ଜୀବନର ରଙ୍ଗ
ଜୀବନର ରଙ୍ଗ
ଭିଡ ଜମିଛି ରାସ୍ତା ଉପରେ। ଅଜସ୍ର ଭିଡ, ପୁଅ ଗୋପୀକୁ ମାରି ମାରି ବେହାଲ କରିସାରିଲାଣି ଗଜେନ୍ଦ୍ର।
ଆହା ! କାହିଁକି ଛୁଆଟିକୁ ମାରୁଛ ! ଯେତେ ଯାହା କହିଲେ ବି କିଛି ଶୁଣୁନି, ବେଲ୍ଟରେ ମାରି ଚାଲିଛି ସେ।
ବାପା ମରିଗଲି, ମୋତେ ଛାଡ଼ି ଦିଅ ! ଯେତେ ନେହୁରା ହେଲେ ବି ଗଜେନ୍ଦ୍ର କଣ ଛାଡୁଛି। ଗୋପୀର ଭୂଲ ଏତିକି ଯେ, ବାପା ତାକୁ ଅବିର ଦୋକାନରେ ବସେଇ ଘରକୁ ଗଲେ। ତା ମାଆ ର ଦେହ ଖରାପ, ଗତ ରାତି ଠୁ ବାନ୍ତି ହେଉଛି ଯେ ଛାଡ଼ିବାର ନାଁ ନେଉନି। ଡାକ୍ତର ପାଖକୁ ନେଇଯିବି କହି ଗୋପୀ ଦାୟିତ୍ୱରେ ଛାଡ଼ି ଦେଇଗଲେ ରଙ୍ଗ ଦୋକାନକୁ। ଯିବାବେଳେ ଗୋପୀକୁ କହିଗଲେ ପ୍ରତି ପାକେଟକୁ ପାଞ୍ଚ ଟଙ୍କାରେ ବିକିବୁ। ଜମାରୁ କମରେ ଦବୁନି। କହିବୁ, ଏ ବର୍ଷ ଆମ କିଣା ଦାମ ଅଧିକ। କିଛି ଲାଭ ନାହିଁ ଏଥିରେ।
କିଛି ନ ହେଲେ ବି ହୋଲି ଦିନ ପାଞ୍ଚ ଶହ ଟଙ୍କାର ଅବିର ବିକ୍ରି କରେ ଗଜେନ୍ଦ୍ର। ମୋଟା ମୋଟି ଦୁଇ ଶହ ଲାଭ ହୁଏ। ଦୁଇ ଶହ ଟଙ୍କା ବହୁତ ବଡ଼ କଥା ଗଜେନ୍ଦ୍ର ପାଇଁ। ଗରିବର କେତେ ସ୍ବପ୍ନ ସାକାର ହୁଏ ଏଇ ଦୁଇ ଶହ ଟଙ୍କାରେ....
ବାପା ଘରକୁ ଚାଲିଗଲେ। ସାଙ୍ଗ ଦଳ ବଳ ସବୁ ପହଞ୍ଚିଲେ ଗୋପୀ ପାଖରେ ରଙ୍ଗ ଗୋଲାଲ, ପିଚକାରୀ, ଅବିର ନେଇ। ଆବେ, ବର୍ଷକର ଗୋଟାଏ ଦିନ ଆଜି ଖେଳିବୁନି ତ କେବେ ଖେଳିବୁ ! ତୋ ବାପା ଆସିଲେ ଭୂତେଇ ଦେବୁ। କହିବୁ, ବାପା ଏ ବର୍ଷ ବେପାର ମାନ୍ଦା। ଗୋଟେ ବି ବିକ୍ରି ହୋଇନି !!!
ଆରେ ଜଲଦି ଆ, ତୋ ଦୋକାନ ଆଗରେ ଆମେ ଖେଳିବୁ। ଆମେ ସମସ୍ତେ ମିଶି ନିଘା ରଖିବା ତୋ ଜିନିଷ ଉପରେ। କେହି ହାତ ଦେବେନି।
ଅତି ବେଶୀରେ ଦଶ ବର୍ଷ ବୟସ ହେବ, ଗୋପୀର। ବିକିଲେ କିଛି ଲାଭ ହୁଏ ଆଉ ସେଇ ପଇସାରେ ବାପା ଘର ଚଳାନ୍ତି। ଏତେ କଥା ବୁଝିବା ପାଇଁ ବୟସ କଣ ହୋଇଛି !!
ମାତି ଗଲା ସାଙ୍ଗ ମାନଙ୍କ ବୁଦ୍ଧିରେ। ସଞ୍ଜ ପର୍ଯ୍ୟନ୍ତ ଖେଳିଲା ସାଙ୍ଗ ମାନଙ୍କ ସହିତ। ପିଚକାରୀ ରଙ୍ଗରେ ପୂରା ଗାଧୋଇ ଗଲା। ତଥାପି ମନ ଭରୁନି, ଖିଆ ପିଆ ନାହିଁ, ଖାଲି ରଙ୍ଗ ହିଁ ରଙ୍ଗ।
ଗଜେନ୍ଦ୍ର ଡାକ୍ତର ପାଖରୁ ସିଧ
ା ଆସି ପହଁଚିଲା ପୁଅ ପାଖରେ, ଦେଖିଲା ଗୋପୀ ଖେଳିବାରେ ବ୍ୟସ୍ତ। ଯେମିତି କି ସେମିତି ପାକେଟ ଗୁଡ଼ା ଥୁଆ ହୋଇଛି। ପାଖ ଦୋକାନୀ ମାନେ ବିକ୍ରି କରି ଯେ ଯା'ର ଘରକୁ ଯାଇ ସାରିଲେଣି। ଗଜେନ୍ଦ୍ରର ରକ୍ତ ଚାପ ବଢ଼ି ଯାଇ ମୁଣ୍ଡକୁ ଛୁଇଁଲା। ବେଲ୍ଟର ଗୋଟାଏ ପାହାର ରେ ଗୋପୀ ର ନାକ ଫାଟି ରକ୍ତ ବୋହିଲା।
କହ ଏବେ ତୋ ମା ପାଇଁ ଔଷଧ କେମିତି କିଣିବି ?
ଦୁଲ୍ ଦାଲ୍ ଵିଧା, ଗୋଇଠା। ବିଚାରା ଛୁଆଟା ଭୂଇଁ ରେ ଗଡୁଥାଏ। ତା ଉପରେ ମାଡ଼ ଦେଖି ତା ସାଙ୍ଗ ସାଥି ସବୁ ଗାଏବ।
ଦୂରରୁ କାରରେ ବସି ଘଟଣାଟିକୁ ଦେଖୁଥିଲେ ଜଣେ ଭଦ୍ର ମହିଳା।
ଓହ୍ଲେଇ ଆସି ନ ଜାଣିଲା ପରି ପଚାରିଲେ କେତେ ପାକେଟ ଅବିର ଅଛି କିରେ...
ମାମ୍, ଶହେ ପାକେଟ।
ସବୁ ରଙ୍ଗ ପାଇଁ କେତେ ଦେବି କହ ,
ପାଞ୍ଚ ଶହ ମାମ,
ମାମ ଜଣଙ୍କ ସବୁ ପାକେଟ ନିଜ ବିଗ ସପର ଭିତରେ ରଖି ପାଞ୍ଚ ଶହ ଗେଂଜି ଦେଲେ ଗୋପୀ ହାତରେ। ଆଉ ପଚାଶ ଟଙ୍କା ଅଧିକ ଦେଇ କହିଲେ ଆଜି ହୋଲି ନା... ନେ, ମିଠା କିଣି ଖାଇବୁ।
ଭଦ୍ର ମହିଳା ନିଜ କାର ଆଡ଼କୁ ଚାଲିଗଲେ।
ସାହାସ ସଞ୍ଚାର ହେଲା ଗୋପୀ ମନରେ। ହାରି ଯାଇ ଯିଏ ଜିତେ ସେ ହିଁ ବାଜିଗର।
ସରଳ ହସଟିଏ ଖେଳୁଥିଲା ଗୋପୀ ର ଓଠ ଉପରେ। ଲୁହ ମିଶା ହସ, ଅତି ଅଦ୍ଭୁତ ଥିଲା ସେ ହସର ପରିଧି । ଅସହାୟ ଗୋପୀ ସବୁ ପଇସା ବାପାଙ୍କୁ ଧରେଇ ଦେଇ ଅଧା ହସଟିଏ ଦେଇଛି କି ନାହିଁ, ଗଜେନ୍ଦ୍ର କୋଳେଇ ନେଲା ପୁଅକୁ। ମୁଣ୍ଡରୁ ଗାମୁଛା ଉତ୍ତାରି ଅତି ଯତ୍ନ ସହକାରେ ନାକରୁ ବୋହୁଥିବା ରକ୍ତକୁ ପୋଛି ଦେଲା ଗଜେନ୍ଦ୍ର।
ଦାରିଦ୍ର୍ୟର ଯନ୍ତ୍ରଣା ଅତି ଅଦ୍ଭୁତ। ଅତି ବିଚିତ୍ର ଏ ଜୀବନର ରଙ୍ଗ। କେତେବେଳେ ଦୁଃଖର ଛିଟା ତ କେତେ ବେଳେ ସୁଖର। ସେମାନଙ୍କ ହୋଲି ବି ଅଦ୍ଭୁତ ! କେତେବେଳେ ଅଭିରରେ ତ କେତେବେଳେ ନାକ ରକ୍ତରେ !!!
ବାପା ! ମା ଦେହ କେମିତି ?
ଠିକ୍ ଅଛି,
ପୁଅର ହାତ ଧରି ଗଜେନ୍ଦ୍ର ଚାଲିଲା ଘର ଆଡେ। ଯେମିତି ଯୁଦ୍ଧଟିଏ ଜିତି ବାପ ପୁଅ ଫେରୁଛନ୍ତି ଘରକୁ, ଜୀବନଟା ଜଟିଳ ଜ୍ୟାମିତି..କେତେବେଳେ ବୁଝିହୁଏ ତ କେତେବେଳେ ବୁଝିବାକୁ ଇଚ୍ଛା ବି ହୁଏନି ........।