Madhabi Patel

Inspirational

3  

Madhabi Patel

Inspirational

ହଳଦୀ ବସନ୍ତ

ହଳଦୀ ବସନ୍ତ

3 mins
197



ବସନ୍ତର ଆଗମନ ସଙ୍ଗେ ସଙ୍ଗେ ବଦଳି ଯାଉଛି ପୃଥିବୀର ଚିତ୍ରପଟ।ରୂପ ସମ୍ଭାରରେ ରୂପମୟୀ ଦିଶୁଛି ଧରଣୀ ରାଣୀ।ପତ୍ରଝଡା ପରର ରୁକ୍ଷ ବୃକ୍ଷଲତା ଏବେ ନବ କିଶଳୟରେ ଭରପୁର ହେଇଗଲାଣି।କଢି ଆଉ ଫୁଲ ପେନ୍ଥାରେ ବୃକ୍ଷଲତା ଯୌବନ ଦିପ୍ତ ଦିଶୁଛନ୍ତି।ସହକାର ଦେହରେ ବଉଳର ମୁକୁଟ ସଜହେଲାଣି।ଶିମୁଳି ପଲାସ ନାଲି ରଂଗ ବୁଣିଲେଣି। ପରଦେଶୀ ଚଢେଇମାନେ ଫେରିଲେଣି ବସନ୍ତର ରାଜତ୍ବ ଖବରପାଇ।ହଳେ ହଳଦୀବସନ୍ତ ଏବେ ଶାନ୍ତିର ବଗିଚାରେ ଉଡି ବୁଲୁଛନ୍ତି ଏ ଡାଳରୁ ସେଡାଳ।ତାଙ୍କର କୁଲୁରୁ କୁଲୁରୁ ଶବ୍ଦର ମଧୁରିମା ଛାଇ ଯାଉଛି ତା ହୃଦକନ୍ଦରରେ।କୁରୁଳି ଉଠୁଛି ଦେହମନ।କେତେ ସୁନ୍ଦର ଦିଶୁଛନ୍ତି ଚଢେଇ ଦୁଇଟି।ବୋଧହୁଏ ମାଈ ଅଣ୍ଡିରା ଯୋଡିଟିଏ ଆସିଛନ୍ତି ତା ବଗିଚାରେ ତାଙ୍କ ନୂତନ ସଂସାର ବସେଇବାକୁ। ଦେଖୁ ଦେଖୁ କାଠିକୁଟା ବୋହିଆଣି ଅତି ଶୀଘ୍ର ନୂତନ ଆଶ୍ରୟସ୍ଥଳଟିଏ ସଜାଡି ନେଲେ |ଦିନେ ଦେଖିଲା ବେଳକୁ ନିଡ ଭିତରେ ଅଣ୍ଡାଟିଏ।ସେଦିନ ଶାନ୍ତିକୁ ବହୁତ ଖୁସି ମିଳିଥିଲା।

ତାପରଦିନ ପୁଣି ଆଉ ଗୋଟେ ଅଣ୍ଡା।ଏବେ ମାଈ ଚଢେଇଟି ଅଣ୍ଡା ଉଷୁମାଇବାରେ ଲାଗିଲା।ପୁରୁଷ ଚଢେଇଟି ଖାଦ୍ୟ ଖୋଜିଆଣି ମାଈ ଚଢେଇକୁ ଖାଇବାକୁ ଦେଲା।ପକ୍ଷୀମାନଙ୍କର ପରଷ୍ପର ପ୍ରତି ଏପରି ପ୍ରେମଭାବ ଦେଖି ଶାନ୍ତି ମନରେ ବହୁତ ଆନନ୍ଦ |

ଏମିତି ଗୋଟିଏ ମାସ ଯାଇଛି କି ନାହି ଅଣ୍ଡା ଦୁଇଟି ଫାଟି ତା ଭିତରୁ କୁନି କୁନି ଦୁଇଟି ଶାବକ ବହାରିଲେ।ହଳଦିଆ ଥଣ୍ଟ ଓ କେବଳ ମାଂସଳ ଦେହ।ସେମାନଙ୍କର କିଚିରିମିଚିରି ଶବ୍ଦରେ ଏବେ ଗୁଞ୍ଜରିତ ହେଇଉଠିଲା ବଗିଚାର କୋଣ ଅନୁକୋଣ।

ବାପାମାଆ ପାଳିକରି ଆହାର ଖୋଜିଆଣି ତାଙ୍କୁ ଖୁଆଇଲେ।ପିଲାଏ ବଡପାଟି ଆାଁ କଲେ ମାଁ ବାପା ତାଙ୍କ ଥଣ୍ଟଭିତରେ ଆଧାର ଖୋଇ ଦେଉଥିଲେ।ଧିରେ ଧିରେ ଶାବକ ମାନେ ବଡହେବାକୁ ଲାଗିଲେ।

ଆଖି ଦିଶୁନଥିବା ଛୋଟ ଶାବକଙ୍କର ଆଖି ଖୋଲିଲା। ପ୍ରଥମେ କଣ୍ଟାଳିଆ ଓ ପରେ କୋମଳ ହଳଦୀ ରଂଗର ପର ସବୁ ଉଠି ତାଙ୍କର ମାଂସଳ ଦେହ ସୁନ୍ଦର ଦିଶିଲା।

ଏବେ ସେମାନେ ବି ଉଡିବା ଆରମ୍ଭ କଲେ।ଗୋଟିଏ ଛୁଆ ତଳେ ଆସି ଖଣ୍ଡି ଉଡା ଶିଖିଲା ବେଳକୁ ବିଲେଇଟିଏ ତାକୁ ଧରି ଖାଇଦେଲା।ଏବେ କେବଳ ଗୋଟିଏ ଶାବକ ପଡି ରହିଲା ନୀଡ ଭିତରେ। ଏମିତି ଦିନେ ଦୁଇ ବାପା ମାଆ କୁଆଡେ ଗଲେ ଯେ ଆଉ ଫେରିଲେନି ବସାକୁ।ବୋଧହୁଏ କୌଣସି ଦୁର୍ଘଟଣାର ଶିକାର ହୋଇଗଲେ ବା ଶିକାରୀ ଜାଲରେ ପଡିଗଲେ।ଶାନ୍ତି ଦେଖିଲା ଛୋଟ ପକ୍ଷୀଟା ଭୋକ ବିକଳରେ ରଡି ଛାଡୁଛି ତାର ବାପା ମାଆର ଦେଖା ଦର୍ଶନ ନାହିଁ।ସେ ଚାକର ପିଲାକୁ କହି ଗଛଉପରୁ ଶାବକଟିକୁ ତଳକୁ ନେଇ ଆସିଲା ।ଏକ ଘାରିରେ ବିଲେଇ ଓ ଅନ୍ୟ ଜୀବଙ୍କଠୁ ବଞ୍ଚାଇ ରଖିଲା।ତାକୁ ପ୍ରଥମେ ଗିନାରେ ପାଣିପିଇବାକୁ ଦେଲା।ପରେ କିଛି ଖୁଦ ଦେଲା ଖାଇବାକୁ।ଏବେ ଧିରେ ଧିରେ ପକ୍ଷୀ ଶାବକ ବଢିବାକୁ ଲାଗିଲା ହେଲେ ଉଡିବାକୁ ଅବକାଶ ପାଇଲା ନାହିଁ।ବୋଧହୁଏ ସେ ଜାଣି ବି ପାରୁନ ଥାଏ ଯେ ତା ପାଖେ ଅସୀମ ଶକ୍ତି ଅଛି।ତାର ଏଇ ଦୁଇଟି ଛୋଟ ଡେଣାରେ ଆକାଶ ମାପିବାର କ୍ଷମତା ଅଛି। ଗୋଟିଏ ବର୍ଷ ଏ ଭିତରେ କଟି ଯାଇଛି।

ପୁଣି ଫେରିଛି ବସନ୍ତର ରାଜତ୍ବ।ପୁଣି ପୁଷ୍ପବତୀ ହେବାକୁ ଲାଗିଲେଣି ମହୀରୁହ ସମୁହ।ଫେରିଲେଣି ବିଦେଶୀ ପକ୍ଷୀକୁଳ। ଦିନେ ଗୋଟିଏ ହଳଦି ଗୁରୁଗୁରୁ ପକ୍ଷୀ ଉଡିଆସିଲା ତାଙ୍କ ବଗିଚାକୁ। ବୋଧହୁଏ ଘାରିଭିତରର ପକ୍ଷୀର ସ୍ବର ତାକୁ ଆକୃଷ୍ଟ କରି ଆଣିଥିଲା ସେଠାକୁ।ବାହାରର ପକ୍ଷୀଟି ଭିତରର ପକ୍ଷୀକୁ କୌଣସି ମତେ ଘାରିର ଦରଜା ଖୋଲି ମୁକ୍ତ କରି ଦେଇଥିଲା।ଶାନ୍ତି ଦୂରରୁ ଏସବୁ ଦୃଶ୍ୟ ଦେଖି ଉପଭୋଗ କରୁଥିଲା।ଭିତର ବନ୍ଦିନୀ ପକ୍ଷୀଟି ବାହାରକୁ ଆସି କେବଳ ଡେଉଁଥିଲା। ହେଲେ ବାହାରର ପକ୍ଷୀଟି ଉଡି ବୁଲୁଥିଲା। ସେ ଅନ୍ୟ ପକ୍ଷୀକୁ ବି ତା ସହ ଉଡି ଯିବାପାଇଁ ଉତ୍ସାହିତ କରୁଥାଏ ହେଲେ ସେ ଉଡିବା କେବେ ଶିଖିନି। ତାର ଅନ୍ତର୍ନିହିତ ଶକ୍ତି ବିଷୟରେ ତାର ଧାରଣା ନଥିଲା।ଶାନ୍ତି ତା ପାଖକୁ ଆସି ସେ ପକ୍ଷୀକୁ ଧରି ହାତଦୁଇଟା ଉପରକୁ ଉଠାଇ ଦୂରକୁ ଉଡେଇ ଦେଲା।ପକ୍ଷୀଟି ତାର ଟିକିଡେଣା ଝାଡିବାକୁ ଲାଗିଲା। ଏବେ ସେ ଜ୍ଞାତ ହେଇ ସାରିଥିଲା ଯେ ତା ଭିତରେ ବି ଉଡିବାର ସାମର୍ଥ୍ୟ ଅଛି। ପ୍ରଥମଥର ସେ ତଳେ ପଡି ଯାଇଥିଲା।ଶାନ୍ତି ତାକୁ ଆଉଥରେ ଉଠାଇ ଦୂରଆକାଶକୁ ଉଡେଇଦେଲା କହିଲା, ଯା ତୋର ଆକାଶକୁ ଉଡିଯା।ନୂତନ ସାଥୀ ସାଂଗରେ ସଂସାର କର।ଏବେ ପକ୍ଷୀଟି ଦୁଇପକ୍ଷ ଝାଡି ଉଡି ଯାଇଥିଲା ନୂଆସାଥୀ ସହିତ।ଶାନ୍ତିର ମନରେ ଏବେ ବହୁତ ଖୁସିଥିଲା।ବୋଧହୁଏ ଆମେବି ଅନେକ ନିଜ ଭିତରେ ଥିବା ଅନ୍ତର୍ନିହିତ ଶକ୍ତିକୁ ଜାଣି ପାରୁନୁ

ଯେମିତି ବନ୍ଦିନୀ ପକ୍ଷୀଟି ଜାଣି ପାରୁନଥିଲା।ହେଲେ ସୁଯୋଗ ମିଳିଲେ ଆମେ ବି ବହୁତ କିଛି କରି ପାରିବା।



Rate this content
Log in

Similar oriya story from Inspirational