାରେ ଗୁନ୍ଥାରେ ହୋଇଥିବା ମାଳିଟିକୁ କାଢି କାହ୍ନାବେକରେ ପିନ୍ଧାଇଦେଲେ। ଆଉ ତାଙ୍କ ପୁରୁଣା ଫଟା ଟିଣ ପେଢିରୁ ଅଣ୍ଡାଳି ଅଣ୍ଡାଳି କାହ୍ନାର ବାପାର ଥିବା ରଙ୍ଗ ମଳିନ ପଡିଥିବା ଧୋତି ଖଣ୍ଡଟିକୁ ବାହାର କରି ନିଜ ପୁଅକୁ କଛାମାରି ପିନ୍ଧାଇ ଦେଇଥିଲେ। ଆଉ ବାରିରେ ଥିବା ଜାମୁକୋଳି ଗଛର ଏକ ଡାଳକୁ ଭାଙ୍ଗି ବୁଜୁଳା ବସ୍ଥାନିରେ ପଡିଥିବା ଫଟା ଶାଢିଟିକୁ ଚିରି ଜାମୁ ଡାଳରେ ଗୁଡାଇ ଦେଲେ। ପୁଅ ହାତରେ ବଇଁଶି ଭଳି ଧରାଇଦେଲେ।ଅଳତାର ଦୁଇଧାର ପାଦରେ ଲଗାଇଦେଲେ ନିଜର ପୁଅକୁ।ମନେ ମନେ ଭାବୁଥାନ୍ତି ସତରେ ସେହି କଳାମାଣିକ ମୋ ପୁଅ ରୂପରେ ଆସିଛି।ନିଜକୁ ନିଜେ ସେ ଯଶୋଦା ମାଆ ବୋଲି ଭାବୁଥିଲେ।ପୁଅକୁ ଦେଖି ବିଭୋର ହୋଇ କିଛିକ୍ଷଣ ନିସ୍ତବ୍ଧ ହୋଇଯାଇଥିଲେ।କାହ୍ନା ତା ମାଆର ପାଦଛୁଇଁ ଆସୁଛି ବୋଲି କହି ଖୁସି ମନରେ ସ୍କୁଲକୁ ଗଲା।
ଜନ୍ମାଷ୍ଟମୀରେ ପିଲାମାନେ ବିଭିନ୍ନ କଲରର ପାଟଛିଟ ପିନ୍ଧି ସ୍କୁଲକୁ ଆସିଥିଲେ।କିନ୍ତୁ କାହ୍ନାର ଏ କୃଷ୍ଣ ବେଶ ଏବଂ ଭାବଭଙ୍ଗି ସମସ୍ତଙ୍କୁ ଆକର୍ଷିତ କରିଥିଲା। ସମସ୍ତେ କଥାହେଲେ ଏ ପିଲାଟି କିଏ?ତାର ପରିଚୟ କଣ।କାହ୍ନାବେଶଟି ତାକୁ ବହୁତ ସୁନ୍ଦର ମାନୁଛି।କାହ୍ନା କହିଲା ମୋ ନାଆ କାହ୍ନା।ମୋ ମାଆ ମତେ ଏ କାହ୍ନାବେଶରେ ସଜାଇଛି। ଶେଷରେ ବିଚାରକ ମଣ୍ଡଳି ନିଣ୍ଣୟ ନେଲେ ଏ ପିଲାଟିକୁ ପୁରସ୍କୃତ କରାଯାଉ।ପୁରସ୍କାର ପାଇ ଖୁସି ମନରେ କାହ୍ନା ମାଆ ପାଖକୁ ଯାଇ ସେହି ପୁରସ୍କାରଟି ହାତକୁବଢାଇଦେଲା।ତା ମାଆର ଆଖିରେ ଆନନ୍ଦର ଅଶ୍ରୁ ଆପେ ଆପେ ଝରିଗଲା।