STORYMIRROR

Nityananda Nandi

Tragedy Inspirational

3  

Nityananda Nandi

Tragedy Inspirational

ଇଟା ଭାଟି

ଇଟା ଭାଟି

6 mins
194


ମୃତ୍ୟୁ କେତେ ଭୟଂକର ତା ପାଇଁ ! ଅତି ପାଖରୁ ସେ ଦେଖିଛି ମୃତ୍ୟୁ କୁ ...ଏଇ କେତେ ଦିନ ହେଲା ସେ, ସ୍ଵାମୀକୁ ହରେଇଛି ! ମୃତ୍ୟୁକୁ, ଭାରି ଭୟ ରୁକ୍ମଣୀର। କିଏ ଥରେ ତାକୁ ଶୁଣେଇ ଥିଲେ ଅନେକ ଦିନ ଆଗରୁ, ମୃତ୍ୟୁ ବାଡି ଦ୍ଵାରରେ ଚାଦର ଘୋଡି ବସିଥାଏ। କେତେବେଳେ ସୂର୍ଯ୍ୟଠୁ ରଙ୍ଗ ନେଇ ସଜ ହୁଏ ଆକାଶରେ। କେତେବେଳେ ଡେଣା ମେଲେଇ ମେଘରେ ଭାସେ ତ କେତେବେଳେ ଝର୍କା ଫାଙ୍କ ଦେଇ ଅନଉ ଥାଏ ଘର ଭିତରକୁ। 

ରୁକ୍ମଣୀ କିନ୍ତୁ ବଞ୍ଚିବାକୁ ଚାହେଁ। ଦୁଇ ଛୁଆଙ୍କ ସାଥିରେ ନେଇ ଉପଭୋଗ କରିବାକୁ ଚାହେଁ ଜୀବନକୁ।


ବାପ ଛେଉଣ୍ଡ ପିଲାମାନଙ୍କ ମୁହଁକୁ ଦେଖି ଜୀବନକୁ ଆହୁରି ଅଧିକ ବୁଝିବାକୁ ଚେଷ୍ଟା କରେ ରୁକ୍ମଣୀ। କିନ୍ତୁ ଜୀବନ ଟା ଏତେ ସରଳ ନୁହେଁ ଯେ ସହଜରେ ବୁଝି ହେବ !


ବାନୁର ଜନ୍ମଦିନ ବହୁତ ବଡ ପ୍ରଶ୍ନଟିଏ ରୁକ୍ମଣୀ ପାଇଁ ! ବଡ଼ ହେଲାଣି । ବାର ବାର ଜନ୍ମ ଦିନ କଥା ପଚାରେ। ରୁକ୍ମଣୀ କଣ ଜାଣିଛି ତାର ଜନ୍ମ ତାରିଖ !! ଆସନ୍ତା ରବିବାର ତୋ ଜନ୍ମଦିନ। ପୁଅର ମନ ରଖିବା ପାଇଁ ମିଛ କହିଲା ରୁକ୍ମଣୀ।

ବୋଉ ! ଜନ୍ମଦିନ ପାଳିବା, ଦଶ ଜଣ ସାଙ୍ଗ ଆସିବେ। ମନା କରନି। 

ବଜ୍ର ପଡ଼ିଲା ରୁକ୍ମଣୀ ଉପରେ। ଅତି କମରେ ହଜାରେ ଟଙ୍କା ଲାଗିବ, ବେଲୁନ, କେକ୍, ମିଠା, ଭାତ ଡାଲି, ତରକାରୀ ପାଇଁ।

ସ୍ଵାମୀ ମରିବା ପରେ ବାସନ ମାଜେ ରୁକ୍ମଣୀ, ପଡିଶା ଘରେ। ଦୌଡିଲା ତାଙ୍କ ଘରକୁ। ହଜାରେ ଟଙ୍କା ମାଗିଲା ଭାଉଜଙ୍କୁ। ମାସ ସରିଲେ ଦେବି କହି ମନା କରି ଦେଲେ ଭାଉଜ।


ବର୍ତ୍ତମାନ କୁ ସାଥିରେ ଧରି ଅତୀତଟା ଯେତେବେଳେ ଭବିଷ୍ୟତ ସନ୍ଧାନରେ ଯାଏ, ରାସ୍ତା ଅସହଜ ମନେ ହୁଏ। ରୁକ୍ମଣୀର ବି ପ୍ରବଳ ଇଚ୍ଛା ସୁନେଲି ଭବିଷ୍ୟତ ପାଇଁ..


"ଯେତେ ଅସୁବିଧା ଆସିଲେ ଆସୁ, ସହିଯିବି.."


ପଞ୍ଚମ ପାସ ରୁକ୍ମଣୀ, ଦାରିଦ୍ର୍ୟ ତାଡ଼ନାରେ ଆଉ ଆଗକୁ ପଢ଼ିବା ସମ୍ଭବ ହେଲାନି। ଯୌବନର ପ୍ରଥମ ପାହାଚରେ ପାଦ ଦେଉ ଦେଉ ବାପା ମା ଗାଆଁ ର କିଛି ପୁଅ ଝିଅଙ୍କ ସାଥିରେ ହାଇଦ୍ରାବାଦ୍ ପଠେଇଦେଲେ ଶ୍ରମିକ ଭାବେ କାମ କରିବାକୁ। 

ହଠାତ୍ ଦିନେ ବୁଝିଲା ସେ ଗର୍ଭବତୀ। କିଛି ବୁଝିବାର ବୟସ ହେବା ଆଗରୁ ବେଳେ ବେଳେ ବହୁତ କିଛି ବୁଝିବା ପାଇଁ ପଡେ ବୋଲି ଜାଣି ନ ଥିଲା ରୁକ୍ମଣୀ ! ଅବାକ୍ ହୋଇଗଲା, କଣ କରିବ ! ଏତେ ବଡ଼ ସହରରେ, କାହାକୁ କହିବ ସେ ତା ଦୁଃଖ କଥା....


ବେଳେ ବେଳେ ମନେ ହୁଏ, ଅନ୍ଧକାର କେତେ ଭଲ। ଚାରି ଦିଗ ଅସ୍ପଷ୍ଟ। କାହାକୁ ଖୋଜିବାକୁ ପଡେନା। ଲାଗେ ଯେମିତି ସମସ୍ତେ ପାଖେ ପାଖେ ଅଛନ୍ତି। ଆଲୁଅରେ କିନ୍ତୁ ସମ୍ପୂର୍ଣ୍ଣ ଅଲଗା। ପୂରା ଏକା ଏକା ହିଁ ଲାଗେ। ଦୂର, ଦୂର ପର୍ଯ୍ୟନ୍ତ କେହି ନ ଥାଏ ହାତ ଧରି ଚାଲିବା ପାଇଁ । ଅଚାନକ ଯଦି କେହି ହାତ ବି ଧରିନିଏ, ଠକିବାକୁ ହିଁ ପଡେ, ଯେମିତି ରୁକ୍ମଣୀ ର ମନ ଭିତରେ ଅସହାୟତାର ଧ୍ଵନିଟିଏ ପ୍ରତିଫଳିତ ହେଉଥିଲା ପ୍ରତି ମୁହୂର୍ତ୍ତରେ। ସମ୍ପୂର୍ଣ୍ଣ ନିରୁପାୟ !! 


ହାତ ଯୋଡ଼ି କାନ୍ଦିଲା ବଳରାମ ଆଗରେ। ନିରୁପାୟ ହୋଇ ବିବାହ ପାଇଁ ରାଜି ହେଲା ବଳରାମ। ଗାଆଁ କୁ ଫେରିଆସିଲେ। ବାପା, ବୋଉ କେହି ରାଜି ହେଲେ ନାହିଁ।ଅନ୍ୟ ଗୋଟାଏ ବସ୍ତିରେ ରହି ସଂସାର ଆରମ୍ଭ କଲେ ସେମାନେ। ଷ୍ଟେସନରେ ଝାଡୁ ମାରୁଥିଲା ବଳରାମ। ହଠାତ୍ ଦିନେ ଝାଡୁ ମାରୁ ମାରୁ ସେ ଟ୍ରେନ ଚକ ତଳେ କଟିଗଲା । ତା ପରେ, ସବୁ ଶେଷ।


ପୁଅର ମନ ରଖିବାକୁ ହେବ, ଜନ୍ମଦିନ ପାଳିବାକୁ ହେବ ବାନୁ ପାଇଁ। କଣ କରିବ, ସବୁ ପଇସା ସରି ଯାଇଛି କ୍ରିୟା କର୍ମରେ। ସକାଳୁ ଉଠି ସାନ ପୁଅକୁ ପିଠିରେ ଝୁଲାଇ ଚାଲିଲା କିଛି ଦୂର ସହର ଆଡ଼କୁ। ପ୍ରାୟ ଗୋଟେ କିଲୋମିଟର ଚାଲିବା ପରେ ଛିଡା ହେଲା ଗୋଟାଏ ଇଟାଭାଟି ପାଖରେ।

କାମ ଅଛି ?

ଦିନକୁ ସାତ ଶହ ଦେବି କହି କାମ ଦେଲେ ଇଟାଭାଟି ମାଲିକ।

ଇଟା ବୋହିବାରେ ଲାଗିଲା ରୁକ୍ମଣୀ। ମାଲିକ ଚୌକି ପକେଇ ବସିଲେ ରୁକ୍ମଣୀ ପାଖରେ। 

ରୁକ୍ମଣୀ ଡରିଗଲା। ମନେ ପଡ଼ିଲା ବଳରାମ କଥା। 

"ଏମିତି ମୋ ପାଖରେ ବସି ବସି ଥଟା ତାମସା କରୁଥିଲା ମୋ ସହିତ ବଳରାମ। କଥା କଥାରେ ମୋ ଗାଲ ଟାଣୁ ଥିଲା। ମୁଁ କିଛି ନ ବୁଝି ହସି ଦେଉଥିଲି। ଦିନେ ମୋତେ ଏକୁଟିଆ ଦେଖି ନିର୍ମାଣ ଚାଲିଥିବା ଅପାର୍ଟମେଣ୍ଟ ର ଗୋଟାଏ ଶୂନଶାନ୍ କୋଠରୀରେ ମୋର ସର୍ବସ୍ବ ଲୋଟିନେଲା।"

 

ଭୟରେ ସନ୍ତୁଳି ହେଉଥିଲା ରୁକ୍ମଣୀ। ଦେଖିଲା ଏକ ଲୟରେ ତାକୁ ଚାହିଁ ବସିଥିଲେ ଭାଟି ମାଲିକ। କାନ ଭିତରେ ଯେମିତି ଜଣେ କହୁଥିଲା, ରୁକ୍ମଣୀ ତୁ ବହୁତ ସୁନ୍ଦର ! ତୋ ଆଖି ଭିତରେ ଅସରନ୍ତି ପ୍ରେମର ଗପଟିଏ ଛୁପି ରହିଛି ! ତୋର ଡଉଲ ଡାଉଲ ଚେହେରା ଭିତରେ ବୟସର ବସନ୍ତ ଆସିଛି । ଉଷ୍ମ ଇଚ୍ଛା ସବୁ ତୋ ଧମନୀ ଭିତରେ ଉତ୍ପାତ କରୁଛି। ମତୁଆଲା ବାସ୍ନାର ଆବରଣ ତୋ ଦେହ ଉପରେ !!!

ଠିକ୍ ଏମିତି ସବୁ ବଳରାମ କହୁଥିଲା ସାପଟିଏ ହୋଇ ଦଂଶିବା ଆଗରୁ।

- ରୁକ୍ମଣୀ

ନିଜ ନାଆଁ ଶୁଣି ଡରିଗଲା ରୁକ୍ମଣୀ ! କିଏ ଜଣେ ଯେମିତି କହୁଛି ସଂଜ ହେଲେ ଅଧା ଘଣ୍ଟା ଅଧିକ ରହିବୁ, ଅଧିକ ପଇସା ଦେବି। ତୋତେ ଘରେ ଛାଡ଼ିଦେଇ ଆସିବି। ଦେହଟା ଝାଳେଇ ଗଲା। ବଳରାମ ସାଥିରେ ସବୁ ଘଟିଯିବା ପରେ ସେ ଆଉ କୌଣସି ପୁରୁଷ କୁ ବିଶ୍ବାସ କରେନି। ଭୀଷ୍ମ ପ୍ରତିଜ୍ଞା କରିଥିଲା," କିଛି ନ ଖାଇ ମରିଯିବି ପଛକେ, ବାହାରକୁ କାମ କରିବାକୁ କେବେ ଆସିବି ନାହିଁ।" 


କିନ୍ତୁ ହାୟ ! ଚତୁର ସମୟ ସାଥିରେ ସାପସିଡି ଖେଳିବା କଣ ସମ୍ଭବ ! ସତ ମିଛ ର ଖେଳ ଏଇ ସାପସିଡି। ସବୁବେଳେ ମଣିଷ ହିଁ ହାରେ ସମୟ ପାଖରେ। ରୁକ୍ମଣୀ ବି ହାରିଯାଇଛି।


- ଛୋଟ ଛୁଆଟିକୁ ଧରି କାହିଁକି କାମ କରୁଛୁ ?


ସାହାସ କରି କଣେଇ କଣେଇ ଅନେଇଲା ମାଲିକ ଆଡେ।

- କରିବା କଣ ନିହାତି ଜରୁରୀ ?

ବଳରାମ ଠାରୁ ଆରମ୍ଭ କରି ଵାନୁ, ଛୋଟୁ ପର୍ଯ୍ୟନ୍ତ ସବୁ କଥା ଗାଇଗଲା ଏକ ନିଃଶ୍ୱାସରେ। 

କହିଲା ସାର୍, ସ୍ଵାମୀ ହେବା ପରେ ବଳରାମ, ପୂର୍ବର ବଳରାମ ଠାରୁ ବହୁତ ଅଲଗା ଥିଲା। 

ବହୁତ ଭଲ ଥିଲା ବଳରାମ। ମୋତେ ବହୁତ ଭଲ ପାଉଥିଲା ସେ।  

ଜାଣିଛ ! ସଞ୍ଜ ହେଲେ ବଳରାମ ମଥା କୁଣ୍ଡେଇ ଦିଏ, ଫୁଲ ଦେଇ ନିଜ ହାତରେ  ରାଜ କନ୍ୟା ପରି ସଜେଇ ଦିଏ ମୋତେ। ବାସ୍ନା ତେଲ ଲଗେଇ ଦିଏ ମୋ ଚୁଟିରେ। ତା ପରେ ଆରମ୍ଭ ହୁଏ ଗପପେଡ଼ି , ରାତି ସରିଯାଏ, ଗପ କିନ୍ତୁ ସରେନି।

 

ସବୁବେଳେ କହେ, ରୁକ୍ମଣୀ ! ପୃଥିବୀର ସବୁ ଜିନିଷ ଗୋଟାଏ ଚକ୍ର ଭିତରେ ଆବଦ୍ଧ, ଜୀବନ ଚକ୍ର। ପୂର୍ବ ଅବସ୍ଥାକୁ ସମସ୍ତେ ପୁଣି ଥରେ ଫେରି ଆସନ୍ତି। ମଣିଷ କିନ୍ତୁ ନିଜର ପୂର୍ବ ଅବସ୍ଥାକୁ ଫେରେନି କାହିଁକି ? ଇଚ୍ଛା ହୁଏ ଆଉଥରେ ବାଲ୍ୟାବସ୍ଥା କୁ ଫେରି ଯାଇ କୁନି କୁନି ସାଙ୍ଗ ସାଥିରେ ଖେଳିବାକୁ। କାଗଜ ଡଙ୍ଗା ଭସେଇ ବାକୁ । ଇଚ୍ଛା ହୁଏ ଆଉଥରେ, ଭଙ୍ଗା ସିଲଟ ନେଇ ସ୍କୁଲ ଯିବାକୁ । ଜୀବନରେ ହାସଲ କରି ପାରି ନ ଥିବା ଜିନିଷକୁ ଆଉ ଥରେ ପାଇବାକୁ ଇଚ୍ଛା ହୁଏ। ଏମିତି ଅନେକ କଥା କହି କହି ଶୋଇଯାଏ ସେ।

କିନ୍ତୁ ପାଇଲା କଣ ! ଟ୍ରେନ ଚକ ତଳେ ଜୀବନ ଗଲା ।


କ୍ଳାନ୍ତ ଶ୍ଲାନ୍ତ ସୂର୍ଯ୍ୟ ଅଳସ ଭାଙ୍ଗୁଥିଲା ପଶ୍ଚିମ ଆକାଶରେ। ହଠାତ ସଂଜ ନଇଁ ଆସିଲା। ମାଲିକ ସାତ ଶହ ଟଙ୍କା ବଢେଇ ଦେଲେ, ହାତରେ ଟିଫିନ୍ ଡବାଟିଏ ଦେଇ କହିଲେ , କିଛି ଖାଇବା ଜିନିଷ ଅଛି, ବଡ଼ ପୁଅ ପାଇଁ। ରୁକ୍ମଣୀ ହସି ଦେଲା। ଚାଲିଲା ଘରକୁ।

 

ରାସ୍ତା ସାରା ମହୁଲି ଗନ୍ଧ, ନାକ ଫାଟି ପଡୁଥିଲା ରୁକ୍ମଣୀ ର। ଭୟଂକର ପରିବେଶ ଦେଇ ଅନ୍ଧାର କୁ କାଟି କାଟି ଆଗଉଥିଲା ସେ ଆଗକୁ। ଦେହ ଝାଳେଇ ଗଲା। ରାସ୍ତା ଉପରେ ଭିନ୍ନ ଭିନ୍ନ ରୂପରେ ଆବିଷ୍କାର କରୁଥିଲା ମଣିଷ ମାନଙ୍କୁ। କେତେ ବିଭତ୍ସ ! ଲାଗିଲା ତାକୁ କଞ୍ଚା ଚୋବେଇ ଖାଇଯିବେ। ସାହସ କରି ପଛକୁ ଅନେଇଲା। ଇଟା ଭାଟି ମାଲିକ, ପଛରେ ଚାଲିଛନ୍ତି। ଦ୍ରୁତ ଗତିରେ ଚାଲିଲା ଘର ମୁହାଁ ହୋଇ। ପୁଣି ଥରେ ଅନେ଼ଇଲା ପଛକୁ। ଚୁପଚାପ୍ ଚାଲି ଥାଆନ୍ତି ଇଟା ଭାଟିର ମାଲିକ।


" ରକ୍ଷକ ନା ଭକ୍ଷକ ସେ। ପଛରେ ଆସୁଛନ୍ତି କାହିଁକି ? ବଳରାମ ଠିକ ଏମିତି ମୋତେ ଶିକାର ବନେଇଥିଲା "। 

ପୁଣି ଥରେ ଝାଳେଇ ଗଲା ଭୟରେ।

ଗୋଟାଏ ନିଃଶ୍ୱାସରେ ପଶି ଗଲା ଘର ଭିତରକୁ। ଭିତରୁ ଦ୍ଵାର ବନ୍ଦ କରି ଝରକା ଦେଇ ରାସ୍ତା କୁ ଅନେଇଲା। ଜ୍ୟୋତ୍ସ୍ନା ବିଧୗତ ରଜନୀର ସୁଲୁସୁଲିଆ ପବନ ପଶି ଆସୁଥିଲା ଘର ଭିତରକୁ। ରାସ୍ତାରେ କେହି ନାହିଁ, ଦୂର ଦୂର ପର୍ଯ୍ୟନ୍ତ। ଭାଟି ମାଲିକ ବୋଧହୁଏ ତାକୁ ଛାଡ଼ିବା ପାଇଁ ଆସିଥିଲେ ତା ଘର ପର୍ଯ୍ୟନ୍ତ।

ଟିଫିନ୍ ଡବା ଖୋଲିଲା, ଚିଠି ଆଉ ପୁଳାଏ ଟଙ୍କା। ଦେହ ଭୟରେ ଥରି ଉଠିଲା ଆଉଥରେ...ଏତେ ଟଙ୍କା କାହିଁକି ?


ରୁକ୍ମଣୀ,

ତୋତେ ଦେଖି କିଛି ସମୟ ପାଇଁ ମୁଁ ଅମଣିଷଟିଏ ପାଲଟି ଯାଇଥିଲି। କେମିତି କେଜାଣି, ନିଜକୁ ସମ୍ଭାଳି ନେଲି। କଣ କରିଥାନ୍ତି, ପରିବେଶ ହିଁ ସେମିତି। ସକାଳ ଠୁ ସଂଜ ଯାଏ ମାଂସ ଆଉ ମଦିରା। ଇଟାଭାଟି ନିଆଁ ର ତାତିରେ ଆମ ମଣିଷପଣିଆ ଜଳି ପୋଡ଼ି ଯାଇଛି ରୁକ୍ମଣୀ। ପାଉଁଶ ଗଦା ଭିତରେ ଜୀବନର ସବୁ ସମ୍ଭାବନା ପ୍ରତିଦିନ ଜଳିଯାଏ। ଦିନ ଶେଷରେ ଖୋଜିଲା ବେଳକୁ ସବୁ ଶେଷ। କ୍ଳାନ୍ତ ଶ୍ଲାନ୍ତ ହାଡ଼, ଆଉ ମାଂସ ପୁଳାଏ । ନିଃଶ୍ୱାସ ପ୍ରଶ୍ୱାସ ଚାଲିଥାଏ ବାସ୍, ଏଇ ଆମ ଜୀବନର ସାରାଂଶ। ତୋ ଠୁ ସବୁ କଥା ଶୁଣିବା ପରେ ମୋ ମନଟା କାହିଁକି ବଦଳି ଗଲା, ଜୀବନରେ ପ୍ରଥମ ଥର ପାଇଁ କିଛି ସ୍ନେହ ଜାଗି ଉଠିଲା ତୋ ପାଇଁ। ଆଜି ଠୁ ତୁ ମୋ ଭଉଣୀ। କିଛି ପଇସା ପଠେଇଛି ଏଇ ଡବା ଭିତରେ। ଅନେକ ଦିନ ଯାଏ ଅଭାବ ରହିବନି ବୋଲି ଭାବୁଛି। କେବେ ଯଦି କିଛି ଦରକାର ହୁଏ, ତୁ ନିଜେ ଏଠାକୁ ଆସୁବୁନି, ତୋତେ ତୋ ଭାଇର ରାଣ। ଜାଗାଟି ଜମାରୁ ଭଲ ନୁହେଁ । ବଡ଼ ପୁଅକୁ କହିବୁ, ଯା ! ମାମୁଁ ପାଖରୁ କିଛି ପଇସା ନେଇ ଆସ। ବାସ୍, ପଠେଇ ଦେବି। ଭାଇ


ବୋହି ଆସୁଥିବା ଅମାନିଆ ଲୁହକୁ ଲୁଗା କାନିରେ ପୋଛୁ ଥିଲା ରୁକ୍ମଣୀ, ଭିନ୍ନ ଗୋଟାଏ ପୃଥିବୀ ଇଟାଭାଟି ପାଖରେ। କିଛି ଖଟା କିଛି ମିଠା। ଭାବୁଥିଲା, ମଣିଷର ଖରାପ ପ୍ରବୃତ୍ତି ପାଖେ ପାଖେ ଭଲ ବି କିଛି ଛୁପି ରହିଥାଏ, ପରିପ୍ରକାଶ ପାଇଁ ଖାଲି ଜାଗା ଟିଏ ଦରକାର, ସେ ବଳରାମ ହେଉ କିମ୍ବା ଇଟାଭାଟିର ମାଲିକ ହେଉ। କିଛି ବୁଝି ନ ପାରି ବିଚରା ବାନୁ, ଅନେଇ ଥିଲା ବୋଉକୁ...



Rate this content
Log in

Similar oriya story from Tragedy