Satyabati Swain

Tragedy

4.5  

Satyabati Swain

Tragedy

ଜହ୍ନ ଓ ଆକାଶ

ଜହ୍ନ ଓ ଆକାଶ

6 mins
408


ମାନ୍ୟବର କୋର୍ଟଙ୍କ ରାୟ ଶୁଣିଲା ପରେ ଭାବିଲି ଏଣିକି ଟେନ୍ସନ ଫ୍ରି ହୋଇଗଲି। ଭୟ ମୁକ୍ତ ନିଜ ଇଚ୍ଛାର ମୁକୁଳା ଜୀବନ ବଞ୍ଚିବି ଏଥର। କୌଣସି କଥା ପାଇଁ ଆଉ ଚିନ୍ତା ଦକ ରହିବ ନାହିଁ।ଖୋଲା ଆକାଶର ଚଢ଼େଇ ମୁଁ।ଏ ସାରା ଆକାଶ ମୋର।


ମୋ ଭାଗ ଖୁସି କେହି ଛଡେଇ ନେଉଛି ଜାଣି ନିଃଶବ୍ଦେ ବିଦ୍ରୋହୀ ହେବ ନାହିଁ ହୃଦ। ମୋତେ କିଏ ଅଣ ଦେଖା କରୁଛି ଭାବି ନିଦ ମୋତେ ପର କରିବ ନାହିଁ।ମୋ ପ୍ରତି ଥିବା କର୍ତ୍ତବ୍ୟ ଟିକକ କେହି ଭୁଲି ଯାଇ ମୋ ପ୍ରତି ଅବିଚାର ହେଉଛି ବୋଲି ଅଭିଯୋଗ ଫର୍ଦ୍ଦ ଦାଖଲ କରିବି ନାହିଁ ଠାକୁର ଘରେ। ଅଭିମାନରେ ଆଖିରେ ଆସିବ ନାହିଁ ବନ୍ୟା। ମୁହଁରେ ଟାଣ ପଣ ଦେଖେଇ ଭିତରେ ଖଣ୍ଡ ଖଣ୍ଡ ହେବି ନାହିଁ ଆଉ।ସବୁ ଜାଣି ବି ମିଛ ଅପେକ୍ଷା ରଖିବି ନାହିଁ କିଛି ଚମତ୍କାର ଆଶା କରି।


ଏଥର ତୁମେ ଖୁସି ତ ଆକାଶ !!

ଗମ୍ଭୀର ସ୍ୱରରେ ଉତ୍ତର ମିଳିଲା ହଁ ଖୁସି ।

ପ୍ରତିଦିନ ତୁମ ସହ ଖିଚ୍ ଖିଚ୍ ହେବାର ନାହିଁ।କୈଫତ ଦେବାର ନାହିଁ କୁଆଡେ ଗଲି, ଏତେ ଡେରି କାଇଁ ହେଲା ,ତୁମ ଗାଡି ପଛେ ସେ କିଏ ବସି ଥିଲା, ସମୁଦ୍ର କୂଳେ କାହା ସହ ବୁଲୁଥିଲ,କଫି ସଫ୍ ରେ ସେ କିଏ ତୁମ ସହ ହସି ହସି କଫି ଓଠ ଛୁଆଁଉ ଥିଲା।ଅନ୍ତତଃ ମୋ ପଛରେ କେହି ଗୋଇନ୍ଦା ଗିରି କରିବେ ନାହିଁ।ବର୍ଷା କୁ ଲୁଚି ଛପି ନୁହେଁ ଖୋଲା ଖୋଲି ଭଲ ପାଇବି।ସତ କହିବାକୁ ଗଲେ ଅନେକ ଦିନ ପରେ ମୁଁ ପରମ ଆନନ୍ଦରେ ନିଦ ଯିବି।

ଏତେ କଷ୍ଟ ଦେଉଥିଲି ତୁମକୁ !


ହଁ ଜହ୍ନ ! ତୁମେ ମୋତେ ବହୁତ ପୀଡା ଦେଉଥିଲା।ବେକାର ଝିଅଟାକୁ ମୋ ବେକରେ ଲଟକେଇ ଥିଲେ ମୋ ବାପା ମା। ସୁନ୍ଦରୀ ପାଠୋଇ ଚାକିରିଆ ଝିଅ ଦେଖି ରସି ଯାଇଥିଲେ ସେମାନେ।କିନ୍ତୁ ସେମାନେ ଜାଣି ନଥିଲେ କେତେ ମାରାତ୍ମକ ତୁମେ।


କେତେ ମାରାତ୍ମକ ଜାହ୍ନବୀ ମହାପାତ୍ର (ଜହ୍ନ) ଶୁଣେ!

ହଁ ହଁ ଭିଷଣ ମାରାତ୍ମକ ତୁମେ ଜହ୍ନ। ତୁମେ ଆସିଲା ପରେ ମୋଠାରୁ ପ୍ରଥମେ ମୋ ସ୍ୱାଧୀନତା ଛଡେଇ ନେଲ।ତାପରେ ମୋ ଦରମାକୁ ବି ନେଇ ବାପ ମାଙ୍କୁ ଧରେଇଲ।ଶେଷରେ ମୋ ସାଙ୍ଗ ସାଥୀ, ପାର୍ଟି, ମସ୍ତି ସବୁଥିରେ ଅଙ୍କୁଶ ଲଗେଇଲ।


ଏତ ସାଧାରଣ ଓ ସ୍ୱାଭାବିକ କଥା।ମ୍ୟାରେଜ୍ ପରେ ସବୁ ସ୍ତ୍ରୀ ଏମିତି କରନ୍ତି।ନୂଆ କଣ କଲି ମାରାତ୍ମକ କହୁଛ ?

ଆରେ ମୁଁ ଟିପିକାଲ ସ୍ୱାମୀ ନୁହେଁ। ମୁଁ ଏକବିଂଶ ଶତାବ୍ଦୀର ସ୍ୱାମୀ।ସ୍ୱାମୀ ନୁହଁ ହଜବ୍ୟାଣ୍ଡ୍।ଓକେ।ତୁମେ କଣ କଲ୍ ନା ମୋ ମା ପରି ହେବାକୁ ଚେଷ୍ଟା କଲ।ଖାଇଥାନ୍ତ, ନାଇ ଥାନ୍ତ ,ଅୟସ କରିଥାନ୍ତ ମୋ ପରିଚୟ ରେ ପରିଚିତ ହୋଇ।କିନ୍ତୁ ତୁମେ ଆସୁ ଆସୁ ମୋ ଲିଭିଂ ଷ୍ଟାଇଲ୍ ଉପରେ ଆକ୍ରମଣ କଲ।


ତୁମେ ମୋତେ ଯେତିକି ଜାଣିଛ ଖୁବ୍ କମ୍ ଜାଣିଛ।ମୋର ଅନେକ ଝିଅଙ୍କ ସହ ଦୈହିକ ସମ୍ପର୍କ ଅଛି।ବର୍ଷା ସେମାନଙ୍କ ମଧ୍ୟରେ ଟପ୍ ରେ।ତୁମର ଏତେ ସାହସ ବର୍ଷା ଯାହାକୁ ମୁଁ ମ୍ୟାରେଜ୍ କରିବି ବୋଲି ସ୍ଥିର କରିଥିଲି ତାକୁ ମୋ ରୁମ୍ ରୁ ଗଳା ଧକ୍କା ଦେଇ ବାହାର କରିଦେଲେ ? ମୋ ରୁମ୍ ରେ ସେ ଆଜି ନୁହେଁ ଦୀର୍ଘ ଦୁଇ ବର୍ଷ ଧରି ଯେବେ ଆମ ମନ ହୁଏ ଦେହର ଭୋକ ମେଣ୍ଟାଇବାକୁ ,ଆସେ ଓ ରୁହେ।ତାକୁ ତୁମେ ମାଡ଼ ମାରି ମୋ ରୁମ୍ ରୁ ବାହାର କରିବ ,ହାଁ ! ଦେଖ ଏହାର ଫଳ କଣ ହେଲା।ତୁମକୁ କାଢି ଫିଙ୍ଗି ଦେଲି ଖାଲି ମୋ ରୁମ୍ ରୁ କଣ ମୋ ଜୀବନରୁ ମଧ୍ୟ।


ବୁଝିଲ ମିଷ୍ଟର ଆକାଶ ପାତ୍ର ତୁମ ପରିଚୟ ମୋର ଲୋଡ଼ା ନାହିଁ।ମୋ ବାପା ମା ଶିକ୍ଷା ସଂସ୍କାର ଦେଇ ମୋର ନିଜସ୍ୱ ପରିଚୟ ସୃଷ୍ଟି କରି ସାରିଛନ୍ତି।ତୁମ ପରିଚୟ ପାଇଲେ ସମ୍ମାନ ନୁହେଁ ବରଂ ତାଛଲ୍ୟ ଅପମାନ ସହିବାକୁ ପଡିବ ମୋତେ।


ହଁ ଶୁଣ ! ବର୍ଷା କୁ ଜୀବନରୁ ମାରି ଦେଇଥିଲେ ଭଲ ହୋଇଥାନ୍ତା।ଅନ୍ତତଃ ମୋ ପରି ଆଉ କାହା ଘର ଭାଙ୍ଗିବାକୁ ନଥାନ୍ତା।ଯିବା ପୂର୍ବରୁ ତୁମ ଆଖି ଖୋଲି ଦେଉଛି ମିଷ୍ଟର ଆକାଶ ଏଇ ବର୍ଷା ନାମ୍ନୀ ଝିଅଟିକୁ ମୁଁ ମୋ ଭାଇ ରୁମ୍ ରେ ଦେଖିଛି।ଆଉ ମୋ ଭାଇ ଦେଖିଛି ,ଦରବୁଢ଼ା ସମ୍ପଦ ମହାପାତ୍ର ରୁମ୍ ରେ। ଏତକ ଦେଖିଲା ପରେ ତ ମୋ ଭାଇ ଆଖିରୁ ପ୍ରେମର ଅନ୍ଧ ପୁଟୁଣୀ ଖୋଲିଲା।ନଚେତ ଆଜି ବି ସେ ଅନ୍ଧାର ରେ ରହି ତୁମ ପରି ମୋ ଭାଉଜ ଜୀବନ ନଷ୍ଟ କରିଥାନ୍ତା।


ବର୍ଷା ଗୋଟେ ନାଗୁଣି।ତାରି ଦଂଶନ ଦିନେ ତୁମ ପ୍ରାଣ ନେବ ଲେଖି ରଖ। ତୁମକୁ ସତ୍ୟ କହିଲେ ବି ମୋତେ ନିଜ ସ୍ତ୍ରୀକୁ ଅବିଶ୍ବାସ କରି ବିଶ୍ୱାସ କଲ ବର୍ଷାକୁ।ତୁମେ ନଷ୍ଟ ଚରିତ୍ର,ଲମ୍ପଟ କାମାନ୍ଧ ପୁରୁଷ।ଦେହ ଭୋକରେ ତୁମେ ରୁଗ୍ଣ।ଏ ଦୈହିକ ଖାଇବା ଆବଶ୍ୟକ ଠାରୁ ଅଧିକ ହେଲେ ଶେଷ ହୋଇଯାଏ ମଣିଷ।ତୁମେ ଶେଷର ଶେଷ ପାହାଚରେ ଠିଆ ହୋଇଛ।କେତେବେଳେ ଗଳି ପଡି ପ୍ରାଣ ଯିବ ନିଜେ ବି ଜାଣି ପାରିବ ନାହିଁ।

ହେଉ ହେଲା ଜୀବନକୁ ଏଞ୍ଜେୟ କରି ମରିବି ତ ! ଠିକ୍ ଅଛି।କିନ୍ତୁ ତୁମର ଭୟ କାହିଁକି ମୁଁ ମଲେ ତୁମକୁ ବିଧବା ହେବାକୁ ପଡ଼ିବନି ଜହ୍ନ।


ଠିକ୍ କହିଲ ମିଷ୍ଟର ଆକାଶ, ମୋତେ ତ ମୁକ୍ତ କରି ସାରିଛ।ତୁମ ସହ ଥିବା ମୋର ସମସ୍ତ ସମ୍ପର୍କ, ବିଶ୍ୱାସ ଓ ଭରସାକୁ ତ କେସ୍ ଫାଇଲ ଦାଖଲ କଲା ଦିନୁ ଛିଡେଇ ସାରିଥିଲା।କେବଳ ଲାଷ୍ଟ ହିଅରିଂ ଡେଟ୍ କୁ ଅପେକ୍ଷା ଥିଲା ଯାହା ଆଜି ହୋଇଗଲା।ତୁମେ ତୁମ ବାଟେ ମୁଁ ମୋ ବାଟେ।


କି ଉଦ୍ଧତ ଝିଅ ତୁମେ ଜହ୍ନ । ଡିଭୋର୍ସ ନେଇ ଟିକେ ବି ଅବଶୋଷ କରୁନ ! ଆଉ ଯିଏ ହୋଇଥାନ୍ତା...

କଣ କରିଥାନ୍ତା ମିଷ୍ଟର ଆକାଶ।ତୁମ ଗୋଡ଼ ଧରିଥାନ୍ତା। ମିନତି କରିଥାନ୍ତା ମୋତେ ଡିଭୋର୍ସ ଦିଅନି,ତୁମ ବିନା ମୁଁ ବଞ୍ଚି ପାରିବିନି, ପ୍ଲିଜ଼ ମୋତେ ତୁମ ଘର ଚାକରାଣୀ କରି ରଖ ପଛେ ଏ ଦଣ୍ଡ ଦିଏନି।ଏମିତି କାକୁତି ମିନତୀ କରିଥାନ୍ତା !!

କିନ୍ତୁ କାହିଁକି କରିଥାନ୍ତା !!


ମିଷ୍ଟର ଆକାଶ ବିବାହର ଏଗାର ମାସ ଭିତରେ ଦିନେ ତୁମେ ମୋ ସ୍ୱାମୀ ହୋଇଛ ! ସ୍ୱାମୀ ଛାଡ଼ ମନେ ପକାଅ ଦିନେ ମୋ ସହ ଗୋଟେ ରୁମ୍ ରେ ରହିଛ ! କେବେ ଗୋଟେ ଦିନ ମୋ ସହ ସୁଖ ଦୁଃଖ ହୋଇଛ !ପ୍ରେମ

ପୁର୍ଣ୍ଣ ମିଠା କଥା ପଦେ କହିଛ ! ଆଜି ବିଜୁଳି,କାଲି ତାରା ,ତାପର ଦିନ ଜ୍ୟୋତି ପୁଣି ସବୁଦିନିଆ ଗରାଖ ବର୍ଷା ସହ ପାର୍ଟି ଥାଏ ଖାସ୍ ତୁମ ପାଇଁ।


ସବୁ ସହୁଥିଲି କିନ୍ତୁ ଶେଷରେ ମୋତେ ବାହାର କରି ବର୍ଷା ସହ କବାଟ ବନ୍ଦ କରିବ ଧଡାସ୍।ଆଉ ମୁଁ ସହି ଥାଆନ୍ତି !କଣ ଟିକେ କହିଦେଲି ବୋଲି ଡିଭୋର୍ସ ଫାଇଲ ଦାଖଲ କଲ !!

ବେଶ୍ ଯାଅ କେବେ ତ ବାନ୍ଧି ନଥିଲି, ସମାଜିକତା ବନ୍ଧନଟିଏ ଥିଲା ଯାହା। ସେଇଟିକୁ ଖୁବ୍ କଷ୍ଟ ରେ ଅଭିନୟ କରି ନିଭାଉ ଥିଲି କେବଳ ମୋ ପରିବାର ତୁମ ବାପମା ଙ୍କ ମନରେ ଦୁଃଖ ଦେବି ନାହିଁ ବୋଲି।ତୁମେ କିନ୍ତୁ ମୋ ବଞ୍ଚିବା ରାସ୍ତା ଖୋଲିଦେଲ ସମସ୍ତ ଆବର୍ଜନା ସଫା କରି।


କାରଣ କଣ ଦର୍ଶାଇ ଥିଲ ମିଷ୍ଟର ଆକାଶ !! ମୁଁ ପରକ୍ରିୟା ପ୍ରୀତି ରେ ଲିପ୍ତ !କେଉଁ ଫଟୋ ସବୁ ପ୍ରମାଣ ରୂପେ ଦେଖେଇଲ !

ଜାଣିଛ ଯାହା ସହ ମୋର ଫଟୋ ଗୁଡିକ ଦେଖେଇଛ ସେ କିଏ ? ସେ ମୋ ଛୋଟ ଭାଇ ଯାହାକୁ ପାଞ୍ଚ ବର୍ଷ ପାଇଁ ଓଡ଼ିଶା ସରକାର କାନାଡ଼ା ପଠାଇଛି କ୍ୟାନ୍ସର ଉପରେ ରିସର୍ଚ୍ଚ କରିବାକୁ।ତୁମେ କେବଳ ଜାଣିଛ ମୋର ଦୁଇ ଭାଇ।ବଡ଼ ଭାଇକୁ ଦେଖିଛ।ସାନ ଭାଇ ତ କାନାଡା ରେ। ସେତିକି ସମ୍ପର୍କ ଆମର ଥିଲେ ସିନା ତୁମେ ବୁଝିଥାନ୍ତ ମୋର କିଏ ଭାଇ,ଭାଉଜ, ମାମୁଁ।ଅନ୍ଧ ଉଦଭ୍ରାନ୍ତ ଯୁବକ ଗୋଟେ ଝିଅକୁ ଗୋଟେ ପୁଅ ଫଟୋ ସହ ଦେଖିଲେ ଆଉ କଣ ଭାବି ପାରନ୍ତା !


ପୁରୁଷ ସହ ଗୋଟେ ନାରୀର କେବଳ ପ୍ରେମିକ କି ସ୍ୱାମୀ ସମ୍ପର୍କ ନଥାଏ ରେ ମୂର୍ଖ । ପୁରୁଷ ବାପା,ଭାଇ ,ଦାଦା,ମାମୁଁ କି ମଉସା ହୋଇ ପାରନ୍ତି।ନିଜ ପରି ସଭିଙ୍କୁ ଭାଵ କାହିଁକି ? ହୁଁ ଯେଉଁ ପୁଅ ବାପା ମାଙ୍କୁ ପଚାରେନି, ନ୍ୟାୟାଳୟର ଆଶ୍ରା ନେଇ ମୁଁ ହିଁ ତୁମ ରୋଜଗାରରୁ କିଛି ସେମାନଙ୍କ ଭରଣପୋଷଣ ପାଇଁ ପ୍ରତି ମାସରେ ବ୍ୟବସ୍ଥା କରି ଦେଇଛି।ଏଇଟା ବି ତୁମ ରୋଷର କାରଣ।ପର ଝିଅଙ୍କ ପଛେ ସବୁ ରୋଜଗାର ଉଡେଇ ଦେଉଛ ! ତେଣେ ଗାଁ ରେ ବୃଦ୍ଧ ବାପା ମା କି ନାରଖାର ହେଉଛନ୍ତି !!


କି ରୋଗ ଗ୍ରାସିଛି ତୁମକୁ ସତରେ ! ଏ କାମ ରୋଗରୁ ତୁମେ ଆରୋଗ୍ୟ ହେବା ନିହାତି ମୁସ୍କିଲ। ଯେଉଁ ଦିନ ତୁମର ଚୈତନ୍ୟ ଉଦୟ ହେବ ସେଦିନ ଅବା ତୁମେ ରୋଗ ମୁକ୍ତ ହୋଇ ପାର।


ଫଟୋ ଗୁଡା ଚୋରି କରି ନେଇଥିଲ ନା ମୋ ଅଜାଣତରେ ମୋ ଫୋନ୍ ରୁ ?ସେଇ ଫଟୋ ଦେଖ କେମିତି ତୁମ ଚରିତ୍ରକୁ ସମସ୍ତ ଆଗରେ ଲଙ୍ଗଳା କଲା। ନଚେତ ମୋ ରକ୍ଷଣଶୀଳ ପରିବାର ମୋତେ ଡିଭୋର୍ସ ନେବାକୁ କୌଣସି ମତେ ସୁଯୋଗ ଦେଇ ନ ଥାନ୍ତେ।

ହଁ ଭାବୁଛ କି ମୁଁ କାହିଁକି ସ୍ୱୀକାର କଲି ସେ ଫୋଟୋ ରେ ଯିଏ ଅଛି ତା ସହ ମୋର ସଂପର୍କ ପିଲାଦିନୁ ଅଛି ! ଏଥର ବୁଝି ପାରିଲ ତ ମୋ ଭାଇ ସହ ମା ପେଟରୁ ଈଶ୍ୱର ସମ୍ପର୍କ ଯୋଡି ଛନ୍ତି ରକ୍ତର,ରାକ୍ଷୀର।


ତୁମ ସହ ମୋର ଆତ୍ମିକ,ମାନସିକ କିମ୍ବା ଶାରୀରିକ ସମ୍ବନ୍ଧ ତ ନଥିଲା।କେବଳ ହାତ ଗଣ୍ଠି ପଡିଥିଲା, ମଙ୍ଗଳ ସୂତ୍ର ଓ ସିନ୍ଦୁର ପିନ୍ଧେଇ ଥିଲ ତୁମେ।ଏଇ ସମ୍ପର୍କ ଲୋଭରେ ମୁଁ କୁକୁର ପରି ପଡ଼ିଥିଲି ତୁମ ଘରେ। ହଁ ଖୁବ୍ ସରଳ ନିଜ ବାପା ମା ପରି ଶାଶୁ ଶଶୁର ମିଳି ଥିଲେ ମୋତେ।ସେମାନଙ୍କ ପାଇଁ ଦୁଃଖ ଲାଗିବ ନିଶ୍ଚୟ । କିନ୍ତୁ କହି ରଖେ ମିଷ୍ଟର ମୋର ଯେବେ ମନ କହିବ ମୁଁ ସେମାନଙ୍କୁ ଦେଖା କରିବାକୁ ଆସିପାରେ।ତୁମେ କି କେହି ଅଟକେଇ ପାରିବେନି ମୋତେ।


ହଁ ମୁଁ ଯଦି ଚାହିଁଥାନ୍ତି ତୁମର ଏଜନ୍ମ ସରି ଯାଇଥାନ୍ତା କିନ୍ତୁ ତୁମକୁ ମୋ ତରଫରୁ ଡିଭୋର୍ସ ମିଳି ନଥାନ୍ତା।କିନ୍ତୁ ମୁଁ ଚାହୁଁଥିଲି ତୁମ ପରି ବିଟପି ପୁରୁଷ ଠାରୁ ମୁକ୍ତି।

ଆଉ କାହିଁକି ଠିଆ ହେଲ ମିଷ୍ଟର ଆକାଶ ପାତ୍ର।ଯାଅ ବର୍ଷା ଅପେକ୍ଷା କରିଥିବ।ଏଥର ମିଷ୍ଟର ଆକାଶ ପାତ୍ର ଏବେ ତୁମେ ମୁକ୍ତ ସ୍ତ୍ରୀ ନାମକ ବୋଝରୁ।

ଆକାଶ ନାମକୁ ମାତ୍ର ମୋ ସ୍ୱାମୀ ମୋର ଦୃଢୋକ୍ତି ଦେଖି ଅସହଣୀ ହୋଇ ପଡୁଥିଲେ।ତାଙ୍କୁ ଲାଗିଲା ତାଙ୍କ ପୁରୁଷତ୍ୱ ଉପରେ ବଡ଼ ଚଟକଣି ଟିଏ ଜାହ୍ନବୀ ମହାପାତ୍ର ସୋସିଅଲୋଜି ଅଧ୍ୟାପିକା ମାରି ଦେଇଛି।


ସବୁ ପୁରୁଷ ତ ଏମିତି।ନାରୀଟିଏ ଅବଳା ହେଉ।କାକୁତି ମିନତୀ କରି ଆଖିରୁ ଲୁହ ଗଡାଉ।ଅସହାୟ ହୋଇ କରୁଣା ଭିକ୍ଷା କରୁ। ନିଜକୁ ଅସୁରକ୍ଷିତ ବିବଶ ଭାବୁ ଚାହାନ୍ତି।କିନ୍ତୁ ଜାହ୍ନବୀ ମହାପାତ୍ର ଜୀବନରେ କେବେ ଭୁଲ୍ ନ କରୁଥିବା ଝିଅଟିଏ। ସେ କାହିଁକି ଏମିତି ହେବ !!

ହୋଇଥାନ୍ତା ଯଦି ସ୍ନେହ ପ୍ରେମ ମନ ପୁରିଲା ପର୍ଯ୍ୟନ୍ତ ମିଳିଥାନ୍ତା।ଗୋଟେ ଝିଅର ଦୁର୍ବଳତା ଏତିକି।ଯେଉଁଠି ଏସବୁ ନାହିଁ ସେଠି ସେ କରୁଣା ପାତ୍ରୀ ହେବାକୁ ଚାହିଁବ କାହିଁକି ?


ରାଗରେ ଫଁ ଫଁ ହୋଇ ଆକାଶ ପାତ୍ର କୋର୍ଟ ପରିସର ମଧ୍ୟରୁ ବାହାରି ଗଲା।

ଶେଷ ହୋଇଗଲା " ଜହ୍ନ ଓ ଆକାଶ" ସମ୍ପର୍କ ଗୋଟିଏ ମାତ୍ର ଦସ୍ତଖତରେ।

ଯେତେ ସକ୍ଷମ ,ଦୃଢ଼ ହେଲେ ବି ଲୁହ ଓ ଦୀର୍ଘଶ୍ଵାସ ବାହାରି ଆସିଲେ ମୋ ପିଞ୍ଜରା ଥରାଇ।

କାରଣ ମୁଁ ନାରୀ।ସମ୍ପର୍କ ମନ ଓ ହୃଦୟ ଯୋଡିବାରେ ମୋର ସାର୍ଥକତା ଏବଂ ଏହା ମୋର ସହଜାତ ପ୍ରବୃତ୍ତି।ହେ ଈଶ୍ୱର ! କିନ୍ତୁ ପରିସ୍ଥିତି ମୋତେ ଆଜି ଯେଉଁ ସମ୍ପର୍କ ସାତ ଜନ୍ମ ପାଇଁ ଯୋଡିଥିଲି ସେଇଟି ଛିଣ୍ଡେଇ ଦେବାକୁ ବାଧ୍ୟ କଲା।ନଥିଲା ଆକାଶ ସହ ସମ୍ପର୍କ ସିନା କିଛି ଚମତ୍କାରିତା ଆଶାରେ ଏଗାର ମାସ ହେବ

ଚେଷ୍ଟାରେ ତ ଥିଲି।ହୁଏତ କିଛି ବି ସମ୍ଭବ ହୋଇ ପାରେ ଉପରେ ଆସ୍ଥା ରଖୁଥିବା ଅନ୍ୟ ନାମ ତ ନାରୀ!!

ମୁକ୍ତି ଅପେକ୍ଷା ରେ ଥିଲି କିନ୍ତୁ ମୁକ୍ତ ହେଲା ପରେ ସେ ପିଞ୍ଜରା ମୋହକୁ ଭୁଲି ପାରୁନି କାହାକି ଯେ!



Rate this content
Log in

Similar oriya story from Tragedy