ଜହ୍ନ ପକ୍ଷ ରାତି
ଜହ୍ନ ପକ୍ଷ ରାତି
କେତେଦିନ ପରେ ରାଜୁ ଗାଁକୁ ଆସିଥିଲା ଆଜି l ପରିବାର କହିଲେ ତା ଜନ୍ମଦାତ୍ରୀ ମା ଓ ସେ l ଘରେ ମା'ଙ୍କ ସହ ଦିପଦ କଥା ହୋଇଛି କି ନାହିଁ ସାଙ୍ଗମାନଙ୍କ ଡାକରା l ଆରେ ରାଜୁ ଆସିକି କଣ ଘରେ ବସିଛୁ l ମା'ଙ୍କୁ କହି ବାହାରିଗଲି ସାଙ୍ଗ ମେଳେ l
ଗାଁ ଶେଷ ବରଗଛ ମୂଳେ ଜମେ ଆମ ଆସର l ଜଗା କହିଲା ଆରେ ପାଖ ଗାଁ ବାସୁଦେଇପୁରରେ ପାର୍ବଣ ପାଇଁ ନାଚ ଗୀତର ଆସର ଜମିଛି l ଆଜି ଚାଲ ସବୁସାଙ୍ଗ ବୁଲି ଯିବା ଆଉ ମଜା କରିବା l
ସନ୍ଧ୍ୟା ସମୟ ସମସ୍ତେ ଖଣ୍ଡିଏ ଖଣ୍ଡିଏ ସାଇକେଲ ନେଇ ବାହାରିଲେ l ମୁଁ ମାଧବର ସାଇକେଲରେ ଯାଇଥାଏ l ବୁଲାବୁଲି ମସଗୁଲ ସଭିଏଁ l କେତେବେଳେ ରାତ୍ରିର ଗୋଟିଏ ପ୍ରହର ସରିବାକୁ ବସିଲାଣି l ସାଙ୍ଗମାନଙ୍କୁ କହିଲି ଆରେ ଆସ ଫେରିଯିବା l ମାଧବ କହିଲା ରାଜୁ ରହ ଆଉ କେତେ ସମୟ ପରେ ମେଲୋଡି ଆରମ୍ଭ ହେବ ଦେଖିକି ଯିବା l ସମସ୍ତେ ହଁ ଭରିଲେ l ମୋ ମନ କିନ୍ତୁ ମାନୁ ନଥିଲା l ମା କିଛି କହିନି ଶେଷରେ ନିଶ୍ଚୟ କଲି ବାଟ ଚାରି କିଲୋମିଟର ଚାଲି ଚାଲି ଆସିଯିବି l
ସାଙ୍ଗ ମାନେ କିନ୍ତୁ ସଫା ମନାକଲେ l ମୁଁ କାହାକୁ ନ ଜଣାଇ ବାହାରି ପଡିଲି ଗାଁ ଅଭିମୁଖେ l
ଜହ୍ନ ପକ୍ଷ ରାତି ବାଟ ପୁରା ସ୍ୱଚ୍ଛ l ଧୀରେ ଧୀରେ ପାଦ ବଢ଼ାଉଥାଏ l କିଛି ବାଟ ଚାଲିଛି ଆସିଲା ନଦୀପଠା ମଶାଣି l ହଠାତ କେଉଁ ଅଜଣା ଭୟରେ ଥରିଉଠିଲା ମୋ ମନ l ମୁଁ ଯେ ଏକୁଟିଆ ଏ ରାତି ଅଧରେ ମସାଣି ଅତିକ୍ରମ କରୁଛି l ଦମ୍ଭ ମୋର କୁଆଡେ ହଜି ହଜିଗଲା ରାତ୍ରିଚର ମାନଙ୍କ ବିକଟାଳ ରଡିକୁ ଶୁଣି l ଜାଗାଟି ପୁରା ପ୍ରକମ୍ପିତ ହୋଉଥିଲା ହୃଦୟକୁ ଦୋହଲାଇ ଦେଲା ଭଳି l
ଠାଏଁ ଠାଏଁ ଲିଭିଆସୁ ଥିବା ଜୁଇ ନିଆଁ l ମନେ ମନେ ଖୋଜୁ ଥାଏ ସାଙ୍ଗମାନଙ୍କୁ l ଆଖିରେ ପଡିଲା ଆମ ଗାଁ ନିଧି ମଉସା l ଭାବିଲି ଯାହାହେଉ ଟିକେ ଆଶ୍ବସ୍ତି ପାଇଲି l
ସେ ହାତରେ ଲୋଟାଟିଏ ଧରିଥାନ୍ତି l ସ୍ପଷ୍ଟ ଜହ୍ନ ଆଲୁଅରେ ବି ମୁହଁଟି ସ୍ପଷ୍ଟ ନଥିଲା l ତାଙ୍କୁ କହିଲି ମଉସା ଚାଲ ମିଶିକି ଯିବା ଏ ରାତିରେ ମୋତେ ଭାରି ଏକୁଟିଆ ଲାଗୁଥିଲା l ସେ କିନ୍ତୁ କିଛି କହୁ ନଥାନ୍ତି କିନ୍ତୁ ମୋ ସହ ଚାଲୁଥାନ୍ତି l
ସବୁବେଳେ ମୋତେ ଦେଖିଲେ ନାତି କହି ମଜା କରୁଥିବା ମଉସା କଣ ଏତେ ଚୁପ ଚାପ l ପୋଡାର ଏକ ବିଚିତ୍ର ଗନ୍ଧ ବାହାରୁଥିଲା ତାଙ୍କ ଦେହରୁ l
ମୋର ମନେପଡ଼ିଗଲା ବୋଉ କଥା l ସହରରୁ ପହଞ୍ଚୁ ପହଞ୍ଚୁ ସେ କହୁଥିଲା , ଆମ ଗାଁ ଶେଷ ମୁଣ୍ଡରେ ରହୁଥିବା ନିଧି ମଉସା ଆଜି ଶୌଚ ପାଇଁ ଯିବା ବେଳେ ସାପକାମୁଡାରେ ଚାଲିଗଲେ l ଭୟରେ କରଡ଼ା ପତିରି ପରି ଥରିବାକୁ ଲାଗିଲି l କଣେଇ ଚାହିଁଲି କେହିନାହିଁ, ଶୁଭିଲା ଏକ ଅଟ୍ଟହାସ୍ୟ l ମୁଣ୍ଡ ମୋର ଘୁରାଇ ଦେଲା ତାପରେ କଣ ହେଲା ମନେ ନାହଁ l ବୋଉ କହିଲା ତୋ ସାଙ୍ଗ ମାନେ ନଈ ପଠାରୁ ତୋତେ ଆଣିଲେ l ତୁ କାହିଁକି ଏକୁଟିଆ ଅସୁଥିଲୁ ମୋ ଧନ.. l

