Satyabati Swain

Tragedy

2.5  

Satyabati Swain

Tragedy

ଇଜ୍ଜତ

ଇଜ୍ଜତ

4 mins
720


 ଭଲ ଭାବେ ସଜେଇ ହେଲି ମୁଁ । କେଶତକ ଟେକି ଟାକି ଜୁଡା ଟିଏ ପାରିଦେଲି । ଜୁଡ଼ାରେ ଗୁରେଇ ଦେଲି ରାଜନୀ

ଗନ୍ଧା ମାଲଟିଏ । ଦୁଇ ଭ୍ରୁଲତା ମଝିରେ ଆଙ୍କିଦେଲି ନାଲି କୁକୁମ ଠୋପାଟିଏ । ସତେକି ଧଳା ମେଘ ଭର୍ତ୍ତି ମୋ ମଥା ଆକାଶରେ ଉଇଁ ଆସିଲେ ବାଳୁତ ସୂର୍ଯ୍ୟ । ଟିପି ଟିପି ଚନ୍ଦନ ଅଙ୍କା ଫୁଲରେ ଚମତ୍କାର ଦିଶିଲା ମୋ ମୁହଁ । ହାଲ୍କା

ଗୋଲାପି ଲିପିଷ୍ଟିକ୍ ଲଗାଇ ଦେଲି ମୋ ଓଠରେ । ଓଠ ଦିଟା ଠିକ ପଦ୍ମ ପାଖୁଡା ଭ୍ରମ ସୃଷ୍ଟି କଲେ । ଆଖିରେ ଦେଲି କଜ୍ଜଳ ଧାର । ଗାଲରେ ଫେସ୍ ପାଉଡର ଘଷି ଦେଲି । ବେକରେ ଦି ସରି ମୋତି ଭଳି ଦିଶୁଥିବା ମାଳି ପକେଇ ଦେଲି । କୁର୍ତ୍ତି ସହ ଜିନ୍ ପ୍ୟାଣ୍ଟ ଟା ପିନ୍ଧିଲି ଯେଉଁଟା ମା ଆଣିଥିଲା ତା ବାବୁ ଘର ଝିଅଠୁ । ମା ଯେଉଁଠି କାମ କରେ ମୋ ବୟସର ଝିଅଟିଏ ଅଛି ତାଙ୍କର । ତାରି ଡ୍ରେସ ଓ ଛାଡି ଯାଇଥିବା ଖାଦ୍ୟ ଖାଇ ମୁଁ ବଡ଼ ହୋଇଛି । ବେଶ୍ ଡ଼ଉଳ ଡାଉଲ ଦିଶେ ମୁଁ । କେହି କହିବେ ନାହିଁ ମୁଁ ଜଣେ ବାସନ ମଜା ଚାକରାଣୀର ଝିଅ,ଯାହା ବାପାକୁ ବଡ଼ ରୋଗଟିଏ ମାଡି ବସିଛି । ଦୁଇ ବର୍ଷ ହେଲା ଅହରହ ଶୋଇ ରହିଛନ୍ତି ।


        ଟ୍ରକ ଡ୍ରାଇଭର ଥିଲେ ମୋ ବାପା । ଭଲରେ ଚଳୁଥିଲୁ ଆମେ । ଦିନେ ଗାଡି ପାହାଡ଼ ଉପରକୁ ପଥର ଆଣିବାକୁ ଗଲା ବାଟରେ ଖାଇରେ ଗଲି ପଡିଲା ଟ୍ରକଟି । ଟ୍ରକ ଚୁନା ହୋଇଗଲା । ମାତ୍ର ମୋ ବାପା ଗୋଟେ ଗଛ ଡାହି ଉପରେ ପଡି ଅଟକି ଗଲେ । ମରୁ ମରୁ ବଞ୍ଚିଗଲେ । କିନ୍ତୁ ମେରୁ ଦଣ୍ଡ ଆଉ କିଛି କାମ କରୁନି । ସବୁବେଳେ ବେଡ଼ରେ ଶୋଇ ରହିଛନ୍ତି । ଉଠି ପାରୁ ନାହାନ୍ତି,କି ଚଲା ବୁଲା କରି ପାରୁ ନାହାନ୍ତି । ତାପର ଠୁ ମା,ବାପା ଓ ମୋ ଦୁଇ ଛୋଟ ଭାଇ ବହୁ କଷ୍ଟରେ ଚଳୁଛୁ । ଏବେ ବାପାଙ୍କ ଯନ୍ତ୍ରଣା ଦେଖି ହେଉ ନାହିଁ । ଡାକ୍ତର କହିଛନ୍ତି ଦୁଇ ଲକ୍ଷ ଟଙ୍କା ହେଲେ ମେରୁଦଣ୍ଡ ଅପରେସନ ହେବ ।  ଦୁଇ ଲକ୍ଷ!!!!ଏକାଥରେ ଦୁଇ ବର୍ଷ ହେବ ମୁଁ ଦୁଇ ଟଙ୍କା ଦେଖିନି । ଯାହା ଯେଉଁଠି ସଞ୍ଚୟ ଥିଲା ସବୁ ବିକି ଭାଙ୍ଗି ବାପାଙ୍କ ପିଛା ଲାଗିଛି । ଏବେ ତ ଦୁଇ ଓଲି ପାଞ୍ଚ ପ୍ରାଣୀଙ୍କୁ ପେଟ ପୁରା ଖାଇବା ମିଳିବା କଷ୍ଟ । କେଉଁଠୁ ଆସିବ ଦୁ….ଇ ଲକ୍ଷ!!!


       ମୁଁ ଦୁଇ ବର୍ଷ ହେଲା ଅତି ଭଲ ରେଜାଲ୍ଟ କରି ଦଶମ ପାସ୍ କରିସାରିଛି । ଇଚ୍ଛା ତ ବହୁତ ପଢିବାକୁ ଥିଲା । କିନ୍ତୁ ମୋ ପାଠରେ ସବୁଦିନ ଡୋରି ବାନ୍ଧି ଦେଲି । ଯେଉଁଠି ଖାଇବା ଚିନ୍ତା ସବୁବେଳେ ଘାରେ, ସେଠି ପଢା କଥା ଉଠୁଛି କେଉଁଠି!!କଣ କରିବି!!ଏବେ କେବଳ ଗୋଟିଏ ଚିନ୍ତା ବାପା କେମିତି ଭଲ ହେବେ…


       ମୋ ସାଙ୍ଗ କହିଛି ସଜବାଜ ହୋଇ ସେଇ ଯେଉଁ ଅଚଳ ବସ୍ ଓଭର ବ୍ରିଜ ତଳେ ଠିଆ ହୋଇଛି,ସେଠି ବଢ଼ିଲା ରାତିରେ ଠିଆ ହୋଇ ଓଠ କାମୁଡି ଗୋଡ଼ରେ ଗୋଡ଼ ଘଷିଲେ ଖୁବ ରୋଜଗାର ହେବ ।       କେମିତି!! ମୁଁ ପଚାରିଲି

       ଆରେ ଦେହ ଦେବୁ ମାଲ ଲୁଟିବୁ?

ମାନେ!!ମୋ ଆଖି ଓ ମନରେ ମେଞ୍ଚାଏ ସନ୍ଦେହ ।


       ଡୋଣ୍ଟ ବି ସିଲି ସୋନା । ତୁ ତ ରକ୍ତ ମାଂସର ସୁନ୍ଦର ତାଜା ଫୁଲଟିଏ । ରୂପ ଗୁଣରେ ମହକୁଛୁ । ବହୁତ ଭଅଁର ମିଳି ଯିବେ ତୋ ପାଇଁ । ଏହା ବଦଳରେ ସେମାନେ ଟଙ୍କାରେ ପୋତି ଦେବେ । ତୁ ତୋ ବାପାଙ୍କ ଚିକିତ୍ସା କରିବୁ ।

       ତ... ସେଇ ପାଇଁ ମୁଁ ସଜ ହେଉଛି,ମା କୁ ଲୁଚି ଲୁଚି । ମୁଁ ସୋନା ନିଜ ଇଚ୍ଛାରେ ଯାଉଛି ଦଳା ଚକଟା ହୋଇ ଶେଷ ହୋଇ ଯିବାକୁ । ମୋ ରଙ୍ଗ ଦେଖିବାକୁ ସୁନା ପରି ବୋଲି ବାପା କହିଲେ" ମୋ ଝିଅ ନାଁ ସୁନା ଦେବା । ମା କହିଲା ନାଇଁ ସେ ମରଘଟିଆ ନାଁ ଟା କଣ ଦେବା ମ । ତା ନା ନାଁ ଦେବା ସୋନମ, ସୋନା । "ବାପା ମାଙ୍କ କଥାରେ ରାଜି ହେଲେ । ମୁଁ ହେଲି ତାଙ୍କ ଜୀବନର ସୋନା । ତାଙ୍କ ଗର୍ବ,ଗୌରବ ବି । ଗୀତ,ନାଚ,ପଢ଼ା ସବୁଥିରେ ଆଗୁଆ । କେତେ ସାଠିଫିକେଟ ବାକ୍ସ ତଳେ ପଡିଥିବେ ଏଣେ ତେଣେ । ବାପା ମୋ ସଫଳତାରେ ନିଶରେ ହାତ ମାରି କୁହନ୍ତି ଝିଅ କାହାର ନା …..ତୁ ଯେତେ ପଡ଼ିବୁ ମୁଁ ସେ ଯାଏ ପଢେଇବି । ତୁ ଖାଲି ମନ ଦେଇ ପଢ଼ ।       ଯେଉଁ ଦିନ ଦଶମ ଶ୍ରେଣୀ ରେଜଲ୍ଟ ବାହାରିଲା,ବାପା ବହୁତ କାନ୍ଦିଲେ । କହିଲେ "କ୍ଷମା କରିଦେବୁ ଝିଅ ତୋ ଅଯୋଗ୍ୟ ବାପାକୁ । କଥା ଦେଇଥିଲି ତୁ ଯେଉଁ ଯାଏ ଚାହିଁବୁ ପଢେଇବି । କିନ୍ତୁ ମୁଁ କଣ ଜାଣିଥିଲି ଦଇବ ଅହନ୍ତା ସାଜିବ ;ଆଉ ମୁଁ ପଙ୍ଗୁ ହୋଇଯିବି ସାରା ଜୀବନ!!"


          ସେଇ ବାପା…..ଯିଏ ସରଗର ଚାନ୍ଦ ଆଣି ମୋ ହାତରେ ଦେବେ ବୋଲି କହୁଥିଲେ;ଆଜି ଅସହ୍ୟ ଯନ୍ତ୍ରଣା ସହି ନ ପାରି ରଡି ଛାଡ଼ୁଛନ୍ତି । "ମୋ ପାଟିରେ ଟିକେ ବିଷ ଦେଇ ଦିଅ ମୁଁ ଆଉ ଏତେ କଷ୍ଟ ସହି ପାରୁନାହିଁ ବୋଲି"ଅନୁନୟ ବିନୟ ହେଉଛନ୍ତି । ଜା ବି ହେଉ ମୁଁ ବାପାଙ୍କୁ ଭଲ କରିବି । କିଛି ତ କରିବାକୁ ପଡିବ ମୋତେ । ଭାଇ ଦିଟା ତ ଗୋଟିଏ ନଅ ବର୍ଷର, ଅନ୍ୟଟି ସାତ ବର୍ଷର । ସେମାନେ ତ ଛୁଆ କଣ ବା କରି ପାରିବେ । ମା ସେତ ଯଥାସାଧ୍ୟ ଚେଷ୍ଟା କରୁଛି ଦୁଇବେଳା ଦି ମୁଠା ଖାଇବା ଯୋଗାଡ଼ ପାଇଁ । ବାକି ମୁଁ ପିଲାଙ୍କ ଭିତରେ ବଡ଼ । ଯାହା କରିବି ମୁ ହିଁ କରିବି ।  ଧୀରେ କି କବାଟ ଖୋଲି ରାତି 12ଟାରେ ସୁନା ଯାଉଥିଲା ନିଜକୁ ଚକଟି ଦେବାକୁ । ପଛରୁ ଟାଣି ଧରିଲା କେହି ଜଣେ ।


      ଚାହିଁ ଦେଖେ ତ ମା ଠୋ କରି କଷି ଦେଲା ଚଟକଣିଟିଏ ମୋ ଗାଲରେ । ରାଗରେ ଥରୁଥିଲା ସେ । ଆଁ... କଣ ଭାବୁଥିଲୁ; ମୁଁ କିଛି ଜାଣି ପାରିବି ନାହିଁ!ସେଇ ତୋର ଯେଉଁ ଲୁସି ନାମକ ସାଙ୍ଗ ତୋତେ ଶିଖେଇ ପଟେଇଛି ନା ।

 "ଦେଖ ମା! ବିଧବା ହେବାକୁ ମୁଁ ପସନ୍ଦ କରିବି କିନ୍ତୁ ନିଲାମ ହେବାକୁ ଦେବିନାହିଁ ତୋ ଇଜ୍ଜତ । ତୋର ଏପରି ରୋଜଗାରରେ ଚିକିତ୍ସା କରିବି ନାହିଁ ତୋ ବାପାଙ୍କୁ । ଆମ ଗରିବ ଗୁରୁବାଙ୍କ ଇଜ୍ଜତ ଟା ବା ଆମର ସମ୍ପଦ ଲୋ ସୁନା । "

        ମା ଆଉ ମୁଁ ଜାଵ ପଡି ଯାଇ କାନ୍ଦୁ ଥିଲୁ ଭୋ ଭୋ ।



Rate this content
Log in

Similar oriya story from Tragedy