STORYMIRROR

Madhabi Patel

Inspirational

4  

Madhabi Patel

Inspirational

ହୋଲି

ହୋଲି

3 mins
755

ଫଗୁଣ ଆସୁଆସୁ ପତ୍ରଝଡା ଗଛସବୁ କଅଁଳପତ୍ରରେ

ନାଲି ନାଲି ପୁଣି କିଛିଦିନପରେ ଶୁଆ ରଙ୍ଗିଆ ସବୁଜ ରଙ୍ଗରେପରିବର୍ତ୍ତିତ ହେଇଯାନ୍ତି।ତାପରେ କଢି ଓ ଫୁଲରେ ଭରପୁର ହୋଇଉଠେ ଗଛଲତା। ନିମ୍ବ ଆମ୍ବ ପଣସ ଖଜୁରୀ ଶିମୁଳି ପଳାସ ଶରଗି ମହୁଲ ଚାର କୁରୁଲୁ ଧାତୁଙ୍ଗ ଗିରେଲ ପ୍ରଭୃତି ଗଛମାନଙ୍କରେ ଫୁଲଫଳର ଆଗମନ ହୁଏ।ବସନ୍ତ ଆଗମନରେ ଗଛବୃକ୍ଷତ ପୁଲକିତ ହୁଅନ୍ତି ତାସହ ପଶୁ ପ୍ରାଣୀବି ମଳୟ ସ୍ପର୍ଶରେ ଆନନ୍ଦିତ ହୁଅନ୍ତି।ଶୀତର କଠୋରତା ଯାଇ ଏବେ କୋମଳ ସୂର୍ଯ୍ୟ କିରଣରେ ସ୍ନାନ କରୁଥାଏ ପୃଥିବୀ।ନାଁ ଶୀତ ନାଁ ଗରମ ନାତିଶୀତୋଷ୍ମ ପରିବେଶ ଜୀବନରେ ଉନ୍ମଦନା ଜଗାଏ।ଫୁଲମାନଙ୍କର ମଧୁ ସୁଗନ୍ଧ ଭରା ବାସ୍ନାୟିତ ମଳୟ ଓ କୋକିଳର ମଧୁର ସଂଗୀତ ବୃଦ୍ଧରୁ ଯୁବକ ସମସ୍ତଙ୍କ ମନରେ ପ୍ରେମ ପ୍ରଣୟର ଭାବଟିଏ ଉଜ୍ଜୀବିତ କରିଦିଏ।ଫଗୁଣ ମାସ ସରୁ ସରୁ ଆସିଯାଏ ଦୋଳପର୍ବ ,ଓ ହୋଲି।ହିନ୍ଦୁ ସମ୍ପ୍ରଦାୟର ସମସ୍ତେ ହୋଲି ଖେଳନ୍ତି ପରସ୍ପର ଭିତରେ।ଏବେ ତ ଅନ୍ୟଧର୍ମର ଲୋକମାନେବି ମିଶି ସାଙ୍ଗହୋଇ ହୋଲି ଖେଳୁଛନ୍ତି।ଏ ପର୍ବ ଭାଇଚାରା ର ପର୍ବ।ହିଂସା ଅହଂକାର ଜାତି ଅଜାତି ଧନୀ ଗରିବ ଭୁଲି ସମସ୍ତେ ଏକହୋଇ ଏପର୍ବ ପାଳନ୍ତି।ପରସ୍ପର ମଧ୍ୟରେ ରଙ୍ଗ ମଖାମଖି ହୁଅନ୍ତି।ମିଠାଇ ବାଣ୍ଟି ଓ ଭଙ୍ଗ ସର୍ବତ ପିଅନ୍ତି।ଏମିତି ଏକ ହୋଲି ପର୍ବରେ ଉମେଶ ଅନେକ ବର୍ଷପରେ ଗାଁକୁ ଆସିଥାଏ।ସେ ବାହାରେ ରହି ଇଞ୍ଜିନିୟରିଂ କଲା ତାପରେ ଏମ୍ ବି ଏ।ଏପରି ପଢାପଢିରେ ଗାଁକୁ ଆସି ପାରି ନଥିଲା।

ସହରରେ ମାମୁଁଘରେ ରହି ପଢାପଢି କରୁଥିଲା।ଗତରାତି ଗାଁରେ ପହଞ୍ଚିଛି।ବିଲେଇ ମାଛ ବାସ୍ନା ବାରିଲାପରି ସକାଳୁ ପୁରୁଣା ସାଙ୍ଗମାନେ ତା ବାସ୍ନାପାଇ ରଂଗପିଚକାରି ଧରି ତାଘରେ ପହଞ୍ଚିଗଲେ।ପ୍ରଥମେ ସେ ସହରରୁ ଆଣିଥିବା ମିଠା ସାଂଗ ମାନଙ୍କୁ ଖାଇବାକୁଦେଲା।ତାପରେ ମାଆ ସର୍ବତ ଆଣିଲେ।ସମସ୍ତେ ପିଇସାରି ହୋଲି ଅଭିଯାନରେ ବାହାରିଲେ।

ରଙ୍ଗ ମଖାମଖି ସହ ହସି ମଜା ଚାଲିଥାଏ ପରସ୍ପର ଭିତରେ।ଏତେ ବେଳକୁ ପଡୋଶୀ ଘରୁ ମିତା ଓ ଦୁର୍ଲଭା ବାହାରି ଆସିଲେ।ସେମାନେ କକା ବବାର ଦୁଇ ଭଉଣୀ।ଉମେଶର ପଢାସାଙ୍ଗ।ସ୍କୁଲରେ ଗୋଟିଏ କ୍ଲାସରେ ପଢୁଥିଲେ।ସେମାନେ ବିଏ କଲେ।ଆଉ ସେ ସହର ଚାଲିଗଲା ପଢିବାକୁ।ଦି ଜଣ ଏବେ ବହୁତ ସୁନ୍ଦରୀ ହେଇଯାଇଛନ୍ତି।ହାଇସ୍କୁଲରେ ପଢୁଥିବା ବେଳେ ସେ ସେମାନଙ୍କ ଚୁଟି ଭିତରେ ରଂଗ ଭରି ଦେଉଥିଲା।ଆଉ ସେମାନେ ବହୁତ ରାଗୁଥିଲେ। ଆଜି ଅନେକ ଦିନ ପରେ ସେମାନଙ୍କୁ ଦେଖି ପ୍ରଥମେ ଯାଇ ମିତା ମୁଣ୍ଡରେ ନାଲିରଙ୍ଗର ଫଗୁ ମୁଠାଏ ଲଗାଇଦେଲା।ତାର ଏପରି କରିବା ଦେଖି ଦୁର୍ଲଭା ରୋକିବାକୁ ଚେଷ୍ଟା କରି କହୁଥାଏ ଏକଣ କରୁଛୁ ଉମେଶ ମୀତାସୁନ୍ଥାରେ ରଂଗ ଭରିବା ମନା।ସେ ବିଧବା ତାପାଇଁ ରଂଗ ଖେଳିବା ମନା।ଏଭିତରେ ଗାଁର କେତେକ ବୟସ୍କ ନରନାରୀ ଜମା ହେଇଗଲେ।ସମସ୍ତେ କହିଲେ ଉମେଶ ବହୁତ ବଡ ଭୂଲ୍ କରିଛି। ଶିକ୍ଷିତ ପିଲା ହେଇ ଏପରି କରିବା ଅନୁଚିତ। ଉମେଶ କ୍ଷମା ମାଗିଲା ମିତାଠାରୁ ଓ ଘରକୁ ଚାଲି ଆସିଲା।ସେ ମାଆକୁ ଆସି ମିତା ବିଷୟରେ ପଚାରିଲା |ମାଆ କଣ ମିତା ଏ ଭିତରେ ବିବାହ କରି ବିଧବା ବି ହୋଇଯାଇଛି।ମାଆ କହିଲେ ମିତା ବିଚାରି ବଡ ହତଭାଗିନୀ।ବାହା ହେବାର ଗୋଟିଏ ମାସପରେ ତା ବରର ଟ୍ରେନ ଏକ୍ସିଡେଣ୍ଟରେ ମୃତ୍ୟୁହେଲା।ଏ ବୟସରେ ସେ ଏତେବଡ ଜୀବନ କେମିତି କାଟିଥାନ୍ତା ସେଠି।ତାର ବାପା ଭାଇ ଗାଁ କୁ ନେଇ ଆସିଲେ।ଏବେ ସେ ପୁଣି ବିଇଡି କରୁଛି।କୋଉ ସ୍କୁଲରେ ଚାକିରିଟେ ମିଳିଗଲେ ତା ସମୟ ବି କଟିଯିବ।କିଛି ଉପାର୍ଜନ ହେଲେ ସେ ଭାଇ ପାଖରେ ବୋଝ ବି ହେବନି।ଏତେ ସୁନ୍ଦର ଓ ଗୁଣର ଝିଅ ଭାଗ୍ୟରେ ଏ ଦଣ୍ଡ ।ତା ବାପା ଭାଇ ତା ପାଇଁ ବରଟେ ଖୋଜୁଛନ୍ତି। କିଏ ଯଦି ବାହାହେବାକୁ ଚାହିଁବ ବାହାକରିଦେବେ।ହେଲେ ଆଜିବି ଲୋକେ ବିଧବାକୁ ବାହା ହେବାକୁ ଡରନ୍ତି।କାଳେ ତାଙ୍କ ପୁଅର ବି ସେମିତି ଅବସ୍ଥା ହେବ ସ୍ବାମୀ ଖାଇ ସ୍ତ୍ରୀ ସିଏ।ହେଲେ ଯାହା ଥରେ ହେଲା କଣ ବାରମ୍ବାର ହେବ।ହେଲେ ଏମାନଙ୍କୁ ବୁଝାଇବ କିଏ।

ଉମେଶର ମନରେ ମାଆର କଥା ଅନେକ ଘଣ୍ଟାଚକଟା କଲା।ସେ ରାତି ସାରା କେବଳ ମିତାକଥା ହିଁ ଭାବୁଥାଏ।ସେ ପଢିଲା ବେଳେ ମିତାପ୍ରେମରେ ପଡି ଯାଇଥିଲା।ମିତା ବହୁତ ସୁନ୍ଦର ଗୀତଗାଏ।ସ୍କୁଲରେ ଗୀତ କି ଅନ୍ତାକ୍ଷରି ହେଲେ ସମସ୍ତେ ତା ଗୀତଶୁଣି ବାହାବାହା କରନ୍ତି।ସେ ପଢାରେବି ପ୍ରଥମ ହେଉଥିଲା।ସେ ତାଠୁ ଅନେକ ସମୟରେ ଗଣିତ ବୁଝୁଥିଲା। ମିତା ଇଂରାଜୀ ଡିବେଟ୍ ଏମିତି କହୁଥିଲା ଯେ ସମସ୍ତେ ସ୍ତବ୍ଧ ହେଇ ଯାଉଥିଲେ।ଏମିତି ହୋଲି ବେଳେ ସେ ତାକୁ ଦଉଡାଇ ଦଉଡାଇ ରଂଗ ଲଗାଉଥିଲା।ମିତା ଲମ୍ବା ଲମ୍ବା ଦୁଇଟା ଚୁଟି କରୁଥିଲା।ଆଉ ସେ ଚୁଟି ଧରି ଟାଣୁଥିଲା ସବୁବେଳେ।ମିତା ମିଛ ରାଗରେ ତାକୁ ଗାଳି କରୁଥିଲା।ସକାଳ ହେଉ ହେଉ ସେ ମିତାସହ ଭେଟ ହେବାକୁ ମନସ୍ଥକଲା।ମିତା ଏବେ ପୋଖରୀ ଯାଇଥିବ ସ୍ନାନ ପାଇଁ।ଫେରିଲା ବେଳେ ତାକୁ ରାସ୍ତାରେ ଭେଟିବ।ସେ ମନ୍ଦିର ବେଢାରେ ଅପେକ୍ଷା କରିଥାଏ।ସ୍ନାନସାରି ମିତା ଫେରୁଥିଲା।ଉମେଶ ତାକୁ ଅଟକାଇ ମତେ ବାହା ହେବୁକି ବୋଲି ସିଧା ପଚାରି ଦେଲା।ମିତା ଲାଜ ହେଇ ଚାଲିଗଲା।ପୁଣି ପଛକୁ ଲେଉଟି କହିଲା ବାପା ସାଙ୍ଗେ କଥାହୁଅ।ଗ୍ରୀନ୍ ସିଗ୍ନାଲ୍ ମିଳିଯାଇଥିଲା।ଉମେଶ ତା ବାପା ସହ କଥାହେଇ ବାହାଘର ଠିକ କରିଦେଲା।ତା ନିଜ ଘରେ ବାପାମାଆ ସମସ୍ତେ ଉଦାର ହୃଦୟର ଥିଲେ।ସେମାନେ ତାର ଏ ପ୍ରସ୍ଥାବରେ ବହୁତ ଖୁସିଥିଲେ।ପୁଅର ଏ ନିର୍ଣୟରେ ବରଂଗର୍ବ ଅନୁଭବ କରୁଥିଲେ। ଏବେ ମିତାର ଜୀବନରେ ପୁଣ ରଙ୍ଗ ଫେରି ଆସିଥିଲା |ଜୀବନଟା ପୁଣି ଫଗୁଣ ଫଗୁଣ ଲାଗୁଥିଲା ତାକୁ ।


Rate this content
Log in

Similar oriya story from Inspirational