STORYMIRROR

Satyabati Swain

Tragedy

4.3  

Satyabati Swain

Tragedy

ହତ୍ୟାକାରୀ

ହତ୍ୟାକାରୀ

5 mins
408



ବାପା ବାପା!


ଧଡ଼ ପଡ଼ ହୋଇ ଉଠିଲେ ବିଶ୍ୱନାଥ,ବିଶୁ ପାଉଁରୁଟି ବାଲା।


କଣ ହୋଇଛି,ଏମିତି ଗର୍ଜନ କରୁଛି କାହିଁକି ପୁଅଟା !


ବାପା ଲୋକେ ଯାହା କହୁଛନ୍ତି, ସତ ?


ଲୋକେ କଣ କହୁଛନ୍ତି ?


ଲୋକେ ହଁ ଲୋକେ କହୁଛନ୍ତି ତୁମେ...


ଲୋକେ କଣ କହୁଛନ୍ତି ମୋର ଜାଣିବାର ଇଚ୍ଛା ନାହିଁ।ହେଲେ ମୋ ରକ୍ତ କଣ କହୁଛି, ସେଇଟା ଜାଣିବାର ଅଛି।କହ ତୁ କଣ କହୁଛୁ?


ସାବତ ମାର ପୁଅ ପରି ମୋତେ କାଇଁ ଏମିତି କରୁଛ?ରାସ୍ତା କଡ଼ ଜମିରୁ ମୋତେ ଅଧେ ଦିଅ। ଭାଇ ମରି ନାହିଁ ଯେ ତରି ଯାଇଛି।ମୁଁ ବଂଚିକି ପ୍ରତି ମୁହୂର୍ତ୍ତରେ ଅଭାବରେ ମରୁଛି ଯାହା। ତୁମ ରୋଜଗାରରେ ବଡ଼ ଭାଉଜ ଓ ତାଙ୍କ ପିଲାଙ୍କ ହକ୍। ରାସ୍ତା କଡ଼ିଆ ସୁନା ମୂଲ୍ୟର ଜମି ଉପରେ ବି ସେଇ ମାନଙ୍କ ପାଇଁ ଘର ଠିଆ କରାଇଛ। ମୁଁ ଆଉ ମୋ ପିଲା କଣ ଅପରାଧ କରିଥିଲୁ? ନା ଲୋକେ ଯାହା କହୁଛନ୍ତି "ବୋହୁକୁ ମାଇପ କରୁଛ" ଏଇଟା ତାହେଲେ ଠିକ୍।


ସତୁରି ବର୍ଷ କାମିକା ହାତରେ ଯେତେ ଯୋର ଥିଲା ସେ ସବୁ ଏକାଠି କରି ବାପା ଠୋ କରି କଷି ଦେଲେ ଚଟକଣି ଟିଏ ମୋ ଗାଲରେ।


ହାରାମଜାଦା!


ସ୍ୱାର୍ଥପର! ଅମଣିଷ!


ଅବିବେକୀ! ଜୋରେ ଚିଲେଇ କି କହିଲେ ବାପା।


ବାପା ଥରୁଥିଲେ ଗୋଟା ସୁଦ୍ଧା ହଣା ଛେଳି ପରି।


ହଇରେ କୃଷ୍ଣ! ଭାଇ ତୋର ଯେଉଁ ବୟସରେ ମଲା ସେତେବେଳେ ଭାଉଜ ଓ ତା ଦୁଇଟି କଅଁଳ ଝିଅ ଛୁଆଙ୍କ ଆଶା ଭରସା ନ ହୋଇ ଭିନ୍ନେ କରିଦେଲୁ, ଭଲଖାଇବୁ, ଭଲ ପିନ୍ଧିବୁ, ଭଲରେ ଚଳିବୁ ବୋଲି।


ଆରେ ଅମଣିଷ ମୁଁ ଯଦି ନ ଚାହିଁ ଥାଆନ୍ତି କଣ ହୋଇଥାନ୍ତା ତାଙ୍କ ଅବସ୍ଥା। କଂସେଇ , ରାତି ଅଧରେ ଘରୁ ବାହାର କରିଦେଇ କବାଟ କିଲି ଦେଲୁ। କେମିତି ତୋ ଆତ୍ମା ତୋତେ ସ୍ୱୀକୃତି ଦେଲା!


କଣ କରିଥାନ୍ତା ଗଜା ପୁଅକୁ ହରେଇଥିବା ଅଭିଶପ୍ତ ବାପାଟା।


ପୁରୁଷ ର ଏ କି ଅସହାୟ ତା । କାହାକୁ ସେ ମନ ଭରି ସ୍ନେହ ଦେଇ ପାରିବ ନାହିଁ ! ପୁରୁଷ କଣ ସବୁବେଳେ ଜଣେ ପୁରୁଷ, ପଶୁ। ସେ ବାପା କି ଶଶୁର, ଭାଇ, ଦାଦା, ମାମୁଁ ,ବନ୍ଧୁ ହୋଇ ପାରିବ ନାହିଁ ! ଟିକିଏ ଆତ୍ମୀୟତା ଦେଖାଇଲେ ଏ ଲୋକଙ୍କ ଚକ୍ଷୁଶୀଳ କାହିଁକି ହୁଏ?


ବୋହୂକୁ ଝିଅ ପରି ସ୍ନେହ କଲେ ତୋ ପରି ଚଣ୍ଡାଳ ଓ ସମାଜ କାହିଁକି କୁ ଦୃଷ୍ଟି ରେ ଦେଖେ?


ଆରେ ହତଭାଗା! ଶାଶୁ ଶଶୁରଙ୍କ ପାଇଁ ବୋହୁ ,

ବୋହୁ ନୁହେଁ ବୋଉ ହୋଇଥାନ୍ତି।


ପାପିଷ୍ଠ! ଲୋକଙ୍କ ଆଳରେ ତୁ କାହାକୁ ସନ୍ଦେହ କରୁଛୁ! 


ଅରକ୍ଷିତଙ୍କ ପରି ଭସେଇ ଦାଣ୍ଡ ମଝିରେ ବସେଇ ଦେଲୁ ମା ସମାନ ବଡ଼ ଭାଉଜ ଓ ତା ଛୁଆଙ୍କୁ।


ମୁଁ ବାପ ରେ... । କେମିତି ସହିଥାନ୍ତି ,ମୋ ଆଖି ଆଗରେ ମୋରି ଛୁଆଙ୍କ କଷଣ!


ଭଙ୍ଗା ଅଣ୍ଟା ସଳଖି ବୁଢା ବୟସରେ ଝିଅ ଛୁଆ ଦିଟାକୁ ବଞ୍ଚିବାକୁ ଆଶ୍ରା ଦେଲି। ପର ଘରେ ମଜୁରୀ ଖଟିଲି।ସେମାନେ ସଳଖ ଭାଗ୍ୟ ନେଇ ଜନ୍ମ ହୋଇଛନ୍ତି। ପାଣି ତୋରାଣି ପିଇ ଆଜି ନିଜ ଗୋଡରେ ଠିଆ ହୋଇ ଛନ୍ତି।ତୋ ଦେହ ସହୁ ନାହିଁ ଯେ ଏମିତି କହୁଛୁ। ମେହେନତି ଭାଉଜଟି ତୋର। ଦଇବ ତାକୁ ମାତ୍ର ସତେଇଶି ବର୍ଷରେ ବିଧବା କଲା। ସେ ଚାହିଁ ଥିଲେ ଅନ୍ୟତ୍ର ବିବାହ କରି ପାରି ଥାନ୍ତା। ମାତ୍ର ସୁଶୀଳା,ସଂସ୍କାରୀ,ଗୁଣର ଝିଅଟା।


ସବୁ ଦୁଃଖକୁ ପିଠିରେ ଗଣ୍ଠିଲି ପରି ପକାଇ ତପସ୍ୟା କରୁଛି। ତା ପିଲା ଦୁଇଟା କେମିତି ମଣିଷ ହେବେ ସେଇ ନିଶା ଛଡା ଆଉ କିଛି ଭାବିନି।


ତୁ ମାଇପ ବୁଦ୍ଧିଆ! ଯେଉଁ ଦିନ ସ୍ତ୍ରୀ ବୁଦ୍ଧି ରେ ପଡି ବଡ଼ ବୋହୁ ଓ ଛୁଆ ଦି ଟାଙ୍କୁ ଖାଇବା ପିଇବାକୁ ନ ଦେଇ ଦାଣ୍ଡକୁ ପେଲି ଦେଲ ଟିକିଏ ଭାବିଲୁ ନାହିଁ ଯୁବତୀ ଭାଉଜଟି ତୋର ଦିଅଟା କଅଁଳ ଛୁଆଙ୍କୁ ନେଇ କୁଆଡେ ଯିବ? କେଉଁଠି ରହିବ? କଣ ଖାଇବ?


ତା ସହିତ ମୋତେ ବି ତଡି ଦେଲୁ। ବାପା ; ମୁଁ କୁଆଡେ ବଡ଼ ପୁଅ ଭାଗରେ। ହଇରେ ବଡ଼ ପୁଅ ତ ନଥିଲା। ତୁ ଭାଗ କାହା ସହ କରି ମୋତେ ବି ପର କଲୁ? ତୁ ପରା ମୋ ଜୀବନ କୃଷ୍ଣ!


କାମିକା ବଡ଼ ପୁଅଟି ମୋର ଘଡ଼ ଘଡି ପଡ଼ି ମରିବା ବର୍ଷେ ନପୁରୁଣୁ ତୁ ଭିନ୍ନେ ହେଇ ଗଲୁ। ଏବେ କି ଜମି ଚାହୁଁଛୁ ?ଘର ଢ଼ିହ ଜମି ବାଡ଼ି ସବୁତ ତୁ ଅକ୍ତିଆର କରିଛୁ? ମୁଠେ ଧାନ କି ଚାଉଳ ଦେଉ ବଡ଼ ଭାଉଜକୁ?


ବଡ଼ ବୋହୁ ପର ଘରେ ପାଇଟି କରି, ସିଲେଇ

ମେସିନ ପକାଇ ଦିନ ରାତି ଏକା କରି ପଲାରୁ ଏବେ ଏବେ ଇନ୍ଦିରା ଆବାସ ପାଇ ଦି ବଖରା ଘର କରିଛି। ସେ ଦେବୀ। ଯାହା ଧରୁଛି ସୁନା ପାଲଟି ଯାଉଛି।


ଆଉ ତୁ......ଘରଭଙ୍ଗା, ପରବୁଦ୍ଧିଆ, କୋଢ଼ିଆ,

ଗଂଜୋଡ, ଭୋକ ବିକଳରେ ତାଟିଆ କାମୁଡୁଛୁ। ଛକରେ ମୋ ଜୀବନର ସମସ୍ତ କମେଇଁ ନେଇ ଦୋକାନ ଟିଏ ଦେଲି। ବଡ଼ ଭାଇ କି ଭାଉଜ ପ୍ରତି ବାଦ କରିଥିଲେ? ସ୍ତ୍ରୀଟା ତୋର ଗାଁ ସାରା ବୁଲି ବୁଲି ତାସ ଖେଳିବ, ଭଲ ଖାଇବ, ଫେସନ ହେବ, ଟିଭି ସିରିଆଲ ଦେଖିବ, ଭଙ୍ଗୀ ଭଙ୍ଗୀ ଫୋଟୋ ଛାଡିବ ଫୋନ୍ ରେ।

ସେ ଅଛି ତୋ ଆୟତ

୍ତ ରେ ?


ଝିଅଟି ତ ତୋର ବୟସ ନ ହେଉଣୁ ଛତରା ଟୋକାଟା ସାଙ୍ଗେ ପଳାଇଲା। ପୁଅଟି ବାନା, ବାତେରା। ବାପା ମା ଯାହା ହେଲେ ପିଲା ସେଇଆ ଶିଖିଲେ। ଏବେ ଏମିତି ହେଲେ କଣ ହେବ!!


ହଇରେ କ.... ଣ, କ....ଣ, କରିଛୁ ଭିନ୍ନେ ହୋଇ କହିଲୁ ପୁଅ??


ସେତେ ବେଳେ ବଡ଼ ଭାଉଜ ତା ଛୁଆ , ଏ ଡାଇବେଟିସ ବୁଢା ବାପା ସମସ୍ତେ ବୋଝ ଲାଗୁଥିଲେ।ଏବେ କାହିଁକି ଜଳୁଛୁ??


ମୁଁ ସାମାନ୍ୟ ଜଣେ ଗାଁ ଗାଁ ବୁଲି ପାଉଁରୁଟି ବିକାଳୀ। ସାଇକେଲ୍ ପେଲି ପେଲି ବୟସ ପଣ ରଦି କରି ଦେଇଛି।କହିଲୁ କେବେ ତୁମକୁ ଅଭାବ ଅନୁଭବ କରିବାକୁ ଦେଇଛି।ପାଠ ପଢ଼ି ଭଲ ମଣିଷ ହେବୁ କଣ କଲେଜ ପଢା ନ ସରୁଣୁ ଝିଅଟିଏ ନେଇ ଆସିଲୁ।କହିଲୁ ବାବୁ କହିଛି କିଛି।ବରଂ କେମିତି ଭଲରେ ଚଳିବୁ ସେଥିପାଇଁ ଦୋକାନ କରି ବସେଇଲି।ତୁ ଓ ତୋ ମୁଖୁରା ସ୍ତ୍ରୀ ଖଟ ଖାଇ ଖଟୁଲି ବି ଚଳୁ କରିଦେଲ।ଆଜି ସିନେମା, କାଲି ପିକନିକ କେତେ କଣ କରି ମୋର ସବୁ କମେଇଁ ଉଡେଇ ଦେଲ।ପୁଣି ଜମି ଦୁଇ ଗୁଣ୍ଠ ବିକି ଦୋକାନଟି ସଜାଡ଼ିଲରୁ ଏବେ ତୋ ହାତ ପାଟିକୁ ଯାଉଛି।


ଯେତେ ବେଳେ ତୋ ଭାଇ ଜନ୍ମ ନେଲା ସତେକି ମୋ ଅଭାବୀ ଘର ଆନନ୍ଦ ଧନରେ ପୁରି ଉଠିଲା। ନାଁ ତାର ସେଇଥିପାଇଁ ରଖିଥିଲି" ଜୀବନ ଧନ"।ସେ ତ ମୋତେ ସାରା ଜୀବନ କନ୍ଦାଇ ଗରିବ କରି ଠକି ଦେଇ ଗଲା।


ଆଉ ତୁ ଯେତେ ବେଳେ ଜନ୍ମ ହେଲୁ,ଭାବିଲି "ଇଏ ମୋତେ ସଂସାରର ସବୁ ସୁଖ ଅଜାଡି ଦେବ,ମୁଁ ନନ୍ଦ ,ଇଏ ମୋ କଳା କହ୍ନେଈ।ଏଣୁ ତୋ ନାଁ ଦେଲି "ଜୀବନ କୃଷ୍ଣ"।


ପୁଅରେ ପିଲାଟିଏ ଜନ୍ମ ହେଲେ ବାପା ମା କି ଖୁସି ହୁଅନ୍ତି,କେତେ ସ୍ୱପ୍ନରେ ଭାସନ୍ତି ତୁ କି ଜାଣିବୁ!ପିଲା ବଡ଼ ହେବ।ମଣିଷ ହେବ।ମୋ ପରି କଣ ପାଉଁରୁଟି ବିକିବ।?ନା ନା ସେ ପଢିବ, ବାବୁ ହେବ ବାବୁ।ଗରିବଙ୍କ ପାଖେ ସ୍ୱପ୍ନ ତ ଗଦା ଗଦା।


ହେଲେ ତୁ ଟା ଏଡ଼େ ପାଷାଣ୍ଡ,କୁଳାଙ୍ଗାର!


ସାମାନ୍ୟ ଖଣ୍ଡେ ଜମି ପାଇଁ ତୋ ବାପର ଚରିତ୍ରକୁ ସନ୍ଦେହ କରୁଛୁ !ମୋ ଝିଅ ପରି ଦେବୀ ପ୍ରତିମା ବୋହୂକୁ ମୋ ନାଁରେ ଯୋଡି ....ଛି....ଛି।ପର ଲୋକଙ୍କ କଥା ଏତେ କାଟେନି ଯେତେ ନିଜ ଲୋକ କଥା କାଟେ।


ତୁ ମୋ ଜୀବନର କୃଷ୍ଣ ନ ହେଇ କଷ୍ଟ ହେଇଗଲୁ........।


ଚାଣ୍ଡାଳ...ତୁ କଣ ବୁଝିବୁ ଗଜା ପୁଅ ମରିଗଲେ ତା ବିଧବା ସ୍ତ୍ରୀକୁ ଦେଖିଲେ କେମିତି ଛାତି ଫାଟିଯାଏ।ସେତେ ବେଳେ ସେ ଆଉ ବୋହୁ ନୁହେଁ ବୋଉ ହେଇଯାଏ ଅବା ହତଭାଗୀ ଜନ୍ମିତ ଝିଅ। ତା ନୀରବ ଆଖିର ଭାଷା,ତା ନିଃଶବ୍ଦ ହୃଦୟ ଗୁମୁରା ବ୍ୟଥା ଗୋଟିଏ ପିତୃପ୍ରାଣକୁ କିପରି ହାତୁଡିରେ ପିଟେ ଅହରହ!! ସେ କଷ୍ଟ ମୋ ପରି ବାପାମାନେ ହିଁ ଉପଲବ୍ଧି କରି ପାରିବେ।


ତୋର ତ ହୃଦୟ ନାହିରେ କୃଷ୍ଣ!ତୁ କି ବୁଝିବୁ ପିତୃତ୍ୱ ମାତୃତ୍ୱର କରୁଣ ଦୁଃଖ!!ଶେଷ ଆଡକୁ ବାପାଙ୍କ କଣ୍ଠ ରୁଦ୍ଧ ହେଇ ଆସିଲା।


ଏତକ କହୁ କହୁ ବାପା ଗଛ କାଟିଲା ପରି କଚାଡି ପଡିଗଲେ ଚଟାଣରେ।ଶୁଭୁଥିଲା କିନ୍ତୁ ପଡିବା ଶବ୍ଦଟି।


ରାଗରେ ତମ୍ପ ସାପ ପରି ଫଁ ଫଁ ହୋଇ ଏକମୁହାଁ ବାହାରି ଆସିଲି ମୁଁ।ଟିକେ ଅନାଇଁଲି ନାହିଁ,ବାପା ପଡିଗଲା ପରେ କଣହେଲା?ଚେତା ଥିଲା କି ନାହିଁ।ଭାଉଜ କି ପିଲା କେହି ଘରେ ନଥିଲେ।


ସନ୍ଧ୍ୟାରେ ଘରକୁ ଆସିଲା ବେଳକୁ ବୋଉ; ଭାଗ ବଣ୍ଟାରେ ଯାହାକୁ ମୋ ପିଲାଛୁଆଙ୍କୁ ଧରିବ, ଘର କାମ ଧନ୍ଦା କରିବ, ଛୁଆ ପିଲା ସମ୍ଭାଳିବ,ବାରି ଘର ନିଘା ରଖିବ ବୋଲି ନିଜ ପାଖରେ ରଖିଥିଲି ,ସେଇ ବୋଉ କାନ୍ଦି କାନ୍ଦି କହୁଥିଲା"କୃଷ୍ଣରେ! ତୋ ବାପାଙ୍କର କଣ ହେଇ ଯାଇଛି।ପଡିକି ଗୋଡ ହାତ ଛିଣ୍ଡି ଯାଇଛି।କଥା କହି ପାରୁ ନାହାଁନ୍ତି। ଚାଇଲୁ ଟିକେ ଦେଖି ଆସିବା"।


କେମିତି ଗୋଟେ ଅଶ୍ୱସ୍ତି ବୋଧ ଲାଗୁଥିଲା।ଛାତିଟା କଣ ହୋଇଗଲା।ନିଃଶ୍ବାସ ନେବାରେ ବହୁତ କଷ୍ଟ।ବାପାଙ୍କୁ ଭାରି କାଟିଛି ତା ଅପଦୁଆ"ବୋହୁକୁ ମାଇପ କରିବା"।ଯେ କୌଣସି ସଚୋଟ ଲୋକକୁ ବାଧିବ ନିଶ୍ଚିନ୍ତ। ଭାବିଥିଲି ଆତ୍ମାକୁ ବାଧିଲା ପରି କଥା କହିଲେ, ରାସ୍ତା ପାଖ କିଆରୀରୁ ମୋତେ ଅଧେ ଦେବେ। ବୀର ନନା କହିଛନ୍ତି ଗୁଣ୍ଠ ପାଞ୍ଚ ଲକ୍ଷ ଦେଇ କିଣି ନେବେ ବୋଲି। ପଇସା ଲୋଭରେ କି କଥା କହିଲି ସତୁରୀ ବର୍ଷ ବୟସ୍କ ବାପାଙ୍କୁ!


 ଆମ ଘର ଠାରୁ ଭାଉଜଙ୍କ ଘର ପାଖା ପାଖି ଗୋଟିଏ କିଲୋମିଟର ଦୂର।


ବୋଉ ଆଖିକୁ ଭଲ ଦିଶୁ ନାହିଁ ରାତିରେ।ତାକୁ ଧରି ଟର୍ଚ୍ଚଟିଏ ନେଇ ପାଦ ଘୋଷାରି ଘୋଷାରି ଗୋଟିଏ ଗୋଟିଏ ଚାଲିଲି ଭାରି ମନରେ। ଗାଁ ଅଧରେ ହେଇଛୁ, ବେଣୁକକେଇଇ ଦଉଡ଼ି ଦଉଡ଼ି ଆସି କହିଲେ ,କୃଷ୍ଣରେ!ତୋ ବାପା ଆଉ ନାହାଁନ୍ତିରେ..


ବୋଉ ଆଁ.....କହି ମୋ ଛାତିରେ ଢଳି ପଡିଲା। ରାତି ଅଧରେ ଆମ ଗାଁ ମଶାଣୀରେ ଜଳୁଥିଲା ଦୁଇଟି ଯୁଇ।


ମୋ ଛାତିକୁ ଟିକି ଟିକି ବିଦାରି ମୋ ଅନ୍ତଃସ୍ୱର, ଆକାଶ, ପୃଥିବୀ, ପବନ ପାଣି, ଆମ ଆମ୍ବଗଛ ଯାହାକୁ ବାପା ଅତି ଭଲ ପାଆନ୍ତି, ସାଇ ଭାଇ, ମଲା ବୋଉ ଏବଂ ମୋ ପୁଅ ସତେକି ମୋତେ ଯେପରି କହୁଥିଲେ"ତୁ ହତ୍ୟାକାରୀ......, ତୁ ହତ୍ୟାକାରୀ..........ହତ୍ୟାକାରୀ।



Rate this content
Log in

Similar oriya story from Tragedy