Satyabati Swain

Tragedy

2  

Satyabati Swain

Tragedy

*ଝୁମୁର୍ ଝୁମୁର୍*

*ଝୁମୁର୍ ଝୁମୁର୍*

6 mins
167


ମୋ ପୁଅ ବିଶାଳ୍ ଗଡ଼ରେଜ୍ ରୁ ପାଉଁଜି ହଳକ ଆଣି ପଚାରିଲା" ମାମା ମୋର ତ ଭଉଣୀ ନାହିଁ। ଏ କାହାର ପାଉଁଜି। ତୁମ ଛୋଟ ବେଳର?"


ମୁଁ ପାଉଁଜି ହଳକ ନେଇ ଗାଲରେ ଲଗାଇଲି ଏବଂ କହିଲି ଶୁଣ୍ ବିଶାଳ୍ ଏ ଫୁକୁ ର ପାଉଁଜି।


ଫୁକୁ ସେ କିଏ ବିଶାଳ ଆଖିରେ କୌତୁହଳ।


ମୁଁ କହିଲି ଫୁକୁ ଫୁକୁ" ଡଉଳ ଡାଉଳ ଚାରି ବର୍ଷର ବାର୍ବୀ କଣ୍ଢେଇ ପରି ଝିଅ ଟିଏ। ଥାକୁଲ୍ ଥାକୁଲ୍ ଚାଲି। ଗୁଲୁରୁ ଗୁଲୁରୁ କେତେ କଣ କୁହିଯାଏ। ସବୁ କଥା ବୁଝିବା,ଜାଣିବା ତାର ନିହାତି ଦରକାର। ମୋ ଶାଶୁଘରକୁ ତାଙ୍କ ଘର ଲାଗିଛି। ଏକା କୂଟୁମ୍ବ ଘରର ଝିଅ। ସବୁବେଳେ ସେ ଶାଶୁ ଘରେ ଶାଶୁଙ୍କ ପାଖରେ ଥାଏ। ମୋ ଶାଶୁ ପିଲା ମାନଙ୍କୁ ଖୁବ୍ ଆଦର କରନ୍ତି। ଏଣୁ ସାଇ ଯାକ ଛୁଆ ମୋ ଶାଶୁ ଘରେ ରୁଣ୍ଡ। ଫୁକୁ ମୋ ବହାଘରଠାରୁ ମୋତେ ଛାଡି ଆଉ ତାଙ୍କ ଘରକୁ ଯିବାକୁ ମଙ୍ଗେନି। ଜୋର ଜବର ଦସ୍ତ ତା ମମି ଆସି ନେଇଯାଏ। ଗଲା ବେଳେ ଗୋଡ଼ ହାତ ଛାଟି ମି ମି କହି ବହୁତ କାନ୍ଦେ। ମୋତେ ସେ ମି ଡାକେ। କୁହେ ମୁଁ ମି ପାଖେ ଶୋଇବି। ମି ମୋତେ ଖୁଆଇ ଦେବେ। ତା ମମିକୁ ପେଲି ପେଲି କହିବ ତୁ ଯା,ମୁଁ ଯିବିନି। ମି ଦେଖିଲ ମମି କେମିତି ମୋତେ ନେଇ ଯାଉଛି। ଦିନ ସାରା ମୋ ପାଖ ଛାଡେନି। ମୁଁ ଖୁଆଇ ଦିଏ,ମୋରି ପାଖେ ବି ଶୁଏ।


ଶାଶୁ ଘର ଅନୁଭତିରେ ଫୁକୁ ମୋ ପାଇଁ ଗୋଟେ ଖୁସି ଫର୍ଦ୍ଦ ଥିଲା। ତା ସାଙ୍ଗେ ସମୟ ବିତେଇବାକୁ ମୋତେ ବହୁତ ଭଲ ଲାଗେ। ଅଚିହ୍ନା ପରିବେଶଟି ଫୁକୁ ଯୋଗୁଁ ମୋତେ ଅଚିହ୍ନା ଲାଗୁ ନଥିଲା। ମି ଟିକିଲି,ମି ଅଳିତା,ମି ନେଲ୍ ପଲିସ୍, ମି ଓ.. ମି ଏ..ସବୁ ସଜ ଜିନିଷକୁ ଠାରି କହିବ ଦିଅ ଲଗେଇ। ସଜ ବାଜ ହେବାରେ ଓସ୍ତାତ୍। ଫୁଚୁକା ଫୁଚୁକା ଗାଲକୁ ଓଠ ଚାପି ହସିବା ଭଙ୍ଗିଟି ମୋର ଭାରି ପସନ୍ଦ। ତା କୁନି କୁନି ଗୋଡ଼ରେ ହଳେ ପାଉଁଜି ବାନ୍ଧିଲା ପରିଥାଏ। ଜାଣି ଜାଣି ସମ୍ପୂର୍ଣ୍ଣ ପୋକତ ଶିଖାଳି ପରି ଗୋଡ଼ ଏପରି ବାଡେଇ ଚାଲେ ସତେକି ଓଡିଶୀ ଶିଖିଛି। ଝୁମୁର୍ ଝୁମୁର୍ ଶବ୍ଦ ତା ଆସିବା ସୁଚେଇ ଦିଏ ସଭିଙ୍କୁ। ଦୌଡ଼ି ଦୌଡ଼ି ଆସି ମୋ କୋଳରେ ନଥ୍ କରି ବସି ଗାଲରେ ଗୋଟେ ଚୁମା ଦେଇଦିଏ। ଶାଶୁ ଘରେ ପନ୍ଦର ଦିନ ରହିବା ଭିତରେ ଫୁକୁ ସହ ମୋର ମୋହ ଲାଗି ଯାଇଥିଲା। ଆମେ ଦି ଜଣ ସାଙ୍ଗ ହୋଇ ଯାଇଥିଲୁ।


ପନ୍ଦର ଦିନ ପରେ ମୁଁ ମୋ କର୍ମସ୍ଥଳୀ ଭୁବନେଶ୍ୱର ଆସିଲି। ଆସିଲା ଦିନ ବହୁତ କାନ୍ଦିଲା ଫୁକୁ। ଛୁଟିହେଲେ

 ମୁଁ ଆସିବି କହିଲି। ସେ କିନ୍ତୁ ତା ଆଈ କୋଳରେ ଥାଇ କଇଁ କଇଁ ହୋଇ କାନ୍ଦୁଥିଲା "ମୁଁ ମି ସାଙ୍ଗେ ଯିବି କହି"। ଭୁବନେଶ୍ୱର ଆସିଲା ପରେ ମୁଁ ବି ତା ଅନୁପସ୍ଥିତ ଅନୁଭବ କଲି। ଏମିତି ଗୋଟେ ଆତ୍ମୀୟତା ଲାଗି ଯାଇଥିଲା ଯେ କାମରୁ ଆସି ମୋ ମନ ତାକୁ ଖୋଜିଲା। ତା କଥା ମୋର ଖୁବ୍ ମନେ ପଡିଲା। କିଛି ଛାଡି ଆସିଲା ପରି ଲାଗିଲା। ବେଶୀ ଶୁଭିଲା ତା "ଝୁମୁର୍ ଝୁମୁର୍" ଶବ୍ଦ।


ଏହିପରି ଫୁକୁ ଓ ମୁଁ ବିଶାଖା ଗୋଟେ ସ୍ନେହ ମମତା ଡୋରୀରେ ବନ୍ଧା ହୋଇ ଯାଇଥିଲୁ। ଛୁଟିରେ ଯେବେ ଶାଶୁ ଘରକୁ ଯାଏ ଫୁକୁ ପାଇଁ ଚକୋଲେଟ୍,ଖେଳନା ବହି ଓ ଡ୍ରେସ୍ ନେବା ଥୟ। ମୋତେ ଦେଖିଲେ ସେ କାହା ପାଖେ ରହେନି। ମି ଚକି ଚକି କହି ଦଉଡ଼ି ଆସେ। ମୋ ପାଇଁ ଚକି ଆଣିଛ ମି। ମୁଁ କାଖେଇ ନେଲେ ଚୁମା ପରେ ଚୁମା ଆଙ୍କିଦିଏ ଯେତେ ବାକି ଥାଏ। ମୋ ଚୁନି ନେଇ ଓଢଣା ଟାଣେ। ଡ୍ରେସିଂ ଟେବୁଲ ଆଗରେ କଣ ନିଜେ ନିଜେ ନିଜ ପ୍ରତିବିମ୍ବ ସହ କଥା ହୁଏ।

ମୋତେ ଦେଖିଲେ ଲାଜେଇ ଯାଏ। ଉଁ..କହି ଲୁଚିଯାଏ ଡ୍ରେସିଂ ଟେବୁଲ ପଛ ପଟେ। କଇଁଛ ପରି ମୁଣ୍ଡ ଟିକେ ବାହାରକୁ ବାହାର କରି ପୁଣି ଲୁଚିଯାଏ। ତା ଛୁଆ ମୁହଁର ନିଷ୍କପଟ ଲାଜୁଆ ଭାଵ ଦେଖିଲା ପରି। ମୁଁ ନୂଆ ବୋହୁରୁ ପୁରୁଣା ହେଉଥାଏ, ଗାଢ଼ରୁ ଗାଢ଼ ତର ହେଉଥାଏ ଫୁକୁ ଓ ମୋର ସମ୍ପର୍କ। ଦୁହେଁ ଦୁହିଁଙ୍କୁ ଖୁବ୍ ଭଲ ପାଉଥାଉ। ମୁଁ ପଚିଶି କୁ ସେ ଚାରି। କିନ୍ତୁ ସମ୍ପର୍କ ଆମର କେତେବେଳେ ପଚିଶି ତ କେତେବେଳେ ତିନି ହୋଇଯାଉଥାଏ। ମୁଁ ଶାଶୁ ଘରକୁ ଗଲେ ସେ ମୋପାଇଁ

ପାଗଳ ମୁଁ ତା ପାଇଁ। ସମସ୍ତେ ହସନ୍ତି। ଛୁଆଟା ସାଙ୍ଗେ ବୋହୁ ସାଙ୍ଗ ହେଉଛି ବୋଲି।


କିନ୍ତୁ ସାଙ୍ଗ ହେବା ପାଇଁ ବୟସ କି ଭାଷା କଣ ଲୋଡ଼ା ହୁଏ? ମନ ଯାହା ପାଖେ ବନ୍ଧା ପଡ଼ିଯାଏ ସେଇଠି ଆରମ୍ଭ ହୁଏ ବନ୍ଧୁତା। ବନ୍ଧୁତାରୁ ପ୍ରେମ। ଯାହା ନିହାତି ଶାଶ୍ୱତ,ସ୍ବର୍ଗୀୟ। ମୁଁ ଫୁକୁ ଆଖିରୁ ତା ମନ କଥା ପଢି ପାରିଲା ବେଳେ ସେ ମୋ ମୁହଁରୁ ମୋ ଭିତର କଥା ଜାଣିନିଏ। ଅବଶ୍ୟ ମୋ ଚିନ୍ତା ଚେତନାକୁ ଛୁଇଁ ପାରେ ନାହିଁ; ଛୁଏଁ କିନ୍ତୁ ମୋ ହୃଦୟ। ଫୁକୁ ଯେ ମୋର ଜଣେ ବେଷ୍ଟ ଫ୍ରେଣ୍ଡ୍

ମୁଁ ଏତିକି ବୁଝିଥାଏ। ତା ଅବୁଝା ପ୍ରଶ୍ନ ଉତ୍ତର ଖୋଜୁ ଖୋଜୁ କେତେବେଳେ ମୁଁ ନିଜେ ଫୁକୁ ପାଲଟି ଯାଏ। ବିଶାଖାରୁ ଫୁକୁ ହେବାରେ ମୋଟେ ଅହେତୁକ ଆନନ୍ଦ ମିଳେ। ଯାହା ଆଉ କୌଣସି ସମ୍ପର୍କ ପାଖରୁ ଏତକ ମିଳେନି।


ଥରେ ମୋ ଶଶୁର ଦେହ ଭଲ ନ୍ ଥିଲା। ଦୁଇ ଦିନ ଛୁଟି ନେଇ ବାବାଙ୍କୁ ଦେଖିବାକୁ ଗଲି। ଗଲା ବେଳକୁ ଫୁକୁ ଦଉଡ଼ି ଦଉଡ଼ି ଆସିଲା କିନ୍ତୁ ତା ଝୁମୁର୍ ଝୁମୁର୍ ଶବ୍ଦ ଶୁଭିଲା ନାହିଁ। ମୁଁ କାଖେଇ ନେଇ କହିଲି ତୋ ପାଉଁଜି କାହିଁ କି ଫୁକୁ ? ସେ ମୁହଁ ଶୁଖାଇ କହିଲା ନାଇଁ...କାଉ ନେଇ ଯାଇଛି। ପଚାରି ବୁଝିଲି ସେ ପଟେ ପାଉଁଜି କେଉଁଠି ହଜାଇ ଦେଇଛି। ଘର ପକ୍ଷ ସେତେ ଚଳଣି ଭଲ ନୁହେଁ ତାଙ୍କର। ଏଣୁ ଆଉ ହଳେ ପାଉଁଜି ଏତେ ସହସା କରି ପାରି ନାହାନ୍ତି। ମୁଁ କହିଲି ଫୁକୁ ଏଥର ଆସିଲା ବେଳକୁ ଖୁବ୍ ସୁନ୍ଦର ପାଉଁଜି ହଳେ ଆଣିବି। ବହୁତି ଝୁମୁର୍ ଝୁମୁର୍ ହେବ।


ଆନିବ....ଏ .....ଏ ମି ପାଉଁଜି ଆ..ନି.ବ।ଣ ଉଚ୍ଚାରଣ ଟି ଠିକ୍ ଭାବେ କରି ପାରେନି ସେ। ଏତକ କହି ଖୁସିରେ ତାଳି ମାରି ନାଚିଲା ବହେ। ପିଲା ମୁହଁରେ ଖୁସି ଚମକୁ ଥିଲା ଝଲସି ଉଠି। ଚାରି ପୁରି ଗଲାଣି ତାକୁ। ଗାଁ ଠାରୁ କିଛି ଦୂରରେ ଇଂଗିଲିସ ସ୍କୁଲଟିଏ ଅଛି। ସେଠାରେ ଥିବା ପ୍ଳେ ସ୍କୁଲରେ ପଢୁଛି। କେତେ ପାଠ ପଢିଲାଣି। ତା ବାପା କହୁଛି "ମୋ ଝିଅ ଇଂଗିଲିସ ସ୍କୁଲରେ ପଢିବ। ଯାହା କଷ୍ଟ ହେଉ ବି ତାକୁ ବହୁତ ପାଠ ପଢେଇବି"। ମୁଁ ଗଲେ ଫୁକୁ କହିବ ରାଇମି ଶୁ ନି ବ। ଷ୍ଟୋଲି ଶୁ ନି ବ। ସତେକି ଚାହିଁ ବସିଥିବ ସେ କେତେ ପାଠ ମନେ ରଖି ପାରିଛି ମୋତେ ଜଣାଇଁ ସାବାସ୍ ଓ ଟିକେ ଗେଲ ପାଇବା ପାଇଁ। ପାଟି ଲଗେଇ କେତେ କଣ ବୋଲି ଯିବ। ନିଃଶ୍ୱାସ ଢୋକି ହୋଇ ଯାଉଥିବ।କଣ୍ଢେଇ ଭଳି ଛୁଆଟି ଆକ୍ସନ କରି ରାଇମ୍ ବୋଳିଲା ବେଳକୁ ଅତି ଚମତ୍କାର ଲାଗେ। ଏମିତି ଫୁକୁ ଓ ମୁଁ କେତେବେଳେ ମା ଝିଅ ହୋଇ ଯାଇଥିଲୁ ଅଜାଣତେ। ଦୁହେଁ ବନ୍ଧା ପଡି ଯାଇଥିଲୁ ଦୁହିଁଙ୍କ ପାଖେ। ହଠାତ୍ ଦିନେ ମୁଁ ଶୁଣିଲି ଫୁକୁ ଆଠ ଦିନ ହେବ ବଡ଼ ମେଡ଼ିକାଲରେ ଟ୍ରିଟମେଂଟ ହେଉଛି। କଣ ହୋଇଛି ତାର? ମୋତେ ଖୁ ବ୍ୟସ୍ତ ଲାଗିଲା। ତାକୁ ଦେଖା କରିବାକୁ ଗଲି। ତା ଦେହ ସାରା ପୋଡ଼ା ଘା। ସାରା ଶରୀର ପୋଡି ଯାଇଛି କେବଳ ମୁହଁଟିକୁ ଛାଡି। ମାଂସ ଗୁଡା ମିଳେଇ ଖାଲି ପାଣି ଝରୁଥାଏ ଦେହରୁ। ଆଖି ବୁଜି ପଡ଼ିଥାଏ ସେ। ଗୋରା ତକ ତକ ଦେହ ସାରା ଖାଲି ନାଲି ନାଲି ଘା। ଆଣ୍ଠୁ ପର୍ଯ୍ୟନ୍ତ ସବୁ ଆଡେ ଫୋଟକା ଘା। ଆଇ ସି ୟୁ ରେ ଥାଏ ସେ।


କେମିତି ଏସବୁ ହେଲା ମୁଁ ବିବ୍ରତ ହୋଇ ପଚାରିଲି ତା ବାବାଙ୍କୁ। ଲାଇନ ନଥିଲା। ମହମ ବତୀ ତା ଘରେ ଲାଗିଥିଲା। ଫୁକୁ ସେଇଠି ବସିଥିଲା ବ୍ୟାଗ୍ ଥୋଇ। ତା ମମି ରୋଷେଇ ସାରି ଆସିଲେ ପଢେଇବ। ମମି ରୋଷେଇ କରିବାରେ ବ୍ୟସ୍ତ। ତା ଆଈ ଫୁକୁ ପାଖେ ଶୋଉ ଶୋଉ ଆଖି ଲାଗି ଯାଇଥିଲା। ଫୁକୁ ହାତ ମେଲି ଚକା ଚକା ଭଉଁରୀ ଖେଳୁ ଖେଳୁ ମହମ ବତୀ ଉପରେ ପଡିଗଲା।ତା ଫ୍ରକ ଘେର ପଡି ମହମ ବତୀ ଲିଭି ସିନା ଲିଭି ଗଲା କିନ୍ତୁ ନିଆଁ ଧରି ନେଇ ଥିଲା ତା ସିଂଥେଟିକ ଫ୍ରକ। ପିଲା ଲୋକ ଜାଣି ପାରିନି। ଫର ଫର ଜଳି ଯାଇଛି ଫ୍ରକ। ତା ଦେହକୁ ଯେତେବେଳେ ଫ୍ରକର ତରଳା ଜରି ଲାଗିଛି ସେ ଛିନ୍ନ ଛିନ୍ନ ହୋଇ କାନ୍ଦିଛି। ମମି ମମି ରଡି ଛାଡିଛି। ତା ମମି ଆସି ଦେଖେ ତ ଫ୍ରକ ପଛ ପଟ ଆଉ କିଛି ନାହିଁ। ସବୁ ତରଳି ଲାଗି ଯାଇଛି ଫୁକୁ ଦେହରେ। ମୋ ଝିଅ...ମୋ ଝିଅ କହି ଫୁକୁ ମା କୁଆଡୁ କିଛି ଉପାୟ ନ ପାଇ ଢାଳି ପକେଇଛି ପାଣି। ଛଟ ଛଟ ହେଉଛି ଫୁକୁ।ଦେହରେ ଚିପିକି ଯାଇଛି ପୋଡ଼ା ଫ୍ରକ।


ନେଇ ଆସିଛନ୍ତି ବଡ଼ ମେଡିକାଲ୍। ଚମଡା ଛେଲି ଛଡାଇ ଛନ୍ତି ଚିପିକା ପୋଡ଼ା ଜରି ଫ୍ରକ ର୍ ତରଳା ଅଂଶ। ପିଲା ଲୋକ ସହି ପାରୁ ନାହିଁ ପୋଡ଼ା ଯନ୍ତ୍ରଣା। ମାଂସ ଯେମିତି ପୋଷେ ପୋଷେ ପାଣି ହୋଇ ଝରି ପଡୁଛି। ଭାରି କଲ ବଲ ହେଉଛି ଫୁକୁ। ହେ ଭଗବାନ୍! କଣ କଲ! ଛାତିଟା କଣ ହୋଇଗଲା ମୋର। ତାକୁ ଏ ସମୟରେ ଛୁଇଁବା ମନା;ଇନ୍ଫେକ୍ସନ ହୋଇଯିବ ବୋଲି। ବହୁ କଷ୍ଟରେ ଅନୁରୋଧ କରି ତାକୁ ଦେଖିବା ଅନୁମତି ମିଳିଲା ମୋତେ। ଆଖି ମୁଦି ପଡ଼ିଥାଏ ଚାରି ବର୍ଷର କଣ୍ଢେଇଟି ନିଃଶ୍ଚଳ ହୋଇ । ବିକୃତ ଦେଖା ଯାଉଥାଏ ସାରା ଶରୀର। ଅପେକ୍ଷା କଲି ତା ବେଡ୍ ପାଖରେ ଟିକେ ଆଖି ଖୋଳନ୍ତା କି ଦେଖନ୍ତି। ମୋ ଛାତି ଚିରି ହୋଇ ଯାଉ ଥାଏ। ମୋତେ ଦେଖି ଭଲ ଥିଲେ ଏବେ ମି ମି କହି କାଖ ହୋଇ ସାରନ୍ତାଣି । ଲାଳୁଆ କରି ଦିଅନ୍ତାଣି ମୋ ଗାଲ। ମୁଁ ଟିକେ ମୋ ଗାଲ କୁ ଆଉଁସିଲି। ଫୁକୁ ଚୁମାକୁ ମନେ ପକେଇ ମୋ ଆଖିରୁ ଗଲି ପଡିଲା ଦୁଇ ବୁନ୍ଦା ଅଶ୍ରୁ।


ମୁଁ ଦେଖି ପାରିଲି ନାହିଁ ତା କଷ୍ଟ। କାଲି ଆସିବି କହି ପଳେଇ ଆସିଲି। ଡାକ୍ତରଙ୍କୁ ପଚାରି ବୁଝିଲି ଫୁକୁ ଅବସ୍ଥା। ଡାକ୍ତର କହିଲେ ବେକ ଠାରୁ ଜଙ୍ଘ ଯାଏ ସବୁ ପୋଡି ଯାଇଛି। ତଥାପି ଆମେ ଚେଷ୍ଟା କରୁଛୁ। କେତେ ଦିନ ଭଲ ହେବାକୁ ଲାଗିବ କହି ହେବନି। ଲାଗୁଛି ଘା ଗୁଡିକ ଶୀଘ୍ର ଶୁଖି ଯାଇ ପାରେ। ତାପରେ ଅଲଗା ଚିକିତ୍ସା କରା ଯିବ। ହେ ଭଗବାନ୍ ମୋ ସାଙ୍ଗ ଫୁକୁକୁ ଶୀଘ୍ର ଭଲ କରିଦିଅ ପ୍ରଭୁ। ଏତିକି ଈଶ୍ୱରଙ୍କୁ ପ୍ରାର୍ଥନା କରି ମୁଁ ମେଡିକାଲ୍ ଛାଡ଼ିଲି।


ପୁଣି ଆଠ ଦିନ ପରେ ରବିବାର ଛୁଟିରେ ଫୁକୁ ପାଖକୁ ଗଲି। ସାଙ୍ଗରେ ନେଲି ହଳେ ଝୁମୁକା ଲଗା ପାଉଁଜି। ଫୁକୁ ଯଦି ଭଲ ହୋଇ ଯାଇଥିବ ପାଉଁଜି ହଳକ ଦେଖି ବହୁତି ଖୁସି ହେବ। ତା କୁନି କୁନି ପାଦରେ ପିନ୍ଧାଇ ଦେଇ ଟିକେ ହଲେଇ ଦେବି। ଝୁମୁର୍ ଝୁମୁର୍ ଶୁଭିବ। ଅନେକ ଦିନ ହେବ ତା ଝୁମୁର୍ ଝୁମୁର୍ ଶବ୍ଦ ଶୁଣି ନାହିଁ। କାନ ଓ ମନ ଅପେକ୍ଷା କରିଛନ୍ତି ଫୁକୁ ମୋ ସାଙ୍ଗ ପାଦର ପାଉଁଜି ଶବ୍ଦ ଶୁଣିବାକୁ।


ମୁଁ ଗଲା ବେଳକୁ ଫୁକୁ ବାପା ଡିସଚାର୍ଜ ପେପର୍ ନେଇ ଆସୁଥିଲେ। ଫୁକୁ କଣ ଏତେ ଶୀଘ୍ର ଭଲ ହୋଇ ଗଲା? ମୋତେ ଦେଖି ଫୁକୁ ବାପା ଭୋ ଭୋ ହୋଇ କାନ୍ଦି ଉଠିଲେ। ମୋ ଝିଅ.ତୁମ ଫୁକୁ ଆଜି ତିନିଟା ବେଳେ


ଆଉ କିଛି କହି ପାରିଲେ ନାହିଁ


ଓଃ... ମୋର ବୋଧେ ଡେରି ହୋଇଗଲା। ବ୍ୟାଗ୍ ରେ ବହୁତି ଭାରି ଲାଗିଲା ପାଉଁଜି ହଳକ। ଶୁଭିଗଲା "ଆ ନି ବ ମି??" ଦିଶିଗଲା ଫୁକୁର ହସ ହସ ମୁହଁ। ମୋ ଆଗରେ ସତେ ଯେମିତି ପାଉଁଜି ପିନ୍ଧି ଫୁକୁ ଦଉଡ଼ି ଯାଉଥିଲା ଝୁମୁରୁ ଝୁମୁର୍ ହୋଇ।


ସେଇ ଦିନୁ ଏ ପାଉଁଜି ହଳକ ଅତି ଯତ୍ନରେ ସାଇତିଛି। ଫୁକୁ ମନେ ପଡିଲେ ଏ ପାଉଁଜି ଆଣି ଗାଲରେ ଲଗାଏ। ସତେକି ଲାଗେ ଦୁଇଟି ଲାଳୁଆ ଓଠ ଛୁଉଁଛନ୍ତି ମୋ ଗାଲ। ଫୁକୁ ଯେମିତି ଝୁମୁର୍ ଝୁମୁର୍ ହୋଇ ଦଉଡ଼ି ଆସୁଛି ମୋ ପାଖକୁ ହାତ ମେଲେଇ।


Rate this content
Log in

Similar oriya story from Tragedy