Writer Roja Panda

Inspirational

5.0  

Writer Roja Panda

Inspirational

ଜଳ ହିଁ ଜୀବନ

ଜଳ ହିଁ ଜୀବନ

2 mins
478


ରାହୁଲ ସପ୍ତମ ଶ୍ରେଣୀରେ ପାଠ ପଢେ । ଖୁବ ଭଲ ପାଠ ପଢେ ବୋଲି ବିଦ୍ୟାଳୟର ସମସ୍ତ ଶିକ୍ଷକ ବୃନ୍ଦ ତାକୁ ଖୁବ ସ୍ନେହ କରନ୍ତି । ପ୍ରତିଦିନ ରାହୁଲ ସକାଳୁ ସକାଳୁ ନିଜର ବହି ବ୍ୟାଗ ଆଉ ଖାଇବା ଟିଫିନ୍ ଧରି ବିଦ୍ୟାଳୟକୁ ବାହାରି ପଡ଼େ । ହେଲେ ପାଣି ବୋତଲ ନେବା କଥା କହିଲେ ସେ ମୁହଁ ସୁଖେଇ ଦିଏ । ସେ ପାଣି ପିଇବା ପାଇଁ ବିଲକୁଲ ପସନ୍ଦ କରେନି । ମାଆ ସବୁବେଳେ ତାକୁ ବୁଝାନ୍ତି ଯେ,"ଜଳ ହିଁ ଜୀବନ" । ହେଲେ ରାହୁଲ ନିଜ ମାଆଙ୍କ କଥାକୁ ଶୁଣି ନଶୁଣିଲା ପରି ହୁଏ । ମାଆ କିନ୍ତୁ ପ୍ରତ୍ୟେକ ଦିନ ରାହୁଲର ବ୍ୟାଗରେ ପାଣି ବୋତଲଟିଏ ରଖି ଦିଅନ୍ତି । ହେଲେ ପ୍ରତ୍ୟେକ ଦିନ ରାହୁଲ ବିଦ୍ୟାଳୟ ଯିବା ବାଟରେ ସେଇ ପାଣି ବୋତଲରୁ ପାଣି ବାହାର କରି ରାସ୍ତାରେ ଢାଳି ଢାଳି ମଜା ନିଏ । ମାଆ ଏସବୁ ଦେଖି ବୋହୁତ ଥର ରାହୁଲକୁ ପିଇବା ପାଣିକୁ ଅପଚୟ ନକରି ସଞ୍ଚୟ କରିବାକୁ ଉପଦେଶ ଦିଅନ୍ତି । କିନ୍ତୁ ରାହୁଲ ପାଣିର ମୁଲ୍ୟ ବୁଝିପାରେନି । ଥରେ ଖରାଦିନ ହେଇଥାଏ । ରାହୁଲ ବିଦ୍ୟାଳୟ ଯିବାକୁ ବାହାରିଲା । ସବୁଦିନ ପରି ମାଆ ତା ବହି ବ୍ୟାଗରେ ପାଣି ବୋତଲଟିଏ ରଖିଦେଲେ । ରାହୁଲ ମଧ୍ୟ ପ୍ରତ୍ୟେକ ଦିନ ପରି ବିଦ୍ୟାଳୟ ଯିବା ବାଟରେ ଉକ୍ତ ପାଣି ବୋତଲଟିକୁ ନିଜ ବ୍ୟାଗରୁ ବାହାର କରି ଢାଳିବାକୁ ପ୍ରୟାସ କରନ୍ତେ ସାମ୍ନାରେ ଦେଖିଲା ଗଛ ଉପରୁ ଗୋଟେ ଛୋଟ ହଳଦୀବସନ୍ତ ଚଢେଇ ଖସି ପଡ଼ିଲା ତଳେ । ରାହୁଲ ଏବଂ ତାର ସାଙ୍ଗମାନେ ତୁରନ୍ତ ସେଇ ହଲଦୀବସନ୍ତ ପାଖକୁ ଦୌଡ଼ି ଗଲେ । ଦେଖିଲେ ସେଇ ଛୋଟ ଚଢ଼େଇଟି ନିଜ ପାଟି ଖୋଲି ଛଟପଟ ହେଉଛି । ରାହୁଲ ସେଇ ଚଢ଼େଇଟିକୁ ଏପରି ଅବସ୍ଥାରେ ଦେଖି ଖୁବ ଭାଙ୍ଗିପଡ଼ିଲା । ସଙ୍ଗେ ସଙ୍ଗେ ନିଜ ବ୍ୟାଗରୁ ପାଣି ବୋତଲ ବାହାର କରି ଉକ୍ତ ଚଢ଼େଇର ପାଟିରେ ବୁନ୍ଦା ବୁନ୍ଦା କରି ପାଣି ଦେଲା । କିଛି ସମୟ ପରେ ଚଢ଼େଇଟି ପାଣି ବୁନ୍ଦାକୁ ଧୀରେ ଧୀରେ ଢ଼ୋକିବାକୁ ଲାଗିଲା ଏବଂ କେଇ ବୁନ୍ଦା ପାଣି ପିଇସାରିବା ପରେ ସେ ସୁସ୍ଥ ହେବାକୁ ଲାଗିଲା । ଧୀରେ ଧୀରେ ଖଣ୍ଡି ଉଡ଼ା ଦେଲା ଚଢ଼େଇଟି । ରାହୁଲ ଆଉ ତାର ସାଙ୍ଗମାନେ ଉକ୍ତ ଚଢ଼େଇକୁ ସୁସ୍ଥ ହେବାର ଦେଖି ଖୁସିରେ ତାଳି ମାରିଲେ ଏବଂ ସେଠାରେ ଉପସ୍ଥିତ ଲୋକମାନେ ରାହୁଲକୁ ସାବାସି ଦେଲେ ଓ ଖୁବ ପ୍ରଶଂସା କଲେ । ରାହୁଲ କିନ୍ତୁ ମନେମନେ ଖୁବ ଲଜ୍ଜିତ ଅନୁଭବ କରୁଥାଏ । ଆଜି ସେ ଏମିତି ଏକ ଶିକ୍ଷା ପାଇଲା ଯାହା ସେ ସାରା ଜୀବନ ମନେ ରଖିବ । ମାଆଙ୍କର ଉପଦେଶ ବାଣୀ ତାର କାନରେ ବାରମ୍ବାର ଗୁଞ୍ଜରିତ ହେଉଥାଏ । "ଜଳ ହିଁ ଜୀବନ" । ଆଜି ସେ ବୁଝିପାରିଲା ଯେ ପ୍ରକୃତରେ ଜଳକୁ ଅପଚୟ କରିବା ଅନୁଚିତ । ସେ ଯେଉଁ ଜଳକୁ ସବୁବେଳେ ଢାଳି ଅପଚୟ କରୁଥିଲା ଆଜି ସେଇ ଜଳ କାହାର ଜୀବନ ରକ୍ଷା କରିଲା । ରାହୁଲ ନିଜ ଭୁଲ ବୁଝିପାରିଲା ଏବଂ ଜଳକୁ ସଞ୍ଚୟ କରିବା ଶିଖିଲା । ପ୍ରକୃତରେ ଜଳ ହିଁ ଜୀବନ । ଜଳ ହେଉଛି ପୃଥିବୀ ମାଆର ରକ୍ତ ସଦୃଶ୍ୟ । ଜଳ ଅପଚୟର ଅର୍ଥ ପୃଥିବୀ ମାଆର ରକ୍ତର ଅପଚୟ । ତେଣୁ ଆମେ ସମସ୍ତେ ମିଶି ରାହୁଲ ପରି ପୃଥିବୀ ମାଆର ରକ୍ତକୁ ସଞ୍ଚୟ କରି ପୃଥିବୀ ମାଆକୁ ସବୁଜ ଆଉ ସୁନ୍ଦର କରିବା ସଙ୍ଗେ ସଙ୍ଗେ ଅନ୍ୟର ଜୀବନ ରକ୍ଷା କରିବା । ଜଳ ସଂରକ୍ଷଣ କରିବା । ଆଗାମୀ ପିଢିଙ୍କୁ ମଧ୍ୟ ଏହାର ସୂଚନା ଦେବା ଯେ,"ଜଳ ହିଁ ଜୀବନ" । 



Rate this content
Log in

Similar oriya story from Inspirational