STORYMIRROR

Satyabati Swain

Tragedy

4  

Satyabati Swain

Tragedy

ଝିଅ ଶରୀର ପୁଅ ହୃଦୟ

ଝିଅ ଶରୀର ପୁଅ ହୃଦୟ

7 mins
430


କାହ୍ନା !ପିଲାଦିନୁ ତୁ ହିଁ ମୋ ବିଶ୍ୱାସର ଈଶ୍ୱର । ପ୍ରତି ସୁଖ ଦୁଃଖରେ ତୋତେ ହିଁ ଲୋଡିଛି । ମନ କଥା ତୋ ସହ ବାଣ୍ଟିଛି । କାହ୍ନା ରେ ! ପ୍ରିୟ ଈଶ୍ୱର ମୋର ଗୋଟିଏ ପ୍ରଶ୍ନ ତୋତେ " ମୋତେ କାହିଁକି ଏମିତି କଲୁ ?" । ଝିଅ ଶରୀର ପୁଅ ହୃଦୟ !


   ଅନ୍ୟ ମାନଙ୍କ ପରି ମୋର କଣ ଇଛା ବୋଲି କିଛି ନାହିଁ ? କେବଳ ଅନ୍ୟକୁ ଖୁସି କରିବା ,ଅନ୍ୟ ମାନଙ୍କ କଥା ମାନିବା କି ପାଳିବାକୁ ମୁଁ ଜନ୍ମ ? ଦେଖ୍ କାହ୍ନା ମାଆ କେମିତି ଜୋର୍ ଜବର ଦସ୍ତ ମୋତେ ରାଉରକେଲାରୁ ବଦଳି କରି ନେଇ ଆସିଛି ଭୁବନେଶ୍ବର। ମାଆ ଏମିତି କଲେ ମୋ ସହଜାତ ପ୍ରକୃତି କଣ ବଦଳି ଯିବ ?


    କାହ୍ନା ରେ ! ମୋତେ ମୋ ଭଳିଆ ବଞ୍ଚିବାକୁ ଦିଆ ଯାଉ ନାହିଁ କାହିଁକି ? ମୁଁ ମୋ ପରି ଜୀଇଁବାକୁ ଚାହେଁ । ତୋ ସୁନ୍ଦର ସଂସାରରେ ମୋ ପରି ମଣିଷ ସୃଷ୍ଟି କାହିଁକି କରୁ ? ଝିଅ ହୋଇ ଝିଅ କି ପୁଅ ହୋଇ ପୁଅ ନୁହଁନ୍ତି ଆମେ  । ଏମିତି କାହିଁକି କରୁ ? କି ଅଭିଶପ୍ତ ଏ ଜୀବନ । ଜୀବନ ଭାର ବହୁ ଅସହଣି ହେଉଛି । ନା ଏ ସମାଜର ଲୋକେ ନା ଆମ ନିଜ ବାପାମାଆ ଆମକୁ ବୁଝୁଛନ୍ତି କି ବଞ୍ଚିବାକୁ ଦେଉଛନ୍ତି । ସେମାନେ କେବଳ ତାଙ୍କ ଇଛାକୁ ସମ୍ମାନ ଦେଇ ମରି ମରି ଜିଇଁବାକୁ ଆମକୁ ହେବାକୁ ବାଧ୍ୟ କରୁଛନ୍ତି । ମୋ କଥା ଶୁଣୁ।ମାଆ କେମିତି ମୋତେ ଭୁବନେଶ୍ୱର ନେଇ ଆସିଛି।


   ଆଜି ଭୁବନେଶ୍ୱରରେ କାଳ ବୈଶାଖୀ ବର୍ଷା ଓ ଝଡ କାଚୁଛି।


  ରାତି ଏଗାର।କାଳ ବୈଶାଖୀ ବର୍ଷା ଓ ଝଡ଼ ଏଇ ଏଇ ଥମିଛି।ଲାଇନ କଟି ଯାଇଛି ଝଡ଼ ପବନରେ।ଫୋନ୍ ଚାର୍ଜ ନାହିଁ।କିଛି ଭଲ ଲାଗୁନାହିଁ ମୋତେ । ମୁଁ ସଫ୍ଟୱେର ଇଂଜିନିୟର ମିସ୍ ଇଭା ପର୍ବତ। ଜାଣିଛୁ କାହ୍ନା ପନ୍ଦର ଦିନ ହେବ ଗୋଟେ ଶୁନ୍ୟତାକୁ ନେଇ ବଞ୍ଚୁଛି।କ୍ୟାଣ୍ଡେଲଟିଏ ଜଳାଇ ଡାଇରୀଟି ଆଣିଲି କିଛି ଲେଖିବାକୁ । ।ଘରେ ମାଆ ଓ କିଂଶୁ ଶୋଇ ପଡିଲେଣି ଥଣ୍ଡା ଲାଗିବାରୁ ପାଗ।


   କବାଟରେ ଠକ୍ ଠକ୍ ଶବ୍ଦ ହେଲା।।ପବନରେ ଏମିତି କିଛି ଶୁଭୁ ଥାଇ ପାରେ ଭାବି ନିଜ କାମରେ ମନ ଦେଲି।ପୁଣି ଶୁଭିଲା ଜୋରେ ଠକ୍ ଠକ୍।।ଏଥର ନିଶ୍ଚିନ୍ତ ହେଲି କେହି ଜଣେ କବାଟ ସେ ପଟେ।କିନ୍ତୁ ବିସ୍ମିତ ଭୟ ବି କଲି।ଏତେ ରାତି।ଝଡ଼ ପବନ ବେଗ ଏଇ ମାତ୍ର କମିଛି।ଏପରି ସମୟରେ ଆମ ଘର କବାଟ ସେ ପଟେ କିଏ ହୋଇପାରେ!!


  ଟିକେ ଥଙ୍ଗ ମଙ୍ଗ ହେଲି।।ଡାକିବ ମାଆଙ୍କୁ!! ନା ମ।।ମାଆ ଘର କାମ ସହ କିଂଶୁ କଥା ବୁଝି ହାଲିଆ ହୋଇ ଶୋଇ ପଡିଛନ୍ତି।କିଂଶୁ ମୋ ଭାଇ ଷ୍ଟାଣ୍ଡଡ଼ ନାଇନରେ ପଢୁଛି।ଏମିତିରେ ଆଜିକାଲି ଭାରି ଚିଡୁଛି ମୋତେ ମୋ ମାଆ।ଡାକିଲେ ବିରକ୍ତ ହେବ।


  କବାଟ ଖୋଲିବି ନ ଖୋଲିବି ସଂଶୟରେ କଟି ଗଲା କିଛି କ୍ଷଣ।କବାଟକୁ ଧଡ଼ ଧଡ଼ କଲେ କବାଟ ସେ ପାଖ ଆଗନ୍ତୁକ।ଏଥର କିନ୍ତୁ ସାହସ କରି କବାଟ ଖୋଲି ବହେ ଅଗନ୍ତୁକଙ୍କୁ ଗାଳି କରିବ ଭାବିଲି।ଏପରି ଝଡ଼ ବର୍ଷା ରାତିରେ କେହି କାହା ଦ୍ୱାର ବାଡ଼ାନ୍ତି ନା କଣ?ଏ ରାଜଧାନୀରେ ଆମେ ନୂଆ ମାତ୍ର ପନ୍ଦର ଦିନ ହେବ ରାଉଲକେଲାରୁ ଆସିଛୁ।କେହି ଆଖ ପାଖ ଲୋକେ ପ୍ରାୟ ଜାଣି ନାହାନ୍ତି ଆମ ଠିକଣା ବା ଘର।।କିଏ ତାହେଲେ ଏତେ ରାତିରେ!!


  କବାଟ ଫାଙ୍କରେ ଦେଖିଲି ପଛ କରି ଓଦା ଜୁଡୁ ବୁଡୁ ଝିଅ ପୋଷକରେ କେହି ଜଣେ ଛିଡା ହୋଇଛନ୍ତି।ଏଥରକ ମୋତେ ଟିକେ ଇଜି ଲାଗିଲା।ଝିଅଟିଏ ବୋଧେ।ଅସୁବିଧାରେ ପଡି ଯାଇଛି କି କଣ ।ମା କହୁଥିଲା ବିଚିତ୍ର ଘଟଣା ଘଟେ ଏଇ ରାଜଧାନୀ ରାତିରେ।ହୁସିଆର ହୋଇ ଚଳିବାକୁ ପରାମର୍ଶ ବି ଦେଇଛି।।ଯାହା ହେବ ଦେଖାଯିବ...ଭାବି କବାଟ ଖୋଲିଲି।


    ଆରେ ଏ କଣ ଆଗନ୍ତୁକ ଝିଅଟି ମୁହଁ ବୁଲେଇବାରୁ କହି ଉଠିଲି " ଇତୁ ତୁ ଏଠି ବେବି ଡଲ୍"! ଇତୁକୁ ମୁଁ ବେବି ଡଲ୍ ଓ ଇତୁ ମୋତେ ଜାନ୍ ଡକାଡକି ହେଉ।କିଛି ନ କହି କୁଣ୍ଢାଇ ପକାଇ କାନ୍ଦି ଉଠିଲା ଇତୁ। "ମୁଁ ତୋ ବିନା ବଞ୍ଚି ପାରିବିନିରେ ଜାନ୍।" ଦିଟା ଶରୀର କିଛି ସମୟ ଏକ ହୋଇ

ଗଲେ।କାନ୍ଦୁଛି ମୁଁ,କାନ୍ଦୁଛି ବି ଇତୁ।କାନ୍ଦ ବି କେବଳ ଲୁହ ଝରାଇ ନୁହେଁ ଶବ୍ଦ ବି କରୁଣ ଶୁଭୁଛି।।


   ଦୁଇ ଆତ୍ମାର ବିଳାପ ସତେକି ଅନ୍ଧାରକୁ କାଟି ସୃଷ୍ଟି କରୁଛି ଗୋଟିଏ ବିଚ୍ଛେଦର ମିଳନ ସଙ୍ଗୀତ।।ମାତ୍ର ପନ୍ଦର ଦିନ ଅନ୍ତର।ଏତେ ଭାଵ ପ୍ରବଣତା!!ଏତେ ଲୁହ,କୋହ!!।


ଖୁସିରେ ଫାଟି ପଡିଲି ମୁଁ। ଉଭୟେ ଆଲିଙ୍ଗନରେ ଛନ୍ଦା ହୋଇ ରହିଗଲୁ ।କେହି କାହାକୁ ଛାଡିବାକୁ ନାରାଜ।।ପାୱାର ଚାଲି ଆସିଲା। ପ୍ରକୃତିସ୍ଥ ହେଲୁ ଆମେ।ଖୁସିର ଢେଉ ପିଟି ହେଉଥିଲା ଆମ ଦେହ ଓ ମନରେ।


   ତୁ କେମିତି ଏତେ ରାତିରେ ଏଠି ବେବି ଡଲ୍ !!ହେଉ ବସ୍ ମୁଁ ଟିକେ ନୁଡୁଲସ୍ ପ୍ରସ୍ତୁତ କରି ଆଣେ।ଖାଇ ଦେଇ କଥା ହେବା।


   ଟାଣି ଧରିଲା ଇତୁ। ରହ ମୁଁ ତୋତେ ଏମିତି ଧରି ରଖେ ଜାନ୍ । ପନ୍ଦର ଦିନ..ବୁଝି ପାରୁଛୁ ତୁ,ପନ୍ଦର ଦିନ ତୋତେ ମିସ୍ କରିଛି କେତେ!।


   ବେଶୀ ଫଜିଲାମୀ ବାହାର କରନା ବେବି ଡଲ୍।ମୁଁ ବି ଖାଇନି।ତୋ ବିନା ମୋତେ କି ଭଲ ଲାଗୁଥିଲା!ଦେଖୁନ ଡାଇରୀ ସାରା ଇତୁ ଆଇ ମିସ୍ ୟୁ ଲେଖା ହୋଇଛି। ଆଃ !ମାଈ ସୁଇଟି ଡାର୍ଲିଂଗ କହି ଚୁମାଟିଏ ଦେଲା ଇତୁ ମୋ ଗାଲରେ।।


  ଚାଲେ ଦୁହେଁ ମିଶି କିଛି ବନେଇଁବା ଓ ସାଙ୍ଗ ହୋଇ ଖାଇବା କହିଲା ଇତୁ।


ଖାଇବା ସରି ଗଲା ଚଟାପଟ୍।ଦୁହେଁ ସ୍ୱସ୍ତିର ନିଃଶ୍ବାସ ପକାଇ ଶୋଇବାକୁ ଗଲୁ। ମୋତେ ପାଇ ଇତୁ ଓ ଇତୁକୁ ପାଇ ମୁଁ ଖୁବ ଖୁସି।ବେବି ଡଲ୍ ଓ ଜାନ୍ ପୁଣି ଏକାଠି ହୋଇ ଯାଇଥିଲେ ସାମାଜିକତା ଲକ୍ଷ୍ମଣ ରେଖା ଡେଇଁ।


   ଇତୁ ମୋ ବେବି ଡଲ୍ କହୁଥିଲା ତା ଦୁଃଶାହସିକ ଆଜିର ଯାତ୍ରା ଧାରା ବିବରଣୀ। ଦିନ ବାରଟାରୁ ଖୋଜୁଛି ଜାନ୍ ତୋ କ୍ବାଟର ।ତିନି ହଜାର ଟଙ୍କା ନେଇଛି ଟ୍ୟାକ୍ସି ଵାଲା।କି ଯେ ଏ ରାଜଧାନୀ ସବୁଯାକ ରାସ୍ତା ଏକାଭଳିଆ!!କେବଳ କ୍ୱାର୍ଟର ନମ୍ବର ବ୍ୟତୀତ ଆଉ କିଛି ଠିକଣା ନଥିଲା ମୋ ପାଖେ। ପରିଶେଷରେ ପୋଲିସ ସାହାଯ୍ୟ ମାଗିଲି।।ପୋଲିସ କର୍ପୋରେଟର ଅଫିସ୍ ସାହାଯ୍ୟରେ ମୋତେ ଏ ରାସ୍ତା ଟ୍ୟାକ୍ସି ଵାଲାକୁ ଦେଲେ। ଝଡ଼ ବେଳେ ସେ ଥାନାରେ ହିଁ ଆଶ୍ରୟ ନେଇଥିଲି।।


    ପ୍ରଥମେ ସନ୍ଦେହ କରି ଥାନା ଵାଲା କାହିଁକି ଖୋଜୁଛ ,କାହାକୁ ଖୋଜୁଛଜେରା କଲେ ? ସେ ଯଦି ତୁମ ଆତ୍ମୀୟ ତାଙ୍କୁ ଫୋନ୍ କରି କାହିଁକି ବୁଝୁନ କେତେ ପ୍ରଶ୍ନବାଣ ମାରିଥିଲେ ନ କହିବା ଭଲ।। କାହିଁକିନା ଆତଙ୍କବାଦକୁ ଆଜିକାଲି ସଭିଙ୍କୁ ଭୟ।।ସେମାନେ ଭାବୁଥିଲେ ମୁଁ କାଳେ ଆତଙ୍କବାଦୀ ବି ହୋଇ ଥାଇ ପାରେ।ଭାଗ୍ୟକୁ ସୁଜନ୍ ମୋ କ୍ଲାସମେଟ୍ ସେଠିକାର ଥାନା ଇନ୍ ଚାର୍ଜ ଦେଖା ହେଲା ପରେ ଟିକେ ପ୍ରଶ୍ନ ପଚାରିବା ଓ ସନ୍ଦେହ କରିବା କମିଥିଲା।ସୁଜନ୍ ବି କହିଥିଲା ଫୋନ୍ କରୁନୁ ଇଭାକୁ ସେ ତୋତେ ରାସ୍ତା ବତାଇ ଦେବ ବା ଆସି ନେଇଯିବ ଥାନରୁ।ମୁଁ ତାକୁ କହିଥିଲି ମିଛ ଯେ "ଆଜି ଇଭାରର ଜନ୍ମଦିନ। ମୁଁ ତାକୁ ସର୍ପ୍ରାଇଜ ଦେବାକୁ ଚାହେଁ।"


ସତ କଥାଟା ଏଇଆ ଯେ ମୁଁ ତୋତେ ତୋ ଅଜାଣତେ ଦେଖା କରିବାକୁ ଚାହୁଁଥିଲି। ତୋ ମାଆ ତ ମୋ ଫୋନ୍ ବ୍ଳକ କରି ନୂଆ ସିମ୍ ତୋତେ ଧରେଇଛନ୍ତି । କେଉଁ ନମ୍ବରକୁ ଫୋନ୍ କରିଥାନ୍ତି ? ଦେଖ୍ ମୁଁ ମୋ ମିଶନରେ ସଫଳ ହୋଇଛି ଗର୍ବର ସହ କହିଲା ଇତୁ।


ଓ ମାଇଁ ଗଡ଼!କି ପାଗଳ ତୁ ବେବି ଡଲ୍ !


  କେବଳ ତୋ ପାଇ ତ ଜାନ୍ କହିଲା ଇତୁ।ହୋ ହୋ ହୋଇ ହସି ଉଠିଲେ ଦୁହେଁ।।କାଲି ସକାଳେ ଘରେ ମାଆ ଦ୍ୱାରା ସୃଷ୍ଟ ଝଡର ସାମାନା କରିବାକୁ ଶକ୍ତି ଯୋଗାଡ଼ କରୁ କରୁ ଇତୁକୁ ଧରି ଶୋଇ ପଡ଼ିଲା ମୁଁ।


   ସକାଳୁ ମାଆ ମୋତେ ଉଠାଇବାକୁ ଯାଇ ଦେଖିଲେ କି ଇତୁ ଓ ମୁଁ ଦିଟା ମୁଣ୍ଡ ଗୋଟିଏ ଶରୀର ହୋଇ ପରମ ତୃପ୍ତିରେ ଶୋଇଛୁ।।ରାଗରେ ଜଳି ଗଲେ ମାଆ ।ଗର୍ଜି ଉଠି ଝିଙ୍କି ନେଲେ ଇତୁକୁ ମୋ ଠାରୁ। ଚିତ୍କାର କରି କହିଲେ ତୁ ପୁଣି ଶୁଙ୍ଘି ଶୁଙ୍ଘି ଏଠିକୁ ଚାଲି ଆସିଲୁ ? କି ବାଜେ ଝିଅଟା ।ଯେତେ ଅପମାନ ଦେଲେ ବି ପୁଣି ଆସି ନଦି ହେଉଛୁ ? କାହିଁକି ମୋ ଝିଅ ମୁଣ୍ଡ ଖାଉଛୁ? ଛାଡି ଦେ ତାକୁ ତା ରାସ୍ତାରେ।ମୁଁ ତା ପାଇଁ ଭଲ ପିଲାଟିଏ ସ୍ଥିର କରିଛି। ଆଉ ଦୁଇ ମାସ ପରେ ତା ବିବାହ କରିବି ବୋଲି ମନସ୍ଥ କରିଛି।


     ଏଥର ମାଆ ସ୍ୱର ନରମ କରି କାନ୍ଦ କାନ୍ଦ ହୋଇ କହିଲେ" ମା ଇତୁ! ତୋ ହାତ ଗୋଡ ଧରୁଛି ଲୋ ମା,ମୋ ଝିଅକୁ ଛାଡି ଦେ ତୋ କବଳରୁ।ଜାଣିଛୁ!ଇଭା ବାବା ମଲା ପରେ କି କଷ୍ଟ କରି ଅନୁକମ୍ପା ମୂଳକ ପିଅନ ଚାକିରୀଟିଏ କରି ପିଲା ଦୁଇଟିକୁ ବଢ଼ାଉଛି!! ଏବେ ଇଭା ଜଣେ ଲବ୍ଧ ପ୍ରତିଷ୍ଠିତ ସଫ୍ଟୱେର ଇଂଜିନିୟର।।ମୋର ଭାରି ଇଚ୍ଛା ତା ମୁଣ୍ଡରେ ଦୋଳ ମୁକୁଟ ଦେଖିବାକୁ।।ତୋରି କବଳରୁ ରଖିବି ବୋଲି କେତେ ନେହୁରା ହୋଇ ପଚାଶ ହଜାର ମୋ ରିଟାୟଡ଼ ସମସ୍ତ ପଇସା ଦେଇ ରାଉଲକେଲାରୁ ଭୁବନେଶ୍ବର ଟ୍ରାନ୍ସଫର କରି ଆଣିଛି।।ଭାବିଲି ଦୁରେଇ ନେଲେ ତା ପାଗଳାମୀ କମି ଯିବ।ହେଲେ...


   ହେଲେ କଣ ମାଆ।ତୁ କଣ ଭାବୁଥିଲୁ ମୋତେ ବେବି ଡଲ୍ ଠାରୁ ଅଲଗା କରି ଦେଇଥାନ୍ତୁ!ବରଂ କହ ମା ଏଇ ଦୂରତା ବେଶୀ ପାଖକୁ ଟାଣି ଆଣିଲା ଇତୁକୁ ମୋ ପାଖକୁ।ସେ ନ ଆସିଥିଲେ ପ୍ରତି ରବିବାର ମୁଁ ଇତୁ ପାଖକୁ ଯିବା ପାଇଁ ଯୋଜନା କରିଥିଲି।।ମାଆ ତୁ ତ ଥରେ ବୁଝୁ।ଆମେ ପରସ୍ପରକୁ ଭଲ ପାଉ।କହ ମାଆ ବିବାହ ପରେ କଣ କରିଥାନ୍ତି ମୁଁ ? ରହିବ ତୋ ଗେଲ୍ଲୀର ସ୍ୱାଧୀନତା!!ରହିବ ମୋ ପସନ୍ଦ ନା ପସନ୍ଦ!!ଇଛା ଥାଉ ବା ନଥାଉ ଖେଳନା ପରି ନାଚି ଥାନ୍ତି ଆଉ କାହା ହାତରେ। ତୁ ବି ଏମିତି ନାଚି ଆସିଛୁ ନା ନାହିଁ ମାଆ ?


   ସବୁଠୁ ବଡ଼ କଥା ତୁ ସିନା ମୋ ଶରୀର ସୁନ୍ଦର ସୁଢ଼ଳ ଝିଅଟିଏ କରି ଗଢିଛୁ? ତୁ କଣ କେବେ ବୁଝିବାକୁ ଚେଷ୍ଟା କରିଛୁ କି ମା ମୋ ହୃଦୟ କଣ ଚାହେଁ??କେବଳ ତୋ ଝିଅ ଓ ତୋ ଖୁସି ପାଇଁ ମୋ ନିଜ ଜୀବନ ନଷ୍ଟ ହୋଇ ଗଲେ ତୁ କଣ ସତରେ ଖୁସି ହେବୁ!


   ମାଆ !କଣ କରିବି କହ,ପୁଅଙ୍କ ପ୍ରତି ଆସକ୍ତି ପରିବର୍ତ୍ତେ ମୋ ମନ କାହିଁକି ଝିଅ ପ୍ରତି ଆକୃଷ୍ଟ ହୁଏ ?ମୁଁ ଜାଣି ଜାଣି ଏସବୁ କରେନି।ଏଇଟା ମୋ ଭିତରେ ଆପେ ଆପେ ସୃଷ୍ଟି ହୁଏ।।ମାଆ ତୁ ବେବି ଡଲ୍ କୁ କାହିଁକି ଦୋଷ ଦେଉଛୁ ? ଦୋଷ ମୋର ମାଆ। ମୁଁ ହିଁ ଅଫିସରୁ ଫୋନ୍ କରି ତାକୁ ଏ କ୍ବାଟର ନମ୍ବର ଦେଇଥିଲି।ତା ବିନା ମୋତେ ଭାରି କଷ୍ଟ ହେଉଛି ମାଆ।ଆମେ ଦୁହେଁ ଦୁହିଁଙ୍କ ଦୁଃଖ ସୁଖର ସାଥି ହେଉଛୁ।ଜଣେ ଜଣଙ୍କ ପାଇଁ ଜୀବନ ଦେବାକୁ ପ୍ରସ୍ତୁତ।।ତୁ ତୋ ବିଚାର ଧାରା ବଦଳା ମାଆ।ଇତୁ ମୋ ସାଙ୍ଗ ଥିଲା ରହିବ ତା ଇଛା ହେବା ଯାଏ।ମୁଁ ତାକୁ ଛାଡି ପାରିବିନି ମୋ ଆଡୁ। ସେ ବି ରହିଯିବ ମୋ ପାଖେ ସାରା ଜୀବନ। ଆମେ ଆଜୀବନ ବନ୍ଧୁ ହୋଇ ରହିବୁ।


   ମାଆ ମୋତେ ବିବାହ କରି ଅତି ବେଶୀରେ କଣ ପାଇବୁ?ଗୋଟେ ଜ୍ବାଇଁ,ନାତି ନାତୁଣୀ!!ସାମାଜିକ ସ୍ୱୀକୃତି!!ମୁଁ କିନ୍ତୁ ବେବି ଡଲ୍ କୁ ପାଇଁ ଯେତିକି ଖୁସି ରହିବି ତୋ ଇଚ୍ଛାକୁ ସମ୍ମାନ ଦେଇ ଏତେ ଟିକେ ବି ଖୁସି ପାଇ ପାରିବି ନାହିଁ।ଏଣିକି ତୋ ଇଛା ମାଆ।ମୋତେ ଜୀଅନ୍ତା ଶବ କରିବୁ ନା ମୋତେ ମୋ ଖୁସି ସହ ଜୀଅନ୍ତା ମଣିଷ ଜୀବନ ବଞ୍ଚିବାକୁ ଦେବୁ। ତୁ ମୋ ମାଆ ।ମୋତେ ଜନ୍ମ ଦେଇଛୁ।ତୋ ଉପରେ ଛାଡି ଦେଉଛି ନିଷ୍ପତ୍ତି।


   ମାଆ ନିର୍ବାକ।ବହୁତ ଚେଷ୍ଟା କରିଛି ପିଲା ଦିନୁ ମୋତେ ଝିଅଟିଏ କରିବାକୁ।ଝିଅର ସମସ୍ତ ଶିକ୍ଷା ସଂସ୍କାର ଦେବା ପାଇଁ।କେତେ ବାଡେଇଛି ପୁଅ ପିଲାଙ୍କ ରଙ୍ଗ ଢଙ୍ଗ ଛାଡିବାକୁ।।ନା ଛୋଟ ବେଳେ ଛାଡିଲି ନା ଏବେ।ଏବେ ତ ମୁଁ ଅଣତିରିଶି ବର୍ଷର ବୁଝିଲା ଶୁଝିଲା ତରୁଣୀଟିଏ।ପୁଣି ସ୍ୱାବଲମ୍ବୀ।କଣ କରିବ।ବାଧ୍ୟ କଲେ ଯଦି କିଛି କରିଦିଏ!!କିଏ ରେ ତୁ ଈଶ୍ୱର! ମୋ ସୁନା ପ୍ରତିମା ଝିଅକୁ ଶରୀର ଝିଅ ଦେଇ ହୃଦୟ,ମନ ପୁଅ କରିଛୁ ?କେମିତି ତୋ ହାତ ଗଲା!!କାହିଁକି ମୋ ଝିଅ ଝିଅ ଶରୀର ଓ ପୁଅ ମନ ନେଇ ବଞ୍ଚିବ ? କି ମନ୍ଦ କପାଳ ମୋର।ମନେ ମନେ ମା ପଚାରୁଥିଲା ଭଗବାନଙ୍କୁ ଏ "ପ୍ରଶ୍ନ।"


   ମା କିଂ କର୍ତ୍ତବ୍ୟ ବିମୁଢ।ମୁଁ ଆଣ୍ଠୁ ମାଡି ମା ଗୋଡ଼ ତଳେ କାନ୍ଦୁଛି।ଇତୁ ପଥର ପାଲଟି ଗଲାଣି।।


    ମାଆ ପଚାରିବୁ ତୋ ଈଶ୍ୱରଙ୍କୁ "ମୋ ପରି ବିଚିତ୍ର ଜୀବ କାହିଁକି ସୃଷ୍ଟି କଲେ ?"


     ଆଖିର ଲୁହକୁ ମାଆ କାନିରେ ପୋଛି କହିଲା, ପଚାରିବି କଣ ନିଇତି ପଚାରୁଛି ପରା ଏଇ ' ପ୍ରଶ୍ନ ' ମୋ ସୁନା ପ୍ରତିମା ଝିଅ ଦେହରେ ପୁଅର ହୃଦୟ କାହିଁକି ଖଞ୍ଜିଛୁ ?


 ଯା ବଞ୍ଚ ତୋ ଇଚ୍ଛାର ଜୀବନ ଇଭା। ମୁଁ କାଇଁକି ତୋ ଖୁସିରେ ହିମାଳୟ ହେବି! କହି ରାଗ ଅଭିମାନରେ ମାଆ ତା ରୁମ୍ ଡୋର୍ ଶବ୍ଦ କରି ବନ୍ଦ କରିଦେଲା। ଭିତର ପଟୁ କିନ୍ତୁ ମାଆର କାନ୍ଦ ଶୁଭୁଥିଲା।


           

      


Rate this content
Log in

Similar oriya story from Tragedy