Sanuja Meghamala

Tragedy Others

3  

Sanuja Meghamala

Tragedy Others

ଗୁରୁ ଦକ୍ଷିଣା

ଗୁରୁ ଦକ୍ଷିଣା

5 mins
12.3K



ପେଟ ଚାଖଣ୍ଡ ପାଇଁ କେତେ ନାଟ । କିଏ ଖାଇବା ଦରବ ପସନ୍ଦ ନୁହେଁ ଫିଙ୍ଗୁଚି ତ ଆଉ କିଏ ପେଟ ପୁରା ଗଣ୍ଡେ ଖାଇବାକୁ ଆ... ଓଳି ...ତା ..ଓଳି.. ବାର ଦୁଆର ବୁଲୁଛି । ଏବେ ମହାମାରୀ କରୋନା ଯୋଗୁଁ କାମ ଧନ୍ଦା ବନ୍ଦ ପ୍ରାୟ । ଦୋକାନ ବଜାର ଖୋଲିନି ଗାଡ଼ି ମଟର ଚାଲିନି ଠିକ୍ ରେ । ରୋଗର ବିଭୀଷିକା ବଢ଼ି ଚାଲିଛି । ଜୀବନ ଗୋଟେ ପଟେ ତ ଆଉ ଗୋଟେ ପଟେ ପେଟ ପୁରା ଗଣ୍ଡିଏ ଖାଇବା ପାଇଁ ପ୍ରତିଦିନ କିଛି ଲୋକଙ୍କ ସଂଘର୍ଷ । ଭୋକ ରେ ଘଂଟାଏ, ଓଳିଏ ,ଦିନେ ଦି ଦିନ ସିନା କଷ୍ଟ ସହି ରହିଯିବ । ସବୁଦିନ ..ସବୁଦିନ କେହି ଭୋକ ରେ ରହି ପାରିବ ସମ୍ଭବ କି?ପେଟର ଜ୍ଵାଳା ବଡ଼ ଭୟଙ୍କର ! ଯାହା କହିଲେ ମଧ୍ୟ ଜୀବ ଥିବା ପର୍ଯ୍ୟନ୍ତ ବଞ୍ଚିବାର ମୋହ ପ୍ରାୟ ସମସ୍ତଙ୍କର ରହିଛି । ଯେତେ କଷ୍ଟ ହେଲେ ବି । ବର୍ତ୍ତମାନ ପରିସ୍ଥିତିରେ  ହାତ ବଢେଇ ଦେଇଛନ୍ତି କିଛି ସଂଗଠନ, ଅନୁଷ୍ଠାନ, କେତେ ସହୃଦୟ ବ୍ୟକ୍ତି ବିଶେଷ । ସୁବିଧା ଅନୁଯାୟୀ  ଦିନକୁ ଥରେ କିଛି ଭୋକିଲାଙ୍କ ପେଟରେ ଦାନା ମୁଠାଏ ଦେବା ପାଇଁ ଯତ୍ ପରୋନସ୍ତି ଚେଷ୍ଟା ଜାରି ରଖିଛନ୍ତି ।ଭୋକର ଜ୍ଵାଳା ତଥାକଥିତ ସାମାଜିକ ଦୁରତ୍ଵକୁ ଭୁଲି ଭିଡ ଭିତରେ ଠେଲା ପେଲା କରିବାକୁ ବାଧ୍ୟ କରୁଚି । ସେତେ ବେଳେ ରୋଗ ଠାରୁ ପେଟର ଭୋକ ମାରାତ୍ମକ। ସପ୍ତାହେ ହେଲାଣି ପ୍ରତିଦିନ ୪୦୦/୫୦୦ ଭୋକିଲା ଲୋକଙ୍କୁ ଗୋଟେ ଵେଳା ଆହାର ଯୋଗେଇ ଆସୁଛି ବିଶ୍ଵନାଥ ଫାଉଣ୍ଡେସନ । ଏହାର ପ୍ରତିଷ୍ଠାତା ବିନୟ ବାବୁ ଆଜି କିନ୍ତୁ ଆଶ୍ଚର୍ଯ୍ୟ ଚକିତ ହେଇଗଲେ ସେ ଭିଡ ଭିତରରୁ ଧାଡ଼ି ଭାଙ୍ଗି ଧସି ପଶି ଆସିଲେ ଅପର୍ଚ୍ଛନିଆ ବୁଢ଼ା ଜଣେ ଆଗ ଗଣ୍ଡେ ଖାଇବା ଆଶାରେ । ଧାଡ଼ିର ଆଗରେ ଥିବା ଲୋକ ମାନେ ତାଙ୍କୁ ଘେରି ଯାଇ ପେଲା ପେଲି କରି ତଳେ ପକେଇ ଦେଲେ । ସେ ବିକଳ ହେଇ କହୁ ଥାଆନ୍ତି ଭାରି ଭୋକ ତିନି ଦିନ ହେଲା ଖାଇନି ଆଉ ପାରୁନି ନ ଖାଇଲେ ମରିଯିବି । ବିନୟ ବାବୁ ଅନ୍ୟମାନଙ୍କୁ ଲାଇନରେ ଠିଆ ହେବାକୁ କହି ଖଲିରେ କିଛି ଭାତ ଡାଲମା ନେଇ ବୃଦ୍ଧଙ୍କ ପାଖରେ ପହଞ୍ଚି ତାଙ୍କୁ ତଳୁ ଉଠେଇ ଖାଇବାକୁ ଦେଲେ । ଆହା ଏ ବୟସରେ ବି ଖଟି ଖାଉଛି ଲୋକଟି। ନିଜର କିଏ ଅଛନ୍ତି କି ନାହିଁ କେଜାଣି । କେମିତି ଗୋଟେ ଅନ୍ୟ ମନସ୍କ ହୋଇ ଗଲେ । ଲୋକଟାକୁ ନିରେଖି ଦେଖୁଥିଲେ ଚେହେରାଟା କେମିତି ଚିହ୍ନା ଚିହ୍ନା ଲାଗିଲା । ସାହସ କରି ପଚାରିଲେ, ମହାଶୟ ଆପଣ ବିଶ୍ଵନାଥ ପଣ୍ଡା ! ବୃଦ୍ଧ ଜଣକ କିଛି ନ ଶୁଣିଲା ପରି ଖାଇ ଚାଲିଛନ୍ତି । ବିଶ୍ଵନାଥ ସାର୍.. ..ଆପଣ ? ନା ଆଉ କିଏ..ସେଇ ଏକା ଚେହେରା ମିଶି ଯାଉଚି ମୋ ଆଖି ଭୁଲ୍ ଦେଖୁନି ତ..।

ବୃଦ୍ଧ ମୁଣ୍ଡ ଉଠେଇ ଚାହିଁଲେ । ଆପଣ କିଏ, ମୁଁ ଜାଣି ପାରୁନି ବାବା ।

ବିନୟ ବାବୁ ଆଖି ଛଳ ଛଳ ହୋଇ ସାର୍ ଙ୍କ ପାଦ ଧୂଳି ମୁଣ୍ଡରେ ମାରି କହିଲେ ମୁଁ ଅରଖ ପୁରର ଭୀମା ଗଉଡ ପୁଅ ବିନୁ ସାର୍ । ମନେ ପଡ଼ୁଚି ମୋ କଥା, ବାପା ମରିଗଲା ପରେ ପାଠ ଛାଡ଼ି ଗାଆଁ ଟା ଯାକର ଗାଈ ଜଗୁଥିଲି । ଆଉ ଆପଣ ମୋତେ ଆଣି ସ୍କୁଲରେ ବାଧ୍ୟ କରି ବସେଇ ଥିଲେ । ମୋ ବିଧବା ମାକୁ ବୁଝେଇ ପାଠ ଦି ଅକ୍ଷର ପଢିଥାଉ । ହାକିମ ନ ହେଲେ ନାଇଁ ବହି ଖଣ୍ଡେ ପଢ଼ିବ । ହିସାବ କିତାବ ଜାଣିବ । କ୍ଷତି ହବନି ବରଂ ଲାଭ ହେବ । ଛୁଆଟା ଏବେ ଆସୁ ଥାଉ ସ୍କୁଲକୁ, ବଡ଼ ହେଲେ ଯାହା ଧନ୍ଦା କରିବ। ପଢ଼ା ଖର୍ଚ୍ଚ ବହନ କରି ମୋତେ ମାଟ୍ରିକ ପର୍ଯ୍ୟନ୍ତ ପାଠ ପଢେଇଥିଲେ । କେବଳ ସେତିକି ନୁହେଁ ସାର୍  ପ୍ରତିଦିନ ରାତିରେ ପାଠ ପଢି ସାରିଲା ପରେ ଲିଟୁ ଭାଇ ଓ ଆପଣଙ୍କ ସହିତ  ମୁଁ ଆପଣଙ୍କ ଘରେ ଖାଉଥିଲି। ମାଟ୍ରିକ ପାସ ପରେ ଅଧିକା ଆଉ ପଢି ପାରିଲିନି ,ଆପଣଙ୍କର ଆମ ଗାଆଁ ସ୍କୁଲ୍ ରୁ ବଦଳି ହେଇଗଲା । ମୋ ପାଠ ପଢାରେ ଡୋରି ବନ୍ଧା ହେଲା । ମାମୁଁଙ୍କ ପାଖକୁ ଆସିଲି,ତାଙ୍କ କ୍ଷୀର ବ୍ୟବସାୟ ବୁଝିଲି । ଆସ୍ତେ ନିଜେ ବି ବ୍ୟବସାୟ ଆରମ୍ଭ କଲି । ଏବେ ମୁଁ ସ୍ୱାବଲମ୍ବୀ । ଗାଈ ମଇଁଷି ସହିତ କୁକୁଡ଼ା ଫାର୍ମ ଅଛି ସିମେଣ୍ଟ ଦୋକାନ ଓ ରଙ୍ଗ ଦୋକାନ କରିଛି । ଆପଣଙ୍କ ଆଶିର୍ବାଦ ଯୋଗୁଁ ଏହା ସମ୍ଭବ ହୋଇଚି । ସବୁ ସଂସ୍ଥାର ଲାଭାଂଶକୁ ନେଇ ବିଶ୍ଵନାଥ ଫାଉଣ୍ଡେସନ ଗଢି ଉଠିଛି । ଯାହା ଶିକ୍ଷାରୁ ବଞ୍ଚିତ କିଛି ମେଧାବୀ ଶିଶୁଙ୍କୁ ସମ୍ପୂର୍ଣ୍ଣ ମାଗଣା ପାଠ ପଢାଇବା ଦାୟିତ୍ଵ ନେଇଛି ।  ଆପଣଙ୍କ ଦାନକୁ ଆଉ କିଛି ମୋ ପରି ଗରିବ ଛାତ୍ରଙ୍କ ନିକଟରେ ବାଣ୍ଟି ଦେବା ଉଦ୍ଦେଶ୍ୟ ହେଉଛି ବିଶ୍ଵନାଥ ଫାଉଣ୍ଡେସନ ର।

 ସାର୍ ଙ୍କ ଆଖିରୁ ଲୁହ ଧାର ବହି ଯାଉଥିଲା ,ତୁ ବିନୁ ମାନେ ବିନୟ । ମୋ ପାଖକୁ ଆସ ମୁଁ ଟିକେ ଭଲ କରି ଦେଖିବି । ବହୁ ବର୍ଷ ପରେ ଦେଖା,...

କିନ୍ତୁ ସାର୍ ଆପଣ ଏଠି ମାନେ ଏ ଜାଗା କୁ କେମିତି ଆସିଲେ?

ସାର୍ ବିନୟ ବାବୁଙ୍କ ହାତ ଟାକୁ ଜୋରରେ ଭିଡ଼ି ଧରିଲେ ସବୁ ମୋ ଭାଗ୍ୟ । ମାଉସୀ ଗଲା ପରେ ଟୋକାଟା ନେଇ ଆସିଲା ପାଖକୁ । ଏତେ ବଡ ଘରେ ବାପା ତୁମେ ଏକୁଟିଆ ରହି ପାରିବନି ବୋଲି । ବୋହୂ ସେତେ ବେଳେ ପ୍ରତିବାଦ ନ କରି ସାଙ୍ଗରେ ନେଇ ଆସିଲା । ଦିନ ୧୫ ଟା ଯାଇନି ବୋହୁର ସବୁ କଥାରେ ଅଭିଯୋଗ ସନ୍ଧ୍ୟାରେ ପୁଅ ଘରକୁ ଫେରିଲା ପରେ ତୁମ ବାପା ଦିନ ଯାକ ବସେଇ ଉଠେଇ ଦେଉ ନାହାନ୍ତି, ପାଣି ଦିଅ ,ଚା ଦିଅ ଚାରିଥର ଖାଇବାକୁ ଦିଅ, ମୁଁ ମେସିନ ! ରାତିଦିନ ଖଟୁଥିବି ,ଯେତେ ବେଳେ ପାରିଲେ ଟିଭି ଧରି ବସି ପଡ଼ୁଛନ୍ତି । ଛୁଆଟା ପାଠ ଆଉ ପଢିବନି । ମୋ ଦୋଷ ଦେବନି । ପୁଅ କେତେ ସହିବ ଯେ, ଏଣେ ମୋତେ କହି ପାରେନି ସ୍ତ୍ରୀକୁ ବି କହି ପାରୁନି ।ତଥାପି ପୁଅକୁ କହିଲି ମୋତେ ଗାଆଁରେ ଛାଡି ଦେଇ ଆସ । ଘରଟା ଭିତରେ ଭଲ ଲାଗୁନି । ତୋ ବୋଉ କଥା ମନେ ପଡ଼ୁଚିରେ। ସେଇ ଘରେ ତା ସ୍ମୃତି ଅଛି । ତା ସହିତ କଟେଇ ଥିବା ସୁଖ ଦୁଃଖ ,ହସ ଲୁହ ମୋତେ ସେଠିକି ଯିବାକୁ ଡାକୁଛନ୍ତି । ପାଖ ପଡୋଶୀଙ୍କ ସହିତ ସମୟ କଟିଯିବ । ମୋ ପେନସନ ପଇସାରେ ଲୋକଟେ ଠିକ୍ କରିଦେବି ଦି ଓଳି ଦି ମୁଠା ରୋଷେଇ କରିଦେବ । ମୋର କିଛି ଅସୁବିଧା ହେବନି । ପୁଅ ଛାଡ଼ିବାକୁ ରାଜି ନୁହଁ ,ବୋହୁ ରଖିବାକୁ ରାଜି ନୁହଁ । ଆସ୍ତେ ଆସ୍ତେ ପୁଅ ଘରେ ନ ଥିଲା ବେଳେ ଖାଇବାକୁ ଦେଲାନି ବୋହୁ । ସେଇ ରାତିରେ ଯାହା ଖାଉଥିଲି ପୁଅ ପାଖରେ ବସି । ପୁଅକୁ କଷ୍ଟ ହେବ ବୋଲି ତାକୁ ଜଣେଇଲି ନାହିଁ । ଲକ୍ ଡାଉନ୍ ହେଲା..ପୁଅ ଘରେ ରହିଲା ମୋର ଅଧିକ ଯତ୍ନ ନେଲା । ସବୁଦିନ ସେମାନଙ୍କ ବେଡ୍ ରୁମ୍ ରୁ ପାଟି ତୁଣ୍ଡ ଶବ୍ଦ। ଦିନେ ବୋହୁ ତୁମ ବାପା ନେଇ ଗାଆଁରେ ଛାଡି ଆସ, ମୁଁ ସମ୍ଭାଳି ପାରିବିନି ନଚେତ୍ ମୁଁ ମମ୍ମି ଙ୍କ ଘରକୁ ଚାଲିଯିବି । ବୋହୂକୁ ନେହୁରା ହୋଇ ପୁଅ କହୁଥିବା ଶୁଣିଲି ଦେଖ ରେଖା,ବୋଉ ଏବେ ଏବେ ଯାଇଚି । ବାପାଙ୍କୁ ଟିକେ ଆଶ୍ୱାସନା ଦରକାର। ଭରସା ଦରକାର । କିଛି ସମୟ ଦରକାର ବୋଉର ଅନୁପସ୍ଥିତି ସହିତ ଆଡ ଜଷ୍ଟ୍ କରିବାକୁ ବାପା ଶୁଣିଲେ ତାଙ୍କୁ କଷ୍ଟ ହେବ । ସେ ଯେମିତି ସ୍ଵାଭିମାନୀ ଓ ସ୍ଵାଧୀନଚେତା ମଣିଷ ହାତ ଗୋଡ଼ ଚାଲୁଥିବା ଯାଏଁ କାହା ଉପରେ ବୋଝ ହେବେନି। ବାପା ଆସିଲା ଦିନୁ ତାଙ୍କ ଏଟିଏମ କାର୍ଡ ତମକୁ ଧରେଇ ଦେଇଛନ୍ତି । ମନ ଇଚ୍ଛା ପଇସା ଉଠେଇ ଖର୍ଚ୍ଚ କରୁଚ ପୁଣି ଅସୁବିଧା କେଉଁଠି । ବାପା ମଧ୍ୟ ଗାଆଁକୁ ଯିବାକୁ ବ୍ୟସ୍ତ ହେଲେଣି । ଲକ୍ ଡାଉନ୍ ଉଠିଗଲେ ମୁଁ ନେଇ ଛାଡ଼ି ଆସିବି ବାପାଙ୍କୁ। ପ୍ଲିଜ୍ ସିଚୁଏସନ ବୁଝିବାକୁ ଚେଷ୍ଟା କର। ଆଉ ସବୁ ଶୁଣି ପାରିଲିନି ,ରାଗ ହେଲା ନିଜ ଉପରେ ମୋ ପାଇଁ ପୁଅ ର ଏ ଅବସ୍ଥା । ତାଙ୍କ ଖୁସିର ସଂସାରରେ ମୁଁ କାହିଁକି ବାଧା ଦେବି। ଅଭିମାନରେ ୩ ଦିନ ତଳୁ ରାତିରେ ପୁଅ ଘରୁ ଲୁଚି ପଳେଇ ଆସିଲି ।ପୁଅକୁ ଚିଠିଟେ ଲେଖି ଥୋଇ ଆସିଛି,ମୁଁ ଗାଆଁ କୁ ଯାଉଚି ଖୋଜା ଖୋଜି କରିବୁନି। ମୋ ପାଇଁ ତୁମ ପରିବାର ଭିତରେ ଅଶାନ୍ତିର ଝଡକୁ ସାମନା କରିବାର ଶକ୍ତି ମୋର ନାହିଁ । ଆମର ଗୋଟାଏ ବୋଲି ଛୁଆ ତୁ । ବୋଉ ସିନା ମରିଗଲା ତୋତେ ଦୁଃଖୀଦେଖିଲେ ମୋ ଛାତି ଫାଟିଯାଏ । ଭଲରେ ରହିଲେ ମୁଁ ଖୁସି ହେବି । ମୋର ଆଶିର୍ବାଦ ତୁମମାନଙ୍କ ଉପରେ ସର୍ବଦା ଅଛି । ତର ବର ରେ ସାର୍ଟ୍ ପିନ୍ଧି ପାରିନି ସାର୍ଟ୍ ପାକେଟ ରେ ପଇସା , ମୋବାଇଲ ସବୁ ରହିଗଲା କାହାକୁ ସମ୍ପର୍କ କରି ପାରୁନି । ତରବରିଆ ଭାବେ ଘରୁ ବାହାରି ଆସିବାଟା ମୋର ଭୁଲ୍ ହେଇଗଲା । ତେବେ ଭଲ ହେଲା ..ଅନେକ ଦିନ ପରେ ତୋ ସହିତ ଦେଖା ହୋଇଗଲା ।

 ମୋର ଗୋଟେ କଥା ରଖିବୁ ବିନୁ,ଆଜି ତ ଜୀବନ ବଞ୍ଚେଇ ଦେଲୁ । ମୁଁ କେମିତି ଗାଆଁକୁ ଯାଇ ପାରିବି ତାର ବ୍ୟବସ୍ଥା ଟିକେ କରିଦେ । ସେତିକି ମୋ ଉପରେ ତୋର ବଡ଼ ଉପକାର ହେବ । ତୋର ଗୁରୁ ଦକ୍ଷିଣା ଯାହା ଆଜି ମୁଁ ହାତ ପତେଇ ମାଗୁଛି।


Rate this content
Log in

Similar oriya story from Tragedy