Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.
Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.

Satyabati Swain

Tragedy

3  

Satyabati Swain

Tragedy

ଜୋଛି ବୋଉ

ଜୋଛି ବୋଉ

5 mins
500



ତା ମନ ମୋ ପାଖେ ଖୋଲା ଡାଇରୀଟିଏ ପରି।ତାକୁ ପଢିବାକୁ ମୋର କିଛି ଅସୁବିଧା ହୋଇନି କେବେ ବି।ସାଙ୍ଗ ହୋଇ ସଂସାର ଓ ଜୀବନ ସଉଦା କରୁଛୁ କୋଡିଏ ବର୍ଷ ହେବ।ନାଁ ପରି କାର୍ଯ୍ୟକଳାପ ବି ସେମିତି ତାର।ହୃଦୟଟି ସଫା,ମନଟି ଉଦାର ଓ ସ୍ନେହୀ।ଅଳ୍ପକେ ସନ୍ତୁଷ୍ଟ ହୋଇଯାଏ।ଛୋଟ ଛୋଟ ଜିନିଷ ମିଳିଲେ ସେଇତକ ପାଇ ଖୁବ ଖୁସି ହୋଇଯାଏ।ମୋର ମନେ ନାହିଁ କେବେ ସେ ଫର୍ମାଇସ କରିଛି ଏଇଟା ଆଣ,ସେଇଟା ନହେଲେ ହେବନି।ମୋ କଥା ରହିବ,ନଲେ ମହା ଭାରତ କୌଣସି ଦିନ ସୃଷ୍ଟି ହେବା ଅବକାଶ ଆସି ନାହିଁ ଜୀବନରେ।ସାଧାରଣ କ୍ଲର୍କଟିଏ ମେଡିକାଲ ଅଫିସିର ମୁଁ ଚନ୍ଦ୍ର ଶ୍ରୀ ମିଶ୍ର।ସେ ମୋର ଅର୍ଧଙ୍ଗିନୀ ଜ୍ୟୋତ୍ସ୍ନା ଅଗସ୍ତି।

 

  କୋଡିଏ ବର୍ଷ ତଳେ ମୋ ନନା ବହୁତ ଝିଅ ଦେଖି ଦେଖି ଶେଷରେ ଏଇ ଜୋତ୍ସ୍ନା କୁ ବାଛି ଥିଲେ ମୋ ପାଇଁ।ନକ ନକ ପତଳା ଜହ୍ନ ରଙ୍ଗିଆ ଦେହ,ପାଞ୍ଚ ଫୁଟ ଦୁଇ ଇଞ୍ଚର ଝିଅଟି।ଭାରି ହସକୁରି।ଖିଲି ଖିଲି ହସ।ଟିକେ ଟିକେ କଥାରେ ହସେ ବୋଲି କେତେ ଜଣ ଆଈ ହିସାବ ମା କୁହନ୍ତି "କିରେ ଅକ୍ରୁର କି ବୋହୂ କରି ଆଣିଛୁ ବା ଶଶୀ ପାଇଁ ସବୁବେଳେ ହେଁ ହେଁ।"ମୋ ବୋଉ ହସି ହସି କୁହେ "ହସନ୍ତା ନାହିଁ କଣ ଉଷୁନା ହାଣ୍ଡି କରିଥିଲେ ଭଲ ଲଗନ୍ତା ତୁମକୁ।ଠାକୁରେ କରନ୍ତୁ ଏମିତି ମୋ ଶଶୀ ସହ ହସୁଥାଉ ସବୁଦିନ।ସାଙ୍ଗ ହୋଇ ପାରି ହୁଅନ୍ତୁ ଜୀବନ ଗଙ୍ଗା।ବୋହୂ ଟି ମୋ ମନକୁ ପାଇଛି।ଶଶୀ ଓ ସେ ଠିଆ ହେଲେ ପୂରା ରାଧା କୃଷ୍ଣ ପରି ଲାଗୁଛନ୍ତି।କାହା ନଜର ନ ଲାଗୁ ମୋ ଛୁଆ ଦୁଇଙ୍କୁ।ଦୁଃଖସୁଖ ବାଣ୍ଟନ୍ତୁ,ହସ ଖୁସିରେ ବଞ୍ଚନ୍ତୁ।

 

   ମୋ ବୋଉ ସେତେ ପାଠୋଇ ନୁହେଁ।କିନ୍ତୁ ବୋହୂ କେମିତି ଚଳାନ୍ତି ସେ ଖୁବ ଜାଣିଥିଲା।ଜୋତ୍ସ୍ନାକୁ ସେ ସବୁବେଳେ ଜୋଛି ଡାକେ।ଯାଉ ଆସୁ ଡାକୁଥିବ ଜୋଛି ହେ ଜୋଛି।ଜୋତ୍ସ୍ନା ବୋଉ ସ୍ନେହରେ ଘଷି ମାଜି ହୋଇ ଜୋଛି ହୋଇଗଲା।ସମସ୍ତେ ଡାକିଲେ ଜୋଛି,ଜୋଛି।କାହାର ଜୋଛି ଭାଉଜ,କାହାର ଜୋଛି ଖୁଡି,ମାଇଁ

,ନାନୀ ତ ପୁଣି କିଏ ଡାକିଲା ଜୋଛି ବଡ଼ ବୋଉ।ଆଉ ଆମ ନିଜ ପିଲା ବି ଜୋଛି ଶୁଣି ଶୁଣି ଡାକିଲେ ଜୋଛି ବୋଉ।


   ଜୋତ୍ସ୍ନାରୁ ଜୋଛି ହେବାରେ ତାର ଅହେତୁକ ଆନନ୍ଦ ଥିଲା।ମୁଁ କିନ୍ତୁ ଡାକେ ଜୋତ୍ସ୍ନା।କେଡେ ସରାଗର ତା ନାନା ବୋଉ ଏ ନାଁ ଟି ଦେଇଥିଲେ,ଜୋଛି ଭିତରେ ଜୋତ୍ସ୍ନା ହଜିଯିବ କାହିଁକି?ସିଏ ତ ମୋର ଜୋତ୍ସ୍ନା,ଶଶୀର ଜୋତ୍ସ୍ନା।ତା ବିନା ମୁଁ ମୂଲ୍ୟହୀନ।ମୋ ବିନା ସେ ଆଲୋକ ଶୁନ୍ୟ।ମୋର ଦୁଇ ଭଉଣୀ ଓ ଗୋଟିଏ ଭାଇ।ଏମାନଙ୍କ ପଢା,ବାହା ସାଦି ସବୁ କରିବାକୁ ପଡିଲା ମୋତେ।ମୋର ବି ଦୁଇ ଝିଅ।ଜଣେ ମେଡିକାଲ ଲାଷ୍ଟ ୟିଅର ଛାତ୍ରୀ,ଆଉ ଜଣେ ପିଜି କରୁଛି ଫିଜିକ୍ସ ରେ।ଏ ସମସ୍ତ ଦାୟିତ୍ବ ବୁଝୁ ବୁଝୁ ମୁଁ କେତେବେଳେ ପହଞ୍ଚି ଯାଇଥିଲି ପଚାଶ କଣ୍ଟା ପାଖରେ। ଜୋତ୍ସ୍ନା କୁ ପଇଁଚାଳିଶ।ଏହା ଭିତରେ ମୋ ନନା ବୋଉ ମୋତେ ଜୋତ୍ସ୍ନା ହାତରେ ସମର୍ପି ଡକା ଡକି ହେଲା ପରି ବର୍ଷକ ଭିତରେ ଚାଲି ଗଲେଣି କେବେଠୁ ଆଜକୁ ସାତ ବର୍ଷ ହେବ।


   ଜୋତ୍ସ୍ନା ଟି ଏତେ ଭଲ କେମିତି ହେଲା ଭାବିଲେ ମୁଁ ନିଜକୁ ତପାଇଁ ଅଯୋଗ୍ୟ ସ୍ୱାମୀଟିଏ ବୋଲି ଭାବେ।ମୁହଁ ନ ଖୋଲିଲେ ବି ତା ମନ କିଛି ପାଇଁ ତ କହୁଥିବ।କି ସ୍ଵାମୀଟିଏ ମୁଁ ଯେ ସେ କଣ ଚାହେଁ ଆଜିଯାଏ ଜାଣି ପାରିଲିନି।ଖୁସିରେ କେବେ ଶାଢ଼ୀ କି ସୁନା ଜିନିଷ ସେ ପୁଣି କେବେ କଦବା ଆଣିଲେ ସାଇତି ଦେଇ କହିବ ଗୀତା କି ପ୍ରଣିତା ମୋ ଦୁଇ ଭଉଣୀ ଆସିଲେ ନେବେ।କି ମନ ତାର ଇଚ୍ଛା ହୁଏନି ନୂଆ ଖଣ୍ଡେ ପିନ୍ଧିବାକୁ!!ମୋ ସାଙ୍ଗ ମାନେ ତାଙ୍କ ବିବାହ ବର୍ଷିକି,ସାବିତ୍ରୀ ଅମାବାସ୍ୟାରେ କିମ୍ବା ଧନ ତେରେସା ରେ ଝାଉଁ ଝିଣ୍ଡାଇ ଦିଅନ୍ତି ଏଇଟା ନେବୁ ହିଁ ନେବୁ।ହେଲେ ମୋ ଜୋତ୍ସ୍ନା ଏ ଦିନ କେବେ ଆସେ ଜାଣି ପାରେନି।ବୋଧେ ଭୁଲ୍ କହିଲି ଜାଣେ ପ୍ରକାଶ କରେନି।ସେ ବୁଝି ଯାଇଛି କି କଣ ତା ସ୍ୱାମୀ ଅଳ୍ପ ଦରମାର ମଣିଷକୁ ବହୁ ଖର୍ଚ୍ଚର ପରିବାର।ସେ ବରାଦ କଲେ ମୁଁ ତ ଦେଇ ପାରିବିନି ବରଂ ସେ ପାଇଲାନି ମନ କଷ୍ଟ କରିବ;ମୁଁ ଦେଇ ପାରିଲିନି ବୋଲି ମନ ଊଣା କରିବି।ସେଇ ପାଇଁ ହୁଏତ କେବେ କୌଣସି ଦିନ କହିନି ମୋର ଟିକିଲ ଟିଏ ଦରକାର।ହଁ ଏଇଟି ସତ ତାର ଅତି ଆବଶ୍ୟକ ଏଇ ଯେମିତି ସିନ୍ଦୁର,ଶଙ୍ଖା,ସାବୁନ ପାଉଡର କି କ୍ରିମ ଦେବାରେ ଅବହେଳା କରି ନାହିଁ ମୁଁ।ସେତ ମୁହଁ ଖୋଲି କିଛି କୁହେନି ଏଣୁ ନିହାତି ଦରକାରୀ ନିତ୍ୟ ବ୍ୟବହୃତ ଜିନିଷ ନ ସରିବା ପୂର୍ବରୁ ମୁଁ ଆଣି ଥୋଇଦେଇଥାଏ।ଏତିକିରେ ସେ ଅତି ଖୁସି।


   ଖୁସି ଓ ହସ ମୋ ଜୋତ୍ସ୍ନାର ମିତଣୀ।ସବୁବେଳେ ହସ ହସ ମୁହଁ।ସେ ଯେ ବହୁ ଖୁସିରେ ଅଛି ତା ମୁହଁ ଦେଖିଲେ ଜାଣି ହୋଇଯାଏ।ଆମ ଘରକୁ ଆସିଲା ଦିନୁ ସେ ଏପରି।ବିବାହ ପରେ ତା ନାନା ଵୋଉ ପାଖକୁ ଗଲେ ବି ଅନ୍ୟ ଝିଅ ମାନଙ୍କ ପରି ଏଇଟା ନେବି ସେଇଟା ଦେ,ନିଶ୍ଚିନ୍ତ ମର କି ପଡ଼ ଦିଅ କେବେ କୁହେନା।ବରଂ କୁହେ "ପାଳି ପୋଷି ବଡ଼ କଲ୍,ଭଲ ଘର ବର ଦେଖି ବାହା ଦେଲ,ଏଣିକି ମୁଁ ତୁମ ମାନଙ୍କ ପାଇଁ ଭଲ ମନ୍ଦ ଦେବି ନା ତୁମେ କଣ ଏମିତି ଦେଉ

ଥିବ!"


    ସତରେ ମୁଁ କପାଳିଆ ସୁସ୍ଥ ଚିନ୍ତାଧାରାର ଜୀବନ ସାଥୀଟିଏ ଈଶ୍ୱର ମୋ ଝୁଲିରେ ଦେଇଛନ୍ତି।ଏମିତି ସ୍ତ୍ରୀ ପ୍ରତ୍ୟେକ ପୁରୁଷ ପାଇଲେ ସଂସାରରେ ଖୁସି ଲହଡ଼ି ମାରନ୍ତା।ଏତେ ଭଲ ସାଥୀଟି ମୋର ଜୀବନରେ ମାତ୍ର ଗୋଟିଏ ଇଚ୍ଛା ରଖିଥିଲା ମୋ ନନା ବୋଉ ବାଣୀ ବିହାର ପାଖେ ଖଣ୍ଡେ ଜମି କିଣିଥିଲେ।ଜୋତ୍ସ୍ନାର ଇଚ୍ଛାଥିଲା ସେଇଟି ନିଜର ଗୋଟେ ଛୋଟ ଘର କରିବା ପାଇଁ।ସାରା ଜୀବନ କଟକରେ ଭଡା ଘରେ ରହି ରହି ଚିଡା ମାରିଲାଣି।ତା ଇଛାଟି ଆମ ସମସ୍ତଙ୍କ ଇଚ୍ଛା ଥିଲା।ବଡ଼ ଝିଅଟି କୁହେ ନନା ବ୍ୟସ୍ତ ହୁଏନି ମୋ ପୋଷ୍ଟିଂଗ ହୋଇଯାଉ ନିଜର ଘର ଖଣ୍ଡେ ଆଗ କରିବା।"ଜୋଛି ବୋଉ" ନାଁ ରେ ଘର ହେବ।ଜୋଛି ବୋଉ ଯେମିତି କହିବ ଘର ଠିକ୍ ସେମିତି ହେବ।


    ମୁଁ ନିଜ ଭିତରେ ଭାଙ୍ଗିଭୁଙ୍ଗି ଅତି ଛୋଟ ହୋଇଯାଏ।ପିଲାଙ୍କ ପଢାକୁ ଦରମା ଅଣ୍ଟେନି।ଜିପିଏଫ୍ ଲୋନ୍ ରେ ଅଧା ଦରମା କଟିଯାଏ,ଆଉ ଅଧା ବନ୍ଧୁବାନ୍ଧବ,ଘର ଭଡା,ଘରଖର୍ଚ୍ଚ,ଔଷଧ ପତ୍ର ଓ ପିଲାଙ୍କ ପାଠ ରେ ସରିଯାଇ ଧାର ଉଦ୍ଧାର କରିବାକୁ ପଡେ।କେମିତି କରି ପାରନ୍ତି ଘର ତୋଳେଇ!!ଜୋତ୍ସ୍ନାକୁ ଘର ଟିଏ କରି ଦେବାର ବାସନା ଭିତରେ ମୋତେ ଜଳାନ୍ତି।ଭରସା ରଖେ ରିଟାର୍ଡ ହେବାକୁ ଦୁଇଚାରି ବର୍ଷ ଥିବ,ସବୁ ଜିପିଏଫ ଉଠାଇ ଆଣି ଛୋଟ ଘରଟିଏ କରିବି।କିଏ ଜାଣେ କେତେବେଳେ କଣ ନ ଘଟିବ ଏଣିକି!!ପଚାଶ ଛୁଇଁଲେ ଆଉ ବିଶ୍ୱାସ ନାହିଁ ଏ ନିଃଶ୍ୱାସ ଉପରେ।ଏଣିକି ରୋଗ ବୈରାଗ ଗୋଡେଇବ।ମନ କଥା ମନରେ ଥାଏ।ଦୁଇ ଝିଅ ବି ଆଶା କରିଥାନ୍ତି ତାଙ୍କ ଜୋଛି ବୋଉକୁ ଗୋଟେ ଘର କରି ଉପହାର ଦେବେ।ଏଥିପାଇଁ ସମୟ ଦରକାର।


    ସମୟ କଣ କାହାକୁ ଅପେକ୍ଷା କରେ!କାହାର ଇଚ୍ଛା ଅନିଛାରେ ତାର କଣ ଯାଏ।ସେ ତ ଖେଳାଉଥାଏ

ପ୍ରତ୍ୟେକ ଜୀବଙ୍କୁ।ଝିଅଟି ହାଉସ ସର୍ଜନ ଭାବେ ବଡ଼ ମେଡିକାଲ ରେ ପୋଷ୍ଟିଂଗ ହେଲା।ସାନ ଟି ଜୁନିଅର ଲେକ୍ଚରସିପ ପାଇଗଲା।ଆମେ ତିନିହେଁ ଲାଗି ପଡ଼ିଲୁ ଘର ଟିଏ କରିବା ପାଇଁ।ଜୋତ୍ସ୍ନାର ସ୍ୱପ୍ନ ସତ ହେବାକୁ ଆଉ ଅଳ୍ପ ଦିନ ବାକିଥାଏ।ଘର ରଙ୍ଗ ଦିଆ ହେଉଥାଏ

ସରସ୍ଵତୀ ପୂଜା ଦିନ ଘର ପ୍ରତିଷ୍ଠା ହେବ ବୋଲି ସ୍ଥିର ହୋଇଥାଏ।ହଠାତ୍ ଦିନେ ସାନ ଝିଅ ଦିନ ଦୁଇଟାରେ ମୋ ଅଫିସକୁ ଫୋନ୍ କଲା ନନା "ଜୋଛି ବୋଉର କଣ ହୋଇ ଯାଉଛି।ଶୀଘ୍ର ଆସ।ବଡ଼ ଝିଅକୁ ବି ଫୋନ୍ କରୁଦେଇଥାଏ। ମୁଁ ପହଂଚିବା ପୂର୍ବରୁ ବଡ଼ ଝିଅ ତାର ଦୁଇ ଜଣ ଡାକ୍ତର ବନ୍ଧୁ ନେଇ ଜୋତ୍ସ୍ନାକୁ ପରୀକ୍ଷା କରୁଥାନ୍ତି।


    ମୁଁ କିଛି ବୁଝି ପାରୁ ନଥାଏ।ଜୋତ୍ସ୍ନା ତଳେ ଚିତ ହୋଇ ଶୋଇଥାଏ ଚଟାଣରେ।ଚଟାଣ ପାଣିରେ ଯେପରି ଭାସୁଥାଏ।କିଏ ଯେମିତି ତା ଉପରେ ପାଣି ବାଲ୍ଟି ଢାଳି ଦେଇଛି।ମୋତେ ଖାଇବାକୁ ଦେଲା,ଟିଫିନ୍ ଦେଲା ସବୁଦିନ ପରି।ଅବଶ୍ୟ ଆଜି କାହିଁକି କହିଲା "ଶିଘ୍ର ଆସିବ "।ମୁଁ କହିଲି କାହିଁକି କଣ କାମ ଥିଲା?ଜୋତ୍ସ୍ନା କହିଲା ନା ଏମିତି କହିଲି ନା।କଣ କହୁଛନ୍ତି ବାତ୍ୟା ହେବ ତ ସେଇ ପାଇଁ।


    ଅବଶ୍ୟ ବାତ୍ୟା ତ ଆସିଲା ମୋ ଜୀବନରେ।ମୁଁ କିନ୍ତୁ ବୁଝି ପାରି ନଥିଲି ସେ କହିଲା ବେଳେ।ବଡ଼ ଝିଅ ମୋତେ ଦେଖି କାନ୍ଦି ଉଠିଲା"ନନା ଜୋଛି ବୋଉ ଆଉ ନାହିଁ।ହୃଦଘାତ ରେ ସେ ଚାଲିଗଲା ନନା।"ଆଗରୁ ଥରେ ଦୁଇଥର ଷ୍ଟ୍ରୋକ ହୋଇଛି;କିନ୍ତୁ ସେ ଜାଣି ପାରିନି।ଏଇଟା ଲାଷ୍ଟ ଷ୍ଟ୍ରୋକ ଥିଲା।"ମୁଁ ସ୍ଥାଣୁ ହୋଇଗଲି।ଶଶୀର ଜୋତ୍ସ୍ନା ଆଉ ନାହିଁ?ଏ କଥା ଭାବିଦେଲା ମାନେ ମୋ ମୁଣ୍ଡ କଣ ହୋଇଗଲା।ଚେତା ଆସିଲା ବେଳକୁ ମୁଁ ନିଜକୁ ମେଡିକାଲ୍ ରେ ଆବିଷ୍କାର କଲି।ସେତେବେଳେକୁ ଜୋତ୍ସ୍ନା ମରିବା ସାତ ଦିନ ହୋଇ ଯାଇଥିଲା।ଝିଅ ଦୁଇ ଜଣ କାନ୍ଦି କାନ୍ଦି କହୁଥିଲେ " କଣ ଯେ ନନା ଆମକୁ ଅନାଥ କରିବା ଇଚ୍ଛା କି ତୁମର? ଜୋଛି ବୋଉ ତ ସବୁ ଅଭାବ, ଅସୁବିଧାକୁ ପିଇ କାହାକୁ କିଛି ନ ଜଣେଇଁ ଚାଲିଗଲା ।ଶେଷରେ ତୁମେ ବି ସେମିତି କରିବ ନା କଣ?

  

  ତିନିଟି ପ୍ରାଣ ଭୋ ଭୋ ହେଉଥିଲେ ଲୁହରେ ଭିଜି।ଜୋତ୍ସ୍ନା ଆଉ ନାହିଁ?ଅବିଶ୍ଵାସ ଲାଗୁଥିଲା।ଝିଅ ଦୁଇଟି ଅବିକଳ ତାରି ରୂପ, ରଙ୍ଗ,ସ୍ଵଭାଵ ବି।ସେମାନଙ୍କ ମୁଣ୍ଡ ସାଉଁଳେଇ ମୁଁ କେତେ ଅସହାୟ ଭାବୁଥିଲି।ନାଇଁରେ ସୁନା ଯାଇଥିଲେ ତ ଯାଇଥାନ୍ତି ଜୋତ୍ସ୍ନା ସଙ୍ଗେ।ହେଇ ଦେଖ୍ ଆଖି ଖୋଲିଲିଣି।ଆଉ ଏବେ କଣ ତୁମକୁ ଏକା କରି ଯାଇ ପାରିବି!!ପିଲା ଦିଟା ମୋ ଛାତିରେ ମୁଣ୍ଡ ଗୁଞ୍ଜି ଖାଲି କଇଁ କଇଁ ହେଉଥିଲେ।

 

   ଆଜି ବର୍ଷକ ପରେ ଘର ପ୍ରତିଷ୍ଠା ହେଉଛି।ପିଲାମାନେ ଘର ନାଁ ଦେଇଛନ୍ତି "ଜୋଛି ବୋଉ ଘର"।ହେଲେ ବିଚାରୀ ହସକୁରି ଜୋତ୍ସ୍ନା ସମସ୍ତଙ୍କୁ କନ୍ଦେଇ ଲୁଚିଛି କେଉଁ ତାରାରେ।ଜୋତ୍ସ୍ନାର ନିଜ ଘର କରିବା ଇଚ୍ଛାଟି ପୂରଣ ହେଲା ସତ ହେଲେ ସେ ଘରେ ପାଦ ଥାପିବାକୁ ସେ ନଥିଲା।ସେ ଘରକୁ ଏକା ଯିବାକୁ ମନ ସ୍ୱୀକୃତି ଦେଉ ନଥିଲା।ଜୋତ୍ସ୍ନା ତୁମେ ଥିଲେ କି ଖୁସି ହେଉଥାନ୍ତ!!!ଦେଖ୍ ତୁମ ଘର ପ୍ରତିଷ୍ଠା ଆଜି ହେଉଛି।ଯେଉଁଠି ଥାଅ ଥରେ ଆସି ଦେଖିଯିବ ତୁମ ଶେଷ ଓ ପ୍ରଥମ ଇଚ୍ଛାକୁ ତୁମ ଝିଅ ଦୁଇଜଣ ପୂରଣ କରିଛନ୍ତି।କିନ୍ତୁ ତାଙ୍କ ଖୁସିରେ ଭାଗ ବାଣ୍ଟିବାକୁ ତୁମେ ନାହଁ।ଜୋତ୍ସ୍ନା ତୁମର ଏମିତି କରିବାର ଥିଲା କି??ମୋତେ ଏକା ଏପରି ଛାଡି ଯିବାର ଉଚିତ ହୋଇଛି ତ....

    ମୁଁ ଶଶୀ ଏବେ ମଉଳି ଯାଉଛି ଜୋତ୍ସ୍ନା ବିନା।

  

    



Rate this content
Log in

More oriya story from Satyabati Swain

Similar oriya story from Tragedy