ଜହ୍ନର ଠିକଣା
ଜହ୍ନର ଠିକଣା


ଯେତେଦିନ ଜହ୍ନ ଆକାଶରେ ଦେଖାଯାଏ, ସେତେଦିନ ଆମ ଘରେ ସାରା ରାତି ଆଲୁଅ ପଡେ।
ଅନ୍ୟ ଦିନେ ମା କେବଳ ନିହାତି ଦରକାର ବେଳେ ଡିବିରି ଲଗାଏ।
ଦି ବଖରା ଘର ଇଟାର।ପ୍ଲାଷ୍ଟର୍ ହୋଇନାହିଁ ଏଯାଏ।ତାକୁ ଲଗେଇ ପାଚିରୀ ଉଠିଛି।ପାଚିରୀ ଗୋଟିଏ ମୁଣ୍ଡକୁ ଆଜ୍ ବେଷ୍ଟର ରୋଷେଇ ଘରଟିଏ।ସେଇଠି ମା ଗୋଟାଇ ଗାଟେଇ ଆଣି ଜାଳ ଭର୍ତ୍ତୀ କରିଛି।। ଘର ଓ ପାଚିରୀ ଭିତରେ ଅଗଣା। ଜହ୍ନ ରାତି ହେଲେ ଅଗଣା ଭିତରେ ମୋ ଭାଇ ମୁଁ ଖୁବ୍ ଖେଳୁ।ଜହ୍ନ ଆଲୁଅରେ ଆମ ଅଗଣା ସଫା ଦେଖାଯାଏ।କିନ୍ତୁ ଅନ୍ଧାର ରାତିରେ ଘର ଭିତରେ ରହୁ।ଡର ଲାଗେ।
ଦିନେ ନଳା ମୁହଁ ପଟେ ସାପଟିଏ ଆସିଥିଲା ଅଗଣାକୁ ଚାଲି।ମା ଗୋଡ଼ ପଡି ଯାଇଥାନ୍ତା।ଅଳ୍ପକେ ରକ୍ଷା ପାଇଗଲା। ସେଇଦିନୁ ଅନ୍ଧାର ହେଲେ ଆମେ ଭାଇ ଭଉଣୀ ଦିଟା ଘରୁ ବାହାରୁ ନାହିଁ।
ମା ଦିନ ଥାଉ ରୋଷେଇ କରିଦିଏ।ଆମକୁ ଅ ଆ ଏକ ଦୁଇ ପଢେଇ ଦିଏ।ମୋର ଏବର୍ଷ ସ୍କୁଲରେ ନାଁ ଲେଖା ହୋଇଛି।ମୋ ଭଉଣୀ ଅଙ୍ଗନ ବାଡ଼ିରେ ପଢେ।ମୁଁ ସ୍କୁଲ ମାଡ଼ିନି ଏଯାଏ କରୋନା ପାଇଁ। କିନ୍ତୁ ଅନେଇଁଛି ସ୍କୁଲ ଖୋଲିଲେ ଡାଲି ଭାତ ଖାଇବି,କେତେ ପିଲାଙ୍କସହ ସାଙ୍ଗ ହେବି।ସାର୍ ଙ୍କୁ ବି ଗୋଟେ କଥା ପଚାରିବି।ମା କୁ ପଚାରିଲେ ସେ ଖାଲି ହସେ।ଚଉରା ମୂଳେ ସଞ୍ଜ ଦେଲା ପରେ ଆମେ କାଵଟ ଦେଇ ଘରେ ଅପେକ୍ଷା କରୁ ବାପାଙ୍କୁ।
ବାପା ଏବେ ସବୁବେଳେ ଖୁଁ ଖୁଁ ହୁଅନ୍ତି।ବିଡ଼ି ପିଅନ୍ତି ବୋଲି ମା ରାଗେ।ବାପା କିନ୍ତୁ ମା ଙ୍କ କଥା ଶୁଣନ୍ତି ନାହିଁ।ଏବେ କାମ ନାହିଁ।ବାପା ଘରେ ମା ଉପରେ ସବୁବେଳେ ଗେରେ ଗେରେ ହୁଅନ୍ତି।ଛଅ ମାସ ହେଲାଣି।ସିନେମା ଘର ବନ୍ଦ।ସିନେମା ଘର ଆଗରେ ବାପା ମଟର, ବୁଟ ଓ ବାଦାମ ବିକିଲେ ଆମ ପେଟକୁ ଭାତ ଯାଏ।
ବର୍ତ୍ତମାନ କରୋନା ପାଇଁ ଏ ସବୁ ବନ୍ଦ।ଆମ ଘରେ ଖୁସି ବି ବନ୍ଦ।ମାର ଯେତିକି ଗହଣା କି ଘର ବାସନ କୁସନ ଥିଲା; ସେଥିରୁ ଗୋଟିଏ ଗୋଟିଏ ବନ୍ଧା ପକେଇ ଭାତ ଲୁଣରେ ଚଳୁଛୁ।ଗୋଟିଏ କି ଦିଟା ଆଳୁରେ ଦି ତିନିଟି ଲଙ୍କା ,ରସୁଣ ଦଳି ରାଗୁଆ ରାଗୁଆ ମା ଚକଟି ଦିଏ ପାଣି ପକେଇ।ଜେଜେ ଓ ଜେଜେମା ଠାରୁ ଆରମ୍ଭ କରି ଆମେ ସମସ୍ତେ ସେଇ ଆଳୁ ଚକଟା ପାଣି ଲଗେଇ ଗାଧୁଆ ବେଳେ ଥରେ ଲେଖାଏଁ ଭାତ ଖାଉ।ଅନ୍ୟ ବେଳେ ଚା ରେ ମୁଠାଏ ଲେଖା ଚୁଡା ଭସେଇ ପିଉ।
ଏବେ କିନ୍ତୁ ବର୍ଷା ହେବାରୁ ମା ଆମ ଛୋଟିଆ ବାଡିରେ ଶାଗ,କଖାରୁ, କାକୁଡି, ଭେଣ୍ଡି ଲଗାଇଛି।ଏବେ ଟିକେ ଟିକେ ଶାଗ ତରକାରୀ କି କଖାରୁ ,ଭେଣ୍ଡି ଭଜା ଭାତ ସାଙ୍ଗେ ମିଳୁଛି।ସଜନା ପତ୍ର ପାଣି ବି ଆମକୁ ଭଲ ଲାଗେ।ଭାତ ଗୋଳେଇ ଖାଇଲେ ଡାଲି ଗୋଳେଇ ଖାଇଲା ପରି ଲାଗେ।ଏବେ ସଜନା ଗଛରେ ସାଆଁବାଳୁଆ।ଏଣୁ ସଜନା ଶାଗ ପାଣି ବନ୍ଦ।
ମୋର ଖାଇବା ପିଇବା ଅପେକ୍ଷା ଆ ଲୁଅ ବେଶୀ ଲୋଡ଼ା। ଏବେ ଏତେ ଗରମ ହେଉଛି ଯେ ଦେହରୁ ପରସ୍ତ ଘିମିରି କାତି ଛାଡ଼ୁଛି ।
ଆମର ଲାଇନ୍ ଆସିଥିଲା।କିନ୍ତୁ ଇଲେକ୍ଟ୍ରିବିଲ ନ ଦେବାରୁ ବଢି ବଢି ଦଶ ହଜାର ଟଙ୍କା ହେଲା।ବାପା ଦେଇ ନ ପାରିବାରୁ ଲାଇନ୍ ମ୍ୟାନ୍ ଲାଇନ୍ କାଟି ଦେଇଛନ୍ତି।
ଏଣୁ ଆମେ ବହୁ କଷ୍ଟରେ ବିନା ଆଲୁଅରେ ଚଳୁଛୁ।ମୋ ପିଲା ମନ ଅଭାଵ,ଅନ୍ଧାର ଭିତରେ ବେଶୀ ବେଶୀ ଡରକୁଳା ହୋଇଯାଉଛି।
ଏ ମାସ ସାରା ଖାଲି ବର୍ଷା ପାଗ।ଦିନ ବି ଦିନେ ଦିନେ ଅନ୍ଧାରୁଆ ଦିଶୁଛି।ସୂର୍ଯ୍ୟ ଦେଖା ଯାଉ ନାହାଁନ୍ତି।ଏଇ ବର୍ଷା ମାସ ଗୁଡ଼ାକରେ ଜହ୍ନ ଖାଲି ଲୁଚ କାଳି ଖେଳେ।ବଉଦ ଭିତରେ ଲୁଚେ କାଳେ ବର୍ଷା ତାକୁ ଦେଖିଦେଵ ବୋଲି।
ମୋ ମାମୁଁ ପୁଅ ଦେବ ଭାଇ ଆସିଥିଲେ ଆମ ଘରକୁ।ସେ ହାଇସ୍କୁଲରେ ପଢିଲାଣି।ସେ ମାମୁଁ ଧରିଥିବା ଜୋର ମାଛ କିଛି ଆଣି ଆସିଥିଲା।ମା ବେଳା ବେଳି ରୋଷେଇ ସାରି ଦେଲା।ଆମେ ଖାଇଦେଇ ଦେବଭାଇ ସହ ଶୋଇଲୁ।ଦେବ ଭାଇ ଆମକୁ ବହୁତ ଗପ କହିଲେ।ସାରଙ୍କୁ ପଚାରିବି ବୋଲି ସାଇତି ରଖିଥିବା ପ୍ରଶ୍ନଟି ମୁଁ ଦେବ ଭାଇଙ୍କୁ ପଚାରିଲି।
ଆକାଶରେ କିଏ ସବୁ ଅଛନ୍ତି ଦେବ ଭାଇ ?
ସୁର୍ଯ୍ୟ,ଚନ୍ଦ୍ର,ଗ୍ରହ,ତାରା, ଗ୍ରହାଣୁ ପୁଞ୍ଜ ଓ ମହାଜାଗତିକ ବସ୍ତୁ।
ଆକାଶକୁ ତୁମେ ବାଟ ଜାଣିଛ?
ହଁ ଆମ ଲୋକେ ବା ମହାକାଶ ବିଷୟରେ ଜାଣିବା ପାଇଁ ଆକାଶକୁ ଯାଉଛନ୍ତି।
ମୁଁ ବି ଯାଇ ପାରିବି ?
ହଁ ବଡ଼ ହେଲେ ଓ ପାଠ ପଢିଲେ ତୁ ବି ଯାଇ ପାରିବୁ।
ଦେବ ଭାଇ ! ଆମ ଘରଠାରୁ ଜହ୍ନ ଘର କେତେ ଦୂର?
ଆମେ ଏଇ ଯେଉଁ ପୃଥିବୀରେ ରହୁଛେ, ଜହ୍ନ ତାରି ପାଖରେ।
ସତରେ ଆମ ପାଖରେ ଜହ୍ନ!
ଏମିତି କଥା ବାର୍ତ୍ତା ହୋଇ ଆମେ ଶୋଇ ପଡ଼ିଲୁ।ମୁଁ ଉଠିଲା ବେଳକୁ ଦେବ ଭାଇ ତାଙ୍କ ଘରକୁ ସକାଳୁ ସକାଳୁ ଚାଲି ଯାଇଥିଲେ।
ମୁଁ ଦାନ୍ତ ନ ଘଷି ବାରି ଆଡେ ଯାଇ କେତେ ଗୁଡିଏ ଡାଙ୍ଗ ଗୋଟେଇ ଶିଡି କରୁଥିଲି।
ମା ମୋତେ ଖୋଜି ଖୋଜି ଯାଇ ବାଡ଼ିରେ ଦେଖି ପଚାରିଲେ ଆରେ ଅଜୁ ! ଦାନ୍ତ ନ ଘଷି ଏଠି କଣ କରୁଛୁ?
ଶିଡି କରୁଛି ମା।
ଶିଡି କରୁଛୁ ! କିନ୍ତୁ କାହିଁକି ?
"ଜହ୍ନ ଠିକଣା" ପାଇ ଯାଇଛି ମା। ତାଙ୍କ ପାଖକୁ ଏଇ ଶିଡି ଲଗେଇ ଯିବି।ତାଙ୍କୁ କହିବି ସବୁଦିନେ ଆମ ଅଗଣା ଆଲୁଅ କରିବେ।ନଲେ ତାଙ୍କ ଲାଇଟି ଟା ଦେବେ ଆମକୁ।
ଅନ୍ଧାର ମୋତେ ଭଲ ଲାଗୁନାହିଁ ମା।
ମା ଆଖିରୁ ଗଳି ପଡ଼ିଲା ଲୁହ କେଇ ଟୋପା।