T.Durga Prasad Rao

Tragedy

0.8  

T.Durga Prasad Rao

Tragedy

ଝରକା ସେପାଖେ

ଝରକା ସେପାଖେ

6 mins
829



ଝରକା ବାହାରର ଦୃଶ୍ୟ କେଡ଼େ ମନୋହର ସତରେ! ପ୍ରକୃତି ନିଜସ୍ୱ ଢ଼ଙ୍ଗରେ ରଚେ ବିବିଧତା ଭରା ପର୍ବତ ଶୃଙ୍ଖଳ, ଗିରିଶୃଙ୍ଗ ରାଜି, ଆନମନା ହୋଇ ନିମ୍ନ ଆଡ଼କୁ ବହି ଯାଉଥିବା ଝରଣାର କୁଳୁ କୁଳୁ ନାଦ, ବିସ୍ତୃତ ଦିଗନ୍ତରେ ସମୟର ରଙ୍ଗ। ଅନନ୍ତ ଆକାଶ କେତେବେଳେ ନୀଳ ତ କେତେବେଳେ ଲାଲ୍। କେତେବେଳେ ପୁଣି ବଉଦର ପତଳା ଚାଦରରେ ମୁହଁଟି ଘୋଡ଼ାଇ ଆକାଶ ପାଲଟେ ଶୁଭ୍ର ଅଥବା କୃଷ୍ଣବର୍ଣ୍ଣ। ତାର ଭାସମାନ ଗଢ଼ଣ କେତେବେଳେ କେଉଁ ରୂପ ନେଇ ମନକୁ ମୋହିତ କରେ।

ମୁହଁରେ ଏକ ବିଚିତ୍ର ସମ୍ମୋହନର ଭାବ ନେଇ ଅନାଇ ରହେ ନୀଳିମା ଝରଣା ପାଣିରେ ଗୋଡ଼ ଦୁଇଟାକୁ ଲମ୍ବାଇ ଦେଇ।

- ଦେଖୁଛ ସାଗର, ଆକାଶରେ ମେଘ ବାଳୁତ ସିଂହଟିଏର ଭ୍ରମ ସୃଷ୍ଟି କରୁନାହିଁ?

ସାଗର ତା ଆଡ଼ୁ ମୁହଁ ଫେରାଇ ଆକାଶକୁ ଚାହେଁ।

- ଆରେ ହଁ, ସତେତ। ଆଉ ଟିକେ ଏ ଆଡ଼କୁ ଅନାଅ। ଦେଖିଲ, ଛଡ଼ିଟିଏ ଧରି ସତେକି ପରୀଟିଏ ଠିଆ ହୋଇଛି ତା ସାମ୍ନାରେ।


- ଆଉ ଦେଖ, ବୋଧହୁଏ ସେଇ କୁହୁକ ଛଡ଼ିର ସ୍ପର୍ଶରେ କି କଣ, ସିଂହଟିର ଆକୃତିରେ କେମିତି ପରିବର୍ତ୍ତନ ପରିଲକ୍ଷିତ ହେଉଛି। ଦେଖ କେମିତି, ସେ ଧୀରେ ଧୀରେ ଗୋଟିଏ ବିଲେଇରେ ରୂପାନ୍ତରିତ ହେଉଛି। ଆଉ ତାର ଦର୍ପରେ ଠିଆ ହୋଇଥିବା ଭଙ୍ଗୀ କେମିତି ଧୀରେ ଧୀରେ ଶୟନ ମୁଦ୍ରାରେ ରୂପାନ୍ତରିତ ହେଉଛି।

- ହଁ, ହଁ, ଠିକ୍ ମୋ ପରି ତ! ତମ ପ୍ରେମର କୁହୁକ ସ୍ପର୍ଶରେ ଦେଖୁନ ମୁଁ କେମିତି ସବୁ ଦର୍ପ ହରାଇ ସିଂହରୁ ବିଲେଇ ପାଲଟି ସାରିଲିଣି। ଉଠ୍ କହିଲେ ଉଠୁଛି, ବସ୍ କହିଲେ ବସୁଛି।


ସାଗରର ତୋସାମଦି କଥାରେ ନୀଳିମା ଖିଲ୍ ଖିଲ୍ ହସି ଦେଇ ଆଞ୍ଜୁଳାଏ ପାଣି ଛାଟି ଦିଏ ସାଗରର ମୁହଁ ଉପରକୁ। ସାଗର କେଉଁ ଛାଡ଼ିବା ଲୋକ। ଆକସ୍ମାତ୍ ପାଣି ଭିତରେ ପଶି ଟାଣିନିଏ ନୀଳିମାର ହାତ ଧରି ତାର ପୁରା ଶରୀରକୁ ଓଦା କରି। ଓଠରେ ଓଠ ଲଗାଇ ଆଙ୍କି ଦିଏ ଗଭୀର ଚୁମ୍ବନ ଆଉ ଆଲିଙ୍ଗନ ବଦ୍ଧ କରି କହେ, ସାଗର ନୀଳିମା ବିନା ସଦା ଅସମ୍ପୂର୍ଣ୍ଣ। ତମେ ମୋ ଜୀବନରେ ନ ଥିଲେ ମୋ ଜୀବନଟା କଣ ଏତେ ପୁଲକଭରା, ଛନ୍ଦମୟ, ରଙ୍ଗୀନ ଆଉ ରସସିକ୍ତ ହୋଇପାରନ୍ତା! ଏଇ ଦେଖୁନ, ପ୍ରତି ବାସ୍ତବର ଚିତ୍ର ଚରିତ୍ର ଭିତରେ ଆମେ କେମିତି କଳ୍ପନାର ଛବି ଯୋଡ଼ି ତାରି ଭାବଧାରା ଭିତରେ ହଜିଯାଉଛେ ଘଣ୍ଟା ଘଣ୍ଟା ସମୟ। ଚିତ୍ତ ଓ ହୃଦୟ ସ୍ୱଚ୍ଛ, ନିର୍ମଳ ଓ ପ୍ରଫୁଲ୍ଲ ନ ରହିଲେ ପ୍ରକୃତିର ସ୍ୱର୍ଗୀୟ ସୁଷମା ମଧ୍ୟ କୋଳାହଳମୟ, ବିଶୃଙ୍ଖଳିତ ମନେ ହୁଏ। ଜୀବନର ପ୍ରକୃତ ସ୍ୱାଦ ଠାରୁ ଦୂରେଇ ଯାଏ ମଣିଷ।


ଚକ୍ଷୁରେ ଅଶେଷ ପ୍ରେମର ଫଲ୍ଗୁ ଖେଳାଇ ନୀଳିମା ଏକ ଲୟରେ କିଛି ସମୟ ଚାହିଁ ରହେ ସାଗରକୁ। ସାଗରକୁ ପାଇ ସେ ଧନ୍ୟ। ମନ, ପ୍ରାଣ ଦେଇ ଭଲ ପାଉଥିବା ତା ପ୍ରେମର ଗଭୀରତାକୁ ଉପଲବ୍ଧି କରି ସାଗର ପ୍ରତି ତାର ମଥା ସମ୍ମାନ ଓ ଭକ୍ତିରେ ନଇଁ ଆସେ। ଭାବେ, ଏ ଧରାରେ ଯେତେ ଥର ଜନ୍ମ ନେଲେ ବି ତାର ଅବଶୋଷ ରହିବ ନାହିଁ ଯଦି ପ୍ରତି ଜନ୍ମରେ ସାଗର ତାର ଜୀବନସାଥୀ ହୋଇ ତାର ପାଖେ ପାଖେ ରହେ। ସାଗରର ସାନ୍ନିଧ୍ୟରେ ନର୍କ ବି ତାକୁ ସ୍ୱର୍ଗ ମନେ ହୁଏ। ଆନ ସ୍ୱର୍ଗସୁଖ ତା ପାଇଁ ଅଲୋଡ଼ା, ଅନାବଶ୍ୟକ।


- ମା, ନୀଳିମା, ନେ ଏ ଟାବ୍.ଲେଟ୍ ଖାଇଦେ। ଆଁ କଲୁ ପାଟିଟା। ଏଁ, ଏ କଣ? ତୋ ଆଖିରେ ଲୁହ? ପୁଣି କାନ୍ଦୁଛୁ? ତୁ ଏମିତି ଯଦି ଲୁହ ଗଡ଼େଇ ବସିବୁ, ମୁଁ ଆଉ ସାଗରକୁ ସମ୍ଭାଳି ପାରିବି ନାହିଁ। ତମେ ଦୁଇଜଣ ଏମିତି ଲୁହ ଗଡ଼ାଉଥାଅ ଆଉ ନିଜ ନିଜ ଜୀବନକୁ ନର୍କ କରିଦିଅ, ମୁଁ ଆଉ କିଛି କହିବି କାହିଁକି? ତୁ କଣ ଜାଣୁନା, ତୋର ନିରସ ମୁହଁ ଦେଖିଲେ ସେ କେବେ ମଧ୍ୟ ରାଜି ହେବ ନାହିଁ ଦ୍ୱିତୀୟ ପତ୍ନୀ ଗ୍ରହଣ କରିବା ପାଇଁ। ତାକୁ ନିହାତି ଲାଗିବ, ସେ ଆଉ ଜଣକୁ ତା ଜୀବନକୁ ଆଣି ତୋ ପ୍ରତି ଅନ୍ୟାୟ କରୁଛି। ତୋର ଯଦି ସାଗରକୁ ତିଳେ ବି ନିଜ ପାଖରୁ ଅଲଗା କରିବାକୁ ଇଚ୍ଛା ନାହିଁ, ତାହେଲେ ଜିଦ୍ କାହିଁକି ଧରୁଛୁ ସେ ପୁଣି ଆଉ ଗୋଟେ ବିବାହ କରୁ? ମୁଁ ଏବେ ହିଁ ଫୋନ୍ କରି କହିଦେବି, ତୋର ମନ ବଦଳିଛି ବୋଲି।

ଶାଶୁ ହାରାଦେବୀଙ୍କ କଥା ଶୁଣି ନୀଳିମା ବଡ଼ କଷ୍ଟରେ ଓଠ ଥରାଇ ଥଙ୍ଗେଇ ଥଙ୍ଗେଇ କହିଲା, ନା, ମୁଁ ଆଉ କାନ୍ଦିବିନି ମାଆ। ତମେ ତାଙ୍କୁ କିଛି କୁହ ନାହିଁ।


- ସୁନାବୋହୁ ମୋର, ନେ ଏ ଟାବ୍.ଲେଟ୍.ଟା ଖାଇ ନେ। ସାବାସ୍। ସାଗର ଆଗରେ ସବୁବେଳେ ହସିକି କଥା ହେବୁ। ଭଗବାନ ନାରୀକୁ ଯେତିକି ଧୈର୍ଯ୍ୟ ଓ ସାହସ ଦେଇଛନ୍ତି ଯାତନା ସହ୍ୟ କରିବାକୁ, ପୁରୁଷର ଧୈର୍ଯ୍ୟ ଓ ସହନଶକ୍ତି ତା ଆଗରେ ତୁଚ୍ଛ। ସେଇଥିପାଇଁ ତ ଘରସଂସାର ଓ ପରିବାର ତିଷ୍ଠେ ନାରୀର ତ୍ୟାଗ ଓ ବଳିଦାନ ଉପରେ। ତୋର କାଲିର ଜିଦ୍ ଆଗରେ ସେ ମୌନ ରହିଛି ଅର୍ଥ ସେ ଆଜି ଲଳିତାକୁ ଭେଟିବାକୁ ନିଶ୍ଚୟ ଯାଇଥିବ। ତୁ ଚାହିଁଲେ ହିଁ ଏ ବଂଶ ଆଗକୁ ବଢ଼ିବ। ସାଗର ମୋର ଗୋଟିଏ ବୋଲି ପୁଅ। ସେ ଖାଲି ଥରେ ଲଳିତାକୁ ଦେଖି ରାଜି ହେଇଯାଉ। ତା କୋହଭରା ଉଦାସ ଚେହେରାକୁ ଚାହିଁ ବଞ୍ଚି ଥାଉ ଥାଉ କେଉଁ ମାଆ ଧୈର୍ଯ୍ୟ ଧରି ରହିପାରିବ କହିଲୁ? ମୁଁ ଏ.ସି.ଟା ଚାଲୁ କରିଦେଉଛି, ଆଖିମୁଦି ଶୋଇପଡ଼େ। ସଞ୍ଜବେଳେ ଆମ ପାଇଁ ନିଶ୍ଚୟ ଭଲ ଖବରଟେ ଥିବ। ଶାଶୁ ହାରାଦେବୀ ଚାଲିଗଲେ କକ୍ଷ ତ୍ୟାଗ କରି।


ନୀଳିମା ଆଖିରେ ନିଦ ନାହିଁ। ସେ ଚାହିଁଛି ଝରକା ସେ ପାଖେ। ଝରକା ଏ ପାଖେ ତା ଦୁନିଆଁ କେତେ ଛୋଟ ହୋଇଯାଇଛି। ଚାରିକାନ୍ଥ, କବାଟ ଓ ଝରକା ମଧ୍ୟରେ ସୀମିତ ହୋଇ ରହି ଯାଇଛି ତାର ଦୁନିଆଁ। ଝରକା ସେ ପାଖ ଦୁନିଆଁ ତା ପାଇଁ ଅପହଞ୍ଚ। ସେ ଉଠି ଯାଇ ପାରିବ ନାହିଁ ଝରକା ପାଖକୁ। ସେ ଦେଖିପାରିବ ନାହିଁ ପ୍ରକୃତିର ସବୁଜ ବର୍ଣ୍ଣାଳୀ, ଆକାଶର ନୀଳିମା, ଦୂର ଦିଗନ୍ତର ଲାଲିମା, ଧୂସର ପାହାଡ଼ର ଅଙ୍କାବଙ୍କା ଭୌଗଳିକ ରେଖା। ସେ ଶୁଣିପାରିବ ନାହିଁ କୁହୁତାନର ମଧୁରତା, ମଧୁପର ଗୁଞ୍ଜରଣ, ଝରଣାର ଶାସ୍ୱତ ସଙ୍ଗୀତ, ସମୀରର ସିଁ ସିଁ ମନ ମତାଣିଆ ସ୍ୱନ। ସେ ଅନୁଭବ କରି ପାରିବନି ବଉଳ ଫୁଲର ବାସ୍ନା, ରଜନୀଗନ୍ଧାର ମହକ, ଆଉ ଭିଜାମାଟି ଗନ୍ଧର ମାଦକତା। ସବୁ କିଛି ଅପହଞ୍ଚ ତା ପାଇଁ। ଏକ କାର୍ ଦୁର୍ଘଟଣାରେ ସେ ଆଜି ପକ୍ଷାଘାତ ରୋଗରେ ଆକ୍ରାନ୍ତ। ସାଗରର ଅକ୍ଳାନ୍ତ ଚେଷ୍ଟା ଓ ଲକ୍ଷ ଲକ୍ଷ ଟଙ୍କା ପାଣି ପରି ଖର୍ଚ୍ଚ କରିବା ସତ୍ତ୍ୱେ ସେ ଆଜି ପଙ୍ଗୁ, ଅକର୍ମଣ୍ୟା। ସାଗରର ଦୁନିଆଁକୁ ସେ କରିଦେଇଛି ରଙ୍ଗହୀନ, ଶୁଷ୍କ, ମାଧୁର୍ଯ୍ୟରହିତ। ତଥାପି ସାଗର ହସେ। ବେଦନାସିକ୍ତ ହସ। ବୋଧେ ନୀଳିମାର ହୃଦୟକୁ ବେଦନାରହିତ କରିବାକୁ! କେତେଦିନ ସେ ଦେଖିଥାନ୍ତା ତାଙ୍କର ସେ ହସ ତଳର ଲୁକ୍କାୟିତ ଯନ୍ତ୍ରଣାକୁ। ଆଖି କୋଣରୁ ଉକୁଟି ଆସିବାକୁ ଉଦ୍ୟମରତ ଅଶ୍ରୁକୁ। ତା ପାଇଁ ଅନବରତ ଖିନ୍ ଭିନ୍ ହୋଇ ଯାଉଥିବା ବକ୍ଷତଳର କଲିଜାଟିକୁ। ସାଗର କଣ ଭାବୁଛି, ସେ କିଛି ବୁଝି ପାରୁନାହିଁ? ସେଇଥିପାଇଁ ତ ସେ ଜିଦ୍ ଧରିଛି, ସାଗର ପୁନର୍ବିବାହ କରୁ। ତା ପରି ଗୋଟେ ପଙ୍ଗୁ ସହ ଜୀବନ କଟାଇ ଯନ୍ତ୍ରଣା ଛଡ଼ା ଆଉ କଣ ବା ମିଳିବ ସାଗରକୁ? ସବୁଥର ତା କଥାକୁ ହସି ଉଡାଇ ଦେଉଥିବା ସାଗର ଏଥର କିନ୍ତୁ ତା ଯୁକ୍ତି ଆଗରେ ହାର ମାନିଛି, ମୌନ ରହିଛି। ଲଳିତା ହେବ ତା ସାଗରର ଅର୍ଦ୍ଧାଙ୍ଗୀନୀ। ଖାଁ ଖାଁ ଶୋକାକୁଳ ମନେ ହେଉଥିବା ଏ ଘର ପିଲାଛୁଆଙ୍କ ହସଖୁସିରେ ଉଠିବ ପଡ଼ିବ। ଶାଶୁଙ୍କ ଓଠଫାଙ୍କରେ ହସ ଉକୁଟିବ। ସେ ମଧ୍ୟ କଣ କମ୍ ଖୁସି ହେବ ସାଗରର ଖୁସିରେ!


ଜିପ୍ ର ଶବ୍ଦ ଶୁଭିଲା। ସାଗର ଫେରିଛି ବୋଧେ। ଏଇତ, ମୁହଁରେ ତାର ସଦା ଲାଗି ରହିଥିବା ମୁଚୁକୁନ୍ଦିଆ ହସ। ଲଳିତା ନିଶ୍ଚିତ ଭାବରେ ହଁ ଭରିଛି। ସାଗର ଲାଗି ଆସିଲା ନୀଳିମାର ଶଯ୍ୟା ପାଖକୁ। କପାଳରେ ଆଙ୍କି ଦେଲା ଗାଢ଼ ଏକ ଚୁମ୍ବନ। ନୀଳିମା କାହିଁକି ବା ମନା କରିବ? ଏ ହୁଏତ ସାଗରର ତା ପାଇଁ ଶେଷ ଚୁମ୍ବନ। ସାଗର ନୀଳିମାକୁ ଧରି ଉଠାଇବାକୁ ଚେଷ୍ଟା କଲା। ଉଠାଇନେଲା ଦୁଇ ହାତରେ।

- ହାଃ ହାଃ, ଦେଖ ତମ ପାଇଁ କଣ ଆଣିଛି?

ବାରଣ୍ଡାରେ ଥୁଆ ହୋଇଛି ହ୍ୱୀଲ୍ ଚେୟାର୍.ଟିଏ। ସାଗର ନୀଳିମାକୁ ନେଇ ବସାଇଦେଲା ସେଥିରେ। ତାପରେ ପଛରୁ ହ୍ୟାଣ୍ଡଲ୍ ଧରି ଠେଲି ଠେଲି ଲନ୍ ଭିତରେ ଘୁରି ଚାଲିଲା ଅଦମ୍ୟ ଉତ୍ସାହର ସହ ।


- ଜାଣ, ଆର ସପ୍ତାହରେ ଭୁବନେଶ୍ୱର ଆସୁଛନ୍ତି ପ୍ରଖ୍ୟାତ ରାଷିୟାନ୍ ନ୍ୟୁରୋଲୋଜିଷ୍ଟ୍ ଡଃ ଚେକୋଭ୍। ରେକର୍ଡ୍ ଅଛି, ତାଙ୍କ ହାତ ବାଜି ଶତକଡ଼ା ଅଶୀ ଭାଗ ପାରାଲିସିସ୍ ପେସେଣ୍ଟ୍ ଆରୋଗ୍ୟ ଲାଭ କରି ସାରିଛନ୍ତି। ମୁଁ ଅନେକ ଦିନରୁ ଚେଷ୍ଟାରତ ଥିଲି ତାଙ୍କୁ ଭାରତ ଆଣିବା ପାଇଁ। ଏତେ ଦିନକେ ମୋର ପ୍ରୟାସ ସଫଳ ହୋଇଛି। ତା ସହିତ ସେହି ଏକା ଦିନରେ ଦିଲ୍ଲୀରୁ ଆସୁଛନ୍ତି ଫିଜିଓଥେରାପିଷ୍ଟ୍ ଡଃ ବଙ୍ଗୋପଧ୍ୟାୟ।

- ତାହେଲେ ତମେ ଯାଇନାହଁ ଲଳିତାକୁ ଭେଟିବାକୁ? ରହି ରହି ପଚାରିଲା ନୀଳିମା।

- ଆଛା, ତମକୁ ଗୋଟେ କଥା ପଚାରିବି, ସତ କହିବ।

ନୀଳିମା ସମ୍ମତି ଅର୍ଥରେ ମୁଣ୍ଡ ଟୁଙ୍ଗାରିଲା।

- ସେଦିନ ମୁଁ ମଧ୍ୟ ଥିଲି ସେ କାର୍.ରେ ଡ୍ରାଇଭିଂ ସିଟ୍.ରେ। ଧରିନିଅ, ସେ ଦୁର୍ଘଟଣାରେ ତମର କିଛି ନ ହୋଇ ମୋର ସ୍ପାଇନାଲ୍ କର୍ଡ୍ ଡ୍ୟାମେଜ୍ ହେଇ ଯାଇଥାନ୍ତା। ତମେ ଭଲ ଥାଇ ମୁଁ ଏମିତି ତମ ଭଳି ଶଯ୍ୟାରେ ହାତଗୋଡ଼ ନ ହଲାଇ ପଡ଼ି ରହିଥାନ୍ତି, କଣ କରିଥାନ୍ତ ତମେ? ଆଉ କାହାକୁ ବାହା ହୋଇ ମୋତେ ଛାଡ଼ି ଚାଲି ଯାଆନ୍ତ? ତମେ କଣ ଭାବୁଛ ସେବା ଓ ତ୍ୟାଗ ଉପରେ କେବଳ ନାରୀମାନଙ୍କର ହିଁ ଏକଚାଟିଆ ଅଧିକାର? କେଉଁ ଗ୍ରନ୍ଥରେ ଲେଖା ହୋଇଛି ଜଣେ ପତ୍ନି ହିଁ କେବଳ ପତିର ସେବା କରି ପାରିବ, ଅପରଟି ଉଚିତ ନୁହଁ ବୋଲି? ଆଉ ଯଦି ବି ଲେଖାଥାଏ, ସେ ଗ୍ରନ୍ଥ ପ୍ରତି ମୋର ଏତେ ଟିକିଏ ମଧ୍ୟ ଶ୍ରଦ୍ଧା କି ସମ୍ମାନ ନାହିଁ। ଟିକିଏ ରହି ଯାଇ ସାଗର ନୀଳିମା ଆଗକୁ ଆସିଲା। ତାର ଦୁଇ ହାତରେ ନୀଳିମାର ମୁହଁକୁ ତୋଳି ଧରି କହିଲା, ନୀଳିମା, ଏ ସାଗର କଣ ତୁମ ବିନା ବଞ୍ଚିପାରିବ? ନୀଳିମା ଯେ ସାଗରର ବିନ୍ଦୁ ବିନ୍ଦୁରେ, ଅଣୁ ଅଣୁରେ ସମାହିତ। ସାଗରର ବିସ୍ତୃତି ନୀଳିମାର ପରିପ୍ରକାଶ ବିନା ଅନନୁମେୟ। ନୀଳିମା ବିନା ସାଗରର ଅସ୍ତିତ୍ୱ କାହିଁ?

ନୀଳିମା ଅପଲକ ଚାହିଁଥିଲା ସାଗରକୁ। ତାର ଆଖିକୋଣରୁ ଝରି ଆସୁଥିଲା ବୁନ୍ଦା ବୁନ୍ଦା ଅଶ୍ରୁ। ହେଲେ ତଳେ ପଡ଼ିବା ପୂର୍ବରୁ ତୋଳି ନେଲା ସାଗର। କହିଲା, ମୋଟେ ନୁହେଁ, ତମେ ଯଦି ଆଉ ଗୋଟିଏ ବୁନ୍ଦା ବି ଅଶ୍ରୁ ଢ଼ାଳ ତାହେଲେ ମୁଁ ସେ ଲଳିତା ପାଖକୁ ଚାଲିଯିବି। ନୀଳିମା ଫିକ୍ କରି ହସିଦେଲା।

ଦୂରରୁ ହାରାଦେବୀ ନିଜ ପଣତକାନୀରେ ଲୁହ ପୋଛୁଥିଲେ।


Rate this content
Log in

Similar oriya story from Tragedy