Lopamudra Parida

Drama Tragedy


4.4  

Lopamudra Parida

Drama Tragedy


ହାଟପାଳି

ହାଟପାଳି

3 mins 6 3 mins 6


କାଲି ବୁଧବାରେ ହାଟପାଳି, କଣ ଦିଟା ଆଣନ୍ତି .. ଭାବି ହଉଥିଲା ମକୁ ମା' ।ସିଏ ଘର ଚଳାଏ କହିଲେ ଭୁଲୁ ହବ ,ଚଳାଏ ତା ଫୁଲ ବାରି ଆଉ ଝୁମ୍ପା, ତା କାଳୀଗାଈ .....ଯାହାର ଦୁଧ ଶାକର କୁ ବଳିପଡିବ ମଧୁରି ରେ ।ସିଏ ମାଟିଘଡି ଚାରିଟା ରଖିଥାଏ,ସେଇ ତାର ସବୁ ସମ୍ପଦ ।ମାନେ ଗୋଟେ ରେ ତା ଝୁଅ ବାହା ପେଇଁ ,ଗୋଟେ ତା' ମକୁ ର ଗୋଡ ନଗେଇବ ବୋଲିକା, ଗୋଟେ ତାର ସଂସାର ଚଳାଏ, ଡାଲି, ତେଲ ଲୁଣ.....ଆଉ ଗୋଟାକ ତା ସପନ ।ତ' ନାଁ ତା ମା ସପନି ଦେଇ ନ ଥେଲା କି ,ଏଇ ମକୁ ଟା ପେଟୁକୁ ଆଇଲାରୁ ତା ନାଁ ମକୁ ମା ହେଲା ନା ।ମକୁ ଟିର ଗୋଡ ପୋଲିଅ ରେ ଛୋଟେଇକି ସରୁଏଇ ଯାଇଛି,ବାଉଁଶ ନଳୀ କାଠି ପରି ।ମନ ଉଣା ହଏନି ବୋଲି କହେନି ମକୁ ମା' ,କହେ ହ' କାଳିଆ ସାଆନ୍ତ ର ତ ପୁଣି ହାତ ପାଦ କିଛି ନ ଥାଇକି ଜଗତ ଚଳଉଛି, ରଜା ସାଜିଛି ...ଆଉ ମୋ ମକୁ କୁ ସିଏ କଣ ଚାହିଁ ବନି କି ।ମୁଁ କଣ ସହଜେ ଛାଡିଦେବି କି ,ସିଏ ବା କୁଆଡେ ଭାବ ବିନୋଦିଆ ,ଭାବ ଲଗେଇଦେବାରେ ମୁଁ କଣ କିଛି ଉଣା ରଖିବି କି ।କୁହାବୋଲା କରି ମୋ ମକୁ ର ଗୋଡ ଟା ସଳଖେଇ ଦେବି ନା ।


ମା' ବୋଲି ସିନା ଏତେ ଦମ୍ଭ, ପିଲା ପାଇଁ କାଳିଆ ଠୁ ଡେଣା ମୂଲାଏ ।ସାଙ୍ଗରେ ଦୀର୍ଘନିଶ୍ବାସ ରୁ ପୁଞ୍ଜାଏ ପାଞ୍ଚୁଟା ଆଣ୍ଟେଇଥାଏ ।ଝୁଅଟି ପୁଣି ବାହାତୋଳା କୁ ଯୋଗେଇଗଲେ ତା ପାଇଁ କି ପୁଣି 

ଜଗାକୁ ଫେରାଦ ହବ ,ମନରେ ସଞ୍ଚେ ଭାବନାକୁ ।


କହନ୍ତି କୁଆଡେ ବଡ ଦେଉଳରେ ବଡ ଠାକୁରେ ଙ୍କୁ ଯାହା ମାଗିବ ତାହା ପାଇ ,ସାନ ସାଆନ୍ତେ କୁଆଡେ ହାଟନାଟ ଲଗାନ୍ତି ।ହେଲେ ମନ ବି ଟାଣନ୍ତି ସେଇ ସାନ ସାଆନ୍ତେ ।ତା ଆଖି ରୁ ତ ମନ ଫେରେନି ,ମାଗିବ କଣ ବିସରି ଯାଏ ।ଏ ସନ୍ ଆଉ ଭୁଲିବିନି, କାନିରେ ଗଣ୍ଠି ଆଣ୍ଟିଛି । ଲୁଗା କାନିନା ଟିକେ ଜୋର୍ ପାଇଲେ ଚିର୍ ଶବଦ କରେ, ଯା ଆସ କରିଆକୁ ଏଇ ଖଣ୍ଡକ ।


ସପନି ର ସପନ କଥା ପଛକୁ ଥାଉ ,ଆଗେ ଏତକ କାମ ବଢୁ । 


କାଲି ହାଟ ପାଳି ଥେଲା ।ଫୁଲ ଝୁଡିଏ ଆଉ ଛେନା, ଘିଅ, ଦହି ସଜ, ସଜ କରି ନେଇଥେଲା ମକୁ ମା '।ଚାରି ପାଞ୍ଚ ପାଳିରୁ କାଇଁ ଗରାଖ ଗାଢଉନାହାନ୍ତି । କଣ ଗୋଟା ମଡକ ପଡିଛି ବୋଲି କୁହାକୁହି ହଉଛନ୍ତି, କରନା ନା କଣ କରୁଣା ।ସେଇ କୁଆଡେ ବାହାରକୁ ବାହାରିଲେ ତା ବସ୍ତା ରେ ମଣ୍ଡାଖିଆ ଅସୁରୁଣୀ ବୁଢୀ ପରି ଗୋଟେଇନଉଚି ।ସେ ନାଗି ହାଟବାଟ ପତଳା, ମାଛି ଉଡୁନି ।


କଣ କରିବ ,ଯୋଉ ବାଟେ ବାଟେ ଯାଇଥେଲା ସେଇ ବାଟେ ବାଟେ ଲେଉଟିଲା ।ବୁଜୁଳା ବସ୍ତାନୀ ଧରି,ଡାଲା ମୁଣ୍ଡେଇ, ଯାହାର ଯିଏ ଗଲେ ।ମକୁ ମା କାନମୁଣ୍ଡା ଆଉଁସି ଘର ପିଣ୍ଢା ରେ ପହଞ୍ଚିଲା ।ମକୁ ର ଗୋଡ ଓଷଦ, ଝୁମ୍ପା ର ଖୁରା ଫଟା ମଲମ, ସୁନୀ ଟିର ଫରକ ଖଣ୍ଡେ ,ମକୁ ବା ' ର ଗୋଇଠି କାଟି ଦେଇଥିଲା ଗେଣ୍ଡା ଗହିରିଆ କିରି ଶୁକୁନଥେଲା ଯମା,ତା ପାଇଁ ବଇଦଠୁ କଣ ପଥି ଠୋପା, ସାର ମୁଠାଏ, ଚଉରା ପେଇଁ ନୂଆ କରିଆ ନାଲି କପଡା ଖଣ୍ଡେ ଏତକ ବରାଦ ଥେଲା ।

ତା ବାଁ ହାତ ବୁଢା ଆଙ୍ଗୁଠି କଣନଖା ମାଟି ପଶି ପଚୁଛି ,ପୁଜଉଚି ସେ କଥା ପଛେ ପଛୁକୁ ଥାଉ । 


ଫୁଲ ଗଣ୍ଡାଏ ବିକିରି ହେଇଥେଲା, ସେଇ ଥେରେ ଶୋରିଷ, ଫୁଟଣ ଦିଟା ଆଉ କଞ୍ଚା ପରିଆ ଦିଟା ଘିନିଆଇଥେଲା।ଆଉ ପିଇସାଟାଏ ବଳିଲାନି ।ଘଡି ରେ କଣ ସଞ୍ଚିବ ।


ସଭିଏଁ ଚାହିଁ ବସିଥିଲେ ଘରେ ,ହାଟରୁ ଫେରିଲେ ଘରେ ପସରା ମେଲିବ ବୋଲି, ପୁଣି ଆଖି ର ଗୋଲାପି ଜୁଇ ଫୁଲ ଝରିଗଲେ ପାଣି ଫାଟିକି।  


ଧିରେ ଧିରେ ଘଡି ସବୁ ଓବୁଡିପଡି ପେଟେଇଲେ, ସପନି ର ସବୁ ସପନ ହାଟ ବାଟରେ ନିଗିଡି ବୋହି ଗଲା ।


କେବେ ଯୋଡି ହବ କିଏ କହିବ, ଏବେ ତ ଘଣ୍ଟା ବି ଅନିଶ୍ଚିତତା ରେ ଟିକ୍ ଟିକ୍ କରୁଛି ।


Rate this content
Log in

More oriya story from Lopamudra Parida

Similar oriya story from Drama