କାହାଣୀ ଏବେ ଆଗକୁ
କାହାଣୀ ଏବେ ଆଗକୁ
ସେଦିନ ସାଂସ୍କୃତିକ ଉତ୍ସବରେ ହୋଇଥିବା ତର୍କ ବିତର୍କ କାର୍ଯ୍ୟକ୍ରମରେ ଶ୍ରୀନିବାସର ଭାଷଣ କେବଳ ଯେ ପିଲାମାନଙ୍କର ମନ ପାଇଥିଲା ତାହା ନୁହଁ ବରଂ ସମସ୍ତ ବିଚାରକମାନଙ୍କର ମଧ୍ୟ ହୃଦୟ ଜିଣି ଯାଇଥିଲା। ଫଳାଫଳ କଣ, ତାହା ରହସ୍ୟ ହୋଇ ରହିଗଲା। କାରଣ ଏହା ସାଂସ୍କୃତିକ ଉତ୍ସବର ଶେଷ ଦିନ ଥିଲା। ଏହି ଦିନ ନାଚ, ଗୀତ , ଡ୍ରାମା ଭଳି ମନୋରଞ୍ଜନ ସହ ପୁରସ୍କାର ବିତରଣ ଭଳି କାର୍ଯ୍ୟକ୍ରମ ରହିଥାଏ , ତା ସହ ତର୍କ ବିତର୍କ ଓ ସଙ୍ଗୀତ ଗାନ ପ୍ରତିଯୋଗିତା ମଧ୍ୟ ରହିଥାଏ। ଶ୍ରୀନିବାସର ଏତେ ଦମଦାର ଭାଷଣ ପରେ ମଧ୍ୟ କିଛି ଜଣଙ୍କୁ ଲାଗୁଥିଲା ଚତୁର୍ଥ ବର୍ଷର ପିଲାମାନେ ଏ ଉତ୍ସବ ହାରି ଯିବେ, ବିଶେଷତଃ ତୃତୀୟ ବର୍ଷର ପିଲାମାନେ ଏ କଥା ଭାବି ଭାବି ମନେ ମନେ ଖୁସି ହେଉଥିଲା ଓ ଚତୁର୍ଥ ବର୍ଷର ପିଲାମାନଙ୍କୁ ଏକ ଥଟ୍ଟା ପରିହାସ ପୂର୍ଣ୍ଣ ଚାହାଣୀ ଦେଉଥିଲେ। ଏତେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ସରିବା ପରେ ଏବେ ସମୟ ହୋଇ ଯାଇଥିଲା କିଛି ମନୋରଞ୍ଜନର। ତେଣୁ ଏବେ ଆରମ୍ଭ ହେଲା ସଂଗୀତ ପ୍ରତିଯୋଗିତା। ଅଡିଟୋରିୟମରେ ଯେତେ ଉଜ୍ବଳ ଆଲୋକ ଲଗା ଯାଇଥିଲା ତାହା ବନ୍ଦ କରି ଧିମା ଆଲୋକ ଲଗାଗଲା। କେବଳ ମଞ୍ଚ ଉପରେ ଏକ ଗୋଲ ଆଲୋକ ପଡ଼ୁଥିଲା। ଜଣ ଜଣ କରି ସମସ୍ତେ ନିଜ ନିଜ ଦକ୍ଷତାର ପରିଚୟ ଦେଇ ସାରିଥିଲେ। ଏବେ ପାଳି ଥିଲା ସୌରଭର। ଝାପ୍ସା ଆଲୋକ ପଡୁଥାଏ ଖାଲି ମଞ୍ଚ ଉପରେ , ହଠାତ ଶୁଣା ଗଲା “ହମେ ତୁମସେ କିତନା ପ୍ୟାର ହେ ପାରୋ ୟେ ତୋ ହମ୍ ନେହିଁ ଜାନତେ......” ସମସ୍ତେ ନିଜ ପଛକୁ ବୁଲି ଦେଖିଲେ କାରଣ ସ୍ୱର ପଛରୁ ହିଁ ଆସୁଥିଲା ।ସୌରଭ ପଛ ପାଖରୁ ଗାଇ ଗାଇ ଆସୁଥିଲା “ମଗର ଜି ନେହିଁ ସକତେ ତୁମ୍ହାରେ ବିନା ” । ଏତିକି ବେଳକୁ ସୌରଭ ମଞ୍ଚ ଉପରେ ପହଞ୍ଚି ସାରିଥିଲା ଓ ଫିଲ୍ମ ଫେୟାର ଜିତିଥିବା ମଜରୁହ ସୁଲତାନପୁରିଙ୍କ ଲେଖା ଓ କିଶୋର କୁମାରଙ୍କ କଣ୍ଠରେ ଜୀବନ ପାଇଥିବା ଗୀତ ହମେ ତୁମସେ ପ୍ୟାର କିତନା ଗୀତଟି ଗାଇବା ଆରମ୍ଭ କରିଲା। ସୌରଭ କଣ୍ଠରେ ଏତେ ଯାଦୁ ଥିଲା ଯେ ଯଦି କେହି ଆଖି ବନ୍ଦ କରି ଶୁଣିବ ସେତେବେଳେ ତା ଆଖି ଆଗରେ କିଶୋର କୁମାରଙ୍କ ମୁହଁ ହିଁ ନାଚିଯିବ। ଏତେ ସୁନ୍ଦର ଗୀତ ଭିତରେ ସମସ୍ତେ ନିଜ ନିଜ ପ୍ରେମକୁ ଖୋଜିବାରେ ଲାଗିଲେ ଏହି ଅଳ୍ପ ଆଲୋକ ଭିତରେ । ସେଥିରୁ ରୋହିତ କିପରି ବାଦ୍ ପଡ଼ିଥାନ୍ତା ?? ସେ ମଧ୍ୟ ମନେ ମନେ ଖୋଜିଲା ରେଶ୍ମାକୁ । ପୁଅ ଓ ଝିଅ ଅଲଗା ଅଲଗା ବସିଥିଲେ ଓ ମଝିରେ ଏକ ରାସ୍ତା ଥିଲା ଯାହା ବାହାରକୁ ଯିବା ପାଇଁ । ଝିଅ ପିଲାଙ୍କ ସୀମା ଶେଷରେ ବସିଥିଲା ରେଶ୍ମା ଓ ରେଶ୍ମା ପାଖରେ ପୁଅ ପିଲାଙ୍କ ସୀମା ଶେଷରେ ବସିଥିଲା ରାହୁଲ। ରାହୁଲ ଧାଡ଼ିରୁ ଟିକେ ବାହାରି ଯାଇ ରେଶ୍ମା ହାତକୁ ହାତରେ ନେଇ ଟିକେ ବସିଲା ଓ ଗୀତଟି ସରିବା ପରେ ପୁଣି ନିଜ ଜାଗାକୁ ପଳେଇ ଆସିଲା । ଆଲୋକ ଅଳ୍ପ ଥିବା ହେତୁ ଏହା ଉପରେ କେହି ସେତେ ଧ୍ୟାନ ଦେଇ ନଥିଲେ , କିନ୍ତୁ ରୋହିତ ଆଖିରେ ଧରା ପଡ଼ି ଯାଇଥିଲା । ରେଶ୍ମା କୁ ନେଇ ଦେଖିଥିବା ସ୍ବପ୍ନ ସବୁ ପାଣି ଫୋଟକା ଭଳି ମିଳେଇ ମିଳେଇ ଯାଉଥିଲେ। ସ୍ବପ୍ନ ସବୁ ଧୂଳିସାତ ନ ହୁଅନ୍ତା ବା କେମିତି? ରେଶ୍ମା ମୁହଁରେ ଲାଜ ମିଶା ଖୁସି ଦେଖି ସେଠାରେ ବସିବା ପାଇଁ ରୋହିତର ଆଉ ଧୈର୍ଯ୍ୟ ନ ଥିଲା। ଏଥର ସାଂସ୍କୃତିକ ଉତ୍ସବରେ କେଉଁ ବର୍ଷ ଜିତିଲା କେଉଁ ବର୍ଷ ହାରିଲା ସେ କଥା ତା ମନରୁ ବାହାରି ସାରିଥାଏ। ରକ୍ତ ଚାଉଳ ଚୋବାଉ ଥାଏ ରାହୁଲ ଉପରେ। ରାହୁଲକୁ ତ ସେ ଛାଡ଼ିବନି , ସେ ତା ଜିତିବା ଇଲେକ୍ସନକୁ ଛଡ଼େଇ ନେଲା ପୁଣି ଏବେ ତା ଭଲ ପାଇବାକୁ। ରାଗ ଓ ଦୁଃଖରେ ସେ ସେଠାରୁ ଚାଲି ଯିବାକୁ ବାହାରିଥିଲା। କିନ୍ତୁ ଅନ୍ୟମାନଙ୍କ ମନରେ ଦୁଃଖ ଦେବାକୁ ତାର ଜମା ଇଚ୍ଛା ହେଲା ନାହିଁ। ତେଣୁ ରୋହିତ କିଛି ନ ହେଲା ଭଳି ଚୁପ୍ ଚାପ୍ ବସି ରହିଲା।
ଏବେ ପୁରସ୍କାର ବିତରଣର ସମୟ। ସମସ୍ତ ପୁରସ୍କାର ଦିଆ ସରିଲା ପରେ ସଙ୍ଗୀତ ପ୍ରତିଯୋଗିତାର ଫଳାଫଳ ଘୋଷଣା କରାଗଲା , ସମସ୍ତଙ୍କ ଆଶା ଥିଲା ଭଳି ସୌରଭ ସଙ୍ଗୀତ ପ୍ରତିଯୋଗିତାରେ ପ୍ରଥମ ଆସିଲା। ଏବେ ତର୍କ ପ୍ରତିଯୋଗିତାର ଫଳାଫଳ , ସମସ୍ତେ ଆଶା କରିଥିଲେ ଆଶ୍ୱିନ ଏ ପ୍ରତିଯୋଗିତା ଜିତି ଯାଇଥିଲା ବୋଲି , କିନ୍ତୁ ସମସ୍ତଙ୍କୁ ଆଶ୍ଚର୍ୟ୍ଯ କରି ଏ ପ୍ରତିଯୋଗିତାର ବିଜୟୀ ଶ୍ରୀନିବାସ ହିଁ ଘୋଷିତ ହେଲା। ଚତୁର୍ଥ ବର୍ଷର ପିଲାମାନଙ୍କ ଖୁସି କହିଲେ ନ ସରେ। ଶେଷରେ ଉତ୍କୃଷ୍ଟ ଦଳର ପୁରସ୍କାର ଚତୁର୍ଥ ବର୍ଷଙ୍କୁ ହିଁ ମିଳିଲା। ଏହି ବିଜୟ ତୃତୀୟ ବର୍ଷର ପିଲାମାନଙ୍କୁ ଏକ ଶକ୍ତ ଜବାବ ଭଳି ଥିଲା । ଚତୁର୍ଥ ବର୍ଷର ସମସ୍ତେ ମଞ୍ଚ ତଳେ ନାଚିବା ଆରମ୍ଭ କରି ଦେଇଥିଲେ। ଏ ଖୁସି ରୋହିତ ମନର ଦୁଃଖକୁ କିଛି ସମୟ ପାଇଁ ଚାପିଦେଲା।
ରୁମ୍ କୁ ଆସିଲା ପରେ ରୋହିତ ଚୁପ୍ ଚାପ୍ ଯାଇ ଖଟରେ ପଡିଗଲା। ସମସ୍ତଙ୍କୁ ଏ କଥା ଟିକେ ଆଶ୍ଚର୍ଯ୍ୟ ଲାଗୁଥାଏ । ଶେଷରେ ଅମିତ୍ ପଚାରିବା ଆରମ୍ଭ କରିଲା , “ ଆବେ ୟାର୍, ୟେ ମଛର ର ପୁଣି କଣ ହେଲା ?? ” ସମସ୍ତେ ଯେତେ ପଚାରିଲେ ରୋହିତ କିଛି ନ କହି ସେମିତି ଉପରକୁ ମୁହଁ କରି ପଡ଼ି ରହିଲା। କିଛି ସମୟ ପରେ ରୋହିତ କଣ ଭାବିଲା କେଜାଣି ଅମିତକୁ କହିଲା ,“ ତୁ ଟିକେ ଗରିମାକୁ ପଚାରିକି କହିବୁକି ରେଶ୍ମା ସେଦିନ କାହା ସହ ଡିନର ପାଇଁ ଯାଇଥିଲା?” ଅମିତ ଟିକେ ହଡବଡେଇ ଯାଇ କହିଲା “ହଉ ଠିକ୍ ଅଛି ”। ପୁଅପିଲାଙ୍କ ପାଇଁ ଏତେ ସହଜରେ ପ୍ରେମ କଥା ସରିଯିବା ବଡ଼ ଆଶ୍ଚର୍ଯ୍ୟର କଥା। କିନ୍ତୁ ରୋହିତର ଅବସ୍ଥା ଏବେ ଯେପରି ଥିଲା କାହାକୁ ଭଲ ଲାଗିଲା ନାହିଁ ତା ସହ ଥଟ୍ଟା କରିବା । ତେଣୁ ସମସ୍ତେ ରୋହିତ କଥା ଛାଡ଼ି ଜିତିବା ବିଷୟରେ କଥା ହେଲେ।
ପରଦିନ ଅମିତ ଗରିମାକୁ ଦେଖା କରିବା ପାଇଁ କ୍ଲାସ୍ କୁ ଗଲା ନାହିଁ। ଗରିମା ତା କ୍ଲାସ୍ ସାରି ଆସିବା ପରେ ଅମିତ ତାକୁ ରେଶ୍ମା କଥା ପଚାରିଲା କି ସେଦିନ ରେଶ୍ମା କାହା ସହ ଯିବା ପାଇଁ ବାହାରିଥିଲା ଏତେ ସାଜ ସଜା ହୋଇ। ଗରିମା ଅମିତକୁ କିଛି ନ ଲୁଚେଇ କହିଦେଲା କି ରେଶ୍ମାର ରାହୁଲ ସହ ଫାଷ୍ଟ ଡେଟ୍ ଥିଲା ବୋଲି । ଅମିତକୁ ଆଉ ଅଛପା ରହିଲା ନାହିଁ ରୋହିତର ମନ ଦୁଃଖର କାରଣ। ସେ ଗରିମା ସହ ଆଉ କଥା ନ ହୋଇ ରୋହିତ ପାଖକୁ ଚାଲିଲା।
ରୋହିତ, ରଘୁ ଆଉ ଶ୍ରୀନିବାସ ଏକାଠି ବସି ଗତ ଉତ୍ସବ ବିଷୟରେ କଥା ହେଉଥିଲେ। ଅମିତ ଯାଇ ସେଠାରେ ପହଞ୍ଚିଲା। ବଡ଼ ବର ଗଛ ମୂଳରେ ଥିବା ଚୌପାରି ଉପରେ ରୋହିତ ପାଖକୁ ବସି ଅମିତ ରୋହିତର ଜଙ୍ଘକୁ ଏକ ଶକ୍ତ ଚାପୁଡ଼ା ମାରି କହିଲା , “ ଆଉ ପ୍ରେମିକ ପ୍ରବର , ପ୍ରେମ ନିଶା ଉତୁରିଲା ନା ଆହୁରି ଅଛି ??....” କହି ଜୋର ଜୋର ରେ ହସି ଉଠିଲା । ସମସ୍ତେ ଅମିତକୁ ଆଶ୍ଚର୍ଯ୍ୟ ହୋଇ ଚାହିଁ ଥିଲେ କଣ ହେଲା ବୋଲି। ଶ୍ରୀନିବାସ ପଚାରିଦେଲା, ‘କାଇଁ ରେଶ୍ମା ମ୍ୟାଡ଼ାମଙ୍କର କଣ ହେଲା କି???’
ଅମିତ ସେମିତି ହସକୁ ମୁହଁରେ ଧରି କହିଲା, ‘ ଏଇ ରାହୁଲ ମ, ପ୍ରଥମେ ନିର୍ବାଚନ ଆଉ ଏବେ ରେଶ୍ମା ଦୁଇଟା ଯା ଭାଇ ଜୀବନରୁ ନେଇ ଫୁର୍।’
ରୋହିତ ବିରକ୍ତ , ରାଗ ଓ ଲାଜ ମିଶା ଭାବ ନେଇ କହିଲା, “ ଆରେ ଛାଡ଼ ମ, ନିର୍ବାଚନ ପାଇଁ ଦୁଃଖ ଲାଗିଲା , କିନ୍ତୁ ରେଶ୍ମା ପାଇଁ ନୁହଁ । ଏମିତି ରେ ବି ମୁଁ କଣ କେବେ ରେଶ୍ମାକୁ ପ୍ରପୋଜ୍ କରିଥିଲି ଆଉ ସେ ମୋତେ ମନା କରିଲା । ମୁଁ ବିଳମ୍ବ କରିଲି ଆଉ ବାଜି ରାହୁଲ ମାରି ନେଲା। ”
- “ ହଁ ଥାଉ ଥାଉ, ପ୍ରପୋଜ କରିଥିଲେ ଯେମିତି ସେ ଧାଇଁ କି ତତେ ହଁ କରିଥାନ୍ତା ଆଉ । ” ଅମିତର କଥାରେ ସମସ୍ତେ ଜୋର୍ ରେ ହସି ଉଠିଲେ।
ଏମିତି ହସି ହସି ରୋହିତ ର ମନ ମଧ୍ୟ ଟିକେ ହାଲୁକା ହୋଇଗଲା।
ସେଦିନ ରାତିରେ ରୋହିତ, ଶ୍ରୀନିବାସ, ଅମିତ, ରାହୁଲ ଓ ଆଉ ଦୁଇ ତିନି ଜଣ ଚତୁର୍ଥ ବର୍ଷର ପିଲା ମିଶି ବାହାରେ ଖାଇବାକୁ ଆଉ ଟିକେ ବୁଲା ବୁଲି କରିବାକୁ ବାହାରିଲେ। ଫେରୁ ଫେରୁ ରାତି ଏଗାରଟା ପାଖାପାଖି । ହଷ୍ଟେଲରେ ଯେଉଁ ଜଗୁଆଳି ଥାଏ ତାକୁ ଲୁଚିକି ଭିତରକୁ ଯିବାର ଯୋଜନା କରି କରି ଆସୁ ଆସୁ ହଠାତ୍ ଦେଖିଲେ କିଛି ଲୋକ ବାଡ଼ିଆ ପିଟା ହେଉଛନ୍ତି । କଣ ହେଲା ବୋଲି ଦେଖୁ ଦେଖୁ ରାହୁଲର ଗୁଣ୍ଡା ଦଳ ଓ ସେ ଅଞ୍ଚଳର ସବୁଠାରୁ ବଡ଼ ଗୁଣ୍ଡା ଦଳ ଭିତରେ ଝଗଡ଼ା ଚାଲିଛି। ଏମାନେ କିଛି ଦୂରରେ ଛିଡ଼ା ହୋଇ ଦେଖୁଥାନ୍ତି। ସେ ବଡ଼ ଗୁଣ୍ଡା ଦଳ ରାହୁଲ ଦଳକୁ ମାରି ଲହୁ ଲୁହାଣ କରି ଦର ମରା ଅବସ୍ଥାରେ ସେଠାରେ ଛାଡ଼ି ଦେଇ ଚାଲିଗଲେ। ସେମାନେ ଗଲା ପରେ ରୋହିତ, ଅମିତ ଓ ଅନ୍ୟମାନେ ସେମାନଙ୍କ ପାଖକୁ ଯାଇ ସେମାନଙ୍କୁ ଡାକ୍ତର ଖାନା ନେଇ ଗଲେ। ପୋଲିସ ଆସିଲା , ରୋହିତ ଓ ଅମିତ FIR ଲେଖାଇ ହଷ୍ଟେଲ ଆସିଲା ବେଳକୁ ସକାଳ। ଶ୍ରୀନିବାସ ଏ ସବୁ ଝଗଡ଼ାରୁ ଦୂରରେ ରହିବାକୁ ଚାହୁଁଥିଲା, କାରଣ ଘରେ ସେ ତା ଚରିତ୍ର ଶୁଦ୍ଧ ରଖିବାକୁ ଚାହୁଁଥିଲା , ଯାହା ବଦଳରେ ସେ ରିତୁ କଥା ଘରେ କହି ପାରିବ। ତେଣୁ ସେ ଓ ଅନ୍ୟମାନେ ସେଇ ରାତିରେ ଡାକ୍ତର ଖାନାରୁ ଘରକୁ ଚାଲି ଆସିଥିଲେ।
ଶେଷ ସେମିଷ୍ଟାର ର ଶେଷ ପରୀକ୍ଷା ଦିନ ରୋହିତ ଓ ରଘୁ ଖୁସିରେ ବାହାରକୁ ଆସିଲା ବେଳେ ଫାଟକ ବାହାରେ ରାହୁଲକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ତାଠାରୁ ବେଶୀ ଆଶ୍ଚର୍ଯ୍ୟ ହେଲେ ଯେତେବେଳେ ରାହୁଲ ତାଙ୍କୁ ଦେଖି ତାଙ୍କ ଆଡ଼କୁ ଆସିଲା। ରାହୁଲ ରୋହିତ ପାଖକୁ ଆସି ସେଦିନ ରାତି ପାଇଁ ଧନ୍ୟବାଦ ଦେଲା ଓ ଅମିତ କୁ ଧନ୍ୟବାଦ ଜଣାଇ ଦେବା ପାଇଁ କହିଲା। ରୋହିତ , ରାହୁଲର କାନ୍ଧକୁ ଟିକେ ଥାପୁଡ଼େଇି ଦେଇ ଚାଲିଗଲା। ସେଦିନ ହଷ୍ଟେଲରେ ସମସ୍ତେ ଖୁବ୍ ମଜା କଲେ ଓ ତା ପର ଦିନ ଘରକୁ ଯିବାକୁ ପ୍ରସ୍ତୁତି ଆରମ୍ଭ ହେଲା।
