STORYMIRROR

Siddhartha Sankar Tripathy

Comedy

3  

Siddhartha Sankar Tripathy

Comedy

ହାଇହିଲ୍ ପୁରାଣ

ହାଇହିଲ୍ ପୁରାଣ

2 mins
190


ହେଇଟି ଶୁଣୁଛ, ଛେପ ଢୋକିଢୋକି ଶ୍ରୀମତୀ ଆରମ୍ଭ କଲେ । ବୟସରେ ବହୁତ ଛୋଟ, ସବୁବେଳେ ମୋର ପସନ୍ଦ ବ୍ରାଣ୍ଡେଡ୍ କିନ୍ତୁ.........

ଶ୍ରୀମତୀଙ୍କ କଣ୍ଟା ଅଟକିଥାଏ ଫୁଟପାଥ ଦ୍ରବ୍ୟରେ । ବେଳେବେଳେ ଯୁକ୍ତିତର୍କ ବି ହୋଇଯାଏ । ଆରେ, ଆପଣମାନେ ଭୁଲ ବୁଝିଲେ ବୋଧେ । ଯୁକ୍ତିତର୍କ ବି ପ୍ରେମରେ । 


 ସ୍ତ୍ରୀ କହିଲେ ଟିକେ ବଜାର ଯିବା, ଆସନ୍ତାକାଲି ମାଉସୀଘର ଭୋଜିକୁ ଯିବାର ଅଛି । ନିଆଁଲଗା ୱାସିଙ୍ଗମେସିନଟା ବି ଆଜି ଖରାପ ହେବାର ଥିଲା । 

  

  ସମସ୍ତଙ୍କ ଇଚ୍ଛା ଭୋଜିଭାତକୁ ଗଲେ ଟିକେ ନୂଆଁ ପିନ୍ଧି ସଜେଇହୋଇ ଯିବା ପାଇଁ । କିନ୍ତୁ..... କାକୁଡିଆର ଝିଅ, କାକୁଡିଆର ଆଧୁନିକତାର ଛାପ ସ୍ପଷ୍ଟ ବାରି ହୋଇପଡୁଛି । 


 ଶ୍ରୀମତୀଙ୍କ ସର୍ତ୍ତ ଥିଲା ଏଇ ଶୁଣ ବ୍ରାଣ୍ଡେଡ, ବ୍ରାଣ୍ଡେଡ ହେବ ନାହିଁ, ବହୁତ ଜିନିଷ ଆଣିବାର ଅଛି, ଅଯଥା ପଇସା ଖର୍ଚ୍ଚ । ସାର୍ଟର କଲର ଟେକି ଦେଇ କହିଲି, ସିଂହ କେବେ ଘାସ ଖାଏନା । 


 ଶାଶୁ ବି ଆସି ଆକଟକଲେ, ବାପା ! ଅଯଥା ପଇସା ଖର୍ଚ୍ଚ କରିବ ନାହିଁ । ଗୋଟିଏ ଦିନ ତ ପିନ୍ଧିବା କଥା । ସହମତି ଜଣାଇ ଶ୍ରୀମତୀ କହିଲେ, ହଁ ବୋଉ ଦେଖୁନୁ, ଜିଦ୍ଦିଆ ଲୋକଟାର କଥା । ଶରୀର ଢାଙ୍କି ହେଲେ ତ ଗଲା । ମୁଁ ଉତ୍ତର ଦେଲି ସେମିତି ହେଲେ ଆମେ ବି ତ ପଚାଶଟଙ୍କାର ଧୋତି ପିନ୍ଧି ଦପ୍ତର ଚାଲିଗଲେ ଚଳିବ, ତିନିହଜାର ଟଙ୍କାର କିଲର ଜିନସର ଆବଶ୍ୟକତା କ'ଣ? ଓଃ ଚାଲ ଯିବା, ତମ ସାଙ୍ଗରେ ଯୁକ୍ତିରେ କିଏ ପାରିବ ?


ଶ୍ରୀମତୀ , ମୁଁ ଓ ଶାଳୀ ବାହାରିଲୁ କାକୁଡିଆ ବଜାର । ରିଙ୍କି ମାନେ ମୋ ଶାଳୀ ନାଲି ଅଳତା ମାଖିଥିଲେ ଓଠରେ । ସ୍ତ୍ରୀଙ୍କ ଲିପଷ୍ଟିକ କଥା ନକହିଲେ ଭଲ । ଅଯଥା ଟେନସନ ନେବା ଅପେକ୍ଷା ଚୁପ ରହିଯିବା ଉଚିତ ମନେକଲି ମୁଁ । ରିଙ୍କିକୁ ଛୋଟଭଉଣୀ ମାନେ ମୁଁ । ଘରୁ ଆଗରେ ବାହାରିଲି ମୁଁ । ପଛରେ ରିଙ୍କି ଓ ଶ୍ରୀମତୀ । ଠକ୍ ଠକ୍ ଠକ୍ । ଏତେ ଯୋର ଶବ୍ଦ ଶୁଣି ପଛକୁ ଡରରେ ଅନେଇଲି, ଘୋଡା ଆସୁଛି ନା କ'ଣ ? ଏ କ'ଣ , ଘୋଡା ନୁହଁ ରିଙ୍କିର କାଠ ହାଇହିଲର ଶବ୍ଦ । ଫେଁ କିନା ହସିଦେଇ କହିଲି ମୁଁ ଅଦ୍ଭୁତ ଗାଉଁଲି ଆଧୁନିକତା । ରିଙ୍କି କହିଲା, ନାନୀ ଦେଖ ଭାଇନା କେମିତି ଚିଡୋଉଛନ୍ତି । 



   ଆସନ୍ନ ଅଶାନ୍ତିରୁ ରକ୍ଷା ପାଇବାପାଇଁ ଚୁପ୍ ହୋଇଗଲି ମୁଁ । ଅଟୋ ପାଖକୁ ଯିବା ଭିତରେ ଠାଏ କିନି ଛିଣ୍ଡିଗଲା ରିଙ୍କିର କାଠ ଚପଲ । ଏପଟେ ଖରା ସେପଟେ ଗୋଟେ ହାତରେ ଛିଣ୍ଡା ଚପଲ ଧରି ଚାଲୁଥିଲା ରିଙ୍କି । ସେହି ସମୟର ଦୃଶ୍ୟ ନିଶ୍ଚୟ ବର୍ଣ୍ଣନା କରିବି । ଗୋଟିଏ ହାତରେ ଚପଲ, ଏପଟେ ଖରାରେ ପଣ୍ଡସ ପାଉଡର ସାଙ୍ଗକୁ ଫେୟାର ଏଣ୍ଡ ଲଭଲିର ପ୍ରଲେପ ଝାଳସହ ଅଦ୍ଭୁତ ସମୀକରଣ ବନାଇ ପାଟି ଭିତରେ । ପାନଖାଇ ଛେପ ପକାଇଲା ପରି ଥୁ ଥୁ କରୁଥିଲା ରିଙ୍କି । 


  ପହଞ୍ଚିଲୁ ଦୋକାନରେ । ରିଙ୍କି ତାଗିଦ କଲା, ଭାଇନା ଦୋକାନରେ ପାଟି ଫିଟେଇବ ନାହିଁ । ହଁ ଭରିଲି ମୁଁ । ଶ୍ରୀମତୀ କହିଲେ ପାଟିରେ ପୁଡିଆ ପକେଇ ଚୁପ୍ ରହିବ ପ୍ଳିଜ୍, ନହେଲେ ରିଙ୍କି ରାଗିବ । ହସିଦେଇ ଚୁପ ହେଲି ମୁଁ । 



   ପ୍ରଥମେ ପହଞ୍ଚିଲୁ ଜୋତା ଦୋକାନରେ । ହଠାତ୍ ମୋ ପାଟିରୁ ବାହାରିଗଲା, ଏ ବାବୁ ରାମଚନ୍ଦ୍ରଙ୍କ କଠୋଉ ଦିଅ । ବୁଝିନପାରି ଆଁ କରି ଅନେଇଥିଲା ଦୋକାନୀ । ରିଙ୍କି ଖୋଜି ଚାଲିଲା ଚପଲ । ବିରାଟ ହିଲର କାଠଚପଲ । ଦୋକାନୀ କହିଲା, ମ୍ୟାଡମ ଏଇ ଗୋଟିଏ ଅଛି, ଖରାପ ହେଲେ ଫେରସ୍ତ ନାହିଁ । ରିଙ୍କି ପିନ୍ଧିନେଲା ଚପଲ । ବାହାରିଲୁ କପଡାଦୋକାନ ଉଦ୍ଦେଶ୍ୟରେ । 


 ବାହାରକୁ ବାହାରୁ ବାହାରୁ ହଠାତ୍.....

ଖଟ୍ କରି ଛିଣ୍ଡିଗଲା ରିଙ୍କିର ଚପଲ । ସିଧା ଯାଇ ପଡିଲା କାକୁଡିଆର ଉଦ୍ଧତ ଷଣ୍ଢ ଉପରେ । ଷଣ୍ଢ କି ଛାଡିବା ଯନ୍ତୁ । ଶିଙ୍ଗରେ ଟେକି କଚାଡିଦେଲା । ରିଙ୍କି ବୁହାହେଲା ଡାକ୍ତରଖାନା । ଲମ୍ୱା ବିଲ୍ ପେମେଣ୍ଟ କରୁକରୁ ଶ୍ରୀମତୀକୁ କହୁଥିଲି ମୁଁ, 


"ଦେଖିଲ ତ ଶସ୍ତାରୁ ହିନସ୍ତା । "



Rate this content
Log in

Similar oriya story from Comedy