ଝୋଟି ପଞ୍ଚକର
ଝୋଟି ପଞ୍ଚକର


ଆଈ ଦୁଇ ଦିନ ହେଲା ସବୁ ସରଞ୍ଜାମର ବ୍ୟବସ୍ଥା କରିବାରେ ଲାଗିଛି I କାର୍ତ୍ତିକ ସରିବ, ମାର୍ଗଶିର ମାସ ଆସିବ I ତାହାର ସାଙ୍ଗ ସବୁ ଏଥର ମଧ୍ୟ ପୁରୀ ଯାଇଛନ୍ତି କାର୍ତ୍ତିକ ମାସରେ ହବିଷ କରିବାକୁ I ଅଜା ଥିବା ସମୟରେ ଆଈ ଯାଇଥିଲା ବର୍ଷଟିଏ କାର୍ତ୍ତିକ କରିବାକୁ I
ଆଉ କେବେ ଇଛା କରିନି ଯିବା ଲାଗି I କେଜାଣି କେମିତି ନିଜକୁ ନିଜର ଗାଈ, ଘର . ସଂସାର ଭିତରେ ହଜେଇଦିଏ I ସକାଳୁ ଉଠି ଏମିତି ମଧ୍ୟ ନିତି ଲିପା ପୋଛା, ରୋଷେଇ ବାସ ଆଉ ଗାଈ ସେବା ତାହାର ଚାଲିଥାଏ ଘଡ଼ିର କଣ୍ଟା ସହିତ ତାଳ ମିଶେଇ I ଘର କାମ ସାରି, ରୋଷେଇ କରିଥିବା ଅନ୍ନ ନେଇ ମନ୍ଦିରରେ ଭଗବାନଙ୍କୁ ଅର୍ପଣ କରି ଖାଏ I ପୂରାଣ ପଢେ ଆଉ ପରେ ନିଜର ବାଡ଼ି ଆଡେ ଲାଗିଥାଏ ସଞ୍ଜ ଯାଏଁ I କାର୍ତ୍ତିକ ମାସରେ କେବଳ ଟିକିଏ ବଦଳେ ତାହାର ରୋଷେଇ, ମୁଗ ଡାଲିରେ ଅଗସ୍ତି ଶାଗ କିଛି ମିଶେ, କଞ୍ଚା କଦଳୀ ଆଉ କନ୍ଦମୂଳ ସହ I ଆଉ ଗୋଟିଏ ଜିନିଷ ବଦଳେ ତାହା ହେଲା ଅଗଣାର ଝୋଟି I ପଞ୍ଚୁ ବର୍ଣ୍ଣର ମୁରୁଜରେ ଆଈ ଆଙ୍କି ଚାଲି ଥାଏ ଝୋଟି I ପଞ୍ଚକ ପାଞ୍ଚ ଦିନ ଆଈର ନିଷ୍ଠା ଆଉ ଟିକିଏ ବଢି ଯାଏ I ଘରେ ନିଜେ ତିଆରି କରିଥିବା ଘିଅ ଦୀପଟିଏ ଜାଳି ଦିଏ ଚଉଁରା ମୂଳେ I କାର୍ତ୍ତିକ ପୂର୍ଣ୍ଣିମା ବାସି ଦିନ ତାହାର ପ୍ରିୟ ସାଙ୍ଗ ରୁକ୍ମିଣୀ ଫେରିବେ ସବୁ ବର୍ଷ ଭଳି ଆଉ ତାଙ୍କ ପାଇଁ ଆଣିଥିବେ ଜଗନାଥଙ୍କ ଅବଢ଼ା ଟିକିଏ I
ସେ ମହାଲକ୍ଷ୍ମୀ ଆସନ୍ତୁ କି ନ ଆସନ୍ତୁ ମାର୍ଗଶିର ମାସର ପ୍ରଥମ ଦିନରେ, ରୁକ୍ମିଣୀ ଆଈ ନିଶ୍ଚୟ ଆସନ୍ତି ଅବଢ଼ା ନେଇକି I ଆଈଙ୍କର ଝୋଟି ଦେଖନ୍ତି ସିଏ ଆଉ ବହୁତ ସମୟ ଗପ କରନ୍ତି I ତାଙ୍କୁ ଝୋଟି ଦେଇ ଆସେନି କିନ୍ତୁ ଝୋଟି ବହୁତ ଭଲ ପାଆନ୍ତି I ତାଙ୍କର ନିଜ ବୋହୁ ଦୁଇଜଣ ଆଧୁନିକ ବିଚାରର, ଚାକିରୀ କରିଛନ୍ତି ପଇସା ଆଣୁଛନ୍ତି ତେଣୁ ପରିବାରର ସମସ୍ତେ ଚୁପ I ପଇସା ତ ଆସୁଛି ସେ ଅଗଣାରେ ଝୋଟି ଦେଲେ କେତେ ନ ଦେଲେ କେତେ? କିନ୍ତୁ ରୁକ୍ମିଣୀ ଆଈ ଝୋଟି ଟିକିଏ ପାଇଁ ବ୍ୟାକୁଳ ହୁଅନ୍ତି I ମାର୍ଗଶିର ବୁଧବାର ସଞ୍ଜରେ ଆଈ ଯାଇ ପକେଇ ଦିଏ ଗୋଟିଏ ଦିଟା ଝୋଟି ତାଙ୍କ ଘରେ I
ପଞ୍ଚକରେ ଶେଷରେ ପୂର୍ଣ୍ଣମୀ ପାଇଁ ଆଈ ବୋଇତ ବନ୍ଦାଣ ପାଇଁ ସରଞ୍ଜାମ ଯୋଗାଡ଼ କରିକି ରଖେ ପଞ୍ଚକ ଆରମ୍ଭ ହେବ ମାତ୍ରକେ I ସଞ୍ଜ ନଇଁ ଆସିଲାଣି, ପାହାନ୍ତରେ ଉଠିକି ଆଈ ପୋଖରୀକୁ ଯାଇ ବୋଇତ ଭସେଇ ଆସି ସାରିଛି I
ଚଉଁରା ଚାରି ପାଖେ ଅଗଣାରେ ଝୋଟି ଦେଇଛି ଆଉ ସପଟିଏ ପକେଇଛି I ସକାଳୁ ରୁକ୍ମିଣୀ ଆଈ ଆସିବେ ଅବଢ଼ା ନେଇକି ଆଉ ଯଦି ଡେରି ହେଲା ସାଙ୍ଗରେ ଯାଇଥିବା କାହା ହାତରେ ପଠେଇ ଦେଇ ଦିପହରରେ ଆସି ବସିବେ I ଦୀପଟିଏ ଚଉଁରା ମୂଳରେ ଦେଇ ଆଈ ବସିଗଲା ସପଟି ଉପରେ I ପଞ୍ଚକର ପୁଣ୍ୟ ମିଳୁ କି ନ ମିଳୁ, ରୁକ୍ମିଣୀ ଆଈଙ୍କ କଥା ଭାବି ବହୁତ ଖୁସି I ତାହାର ସବୁ ସାଙ୍ଗ ମାନେ ଆର ପାରିକୁ ଚାଲି ଗଲେଣି ଜଣେ ଦୁଇ ଜଣଙ୍କୁ ଛାଡି ଦେଲେ ଆଉ ତେଣୁ ରୁକ୍ମିଣୀ ଆଈ ହେଲେ ସବୁଠାରୁ ଘନିଷ୍ଠ I ତାହାର ମନ କଥା ବୁଝିଲା ଭଳି ଆଉ କେହି ନାହିଁ ରୁକ୍ମିଣୀ ଆଈଙ୍କ ବ୍ୟତୀତ I କେତେ ବେଳେ ଆଈର ଆଖି ପତା ପଡ଼ିଛି ଜଣା ନାହିଁ I କିଛି ଗୋଟାଏ ଶବ୍ଦ ଶୁଣିକି ଚମକି ଆଈ ଆଖି ଖୋଲିଦେଲା ବେଳକୁ ସାମ୍ନାରେ ପଡିଶା ଘର ବିରାଡ଼ି ଚଉଁରାର ଦୀପଟିକୁ ଓଲଟେଇ ଦେଇଛି I ଧଡପଡ ହୋଇ ଦୌଡିଲା ବେଳକୁ ଆଈର ପାଦରେ ଘଷି ହେଇଗଲା ତାହାର ପ୍ରିୟ ଝୋଟିଟିକ I ସ୍ତବ୍ଧ ହୋଇ ଠିଆ ହେଇଗଲା ଆଈ I ଏମିତି ତ ଆଗରୁ କେବେ ହେଇ ନଥିଲା I ମନକୁ ପାପ ଛୁଇଁଲା ତାହାର I ମନେ ପଡ଼ିଗଲା ଅଜା ଚାଲି ଯାଇଥିବା ବର୍ଷ ଦୀପଟି ଲିଭି ଯାଇଥିଲା ଏମିତି କାର୍ତ୍ତିକ ମାସରେ I
ତଳକୁ ଚାହିଁଲା ଆଈ I ତାହାର ସାଙ୍ଗ ପାଇଁ ଆଙ୍କିଥିବା ଝୋଟିଟି ପୁରା ନଷ୍ଟ ହେଇ ଯାଇଛି I ଆଖିରୁ ଦୁଇ ଧାରା ଲୁହ ଗଡ଼ିଗଲା ଆଈର I ଦୁଲ କିନା ବସିଗଲା ଚଉଁରାକୁ ଆଉଜି ଆଉ ଚାହିଁବାକୁ ଲାଗିଲା ଆକାଶକୁ I ପାଖ ମନ୍ଦିରରେ ଥିବା ଆକାଶଦୀପ ଆଉ ଟିକେ ପରେ ଉପରକୁ ତୋଳା ହେବ ମନ୍ଦିରର ଆଳତି ସରିଲା ପରେ I ମନ୍ଦିରର ଘଣ୍ଟି ଶବ୍ଦ ଶୁଣ ଗଲାଣି I ଆଖି ବୁଜି ଦେଲା ଆଈ ଆଉ ରାମ ନାମ ହରି ନାମ ନେବାକୁ ଲାଗିଲା I
ବୁଲୁ ସବୁ ଦେଖୁଥାଏ ବସିକି ଅଗଣାର ଗୋଟିଏ କୋଣରେ I ମାମୁଁ ତାଗିଦ କରିକି ଯାଇଛନ୍ତି, ଏ ବର୍ଷ ଦଶମ ପରୀକ୍ଷା, ତେଣୁ ସିଏ ନ ଫେରିଲା ଯାଏଁ ସେ ଘୁଞ୍ଚିବ ନାହିଁ ପଢ଼ା ସ୍ଥାନରୁ I
ସେଲ ଫୋନରେ କଲ ଦେଖିକି ହ୍ୟାଲୋ କହିଲା ବୁଲୁ I
ମାମୁଁଙ୍କ ପାଟି ଶୁଭିଲା ଆର ପଟରୁ I
" ମୁଁ ଆସୁଛି ଅଧା ଘଣ୍ଟାରେ I ପଢ଼ା ଚଳେଇଥିବୁ I ରୁକ୍ମିଣୀ ମାଉସୀଙ୍କର ଆଜି ପୁରୀରେ ଇହ ଲୀଳା ସମାପ୍ତ ହୋଇ ସାରିଛି," କାଲି ବୋଉ ଲାଗି କିଏ ଅବଢ଼ା ନେଇ ଆସିବା ମୁଁ ସେ କଥା ବୁଝିକି ଆସୁଛି I ବୋଉ କଣ କରୁଛି ?"
"ଜେଜେମା ତ ଚଉଁରାକୁ ଆଉଜି ବସିଛନ୍ତି, ଆଖି ବୁଝିକି ଦଶ ମିନିଟ ହେଲା," ବୁଲୁ କହିଲା I
" କଣ ହେଲା? ବୋଉ ତ କେବେ ଚାଉଁରକୁ ଆଉଜି ବସେ ନାହିଁ, ସପରେ ବସେ I ଦେଖିଲୁ ଟିକେ ପାଖକୁ ଯାଇ I ଫୋନ ଦେ ବୋଉକୁ ," ମାମୁଁ କହିଲେ I
ଚାଲିଗଲା ବୁଲୁ ଚଉଁରା ମୂଳକୁ ଆଉ ଆଈଙ୍କୁ ଧରାଇବାକୁ ଫୋନ ହାତଟି ବଢ଼େଇଲା I ଢଳି ପଡିଲା ଆଈ ତାହାର ହାତ ବାଜି ତଳେ I
"ବାପା ଜେଜେମା କିଛି କହୁନାହାନ୍ତି ଇI ଟଳି ପଡିଲେ ତଳକୁ," ବୁଲୁ କହିଲା I
"ଓଃ ମାଇ ଗଡ଼,ତୋ ବୋଉ କୁ ଡାକି ଆଣେ ଯୋଉଠି ବି ଅଛି, ମୁଁ ଆସୁଛି ଏଇନେ I " ଦୌଡ଼ି ଗଲା ବୁଲୁ ଘର ଭିତରକୁ I ପାଖ ମନ୍ଦିରର ଆକାଶଦୀପ ଉଠିବାକୁ ଲାଗିଥିଲା ଶେଷ ଥର ପାଇଁ ଉପରକୁ ମିଞ୍ଜି ମିଞ୍ଜି ହୋଇ ଜଳୁଥିଲା କାର୍ତ୍ତିକ ମାସର ଅନ୍ଧାରରେ I
ସେ ବର୍ଷ ପରେ ମାମୁଁ ମନା କରିଛନ୍ତି ଘରେ ଆଉ କେହି ପଞ୍ଚକ କରିବେନି I ଏବେ ମଧ୍ୟ ବୁଲୁ କହେ ବେଳେ ବେଳେ ସେ ଘଟାଣାଟିକୁ ମୋତେ, ମୁଁ ଯେତେ ବେଳେ ମନେ ପକାଏ ଆଈର ପଞ୍ଚକ ଝୋଟି କଥା !