Satyabati Swain

Tragedy Others

3.4  

Satyabati Swain

Tragedy Others

ଇଜ୍ଜତ୍

ଇଜ୍ଜତ୍

4 mins
12.3K



 

ମା ଆକାଶର୍ ତାରା ହୋଇଯାଇଥିଲା।ଭାଇ ଭୁଲେଇବା ପାଇଁ ମା ମାମୁଁ ଘର ଯାଇଛି ଆସିବ କହୁଥିଲା; ମା କିନ୍ତୁ ଆସୁ ନ ଥିଲା କେବେ।ମୁଁ ଦିନୁ ଦିନ ହୋଇଯାଉ ଥିଲି ମା ପରି।ଭାଇ ଘଡ଼ିଏ ଅନାଇଁ କୁହେ, "ମୋ ଲିଲୁ ଠିକ୍ ମା ପରି ଦିଶୁଛି।ଦୁଇ ଭାଇ ଗହଣରେ ମୁଁ ମାକୁ ଅପେକ୍ଷା କରି କରି ବଢ଼ୁଥିଲି।ମା ପାଲିଥିବା ଗାଈ ଗୁଡିକ ମା ଗଲା ପରେ ଭାଇ ସେମାନଙ୍କ ଯତ୍ନ ଠିକ୍ ଭାବେ ନେଇ ପାରିଲା ନାହିଁ।ଦୁଇ ଟି ଗାଈ ମରି ଗଲେ।ଆଉ ଗୋଟେ ଗାଈକୁ ମାମୁଁ ଆସି ବିକି ଦେଲେ।ଏଣିକି ଚଳିବା ବହୁ କଷ୍ଟ ହେଲା ଆମକୁ ଦିନେ ଦିନେ ଉପାସ ରହିବାକୁ ବି ପଡିଲା।ମାମୁଁ କେତେ ବା ଯୋଗାନ୍ତେ।ସାତ ଦିନକୁ ଯାହା ଆଣି ଦେଇଥାନ୍ତି ସାତ ଦିନ ନ ହେଉଣୁ ସରିଯାଏ।ମିଲୁ ଭାଇର ବି ସ୍କୁଲ ଯିବା ବନ୍ଦ ହୋଇଗଲା।ସେ ଗାଁର ଗାଈ ଜଗିଲା।ଭାଇ ଆ ତା ବୋଲ ହାକ କରୁ କରୁ ଦିନ ମଜୁରିଆ ଟିଏ ପାଲଟି ଗଲା।ମୋତେ କିନ୍ତି ସ୍କୁଲକୁ ପଠାନ୍ତି।


ପରିବେଶ ମଣିଷକୁ ସବୁ ଶିଖାଇ ଦିଏ।ଆମେ ଭାଇ ଭଉଣୀ ତିନି ଜଣ ଆସ୍ତେ ଆସ୍ତେ ପରିସ୍ଥିତି ସହ ଖାପ୍ ଖୁଆଇ ଚଳି ଶିଖିଲୁ।ମୁଁ ବି ଚୁଲି ଲଗେଇ ଭାତରାନ୍ଧି ଶିଖିଲି।ନିଜ ଦେହକୁ ଘଷି ମାଜି ଗାଧୋଇବା,ଜାମା ପଟା,କାଚିବା,ମୁଣ୍ଡ କୁଣ୍ଡାଇବା ,ଚିରା କନ୍ଥା ଉପରେ ମା ଲୁଗା ପାରି ଶୋଇବା ଆଦି କାମ ବଙ୍କା ଢେଙ୍କା କରି ଶିଖିଲି । ଭାଇ କାମରୁ ଆସିଲେ ତା ପାଖେ ଭାତ ବାଢ଼ିଦେଲି ଖାଇବାକୁ।ଘର ବାହାର ବି ଓଳେଇଲି।


ମୁଁ ହୋଇଗଲି ମୋ ଭାଇଙ୍କ ଭଉଣୀ ମା।ସେମାନଙ୍କ ହେପାଯତ ଯେପରି ମୋ ଜୀବନ ପାଲଟି ଗଲା।ଛୁଆ ବେଳୁ ମୁଁ ଜୀବନ ଜୀଇଁବା ଶିଖିଗଲି।ବାପା ଥାଇ ଆମେ ଅନାଥ ହୋଇଗଲୁ।କେମିତି ବାପା ଆମର ସତରେ!ପିଲାଙ୍କ ମୁହଁକୁ ନ ଚାହିଁ ନିଜ କାମ ପ୍ରବୃତ୍ତୀ ଚରିତାର୍ଥ କରିବାକୁ ଜଣେ ବିଧବାକୁ ନେଇ କୁଆଡେ ଚାଲିଗଲେ?


ସମୟ ଓ ଜୀବନ ତା ବାଗରେ ଚାଲୁଥିଲା।ଆମେ ସବୁ ପିଲା ଅଣେ ବଣେ ବଢ଼ିଲା ପରି ବଢ଼ିଲୁ।ଏଇ ଗରିବ ଓ ଅନାଥ ପିଲା ମାନଙ୍କ ତେନ୍ତୁଳି ଛାଟ ପରି ଜୀବନ।ଭାରି ଚେମେରା।ରୋଗ,ଭୋକ,ଦୁଃଖ ଓ କଷ୍ଟ ସହ ଲଢ଼ି ଲଢ଼ି ବଞ୍ଚି ଯାଆନ୍ତି।ତାଙ୍କୁ ଧୋଇ କି ମରୁଡି ନଥାଏ।ଯମ ଛୁଏନି ଏପରି ହତଭାଗ୍ୟ ମାନଙ୍କୁ।ମୋ କୁଲୁ ଭାଇ ପିଲା ଦିନୁ ଖଟି ଖଟି ଯେପରି କୂର୍ମ ହୋଇଗଲା।ଫାଙ୍କା ସମୟରେ ନଡ଼ିଆ ଗଛରେ ଚଢି ନଡ଼ିଆ ତୋଳେ।ଗଛ ଗୋଟା ତିରିଶି ଟଙ୍କା ଆଣେ।ତା ସାନ ଭାଇ ଭଉଣୀଙ୍କୁ ଗଣ୍ଡେ ଖୁଆଇବାକୁ,ଖଣ୍ଡେ ପିନ୍ଧାଇବାକୁ ଅହରହ ସଂଗ୍ରାମ କରୁଥିଲା ସେ।


ଦିନେ କିନ୍ତୁ ଘୋର ଦୁର୍ଦ୍ଦିନ ମାଡି ଆସିଲା ଆମ ଉପରକୁ।ମୁଁ ସପ୍ତମ ପରୀକ୍ଷା ଦେଇ ଅଷ୍ଟମରେ ନାଁ ଲେଖାଇଥାଏ।ମୋ କୁଲୁ ଭାଇ ନଡ଼ିଆ ଗଛରେ ଚଢ଼ୁ ଚଢ଼ୁ ତଳେ ପଡିଗଲା ଯେ ମେରୁଦଣ୍ଡ ଭାଙ୍ଗିଗଲା।ଆଉ ଯୋଡି ହେଲା ନାହିଁ।ଡାକ୍ତର ଅପରେସନ ପାଇଁ କହିଲେ।ଅପରେସନ ନ କଲେ ସାରା ଜୀବନ ଆଉ କୁଲୁ ଭାଇ ଚାଲିବାକୁ ସକ୍ଷମ ହେବ ନାହିଁ।ସତେକି ଆକାଶରୁ ଖସି ପଡ଼ିଲୁ ଆମେ ଭାଇ ଭଉଣୀ।ଦଇବ ଏମିତି କଷୁଛି।ଅପେରେସନ୍ ପାଇଁ ହଜାରେ ନୁହେଁ କି ଦୁଇ ହଜାର ନୁହେଁ ଲକ୍ଷ ଲକ୍ଷ ଟଙ୍କା ଦରକାର।ଏତେ ଟଙ୍କା ଆଣିବୁ କେଉଁଠୁ?


ବାପା ପଚାରୁ ନଥିଲେ ଯେତେ ବାଧୁ ନଥିଲା ଭାଇ ଅହରହ ଶୋଇ ରହିବାଟା ସେତେ ବାଧିଲା।ସେ ଭାଇ ତ ନଥିଲା; ଥିଲା ଆମର ବାପା,ମା,ସାଙ୍ଗ ସାଥୀ ସବୁ କିଛି।କଣ କରିବୁ,କେମିତି ବଞ୍ଚିବୁ କିଛି ଚିନ୍ତା କରି ପାରିଲୁ ନାହିଁ।ପାଠରେ ସଭିଙ୍କର ସବୁଦିନ ପାଇଁ ଡୋରି ବନ୍ଧା ହେଲା।ସମସ୍ତେ କାମ ଅନ୍ୱେଷଣରେ ବାହାରିଲୁ।ସେତେବେଳେ ଶିଶୁ ଶ୍ରମିକ ଉପରେ କଡା କଡ଼ି ନିୟମ ଲାଗୁ ହୋଇ ନଥିଲା।ପିଲାଙ୍କୁ ଘରେ,ଦୋକାନ,ହୋଟେଲରେ ରଖି ବାବୁ ଭାୟା ମାନେ ଖୁବ୍ ଜୁଲୁମ କରୁଥିଲେ ।ସେମାନେ ଚାକର ପିଲା ନାମରେ ନାମିତ ହେଉଥିଲେ।ମାଡ଼ ଗାଳି ସହି ପେଟ ପୁରା ଖାଇବାକୁ ବି ମିଳୁ ନଥିଲା।କିନ୍ତୁ ଅନ୍ୟ ଉପାୟ ତ ନଥିଲା।ବଞ୍ଚିବାକୁ ତ ପଡିବ।ଏଣୁ ମିଲୁ ଭାଇ ମୂଲ ଲାଗିବାକୁ ଗଲ।।କାହାର କୋଠା ଘର କାମ ତ;କେଉଁଠି ରାସ୍ତା କାମ କଲା।ମୁଁ ୟା ଘରେ ତା ଘରେ ବୋଲ ହାକ କଲି ଟିକେ ଠେକ ହେବା ଯାଏ।ତାପରେ ମୁଁ ବି ମିଲୁ ଭାଇ ସାଙ୍ଗେ ମୂଲ ଲାଗୁବାକୁ ଗଲି।ଆମ ଲକ୍ଷ୍ୟ ଅଧିକରୁ ଅଧିକ ଟଙ୍କା ରୋଜଗାର କରି କୁଲୁ ଭାଇକୁ କେମିତି ଭଲ କରିବୁ।ଯଦିଓ ଜଣା ଥିଲା ଏକରେ କେତୋଟି ଶୁନ ଦେଲେ ଲକ୍ଷ ହୁଏ,ହିସାବ କିନ୍ତୁ ବାରମ୍ବାର ଭୁଲ୍ ହେଉଥିଲା। ହଜାର ଟଙ୍କା ସଞ୍ଚୟ ହେବାକୁ ଖାଇ ପିଇ,ଭାଇ ଔଷଧ ଖର୍ଚ୍ଚ ବାଦେ ବର୍ଷକରେ ବି ହେଉ ନଥିଲା।ଡାକ୍ତର କହିଛନ୍ତି ପାଞ୍ଚ ଲକ୍ଷ......ହେଲେ ଅବା କୁଲୁ ଭାଇ ଠିକ୍ ହୋଇ ପାରେ।ସେଥିରେ ପୁଣି ଗ୍ୟାରେଣ୍ଟି ନାହିଁ।


କୁଲୁ ଭାଇ ଦିନ ସାରା କେବଳ ଗୋଟେ ମୁର୍ଦ୍ଦାର ଭଳି ପଡିଥିବ।ମୁଁ ତା ହାତ ପାଆନ୍ତାରେ ପାଣି ଓ ଯାହା ଖାଇବା ରଖି ଦେଇ ଯାଏ।ଘୁଷୁରି ଘୁଷୁରି ସେ ଝାଡାପରିସ୍ରା କରେ।ପେଟେଇ ଶୋଇ ପଡି ସାପ ପରି ମୁଣ୍ଡ ଟେକି ଜୁଳୁ ଜୁଳୁ ଆକୁଳରେ ଅନାଏ।


ଆମେ କାମରୁ ଫେରିଲେ ଭାଇକୁ ଉଠାଉ।ତେଲ ଟିକେ ଘଷି ଦେଉ।ଭାଇ ଖାଲି କାନ୍ଦେ।କାହିଁକି ମରି ଯାଉନି କୁହେ।ମୋ ମୁଣ୍ଡ ଆଉଁସି ଦେଇ କୁହେ ଅଫିସର କରିବି ଭାଇ ଭଉଣୀଙ୍କୁ ଚାହିଁ ଥିଲି।ହେଲେ ଦେଖ କେତେ ସଳଖ ଆମ ଜୀବନ।କି ଭାଗ୍ୟ ନେଇ ଜନ୍ମ ହୋଇଛେ।ମୁଁ ବଡ଼ ଭାଇ ହୋଇ ତୁମ ଉପରେ ବୋଝ ହୋଇଛି।ମୋ ସୁନା କଣ୍ଢେଇ ରାଣୀ ମୂଲ ଲାଗି ତା ଭାଇକୁ ପୋଷୁଛି!ଧିକୄ ,ଶତ ଧିକୄ ମୋ ପରି ଭାଇକୁ।


ତୋର ଦୋଷ କଣ ଭାଇ।ଆମ ପାଇଁ ତ ତୋର ଏ ଅବସ୍ଥା।ହିଁନ କପାଳ ନେଇ ଆମେ ଜନ୍ମ ନେଇଛେ।ଠାକୁର ଫାକୁର କିଛି ନାହାନ୍ତି।ନେଲେ କି ମା କୁ ମାରିଲେ,ବାପା ସ୍ନେହ ଆଦର ଓ କର୍ତ୍ତବ୍ୟରୁ ବଞ୍ଚିତ କଲେ।ଭାଇଟି ଯିଏ ଆମ ମୁଣ୍ଡ ଉପରେ ଖରା ବର୍ଷାରୁ ଛତା ହୋଇ ରକ୍ଷା କରୁଥିଲା;ଶେଷରେ ତାକୁ ପଙ୍ଗୁ କରିଦେଲେ??ସଂସାର ଯାକର ଦୁଃଖ ଆମକୁ ଦେବାକୁ ତାଙ୍କ ମନ ବଳିଲା।ସେଇଥି ପାଇଁ ଠାକୁର ଫାକୁର ମୁଁ ପୂଜା କରେନି କି ବିଶ୍ୱାସ କରେନି।


କୁଲୁ ଭାଇ ମୋ ପାଟିରେ ହାତ ଦେଇ କୁହେ ସେମିତି କହନା ଲୋ ଲିଲୁ।ଠାକୁର ରାଗିବେ।


ରାଗନ୍ତୁ.......କଣ ଆଉ ଅଧିକଟା କରିବେ।କିଛି ବାକି ଆଛି ଆମ ସହିବାକୁ.....


ଭାଇ ମୋତେ ଦେଖି ଭାରି ଭୟ ହୁଏ।ମୋତେ ମନା କରେ ମଜୁରୀ ଲାଗିବାକୁ ଯିବାକୁ।କାହିଁକି ନା ଖରା ତରାରେ କାମ କଲେବି ମୋ ଦେହରେ ଯୌବନ ଫୁଟି ଉଠେ ସମୁଦ୍ର ଢେଉ ପରି।ଏମିତିରେ ତ ମୁଁ ଦେଖିବାକୁ ବାର୍ବୀ କଣ୍ଢେଇ ପରି।ଭାଇ ସବୁବେଳେ ତାଗିଦା କରେ ହୁସିଆର ଥିବୁ ଲିଲୁ।ଗରିବ ମାଇକିନିଆ ସଭିଙ୍କ ଶାଳୀ ଲୋ କଣ୍ଢେଇ।ତୋର ଯେଉଁ ରୂପ ଓ ବୟସ କେତେବେଳେ କଣ ହେବ କହି ହେବ ନାହିଁ।ଶାଗୁଣା ପଲଙ୍କ ଅଭାବ ନାହିଁ ଆମ ସମାଜରେ।ସେଥିରେ ପୁଣି ଆମେ ଚାରି ଦଉଡ଼ି କଟା।


ଭାଇ କଥା ଶୁଣି ମୋ ମନ କୁଂଢ଼େ ମୋଟ ହୋଇଯାଏ।ଆଇନାରେ ନିଠେଇ ନିଠେଇ ଦେଖେ ନିଜକୁ।ସତରେ ତ ସଜ ବାଜ ହୋଇ ପଡିଲେ କେହି ଗୋଟେ ମୁଲିଆଣି ଝିଅ କହିବେ ନାହିଁ।ଥିଲା ଵାଲା ଘରର ଝିଅ ହିଁ କହିବେ।


ଆଜିକାଲି ମୁଁ ବି ଅନୁଭବ କରୁଛି ମୋ ସହ କାମ କରୁଥିବା ବୁଢ଼ାଠୁ ଟୋକା ଯାଏ ମୋତେ ଖାଇ ଗଲା ପରି ଚାହାଁନ୍ତି।ନକଲ କରି କେତେ କଣ କୁହନ୍ତି।ଦରକାର ନଥିଲେ ବି ସାହାଯ୍ୟ କରନ୍ତି।ଛାତିରୁ ଚୁନି ଖସିଗଲେ ଚଟ୍ କରି ଅନାଇଁ ହସି ଦିଅନ୍ତି।ବାଜେ ଲୋକ ଗୁଡା।ଜାଣି ଜାଣି ଦେହରେ ବାଡେଇ ହୋଇ ଯାଆନ୍ତି।ମିଲୁ ଭାଇ ଖିଙ୍କାରୀ ଉଠେ।ହେ.. କିଏ ଯଦି...ମୋ ଭଉଣୀକୁ ଆଖି ଉଠାଇ ଚାହିଁବ ତ ତା ଆଖି ତାଡି ଦେବି ହଁ.......।


ହୁସିଆର ଥିବ......।ଲିଲୁ ମୋ ଭଉଣୀ।ହାଣି ଦି ଗଡ଼ କରିଦେବି।କଣ ପାଇଲ କି?ଆମେ ଗରିବ ହୋଇ ପାରୁ।କିନ୍ତୁ ଇଜ୍ଜତ ଦାର୍।ସ୍ବାଭିମାନରେ ବଞ୍ଚୁ।ଇଜ୍ଜତ ଆମର ସବୁଠୁ ବଡ଼ ସମ୍ପଦ।


ମିଲୁ ଭାଇ ଗର୍ଜନ ଶୁଣି ସମସ୍ତଙ୍କ ମୁହଁ ତଳକୁ ହୋଇଯାଏ।କିନ୍ତୁ କାମ ଦେଉଥିବା ଲୋକର ବଦମାସୀ ହଜମ କରିବାକୁ ପଡେ।ସେଇ କାମ ଦେଉଥିବା ଲୋକର ଡାହାଣ ହାତ ଥିଲା ବ୍ରହ୍ମା।


ବ୍ରହ୍ମା ତାଛଲ୍ୟ କରି କୁହେ ହୁଁ ଇଜ୍ଜତ୍ ପୁଣି ଗୋଟେ ମୂଲିଆଣିର !!


ସତରେ ମୂଲିଆଣିର ଇଜ୍ଜତ୍ ନଥାଏ???



Rate this content
Log in

Similar oriya story from Tragedy