ହତଭାଗା ଯାହା ଜାଣେ
ହତଭାଗା ଯାହା ଜାଣେ
ଗୋଟିଏ ନିର୍ବାଚନ ସଭାରୁ ଘରକୁ ଫେରିଲା ହତଭାଗା। ଘରେ ପହଞ୍ଚୁ ନ ପହଞ୍ଚୁଣୁ ସ୍ବପ୍ନ ଦେଖିବାକୁ ଆରମ୍ଭ କଲା।
ସେଦିନ ଘରେ ପହଞ୍ଚି ନେତା, ନିର୍ବାଚନ ଓ ଗଣତନ୍ତ୍ର - ଏଇ ଶଦ୍ଦ ତିନୋଟିକୁ ହତଭାଗା ଉଚ୍ଚାରଣ କଲା ଖୁବ୍।
ହତଭାଗାର କଥା ଶୁଣୁ ଶୁଣୁ ତା' ସ୍ତ୍ରୀ ତାକୁ ଗମ୍ଭୀର ଭାବରେ ପଚାରିଲା - " ନେତା କ'ଣ? "
- " ନେତା? ନେତା ହେଉଛନ୍ତି ଏ ହତଭାଗାର ଈଶ୍ୱର। ବୁଝିଲୁ . . ? " ହତଭାଗା ଉତ୍ତରରେ କହିଲା।
- " ନିର୍ବାଚନ କ'ଣ? " ପୁଣି ପଚାରିଲା ତା'ର ସ୍ତ୍ରୀ।
- " ନିର୍ବାଚନ? ନିର୍ବାଚନ ହେଉଛି ଏ ହତଭାଗା ପାଇଁ ପ୍ରତିଶ୍ରୁତିର ବର୍ଷା ଋତୁ। ବୁଝିଲୁ . . ? " ହତଭାଗା ଉତ୍ତରରେ କହିଲା।
- " ଗଣତନ୍ତ୍ର କାହାକୁ କହନ୍ତି? " ପୁଣି ପଚାରିଲା ତା'ର ସ୍ତ୍ରୀ।
- " ଗଣତନ୍ତ୍ର? ଗଣତନ୍ତ୍ର ହେଉଛି ଏ ହତଭାଗାର ଭାଗ୍ୟ। ଭାତ,ଲୁଗା, ଘର,ପ୍ରେମ - ସବୁକିଛି। ବୁଝିଲୁ . . ? " ହତଭାଗା ଉତ୍ତରରେ କହିଲା।
ତାକୁ ଆଉ କିଛି ନ ପଚାରି ତା'ର ସ୍ତ୍ରୀ ହାଁ କରି ତା' ମୁହଁକୁ ଚାହିଁଲା। କିଛି ଟିକେ ହେଲେ ତା' ମୁଣ୍ଡକୁ ପଶିଥାନ୍ତା ସେତେବେଳେ!
- " ଶୁଣ୍,ପାଞ୍ଚ ବର୍ଷ ପରେ ପୁଣି ସୁଯୋଗ ଆସିଛି। ଆମେ ଭୋଟ୍ ଦେବାକୁ ଯିବା। ଗତଥର ସିନା ମଜୁରୀ ଖଟିବାକୁ ଚାଲିଗଲେ, ହେଲେ ଏଥର ସେ ଭୁଲ୍ କରିବାନି ଲୋ। ଯେମିତି ହେଲେ ଯାଇ ଭୋଟ୍ ଦେବା। " ହତଭାଗା କହିଲା।
- " ହଁ,କହୁଛ ଯଦି ଯାଇ ଦେବା। ହେଲେ ଆମକୁ ମିଳିବ କ'ଣ? " ସ୍ତ୍ରୀ ଖୁସି ସରସର ହୋଇ ପଚାରିଲା।
- " ଆଲୋ ମିଳିବ କ'ଣ! ମିଳିସାରିଛି ଲୋ। " ହସିଦେଇ କହିଲା ହତଭାଗା। ତା' ପେଟରେ ଥିଲା ପେଟେ ଖୁସି।
- " କ'ଣ ମିଳିଛି? " ପଚାରିଲା ସ୍ତ୍ରୀ।
ମୁଣ୍ଡରେ ଭଲକରି ଭିଡି ବାନ୍ଧିଥିବା ପୁରୁଣା ରଙ୍ଗଛଡା ଗାମୁଛାଟାକୁ ଖୋଲିଦେଲା ହତଭାଗା। ସେଥିରୁ ଗଳିପଡିଲା ଚାରିଖଣ୍ଡ ଖଡଖଡିଆ ନୋଟ୍ ଚଢେଇର ଡେଣାରୁ ପର ଝଡିବା ପରି।ତାହା ଦେଖିଦେଇ ତା' ସ୍ତ୍ରୀର ବିସ୍ମୟର ସୀମା ନ ଥିଲା।
- " ଏସବୁ କ'ଣ? ଏତେ ଟଙ୍କା? " ସ୍ତ୍ରୀ ପଚାରିଲା।
- " ଆଲୋ! କହୁଛି ଶୁଣ୍। ସଭା ପରେ ସେମାନେ ମୋ ହାତ ଧରି ମତେ ଡାକିନେଲେ। ଗୋଟେ ଘର ଭିତରେ ମଦ ପିଇବାକୁ ଦେଲେ। ଦେଖିଲି ସେଠି ପେଟି ପେଟି ମଦ ଥୁଆହେଇଛି। ଯେତେ ପିଉଛ ପିଅ,କିଛି ମନାନାହିଁ। ଆଜି ଏତେଦିନେ ବିଦେଶୀ ମାଲ୍ ଟିକେ ପାଟିରେ ବାଜିଲା। ତା'ପରେ ଏଇ ଦୁଇ ହଜାର ଟଙ୍କା ମୋ ହାତରେ ସେମାନେ ଗୁଞ୍ଜିଦେଲେ ପରା। ଭୋଟ୍ ଦେବାକୁ କହିଛନ୍ତି। ଏଥର ବୁଝିଲୁ ତ? " ସେ କହିଲା।
ହତଭାଗାର କଥା ଶୁଣିବ କ'ଣ,ଟଙ୍କା ସବୁକୁ ଗୋଟେଇ ହାତରେ ଯତ୍ନର ସହିତ ଧରି ଗୁଡେଇ ତୁଡେଇ ଦେଖୁଥିଲା ତା'ର ସ୍ତ୍ରୀ। ଖୁସି ଉତୁରି ପଡୁଥିଲା ତା' ମୁହଁରେ ସେତେବେଳେ।
- " ଆମକୁ ଏବେ ସବୁ ମିଳିବ ଲୋ ଯାହା ସବୁ ଆମ ହାତରୁ ଅଳ୍ପକେ ଖସିଯାଇଛି। ଯାହା ଯାହା ଧରିପାରିନି ଆମ ହାତମୁଠା ଏବେ ତାହା ଧରିପାରିବା ଆମେ। ଆଉ ଭାଗ୍ୟକୁ ଦୋଷ ଦେବାକୁ ପଡିବନି। ଭାଗ୍ୟଠୁଁ ବଡ ପରା ଆମ ସରକାର - ଆମ ଗଣତନ୍ତ୍ର। ଏବେ ଆମ ପାଇଁ ସ୍ବପ୍ନ ଦେଖିବାର ଦିନ ଆସିଗଲା ବୋଲି ଜାଣିନେ'। "
ସଭାରେ ଯେତିକି ଯାହା ମନେ ରଖିଥିଲା ନେତାଙ୍କ ଭାଷଣରୁ ଏବେ ସେସବୁକୁ ଓକାଳି ପକାଇଲା ହତଭାଗା। କଥାଶେଷରେ ଅନ୍ୟମନସ୍କ ହୋଇ ସ୍ବପ୍ନ ଦେଖିବାକୁ ଲାଗିଲା।
ହତଭାଗାକୁ ସ୍ଵପ୍ନ ଦେଖେଇବାର ଅଧିକାର ଯେ ନେତାଙ୍କର ଅଛି, ଏବେ ବିଶ୍ୱାସ କରୁଥିଲା ସେ। ନେତାଙ୍କର ପ୍ରତିଶ୍ରୁତିକୁ ତ ସେ ଆଦୌ ମିଛ ବୋଲି ଭାବି ପାରୁ ନ ଥିଲା। କେମିତି ଭାବିଥାନ୍ତା! ଏ ଭବିଷ୍ୟତହୀନ ପୃଥିବୀରେ ମିଛର ଭବିଷ୍ୟତ ଅଛି ବୋଲି କେବଳ ହତଭାଗା ହିଁ ତ ବିଶ୍ୱାସ କରେ।
ଦୁଃଖକୁ କେହି ଭାବେନାହିଁ ଏଠି। ଏବେ ସୁଖକୁ ଭାବୁଥିଲା ତା'ର ସ୍ତ୍ରୀ। ହତଭାଗା ପଛେ ପଛେ ସିଏ ବି ଅନ୍ୟମନସ୍କ ହୋଇ ସ୍ବପ୍ନ ଦେଖିବାକୁ ଆରମ୍ଭ କରିଥିଲା। ହତଭାଗାର ଭାଗ୍ୟ ଖୋଲିବ,ନିଶ୍ଚେ ଏଥର ଖୋଲିବ - ମନକୁମନ କହୁଥିଲା।
ନେତା, ନିର୍ବାଚନ ଓ ଗଣତନ୍ତ୍ର - ଏହି ଶଦ୍ଦ ତିନୋଟିକୁ ଜପୁଥିଲା ହତଭାଗା।
ହତଭାଗାର ଭାଗ୍ୟ ଖୋଲିବ ତ ଏଥର! ଓଠ ଚାପି ଆଖିର ଲୁହକୁ ତାକୁ ପୁଣି ସମ୍ଭାଳି ନେବାକୁ ପଡିବନି ତ?
କିଏ ଜାଣେ? କିଏ କହିବ ସେକଥା?
ଓଠ ଚାପି ଆଖିର ଲୁହକୁ ସମ୍ଭାଳି ନେଲେ ଯେ ଗଣତନ୍ତ୍ର ସଫଳ ହୁଏ -ଏକଥା କେବଳ ହତଭାଗା ହିଁ ତ ଜାଣେ।
