Banabihari Mishra

Tragedy

3.0  

Banabihari Mishra

Tragedy

ଜେଜେ

ଜେଜେ

5 mins
490


ଚାରି କି ପାଞ୍ଚ ବର୍ଷର ଛୋଟିଆ ଝିଅଟିଏ। କ'ଣ ଭାବେ କେଜାଣି, କ'ଣ ତା ମନରେ ଥାଏ, ନିଇତି ସକାଳୁ ଦି'ପାଖରେ ଚକଲଗା ଛୋଟିଆ ସାଇକେଲଟିଏ ଧରି ଆମ ଘରକୁ ଚାଲିଆସେ। ଲନରେ ସେଇ କଅଁଳିଆ ଘାସ ଉପରେ ଆଡି ତେରଛା ସାଇକେଲ ଚଲେଇ ଅରାଏ ଘାସ ନଷ୍ଟ କରିବା ପର୍ଯ୍ୟନ୍ତ ତା'ର କଣ୍ଟ। ଆଉ ବେଳେବେଳେ ଘାସ ଚାରିପଟେ ରଖାଯାଇଥିବା ଫୁଲକୁଣ୍ଡରୁ ଗୋଟେ ଅଧେ ଭାଙ୍ଗି ଦିଏ। ତଥାପି ତା'ର ସେଥିପ୍ରତି କୌଣସି ଚିନ୍ତା ନଥାଏ। ବେଳେବେଳେ ଭାରି ବିରକ୍ତ ଲାଗେ। ଭାବେ, କେମିତିକା ବାପ ମା' କେଜାଣି, ଗୋଟେ ଛୋଟ ଛୁଆକୁ ସମ୍ଭାଳି ପାରୁନାହାନ୍ତି। ତଥାପି ବୟସର ଅପରାହ୍ନରେ ଯେତେବେଳେ ପିଲାମାନେ ନିଜନିଜର ଘରସଂସାର ନେଇ ବ୍ୟସ୍ତ, ସେତେବେଳେ ନିଜର ଏକାକୀତ୍ବକୁ ଦୂର କରିବାକୁ ଏଇ ଗୁଲୁଗୁଲିଆ ଝିଅଟିକୁ ଦେଖିଲେ ବାତ୍ସଲ୍ୟ ଭାବରେ ମନଟା କେମିତି ବିଗଳିତ ହେଇଯାଏ। ଯେତେ ଭୁଲ୍ କଲେ ବି ଶେଷରେ ତାର ଗୋଟାଏ ପପି ଆଉ ଚକୋଲେଟ୍ କିମ୍ୱା କ୍ଷୀର ଗ୍ଲାସେ ତା'ର ପ୍ରାପ୍ୟ ହୁଏ। 


ସରକାରୀ ଚାକିରୀରୁ ଅବସର ନେଲାପରେ ସହରର ଉପାନ୍ତ ଅଞ୍ଚଳରେ ଖଣ୍ଡେ ଜାଗା କିଣି ନିଜ କଷ୍ଟାର୍ଜିତ ଉପାର୍ଜନରେ ଏଇ ଘରଖଣ୍ଡିକ କରିଥିଲି। ପିଲାମାନେ ବଡ଼ ହୋଇ ଚାକିରୀ ବାକିରି କରି ଯେ ଯାହାର ପରିବାର ନେଇ ଦୂର ଜାଗାରେ ରୁହନ୍ତି। ବୟସର ଅପରାହ୍ନରେ ସ୍ଵାମୀ ସ୍ତ୍ରୀ ଦୁଇଜଣ ନିଜର ଏକାକୀ ଜୀବନ ସୁଖେଦୁଃଖେ କାଟି ଦେଉଥାଉ। ସେତିକିବେଳେ ଏଇ ପାଖରେ ନିରାକାର ବାବୁ ଆସି ଘର କରନ୍ତି। ସିଏ ବି ମୋର ସମବୟସ୍କ ପ୍ରାୟ , ହଁ ଦେଖିଲେ ତ ସେଇଭଳି ଲାଗନ୍ତି। ସିଏ ବି କୌଣସି ଚାକିରୀରୁ ଅବସର ପ୍ରାପ୍ତ ଭଳି ଦିଶନ୍ତି। ପାଖରେ ଥିଲେ ମଧ୍ୟ ହୁଏତ ମୋର ଆନ୍ତରିକତାର ଅଭାବ କିମ୍ବା ମୋର ଅନ୍ତର୍ମୁଖୀ ସ୍ଵଭାବ ଯୋଗୁଁ ତାଙ୍କ ସହ ମୋର ଏ ପର୍ଯ୍ୟନ୍ତ ସିଧାସଳଖ ପରିଚୟ ଆଦାନପ୍ରଦାନର ସାଧାରଣ ଔପଚାରିକତା ମୁଁ ରକ୍ଷା କରିପାରି ନଥିଲି। 


ସେ ଯାହା ହେଉ , ସେଦିନ କେମିତି କେଜାଣି ହଠାତ୍ କରି ଆମ ଦୁଇ ଘରର ମଝିରେ ତାଙ୍କ ସହଦେଖା ହେଇଗଲା, ସକାଳୁ କ୍ଷୀର ପ୍ୟାକେଟ ଆଣି ମୁଁ ଆସୁଥିଲି ଆଉ ନିରାକାର ବାବୁ ପ୍ରାତଃଭ୍ରମଣରୁ ଫେରୁଥିଲେ । ପ୍ରଥମେ ସାମାନ୍ୟ ସ୍ମିତହାସ୍ୟରେ ପରସ୍ପରକୁ ଅଭିବାଦନ କରିବା ପୂର୍ବକ ଆମେ ଦୁଇଜଣ କଥାବାର୍ତ୍ତା ଆରମ୍ଭ କରିଦେଲୁ। ମୋର ଧାରଣା ଯେପରି ଥିଲା, ନିରାକାର ବାବୁ ପ୍ରକୃତରେ ସେମିତି ନୁହନ୍ତି। ଖୁବ୍ ମିଶାଣିଆ, ସାରୁ ପରିବା, ଶାଗରୁ ଶାଗୁଆତି ସବୁଥିରେ ମିଶିବେ।


ନିରାକାର ବାବୁ ତାଙ୍କ ପରିବାର କଥା କହୁଥିଲେ। ଦୂର କେଉଁ ଅପନ୍ତରା ଜାଗାରେ ଗୋଟିଏ ହାଇସ୍କୁଲର ପ୍ରଧାନଶିକ୍ଷକ ଭାବେ ସେବା ନିବୃତ୍ତ ହୋଇଛନ୍ତି। ରିଟାୟାରମେଣ୍ଟକୁ ଏଇ ମାତ୍ର ଦୁଇ ବର୍ଷ ହେଇଛି। କଥାରୁ ଜଣାପଡୁଥିଲା ଯେମିତି ଅନେକ ଦୁଃଖ ଛାତି ଭିତରେ ଚାପିରଖି ମୁହଁରେ ହସ ଖେଳୋଉଛନ୍ତି। ଏଇଭଳି ଲୋକଙ୍କୁ ଦେଖିଲେ ମୋର ଭାରି ଉତ୍କଣ୍ଠା ଜାଗିଉଠେ ସେମାନଙ୍କ ବିଷୟରେ ଜାଣିବାକୁ। ଭାରି ଦୟା ଲାଗେ ଏମିତି ମଣିଷ ଗୁଡାଙ୍କୁ।


ନିରାକାର ବାବୁଙ୍କର ଗୋଟିଏ ବୋଲି ପୁଅ। ଏନ୍.ଡି.ଏ. ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଭାରତୀୟ ବାୟୁସେନାରେ ଉଚ୍ଚ ପଦବୀରେ ନିଯୁକ୍ତି ପାଇଥିଲା। ଚାକିରୀ ଥିଲା ସମୟରେ ନିରାକାର ବାବୁ ପୁଅର ବାହାଘର ବି କରି ଦେଇଥିଲେ। ପୁଅବୋହୂ ବମ୍ବେରେ ରହୁଥିଲେ। ଖୁବ୍ ସୁଖରେ ଚାଲିଥିଲା ତାଙ୍କ ସଂସାର। ପୁଅ ନହେଲେ ବୋହୂ ନିଇତି ଫୋନ୍ କରି ଘରର ଖବର ଅନ୍ତର ନେବାଟା ଥୟ।


ସମୟ ସବୁବେଳେ ସମାନ ଯାଏନି । ହଠାତ୍ ଦିନେ ଖବର ଆସିଲା, ଆସନ୍ନପ୍ରସବା ବୋହୂକୁ ଡାକ୍ତରୀ ପରୀକ୍ଷା କରେଇ ଆଣୁଥିଲା ସମୟରେ କାର୍ ଦୁର୍ଘଟଣା ଗ୍ରସ୍ତ ହୋଇଛି । ପୁଅ ଆଉ ବୋହୂ ଦି'ଜଣଙ୍କ ର ଅବସ୍ଥା ଅତି ସଙ୍କଟାପନ୍ନ । ମରଣାପନ୍ନ ଅବସ୍ଥାରେ ଦୁଇଜଣଯାକ ଡାକ୍ତରଖାନାରେ ।


ନିରାକାର ବାବୁଙ୍କ ପାଦତଳୁ ସତେ ଯେମିତି ମାଟି ଖସି ଯାଇଥିଲା । ତୁରନ୍ତ ନିରାକାର ବାବୁ ବାହାରି ଗଲେ ବମ୍ବେ । କିନ୍ତୁ ସେଠି ପହଞ୍ଚିଲା ବେଳକୁ ସବୁ କିଛି ଶେଷ ହେଇ ଯାଇଥିଲା ।ସେମାନଙ୍କର ଶେଷ ସନ୍ତକ ସ୍ବରୂପ ଅପରେସନ କରି ଜନ୍ମ କରାଯାଇଥିବା ଝିଅଟିକୁ ଇନକ୍ୟୁବେଟରରେ ରଖା ଯାଇଥିଲା । ନିରାକାର ବାବୁ ସମସ୍ତ ପ୍ରକାର ଔପଚାରିକତା ଶେଷ କରି ଭାରତୀୟ ବାୟୁସେନାର ବିମାନରେ ଶବ ଦୁଇଟିକୁ ଓ କଅଁଳା ଛୁଆଟିକୁ ଧରି ଓଡିଶା ଫେରିଲେ । ଏମିତି ଦାରୁଣ ଆଘାତ ସହି ନପାରି ନିରାକାର ବାବୁଙ୍କ ସ୍ତ୍ରୀ ଶଯ୍ଯାଶାୟୀ ହେଇ ଯାଇଥିଲେ । ତଥାପି ଏ ଲୋକଟା କି ଧାତୁରେ ଗଢା କେଜାଣି ପୁଅବୋହୂଙ୍କ ଶବକୁ ଜୁଇରେ ଚଢେଇ ମୁହଁରେ ନିଆଁ ଦେଇ ନିଜ ମୁହଁରେ ହସ ଫୁଟେଇ ପାରୁଛି । ହେଇଥାଉ ପଛେ କୃତ୍ରିମ , ହସୁଛି ତ । 


ନିରାକାର ବାବୁଙ୍କ ଏମିତି କରୁଣ କଥା ଶୁଣି ମନେ ମନେ ସ୍ଥିର କରି ନେଇଥିଲି, ଅନ୍ତତଃ ପକ୍ଷେ ତାଙ୍କ ଘରକୁ ଯାଇ ତାଙ୍କ ସ୍ତ୍ରୀକୁ ଟିକେ ଦେଖି ଆସିବି । 


ଏମିତି ରେ ବେଶ୍ କିଛି ଦିନ ଗଡିଗଲା। ୟା ଭିତରେ କିନ୍ତୁ ସେ କୁନି ଝିଅଟି ତାର ସେଇ ଛୋଟିଆ ଚକ ଲଗା ସାଇକେଲ ଖଣ୍ଡେ ଧରି ଆମ ବଗିଚାକୁ ନିୟମିତ ଭାବେ ଆସୁଥାଏ। ସେଦିନ ମୁଁ ସଉକିରେ ରେ ଲଗେଇଥିବା ସ୍ବର୍ଣ୍ଣଚମ୍ପା ଗଛଟାକୁ ସାଇକେଲ ଚଢେଇଦେଲା । ଅବଶ୍ୟ ଗଛଟା ମରିନି, ତଥାପି ତାର କେନା ମାରିଥିବା ଡାଳ ଖଣ୍ଡେ ଭାଙ୍ଗି ଯାଇଥିଲା । ମୋର ଏ ପର୍ଯ୍ୟନ୍ତ ରହି ଆସିଥିବା ଧୈର୍ଯ୍ୟର ବନ୍ଧ ଭାଙ୍ଗିଗଲା । ମୋ ନିଜ ସ୍ବଭାବର ବିପରୀତ ମୁଁ ସେଦିନ ଟିକେ ରାଗି ଯାଇଥିଲି ସେଇ କୁନି ଝିଅଟି ଉପରେ । ତା ସାଇକେଲକୁ ଛଡେଇ ଆଣି କଚାଡି ଦେଲି । ଭାବିଥୀଲି , ଝିଅଟି କାନ୍ଦି ଉଠିବ । କିନ୍ତୁ ଆଶ୍ଚର୍ଯ୍ୟ, ବଡ ନିର୍ଲିପ୍ତ ନିର୍ବିକାର ଭାବରେ ଚାହିଁ ରହିଥିଲା । ତା ମୁହଁରେ ନା ଥିଲା ଭୟ ନା ଥିଲା କ୍ରୋଧର ଲେଶମାତ୍ର ଚିହ୍ନ । ଅଳ୍ପ କେଇ ମୁହୂର୍ତ୍ତ ପରେ ମୁଁ ପୁଣି ମୋର ସମ୍ବିତ୍ ଫେରି ପାଇଥିଲି ଓ ଛୋଟ ଛୁଆଟି ଉପରେ ରାଗି ଥିବାରୁ ନିଜ ଉପରେ ଖୁବ୍ ଅସନ୍ତୁଷ୍ଟ ହେଇଥିଲି। କେମିତି ମୁଁ ମୋର ସ୍ବଭାବ ଛାଡିଦେଲି ଭାବି ନିଜକୁ ଅନେକ ଧିକ୍କାର କରୁଥାଏ ।ଭାରି ଦୋଷୀ ଦୋଷୀ ଲାଗୁଥାଏ । ଆତ୍ମଶ୍ଳାଘାରେ ଆଉ ମୁଁ ଝିଅଟିର ମୁହଁକୁ ଚାହିଁ ପାରୁ ନଥାଏ ।


ସେତିକିବେଳେ ଘର ଭିତରୁ ମୋ ସ୍ତ୍ରୀ ବାହାରି ଆସି ଝିଅଟିକୁ ଟେକି ନେଇଥିଲେ । ଆଉ ଗଲାବେଳେ ମୋତେ କଡା କରି ଦି ପଦ ଶୁଣେଇ ଦେଇଗଲେ । "ଛୋଟ ଛୁଆଟା , ତା ଉପରେ ରାଗିବା କଣ ଉଚିତ୍?" ଆଉ ଯାହା ସବୁ କହିଲେ ସେସବୁ ମୁଁ ଶୁଣି ନ ଶୁଣିଲା ପରି ରହିଲି। କିଛି ସମୟ ପରେ ମନ ଟିକେ ଶାନ୍ତ ପଡିବା ପରେ ମୁଁ ଘର ଭିତରକୁ ଯାଇ ଦେଖେ ତ ମୋ ସ୍ତ୍ରୀ ଛୋଟ ଝିଅଟିକୁ କୋଳରେ ବସେଇ ଖିରୀ ଖୁଆଇ ଦେଉଛନ୍ତି । ସେଇଠୁ ମୋ ପ୍ରତି ଆଦେଶ ହେଲା ଝିଅଟିକୁ ତାଙ୍କ ଘରେ ଛାଡି ଦେଇ ଆସିବାକୁ। ଅଗତ୍ଯା ନିଜ ଦୋଷର କିଞ୍ଚିତ୍ ମାତ୍ରାରେ ଲାଘବ ହେବା ଉଦ୍ଦେଶ୍ୟ ନେଇ ମୁଁ ଝିଅଟିକୁ ସାଙ୍ଗରେ ନେଇ ତାଙ୍କ ଘର ଆଡେ ବାହାରିଗଲି। ସିଏ ତା ସାଇକେଲ ଚଲାଉ ଥାଏ। ଆଉ ମୁଁ ଚାଲି ଚାଲି ଯାଉଥାଏ । ତାଙ୍କ ଘରେ ପହଞ୍ଚିଲା ପରେ ଯେଉଁ ଭଦ୍ର ବ୍ଯକ୍ତି କବାଟ ଖୋଲିଲେ ତାଙ୍କୁ ଦେଖି ମୋର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । ଜାଣି ପାରିଲି ଏଇ ଝିଅଟି ସେଇ ନିରାକାର ବାବୁ ଙ୍କ ହତଭାଗି ନାତୁଣୀ ।


ନିରାକାର ବାବୁ ଅତି ଆଦରର ସହ ମୋତେ ନେଇ ଭିତରେ ବସେଇଲେ । "ଆରେ ମନୁଆ, ଆମେ ଦି'ଜଣ ଏଇଠି ବସିଛ। ଆମ ଦି'ଜଣଙ୍କ ପାଇଁ ଟିକେ ଚା'ର ବନ୍ଦୋବସ୍ତ କର। ସେଇଠୁ ନିରାକାର ବାବୁ ଆରମ୍ଭ କଲେ, "ଜାଣିଲେ ମିଶ୍ର ବାବୁ, ଏଇ ହେଉଛି ମୋର ସେଇ ହତଭାଗିନୀ ନାତୁଣୀ। ସମୟ ପୂର୍ବରୁ ଦୁନିଆଁକୁ ଆସିଯାଇଥିବାରୁ ମାନସିକ ସ୍ତରରେ ସିଏ ସାଧାରଣ ପିଲାଙ୍କ ପରି ହୋଇପାରିନି। ଆଉ ତା'ଛଡ଼ା ସେ ମା' ପେଟରେ ଥିବା ବେଳେ ଦୁର୍ଘଟଣାରେ ତା ମାଆ ତ ସେପାରିକି ଗଲା ଗଲା, ଏ ଛୁଆଟା କଥା କହିବାକୁ ଅସମର୍ଥ ହେଇ ରହିଗଲା। ହେଲେ ଡାକ୍ତର କହୁଛନ୍ତି ଯଦି ତା ମନ ଖୁସି ରହିବ, ଧୀରେ ଧୀରେ ତାର ବାକ୍ ଶକ୍ତି ଫେରିଆସି ପାରେ। ଆଉ ମୋ ଘରେ ତ ଅବସ୍ଥା ଦେଖୁଛନ୍ତି, ମୋ ସ୍ତ୍ରୀ ଏକରକମ ଥାଇ ନଥିଲା ଭଳି। ପୁଅବୋହୂ ଅସମୟରେ ଚାଲିଯିବାର ମାନସିକ ଆଘାତ ସହି ନପାରି ସିଏ ଶଯ୍ଯାଶାୟୀ। ଆପଣଙ୍କ ବିଷୟରେ ମୁଁ ଶୁଣିଥିଲି। ସେଥିପାଇଁ ଦୈନିକ ଆପଣଙ୍କ ଘର ପାଖରେ ନେଇ ଛାଡି ଦେଇ ଆସେ। କାଳେ ଆପଣଙ୍କ ସ୍ନେହ ଆଉ ଆଶୀର୍ବାଦରୁ କଥାପଦୁଟିଏ କହିବ, ସେଇ ଆଶାରେ। ସିଏ ସବୁ ବୁଝୁଛି ସବୁ ଜାଣୁଛି, ହେଲେ କଥା କହିପାରୁନି।"


ଏସବୁ କଥା ଜାଣିଲା ପରେ ଝିଅଟି ପ୍ରତି ମୋର ମମତା ଅହୈତୁକ ଭାବରେ ବଢି ଯାଇଥିଲା। ସିଏ କିଛି କଥା ନ କହୁ ପଛେ, ତା ସାଙ୍ଗରେ ବେଶ୍ କିଛି ସମୟ ଗୁଲୁରୁଗୁଲୁରୁ ହୋଇ ସମୟ କାଟିବା ମୋର ଏକରକମ ରୁଟିନରେ ପଡି ଯାଇଥିଲା।


ଆଉ ସେଇଦିନ ମୁଁ ଯେମିତି ସ୍ବର୍ଗର ଚାନ୍ଦ ହାତ ପାହାନ୍ତାରେ ପାଇଗଲି ଯେଉଁଦିନ ଝିଅଟି ସ୍ବତସ୍ଫୂର୍ତ୍ତ ଭାବରେ କହି ଉଠିଲା, "ଜେ.........ଜେ"।


Rate this content
Log in

Similar oriya story from Tragedy