Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

Satyabati Swain

Tragedy Inspirational

3  

Satyabati Swain

Tragedy Inspirational

ଜ୍ୱାଳା

ଜ୍ୱାଳା

4 mins
526



ମୋ ଘର ଆମ୍ବିକିରେ।ମୋତେ ସେତେବେଳେକୁ ହୋଇଥାଏ ଏଗାର ବର୍ଷ।ଏବେ ଏକତିରିଶ ହେଲାଣି।ବହୁତ ବଦଳି ଗଲାଣି ଜୀବନ,ଜୀବିକା ଓ ଜଗତ।କେତେ ପରିବର୍ତ୍ତନ ହେଲାଣି ମୋ ଗାଁ ଦେହ।ଗୋବର ଅଳିଆ ଜାବୁରୁ ଜାବୁରୁ ଦେହ ତାର ଆଉ ନାହିଁ।ସେ କୋଠା ଘର,ବଜାର ଘାଟ, କଂକ୍ରିଟରାସ୍ତା,ପୋଲ,ଶୌଚା

ଳୟରେ ସଜେଇ ହୋଇ ସହରୀ ସହରୀ ବାସିଲାଣି।ପ୍ରତି ମିନିଟିରେ ଚାରି ଚକିଆ ଯାନ ମୋ ଗାଁ ଛାତିରେ ଛୁଟୁଛି,ଯାହା ଦିନେ ସପନ ଥିଲା।ମୁଁ ଓ ମୋ ସାଙ୍ଗ ମାନେ ଚାରିଚକିଆ ଯାନ ସାଧାରଣତଃ ନିର୍ବାଚନ ପ୍ରଚାର ବେଳେ ଗାଁ ଦାଣ୍ଡରେ ରଡି ଛାଡି ଗଲାବେଳେ ଦୌଡୁଥିଲୁ ଖୁବ ତା ପିଛା କରି।ଏବେ ଆଉ ସେ କୌତୁହଳ ମନରେ ନାହିଁ।ମୋର ନିଜସ୍ୱ ଗୋଟେ କାର୍ ଅଛି ଏବେ।ସବୁ ବଦଳିଛି,ଅନେକ କିଛି ଭୁଲି ହୋଇଗଲାଣି।

    ଯେତେ ବଡ଼ ହେଲେବି ଭୁଲି ହେବନି ଅକ୍ଟୋବର ଅଣତିରିଶ,ଉଣେଇଶ ଅନେଶୋତ ମସିହା କଥା।ଲୋମ ତାଙ୍କରି ଉଡେ,ବାତ୍ୟା ହେବ ଶୁଣିଲେ ସେଇ ଦିନୁ।କେତେ ବାତ୍ୟା ବହିଗଲେଣି ଏଇ ତିରିଶି ବର୍ଷ ଭିତରେ।ହେଲେ ଉଣେଇଶ ଅନେଶୋତ ବାତ୍ୟା ମଣିଷ ରକ୍ତରେ ଭୟ ଓ ଆତଙ୍କ ଖେଳାଇ ଦେଇଥିଲା।ଯେଉଁ ମାନେ ସେ ବାତ୍ୟାକୁ ସାମ୍ମା କରିଛନ୍ତି ମରିବା ଯାଏ ତାର ଭୟଙ୍କର ତାଣ୍ଡବକୁ ଭୁଲି ପାରିବେ ନାହିଁ ମନରୁ।କି ନୃଶଂସ ରୂପ!କି ନିଷ୍ଠୁର ପ୍ରହାର କରିଥିଲା ପ୍ରକୃତି ମଣିଷ ଓ ଜୀଵ ଜଗତ ଉପରେ!!

    ଚାରି ଆଡେ କୁଢ଼ କୁଢ଼ ଶବ,ପାଣି, ଉପୁଡା,ଭଙ୍ଗା ଗଛ,ଭଙ୍ଗା ଘର,ଚାଳ।ମଣିଷ ସଂଘର୍ଷ କରୁଥାଏ ବଂଚିବା ପାଇଁ।ଗୋରୁ ଗାଈ ଉପରେ କାନ୍ଥ,କିବା ଗଛ ପଡି କଲବଲ ମୃତ୍ୟୁ ହୃଦୟ ବିଦାରି ଦେବ।ପଶୁମାନଙ୍କ କଥା କଣ କହିବା।ଶ୍ରେଷ୍ଠ ଜୀଵ ମନିଷ କଥା ତଦ୍ରୁପ।ମୁଣ୍ଡ ଗୁଞ୍ଜିବା ପାଇଁ ରାହା କି ପେଟ ବୁଝାଇବା ପାଇଁ ମୁଠେ ଦାନା ପାଇଁ କି ଡହଳ ବିକଳ।ବେଢ଼ି ଉପରେ କୋର ଡା ପରି ବର୍ଷା ବି ଅହନ୍ତା ସାଜି ଅନର୍ଗଳ ବର୍ଷୁଥାଏ ପବନ ସହ ତାଳ ଦେଇ।

    ସବୁଠାରୁ କ୍ଷତିଗ୍ରସ୍ତ ହୋଇଥାଏ ଜଗତସିଂପୁରର ଆମ୍ବିକି।ଆମ ଗାଁର ସମେସ୍ତେ କିଏ କୁଆଡେ ଭାସି ଗଲେ। ଆମ ଘର ଚାଳ ଉପରକୁ ଆମେ ସମସ୍ତେ ଉଠି ଯାଇଥାଉ ପ୍ରାଣ ବିକଳରେ।ହଠାତ୍ ପବନ ବେଗ ଓ ପାଣି ଲହଡାରେ ଆମ ଘର ଚାଳ ଦୁଇ ଭାଗ ହୋଇଗଲା।ଗୋଟିଏ ଭାଗରେ ରହିଗଲେ ବାପା ବୋଉ ଓ ମୋ ଭାଇ ଭଉଣୀ।ମୁଁ ଏକା ରହିଗଲି ଅନ୍ୟ ଭାଗ ଚାଳ ଉପରେ।ଏକା ପେଟେଇ ପଡି ଭୟରେ ଚିତ୍କାର ଛାଡୁଥାଏ।ଚାଳଟି ପ୍ରଖର ବେଗରେ ଚକର କାଟି ଭାସି ଯାଉ ଯାଉ ଲାଖିଗଲା ଗୋଟେ ବଣ ପରି ଜାଗାରେ।ମୋ ବାପା ବୋଉ ବସିଥିବା ଚାଳ ପାଣି ଭଉଁରୀରେ ପୋତି ହୋଇ କୁଆଡେ ଚାଲିଗଲା ଆଉ ଦେଖି ପାରିଲି ନାହିଁ।କାନ୍ଦି କାନ୍ଦି ମୋ ତଣ୍ଟି ପଡିଗଲା। ଦିନ ଯାଇ ହୋଇଗଲା ରାତି।ଆକାଶକୁ କିମ୍ବା ଚାରିଆଡକୁ ଆଖି ଖୋଲି ଅନାଇଁବାକୁ ପ୍ରବଳ ଭୟ ଲାଗୁଥାଏ।ମୁଁ ବୁଝି ପାରୁ ନଥାଏ କଣ କରିବି?ଚାଳ ସହ ଗୋଟେ ଉପୁଡା ଗଛ ଚେର ଭିତରେ ପଶିଗଲି ମୁଁ।ମୋ ପରି କେତେ କାଠି,କୁଟା,ବେଙ୍ଗ,ମୂଷା ଓ ସାପ ବି ମୃତ୍ୟୁ ସହ ସଂଗ୍ରାମ କରୁଥାନ୍ତି ସେଠି।ଗୋଟିଏ ଦିନ ଓ ରାତି ଗଲା।ସକାଳ ହେଲା।ମୋ ଚାରିପାର୍ଶ୍ଵ ଦୃଶ୍ୟ ଦେଖି ମୁଁ ଯେ ଆଉ ବଞ୍ଚିବି ଏ ଆଶା ଛାଡି ଦେଇଥାଏ।ଖୋଜୁଥାଏ ମୋ ବାପା ମା,ଭାଇ ଭଉଣୀ ଓ ଗାଁ ଲୋକଙ୍କୁ।କାହାକୁ ଦେଖିବାକୁ ମିଳୁ ନଥାଏ।କେବଳ କେତେଟା ମଣିଷ ଓ ଗୋରୁ ଗାଈ,ଛେଳି ,ମେଣ୍ଢା ବା କୁକୁର ମରି ଭାସୁଥାନ୍ତି।ଭାରି ଅସହାୟ ଓ ଅତି ମାତ୍ରାରେ ଭୟ ଗ୍ରାସ କରିଗଲା ମୋତେ।ଦିନ ଓ ରାତିସାରା ଓଦା ହୋଇ ଦେହରେ ଜର ବି ଆସି ଯାଇଥାଏ।

    ମରଣ ଆଁ ରେ ମୁଁ ଠିଆ ହୋଇ ଥାଏ ଜାଣ।ଭାରି ଭୋକ ହେଲାଣି ସେତେବେଳେକୁ।କଣ ଖାଇବି?ଯଦି ବା ବାତ୍ୟା ପ୍ରାଣ ନେଇ ନାହିଁ 'ଭୋକ' କିନ୍ତୁ ମୋ ପ୍ରାଣ ନେବା ନିଶ୍ଚିନ୍ତ।କଣ ଖାଇବି ଚିନ୍ତାରେ ମୁଁ ମୋ ବାପାମା,ଭାଇଭଉଣୀ ,ସାଙ୍ଗ ସାଥୀ ସମସ୍ତଙ୍କ କଥା ଭୁଲିଗଲି।କେବଳ ମୋର ଧ୍ୟାନ ଓ ଧେୟ ଖାଇବି କଣ?ଚାରିଆଡକୁ ଅନାଇଁଲି ଖାଲି ଗଛ ବୃଛ,ଶବ ଓ ପାଣି।ମୁଁ ଯେଉଁ ଗଛ ଚେର ମୂଳେ ଅଟକି ଯାଇଥିଲି ସେଇଟି ଗୋଟେ ତେନ୍ତୁଳି ଗଛ ଥିଲା।ଭୋକ ବିକଳରେ ପୁଳାଏ ତେନ୍ତୁଳି ପତ୍ର ଚୋବାଇ ଦେଲି।ସେଇଠି ମୋ ଆଗରେ ମଣିଷ ଓ ଜୀବଜନ୍ତୁଙ୍କ ମଢା ଭାସୁଥାଏ।ତେଣିକି ଖାତିରି ନ କରି ଚଳ ଚଳ କରି କେଇ ଆଞ୍ଜୁଳା ପାଣି ପିଇଦେଲି।ଦିନ ଆସ୍ତେ ଆସ୍ତେ ବଢୁଥାଏ।ଚାରିଆଡେ ଖାଁ ଖାଁ।ବାହାରେ ବାତ୍ୟା ଦ୍ୱାରା ଛିନ୍ନ ଛତ୍ର ହାହାକାର ପରିବେଶ।ମୋ ଭିତରେ ଭୋକ ଓ ଭୟର ପାଦ ଶବ୍ଦ।ମୁଁ ଯେ ବଞ୍ଚିବି ଏ ଆଶା ଛାଡ଼ି ଦେଇଥାଏ।

    ସେଇ ତେନ୍ତୁଳି ଗଛରେ ମୋ ସହ ଆଶ୍ରୟ ନେଇଥାନ୍ତି କେତୁଟା ସାପ।ଜୀଵ ହେଲେ ବି ମୋ ଭୟାତୁରା ଚାହାଣି ଦେଖି ମୋ ପାଖରେ ଥାଇ ମଧ୍ୟ ମୋର କିଛି କରୁ ନ ଥାନ୍ତି।ବିପଦ ସଭିଙ୍କୁ ପଡିଛି ନାଁରେ ସେଇ ଵିଷଧର ସର୍ପ ଗୁଡିକ ଗୁଡେଇ ହୋଇ ଡାଳ ସହ ସେମିତି ଥାଆନ୍ତି।

    ଦିନ ଯାଇ ଅନ୍ଧାର ମାଡି ଆସୁଥାଏ।ଭୟରେ ମୁଁ ଭେମା ରଡି ଛାଡୁଥାଏ।ବାପା ଆ  ଆ।ବୋଉ ଉ ଉ।ମୋ ଡାକ ମୋ ପାଖରୁ ଯାଇ ପୁଣି ମୋ ପାଖକୁ ଫେରି ଆସୁଥାଏ।ରାତି ହେବା ଆଗରୁ ଡାଳ ପତ୍ର ଛିଣ୍ଡାଇ କୁଂଜି କାଞ୍ଜି ବସିଲା ପରି ସ୍ଥାନଟିଏ ସେଇ ଗଛ ଉପୁଡା ଚେର ଭିତରେ କରି ଦେଇଥାଏ।ପିନ୍ଧା ସାର୍ଟକୁ ମୁଣ୍ଡ ଉପରକୁ ଟେକି ନେଇ ମୁହଁ ଘୋଡାଇ ଦେଇଥାଏ।ଯେପରି ବାହାର ଅନ୍ଧାର ଠାରୁ ମୋ ଆଖି ଅନ୍ଧାର ଗାଢ଼ ଦେଖାଯିବ।ମୁଁ ଯେପରି କିଛି ଦେଖି ପାରିବି ନାହିଁ।ପରିସ୍ଥିତି ଓ ପରିବେଶ ମଣିଷକୁ କେମିତି ବଂଚିବା ଶିଖାଇ ଦିଏ ଅନ୍ତତଃ ମୋ ଛଡ଼ା ଆଉ ଭଲ ଭାବେ କେହି କହି ପାରିବେ ନାହିଁ।ଗୋଟିଏ ରାତି କୋଟିଏ ରାତି ପରି ଲାଗୁଥାଏ।ମୁଁ ଦୁଇଟି ଚେର ଉପରେ ମୋ ପାଦ ଓ ମଝିରେ ଗୋଟିଏ ଚେର ଉପରେ ବାଇକିରେ ବସିଲା ପରି ପେଟେଇ ପଡି ଗଛ ଗଣ୍ଡି ସନ୍ଧିରେ ମୁହଁ ଗୁଞ୍ଜି ଉଁ ଉଁ ହେଉ ହେଉ କେତେବେଳେ ମୋ ନିଦ ଲାଗି ଯାଇଥିଲା ଜାଣି ପାରିଲି ନାହିଁ।

    ଦ୍ଵିତୀୟ ଦିନ ଟିକେ ଖରା ହେଲାରୁ ମୋ ନିଦ ଭାଙ୍ଗିଲା।ଉଠୁ ଉଠୁ ଭୋକରେ ମୋ ପେଟ କାମୁଡ଼ିଲାଣି।କଣ ଖାଇବି।ପାଖରେ କିଛି ବି ତ ନାହିଁ।ଦେଖିଲି ବାହ୍ମୁଣୀ ବେଙ୍ଗଟିଏ ଚେପଟେଇ ପଡିଛି ଗଛର ଆଉ ଦିଟା ଚେର ସନ୍ଧିରେ।ଭୋକ ମୋତେ ସେତେବେଳେକୁ ପାଗଳ କରିଦେବା ଉପରେ।ଆଗ ପଛ ନ ବିଚାରି ଖପ୍କିନା ଧରି ନେଇ କଞ୍ଚା ଚୋବାଇ ଗଲି ସେ ବେଙ୍ଗଟିକୁ।ଭାବିବାକୁ ବେଳେ ନଥିଲା ଏଇଟା କଞ୍ଚା ବେଙ୍ଗ।ଅନ୍ୟ ଦିନେ ମାଛ ଭଜା ଟିକେ ନରମ ଥିଲେ ଥୁ କଞ୍ଚା କହି ଖାଉ ନଥିବା ମୁଁ ଜଗନ୍,ମା'ର ଗେହ୍ଲା ଜଗା, ସେଦିନ ଜୀଅନ୍ତା କଞ୍ଚା ବେଙ୍ଗଟିକୁ ପରମ ତୃପ୍ତିରେ ଖାଇଯାଉଥିଲି କିଛି ଅଇ ନ ଉଠାଇ।ପିଲା ବୟସରେ ମୁଁ ସେଇଠି ଶିଖିଲି ସତରେ ଭୋକ ଓ ଭୋକିଲା ପେଟର 'ଜ୍ୱାଳା' କିଛି ବି ଚିନ୍ତା କରି ପାରେନା।ତାର କେବଳ ଖାଇବାର ଥାଏ,ସେ ଯାହା ହେଉନା କାହିଁକି।ସାର୍ କହୁଥିବା ଉପମନ୍ୟୁ ଗପ ମୋର ମନେ ପଡିଲା।ଭୋକ ବିକଳରେ ସେ କେମିତି ଅରଖ ପତ୍ର ଚୋବେଇ ଅନ୍ଧ ହୋଇ ଯାଇଥିଲା।ତାକୁ ସିନା ସ୍ୱର୍ଗର ବୈଦ୍ୟ ଅଶ୍ୱିନୀ କୁମାର ଭଲ କଲେ;ମୋତେ କିଏ ଭଲ କରିବ!!ମୁଁ ଏବେ କେଉଁଠି ତ ଜାଣିନି।

   ଏପରି କଞ୍ଚା ,ଜୀଅନ୍ତା,ମଲା ବେଙ୍ଗ ଖାଇ ମୁଁ ବଞ୍ଚିଥିଲି ପୁରା ସାତ ଦିନ।ତାପରେ ମୋର କଣ ହୋଇଛି ମୁଁ ଜାଣି ନାହିଁ।ଚେତା ଫେରିଲା ବେଳକୁ ମୁଁ ନିଜକୁ ଗୋଟିଏ ଆଶ୍ରୟ ସ୍ଥଳରେ ପାଇଲି।ମୋ ଦେହରେ ସାଲାଇନ୍ ଲାଗିଥିଲା।ମୋତେ ଉଦ୍ଧାର କରିଥିବା ଓଡ୍ରାପ ଦଳ ଆଶ୍ଚର୍ଯ୍ୟ ହେଉଥିଲେ ଯେ ସମ୍ପୁର୍ଣ୍ଣ ଜଳବନ୍ଦୀ ଘେରରେ କେମିତି ବଞ୍ଚିଥିଲି ମୁଁ ଏକା ଏକା ସାତ ଦିନ ମରଣ ଓ ଭୋକ ସହ ଲେଢେଇ କରି।'ଭୋକ'ର 'ଜ୍ୱାଳା' ଏତେ କରୁଣ,ଏପରି ଅସହ୍ୟ ତାହା ଅଙ୍ଗେ ଲିଭାଇଲା ପରେ ମୁଁ ବୁଝି ଯାଇଥିଲି ପେଟ ଗୋଟେ ଚଣ୍ଡାଳ।ଭାରି ମନେ ପଡୁଥିଲା ବୋଉ।ମନେ ପଡୁଥିଲେ ବାପା।ଓଃ କେମିତି ସେମାନେ କେଉଠି ଅଛନ୍ତି କି ନାହିଁ କିଏ କହିବ?ପନ୍ଦର ଦିନ ପରେ ମୁଁ ଶବ ଚିହ୍ନଟ କରିଥିଲି ମୋ ବାପା ବୋଉ ଙ୍କର।ଭାଇ ଭଉଣୀଙ୍କ ପତ୍ତା ମିଳି ନଥିଲା।।ଏଇଠି ମୋ ପରି ବଞ୍ଚିଥିବା ସର୍ବ ହରା ଲୋକେ କହୁଥିଲେ ଯାହାକୁ ରଖିବେ ଅନନ୍ତ କେ କରି ପାରେ ବଳବନ୍ତ।

   ମୁଁ କିନ୍ତୁ ମନେ ମନେ ଗୁଣି ହେଉଥିଲି ଥରେ ସେ ଅନନ୍ତ କିଏ ଦେଖା ହୁଏନ୍ତେ କି ପଚାରନ୍ତି ମୋର ସମସ୍ତଙ୍କୁ ମାରି ମୋତେ ଏକା କରି ବଞ୍ଚେଇବାରେ କି ବହାଦୁରୀ ଅଛି ତାଙ୍କର.....

    


Rate this content
Log in

More oriya story from Satyabati Swain

Similar oriya story from Tragedy