ଝରକାର ଆର ପାଖେ
ଝରକାର ଆର ପାଖେ
ଝରକା ବାହାରକୁ ଚାହିଁଲେ ମେଦିନୀ ଦେବୀ I ଦୂରରେ ନଦୀରେ ଆକାଶର ଲାଳିମା ପ୍ରତିଫଳିତ ହେବାକୁ ଲାଗିଥିଲା I ବାର ସପ୍ତାହ ବିତି ସାରିଲାଣି ତାଙ୍କ ଜୀବନର ସେହି କୋଠରୀରେ I ପ୍ରତିଦିନ ସୂର୍ଯ୍ୟୋଦୟର କିରଣରେ ନଦୀ ତଟେ ଆରମ୍ଭ ହୁଏ ନୂଆ ଦିନଟିଏ ଆଉ ପ୍ରତି ଦିନ ସଞ୍ଜରେ ନର୍ସ ଆସି ପରଦା ପକେଇଦିଏ ତାଙ୍କୁ ଇଞ୍ଜେକ୍ସନ ଦେବା ପୂର୍ବରୁ I ବସ ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସାଧୀନା ସିଏ ସହର ସୀମାନ୍ତରେ ଥିବା ଏକ ଘରୋଇ ଡାକ୍ତରଖାନାରେ ନିଜର ଜୀବନର ସଂଗ୍ରାମରେ ଲିପ୍ତ I ଏହି ଗୋଟିଏ ଡାକ୍ତରଖାନାରେ ହିଁ ବେଡ଼ଟିଏ ମିଳି ପାରିଥିଲା ଆଉ ନର୍ସ ମଧ୍ୟ I ତେଣୁ ବଡ ପୁଅ ତାଙ୍କୁ ଭର୍ତ୍ତି କରିଦେଇ ସବୁ ବନ୍ଦୋବସ୍ତ କରି ଗାଆଁକୁ ଫେରି ଯାଇଛି I ଚାରି ପୁଅ ତିନି ଝିଅର ମାଆ ଆଜି ସବୁ ଠାରୁ ଦୂରରେ ! ଗାଆଁରେ କରୋନାର ତାଣ୍ଡବ ଯୋଗୁଁ ତାଟି କବାଟ ପଡି ଯାଉଛି ସଞ୍ଜ ହେଲେ I ନିଜର ପରର ଭେଦଭାବ ଠାରୁ ଅକାଳ ମୃତ୍ୟୁର ଭୟ ସମସ୍ତଙ୍କୁ ଦୁରେଇ ଦେଇଛି ସମସ୍ତଙ୍କଠାରୁ ! ଯିଏ ସଂକ୍ରମଣ କୁ ମାନି ନାହିଁ, ଜୀବନ ହାରିଛି I
" ମୁଁ ଯିବା ପୂର୍ବରୁ ଆପଣଙ୍କ ମୁଖା ଖୋଲିଦେବି, ବ୍ୟସ୍ତ ହୁଅନ୍ତୁ ନାହିଁ, ଦିନ ସାରା ଅନେକ ଥର ଆପଣଙ୍କୁ ଦେଖିବାକୁ ପଡେ ତେଣୁ ମୁଖାଟିକୁ ରହିବାକୁ ଦେବାକୁ ବାଧ୍ୟ ହେଉଛି," ରୁମ ଭିତରକୁ ଆସୁ ଆସୁ ସିଷ୍ଟର ବିନିତା କହିଲେ I
"ନା କିଛି ଅସୁବିଧା ନାହିଁ, କେତେ ବଢ଼ି, ମରୁଡ଼ି ସହିକି ଏ ମଣିଷ ଏ ବୟସରେ ପହଞ୍ଚିଛି I ଖାଲି ଗୋଡ ତଳର ତକିଆଟିକୁ ଟିକେ ଠିକ କରିଦିଅ ଝିଅ," ମେଦିନୀ ଦେବୀ କହିଲେ I ତକିଆଟିକୁ ଠିକ କରୁ କରୁ ସିଷ୍ଟର ବିନୀତ କହିଲେ,"ଆଉ ଅଳ୍ପ ଦିନ ମାଉସୀ, ଡାକ୍ତର କହୁଥିଲେ ଆପଣ ପ୍ରାୟ ସୁସ୍ଥ ହେଇ ସାରିଲେଣି, ଆଉ ଏହି ନର୍କରେ ବେଶୀ ଦିନ ରହିବେନି, ଗାଆଁକୁ ଫେରିଯିବେ ନିଜ ପରିବାର ପାଖକୁ," ସିଷ୍ଟର ବିନିତା କହିଲେ I
"ସ୍ଵର୍ଗ ଆଉ ନର୍କର ଆଉ ପାର୍ଥକ୍ୟ କୋଉଠି ଅଛି ଲୋ ଝିଅ? ସବୁ ଆଡେ ତ ଭୟ ଆଉ ଅଶାନ୍ତି ଭରି ରହିଛି, ବରଂ ଏହି ଠାରେ ମୁଁ ଏକାନ୍ତରେ ଅଛି କିନ୍ତୁ ସବୁ ପ୍ରକାର ମାନସିକ ଯନ୍ତ୍ରଣା ଠାରୁ ଦୂରରେ ଅଛି, ଶରୀର ତ କଷ୍ଟ ଭୋଗିବ ହିଁ ଭୋଗିବ ଯେତେ ଦିନ ଯାଏଁ ମଣିଷ ବଞ୍ଚିଛି," ମେଦିନୀ ଦେବୀ କହିଲେ I "ହଉ ମାଉସୀ ଆପଣ ଆଉ ଅଧିକ ବିଚଳିତ ହୁଅନ୍ତୁ ନାହିଁ, ଟିକିଏ ପରେ ଡାକ୍ତର ମିଶ୍ର ଆସିକି ଦେଖି ଯିବେ, ତା ପରେ ମୁଁ ଆପଣଙ୍କୁ ଇଞ୍ଜେକ୍ସନ ଦେଇକି ଚାଲିଯିବି ରାତି ପାଇଁ," ସିଷ୍ଟର ବିନିତା କହିଲେ I "ହଉ ବହୁତ ଦିନ ହେଲା ଆକାଶର ତାରାଟିଏ ଦେଖିନି, ଆଉ କିଛି ସମୟ ପରଦାଟିକୁ ଖୋଲା ରଖି ହେବ କି? ମୋତେ ନିଦ ଆସିଗଲେ ପଛେ ପରଦା ପକେଇ ଦେବ ?" ମେଦିନୀ ଦେବୀ କହିଲେ I
"ହଉ ମାଉସୀ ମୁଁ ଏବେ ପରଦା ପକେଇବିନି ଆପଣ ଟିକେ କହିଦେବେ, ନ ହେଲେ ମୋତେ ଆକଟ କରିବେ ସାର I ସାର କୁହନ୍ତି ରାତିରେ ଭଲ ନିଦ ପାଇଁ ସମ୍ପୂର୍ଣ୍ଣ ଅନ୍ଧକାର ହେବା ଦରକାର, ବାହାର ଆଲୋକ ମଧ୍ୟ ନିଦରେ ବ୍ୟାଘାତ ଘଟାଏ I ମୁଁ ଟିକିଏ ପରେ ଫେରିବି, ଏମିତିରେ ମଧ୍ୟ ଶୀତ ଦିନ ଯୋଗୁଁ ଶୀଘ୍ର ସନ୍ଧ୍ୟା ହେଇ ଯାଉଛି,ଏଣୁ ତାରା ଗୁଡିକ ଜଲ୍ଦି ଉଇଁ ଯିବେ, " କହି ସିଷ୍ଟର ଚାଲିଗଲେ ବାହାରକୁ ଇଞ୍ଜେକ୍ସନ ପ୍ରସ୍ତୁତ କରିବାକୁ I କବାଟରେ ଦସ୍ତକ ଶୁଣି ସେ ଆଡକୁ ଚାହିଁଲେ ମେଦିନୀ ଦେବୀ I ରୁମ ଭିତରକୁ ଡାକ୍ତର ମିଶ୍ର ଆସିଲେ ଏବଂ କିଛି ପରୀକ୍ଷା କରିଲେ I ଖୋଲା ପରଦା ଦେଖି ଟିକିଏ ଆଚମ୍ବିତ ହେଲେ I ସେ କିଛି କହିବା ପୂର୍ବରୁ ମେଦିନୀ ଦେବୀ କହିଲେ," ମୁଁ ଅନୁରୋଧ କରିଛି ଟିକିଏ ଅଧିକ ସମୟ ଆଜି ଝରକାର ପରଦା ନ ପକେଇବା ପାଇଁ ଇଞ୍ଜେକ୍ସନ ଦେଲା ପରେ ବିନିତା ପରଦା ପକେଇ ଦେବ: ଆପଣଙ୍କୁ ଅସୁବିଧା ନାହିଁ ତ ?" "ନା ନା , ଆପଣ ଯେମିତି ସୁବିଧାରେ ରହିବେ ତାହା ମୋର କର୍ତ୍ତବ୍ୟ I ମୁଁ ଦୁଃଖିତ ଏହି ସଂକ୍ରମଣ ଯୋଗୁଁ ଆପଣଙ୍କୁ ଏହି ଅଲଗା ରୁମରେ ରଖିବାକୁ ପଡ଼ିଲା I ତାହା ଆପଣଙ୍କ ନିରାପତା ପାଇଁ ଯଦିଓ ଏହା ଠିକ ହସ୍ପିଟାଲର ପଛ ପଟକୁ ରହିଛି ଏବଂ ପ୍ରତିଦିନ ଆପଣଙ୍କୁ ଝରକା ଆର ପାଖେ ଅନେକ ଥର ଵାହନ ଗୁଡିକରେ ଆସୁଥିବା ଓ ଯାଉଥିବା ଲୋକଙ୍କ ଶବ ବୁହା ଗାଡ଼ି ଦେଖିବାକୁ ପଡୁଛି I ଆଶା କରୁଛି ଆପଣ ଏ ସବୁ ଦେଖି ବିଚଳିତ ହେଉ ନଥିବେ I ମୁଁ ହିଁ ସିଷ୍ଟରଙ୍କୁ କହିଛି ଝରକାର ପରଦା ଖୋଲି ରଖିବାକୁ ଦିନ ବେଳେ I ସୂର୍ଯ୍ୟକିରଣ ଦେହ ପାଇଁ ହିତ କାରକ ଆଉ ଯଦି ଆପଣ ଟିକେ ଦୂରରେ ଥିବା ନଈ କୂଳ ଆଡେ ଦେଖି ଖୁସି ହେଇ ପାରିବେ ବହୁତ ଖୁସିର କଥା I ସକାଳେ ଆଉ ସଞ୍ଜରେ ନଈ କୂଳରେ ବିହଙ୍ଗ ସମ୍ଭାର ବହୁତ ମନୋରମ I ଆପଣ ବହୁତ ପୂଣ୍ୟ କରିଛନ୍ତି I ଆପଣଙ୍କ ଅଞ୍ଚଳରୁ ଆସିଥିବା ଅନେକ ଲୋକ ଆଉ ଏହି ଦୁନିୟାରେ ନାହାନ୍ତି, ଯେଉଁ ମାନେ ଦୁର୍ଘଟଣାରୁ ବର୍ତ୍ତୀ ଯାଇଥିଲେ, ଅନେକ ପରବର୍ତ୍ତୀ ସମୟରେ କୋରାନାରେ ଆକ୍ରାନ୍ତ ହୋଇ ଚାଲି ଗଲେ I ଆପଣ ତ ପ୍ରତିଦିନ ଅଧିକ ସତେଜ ଆଉ ସୁସ୍ଥ ହେବାରେ ଲାଗିଛନ୍ତି, ନିଶ୍ଚୟ ଆପଣଙ୍କ ପୂଣ୍ୟ ପାଇଁ I ଏ ବୟସରେ ମେରୁ ଦଣ୍ଡର ଆଘାତ ଠିକ ହେବାରେ ଟିକେ ଡେରି ଲାଗେ, ସେଥି ପାଇଁ ଆପଣଙ୍କୁ ଟିକେ ଅଧିକ ରହିବାକୁ ପଡ଼ିବ I ହଁ ଏକ ରକମ ଭଲ ହେଇଛି ମଧ୍ୟ ଝରକା ସେ ପାଖେ ସହରର ଭିଡ ନାହିଁ I ଆପଣ ମୁଖ୍ୟ ଫାଟକ ଦେଖି ପାରୁ ନାହାନ୍ତି ସତ କିନ୍ତୁ ପ୍ରକୃତିର ରୂପକୁ ଦେଖି ପାରୁଥିବେ I ଯଦି ଆପଣଙ୍କ ପରିବାରର କେହି ଆସନ୍ତି ସେମାନଙ୍କୁ ଆପଣ ପାଖକୁ ଆସି ବାକୁ ଟିକିଏ ସମୟ ଲାଗିବ କାରଣ ଆମେ ଟିକିଏ ସତର୍କତା ଅବଲମ୍ବନ କରୁଛୁ, " ଡାକ୍ତର ମିଶ୍ର କହିଲେ I "ପାପ ପୂଣ୍ୟ ଏହିଠାରେ ହିଁ ଭୋଗିବାକୁ ପଡେ ଡାକ୍ତର ବାବୁ I ମୋର ମନରେ ସେମିତି କିଛି ଦୁଃଖ କିମ୍ବା କଷ୍ଟ ନାହିଁ, ଯାହା କିଛି ଅଛି ଦେହରେ ଅଛି, ଆଉ ଦେହ ଯେତିକି ସମ୍ଭାଳି ପାରିବ, ସମ୍ଭାଳିବ, " ମେଦିନୀ ଦେବୀ କହିଲେ I
"ନା, ନା, ମୁଁ ସେ କଥା କହୁନି, " ଡ଼ାକ୍ତର ମିଶ୍ର କହିଲେ I ମୁଁ ଏଥି ପାଇଁ ପଚାରିଲି ଯେ ଏତେ ଦିନ ହେଲାଣି ଆପଣଙ୍କର ପରିବାରରୁ କେହି ଆପଣଙ୍କୁ ଦେଖା କରିବାକୁ ଆସି ନାହାନ୍ତି କାହିଁକି? ଆପଣ କାଳେ ସେହି କାରଣରୁ ବିଚଳିତ ହେଉଥିବେ ବୋଲି ପଚାରିଦେଲି I "
"ମୋର ସାଥିରେ ପରା ସ୍ଵୟଂ ପ୍ରଭୁ ଜଗନ୍ନାଥ ଅଛନ୍ତି, ଆଉ କାହାକୁ ଲୋଡ଼ିବି କିଆଁ ," କାନ୍ଥରେ ଟଙ୍ଗା ହେଇଥିବା ଫୋଟୋ ଆଡ଼କୁ ଇଙ୍ଗିତ କରି କହିଲେ ମେଦିନୀ ଦେବି, " ଝରକା ଆର ପାଖେ ପ୍ରଳୟର ନଗ୍ନ ନୃତ୍ୟୁ ଚାଲିଛି ଆଉ ଝରକା ଏ ପାଖେ ମୁଁ ପ୍ରଭୁଙ୍କ ଶରଣରେ I""ଆର ସପ୍ତାହ ଆଡକୁ ଡିସ୍ଚାର୍ଜ ହେଇଯିବ I ଆପଣଙ୍କ ଆଶୁ ଆରୋଗ୍ୟ କାମନା କରୁଛି I ବିନିତା ସିଷ୍ଟର ମୋତେ ଆପଣଙ୍କ ବିଷୟରେ ସବୁ କହି ସାରିଛନ୍ତି କେମିତି ଏତେ ସବୁ ମାନବିକ ଯନ୍ତ୍ରଣା ଦେଖିବା ପରେ ବି ଆପଣ ସ୍ଥିର ହୋଇ ରହି ପାରିଛନ୍ତି ଏମିତି ଏକ ସମୟରେ, ଏକାନ୍ତ କୋଠରୀଟିରେ I ଏବେ ନିଦ ଆସିଯିବ ଆପଣଙ୍କୁ ଇଞ୍ଜେକ୍ସନ ଦେଇ ଦେଇଦେବେ ସିଷ୍ଟର I ଆପଣ ଆରାମ କରନ୍ତୁ I କାଲି ଆସି ପୁଣି ଦେଖିବି I ଆସୁଛି," କହି ଚାଲିଗଲେ ଡାକ୍ତର ମିଶ୍ର ନିଜର ରାଉଣ୍ଡରେ I
ଅଳ୍ପ ସମୟ ପରେ ସିଷ୍ଟର ବିନିତା ଆସିଗଲେ I "ହଉ ମାଉସୀ, ମୋର ଆପଣଙ୍କ ପାଖରେ ଆଜିର ଶେଷ ଡିଉଟି ସରିବ ଏବେ I ଦିନ ସାରା ନଈ କୂଳରେ ଶବ ପୋଡା ଆଉ ଶ୍ରାଦ୍ଧ ଦେଖି ଦେଖି ମୋତେ ମଧ୍ୟ ବିରକ୍ତ ଲାଗିଲାଣି, ଆପଣ କେମିତି ଦିନ ସାରା ଏହି ରୁମରେ ରହି ପାରୁଛନ୍ତି ମୁଁ ଜାଣି ପାରୁନାହିଁ, ଦେଖିଲେ ତ କେତେ ସବୁ ତାରା ଆଜି ଆକାଶରେ ଉଇଁ ଛନ୍ତି, " କହୁ କହୁ ସିଷ୍ଟର ବିନିତା ଝରକାର ପରଦାଟିକୁ ଟାଣି ଦେଲେ I "ହଁ ବହୁତ ଖୁସି ଲାଗିଲା ତାରା ଗୁଡିକ ଦେଖିକି, ମୋ ନାତି ସହ ବସି ତାରା ଗୁଡିକୁ ଗଣେ ସନ୍ଧ୍ୟା ବେଳେ ଗାଆଁରେ ବେଳେ ବେଳେ I କାଲି ସକାଳେ ପୁଣି ଥରେ ଶୀଘ୍ର ଆସିକି ପରଦାକୁ ଖୋଲିଦେବ କି ଝିଅ ? ମୋତେ ନଈ ସେ ପାଖରେ ହେଉଥିବା ସୂର୍ଯ୍ୟୋଦୟ ବହୁତ ଭଲ ଲାଗେ, "ମେଦିନୀ ଦେବୀ କହିଲେ I "ଆପଣଙ୍କୁ ଝରକା ସେପାଖେ ପ୍ରତିଦିନ ଯାଉଥିବା ଶବ ବୁହା ଗାଡି ଆଉ ଦୂରରେ ମଶାଣି ଦେଖି ଭୟ ଲାଗେ ନାହିଁ କି ମାଉସୀ? ମୋତେ ତ ଭାରି ଡର ଲାଗେ," ସିଷ୍ଟର ବିନିତା କହିଲେ I "ନା ଲୋ ଝିଅ, ଝରକା ସେପାରି ସିନା ପୃଥିବୀର ମାନବୀୟ ଦୁଃଖ କଷ୍ଟ ଯନ୍ତ୍ରଣା ଅଛି ମୃତ୍ୟୁର ତାଣ୍ଡବ ଚାଲିଛି, ଝରକା ଏ ପାଖେ ପରା ମୋ ଆଖି ଆଗରେ ମହାପ୍ରଭୁ ହସୁଛନ୍ତି, " କହିକି ସାମ୍ନାରେ ଥିବା ମହାବାହୁଙ୍କୁ ପ୍ରଣାମ କରିଲେ ମେଦିନୀ ଦେବୀ I ତାଙ୍କର ଆଖି ପତା ଭାରି ହେବାକୁ ଲାଗିଥିଲା I "ହଉ ମାଉସୀ ଆପଣ ଶୁଅନ୍ତୁ, ମୁଁ ବତୀ ସବୁ ବାହାରୁ ଅଫ କରିଦେବି," କହି ଚାଲିଗଲେ ସିଷ୍ଟର ବିନିତା I ରୁମ ଭିତରେ ରାତିର ସ୍ଲିପିଂ ଲାଇଟର ଆଲୋକ ଭରିବାକୁ ଲାଗିଥିଲା I ଝରକା ସେ ପାଖେ ଗଭୀର ହେଉଥିବା ରାତିର ଛାଇକୁ ଭେଦ କରି ପୁଣି ଚିତ୍କାର କରିବାକୁ ଲାଗିଲା ଶବ ବୁହା ଗାଡ଼ିର ସାଇରନ I
