ହିରୋଇନ୍
ହିରୋଇନ୍
ବ୍ରହ୍ମା;ଗୋଟେ ଗୁଣ୍ଡା ମୋତେ ଉଠାଇ ଆଣିଲା ମୋ ଅନିଚ୍ଛା ସତ୍ତ୍ୱେ। ଫିଙ୍ଗି ଦେଲା ଆଣି ତା ଘର କୋଣେ ମୋତେ।
ରାତି ପାହିଲା ପାହିଲା ହେଲା। ଭୋଅରୁ ଉଠି ଦେଖେ ତ ବ୍ରହ୍ମା ନାହିଁ। ତା ବାପା ମୋତେ ଦେଖି ମହା ଖୁସି ହୋଇ କହିଲେ ବଦମାସ୍ ଟା କେଉଁଠୁ ଏଡ଼େ ସୁନ୍ଦର ଫୁଲଟିଏ ତୋଳି ଆଣିଲା। ମୁଁ ଜାଣି ଥିଲି ବ୍ରହ୍ମାର ପସନ୍ଦ ମୋର କୋଟିଏରେ ଗୋଟିଏ। ମା ନାହିଁ ପିଲାଟାର। ସବୁବେଳେ କହୁଥିଲି ବୋହୁଟିଏ ଆଣେ। ମୋ ବାଳୁଙ୍ଗା ମୋ କଥା ରଖି ସଖୀ କଣ୍ଢେଇ ବୋହୁଟିଏ ଆଣିଛି। ମୁଁ ଭାରି ଖୁସି ଲୋ ବୋହୁ। ତୋ ନାଁ ଟି କଣ କହିଲୁ? ହିରୋଇନ୍ କି?
ଚମକି ପଡିଲି ହିରୋଇନ୍ ନାଁ ଟି ଶୁଣି ...ଆଶ୍ଚର୍ଯ୍ୟ ହୋଇ ପଚାରିଲି ତୁମେ କେମିତି ଜାଣିଲ
ପାକୁଆ ପାଟିରେ ଖୁବ୍ ଗୋଟେ ତୃପ୍ତିର ହସ ହସି ବ୍ରହ୍ମାର ବାପା କହିଲେ--ବାଳୁଙ୍ଗା ଟା ପରା ସବୁବେଳେ କୁହେ- ଅପେକ୍ଷା କର ହିରୋଇନ୍ କୁ ତୁମ ବୋହୁ କରି ନେଇ ଆସିବି। ହିରୋଇନ୍ ଗୋଟେ ଭଲ ଝିଅ। ଭାରି କାମିକା,ହସକୁରି,ସୁନ୍ଦରୀ। ବ୍ୟସ୍ତ ହେଲେ ହେବ ବାପା। ଏବର୍ଷ ଫଗୁଣରେ ନିଶ୍ଚିନ୍ତ ତୁମ ବୋହୁ ତୁମ ପାଖେ ଥିବ।ବୁଝିଲୁ ହିରୋଇନ୍ ବାଳୁଙ୍ଗା ଟା ତୋତେ ଭାରି ଭଲ ପାଏ। କହୁଥିଲା ତୁମ ଘରେ ରାଜି ନ ହେଲେ ତୋତେ ଉଠାଇ ଆଣିବ। ବୋଧେ ତୋ ଘରେ ରାଜି ନ ହେବାରୁ ମୂର୍ଖ ଟା କିନ୍ତୁ ଭୁଲ୍ କରି ଉଠାଇ ଆଣିଲା। ଭୁଲ୍ କଲା। ଏହାକୁ ଭଲ ପାଇବା କୁହନ୍ତି ନାହିଁ।
ମୁଁ ଚକିତ ହେଲି। ବ୍ରହ୍ମା ଏତେ ବାଟ ଆଗେଇ ଆସିଛି ମୁଁ ଟିକେ ବି ସୁରାଗ ପାଇନି! ବୁଦୁ ସତରେ ମୁଁ। କଣ କରିବି। ବ୍ରହ୍ମାକୁ ସିନା ଘୃଣା କରୁଛି;କିନ୍ତୁ ତାର ଏ ବାପା ସୁନ୍ଦର ହୃଦୟର ମଣିଷଟିଏ। ଆହା ଯେଉଁ ବାପା ସେହ୍ନ ଅଠର ବର୍ଷ ହେବ ପାଗଳ ପରି ଅଣ୍ଡାଳୁଥିଲି; ଆଜି ସେ ମୋ ଆଗରେ ଠିଆ। କେମିତି ଅଣଦେଖା କରନ୍ତି ଏ କଥା। ମନ କହିଲା ଏ ବୁଢା ଲୋକଙ୍କ ଛାତିରେ ମୁଣ୍ଡ ଗୁଞ୍ଜି ମନ ପୁରିଲା ପର୍ଯ୍ୟନ୍ତ କାନ୍ଦନ୍ତି। ସେ ମୋ ଶଶୁର ନୁହଁନ୍ତି; ବାପା ପାଲଟି ଗଲେ। ସବୁ ତ ହରେଇ ସାରିଛି । ଜୀବନରେ ଯାହା ମିଳୁଛି ଅନ୍ତତଃ ତାର ମୂଲ୍ୟ ବୁଝି ବଞ୍ଚିବାକୁ ଚେଷ୍ଟା କଲି। ବ୍ରହ୍ମା ସିନା ମୋତେ ଅପଦୁଆ ଦେଇ ସମାଜ ଦାଣ୍ଡରେ ଲୋକ ହସା କଲା;ତା ବାପା ତ ଦୋଷ କରି ନାହାନ୍ତି। ଏଣୁ ଆମେ ହୋଇଗଲୁ ଶଶୁର ବୋହୁ ପରିବର୍ତ୍ତେ ବାପା ଝିଅ।
ବ୍ରହ୍ମା ଝଡ଼ ବେଗରେ ଘରକୁ ଆସି ମୋର ନିତ୍ୟ ବ୍ୟବହୃତ ସାମଗ୍ରୀ ଆଣି କହିଲା ନେ ପିନ୍ଧିବାକୁ ତୋର ଏଠି କିଛି ନାହିଁ ନା। ଏ ଗୁଡା ନେ। ତୋ ଇଚ୍ଛା ଅନୁସାରେ ରହ। କାମକୁ ଯିବା ଦରକାର ନାହିଁ। ମୁଁ ପୋଷି ପାରିବି ତୋତେ। ଏତକ କହି ଚାଲିଗଲା।
କାଲିଠାରୁ ମୁଁ ସତ ସତିକା ସେଇ ପିନ୍ଧିଲା ଡ୍ରେସ୍ ରେ ଥିଲି। ବ୍ରହ୍ମା ଆଣିଥିବା ବ୍ୟାଗ ଖୋଲି ଦେଖିଲି ଟିକି ନିକି ସବୁ ଆଣିଛି। ଦୁଇଟି ମୋ ପ୍ରିୟ ଗୋଲଡ଼ନ୍ ଓ ରାନୀ କଲର୍ ର୍ ଶାଢ଼ୀ ସହ ସାୟା ବ୍ଲାଉଜ,ସିନ୍ଦୁର,ଶଙ୍ଖା
,କ୍ରିମ,ପାଉଡର୍,ନେଲ୍ ପଲିସ୍,ସେଣ୍ଟ,ସାବୁନ,ସାମ୍ପୋ ଆଦି ସମସ୍ତ ସଜବାଜ ଜିନିଷ। ପୁଣି ଅଛି କିଣା ଚୁଡି,ହଳେ କାନ ଫୁଲ,ପାଉଜ ଓ ଝୁଣ୍ଟିଆ। ପ୍ରଥମେ ଏସବୁ ଛୁଇଁବାକୁ ଇଛା ହେଉ ନଥିଲା। ପରେ କିନ୍ତୁ ମନ କହିଲା ଟିକେ ସଜ ହେବାକୁ ବୋହୁ ବେଶରେ। ଗାଧୋଇ ପାଧୋଇ ଆସି ପିନ୍ଧା ପିନ୍ଧି କରି ଶଶୁରଙ୍କୁ ମୁଣ୍ଡିଆଟିଏ ମାରିଲି। ଶଶୁର ଲୁବ୍ଧ ନୟନ୍ ରେ ଚାହିଁ ମୁଣ୍ଡରେ ହାତ ମାରି ଆଶୀର୍ବାଦ କଲେ ତୋ ମନ ପରିବର୍ତ୍ତନ ହେଉ ମା। ତୁ ସଦା ଖୁସି ରହ।
ଏ କି ଆଶୀର୍ବାଦ କଲେ ବାପା !! ମନ ପରିବର୍ତ୍ତନ....! ଏ ମନ କଣ ସହଜେ ବଦଳିବ। ବହୁତ ଗୁଡିଏ ସମୟ ଲାଗିବ,ନିଜକୁ ବୁଝାଇ,ନିଜ ସହ ସାଲିସ୍ କରିବାକୁ। ବାପା ବୋଧେ କାଲି ରାତିରୁ ଉଣ୍ଡି ପାରିଛନ୍ତି ବ୍ରହ୍ମା ମୋ ଭିତରେ ଫାଟ ସୃଷ୍ଟି ହୋଇଛି। ସେଇଥି ପାଇଁ ଏ ଆଶୀର୍ବାଦ କଲେ କି!। ବ୍ରହ୍ମା ଯାହା କରିଛି ସେ କଥା ଭୁଲି ଯାଇ ତାକୁ ଆପଣାର କରିବା କେତେ କଷ୍ଟ ସେ କଥା କେବଳ ମୁଁ ଜାଣେ। ମଦୁଆ,ଗୁଣ୍ଡା,ବଦମାସ୍ ଶ୍ରେଣୀର ପୁରୁଷ ବ୍ରହ୍ମା। ମୁଁ ତ ଭାଇକୁ ଭଲ କରିବା ସ୍ୱପ୍ନରେ ବୁଡି ଥିଲି। ନିଜ ପାଇଁ ସ୍ବପ୍ନ ଦେଖିଥିଲି କେତେବେଳେ। ଯଦି ବା ଦେଖିଥାନ୍ତି ବ୍ରହ୍ମା ପରି ମଣିଷଟିଏ କଣ ମନର ମଣିଷ କରିବାକୁ ଚାହିଁଥାନ୍ତି......। ଜଣେ ହୃଦୟ ବାନ ଭଲ ମଣିଷ ଖୋଜିଥାନ୍ତି। ଯେମିତି ମୋ ମିଲୁ ଭାଇ ସାଙ୍ଗ ବ୍ରଜ। ମେହନତି,କାମିକା,ପାଠଶାଠ ଦି ଅକ୍ଷର ପଢ଼ିଛି। ସବୁଠାରୁ ଭଲ ଗୁଣ ତାର ସେ ଖୁବ୍ ସରଳ,ସ୍ନେହୀ,ପରିପୋକାରୀ,ନିଶା ପାଣି ଛୁଉଁ ନଥିବା ସାଧା ସିଧା ମଣିଷଟିଏ। ମଜୁରୀ ଲାଗି ପାଠ ବି ପଢ଼ୁଥିବା,ଭବିଷ୍ୟତ ପାଇଁ ସୁନ୍ଦର ସ୍ବପ୍ନ ଟିଏ ଦେଖୁଥିବା ପୁଅଟିଏ। ସବୁଠାରୁ ବଡ଼ କଥା ଭାରି ଯତ୍ନଶୀଳ ବି। ଗୋଡେ ଗୋଡେ ଜଗିଥାଏ କାମ କଲା ବେଳେ ମୋତେ। ଆହା କି ସୁଧାର ପିଲାଟା। କେତେ ମାଇଲା ଏ ବ୍ରହ୍ମା ଚଣ୍ଡାଳଟି କାଲି ତାକୁ। ତାର ଦୋଷ କଣ। ମିଲୁ ଭାଇ ତ ତା ଜିମା ଦେଉ କାମକୁ ପଠାଇ ଥିଲା ମୋତେ।
ବିଚରା ବ୍ରଜ......ବ୍ରଜ ପାଇଁ ମନ ତଳେ ଗୋଟେ ଶିହରଣ ଖେଳିଗଲା। ଭଗବାନ କରନ୍ତୁ ବ୍ରଜ ଚାହୁଁଥିବା ଖୁସି ତାକୁ ମିଳୁ। ଭାବନାରେ ବୁଡି ରୋଷେଇ ବାସ କରି ସଜାଡ଼ିଲା ବ୍ରହ୍ମାର ଚିଡ଼ିଆଖାନା ଘର। ରାନ୍ଧି ବାଢି ଶଶୁର ଆଗେ ପରଷିଲା। ଅପେକ୍ଷା ରଖିଲା କେତେବେଳେ ବ୍ରହ୍ମା ଆସିବ। କିନ୍ତୁ ଶଶୁର କହିଲେ ବ୍ରହ୍ମାକୁ ଅପେକ୍ଷା ରଖିଛୁ କି? ସେ ଯାଇ ରାତିକୁ ଆସିବ ପୁଣି ମନ ହେଲେ। ତୁ ଯା ଖା ପିଇ।
କୁଣ୍ଠିତ ଭାବଟିଏ ଗ୍ରାସୁଥିଲା ମୋତେ।ଏ ଘରଟାରେ ବସି ବସି ଗେମ୍ପିବି। ହଜମ ହେବନିତ ମୋର। ନାଲି ଚାରେ ଚୁଡା କି ମୁଢି ମୁଠେ ଭସେଇ କାମକୁ ବାହାରି ଯିବା ଅଭ୍ୟାସ। ବସି ବସି ଖାଇବା ମୋର ପସନ୍ଦ ନୁହେଁ। ମୁଁ ବା କାହିଁକି ବ୍ରହ୍ମା ଉପରେ ବୋଝ ହେବି। କଣ କରିବି ଭାବିଲି। ଦେଖା ଯାଉ ବ୍ରହ୍ମା ଆସୁ।
ରାତିକି ଦଶ କି ଏଗାରଟା ବେଳକୁ ବ୍ରହ୍ମା ଆସିଲା। ସାଙ୍ଗରେ ଆଣିଥିଲା ପୁଡ଼ିଆଟିଏ। ମୋ ପ୍ରିୟ ଛଣା ଭାଜି ଆଳୁଚପ୍। ଏତକ ବି ହିସାବ ରଖିଛି ବ୍ରହ୍ମା। ମୁଁ କଣ ଖାଇବାକୁ ଭଲ ପାଏ,ନ ପାଏ। ରୁଟି ଗୁଡ଼ ବାଢ଼ିଦେଲି। ଖାଇବା ପାଖରେ ବସି କହିଲା ବାପା ଖାଇଲେଣି। ମୁଁ କହିଲି ବୁଢା ଲୋକ ଅନେଇଁ ଥାନ୍ତେ କି ଗୁଣ ମଣୀ ପୁଅ ବାଟକୁ। ରାତି ନଅଟାରେ ସମସ୍ତେ ଖାଆନ୍ତି। ତୋ ଭଳିଆ କିଏ ଏଗାରଟାରେ ଘରକୁ ଫେରେ। ଆଠ ଘଣ୍ଟା କାମ କଲା ପରେ ଯିଏ ଯାହା ଘର,ସଂସାରକୁ ଫେରିବାକୁ ଉଚ୍ଚାଟ ହୁଅନ୍ତି। କିଏ ତୋ ଭଳିଆ ରାତି ଅଧକୁ ଫେରେ। ଶୁଣେ... କଣ ହେଉଥିଲା ଏଯାଏ।
ବ୍ରହ୍ମା ମୋତେ ଗିଳି ପକାଇଲା ଭଳି ଚାହିଁଥିଲା। କଣ୍ଠ ଝାଡ଼ି କହିଲା ସ୍ତ୍ରୀ ହଅ କି ନ ହଅ ଘରଣୀ ହୋଇଗଲୁଣି କିନ୍ତୁ ଗୋଟିଏ ଦିନରେ। ଘର ଟାକୁ ବଢି଼ଆ ସଜେଇଛୁ। ବୁଝିଲୁ ଆଜି ଯାଏ ମୋର ସଂସାର ଥିଲା ନା ଘର। କେହି ବି ତୋ ପରି ତାଗିଦା କରି କହୁ ନଥିଲେ ଲୋ ହିରୋଇନ୍। ଚେଷ୍ଟା କରିବି ତୋ ହୁକୁମ ମାନିବାକୁ। ସହଳ ଫେରିବି ଏଣିକି। ତୁ ମୋ ବାଟ ଚାହିଁ ବସିଥିବୁ ତ...। କାନ ଦେଖା ଗୋଟେ କଥା କହିବି......।
ଏ ଶାଢୀରେ ନା ତୁ ଖାଲି ଜଳୁଛୁ ଲୋ। ହୁସିଆର ଏମିତି ବେଶରେ ବାହାରକୁ ବାହାରିବୁ ନାହିଁ। ଚିଲ ଝାମ୍ପିନେବେ। ଗରିବ ମାଇକିନିଆ ସଭିଙ୍କ ଶାଳୀ ଲୋ ହିରୋଇନ୍। ପେଟେ ଖାଇ ହେକୁଡିଟିଏ ମାରି ବ୍ରହ୍ମା ଚାଲିଗଲା ତା ଶୋଇବା ଜାଗାକୁ।
ବ୍ରହ୍ମା ଠାରୁ ପ୍ରଶଂସା ଶୁଣି ମୁଁ ଟିକେ ଆଇନାରେ ନିଜକୁ ଦେଖିଲି। ଆରେ ବାଃ ଚମତ୍କାର ଦିଶୁଛି ତ ଶାଢୀରେ ଠିକ୍ ମୋ ମା ପରି। ମା ଯେମିତି ଫୋଟୋରେ ଦେଖାଯାଏ। ସତରେ ମୁଁ ସୁନ୍ଦରୀ ଟିଏ? ଆଇନାକୁ ପଚାରିଲି। ଆଇନା ଟିକେ ହସିଦେଲା ଫିକ୍ କିନା। ମୋ ଓଠରେ ଗଡ଼ ଜିଣିବାର ଆନନ୍ଦ ନେସି ହୋଇଗଲା। ସତରେ ମୁଁ ହିରୋଇନ୍ ଟିଏ ପରି ତ......
କିନ୍ତୁ ବ୍ରହ୍ମା ପାଇଁ ମୋ ହୃଦୟରୁ ପ୍ରେମ ନୁହେଁ ରାଗ ଘୃଣା ହିଁ ସୃଷ୍ଟି ହେଉଛି। ଜାଣେଣି ବ୍ରହ୍ମାକୁ ଭଲ ପାଇ ପାରିବି କି ନାହିଁ ଏ ଜନ୍ମରେ।
କିନ୍ତୁ ଉଠାଇ ଆଣିଥିବା ଝିଅଟା ମଲେ ମରିବ ଏଇଠି,ବଞ୍ଚିଲେ ବି ଏଇଠି। ଏଇ ବ୍ରହ୍ମା ଘରକୁ ଆସିବା ବାଟ ଛଡା ସମାଜର ସବୁ ରାସ୍ତା ତ ମୋ ପାଇଁ ମନା।