Sunanda Mohanty

Abstract Action Others

4  

Sunanda Mohanty

Abstract Action Others

ଜ୍ଞାନ

ଜ୍ଞାନ

4 mins
9



ସେଦିନ ଥାଏ ଅକ୍ଷି ତୃତୀୟା.ଜଣେ ଲୋକ ଯିଏ ଜୀବନର ଅର୍ଦ୍ଧେକ ପାଠପଢାରେ ବିତେଇ ଦେଲେ ସେ ଦୂର ସ୍ଥାନକୁ ଯିବା ପାଇଁ ବାହାରି ଥାଆନ୍ତି.ସେହି ବ୍ୟକ୍ତି ଏତେ ପଢାଲେଖା କରିଥିଲେ ମଧ୍ୟ ମନରେ ବିନମ୍ରତାର ଭାବ ନଥିଲା.ବହୁତ ପାଠ ପଢିଥିବାରୁ ମନରେ ବହୁତ ଗର୍ବ ଥାଏ.ସୁତରାଂ ସେ ନିଜକୁ ସର୍ବଶ୍ରେଷ୍ଠ ବିଦ୍ବାନ୍ ବୋଲି ମନେକରୁଥାଏ.ଅନ୍ୟ ସମସ୍ତଙ୍କର ବିଦ୍ଯା ଓ ଜ୍ଞାନକୁ ଅସ୍ବୀକାର କରୁଥାଏ.ଆଜି ତାଙ୍କୁ ରାସ୍ତାରେ ଯିବାବେଳେ ନଦୀ ପାର ହେବାକୁ ପଡିଲା.ନଦୀ ପାର ହେବା ପାଇଁ ବ୍ଯକ୍ତି ଜଣକ ଡଙ୍ଗାରେ ବସିଲେ. ମନରେ ଗର୍ବଭାବ ରଖି ନାବିକକୁ ପଚାରିଲେ କ'ଣ ତୁମେ ବ୍ଯାକରଣ ପଢିଛ?ନାଉରିଆ ମନାକଲା.ଅହଙ୍କାରୀ ବ୍ଯକ୍ତି ଜଣକ କହିଲେ ଜୀବନକୁ ଅଧା ବେକାର କରିଦେଲ.କିଛି ନ କହି ନାବିକ ଚୁପଚାପ୍ ରହିଲା. ଆଛା ଆଜି ଅକ୍ଷି ତୃତୀୟା ବୋଲି ଜାଣିଛ? ଆଜ୍ଞା ଜାଣିଛି ଏହା ଏକ କୃଷିଭିତ୍ତିକ ପର୍ବ. ମାତ୍ର ଏତିକି ଜାଣିଛ!ଏହା ପରେ ବିଦ୍ୱାନ ବ୍ୟକ୍ତି ଜଣକ ଅକ୍ଷିତୃତୀୟା ବିଷୟରେ ଏକ ସାରଗର୍ଭକ ତଥ୍ୟ ଉପସ୍ଥାପନା କରିବାକୁ ଯାଇ କହି ଚାଲିଲେ ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟାଟି ଅକ୍ଷୟ ତୃତୀୟା ବା ଅକ୍ଷି ତୃତୀୟା ଭାବେ ପରିଚିତ. ନୂତନ କାର୍ଯ୍ୟଟିଏ ଆରମ୍ଭ କରିବା ପାଇଁ ଅକ୍ଷୟ ତୃତୀୟା ହେଉଛି ପୂରା ବର୍ଷ ମଧ୍ୟରେ ସବୁଠାରୁ ଶୁଭ ତିଥି.ଏହି ଦିନ କୌଣସି କାର୍ଯ୍ୟ ଆରମ୍ଭ କଲେ ତାହା କ୍ଷୟ ନହୋଇ ଅକ୍ଷୁର୍ଣ୍ଣ ରହିଥାଏ.ଶୁଭଦିନ ମନେକରି ଏହିଦିନ ଅକ୍ଷିମୁଠି ଅନୁକୁଳ, ଗୃହନିର୍ମାଣ, ନିର୍ବନ୍ଧ, ବିବାହ, ଉପନୟନ ପ୍ରଭୃତି ଶୁଭକର୍ମମାନ ଅନୁଷ୍ଠିତ ହୋଇଥାଏ.

   ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚନ୍ଦନ ଯାତ୍ରା ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହେଉଥିବା ବେଳେ ରଥ ତିଆରି କାମ ମଧ୍ୟ ଆରମ୍ଭ ହୋଇଥାଏ. ଅକ୍ଷୟ ତୃତୀୟା ତିଥିରେ ଅକ୍ଷି ପୂଜା ହେବା ପରେ ବିଶ୍ଵକର୍ମା ଓ ତାଙ୍କର ସହଯୋଗୀଗଣ ରଥନିର୍ମାଣରେ ପ୍ରବୃତ୍ତ ହୋଇଥାନ୍ତି. ଏହି ଦିନରେ ସଧବା ସ୍ତ୍ରୀମାନେ ଷଠିବୁଢ଼ୀ ପୂଜା କରନ୍ତି. ବଳଦେବ ଜିଉ ମନ୍ଦିରରେ କୃଷିର ଆରାଧ୍ୟ ଦେବ ହଳାୟୁଧ ବଳରାମ ଓ ରେବତୀଙ୍କ ବିବାହୋତ୍ସବ ଅନୁଷ୍ଠିତ ହୁଏ. ମା ଅନ୍ନପୂର୍ଣ୍ଣାଙ୍କ ଜୟନ୍ତୀ ଓ ଗୀତଗୋବିନ୍ଦ ରଚୟିତା କବି ଜୟଦେବଙ୍କ ଜୟନ୍ତୀ ପାଳନ ହୁଏ.ପୌରାଣିକ ଦୃଷ୍ଟିକୋଣରୁ ଏ ଦିନର ମହତ୍ତ୍ୱ ଯଥେଷ୍ଟ ଅଧିକ.ଏହି ଦିନକୁ ସତ୍ୟ ଯୁଗର ପ୍ରାରବ୍ଧ ଦିବସ ରୂପେ ଗ୍ରହଣ କରାଯାଇଛି. ଅକ୍ଷୟ ତୃତୀୟାରେ ଋଷି ବେଦବ୍ୟାସ ଓ ପ୍ରଭୁ ଗଣେଷ ମହାଭାରତ ଲେଖିବା ଆରମ୍ଭ କରିଥିଲେ.ପୌରାଣିକ କାଳରେ ଅକ୍ଷୟତୃତୀୟାରୁ ତ୍ରେତୟା ଯୁଗ ଆରମ୍ଭ ହେଉଥିବା ବେଳେ ପାପ-ନାଶିନୀ ଗଙ୍ଗା ପୃଥିବୀ ପୃଷ୍ଠରେ ପ୍ରବାହିତ ହୋଇଥିଲେ ବୋଲି କିମ୍ବଦନ୍ତୀ କହେ. ଅକ୍ଷୟତୃତୀୟା ତିଥିରେ ଶ୍ରୀକୃଷ୍ଣ ବାଲ୍ୟ ବନ୍ଧୁ ସୁଦାମାଙ୍କୁ ଭେଟି ତାଙ୍କ ଦାରିଦ୍ର୍ୟର ଅନ୍ତ ଘଟାଇଥିଲେ.ଏଣୁ ଏହି ତିଥିକୁ ସମୃଦ୍ଧି ଓ ସୌଭାଗ୍ୟର ତିଥି ବୋଲି ବିଶ୍ୱାସ କରାଯାଏ.ଏହି ଦିନ ସ୍ଵର୍ଣ୍ଣ କ୍ରୟ କଲେ ଲକ୍ଷ୍ମୀ ଧନଧାନ୍ୟରେ ଗୃହ ପୂରିଦିଅନ୍ତି ବୋଲି ବିଶ୍ଵାସ ଅଛି.କୃଷକମାନେ ଏହାକୁ ବଡ଼ ଶୁଦ୍ଧି ଓ ସିଦ୍ଧିର ଦିବସ ଭାବେ ପାଳନ କରିଥାନ୍ତି.କୃଷକ ଏହିଦିନ ଅମୃତ ବେଳାରେ ଅକ୍ଷିମୁଠି (ଅକ୍ଷୟ ମୁଠି) ଅନୁକୂଳ କରି କୃଷିକାର୍ଯ୍ୟର ଶୁଭାରମ୍ଭ କରିଥାଏ. ଚାଷୀ ନିଜ ସ୍ତ୍ରୀଠାରୁ ହଳଦୀ, ଚନ୍ଦନ, ସିନ୍ଦୂର ବୋଳା ଧାନ ବିହନପୂର୍ଣ୍ଣ ନୂଆ ଗଉଣୀକୁ ଶଙ୍ଖ ହୁଳହୁଳି ଧ୍ୱନି ମଧ୍ୟରେ ମୁଣ୍ଡରେ ଥୋଇ ଏବଂ ଅନ୍ୟ ଏକ ନୂତନ ଟୋକେଇରେ ପିଠା ନେଇ ହଳ ଲଙ୍ଗଳ ଧରି କ୍ଷେତକୁ ଯାଏ. ସେଠାରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ଭୋଗଦେଇ ଉକ୍ତ ନୈବେଦ୍ୟ କିଆରୀର ଈଶାନ କୋଣରେ ପୋତି ହଳ ବୁଲାଏ ଓ ମୁଠାମୁଠା ବିହନ କିଆରୀରେ ବୁଣେ.ଏହି ଦିନ କୃଷକ ତା ଜମିରେ ବୀଜ ବପନ କରି ଭରପୁର ଅମଳର ଆଶା ରଖିଥାଏ.ମୁହୂର୍ତ୍ତ ଶାସ୍ତ୍ର ଅନୁଯାୟୀ ଅକ୍ଷୟ ତୃତୀୟା ହେଉଛି ସ୍ବୟଂ ସିଦ୍ଧ ମୁହୂର୍ତ୍ତ. ଅର୍ଥାତ୍ ଯେଉଁ ତିଥିର ସବୁ ସମୟରେ ଶୁଭ କାର୍ଯ୍ୟ ବା ମାଙ୍ଗଳିକ କାର୍ଯ୍ୟ ସମ୍ପର୍ଣ୍ଣ କରିହେବ ଏବଂ କୌଣସି ସମୟକୁ ବିବେଚନା କରାଯିବ ନାହିଁ, ତାହାକୁ ଆବୁଝା ମୁହୁର୍ତ୍ତ କିମ୍ବା ସ୍ବୟଂ ସିଦ୍ଧ ମୁହୂର୍ତ୍ତ ବୋଲି କୁହାଯାଏ। ଏହି ଦିନ ଦାନ,ଧର୍ମ ଏବଂ ଶୁଭ କାର୍ଯ୍ୟ କରିବା ଦ୍ବାରା ଅକ୍ଷୟ ଫଳ ବା ସୌଭାଗ୍ୟ ପ୍ରାପ୍ତି ହୁଏ.ଏହିତିଥିରେ ଶ୍ରୀଜୀଉମାନଙ୍କର ରଥନିର୍ମାଣ ପାଇଁ ଅନୁକୂଳ କରାଯାଏ.ତନ୍ତ୍ରବିଧି ଅନୁସାରେ ମହାକାଳୀ ମନ୍ତ୍ରରେ ପୂଜିତ କୁରାଢି ଲଗାଇ ବନଯୋଗହୋମର ଆଚାର୍ଯ୍ୟ ତଥା ଦେଉଳ ପୁରୋହିତ ରଥନିର୍ମାଣର ଶୁଭାରମ୍ଭ କରିଥାନ୍ତି.ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ ରଥ ପାଇଁ ଉଦ୍ଦିଷ୍ଟ ଗୋଟିଏ ଧଉରା କାଠ ଗଣ୍ଡିରେ କୁରାଢି ସ୍ପର୍ଶ କରାଯାଇଥାଏ.ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପରେ ଶ୍ରୀଜୀଉଙ୍କ ଆଜ୍ଞାମାଳ ଚନ୍ଦନଠାକୁରଙ୍କ ସହ ପଟୁଆରରେ ରଥଖଳାକୁ ଆସିଥାଏ.ଏହାକୁ ତିନିଜଣ ପୂଜାପଣ୍ଡା ଆଣିଥାନ୍ତି. ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖସ୍ଥ ରଥଖଳାରେ ଶ୍ରୀମନ୍ଦିର ପୁରୋହିତ, ରାଜଗୁରୁ ଓ ସ୍ତ୍ରୋତୀୟ ବ୍ରାହ୍ମଣମାନେ ବନଯୋଗ ପୂଜା ସମ୍ପାଦନା କରିବାର ବିଧି ରହିଛି. ରୂପକାର, କମାର, ଚିତ୍ରକର, ଭୋଇ, ଅମୀନସେବକମାନଙ୍କ ଉପସ୍ଥିତିରେ ବିଶ୍ୱକର୍ମାଙ୍କ ଶାଢୀବନ୍ଧା ନୀତି ପାଳିତ ହୁଏ. ରଥ ସଂହିତା ଓ ଶିଳ୍ପଶାସ୍ତ୍ର ଅବଲମ୍ବନରେ ରଥନିର୍ମାଣ କରାଯାଏ । ଏଥିରେ ଏଗାର ଶହ ଅଣଚାଳିଶ ଖଣ୍ଡ କାଠ ଲାଗିଥାଏ । ସେହି କାଠଗୁଡିକ ହେଲା ଫାସି, ଅସନ, ଧଉରା, ଶିମିଳି, ପାଳଧୂଆ, ମହାନିମ୍ବ, ଗମ୍ଭାରୀ, ମଇ, କଦମ୍ବ, ଦେବଦାରୁ ଇତ୍ୟାଦି । ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର କର୍ମଚାରୀ ରଥଖଳାରେ ଉପସ୍ଥିତ ରହି ଏହିକାର୍ଯ୍ୟ ସୁରୁଖୁରରେ ହେବାରେ ସାହାଯ୍ୟ କରିଥାନ୍ତି । ବାହାର ଚନ୍ଦନ ଯାତ୍ରାର ଶେଷଦିନ ରଥ ଅଖରେ ଚକ ଲାଗେ.

   ଠିକ୍ ଏହି ସମୟରେ ଆକାଶରେ ବାଦଲ ଘୁରୁଥାଏ. ଖୁବ୍ ଜୋରରେ ପବନ ବି ବହୁଥାଏ.କିଛି ସମୟ ପରେ ବ୍ଯକ୍ତି ଜଣକ ନାଉରିଆକୁ ପୁଣି ପଚାରିଲେ, ତୁମେ ଇତିହାସ ଓ ଭୂଗୋଳ ପଢିଛ? ନାଉରିଆ ପଢି ନଥିବା କହିଲା.ସେହି ବ୍ଯକ୍ତି ଜଣକ କହିଲେ, ତା' ହେଲେ ତ ତୁମର ପୁରା ଜୀବନ ବେକାର ହୋଇଗଲା । ଏହାଶୁଣି ନାଉରିଆ କ୍ରୋଧିତ ହୋଇଗଲା । କିନ୍ତୁ ସେହି ସମୟରେ କିଛି କହିଲା ନାହିଁ.ଦୈବ ଯୋଗରୁ ପ୍ରଚଣ୍ଡ ପବନରେ ନୌକାଟି ଭଉଁରୀ ମଧ୍ୟରେ ପଶିଗଲା । ନାଉରିଆ ଉଚ୍ଚ ସ୍ବରରେ କହିଲା, ଭାଇ ସାହେବ ଆପଣ ପହଁରା ଶିଖିଛନ୍ତି? ଅହଂକାରୀ ଦାମ୍ଭିକ ବ୍ଯକ୍ତି ଜଣକ କହିଲା ନା ମୋତେ ପହଁରା ଜଣାନାହିଁ.ନାଉରିଆ କହିଲେ, ତେବେ ତ ଆପଣଙ୍କୁ ବଞ୍ଚାଇବାକୁ ଇତିହାସ ଓ ଭୂଗୋଳକୁ ଡାକିବାକୁ ପଡିବ. ଆଜି ତ ସ୍ୱୟଂ ସିଦ୍ଧ ମୁହୂର୍ତ୍ତ ତେଣୁ ପହଁରା ଶିଖି ଜୀବନ ବଞ୍ଚାନ୍ତୁ ନତୁଵା ଆପଣଙ୍କ ସମସ୍ତ ପଢା ବରବାଦ ହୋଇଯିବ. କାରଣ ଡଙ୍ଗା ଏବେ ଭଉଁରୀ ମଧ୍ୟରେ ଘୁରୁଛି.ଆଉ କିଛି ସମୟ ମଧ୍ୟରେ ବୁଡିଯିବ.ଏହା କହି ନାଉରିଆ ନଦୀକୁ କୁଦା ମାରିଲା ଏବଂ ତୁରନ୍ତ ପହଁରି ପହଁରି କୂଳ ଆଡ଼କୁ ଗଲା.ସେତେବେଳେ ଦାମ୍ଭିକ ବ୍ଯକ୍ତି ଜଣକ ବୁଝିଲେ କୌଣସି ବିଦ୍ଯାରେ ପାରଙ୍ଗମତା ହୋଇ ଗର୍ବ କରିବା ଅନୁଚିତ. ଏବେ ନିଜକୁ ନିଜେ ପ୍ରଶ୍ନ କରୁଥିଲେ ମତେ ଆଉ ସବୁ କୋଉକୋଉ ବିଦ୍ୟା ଜଣା ନାହିଁ?ନାଉରିଆ ଭାଇ କିନ୍ତୁ ସେଦିନ ତାଙ୍କ ଜୀବନ ବଞ୍ଚେଇ ନଥିଲେ ସେ ବୁଝିପାରିନଥାନ୍ତେ ଯେ ଗର୍ବ ଓ ଅହଂକାର ମୃତ୍ୟୁର କାରଣ ହୁଏ ଆଉ ପୋଥି ଗ୍ରନ୍ଥ ଅପେକ୍ଷା ପାରିପାର୍ଶ୍ଵିକ ବା ବ୍ୟବହାରିକ ଜ୍ଞାନ କୌଶଳ ଜୀବନରେ ବହୁତ ଦରକାର.


Rate this content
Log in

Similar oriya story from Abstract