ଜହ୍ନ : ଜହ୍ନ ପରି ଝିଅଟିଏ
ଜହ୍ନ : ଜହ୍ନ ପରି ଝିଅଟିଏ


ତିଥି ଆସେ ଯାଏ । ଲଗ୍ନ ଆସେ ଯାଏ । ବାର, ନକ୍ଷତ୍ର ବି ଆସେ ଯାଏ । ଜହ୍ନ କିନ୍ତୁ ସେଇଭଳି ଥାଏ । ଅଛି ଆଜି ବି ।
ଆମ ଗାଆଁର ଝିଅ ସେ । ଭଲ ନାଆଁ ଭାନୁମତୀ । ଡାକ ନାଆଁ ତା'ର ଜହ୍ନ ।
ଗାଆଁ ଦାଣ୍ଡରେ ସବୁଦିନେ ଦେଖୁଥିଲି ତାକୁ, ହେଲେ ମୋତେ କାଇଁ ଜହ୍ନ ପରି ଦିଶୁ ନ ଥିଲା ସେ ।
ଦିନେ ସେ ଝିଅ ସୋରିଷ କ୍ଷେତକୁ ହଳଦୀ ରଙ୍ଗର ଓଢଣୀ ମାଗିଲା । ଉଦିତ ସୂର୍ଯ୍ୟକୁ ମାଗିଲା ରକ୍ତିମ ରଙ୍ଗରୁ କିଛି । ଆକାଶକୁ ମାଗିଲା ମୁଠାଏ ସପନ । ସମୁଦ୍ରକୁ ମାଗିଲା ଶାନ୍ତ, ଶୀତଳ ପଣ । ଜହ୍ନକୁ ମାଗିଲା କିଛି ଭିଜା ଭିଜା ଫଗୁଣ ।
ଖୁବ୍ ହସନ୍ତ ସ୍ୱଭାବର ଝିଅଟିଏ ସେ । ତାକୁ ବା ମନା କରିବ କିଏ ! ଯାହାକୁ ଯାହା ମାଗିଲା, ସିଏ ତାକୁ ତାହା ଦେଲେ ।
ଶେଷରେ ନୂଆ କିଛି ଗଢିବାର ଆଶା ନେଇ ମାଟିକୁ ମାଗିବାକୁ ଇଚ୍ଛା କଲା ସେ ।
- " ଯା' ,ତୁ ଏବେ ରଜସ୍ଵଳା ହୋ' । ମୋର ଏ ସୃଷ୍ଟିକି ଆଉ ପାଦେ ଆଗକୁ ନେ' ।" ତା'ର ମନ ବୁଝି କହିଲା ମାଟି ।
ଝିଅର ମନ ମାଆ ଠାରୁ ଆଉ ଅଧିକ କିଏ ବୁଝିପାରେ ଯେ !
ମୁର୍କି ମୁର୍କି ହସିଲା ସେ ମାଟିର କଥା ଶୁଣି । ସତକୁସତ ସେଦିନ ସେ ପ୍ରଥମ ରଜ ଦର୍ଶନ କଲା । ରଜସ୍ଵଳା ହେଲା ।
ଏବେ ତା'ର ଜୀବନରେ ଶୁକ୍ଳପକ୍ଷ ଆସିଗଲା । ହେଲେ ବାପା ମାଆଙ୍କ ମୁଣ୍ଡକୁ ଚିନ୍ତା ପଶିଲା ।
ଚାହୁଁ ଚାହୁଁ ଦିନ କେତେଟା ଭିତରେ ଅନେକ ବଦଳି ଗଲା ସେ ଝିଅଟି । ମନେମନେ ମନର ମଣିଷ ଖୋଜା ଆରମ୍ଭ କରିଦେଲା ।
ଗୋଟିଏ ଚୁମ୍ବନରେ ଗର୍ଭବତୀ ହୋଇଯିବାକୁ ଚାହିଁଲା ସେ । ପ୍ରତି ମୁହୂର୍ତ୍ତରେ ପ୍ରେମର ପାରିଜାତ ଫୁଟାଇ ସାରା ଜୀବନକୁ ପାରିଜାତମୟ କରି ଦେବାକୁ ବି ଇଚ୍ଛା କଲା ।
ଅଭାବର ସଂସାର । ତା' ପାଇଁ ମାଆଛେଉଣ୍ଡ ପିଲାଟିଏ ଖୋଜିଲା ତା'ର ମାଆ । ଆଣି ପାଖରେ ରଖିବାକୁ ଇଚ୍ଛା କଲା ।
ବାପା ତା' ପାଇଁ ପତ୍ନୀହରା ସ୍ୱାମୀଟିଏ ଖୋଜିଲେ । ଜୀବନ ସେଇଠି ସହଜ, ନିରାପଦ ଭାବିଲେ ସେ ।
ଝିଅଟି ମନରେ କିନ୍ତୁ ଏମିତି ଇଚ୍ଛା ଆଦୌ ନ ଥିଲା । ସେ ଗୋଟେ ସ୍ୱପ୍ନର ରାଜକୁମାର ଖୋଜୁଥିଲା । ଖୋଜୁଥିଲା ଗୋଟେ ରାଜଉଆସ ।
ବିଧିର ବିଧାନ ବଡ ବିଚିତ୍ର । ସେପରି କିନ୍ତୁ ହୋଇ ପାରିଲାନି ।
ଯେଉଁଠିକି ସେ ବାହା ହୋଇ ଗଲା, ଦିନ କେତେଟା ଯାଇଛି କି ନାହିଁ,ସେଇଠି ତା' ଉପରେ ଯୌତୁକ ନିର୍ଯ୍ୟାତନା ଆରମ୍ଭ ହୋଇଗଲା । କେତେ ସହିବ ନିର୍ଯ୍ୟାତନା ! ସେ ଘରକୁ ଫେରି ଆସିଲା ।
କିଛି ଦିନ ଘରେ ରହିଲା ସେ । ପରେ ତା' ବାପା ତାକୁ ଆଉ ଜଣେ ପାତ୍ର ହାତରେ ଟେକିଦେଲେ ।
ପୁଣି ନୂଆ ଘର, ନୂଆ ମଣିଷ । ମନରେ ଗୋଟିଏ ନୂଆ ଜୀବନ ଆରମ୍ଭ କରିବାର ଆଶା ନେଇ ସେ ରହିଲା । ହେଲେ ଦିନେ ସେ ଜାଣିଗଲା ଦେହର ଭୋକ ମାରିବାକୁ ଦେହଟିଏ ତାଙ୍କର ଦରକାର ଥିଲା ବୋଲି । ତା'ର ସବୁ ସ୍ୱପ୍ନ ଝଣ୍ ଝାଣ୍ ହୋଇ ଭାଙ୍ଗିଗଲା ।
ସ୍ତ୍ରୀର ମନ ଯେ ବୁଝେ ନାହିଁ ସେ କି ସ୍ୱାମୀ !ନା,ଏମିତି ମଣିଷ ପାଖରେ ସେ ଚଳିପାରିବ ନାହିଁ ଭାବିଲା । ପୁଣି ଲେଉଟିଲା ଘରକୁ ।
ଦିନେ ତାକୁ ଗାଆଁ ନଈ କୂଳ ବିଧବା ତୁଠରେ କାଚ ଭାଙ୍ଗି ମଥାରୁ ସିନ୍ଦୂର ପୋଛୁ ଥିବାର ଦେଖିଲି । ମୁଁ ଆଶ୍ଚର୍ଯ୍ୟ ହେଲି ।
କିଛି ପଚାରିବା ଆଗରୁ ସେ କହିଲା - " ଆତ୍ମାକୁ ବଳି ଦେଇ ଯେଉଁ ଅହ୍ୟ ପଣ କିଣାଯାଏ ,ତା'ଠାରୁ ବରଂ ହଜାରେ ଗୁଣ ଭଲ ଏଇ ବିଧବା ଜୀବନ । "
ଝିଅଟିର ପୁର୍ନଜନ୍ମ ହେଲା - ମୁଁ ମନକୁମନ କହିଲି ।
ଏବେ ଗାଆଁ ଦାଣ୍ଡରେ ତାକୁ ଦେଖିଲେ ମୋତେ ସେ ସୁନ୍ଦର, ବହୁତ ସୁନ୍ଦର ଦିଶୁଥିଲା । ଆଉ ମୁଁ ବୁଝି ପାରୁଥିଲି ଜହ୍ନ କାହିଁକି ଏତେ ସୁନ୍ଦର ଦିଶେ ବୋଲି । ପ୍ରଥମ କରି ଜହ୍ନ ପରି ଝିଅଟିଏ ଦେଖୁଥିଲି । ହଁ,ଜହ୍ନ ପରି ଝିଅଟିଏ ।
ଜହ୍ନ ପରି ଝିଅଟିଏ ! ! !