Sachidananda Kar

Tragedy

3  

Sachidananda Kar

Tragedy

ଜୀବନ ଯେଉଁଠି ଈଶ୍ବରଙ୍କ ଭରସାରେ

ଜୀବନ ଯେଉଁଠି ଈଶ୍ବରଙ୍କ ଭରସାରେ

2 mins
174



           ସେ ଏ ମାଟିର ମଣିଷ।ପ୍ରକୃତି କୋଳରେ ତା'ର ଜନ୍ମ।ପ୍ରିୟ ତା'ର ପ୍ରକୃତି।ପ୍ରକୃତିର ସବୁଜ ବାସ୍ନାରେ ନିଜକୁ ହଜାଇ ଦେଇ ଜୀବନ ଜୀଇବା ଶିଖିଛି ସେ।ନାଆଁ ତା'ର ମୋହନ ମୁଣ୍ଡା। 


          ପ୍ରକୃତି କୋଳରେ ଵଞ୍ଚିବା,ଜଙ୍ଗଲକୁ ଭଲପାଇବା ତା' ପୂର୍ବପୁରୁଷରୁ ଗଡି ଆସିଥିବା ଏକ ବିଶ୍ୱାସ।ଏ ବିଶ୍ୱାସର ବାଟ କେବେ ଭାଙ୍ଗିବାକୁ ଚାହିଁନି ସେ।ହୁଡ଼ି ତଳ ଗାଆଁ ଛାଡି ଚାଲିଆସିନି ସହରକୁ। 


          ସେ ବୁଝିଛି ତା' ମାଟିର ମୂଲ ଓ ମହକ।ଶୈଶବରୁ ସେ ତା' ସହିତ ସାଥୀ ହୋଇ ରହିଛି।ତା' ସହିତ ଶେଷନିଃଶ୍ବାସ ଥିବା ଯାଏ ରହିବ ବୋଲି ତାକୁ କଥା ବି ଦେଇଛି। 


           ଜଙ୍ଗଲରେ କେଉଁଠି କେଉଁ ଗଛ ଅଛି ଜାଣିଛି ସେ।କେଉଁଠି କ'ଣ ମିଳେ ତା' ବି ଜାଣିଛି।ତା'ର ଝରଣା କୂଳରେ ବସି ସମୟ କାଟିଛି।ମାଟି ହାଣି ଫସଲ ଫଳେଇଛି।ନିଜ ରକ୍ତର ଜାତି ଜାତି ଫସଲ ଦେଖି ମୁହଁରେ ହସ ଫୁଟେଇଛି। 


           ଜଙ୍ଗଲରେ କେତେବେଳେ ରାତି ପାହେ,କେତେବେଳେ ସଞ୍ଜ ହୁଏ ସେ ଜାଣିଛି।କେଉଁ ପକ୍ଷୀ ଡାକ ଦେଲେ ରାତି କଡ଼ ଲେଉଟାଏ , କେଉଁ ପକ୍ଷୀ ନାଚ କଲେ ପାହାଡ଼ର ମଥାନ ଉପରେ ମେଘର ପଣତ ଉଡେ, ତା' ବି ସେ ଜାଣିଛି। 


           ତା' ଚାଖଣ୍ଡେ ପେଟର କଥା ବୁଝିଛି ସେଇ ଜଙ୍ଗଲ।ବୁଝିଛି ବି ତା' ପିଲାଛୁଆଙ୍କ ପେଟର କଥା।ତାକୁ ସୁଖ ଦେଇଛି।ଦେଇଛି ଗୋଟିଏ ନିଶ୍ଚିନ୍ତ ଜୀବନ।ସ୍ବପ୍ନ ଦେଖିବା ଶିଖେଇଛି। 


           ତା' ଶକ୍ତ ହାତର ନିହାଣ ଜଙ୍ଗଲ ଛାତିରେ ଠକ୍ ଠକ୍ ହେଲେ ଲମ୍ବିଯାଇଛି ଥାକ ଥାକ ମକା କ୍ଷେତର ପାହାଚ।ବନ୍ଧ୍ୟା ଭୂଇଁରେ ରାଶି ଓ ସୋରିଷ ଫୁଲର ହାଟ ବସିଛି। 


           ପ୍ରକୃତିକୁ ସବୁବେଳେ ସୁନ୍ଦର ଭାବେ ଦେଖିବାକୁ ଚାହିଁଛି ସେ।ବର୍ଷ ବର୍ଷ ଧରି ବିନା ଦ୍ବିଧା, ବିନା ଦୀର୍ଘଶ୍ବାସରେ ସହିଛି ଅନେକ ଅନେକ ଝଡ଼, ଝଞ୍ଜା।ପ୍ରକୃତି ସହିତ ବଞ୍ଚିବାକୁ ଧର୍ମ ବୋଲି ମାନିନେଇଛି।ନିଷ୍ଠାର ସହିତ ଏସବୁ ପାଳନ କରି ଚାଲିଛି। 


           ହେଲେ ଆଉ ତା'ର ସେଇ ସମୟ ନାହିଁ।କେତେ ଦିନ ହେଲା ଡାକ୍ତରଖାନାରେ ପଡ଼ି ନିଜ ଜୀବନ ସହିତ ଏବେ ସଂଘର୍ଷ କରୁଛି ସେ।ଜଙ୍ଗଲରେ ଗୋଟେ ହାତୀର ହିଂସ୍ରତାର ଶିକାର ହୋଇଛି।ଯନ୍ତ୍ରଣା ଭୋଗୁଛି।ମରିବ କି ବଞ୍ଚିବ କହିହେଉନି। 


            ତାକୁ ଦେଖିବାକୁ ଡାକ୍ତରଖାନାରେ ଭିଡ଼ ଜମୁଛି। ଶୁଭେଚ୍ଛା ମିଳୁଛି।ହେଲେ ସୁସ୍ଥ ହୋଇପାରୁନି ସେ।ତା'ର ଦରକାର ପଡୁଛି ରକ୍ତ, ଯାହା ତାକୁ ମିଳିପାରୁନି।ସେତକ ମିଳିଲେ ତା'ର ଅସ୍ଥି, ମାଂସ, ଦେହର ଦରଜକୁ ଫିଙ୍ଗି ସେ ତା'ର ପ୍ରିୟ ମାଟିକୁ ଫେରିପାରନ୍ତା।ମାଟି ସହିତ ପୁଣି ମାଟି ହୁଅନ୍ତା।ରକ୍ତ ନିଗାଡ଼ି ସୁନା ଫଳାନ୍ତା। 


            ଆଜିର ସଂପର୍କ ଓ ସମାଜ ତ ଦବା ନବା ଭିତ୍ତିରେ ଚାଲିଛି।କିଏ ବା କାହିଁକି ତାକୁ ରକ୍ତ ଦିଅନ୍ତା ଯେ!ତେଣୁ ତା'ର ଜୀବନ ରକ୍ଷା ପାଇଁ ତାକୁ ରକ୍ତ ମିଳି ପାରିନାହିଁ। 


            ତା' ପାଖରେ ତା'ର ସ୍ତ୍ରୀ,ପିଲାଛୁଆ ଚୁପଚାପ୍ ବସି ରହିଛନ୍ତି।ପରସ୍ପର ଦୁଃଖ ବାଣ୍ଟୁଛନ୍ତି।ଈଶ୍ୱରଙ୍କୁ କାତର ପ୍ରାର୍ଥନା କରୁଛନ୍ତି।ତା'ର ଜୀବନ ଏବେ କେବଳ ଈଶ୍ବରଙ୍କ ଭରସାରେ। 


            ଜୀବନ ଯେଉଁଠି ଈଶ୍ବରଙ୍କ ଭରସାରେ, ସେଠି ଜୀବନ ଧରି ଘରକୁ ଫେରିବ ତ ମୋହନ ମୁଣ୍ଡା?ତା'ର ପରିବାରକୁ କେହି କୁହନ୍ତୁ ତ ! 




Rate this content
Log in

Similar oriya story from Tragedy