Satyabati Swain

Tragedy

4  

Satyabati Swain

Tragedy

ହାଟ

ହାଟ

4 mins
202


ସପ୍ତାହରେ ଦୁଇଟି ବାର ମୋର ଅତି ପ୍ରିୟ । ରବିବାର ଓ ଗୁରୁବାର । 


କାଇଁକି କହିଲ ?


ହଁ ମୁଁ ଜାଣିଛି ତୁମେ କହି ପାରିବ ନାହିଁ । 


ମନେ ପଡ଼ିଲା ପାଞ୍ଚ କି ଛଅ ବର୍ଷ ବୟସ କଥା । 


ମୋ ଜେଜେ ଜଣେ ଅପର ପ୍ରାଇମେରୀ ପ୍ରଧାନ ଶିକ୍ଷକ । ସାଇକେଲ୍ ଚଳେଇ ବି ଜାଣନ୍ତି ନାହିଁ । ଦାଦା ଭାରି ବିଗିଡନ୍ତି ଜେଜେଙ୍କ ପାଦରେ ଚାଲି ଚାଲି ସ୍କୁଲ,ବନ୍ଧୁ କି ଅନ୍ୟ କେଉଁଠିକୁ ଯିବା । ଦାଦା ଯଦି କୁହନ୍ତି " ଆସ ମୁଁ ଗାଡ଼ିରେ ଛାଡି ଦେଇ ଆସିବି" ଜେଜେ ରାଜି ହୁଅନ୍ତି ନାହିଁ । କୁହନ୍ତି ଏମିତି ପାଦରେ ଚାଲି ଯିବାରେ ଅନେକ ଲାଭ । ଏମିତିରେ ଦେହ ସୁସ୍ଥ ରହୁଛି । ପୁଣି ବହୁ ଲୋକଙ୍କ ସହ ଦେଖା ହୋଇ ଦୁଃଖସୁଖ ହୋଇ ପାରୁଛି । ତୋ ଗାଡି ପଛରେ ବସି ଗଲେ ଏଇ ସୁଖ ଟିକକରୁ ବଞ୍ଚିତ ହେବେ । 


ଦାଦା କୁହନ୍ତି ତାହେଲେ ସାଇକେଲ୍ ଶିଖୁନ । ଚାଲି ଚାଲି ଗୋଟେ କଣ ଯାଉଛ ?


ଜେଜେ ଦୁଇ ହାତ ଯୋଡି କୁହନ୍ତି, ଆରେ ବାବା ସାଇକେଲରୁ ପଡି ଏଯାଏ ପରା ମୁଣ୍ଡ ଚିହ୍ନ ଯାଇନି ! ଆଉ ସାଇକେଲ୍ ଚଢିବି ? ଗଙ୍ଗା ଯେତିକି ଯାଇଛି, ଭଲ ସେତିକି ପାଇଛି । ମୋର ଚାଲି ଚାଲି ଯିବାରେ ଯଦି ଅସୁବିଧା ନାହିଁ, ତୁମ ମୁଣ୍ଡ ଏତେ କିଆଁ ବଥାଉଛି ? ଏବେ ବି ମୋର ଚାକିରୀ ଆହୁରି ଆଠ ବର୍ଷ ବାକି ଅଛି । ମୋତେ ବୁଢା ଭାବୁଛ ନା କଣ ? 


ଜେଜେଙ୍କ କଥା ଶୁଣି ଦାଦା ଆଉ କିଛି କୁହନ୍ତି ନାହିଁ । 


ପ୍ରତି ରବିବାର ଓ ଗୁରୁବାର ମୋ ଅପେକ୍ଷାର ବାର । କାରଣ ସେଦିନ ଆମ ଘର ପାଖ ହାଟ ବାର । 

ଜେଜେ ବ୍ୟାଗଟିଏ ଝୁଲାଇ ଚାରିଟା ବେଳେ ହାଟକୁ ଯାଆନ୍ତି । ରାତି ଆଠଟା ସୁଦ୍ଧା ଫେରି ଆସନ୍ତି । ମୁଁ ଧଇଲା ଚଢେଇ ପରି ଅନେଇଁ ଥାଏ; କେତେବେଳେ ଜେଜେ ଆସିବେ । ଜେଜେ ଦୁଆର ମୁହଁରେ ହେଉ ହେଉ ଡାକ ଛାଡିବେ କାହ୍ନା, କାହ୍ନାରେ ।  


ମୁଁ ତ ଟାକିକି ଥିବି । ଗୋଟିଏ ଡିଆଁରେ ଜେଜେଙ୍କ ପାଖେ ପହଞ୍ଚି ଯାଇ କୁନ୍ଥେଇ ମୁନ୍ଥେଇ ଜେଜେଙ୍କ ହାତରୁ ଧରି ମାଆ ପାଖକୁ ନେଇ ଯିବି । ଜେଜେ ଡାକ ଛାଡୁଥିବେ ଆରେ ରହ ରହ ମୁଁ ନେଇଯିବି । ମୁଁ କି ଶୁଣେ ବ୍ୟାଗ୍ ମୋ ନେବା ଥୟ । ଜେଜେ ଗୋଡ଼ ହାତ ଧୋଇ ଆସିବେ । ମୋତେ ପାଖକୁ ଡାକି ତାଙ୍କ ପଞ୍ଜାବୀ ପକେଟରୁ ପୁଡ଼ିଆଟିଏ ବାହାର କରି ଦେବେ । କହିବେ ବାହାରେ ଟିକେ ପକାଇ ଖାଆ । 


ମୋର ଭାରି ଲୋଭ ସେଇ ପୁଡ଼ିଆଟିରେ । କି ବାସ୍ନା ସେ ପୁଡିଆର ! ମଟର, ସେଉଗାଣ୍ଠିଆ, ପିଆଜ, ଧନିଆଁ ପତ୍ର, ଲଙ୍କା ଗୁଣ୍ଡ ପଡି ମିକ୍ସ ହୋଇଥିବ । ଏତେ ଟେଷ୍ଟି ଯେ ଏବେ ସେଇ ଟେଷ୍ଟ ଖୋଜିଲେ ବି ମିଳେନା । ମୁଁ ସେଇ ପୁଡ଼ିଆରୁ ଜେଜେମା, ଦାଦା,ମାଆ ଓ ଜେଜେ ସମସ୍ତଙ୍କୁ ଟିକେ ଟିକେ ଦିଏ । ଯିଏ ଯେତେ ମନା କଲେ ବିମାନେ ନାହିଁ । ସମସ୍ତଙ୍କୁ ଦେଇ ସାରିଲା ପରେ ପୁଡ଼ିଆଟି ଧରି ମୁଁ ଖାଇ ବସେ । ଜେଜେ କୁହନ୍ତି ଆରେ କାହ୍ନା ତୋ ପାଇଁ ଆସିଛି । ତୁ ନ ଖାଇ ସମସ୍ତଙ୍କୁ କାହିଁକି ଦେଇଛୁ ?

ବାଣ୍ଟି ଖାଇଲେ ମଜା ଥାଏ ଜେଜେ, ମୁଁ ହସିକି କୁହେ । ଜେଜେ ମୋ ମୁଣ୍ଡରେ ହାତ ବୁଲେଇ କୁହନ୍ତି କାହ୍ନାଟା ମୋର ଭଲ ହୃଦୟର ମଣିଷଟିଏ ହେବ । 


ସେଇ ପୁଡ଼ିଆ ଖାଇବା ଲୋଭରେ ଦିନେ ଜେଜେଙ୍କ ସହ ହାଟକୁ ଯିବାକୁ ବାହାରିଲି । ମାଆ ମନା କଲା,ଏତେ ବାଟ ଚାଲି ଯାଇପାରିବୁ ନାହିଁ । ଜେଜେ କହିଲେ ଚାଲୁ । ଚାଲିବା ଭଲ । ପାତିଆଟା ହୋଇଛି । ମୁଁ କଣ ସବୁବେଳେ ହାଟ କରୁଥିବି? ମୋ ଅନ୍ତେ କାହ୍ନା ହିଁ ସବୁ କରିବ ନା । ପିଲାଙ୍କୁ ସବୁ କଥା ଶିଖାଇଲେ ଭଲ । ପ୍ରତ୍ୟକ୍ଷ ଜ୍ଞାନ ପାଇବ । 


ମୁଁ ଚଟ୍ କି ମୋ ଭଲ ପ୍ୟାଣ୍ଟ ସାର୍ଟ ପିନ୍ଧି ବାହାରି ପଡ଼ିଲି । ଜେଜେ ଚାଲୁଥିଲେ; ମୁଁ କିନ୍ତୁ ଦୌଡୁଥିଲି । ବାଟ ସାରା ଜେଜେ ମୋ ସହ କଥା ହୋଇ ଚାଲୁଥିଲେ । ଆଗରୁ କେବେ ହାଟ ଦେଖି ନଥିଲି । ପଚାରିଲି ଜେଜେ ହାଟ କେମିତିଆ ? ସେଠି କଣ ସବୁ ଥାଏ ?


ହାଟ ! ହାଟରେ ସଉଦା କିଣା ବିକା ହୁଏ । 


ହାଟ ଗୋଟେ ବଡ଼ ପଡ଼ିଆରେ ବସେ । ସେଠି ବିଭିନ୍ନ ଦୋକାନ ବସେ । ବେପାରୀମାନେ ପନିପରିବା, ଫଳମୂଳ, ଲୁଗାପଟା, ବହିଖାତା, ଡାଲି ଚାଉଳ, ହାଣ୍ଡି ମାଠିଆ, ମାଛ ଶୁଖୁଆ, ତେଲଭାଜି, ବିଭିନ୍ନ ମିଠା ଦୋକାନ ମାନ ପକାଇ ଥାଆନ୍ତି । ଲୋକମାନଙ୍କର ଚଳିବା ପାଇଁ ଯାହା ଯାହା ଆବଶ୍ୟକ ସବୁ ଗୋଟିଏ ଜାଗାରୁ ମିଳେ । ସେଇଟା କୁ ହାଟ କୁହନ୍ତି । ପାଞ୍ଚ ଛଅଖଣ୍ଡି ଗାଁ ମଝାମଝି ହାଟଟିଏ ବସେ । ସପ୍ତାହକୁ ଦୁଇଥର ହାଟ ବସେ । ତୁ ତ ଆଜି ଯାଉଛୁ ହାଟ କଣ ଦେଖିବୁ । ସହରରେ ଗାଁ ହାଟ ଠାରୁ ଅଧିକ ଜିନିଷ ମିଳେ । 

ତୁ ଜାଣିଛୁ ବଡ଼ ହେଲେ ଆଉ ଗୋଟିଏ ହାଟ କଥା ଜାଣିବୁ । 

କେଉଁ ହାଟ ଜେଜେ ?

ଏ ସଂସାର ଗୋଟିଏ ହାଟ । 

ସଂସାର !!

ଆମ ଦୁନିଆଁ । 

ଦୁନିଆଁ !!

ହଁ ଆମେ ଯେଉଁଠି ଜନ୍ମିଲେ, ବଡ଼ ହେଉଛେ । ସବୁ ପଶୁ ପକ୍ଷୀ, ଜୀବଜନ୍ତୁ, ଜୀଵ ନିର୍ଜୀବ ସବୁକୁ ନେଇ ଆମ ଦୁନିଆଁ । ଈଶ୍ୱର ଏହାକୁ ଗଢିଛନ୍ତି । ଏଇଟା ବି ଗୋଟେ ହାଟ । 

ଏଇ ହାଟରେ ଆମେ ସବୁ ବେପାରୀ ଓ ଗରାଖ । ପ୍ରତିଦିନ କିଣା ବିକା ଚାଲିଛି । ପ୍ରତ୍ୟେକ ମଣିଷ ଗୋଟେ ଗୋଟେ ଏଇ ହାଟର ହାଟୁଆ । ଯେଉଁଦିନ ହାଟରୁ ସଉଦା ସରିଯିବ ଆମେ ଆକାଶର ତାରା ହୋଇଯିବା । 

ଆକାଶର ତାରା !

ବଢ଼ିଆ ମଜା ହେବ ତ ! ଉପରେ ଥାଇ ସମସ୍ତଙ୍କୁ ଦେଖିବ । 

ନାଇଁରେ କାହ୍ନା, ସେ ତାରା ସତରେ କଣ କିଛି ଦେଖେ ? ତାରାର କଣ ଆଖି ଅଛି?

ମୋ ମୁଣ୍ଡରେ ଏତେ ପଶେନି । ମୋର ତ ପୁଡ଼ିଆ ପାଖେ ମନ ଥାଏ । ଗୋଟିଏ ପୁଡ଼ିଆ ଖାଇବି । ଆଉ ଗୋଟିଏ ପୁଡ଼ିଆ ଘରକୁ ଆଣିବି । କଥା ନଅସରେ ହାଟରେ ତ ପହଞ୍ଚି ଯାଏ; କିନ୍ତୁ ଫେରିଲା ବେଳକୁ ଗୋଡ଼ ଆଦୌ ଆଗକୁ ପଡେନି । ଜେଜେ କାନ୍ଧରେ ବସେଇ ଆଣନ୍ତି । ମାଆ ରାଗେ । ଜେଜେଙ୍କୁ କେତେ ବାଧା ହୋଇଥିବ । ଏକେ ତ ସେ ଚାଲିକି ଯିବା ଆସିବା କରୁଛନ୍ତି; ସେଥିରେ ପରିବା ବୋଝକୁ ପିଲା ବୋଝ । 

ସତ କଥା ଭାବି ମୁଁ ଆଉ କେବେ ହାଟକୁ ଯାଇନି । କିନ୍ତୁ ଜେଜେ ସତରେ ଚଲା ବୁଲା କରୁଥିବାରୁ ସୁସ୍ଥ ମଣିଷଟିଏ ଥିଲେ । ଦିନେ ଡାକ୍ତରଖାନା ମାଡି ନାହାନ୍ତି । ମାତ୍ର ବାଷଠି ବର୍ଷରେ ଖାଇକି ଶୋଇଛନ୍ତି ଯେ ଶୋଇଛନ୍ତି । ଆଉ ଉଠିଲେନି । 


ସମସ୍ତେ କହିଲେ ଜେଜେ ମରିଗଲେ । ଆକାଶରେ ତାରା ହୋଇଗଲେ । 


ମୋର ମନେ ପଡ଼ିଲା ଜେଜେ ଯେଉଁ କହୁଥିଲେ ହାଟରୁ ସଉଦା ସରି ଗଲେ ସମସ୍ତେ ଦିନେ ନା ଦିନେ ଆକାଶର ତାରା ହେବେ ! ଜେଜେଙ୍କ ହାଟ ସଉଦା ସରିଗଲା କି !

ଏକଥା ପଚାରିଲା ବେଳେ ମାଆ ମୋ ମୁହଁକୁ କଲବଲ କରି ଚାହିଁ ଜୋରରେ କାନ୍ଦିଲା । 

ସେଦିନ ଜେଜେ ଚାଲୁଥିଲେ କାମ କରିବା ପାଇଁ,ସୁସ୍ଥ ରହିବା ପାଇଁ । ଆଜି ମୋ ବାପା ଓ ଦାଦା ଚାଲୁଛନ୍ତି ଝଡ଼ିବା ପାଇଁ । 


ଯଦିଓ ମୁଁ ବଡ଼ ହେଲିଣି, ତଥାପି ହାଟ ସଂଜ୍ଞା ଯାହା ଜେଜେ କହିଥିଲେ ଏବେ ବି ମୋ ପାଇଁ ଅବୁଝା । 



Rate this content
Log in

Similar oriya story from Tragedy