ହାତୀ ଚଲା ପଥ
ହାତୀ ଚଲା ପଥ
ଦଶହରା ଛୁଟି ପଡିଥାଏ l ମୁଁ ୟୁସିଇ ବୁର୍ଲାରେ ପ୍ରଥମ ବର୍ଷର ଛାତ୍ର ଥାଏ l ଏଇ ଅଗଷ୍ଟରେ ଆଡ଼ମିସନ ହେଇଥାଏ l ଅକ୍ଟୋବରରେ ପୂଜା ଛୁଟି, ପ୍ରଥମ ଥର ପାଇଁ ଘରକୁ ଯାଉଛି l "ପ୍ରଥମ ଥର ଘରକୁ ଆସୁଛୁ, କାଳେ ହଇରାଣ ହେବୁ ସେଇଥିପାଇଁ ଆମେ ମୁଁ ଆଉ ତୋ ବାପା ଗାଡି ଧରି ସକାଳୁ ସକାଳୁ ତୋ ହଷ୍ଟେଲରେ ପହଂଚି ଯିବୁ l ତୁ ରେଡି ହେଇ ରହିଥିବୁ l"
ବୋଉ ଫୋନ କରି କହିଲା l
ମୁଁ ଖୁସି ହେଇଗଲି ଯାହାହେଉ କାରରେ ଯିବା ମସ୍ତ ମଜା ଲାଗିବ ପ୍ରକୃତିର ଶୋଭାକୁ ଅତି ନିକଟରୁ ଦେଖିବି l ଜଙ୍ଗଲ ଦେଇ ଗଲାବେଳେ ପଶୁ ପକ୍ଷୀ ବି ଦେଖିବି l ଖୋଲା ପବନ ଖାଇବି l
ମୁଁ ପୁରା ଉଚ୍ଛନ୍ନ ଥାଏ l ସକାଳୁ ସକାଳୁ ସେଦିନ ବାପା ବୋଉ ଆଉ ଆମ ଡ୍ରାଇଭର ପହଂଚିଗଲେ ହଷ୍ଟେଲ ପାଖରେ l ମୁଁ ରେଡି ହେଇଯାଇଥାଏ l ଯାହାହେଉ ଦିନ ଆଠ ପାଖାପାଖି ଆମେ ବାହାରି ପଡ଼ିଲୁ l ଶୀତ ସକାଳୁ, କାର ର ଝରକା ଏମିତି ଟିକେ ଟିକେ ଖୋଲା ଥାଏ, ହାଲକା ଥଣ୍ଡା ପବନ ଖାଲି ଦେହକୁ କଣ ମନକୁ ବି ରୋମାଂଚିତ କରୁଥାଏ l ବାପା ଆଗରେ ବସିଥାଆନ୍ତି ବୋଉ ମୁଁ ପଛରେ l ଆମର ହିସାବ ଅନୁସାରେ ଆମେ ଦିନ ଏକଟା କି ଦୁଇଟା ବେଳେ ପହଂଚିବାର କଥା l ଗାଡି ଠିକ ଠାକ ଚାଲିଥାଏ l ମୁଁ ପୁରା ଭରପୁର ଏନଜୟ କରୁଥାଏ l ହଟାତ ଧନୁପାଲି ପାଖରେ ଆମର ଗାଡି ଆଗରେ ଗୋଟେ ଗାଡି ଆକ୍ସିଡେଣ୍ଟ ହେଇଗଲା l ବାସ ତାପରେ ଲୋକ ଷ୍ଟ୍ରାଇକ ରାସ୍ତା ଯାମ୍ l ଚାହୁଁ ଚାହୁଁ ସମୟ ଦୁଇ ବାଜିଗଲା, ଆଜି ଆଉ ପହଁଚିଲା ଭଳି ଲାଗୁନି l ଯାହାବି ହେଉ ଆମେ ସେଇଠି ଲଞ୍ଚ ଖାଇନେଲୁ l
ପୁଲିସ ଆସି ସବୁ କମ୍ପ୍ରମାଇସ କଲା ପରେ ଗାଡି ଗଡ଼ିବା ଆରମ୍ଭ ହେଲା l ସେତେବେଳକୁ ପାଞ୍ଚ ଟା ବାଜି ଯାଇଥିଲା l ଅନୁଗୁଳ ପଟ ରାସ୍ତା ଟା ବହୁତ ଖରାପ ଥିବାରୁ ଆମର ପ୍ଲାନ ହେଲା ଦେବଗଡ଼ ଦେଇ କାମାକ୍ଷାନଗର ପଟେ ଯିବାର l
ଗାଡି ଠିକ୍ ଠାକ୍ ଗଡିଚାଲିଥାଏ l ଯାହାହେଉ ଟିକେ ଶାନ୍ତି ହେଇଆସିଥାଏ l ଓଃ ପୁରା ବିରକ୍ତି ଲାଗିଯାଇଥିଲା l ଗାଡି ଦେବଗଡ଼ ଫରେଷ୍ଟ ଦେଇ ଚାଲିଥାଏ l ସେତେବେଳେ କୁ ପ୍ରାୟ ସନ୍ଧ୍ୟା ହେଇ ଆସିଥାଏ l ସନ୍ଧ୍ୟା ବେଳର ମନୋରମ ମତୁଆଲା ପବନ ରେ ଝୁମି ଯାଉଥିଲି l ଗାଡି ପାଖାପାଖି ଘଣ୍ଟେ ଜଙ୍ଗଲୀ ରାସ୍ତାରେ ଚାଲିଲା ପରେ, ହଟାତ୍ ବାପା ଆମ ଡ୍ରାଇଭର କୁ କହି ପକେଇଲେ
-" ଆରେ ଶଙ୍କର ରାସ୍ତା କାହିଁ ସରୁନି, ଆମେ କୌଣସି ଭୁଲ ରାସ୍ତାରେ ଯାଉନେ ତ l"
ମୋ ଦେହରେ ଛନକା ପଶିଗଲା, ଭାରି ଡର ଲାଗିଲା l ବାଟରେ ଖାଲି ନଜର ପଡୁଥାଏ "ହାତୀ ଚଲା ପଥ" "ସାବଧାନ ଏଠାରେ ଭାଲ୍ଲୁ ବାହାରନ୍ତି ", "ବାଘ ପ୍ରତି ସାବଧାନ"..... ଏସବୁ ଲେଖା ଦେଖି ଦେଖି ମୋର ଅଧା ରକ୍ତ ଶୁଖିଯାଇଥାଏ l ହଟାତ ବାପା ଚିଲେଇ ଉଠିଲେ " ଆରେ ଏଇଟା କଣ ପାଲହଡା ଲେଖା ବାହାରିଲାଣି, ଆମେ ଭୁଲ ରାସ୍ତା ରେ ପଳେଇ ଆସିଛୁ ଶଙ୍କର ଗାଡି ଶୀଘ୍ର ବ୍ୟାକ କର ହାତୀ କି ବାଘ ହାବୁଡ଼ରେ ପଡିଲେ ସର୍ବନାଶ ହେଇଯିବ l"
ବୋଉ ପାଟିରେ ଭାଷା ନଥିଲା,ମୁଁ ବି ପୁରା ଚୁପ୍ ହେଇଯାଇଥିଲି l ମୋ ମନରେ ଖାଲି ରଙ୍ଗ ଟର୍ନ ଫିଲ୍ମ ଉଙ୍କି ମାରୁଥାଏ l ରାତି ବି ପାଖାପାଖି ନ ଟା ବାଜିଲାଣି l କାଉ କୋଇଲି ବି ଦେଖା ଯାଉ ନ ଥାନ୍ତି l ନେଟ ବି ଆସୁନଥାଏ ଗୁଗୁଲ ମ୍ୟାପ ଦେଖିବା ପାଇଁ l ମୁଣ୍ଡ କାମ କରୁନଥାଏ l ଖାଲି ଆଖିରେ ପଡୁଥାଏ "ହାତୀ ଚଲା ପଥ" "ସାବଧାନ ଏଠାରେ ଭାଲ୍ଲୁ ବାହାରନ୍ତି ",
"ବାଘ ପ୍ରତି ସାବଧାନ"..........
ଗାଡି ବ୍ୟାକ କରି ଚାଲି ଥାଏ, ଏହା ଭିତରେ ଟିକେ ଆଖି ଲାଗିଯାଇଥାଏ l
ନିଶା ଘନୀଭୂତ ହେଉଥାଏ l ସ୍ୱାନ ଶୃଗାଳ ବ୍ୟାଘ୍ର ର ଚିତ୍କାରେ ଜଙ୍ଗଲ ଫାଟି ପଡୁଥାଏ l ହାତୀର ଗର୍ଜନ ରେ କାନ ତାବଡା ହେଇଯାଉଥାଏ l ହଟାତ ଆମ ଗାଡି ଆଗରେ ପାଞ୍ଚ ଛ ଟି ଦନ୍ତା ହାତୀ ଆସିଗଲେ l ବାପା ହଟାତ ଚିତ୍କାର କଲେ ସବୁ ଚୁପ ଚାପ ରହିଯାଅ, ଗାଡି ଷ୍ଟାର୍ଟ ବନ୍ଦ କରିଦିଅ, ସବୁ ଲାଇଟ ଅଫ କର l ମୋ ଆଖି ବନ୍ଦ ହେଇଯାଉଥାଏ l ବୋଉ ଆଉ ମୁଁ ଭୟରେ କମ୍ପୁ ଥିଲୁ l ଆମେ ଅନ୍ଧାର କରି ଗାଡ଼ିରେ ବସିଥାଉ l ହଟାତ ବାପା ଙ୍କ ମୋବାଇଲ ବାଜି ଉଠିଲା, ତତକ୍ଷଣାତ୍ ଗୋଟେ ଦନ୍ତା ହାତୀ ଆମ କାର ଆଡେ ମାଡି ଆସିଲା ଆଉ ଶୁଣ୍ଢରେ କାର କାଚ କୁ ଭାଙ୍ଗିଦେଲା, ତାପରେ ଫୁଟବଲ ପରି କାର କୁ ଗାଡେଇବାରେ ଲାଗିଲା l ଆମେ ଖାଲି ଚିତ୍କାର କରୁଥାଉ l ହଟାତ ମୁଁ ଛିଟିକି ପଡି ଗୋଟେ ଗଛ ତଳେ ପଡିଲି, ଆଉ ବାପା ବାପା ଚିତ୍କାର କଲି l ପୁଣି କୁଆଡୁ ଆଉ ଗୋଟେ ହାତୀ ଆସି ଶୁଣ୍ଢରେ ପୁଣି ମୋତେ ଫିଙ୍ଗିଦେଲା, ତାପରେ ମୁଁ ଚେତା ଶୂନ୍ୟ ହେଇଗଲି l କିଛି ସମୟ ପରେ ମୋ ଚେତା ଆସିଲା, ମୁଁ ଏତେ ଡରିଯାଇଥିଲି ଯେ ମୋ ପାଟିରେ ଭାଷା ବାହାରୁ ନଥିଲା l ମନେ ମନେ ବାପା ବୋଉ ଙ୍କୁ ଖୋଜିଲି, କିଛି ଦୂରରେ ଦେଖିଲି ଶଙ୍କର ଭାଇଙ୍କର ରକ୍ତ ଭିଜା ସାର୍ଟ ପ୍ୟାଣ୍ଟ ପଡିଥାଏ l ମୁଁ ବିକଳରେ ଦୌଡିବାକୁ ଲାଗିଲି ସାମ୍ନାରେ ଦେଖିଲି ବାଘ ଟେ ମୋତେ ଅନେଇ ଜିଭ ଲହ ଲହ କରୁଛି, ତାପରେ ଆଉ ଏକ ଦିଗକୁ ଦୌଡିଲି ଦେଖିଲି ଭାଲୁ ମୋ ଆଡେ ମାଡି ଆସୁଛି, ପଛକୁ ଦୌଡିଲି ଦେଖିଲି ଦନ୍ତା ହାତୀ ଟେ ଗଁ ଗଁ କରୁଛି l ମୁଁ ସେଇଠି ଶୋଇପଡ଼ି ରଡି କାଲି ବଞ୍ଚାଓ ବଞ୍ଚାଓ ଆଉ କାନ୍ଦିବାକୁ ଲାଗିଲି l
"ବଞ୍ଚାଓ ବଞ୍ଚାଓ ବାପା ବଞ୍ଚାଓ ବାଘ ଖାଇଗଲା ହାତୀ ଖାଇଗଲା ବଞ୍ଚାଓ.......... ଏଁ ଏଁ ଏଁ l"
"ଚୁପ..... ଆରେ ଆମେ କଟକ ପହଞ୍ଚିଲେଣି l"
ବୋଉ ବଞ୍ଚା ମୋତେ ବଞ୍ଚା ସେ ବାଘ ମୋ ଆଡେ ମାଡି ଆସୁଛି l
ହଟାତ ବାପା ଙ୍କର ଗୋଟେ ଚାପୁଡ଼ା ରେ ମୋ ନିଦ ଭାଙ୍ଗିଗଲା l
-" ଆରେ ଆମେ କଟକ ପହ୍ଞ୍ଚିଲୁଣି, ଆମର ରାସ୍ତା ଖୋଜି ଖୋଜି ବାର ବାଜିଗଲାଣି ଟୋକା ଏଣେ ସ୍ବପ୍ନ ରେ ବିଳବିଳଉଛି l"
ମୁଁ ବିକଳ ହେଇ ସମସ୍ତ ଙ୍କୁ ବୁଲ ବୁଲ ଅନାଉଥାଏ l
