Aravinda Das

Tragedy Inspirational

3  

Aravinda Das

Tragedy Inspirational

ଜୀବନ ଓ ଖେଳ

ଜୀବନ ଓ ଖେଳ

3 mins
521



 ପିଲାଟା ,ଗେଟ ଭିତରୁ ସାମ୍ନାରେ ଥିବା ଖେଳପଡିଆକୁ ଅନାଇ ରହିଥିଲା।ସବୁଦିନ ଭଳି;ବିନୟ ବାବୁ ପ୍ରତ୍ୟେକ ଦିନ ପ୍ରାତଃ ଓ ସାନ୍ଧ୍ୟ ଭ୍ରମଣରେ ବାହାରିଲା ବେଳେ ପାର୍କର ସ୍ୱଳ୍ପ ଦୁରତାରେ ଥିବା ଘରଟି ସାମ୍ନାରେ ଆତୁର ହୋଇ ଚାହିଁଥାଏ ପିଲାଟା।ବୟସ ଆନୁମାନିକ ୧୩/୧୪ ହେବ ବୋଧେ।ହାତରେ କେଉଁଦିନ ଫୁଟବଲ ଧରିଥାଏ।ନୂଆ କରି ବୋଧେ ଆସିଛନ୍ତି।

  ପିଲାଟିର ନିଶ୍ଚେ ଇଛାହେଉଥିବ ପାର୍କ ପାଖରେ ଥିବା ସେଇ ବଡ଼ ଖୋଲା ପଡ଼ିଆରେ ଖେଳିବା ପାଇଁ।ପ୍ରତ୍ୟେକ ଦିନ ବିନୟ ବାବୁ ତାକୁ ଦେଖି ଟିକେ ହସି ଦିଅନ୍ତି।ଜବାବରେ ପିଲାଟି ବି ହସିଦିଏ ଅଥବା ହାତ ହଲାଇ ଟା, ଟା କରିଦେଇ ଘର ଭିତରକୁ ପଳାଏ।ବୋଧେ ଟିକେ ଲାଜକୁଳା।

 କୌତୁହଳ ସମ୍ବରଣ ନକରିପାରି ସେଦିନ ବିନୟ ବାବୁ ଗେଟ ପାଖକୁ ଆସି ପଚାରିଲେ,"ତୁମ ନାଁ କଣ ?କେଉଁ ଶ୍ରେଣୀରେ ପଢ଼।ମୋତେ ଜେଜେ ବୋଲି ଡାକିପାରେ। ?"

 ଟିକିଏ ଅପ୍ରସ୍ତୁତ ହୋଇ ପିଲାଟି କହିଲା,"ମୋ ନାଁ, ଶିବୁ।ନବମ ଶ୍ରେଣୀରେ ପଢୁଛି।"

  ଗେଟରେ ଲଗା ହୋଇଥିବା ନାମଫଳକଟିକୁ ପଢିଲେ ବିନୟ ବାବୁ " ଅମରେନ୍ଦ୍ର ନାୟକ।ଘର ମାଲିକ ନିଶ୍ଚେ।"

 " ତୁମକୁ ଫୁଟବଲ ଖେଳିବାକୁ ବୋଧେ ବହୁତ ପସନ୍ଦ।କେଉଁ ପୋଜିସନ ଭଲ ଲାଗେ ?ତୁମ ଫେଭରାଇଟ ପ୍ଲେୟାର କିଏ ?"

 ଚଟକିନା ଶିବୁ ପାଟିରୁ ବାହାରି ପଡ଼ିଲା, "ମୁଁ ସେଣ୍ଟର ଫର୍ୱାର୍ଡ ଭାବେ ଖେଳିବାକୁ ଭଲଲାଗେ।ମେସି ଓ କ୍ରିଷ୍ଟିଆନ ରୋନାଲଡୋ ମୋ ଫେବରାଇଟ ପ୍ଲେୟାର।

- କିନ୍ତୁ ତମେ ଖେଳୁନ କାହିଁକି ?

-ବାପା ମନା କରିଛନ୍ତି। ଆଇ.ଆଇ.ଟି ପାଇଁ କୋଚିଂ ନେଉଛି।ଆର ବର୍ଷ ବୋର୍ଡ ପରୀକ୍ଷା।ତେଣୁ ଖେଳିବାକୁ ...

- ଏବେଠୁ ଆଇ.ଆଇ.ଟି କୋଚିଂ ? ଟେନ୍ତ୍ କ୍ଲାସ ପରେ ସିନା ...

- ନା ଜେଜେ,ଏବେ ତ କେତେ ସ୍କୁଲରେ ଷଷ୍ଠ ଶ୍ରେଣୀରୁ ଆଇ.ଆଇ.ଟି କୋଚିଂ ଦିଆଯାଉଛି।ଏବେ ଖେଳିଲେ ଏଂଟ୍ରାନ୍ସ ପାଇବିନି, ସିଜିପି 10 ମିଳିବନି ବୋଲି ବାପା କହୁଛନ୍ତି।ତେଣୁ ସବୁ ସରିଲେ ମୁଁ ଖେଳିବି।

 ହସି ଦେଇ ବିନୟ ବାବୁ ପଚାରିଲେ,"ଆଗକୁ ତ ପାଠ ଆହୁରି ବେଶୀ ।ଚାକିରୀରୁ ରିଟାୟାର କରି ମୋ ଭଳି ବୁଢ଼ା ହେଲପରେ କ୍ରିକେଟ ଖେଳିବ !

  ଏମିତି ଜଟିଳ ପ୍ରଶ୍ନ ସାମ୍ନା କରିବ ବୋଲି ଭାବିନଥିଲା ଶିବୁ।ଉତ୍ତର କଣ ଦେବ ଚିନ୍ତା କରୁଥିଲା।

- ତୁମ ମମି ବି ଖେଳିବାକୁ ମନା କରନ୍ତି ?

-ମମିଙ୍କ ଇଛା ମୁଁ ଅଳ୍ପ ଖେଳେ ବୋଲି; ହେଲେ ସେ ପାପାଙ୍କୁ ଡରନ୍ତି।"

    ଭିତରୁ ପାଟି ଶୁଭିଲା, ଶିବୁ ଖାଇବୁ ଆସେ।

 ପଳାଇବା ପୂର୍ବରୁ ସେ କହିଲା,"ଆପଣ ଜଲଦି ପଳାନ୍ତୁ।ପାପା ଆସୁଛନ୍ତି। ଏସବୁ କଥା ମୁଁ କହିଛି ବୋଲି ଆପଣ ଜମା କହିବେନି।"

    ମଟରସାଇକେଲରୁ ଓହ୍ଲାଇ ଆଶୁତୋଷ ବାବୁ ଗେଟ ପାଖରେ ବିନୟ ବାବୁଙ୍କୁ ପଚାରିଲେ, "କିଛି କାମ ଥିଲା ?"

  -"ଆପଣଙ୍କ ପୁଅ ଦେଖିବାକୁ ଠିକ୍ ମୋ ନାତି ଭଳି।ସେଇଥିପାଇଁ ମନକୁ ସମ୍ଭାଳିପାରିଲି ନାହିଁ।ଟିକେ ଦୂରରେ ରହେ ମୁଁ ।ବିନୟ ମିଶ୍ର, ରିଟାୟାର୍ଡ଼ ପ୍ରଧାନଶିକ୍ଷକ।"

- ଆପଣ ଭିତରକୁ ଆସନ୍ତୁ ।ଗପସପ କରନ୍ତେ।"

  -ଆଜି ସନ୍ଧ୍ୟା ହୋଇଗଲାଣି ବାପା।ରାତିରେ ମୋତେ କମ୍ ଦିଶେ।ଆଉଦିନେ କେବେ କଥାବାର୍ତ୍ତା ହେବା।

   ଦୁଇଦିନ ପରେ ରବିବାର ସକାଳୁ ପାର୍କରେ ଆଶୁତୋଷ ବାବୁଙ୍କୁ ଭେଟିଲେ ବିନୟ ବାବୁ।

- ମଉସା, ନମସ୍କାର।ଆପଣ ସବୁଦିନ ସକାଳେ ପାର୍କକୁ ଆସନ୍ତି ?"

-ମୁଁ ବଡିଭୋରରୁ ଆସେ।ଆଜି ଡେରି ହୋଇଯାଇଛି।ସେଇଥିପାଇଁ ବୋଧେ ଦେଖାହେଲା।

   କଥାବାର୍ତ୍ତା ପ୍ରସଙ୍ଗରେ ବିନୟ ବାବୁ ,ଶିବୁର ଫୁଟବଲ ଖେଳିବା ବିଷୟ ଉଠାଇଲେ।

 "ମୋତେ ଲାଗୁଛି,ଆପଣଙ୍କ ପୁଅର ଫୁଟବଲରେ ବହୁତ ଇଣ୍ଟ୍ରେଷ୍ଟ।"

- ଆଜିକାଲି ସବୁପିଲା ସେମିତି।ହେଲେ ସମସ୍ତେ କଣ ପେଲେ ହେଇପାରିବେ ?ମୋ ସାନ ଭାଇ ବି କ୍ରିକେଟ ପାଗଳ ଥିଲା।ସବୁବେଳେ କହୁଥିଲା ଆଇ ଇଟ୍ କ୍ରିକେଟ,ଡ୍ରିଙ୍କ କ୍ରିକେଟ, ଲିଭ୍ କ୍ରିକେଟ।ଏବେ ଗାଁ ରେ ବେକାର ହୋଇ ବସିଛି।ଶିବୁ ଆଜି ଯାଏଁ ଖେଳିଲା, ଏବେ ପଢା;ନହେଲେ କିଏ ପିଠିରେ ପଡିବ ?ଖେଳରେ କଣ ଗ୍ୟାରେଣ୍ଟି ଅଛି ?

- ଖୁସି ଓ ଆନନ୍ଦର ଗ୍ୟାରେଣ୍ଟି ଅଛି।ଯନ୍ତ୍ର ମାନବରୁ ସୁସ୍ଥ ଦେହଧାରୀ ମନୁଷ୍ୟଟିଏ ପାଲଟିବାର ସମ୍ଭାବନା ଅଛି।ନହେଲେ ଆଜିକାଲି କାମ ଓ ପଢା ଚାପରେ ସମସ୍ତେ ମେସିନ, ଯେଉଁମାନଙ୍କ ପାଖରେ ନିଜ ଲୋକଙ୍କ ପାଇଁ ସମୟ ନାହିଁ ; ଆବେଗ ଓ ଭାବନାଶୁନ୍ୟ ରୋବର୍ଟ ପାଲଟି ଯାଉଛନ୍ତି।ଶିବୁକୁ ଆପଣ ଖେଳିବାକୁ ଛାଡ଼ନ୍ତୁ।ଅଳ୍ପ ସମୟ ଖେଳିଲେ ତା ମନ ଖୁସିରେ ଭରିଯିବ ଓ ପାଠରେ ବେଶୀ ମନଦେଵ।ନହେଲେ ଆଠ/ଦଶ ବର୍ଷ ପରେ ସେ ଆପଣଙ୍କୁ କ୍ଷମା କରିବନି।ଆପଣଙ୍କ ବାପା ବୟସର ମଣିଷ ମୁଁ।ଉପରେ ପଡି ଏସବୁ କହୁଛି ବୋଲି ଖରାପ ଭାବିବେନି।"

 ନିଜର ବିରକ୍ତିକୁ ଚାପିରଖି ,ଆଶୁତୋଷ ପଚାରିଲେ, "ଆପଣଙ୍କ ପିଲାମାନେ କଣ କରୁଛନ୍ତି ?ସ୍ପୋର୍ଟସ କୋଟାରେ କେହି ଚାକିରୀ କରୁଛନ୍ତି ?

 - ଗୋଟେ ପୁଅ ଡାକ୍ତର ଓ ଅନ୍ୟ ପୁଅ ଆଇ.ଆଇ.ଟି ....

 ବିନୟ ବାବୁ କଥା ସମ୍ପର୍ଣ୍ଣ କରିବା ପୂର୍ବରୁ ଆଶୁତୋଷ କହିଉଠିଲା,"ଆରେ ବାଃ, ନିଜ ପୁଅଙ୍କୁ ଡାକ୍ତର ,ଇଂଜିନିୟର କରିବେ ଓ ଆମ ପିଲାଙ୍କୁ ଖେଳାଳୀ କରିବା ପାଇଁ କହୁଛନ୍ତି ?ଆପଣଙ୍କ ପୁଅକୁ ଆଇଆଇ.ଟି ନ ପଢ଼ାଇ ଖେଳରେ ଛାଡିଲେନି ?

- "ସେଇଟା ମୋ ଜୀବନର ସବୁଠୁ ବଡ଼ ଭୁଲ ଆଶୁତୋଷ ବାବୁ,ଯାହା ପାଇଁ ମୁଁ ସବୁଦିନ ସନ୍ତୁଳି ହେଉଛି ଅବଶୋଷରେ।ମୋ ବଡ଼ ପୁଅ ଆର୍ଟସ ପଢିବାକୁ ଚାହୁଁଥିଲା।ତାକୁ ମେଡିକାଲ ପଢାଇଲି।ସାନପୁଅ ବଢିଆ ଫୁଟବଲ ଖେକୁଥିଲା।ତାକୁ ଆଇ.ଆଇ.ଟି ପଢ଼ାଇଲି।ହେଲେ ସାନପୁଅ ପ୍ରଥମ ସେମିଷ୍ଟାର ପୂର୍ବରୁ ସୁଇସାଇଡ଼ କରିଦେଲା। ଫୁଟବଲ ଛାଡିଦେଲା ବୋଲି ଡିପ୍ରେସ ଥିଲା।ମୋ ସ୍ତ୍ରୀ,ବଡ଼ ପୁଅ ବି ମୋତେ ଦୋଷୀ ବୋଲି ଭାବନ୍ତି।ବଡ଼ ପୁଅ ମୋ ସହ କଥା ହେଉନି, ସେଇ ଦିନରୁ।ସ୍ତ୍ରୀ ,ପୁଅ ବୋହୁଙ୍କ ପାଖରେ ରହେ।ମୁଁ ଏଠି ଏକୁଟିଆ।ଦିନେ,ଓଳିଏ ପାଇଁ ପୁଅ,ବୋହୁ,ସ୍ତ୍ରୀ ପାଖକୁ ଯାଇ ବୁଲି ଆସେ।"

-ଆଶୁତୋଷ ସ୍ତବ୍ଧ ହୋଇଗଲେ।

- ଆପଣ ପୁଅ ସହିତ ନିଜେ କିଛି ସମୟ ଖେଳନ୍ତୁ।ତା ଇଛାରେ ସେ ତା କ୍ୟାରିଅର ବାଛୁ।ନହେଲେ ମୋ ଭଳି.....

  ବେଞ୍ଚରୁ ଉଠି ଚାଲିଗଲେ ବିନୟ ବାବୁ।ଆବାକାବା ହୋଇ ଚାହିଁଥିଲେ ଆଶୁତୋଷ।ଶିବୁର ଶୁଖିଲା ମୁହଁ, ତା ବ୍ୟାଟ,ବଲ ତାଙ୍କ ଆଖି ସାମ୍ନାରେ ଭାସି ଉଠିଲା ।

 ବନ୍ଧୁ ସଂଗ୍ରାମ ପାଖକୁ ଆସି ପଚାରିଲେ,"ସେ ବୁଢ଼ା ସହ କଣ ଗପୁଥିଲୁ ?"

- ବିଚରା ବିନୟ ବାବୁ ; ଡାକ୍ତର ପୁଅ ଥାଇ ବି ଏକୁଟିଆ ରହୁଛନ୍ତି।

  ବଡ଼ ପାଟିରେ ହସି ସଂଗ୍ରାମ କହିଲେ," ତାଙ୍କର କେହି ଡାକ୍ତର ପୁଅ ନାହାନ୍ତି।"

ଅବିଶ୍ବାସ ଚାହାଣୀରେ ଆଶୁତୋଷ ଅନାଇ ପଚାରିଲା,"ଆଉ ସାନ ପୁଅ ଯିଏ ଆଇ.ଆଇ.ଟି ପଢ଼ୁଥିଲା ?"

- ସେକଥା ମୁଁ ଜାଣିନି।ମାନସିକ ଅବସାଦ ଯୋଗୁଁ ,ବୁଢ଼ା ଇଆଡୁ ସିଆଡୁ କଣ ସବୁ କହେ।ତାର ଦୁଇ ପୁଅ ସୁଇସାଇଡ଼ କରିଛନ୍ତି ବୋଲି ମୁଁ ଶୁଣିଛି।"


Rate this content
Log in

Similar oriya story from Tragedy