ଜୋକର୍ ବି କାନ୍ଦେ!!
ଜୋକର୍ ବି କାନ୍ଦେ!!


ଅର୍ଜୁନ ଅପେକ୍ଷା ଜୋକର୍ ନାମରେ ତାକୁ ସମସ୍ତେ ଅଧିକ ଡାକନ୍ତି।କେହି କେହି ଥଟ୍ଟାରେ କହନ୍ତି ଜୋକର୍ ଟା।ଏ ଜୋକର୍।ଏଇ ଜୋକ୍ ପାଇଁ ସେ ସଭିଙ୍କ ପ୍ରିୟ ଅର୍ଜୁନ।ସାର୍ ନଥିଲା ବେଳେ କ୍ଲାସରେ ଏପରି ଜୋକ୍ କରେ ଯେ ସାରା କ୍ଲାସ୍ ହସରେ ଫାଟି ପଡେ।ବେଳେ ବେଳେ ହସାଇ ହସାଇ ପ୍ୟାଣ୍ଟ୍ ଓଦା କରି ଦିଏ।
ବେଶୀ ସ୍କୁଲରୁ ଫେରିଲା ବାଟରେ ଅର୍ଜ୍ଜୁନ ହସ କଥା କହି ଆମକୁ ଏତେ ବିମୋହିତ କରିଥାଏ ଯେ ରାସ୍ତା କିପରି ସରିଯାଏ,ଜଣା ପଡେ ନାହିଁ।
ଆମ ଗାଁରୁ ସତେଇଶି ଜଣ ପିଲା ଚାଲି ଚାଲି ଜନତା ହାଇ ସ୍କୁଲ ଯାଉ।ସେଠି ଷଷ୍ଠରୁ ଦଶମ ଶ୍ରେଣୀ ଯାଏ।ଭଲ ସାର୍ ଓ ଭଲ ପଢା ନେଇ ସ୍କୁଲର ନାଁ ଅଛି ଏଣୁ ସବୁ ପିଲାଙ୍କ ବାପା ମା ତାଙ୍କ ପିଲା ଜନତା ହାଇ ସ୍କୁଲରେ ପଞ୍ଚମ ପରେ ପଢନ୍ତୁ ବୋଲି ଇଛାଟିଏ ରଖନ୍ତି।ଆମ ଗାଁ ଠାରୁ ସ୍କୁଲ ତିନି କିଲୋମିଟର ଦୂର୍ ହେବ।ଯିବା ବାଟରେ ଦୁଇଟି ମଶାଣି ଦଣ୍ଡା ପଡେ।ଚାରିପଟେ କିଆ।ତାରି ଭିତର ଦେଇ ନାଲି ଗୋଡିର ରାସ୍ତାଟିଏ ଯାଇଥାଏ।ଆମେ ସେଇ ରାସ୍ତା ଦେଇ ସ୍କୁଲ ଯାଉ।
ସେଇ ଦଣ୍ଡା ଭିତର ଦେଇ ଗଲା ବେଳେ ଖୁବ୍ ଡର ଲାଗେ। ଯିବା ବେଳେ ବାପା କି ଭାଇ ଛାଡି ଦେଇ ଆସନ୍ତି।କିଏ ବି ଚାଲି ଚାଲି ଯାଆନ୍ତି।ଯିବା ସମୟରେ ଆମ ଗାଁ ର ସବୁ ପିଲା ଏକାଠି ଯାଇ ପାରୁ ନାହୁଁ।କିନ୍ତୁ ଫେରିଲା ବେଳେ ଆମେ ସବୁ ପିଲା ଏକାଠି ସାଙ୍ଗ ହୋଇ ଆସୁ।ବେଶୀ ଶୀତ ଦନିଆଁ ଦଣ୍ଡା ଭିତରେ ପଶିଲା ବେଳକୁ ସନ୍ଧ୍ୟା ସନ୍ଧ୍ୟା ଲାଗେ।ସନ୍ଧ୍ୟା ହେଲେ ଡର ଆସେ।ଏଣୁ ସବୁ ପିଲା ଡକାଡକି ହୋଇ ଏକାଠି ଆସୁ।ଆମ ଆସିବା ମଜାଦାର ହୁଏ କେବଳ ଅର୍ଜୁନ ପାଇଁ।ଅର୍ଜୁନ ଥିଲେ ଭୟ ଲାଗେନି।
ସେ କିନ୍ତୁ ସବୁ ଦିନ ସ୍କୁଲ ଯାଏ ନାହିଁ।ଘର କାମ କରିବାକୁ ରହିଯାଏ।ତା ଅନୁପସ୍ଥିତ ଆମକୁ ବାଧେ।
ସେ କାହା ଅଜା ଆଈ କେମିତି ଗଇ ଖୋଳା ଖୋଳି ହୁଅନ୍ତି ଡିଟୋ ନକଲ କରି କୁହେ; ଶାଶୁ ବୋହୁ ହୋଇ ସ୍ୱର ବଦଳେଇ କଳି କରେ ; ଶିକ୍ଷକ ଛାତ୍ର ହୋଇ କଥୋପକଥନ ହୁଏ ବା ଦୁଇ ସାଙ୍ଗ ହୋଇ ନକଲିଆ କଥା ହୁଏ।ବାଟ ସାରା ନିଜେ ହସେ ଅନ୍ୟକୁ ଧୁମ ହସାଏ।
ମନୁ କୁହେ ମାଉସୀ ତୋତେ ହସ ଲଡୁ ଖାଇ ଜନ୍ମ କରିଛନ୍ତି ଜାଣ।ନଲେ କି ଏତେ ହସେଇ ପାରନ୍ତୁ।ବଣ୍ଟି କୁହେ ଅର୍ଜୁନ ବଡ଼ ହେଲେ ଜୟୀ କମେଡ଼ିଆନ୍ ହେବ।ଆମ ସ୍କୁଲ ବାର୍ଷିକ ଉତ୍ସବରେ ବି ସେ କମେଡି କଥା କହି ସମସ୍ତଙ୍କୁ ହସାଏ।
ଅର୍ଜୁନ ଜଣେ ହସକୁରା ପିଲା।ଆଜ୍ଞାଧୀନ।ଅତି ଭଲ ନ ପଢିଲେ ବି ଖରାପ ପଢେନି।ସବୁ କାମରେ ଆଗୁଆ ବାହାରି ପଡି କରିବାକୁ ପ୍ରସ୍ତୁତ ହୋଇଯାଏ।ସ୍କୁଲ ପୂଜା,ଭୋଜି କି ଜାତୀୟ ଦିବସ ମାନଙ୍କରେ ଅର୍ଜୁନ ବହୁତ ସାହାଯ୍ୟ କରେ।ସବୁ ଦୃଷ୍ଟିରୁ ପିଲାଟି ଭଲ।କିନ୍ତୁ ପ୍ରତିଦିନ ସ୍କୁଲ ଡେରିରେ ଆସିବା ଗୋଟିଏ ମହା ବଦ ଅଭ୍ୟାସ ତାର।
ପ୍ରାୟତଃ ପ୍ରତିଦିନ ଅର୍ଜୁନ ପ୍ରାର୍ଥନା ସାରି ପ୍ରେଜେଣ୍ଟ୍ ପଡିଲା ବେଳକୁ ସ୍କୁଲ ଆସେ।ସାର୍ ବିରକ୍ତ ହୁଅନ୍ତି।ଦିନେ ଦିନେ ବେଞ୍ଚ୍ ରେ ଠିଆ କରେଇ ଦିଅନ୍ତି।କେବେ କେବେ ହେଡ୍ ସାର୍ ଙ୍କ ନିକଟକୁ ଟାଣି ଟାଣି ନିଅନ୍ତି।ହେଡ୍ ସାର୍ ବୁଝାନ୍ତି।ଆମେ ସାଙ୍ଗ ମାନେ ବି କହୁ,ଏତେ ଡେରିରେ ଆସୁଛୁ କଣ?ଅଳସୁଆ ଟା କି।ଠିକ୍ ସମୟ ରେ ଉଠୁନୁ ବୋଧେ।କଣ ନଅ ଟା ଯାଏ ଶୋଉଚୁ?
ସେ ହସି ଦେଇ କୁହେ କଣ କରିବି ନିଦ ମାଉସୀ ଏତେ ଭଲ ପାଉଛନ୍ତି ଯେ ମୁଁ ଉଠିଲା ବେଳକୁ ଟାଣି ନେଇ କୋଳରେ ପୁରେଇ ଦିଅନ୍ତି।ଆଉ ଜାଣିଛ ନିଦ ମାଉସୀ ମୋତେ କିସ୍ ବି କରନ୍ତି।
ଆଁ... କିସ୍! ବାଃ ଅର୍ଜୁନ ତୁ ଟା କପାଳିଆ ବେ ନିଦ ମାଉସୀ ବି ତୋତେ କିସ୍ କରୁଛନ୍ତି।
ଅର୍ଜୁନ କଲର୍ ଟେକି କୁହେ ; ମୁଁ ଦ୍ୱିତୀୟ ପାଣ୍ଡଵ,
ଗାଣ୍ଡିବଧାରୀ,ଶ୍ରେଷ୍ଠ ଧନୁର୍ଦ୍ଧର।ନିଦ ମାଉସୀ କିସ୍ କରନ୍ତା ନି କି?
ଆଛା !ତୁ ଦ୍ଵିତୀୟ ପାଣ୍ଡଵ;ଗାଣ୍ଡିବ ଧାରୀ ;ହଇରେ ପେଏଁ କାଳିଆ ତୋ ନିଜର ଗାଣ୍ଡି ଅଛି ନା ତୁ ଗାଣ୍ଡିବ ଧରିବୁ; ଏମିତି ସବୁ ପିଲା ଥଟ୍ଟା କରି କୁହନ୍ତି।ଯେହେତୁ ସ୍ୱାସ୍ଥ୍ୟ ଓ ରଙ୍ଗ ଦୁଇଟି ଯାକ ବେତ ପରି ତାର।
ସେ ନଇଁ ପଡି ତା ଗାଣ୍ଡିକି ନଚେଇ କୁହେ ହେଇତ ମୋର ଗାଣ୍ଡି ଅଛି?କ୍ଲାସ୍ ଯାକ ପିଲା ହୋ ହୋ ହୋଇ ହସି ଉଠନ୍ତି।ଅର୍ଜୁନ କୁହେ ଶୁଣ ଗୋଟେ ମଜା କଥା।"ଆମ ଗାଁ ଗୁଣ ବେହେରା ଥରେ କଣ ହୋଇଛି ନା ପିଣ୍ଡାରେ ବସି ଥିଲା।ଢୁଉଁ କରି ପାଡୁ ପାଡୁ ହଗି ଦେଲା।ସେଇ ଦିନଠାରୁ ଆମେ ତାଙ୍କୁ ଚିଡାଉ: ବାଉଁଶ ପତର ଅଗି,ଗୁଣ ଜେଜେ ପିଣ୍ଡାରେ ପାଡୁ ପାଡୁ ଦେଲେ ହଗି।ଆଉ ଆମ ଚୂନ ଜେଜେ;ତାଙ୍କୁ ଯଦି କହିବ ଚୂନ ବଢ଼େଇ ତୋତେ ଦେଖି ମୋତେ ହଗ ମାଡ଼ଇ।"ଏପରି ଅନେକ କଥା କହି କ୍ଲାସ୍ ସାରା ପିଲାଙ୍କୁ ହସାଏ।ସାର୍ କ୍ଲାସ୍ କୁ ଆସିବା ଯାଏ ସେ ଆମ ସାର୍ ହୋଇ କେଉଁ ସାର୍ କେମିତି ଟୋନ୍ କରନ୍ତି ସବୁ କହି କହି ବେଦମ କରେ।
ମୁଁ ତାର ସବୁଠାରୁ ଭଲ ସାଙ୍ଗ।ସେ ସ୍କୁଲ ନ ଆସି କିଛି ବି ଦଣ୍ଡ ବା ଗାଳି ଶୁଣିଲେ ମୋତେ ଭଲ ଲାଗେନି।ମୁଁ ଯେତେ ତାକୁ ବୁଝାଏ;ସେଇ ତ ସ୍କୁଲ ଆସୁଛୁ,ଡେରିରେ କାଇଁ ଆସୁଛୁ।ସେ କୁହେ ଘରେ ବହୁତ କାମ।ସାରିଲେ ସିନା ଆସିବି।
ପିଲାମାନେ କଣ ଘରେ କାମ କରନ୍ତି?
ସେ କୁହେ ହଁ।ଆମ ଘରେ ମା ଏକା ତ ମୋତେ କାମ ନ କଲେ ନ ଚଳେ।ସାର୍ ଙ୍କ ଗାଳି ହଜମ କରି ଦେବି;କିନ୍ତୁ କାମ ସାରି ନ ଗଲେ ମୋ ଡେରିରେ ଯିବା ସ୍କୁଲଟି ବି ସବୁ ଦିନ ବନ୍ଦ ହୋଇଯିବ।
କାହିଁକି?
ସେ କୁହେ ଆମେ ଗରିବ ଘର ନା,ସେଇଥିପାଇଁ।ମୁଁ ବୁଝି ପାରେନି ଗରିବ ଘର ସହ ଅର୍ଜୁନ କାମର୍ କି ସମ୍ପର୍କ।ଏକା ଗାଁ ପିଲା ହେଲେ ବି ଆମ ଘର ଗାଁ ଶେଷକୁ।ତାଙ୍କ ଘର ଗାଁ ଆରମ୍ଭରେ।ଗାଁ ଟି ବଡ଼ ଗାଁଟିଏ।ମୁଁ କେବେ ବି ଏକା ତାଙ୍କ ଘର ଯାଏ ଯାଇନି।ଛୁଟିଦିନ ମାନଙ୍କରେ ସବୁ ପିଲା ଆମ ଘର ପାଖ ପ୍ରାଇମେରୀ ସ୍କୁଲ ପଡିଆ ଓ ଜାଗୁଳେଇ ଦାଣ୍ଡରେ ଖେଳିବାକୁ ଆସ
ନ୍ତି।ଶେଷ ମୁଣ୍ଡ ଛକରେ ଦୋକାନ ବି ଅଛି।ସମସ୍ତେ ଆମ ଆଡକୁ ଆସନ୍ତି।
ଥରେ ଆଠ ଦିନ ଧରି ଅର୍ଜୁନ ସ୍କୁଲ ଗଲା ନାହିଁ।ତା ବିନା ଆମକୁ ସ୍କୁଲ ଫେରିବା ଭଲ ଲାଗେନି।ଏଣୁ ସମସ୍ତେ ବ୍ୟସ୍ତ ହେଉଥିଲେ ଅର୍ଜୁନ କାହିଁକି ଆସୁ ନାହିଁ ବୋଲି।
ରବିବାର ହୋଇଥାଏ।ବାପା ବୋଉକୁ କହିଲେ, "ମୁଁ ଟିକେ ଯାଉଛି ଝରିଆ ବଢ଼େଇକୁ ଡାକି ଆଣିବି ଗୁହାଳଟା ଭାଙ୍ଗି ଗଲାଣି ସଜାଡି ଦେବ।"
ମୁଁ କହିଲି ବାପା ଅର୍ଜୁନ ଘର ଆଡେ ବଢ଼େଇ ଘର?ବାପା କହିଲେ ହଁ।ମୁଁ ତୁମ ସଂଗେ ଯିବି ବାପା, ଅର୍ଜୁନ କାହିଁକି ଆଠ ଦିନ ହେବ ସ୍କୁଲ ଯାଇନି ତା ଦେହ ବୋଧେ ଭଲ ନାହିଁ।
ବାପା ମୋତେ ତାଙ୍କ ସାଇକେଲ୍ ରେ ବସେଇ ନେଇକି ଗଲେ।ଅର୍ଜୁନ ଘର ଦୁଆର ମୁହଁରେ ଓହ୍ଲାଇ କହିଲେ ତୁ ଯା ଅର୍ଜୁନ ପାଖକୁ।ମୁଁ ଝରିଆକୁ ଡାକି ଆଣେ।ଆସିଲା ବେଳକୁ ତୋତେ ନେଇଯିବି।
ଘରେ ଅର୍ଜୁନ,ଅର୍ଜୁନ ଡାକି ଡାକି ପଶୁ ପଶୁ ବାଘୁଣୀ ଗର୍ଜିଲା ପରି ତା ମା କହିଲା, "ବାଡ଼ି ପଡା ଟା ଛାଉଳି ଗାଳି ପଡିଛି ଆଠ ଦିନ ହେବ।କଣ ନା ମୋ ଦେହ ଖରାପ।ମରି ଯାଆନ୍ତୁ ହେଲେ,କଣ୍ଟାଟିଏ ଯାଆନ୍ତୁ।ସେ ବାଡ଼ି ଖିଆ ଯମ କଣ ଏ ଅଭାଇଜ ଟାକୁ ଛୁଉଁଛି। ମା କୁ ତ ଖାଇଲା ;ଏବେ ମୋତେ ଖାଇବ ବସିଛି।"
ମୁଁ ଏତିକ ଶୁଣି ପୁରା ଡରି ଗଲି।ସୁଦୁ ଡରକୁଳାଟା ଥିଲି।ଅର୍ଜୁନ ବୋଉ ଏମିତି କଣ କହୁଛି?ମୋ ମା ତ କେବେ ଏମିତି କୁହେନି।ଡରିଲେବି ପଚାରିଲି " ମାଉସୀ ଅର୍ଜୁନ କାଇଁ ?ସାର୍ ଖବର ପଠେଇଛି ତା ପାଇଁ।
ଅର୍ଜୁନ ବୋଉ କହିଲେ , ସେଇ ଘର ଭିତର ଟାରେ କୁନ୍ଥଉଛି ପରା ଯୋଗନି ଖିଆ ଟା।ଏତିକ କହି ସେ ବାରି ଆଡ଼କୁ ଗଲେ।ମୁଁ ଘର ଭିତରକୁ ଯାଇ ଯାହା ଦେଖିଲି ସେଥିରେ ମୋ ପିଲା ମନଟି ଦୁଃଖରେ ଭରିଗଲା।
ଅର୍ଜୁମ ଖାଲି ସପଟାରେ ଚିରା ଲୁଗା ଖଣ୍ତେ ପରେ ଶୋଇ ଉହୁ, ଆହା ହେଉଥାଏ।ହେ ଭଗବାନ!ଅର୍ଜୁନ ତୋତେ ଏତେ ଜର?ମୋ ଡାକ ଶୁଣି ଓ ମୋ କୋମଳ ଆଉଁସା ପାଇଁ ଅର୍ଜୁନ ଆଖି ଖୋଲିଲା।ଆଖି ଲାଲ୍ ଦିଶୁଥାଏ।ଟପ୍ ଟପ୍ ଲୁହ ଝରି ପଡିଲା ଅର୍ଜୁନ ଆଖିରୁ।କଥା କହି ପାରୁ ନଥାଏ।ମୁଁ ଏପରି ଅବସ୍ଥାରେ କଣ କରିବି ଜାଣି ପାରିଲି ନାହିଁ।ଦୌଡିଲି ବାପାଙ୍କ ପାଖକୁ।ମୋର କି କାନ୍ଦ!!
ବାପା ମୋ କାନ୍ଦ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ।କଣ ହେଲା ନିଖିଳ୍!କାନ୍ଦୁଛୁ କାହଁକି?ମୁଁ ବାପାଙ୍କୁ ଟାଣି ଟାଣି ଅର୍ଜୁନ ପାଖକୁ ନେଲି।ଅର୍ଜୁନକୁ ଦେଖି ବାପା ବି ଆଶ୍ଚର୍ଯ୍ୟ।ବଡ଼ ପାଟି କରି କହିଲେ ହଇରେ ଗଣେଶା!କୁଆଡେ ଗଲୁ?ପିଲାଟାକୁ ମାରି ଦେବୁ ନା କଣ?ହେ ଗଣେଶା...କୁଆଡେ ଗଲୁ?
ଅର୍ଜୁନ ମା ହାତେ ଓଢଣା ଟାଣି ଆସି ମୁଣ୍ଡିଆଟିଏ ବାପାଙ୍କୁ ମାରି କହିଲା ସେ କାମକୁ ଯାଇଛନ୍ତି।କଣ କାମ ଥିଲା କି ନନା?
ବାପା କହିଲେ ତୁମେ ସବୁ ମଣିଷ ତ?ପିଲା ଟା ମରିବା ଉପରେ,ଗଣେଶା କାମକୁ ଯାଇଛି?ଦେହ ଖରାପ ହେଲେ ଔଷଧ ଖାଆନ୍ତି ନା ନାହିଁ।ଖବର ପଠାଅ ଅର୍ଜୁନ ଡାକ୍ତର ଖାନା ଯିବ।ଡେରି କରି ଦେଲେ ପିଲାକୁ ଆଉ ପାଇବ ନାହିଁ।ଆଚ୍ଛା କୁହତ ଗଣେଶା କେଉଁଠିକୁ କାମ କରିବାକୁ ଯାଇଛି?
ନନ୍ଦ ସାହିକୁ କହିଲେ ଅର୍ଜୁନ ମା।
ବାପା ସାଇକଲ ମାରି ନନ୍ଦ ସାହିରୁ ଗଣେଶାକୁ ଯାଇ ଆଣିଲେ। ମୋ କକେଇ ମୋଟର ସାଇକେଲ୍ ରେ ବସାଇ ଅର୍ଜୁନ ଓ ତା ବାପାଙ୍କୁ ନେଇ ଡାକ୍ତର ଖାନା ଗଲେ।ଆଉ ଡେରି କରିଥିଲେ ଅର୍ଜୁନ ବଞ୍ଚି ନଥାନ୍ତା।ତା ଦେହରେ ଆଦୌ ଜଳୀୟ ଅଂଶ ନଥିଲା।ହାଇ ଟେମ୍ପେର୍ ଚର୍ ଥିଲା।ମ୍ୟାଲେରିଆ ସାଙ୍ଗକୁ ଟାଇଫଏଡ଼।ସାଂଘାତିକ ଅବସ୍ଥା।କାରଣ ଆଠ ଦିନ ହୋଇଗଲାଣି।ପିଲାଟି ବଞ୍ଚିଛି କେମିତି ଡାକ୍ତର ବି ଆଶ୍ଚର୍ଯ୍ୟ ହେଲେ।
ମୁଁ ବି ବାପାଙ୍କ ସହ ଡାକ୍ତର ଖାନା ଯାଇଥିଲି।
ବାପା ଗଣେଶା ମଉସାଙ୍କୁ କହୁଥିଲେ: ହଇରେ କଂସେଇ ତୁ ବାପଟି।ମା ଟା ତାର ମରି ଗଲା ବୋଲି ଛୁଆଟିକୁ ଏମିତି ଅବହେଳା କରୁଛୁ?ଶୁଣ୍ ଆଜି ଠାରୁ ଅର୍ଜ୍ଜୁନ ଉପରେ କିଛି ବି ଅତ୍ୟାଚାର ହେଲେ ତୋତେ ପୋଲିସ୍ ରେ ଦେବି।
ଗଣେଶା ମଉସା ତଳକୁ ମୁହଁ ପୋତି କେବଳ ଶୁଣୁଥାନ୍ତି ;ଉଁ ଚୁଁ ହେଉ ନଥାନ୍ତି।
ପନ୍ଦର ଦିନ କାଳ ମରଣ ସହ ଲଢ଼ି ଅର୍ଜୁନ ଘରକୁ ଫେରିଲା।ବାପା ଅର୍ଜୁନକୁ ଡାକ୍ତର ଖନାରୁ ସିଧା ଆମ ଘରକୁ ନେଇ ଆସିଲେ।ସେ ଜାଣି ଥିଲେ ଅର୍ଜୁନ ତାଙ୍କ ଘରକୁ ଗଲେ ଯତ୍ନ ବିନା ମରିଯିବ।ମୁଁ ବହୁତ ଖୁସି ହୋଇଥିଲି ବାପାଙ୍କ ନିଷ୍ପତ୍ତିରେ।ମିଛରେ କି ମୋ ବାପା
ଗାଁ ର ମୁଖିଆ!
ମୁଁ ମା କୁ ପଚାରିଲି ମା!ଅର୍ଜୁନ ମା ଏମିତି କାହିଁକି?ଅର୍ଜୁନ ମା ତ ଅଛନ୍ତି,ବାପା କାହିଁକି କହୁଥିଲେ ଅର୍ଜୁନ ମା ମରି ଯାଇଛି।
ମା କହିଲେ ଅର୍ଜୁନ ମା ମରି ଯାଇଛନ୍ତି ଜଳ ଉଧୁରି ରୋଗରେ ଏବେ ଯିଏ ଅଛି ସେ ତା ପଛ ମା।ଆଉ ସେ ଛୋଟ ଭାଇ ଭଉଣୀ ଫି ଟା ତା ପଛ ମା ର।ଦିନ ରାତି ସେଇ ଛୁଆଙ୍କ କାମ ପରା ଅର୍ଜୁନ କରେ।
କୋମଳ ଆଦ୍ୟ କୈଶୋର ପ୍ରାଣ ମୋର ସବୁ କିଛି ବୁଝି ନଥିଲେ ବି ପଛ ମା ବହୁତ ଖରାପ ଏ ଧାରଣା ହୋଇଥିଲା।ପୁଣି ଅର୍ଜୁନ କେବେ କୁହେନି ତାର ପଛ ମା ବୋଲି।ଅର୍ଜୁନ ସତରେ ଭାରି ଭଲ ପିଲାଟିଏ।
ଅର୍ଜୁନ ଭଲ ହୋଇ ତାଙ୍କ ଘରକୁ ଗଲା।ବାପା ତଗିଦା କରିଦେଇ ଆସିଲେ:ଅର୍ଜୁନକୁ ହଇରାଣ କଲେ ଥାନାକୁ ଯିବାକୁ ପ୍ରସ୍ତୁତ ହୋଇ ଥିବୁ ଗଣେଶା।ଆଉ ଅର୍ଜୁନ! ତୋର ଯେତେବେଳେ ଇଚ୍ଛା ହେବ ନିଖିଳ୍ ସାଙ୍ଗେ ଆମ ଘରକୁ ଯିବୁ,ବୁଝିଲୁ।
ତାପରେ ଅର୍ଜୁନ ସ୍କୁଲ ଗଲା।ମୋ ସହ ଆହୁରି ନିବିଡ଼ ହୋଇଗଲା ତାର ସମ୍ପର୍କ।ସେ ଆଗ ପରି ଜୋକ୍ କଲା।ହସ କଥା କହି ବେଦମ କରାଇଲା ଆମକୁ।
ମୁଁ କିନ୍ତୁ ତା ହସ ପଛର କାନ୍ଦ ମୁହଁଟା ଦେଖି ପାରେ।ସେ ତା କାନ୍ଦ ଲୁଚାଇବା ପାଇଁ ଯେ ହସୁଛି ଏତକ ବୁଝି ଥିଲି ମୁଁ।
ମୁଁ ବିସ୍ମିତ ହୋଇ ବାପାଙ୍କୁ ପଚାରୁ ଥିଲି ବାପା "ଜୋକର୍ ବି କାନ୍ଦେ !"