Prasanta kumar Hota

Tragedy

3  

Prasanta kumar Hota

Tragedy

ହତଭାଗିନୀ

ହତଭାଗିନୀ

6 mins
130



ନୀଳିମା ଚିକିତ୍ସାଳୟ ଠାରୁ ଅତି ଅଳ୍ପ ଦୂରତାରେ ରହି ପ୍ରସୂତି ବିଭାଗର ଝରକା ବାଟ ଦେଇ ଭିତରକୁ ବାରମ୍ବାର ଅନାଉଥାଏ। ମୁଣ୍ଡରେ ଏମିତି ଭାବରେ ଓଢଣା ଦେଇଥାଏ ଯେ ସହଜରେ ଯେମିତି ତା ମୁହଁକୁ କେହି ଦେଖି ପାରିବେ ନାହିଁ। ଝରକାର ଉଚ୍ଚତା ସାମାନ୍ୟ ଅଧିକ ଥିବାରୁ ସେ ବେଳେ ବେଳେ ପାଦଟିକୁ ଟେକି ଠିଆ ହେବାକୁ ଚେଷ୍ଟା କରେ । ପୁଣି କଣ ପାଇଁ ଠାକୁରଙ୍କୁ ହାତ ଯୋଡି ଜୁହାର ହୁଏ ଓ କହେ ଆଉ କେତେ ଦିନ ମୋତେ କଷ୍ଟ ଦେବ। ସହି ସହି ଅସହ୍ଯ ହେଲାଣି 

ପରିମଳ ଏ ଦୃଶ୍ୟ ଦେଖି ନୀଳିମାର ପଛପଟୁ ଆସି ଠିଆ ହେଇଗଲେ। ନୀଳିମା ର ଦୃଷ୍ଟି ପଡିଯିବା କ୍ଷଣି ସେ ଡରିଗଲା । ତରତର ହୋଇ ପଳାଇ ଯିବାକୁ ବାହାରୁ ଥିଲା ପରିମଳ ପଛରୁ ଡାକି ଅଟକାଇ ଦେଲେ। ନୀଳିମା ନେହୁରା ହେଇ କହିଲା ମୋର ଡେରି ହେଇ ଯାଉଛି ମୋତେ ଛାଡି ଦିଅନ୍ତୁ। ଆରେ ତମେ ଡରୁଛ କଣ ପାଇଁ। ମୁଁ କଣ ତମକୁ ଅଟକାଉଛି ନା ଗାଳି ଦେଉଛି। ତମେ କଣ ଦେଖୁଥିଲ ଏଠି ପଚାରୁଛି। ନୀଳିମା ପୁଣି ଥରେ ସେମିତି କାକୁସ୍ଥ ହୋଇ କହିଲା ଆଉ ଏପଟକୁ ଜମା ଆସିବିନି। ମୁଁ ଯାଉଛି। ତମେ ଏତେ ଉଦବିଗ୍ନ କଣ ପାଇଁ? ପରିମଳ ପଚାରିଲେ। ଏଠିକି ଆସିବାକୁ ମୁଁ କାହିଁକି ମନା କରିବି। ମୋର କିଛି ଆପତ୍ତି ନାହିଁ। କିନ୍ତୁ ତମେ ଏଠି କଣ ଦେଖୁଥିଲ। ନୀଳିମା ଅପରିଚିତ ବ୍ୟକ୍ତି ଠାରୁ ଏପରି ପ୍ରଶ୍ନ ଶୁଣି ପୁରା ଭୟ ପାଇଥାଏ। ଭୟରେ ବୁଦ୍ଧି ଶୂନ୍ୟ ହେଇ କହି ପକାଇଲା - ମୋର ମାଉସୀ ଜଣେ ଆସିଥିଲେ ସାଙ୍ଗରେ ତାଙ୍କୁ ଖୋଜୁଛି  ଆରେ ଏମିତି କଣ କିଏ ଖୋଜେ। ସାମନା ପଟକୁ ଆସି ଖୋଜ। କିଏ ଜାଣିଥିଲେ ବି କହି ଦେଇପାରେ।  ନାଇ ଥାଉ। ମୁଁ ଯାଉଛି। ସେ ନିଜେ ଆପେ ପଳେଇ ଆସିବେ। ଏତିକି କହି ନୀଳିମା ଯିବାକୁ ବାହାରିଲା। ପରିମଳ ବି ତାର ପଛେ ପଛେ ଚାଲିଲେ। କିଛି ବାଟ ଯିବା ପରେ ନୀଳିମା ପଛକୁ ବୁଲି ଚାହିଁଲା, ସେ ତଥାପି ଆସୁଛନ୍ତି। ରହିଯାଇ କ୍ଷଣେ କହିଲା - ଆପଣ ମୋ ପଛରେ କାହିଁକି ଆସୁଛନ୍ତି। ନୀଳିମା ର ମୂଖ ମଣ୍ଡଳରେ ଆଶଙ୍କା ର କଳା ବାଦଲ ଘୋଡେଇ ହେଇ ଯାଉଥିଲା। 

ପରିମଳ କହିଲେ - ସତ କହିବି ନା ତମ ପରି ମିଛ କହିବି। ନୀଳିମା ଚମକି ପଡ଼ିଲା। ଭାବିଲା ଇୟେ କଣ ସବୁ ଜାଣି ପାରିଛନ୍ତି ନା କଣ! ଆଶଙ୍କା ରେ ମନ ବିଷାଦଗ୍ରସ୍ତ ହେଇଗଲା। କଣ କରିବ ଜାଣି ପାରିଲାନି। ପୁଣି ଥରେ ପ୍ରଭୁ ଙ୍କ ଉଦ୍ଦେଶ୍ୟରେ କହିଲା ଆଉ କେତେ ଦିନ ମୋତେ କଷ୍ଟ ଦେବ। ସହି ସହି ଅସହ୍ଯ ହେଲାଣି । କିଛି ତ କର ପ୍ରଭୁ ମୋ ପାଇଁ। ଦରକାର ପଡ଼ିଲେ ଏ ଜୀବନ ପଛେ ତୁମେ ନେଇଯାଅ। ପରିମଳ ଉତ୍ତର ଅପେକ୍ଷାରେ ନୀଳିମାକୁ ଚାହିଁ ରହିଥାନ୍ତି। କୌଣସି ପ୍ରକାରେ ଡରକୁ ମନ ଭିତରେ ଚାପି ପଚାରିଲା - ମୁଁ କଣ ମିଛ କହିଲି !


- ସେଇଟା କଣ ତମେ ଜାଣିନ। ତମେ ଆଜକୁ ସାତ ଦିନ ହେଲାଣି ଏଠି ଝରକା ବାଟେ କଣ ଦେଖୁଛ। ନିଶ୍ଚୟ ନିଜ ପିଲାକୁ ଦେଖୁଥିବ.। ଏତେ ବ୍ୟାକୁଳତା ଗୋଟିଏ ମାଆ ଛଡା ଆଉ କାହାର ଆସିବ। ତମେ ଜାଣିଛ ଏଇ ସରକାରୀ ଚିକିତ୍ସାଳୟରେ ଜଣେ ପିଲା ଜନ୍ମ କରି ସାତ ଦିନ ହେଲାଣି କୁଆଡ଼େ ପଳେଇଛି। ତାର ଯତ୍ନ ନେବାକୁ ସେମାନେ କେତେ ହଇରାଣ ହେଉଛନ୍ତି। ସେ ପିଲା ନିଶ୍ଚୟ ତମର।ତମକୁ ଦେଖିଲେ ସେମାନେ ନିଶ୍ଚୟ ଚିହ୍ନି ପାରିବେ। ସେଥିପାଇଁ ତମେ ଏମିତି ଲୁଚି ଲୁଚି ଆସୁଛ। 

ନୀଳିମା ହାତ ଯୋଡି ଚୁପ୍ ରହିବା ପାଇଁ କହିଲା। ଆପଣ ମୋ ସହ ଆସନ୍ତୁ ମୁଁ ବାଟରେ ସବୁ କହିବି। 

ପରିମଳ ନୀଳିମା ସହ ମିଶି ଚାଲିବାକୁ ଲାଗିଲେ। 

ନୀଳିମା କହିଲା ମୋ ମାମୁଁ ପୁଅ ଭାଇର, ଲିବିୟାରେ ଚାକିରି ହେଇଥାଏ ବୋଲି ଆମେ ସମସ୍ତେ ତାଙ୍କ ଘରକୁ ଯାଇଥିଲୁ। ଥରେ ମୋତେ ଏକାନ୍ତରେ ପାଇ ଛାତ ଉପରେ ସେ ଭାଇ ମୋ ସହ ଦୁଷ୍କର୍ମ କଲା। କହିଲା - ଚିନ୍ତା କରନା, ମୁଁ ଲିବିୟାରୁ ଫେରିଲେ ତୋତେ ନେଇଯିବି। ମୁଁ ସବୁ ପ୍ରକାର ଚିନ୍ତା ରେ ଘାରି ହେଇ କିଛି କାହାକୁ କହି ପାରିଲି ନାହିଁ। ପେଟରେ ଛୁଆ ରହିବାର ଜଣା ପଡିବା ମାତ୍ରେ ଘରେ ଭାଳେଣି ପଡିଗଲା। ସମସ୍ତେ ମୋତେ ଭର୍ତ୍ସନା କରିବାକୁ ଲାଗିଲେ। ମାମୁଁ ପୁଅ ଭାଇ ଏ କାମ କରିଛି କହିବା ପରେ ମଧ୍ୟ କେହି ଏ କଥାକୁ ବିଶ୍ୱାସ କଲେ ନାହିଁ। କିମ୍ବା ବିଶ୍ୱାସ କରୁଥିଲେ ବି ବଡଘର ବୋଲି ହଠାତ୍ କିଛି ନବୁଝି କହିବାର ସାହାସ ପାଇଲେ ନାହିଁ। 

ପୁରା ପରିବାର ବଦନାମ ହେଇଯିବା ଭୟରେ ସମସ୍ତେ ଚିନ୍ତା ରେ ଥାଆନ୍ତି। କିଛି ଦିନ ପରେ ମୋ ବାପା ଦିନେ ସାହାସ ସଞ୍ଚୟ କରି ମାମୁଁ ଙ୍କୁ କହିଦେଲେ - ମୁଁ ପୋଲିସ କେସ କରିଦେବି। ଡିଏନଏ ଟେଷ୍ଟ ରୁ ସବୁ ସତ ଜଣା ପଡିଯିବ। ଯଦି ମୁଁ ବଦନାମ ହେବି ତମେ କାହିଁକି ଶାନ୍ତି ରେ ରହିବ। ବୋହୁତ ପାଟିତୁଣ୍ଡ ଚାଲିଲା ପରେ ସେମାନେ କହିଲେ ଠିକ୍ ଅଛି ପିଲାକୁ କୌଣସି ଗୁପ୍ତ ଯାଗାରେ ଜନ୍ମ କରେଇ ଛାଡି ଦିଅ ଯେମିତି କେହି ଜାଣି ପାରିବେ ନାହିଁ। କାହା ପରିବାରରେ ବି ଆଞ୍ଚ ଆସିବ ନାହିଁ। ତାପରେ ସେମାନେ ମୋତେ ବୋହୂ କରି ନେଇଯିବେ। ପୁଅ ବୋହୂ ଲିବିୟାରେ ରହିଲେ ସମସ୍ତେ ସବୁ କିଛି ଭୁଲିଯିବେ। ବାପା ମାଆ କିଛି ଟା ଆଶ୍ଵସ୍ତ ହେଲେ। ମୁଁ ବି ଭବିଷ୍ୟତ କୁ ଚିନ୍ତା କରି ବର୍ତ୍ତମାନର କଷ୍ଟକୁ ଭୁଲିଯିବି ବୋଲି ସ୍ଥିର କଲି। ସେଥିପାଇଁ ବାପାଙ୍କର ଜଣେ ବନ୍ଧୁ ଙ୍କ ପରାମର୍ଶ ରେ ଏଠିକି ଆସି ଡେଲିଭରି କଲି ଓ ଯୋଜନା ଅନୁସାରେ ଚିକିତ୍ସାଳୟରୁ ଲୁଚି ପଳେଇ ଆସିଲି। ମାଆର ସ୍ଵାର୍ଥ ପାଇଁ ପୁଅର ସ୍ଵାର୍ଥ ବଳି ଦେବାକୁ ମୋର ଜମା ଇଛା ନଥାଏ। କିନ୍ତୁ ପୁଅକୁ ଆଣିଲେ ତାକୁ କୁଆଡେ ନେବି। କିଏ ମୋତେ ରଖିବ। ଭୋକର କଷ୍ଟରେ ମୁଁ କିଛି ଦିନ ବଞ୍ଚି ଯାଇପାରେ। ପିଲାଟା ତ ଛଟପଟ ହେଇ ମରିଯିବ। ଜାଣି ଜାଣି ମାରିବା ଅପେକ୍ଷା ନିୟତି ହାତରେ ଛାଡି ଦେବାକୁ ମନସ୍ଥ କଲି। ତଥାପି ମନଟା ବୁଝୁ ନଥାଏ ବୋଲି ଆଉ କିଛି ଦିନ ରହିବା ପାଇଁ ମଧ୍ୟ ଚିନ୍ତା କଲି। ସେଥିପାଇଁ ସବୁଦିନ ଆସି ଟିକେ ଦେଖିଦେଇ ଯାଉଛି। ପୁଅ ଚିକିତ୍ସାଳୟର କର୍ମଚାରୀ ଙ୍କ ତତ୍ଵାବଧାନରେ ଅଛି ଜାଣି ମୁଁ ପ୍ରତିଦିନ ଖୁସି ରେ ଫେରି ଯାଉଛି । ମୁଁ ଯଦି ଏ ଯାଗା ଛାଡ଼ି ପଳେଇଥାନ୍ତି ମୋତେ ଆଉ କେହି ଜାଣି ପାରି ନଥାନ୍ତେ। ମୋର ଦୁର୍ଭାଗ୍ୟ ମୋର ମାତୃତ୍ବ ମୋତେ ଟାଣି ରଖିଲା ଯୋଉଥିପାଇଁ ଆପଣଙ୍କ ହାତରେ ଧରା ପଡିଲି। 

ଆପଣ ଯଦି କିଛି ବିଭ୍ରାଟ କରିବେ ମୋର ସବୁ ଅଡୁଆ ହେଇଯିବ। 

ପରିମଳ ନିଜ ଗାମ୍ଭିର୍ଯ୍ୟରେ ସାମାନ୍ୟ ହସ ଖେଳେଇ କହିଲେ ମୁଁ କାହିଁକି ଅଡୁଆ କରିବି। ପିଲା ବି ତୁମର ଭାଗ୍ୟ ବି ତୁମର। ତୁମେ ହିଁ ସବୁ ଭୋଗ କରିବ। କ୍ଷଣିକ ଉତ୍ତେଜନାରେ ଯୋଉ ଭୁଲ କରି ସାରିଛ ସେଥିପାଇଁ ତ ବହୁତ ଦଣ୍ଡ ଭୋଗି ସାରିଲଣି। ତମେ ଯଦି ଭାବୁଛ ତମେ ଯାହା କରୁଛ ଠିକ୍ କରୁଛ ମୁଁ କେବେ ସେଥିରେ ବାଧା ଦେବିନି। କିନ୍ତୁ ମୁଁ ତମକୁ କିଛି କଥା ପଚାରିବାକୁ ଚାହୁଁଛି। 

- କଣ? 

- ମୋତେ କହିଲ ତମର ସେ ଲିବିୟା ଭାଇ ତମ ସହିତ ଫୋନରେ କଥା ହେଲାଣି। 

-ନା

-ଭଲ ମନ୍ଦ କିଛି ପଚାରୁଛି 

-ନା

- ତାପରେ ବି ତମେ ଆଶା କରୁଛ ଯେ ସେ ଆସି ତମକୁ ନେଇଯିବ। ଏତେବଡ ମିଛ ସ୍ଵପ୍ନ ରେ କେମିତି ଭାସି ପାରୁଛ। ଯିଏ ନିଜେ ପୁତ୍ର ଦେଇଛି ସେ ପୁତ୍ରକୁ ପରିତ୍ୟାଗ କରିବା ପାଇଁ କହୁଛି। ତାର ପିତୃତ୍ୱ କୁ ତମେ କେମିତି ଗ୍ରହଣ କରି ପାରୁଛ। ଯଦି ଲିବିୟା ଚାଲିଗଲେ ସମସ୍ତେ ତମକୁ ଭୁଲିଯିବେ ତାହେଲେ ଜନ୍ମିତ ପିଲାକୁ କଣ ଭୁଲି ପାରିବେ ନାହିଁ। ଏଥିରୁ କଣ ତମେ ବ୍ୟକ୍ତି ର ନିଷ୍ଠାକୁ ବୁଝି ପାରୁନ। ତମେ ଚିନ୍ତା କର ଯଦି ଏହି ବୁଦ୍ଧିରେ ତମେ ତମ ପୁଅକୁ ହରାଅ ଓ ବିବାହିତ ଜୀବନକୁ ବି ହରାଅ ତାହେଲେ ତ ତମେ କୋଉ କୂଳକୁ ରହିବନି। 

- ଆତ୍ମହତ୍ୟା କରି ମରିଯିବି। ମୋର ଆଉ ବଞ୍ଚିବା ଲାଭ କଣ। ନୀଳିମା ଆଖିରୁ ଲୁହ ଝରାଇ କହିଲା। 

-ତମେ ଭୁଲ ପରେ ଭୁଲ କରିବାକୁ ମାଡି ଚାଲିଛ। ଆତ୍ମହତ୍ୟା କରି କାହାର ଉପକାର କରିବ। ନା ନିଜର ନା ଆଉ କାହାର। ସାରା ସମାଜ ତମକୁ ଘୃଣା ଆଖିରେ ଦେଖିବ। ତମ ଆତ୍ମା ଯୋଉଠି ଥିଲେ ବି ଶାନ୍ତି ପାଇ ପାରିବନି। ଜୀବନ କୁ ସହଜ ଭାବରେ ନେଲେ ଜୀବନ ସହଜ ଲାଗିବ। ଜୀବନରେ ଲୋଭ ସ୍ଵାର୍ଥପରତା ଓ ହିଂସା ଦ୍ଵେଷ ଆଦି ମିଶାଇ ଦେଲେ ପୁଣି ସେ ଜଟିଳ ହେଇଯିବ । ତମେ ନିଜର ସ୍ଵାର୍ଥରୁ ବାହାରି ଆସ। ଦେଖିବ ସବୁ କିଛି ଜଳଜଳ ହେଇ ଦିଶିବ। ତମ ପାଇଁ ତମର ଜୀବନ ଓ ଶିଶୁ ର ଜୀବନ ଦୁଇଟି ଜୀବନ ନଷ୍ଟ ହେବାର ବୋଝ ନହେଲେ ମୁଣ୍ଡାଇବାକୁ ପଡିବ। ଆମ ପାଇଁ କାହାର ଜୀବନ ଯାଉ ଏ ଅଧିକାର ଆମର ନାହିଁ। 

- ତାହେଲେ ମୁଁ କଣ କରିବି। 

- ତମେ ତମ ପୁଅକୁ ନେଇ ଆସି ଲାଳନ ପାଳନ କର। ମୁଁ ତମର କନ୍ୟାଶ୍ରମରେ ରହିବାର ବ୍ୟବସ୍ଥା କରି ଦେଉଛି। ତମେ ମୋର ପରିଚୟ ଜାଣିନ। ମୁଁ ଜଣେ ସମାଜସେବୀ। ମୋ ନାଁ ପରିମଳ ପ୍ରହରାଜ। ଏ ଖଣ୍ଡ ମଣ୍ଡଳରେ ସମସ୍ତେ ମୋତେ ଜାଣନ୍ତି। ତମ ଯୋଗ୍ୟତା ଅନୁଯାୟୀ ମୁଁ ତମର କିଛି ଗୋଟାଏ ଚାକିରୀ ର ବ୍ୟବସ୍ଥା ବି କରୁଛି। ତମର ଚଳିବା ପାଇଁ କିଛି ଅସୁବିଧା ହେବନାହିଁ ।

ତମ ଜୀବନକୁ ସମାଜ ସେବାରେ ଉତ୍ସର୍ଗୀକୃତ କରି ଦିଅ। ହଁ ଯଦି ତମର ସେ ଲିବିୟା ଭାଇ ଆସି ତମକୁ ନେବାକୁ ଇଛା କରନ୍ତି ତାହେଲେ ତମେ ଆନନ୍ଦରେ ଯାଇ ପାର। କିନ୍ତୁ ମନେରଖ ଯିଏ ନିଜର ଭବିଷ୍ୟତ କୁ ଜାଣିବା ପାଇଁ ଖବର ନେଇ ପାରୁନି କି ଖବର ନେବାରେ ଆଗ୍ରହ ପ୍ରକାଶ କରୁନି ସେ କେବେ ବି ଆସିବ ନାହିଁ। 

ନୀଳିମା ଠପ୍ କରି ସେଇ ଯାଗାରେ ରହିଗଲା। ଆଉ ଆଗକୁ ଯାଇ ପାରିଲା ନାହିଁ। ତା ଗୋଡ ଦୁଇଟା ପଛକୁ ଫେରିବା ପାଇଁ ଉଦ୍ୟତ ହେଉଥାଏ। ତାର କଳ୍ପନା ଦିଶା ସବୁ ଯେମିତି ସେଇ ମୁହୂର୍ତ୍ତରେ ବଦଳିଗଲା। ତାର ଆତୁରତା ପରିମଳ ବୁଝି ପାରିଲେ। କହିଲେ ଯଦି ଯିବା ପାଇଁ ଚାହୁଁଛ ଏବେ ବି ଚିକିତ୍ସାଳୟକୁ ଯାଇ ପାରିବ। ସେଠି ସମସ୍ତେ ମୋତେ ଚିହ୍ନିଛନ୍ତି। 

ନୀଳିମା ଆଉ ବିଳମ୍ବ ନକରି ଫେରିବାକୁ ଲାଗିଲା। ଗୋଡର ପାହୁଣ୍ଡ ଏତେ କ୍ଷୀପ୍ର ଗତିରେ ପଡୁଥାଏ ଯେ ପରିମଳଙ୍କୁ ସମବେଗରେ ଯିବା ପାଇଁ ଏକ ପ୍ରକାର ଦୌଡିଲା ପରି ହେବାକୁ ପଡୁଥାଏ ।

ମାତୃତ୍ବ ର ଆବେଗ ଯେତେବେଳେ ତାର ସ୍ଵାର୍ଥକୁ ପିଇଯାଏ ସେତେବେଳେ ସେ ନିଜକୁ ବି ଭୁଲିଯାଏ । ତା ଚିନ୍ତନରେ କେବଳ ସନ୍ତାନ ର ପ୍ରତିଛବି ରହିଥାଏ। 

ଅତି ଅଳ୍ପ ସମୟରେ ଚିକିତ୍ସାଳୟରେ ପହଞ୍ଚି ଗଲେ। ଗହଳି ଭାଙ୍ଗି ନଥାଏ। ଏ ସମୟରେ ସାଧାରଣତଃ ଗହଳି ନଥାଏ ।ନିଶ୍ଚିତ ଗହଳିର କିଛି କାରଣ ଅଛି ବୋଲି ପରିମଳ ସନ୍ଦେହ କରୁଥାନ୍ତି। ଭିତରକୁ ପଶିଗଲେ ପରିମଳ । ପଛେ ପଛେ ନୀଳିମା। 

ପରିମଳଙ୍କୁ ଦେଖି ସମସ୍ତେ ବାଟ ଛାଡ଼ି ଦେଲେ। ପାଖରେ ଥିବା ଡାକ୍ତର କହିଲେ - ଗୋଟିଏ ଛୁଆକୁ ତା ମାଆ ସାତ ଆଠ ଦିନ ହେଲାଣି ଛାଡି ପଳେଇ ଥିଲା। ଭଲ ବି ଥିଲା। ଆଜି କିନ୍ତୁ ପିଲାଟିର ପ୍ରାଣ ଚାଲିଗଲା। ଦୈବ ସହାୟ ହେଲାନି। ଆମେ ବହୁତ ଚେଷ୍ଟା କଲୁ। ନୀଳିମା ସେଠି କଚାଡି ହେଇ ପଡିଗଲା। ଡାକ୍ତର ନୀଳିମାକୁ ଉଠାଇବାକୁ ଯାଉ ଯାଉ ଦେଖିଲେ ତା ଦେହରେ ଆଉ ପ୍ରାଣ ନାହିଁ। 

କିଏ ଜାଣେ ନର୍ସ ପଛରୁ କହିଲା - ଇଏ ତ ଏଇ ପିଲାଟିର ମାଆ। କୁଆଡ଼େ ଛାଡି ପଳେଇଥିଲା। କେମିତିକା ମାଆ କେଜାଣି ଛୁଆକୁ ଛାଡି ପଳାଉଛନ୍ତି। ଏମାନଙ୍କ ର ମାଆର ହୃଦୟ ଅଛି କି ନାହିଁ! 

ପରିମଳ ଦୀର୍ଘ ନିଶ୍ୱାସ ପକାଇ କହିଲେ - ହତଭାଗିନୀ ଟା! 

କେତେ ଦିନ ଆଉ କଷ୍ଟ ସହିବ। ସହି ସହି ତା କଷ୍ଟ ଅସହ୍ଯ ହେଇ ଯାଇଥିଲା। ପ୍ରଭୁ ତାଙ୍କ କୋଳକୁ ଡାକିନେଲେ। 



Rate this content
Log in

Similar oriya story from Tragedy