Kamal Kumar Dash

Tragedy

3  

Kamal Kumar Dash

Tragedy

ଝଡ ପରର ଜୀବନ

ଝଡ ପରର ଜୀବନ

4 mins
13.9K


ବରଷା ଦିନର ସବୁଜ ସକାଳ ପବନରେ ଭାସି ଆସୁଥିଲା ଭିଜା ମାଟିର ବାସ୍ନା,ଶାନ୍ତ ସୁନେଲି କିରଣ ବିଛାଇ ହୋଇ ପଡିଥାଏ ପ୍ଲାଟଫର୍ମ ଉପରେ । ପ୍ଲାଟଫର୍ମର ଶେଷ ଆଡକୁ ଥିଲା ଏକ କୃଷ୍ଣଚୁଡା ଗଛ । ଗଛଟି ମୂଳରେ ସିମେଂଟ ର ବେଂଚ ଥିଲା । ସେ ଗଛରେ କିଂତୁ ଫୁଲ ଆସି ନଥିଲା । ଏଠି ଜଏନ୍ କଲା ପରେ , ମୁଁ ଏ ପରିବେଶ ସହିତ ନିଜକୁ ସାମିଲ କରିବାକୁ ଚେଷ୍ଟା କରୁଥିଲି । ସକାଳୁ ଡିଉଟି ଆସିବା ପରେ ଧୀରେ ଧୀରେ ଲୋକ ଗହଳି ବଢୁଥିଲା ଆଉ ସକାଳର ଗାଡି ଗଲା ପରେ ପ୍ଲାଟଫର୍ମ ଖାଲି ଖାଲି ଲାଗୁଥିଲା ।

ସବୁ ଦିନ ସକାଳୁ ଅନେକ ପୁଅ ଝିଅ ଟ୍ରେନ୍ ରେ ବସି ପାଖ ସହରକୁ ପାଠ ପଢିବାକୁ ଯାଉଥିଲେ , କଳ୍ପନା କିଂତୁ ଥିଲା ସମସ୍ତଙ୍କଠୁ ଅଲଗା । ସେ ପ୍ରାୟ ସବୁ ଦିନ ପାଠ ପଢିବାକୁ ଯାଉ ଥିଲା ଓ

ପ୍ଲାଟଫର୍ମର ଶେଷ ଆଡକୁ ଥିବା କୃଷ୍ଣଚୁଡା ଗଛ ମୂଳରେ କିଛି ସମୟ ବସୁଥିଲା । ଏଇ ଛୋଟ

ଷ୍ଟେସନରେ ସମସ୍ତେ ଚିହ୍ନିଯାଇଥିଲେ ତାକୁ , ଆଉ କହୁଥିଲେ ଗାଡି ନ ଆସି ପାରେ ମାତ୍ର କଳ୍ପନା ନିଶ୍ଚୟ ଆସିବ ଓ ଗଛ ମୂଳେ କିଛି ସମୟ ବସିବ ।

ଦିନ ପରେ ଦିନ ବିତିବାରେ ଲଗିଲା । କୃଷ୍ଣଚୁଡା ଗଛ ବି ବଡ ହୋଇଗଲା । କଳ୍ପନା ସ୍କୁଲରୁ କଲେଜ ଗଲା ।

ତା ପରେ ଆସିଲା ଖରା ଦିନ , ସବୁ ଗଛର ପତ୍ର ଶୁଖିଗଲା ଖରାର ଧାସରେ । ପାଖ ଜଂଗଲରେ ନିଆଁ ଲାଗିଲା ଓ ଖରାର ଧାସ ବହୁତ ବଢିଗଲା । କିଂତୁ କୃଷ୍ଣଚୁଡା ଗଛର ଏ ସବୁକୁ ଖାତିର ନଥାଏ । ପତ୍ର ନଥିଲେ ବି ପୁରା ଗଛଟା ପୁରି ଯାଇଥାଏ କଢ ଓ ଫୁଲରେ । ଏ ଭିତରେ କଳ୍ପନାର ପରୀକ୍ଷା ସରିଯାଇଥିଲା । ପ୍ରଥମ କରି ଶାଢି ପିନ୍ଧି ଆସିଥାଏ କଳ୍ପନା । କୃଷ୍ଣଚୁଡା ଗଛ ମୂଳେ ଯାଇ ଛିଡାହେଲା ସେ । ସେ ଖୁବ୍ ସୁନ୍ଦର ଦେଖା ଯାଉଥିଲା , ଠିକ କୃଷ୍ଣଚୁଡା ଗଛର ସଜ ଫୁଟିଲା ଫୁଲ ପରି ।ତାର ଗୋରା ଦେହ ଓ ଗୋଲ ମୁଁହକୁ ଖୁବ୍ ସୁନ୍ଦର ଲାଗୁଥିଲା ତାର ସବୁଜ ରଂଗର ଶାଢିଟା । ସେଦିନ କଳ୍ପନା ଯାଉଥିଲା ତାର ବିଏ ପାସ୍ ସାର୍ଟିଫିକେଟ୍ ଆଣିବା ପାଇଁ । ତା ପରେ ତାର ଆଉ ଦେଖା ନ ଥିଲା । ପରେ ଶୁଣିଲି ସେ ବାହା ହୋଇ ଏଠୁ ଦୂରକୁ ଚାଲିଯାଇଛି ବୋଲି ।

ଏହା ଭିତରେ ଅନେକ ଦିନ ବିତି ଯାଇଛି । ସେ କୃଷ୍ଣଚୁଡା ଗଛ ବି ବହୁତ ବଡ ହୋଇ ଗଲାଣି ,ହେଲେ ତା ଆଡେ କାହାର ନଜର ନାହିଁ । ଦିନେ ସଂଧ୍ୟା ଗାଡିରେ କଳ୍ପନା ଆସି ଓହ୍ଲାଇଲା । ସାଥିରେ ତାର ପତି ବି ଥିଲେ । ସେ ଗଛ ପାଖ ଦେଇ ଗଲାବେଳେ ,ଗଛ ତଳେ ଟିକେ ଠିଆ ହୋଇଗଲା ସେ । ଗଛ ପାଖକୁ ଯାଇ କୁଣ୍ଢାଇ ପକାଇଲା ତାକୁ କେହି ନିଜର ସାଙ୍ଗ ପରି । ତା ପତିଙ୍କ ସାଙ୍ଗରେ କଥା ହୋଇ ହୋଇ ଷ୍ଟେସନରୁ ବାହାରିଗଲା ସେ । ଲାଗିଲା ପିଲାଦିନର ସାଙ୍ଗ ଏ ଗଛ କଥା ହିଁ କହୁଥିଲା ତା ଆଡକୁ ହାତ ଦେଖାଇ ।

ତାପରେ ଆସିଲା ବର୍ଷା ଦିନ । ଦିନେ ବହୁତ ଜୋରରେ ପବନ ବୋହିଲା ପାଖରେ କେତେ ଗଛ ବି ଉପୁଡି ପଡିଲା । ସକାଳୁ ମୁଁ ଷ୍ଟେସନ ଗଲାବେଳେ ଦେଖିଲି ସେ କୃଷ୍ଣଚୁଡା ଗଛର ଗୋଟେ ବଡ ଡାଳ ଭାଗିଂ ପଡିଛି । ଡାଳରେ ରହୁଥିବା ଚଢେଇ ମାନଙକ ବସା ଭାଙ୍ଗି ଯାଇଛି ଓ ସେମାନେ ବିକଟ ଶବ୍ଦ କରି ଉଡିବୁଲୁଛନ୍ତି ସେ ଗଛର ଚାରି ପାଖରେ । ଗଛଟା ପୁରା ଶ୍ରୀହୀନ ଦେଖାଯାଉଥାଏ । ଗଛର ଏ ଅବସ୍ଥା ଦେଖି ମୋର କାହିଁ କଳ୍ପନା କଥା ମନେ ପଡିଲା ଓ ଅଜଣା ଆଶଂକାରେ ମନଟା ଥରିଗଲା ।

କିଛି ସମୟ ପରେ ଖବର ମିଳିଲା ପାଖ ଷ୍ଟେସନର ବିନା ଫାଟକ ବାଲା ଲେବଲ୍ କ୍ରସିଂ ଗେଟ୍ ରେ ଗୋଟେ ବସ୍ ର ଟ୍ରେନ ସହ ଧକ୍କା ହୋଇଛି । ବସ୍ ଡ୍ରାଇଭର ଦି ପଟକୁ ନ ଦେଖି ଟ୍ରାକ ଉପରକୁ ମାଡିଗଲା ଓ ଠିକ୍ ସେତିକି ବେଳେ ଗୋଟେ ମାଲ ଗାଡି ଦ୍ରୁତ ଗତିରେ ଆସି ତାକୁ ଧକ୍କା ଦେଲା ଦଶ ଜଣ ଲୋକ ପ୍ରାଣ ହରାଇଥିଲେ ଓ ଆଉ ସାତ ଜଣ ଲୋକ ଖଂଡିଆ ଖାବରା ହୋଇଥିଲେ । ସେ

ଷ୍ଟେସନରୁ ଫୋନ କରି ଜାଣିଲି ଯେ ପ୍ରାଣ ହରାଇଥିବା ଲୋକ ମାନଙ୍କ ଭିତରେ କଲ୍ପନାର ପତି ବି ଥିଲେ ଓ କଲ୍ପନା ଆହତ ହୋଇ ପାଖ ସହରର ଡାକ୍ତରଖାନାରେ ପଡିଥିଲା । ମୋର ବିଶ୍ୱାସ ହେଲାନି ସତରେ ଏମିତି ବି ହୁଏ ?

ଅନେକ ଦିନ ପରେ ଦିନେ ସକାଳୁ ଦେଖିଲି ସକାଳର ଗାଡି ଧରିବାକୁ କଲ୍ପନା ବି ଆସିଛି । ଟିକେଟ୍ ନେଇ ସେ ତାର ପ୍ରିୟ କୃଷ୍ଣଚୁଡା ଗଛ ପାଖକୁ ଚାଲିଗଲା ଓ ତା ତଳ ବେଂଚ୍ ରେ ବସିପଡିଲା। ଖୁବ୍ ଦୁଃଖି ଦେଖାଯାଉଥିଲା ସେ ଧଳା ଶାଢୀରେ , ତା ହାତରେ କାଚ ନ ଥିଲା କି ମୁଣ୍ଡରେ ସିନ୍ଦୁର ବି ନଥିଲା । ମନର କୋହ ତା ଆଖିରୁ ସ୍ପଷ୍ଠ ବାରି ହୋଇ ପଡୁଥିଲା , ସତେ ଯେମିତି ଲୁହର ବର୍ଷା କେବେ ବି ବରଷି ଯିବ । ସବୁବେଳେ ହସୁଥିବା ଝିଅଟିକୁ ଏମିତି ଦେଖି ଖୁବ୍ ଦୁଃଖ ଲାଗୁଥିଲା ।

ଖରା ବର୍ଷା ଶୀତ ପରେ ମୋ ଷ୍ଟେସନରେ ବସନ୍ତ ଆସିଲା । ଗଛ ସବୁ ଫୁଲରେ ଭରିଲା । ମୁଁ ଦିନେ କୃଷ୍ଣଚୁଡା ଗଛ ପାଖକୁ ଯାଇ ଦେଖିଲି ସେଥିରେ ବି ଫୁଲ ଆସିଛି । ତାର ଛୋଟ ଛୋଟ ଡାଳ ଗୁଡିକ ପୁଣି ସବୁଜ ପତ୍ରରେ ଭରି ଯାଇଛି । ସେ ଥୁଣ୍ଟା ଗଛଟା ଏତେ ଦିନ ପରେ ଟିକେ ସୁନ୍ଦର ଦେଖା ଯାଉଥିଲା । ବହୁତ ଖୁସି ଲାଗିଲା ମତେ ପ୍ରକୃତିର ଏ ପରିବର୍ତ୍ତନ ଦେଖି । ତା ପର ଦିନ ସକାଳର ଗାଡି ଘଣ୍ଟି ହେଲା । ଟିକେଟ ଝରକା ପାଖରେ ଚାରି ପାଂଚ ଜଣଙ୍କ ଭିତରେ କଳ୍ପନା ଥିଲା । ତାର କୋଳରେ ଥିଲା ଛୋଟ ପିଲାଟିଏ । ମା କୋଳରେ ଥାଇ ଚାରିଆଡେ ଚାହୁଁଥିଲା ସେ । ଟିକେଟ ନେଇ ସବୁଦିନ ଭଳି ସେ କୃଷ୍ଣଚୁଡା ଗଛ ପାଖକୁ ଚାଲିଗଲା । ଆଜି ସେ ଡ୍ରେସ୍ ପିଂନ୍ଧି ଆସିଥିଲା , ହାତରେ ଘଣ୍ଟା ଓ ମୁଣ୍ଡରେ ଟିକିଲି ଥିଲା । କୃଷ୍ ଚୁଡା ଗଛ ଭଳି ସେ ବି ଅତୀତକୁ ଭୁଲି ବର୍ତ୍ତମାନରେ ବଂଚିବାକୁ ଚେଷ୍ଟା କରୁଥିଲା ।ସେ ଆଉ ଦୁଃଖି ନଥିଲା , କିଛି କରିବାର ଆଗ୍ରହ ତା ଆଖିରୁ ବାରି ହୋଇପଡୁଠିଲା । ଗାଡି ଆସିବାରୁ ସେ ତା ଛୋଟ ପିଲାକୁ ଧରି ଗାଡିରେ ଚଢିଲା ଓ ଗାଡି ଗୋଟିଏ ମିନିଟ୍ ରହି ଆଗକୁ ବଢିଗଲା ।


Rate this content
Log in

Similar oriya story from Tragedy