ଗୁଜୁରାଣ
ଗୁଜୁରାଣ
ବର୍ଷା ଛାଡି ଛାଡି ଆସୁଛି। ଆକାଶ ବି ଫର୍ଚ୍ଚା ହେଇଗଲାଣି। ମେଘଭରା ପାଉଁଶିଆ ଆକାଶ ଆସ୍ତେ ଆସ୍ତେ ନୀଳ ବର୍ଣ୍ଣ ହେଇ ଆସୁଛି। ଦଶହରା ପୂର୍ବରୁ ଆକାଶଟା ଏଇମିତି ନିର୍ମଳ ହେଇ ସୁନ୍ଦର ହେଇଯାଏ। ବୋଧେ ଦୂର୍ଗା ମାଙ୍କ ପାଇଁ। ଅରୁଣିମା ଝରକା ଖୋଲି ,ବାହାରକୁ ଚାହିଁଲା। ଘର ପଛପଟେ ପଡିଆ ରେ କାଶତଣ୍ଡି ଫୁଲର ସମ୍ଭାର । ପବନରେ ଦୋଳାୟମାନ ଫୁଲଗୁଡ଼ିକ ଚାମର ଢାଳୁଛନ୍ତି ଯେପରି। ଖୁବ୍ ସୁନ୍ଦର ଦୃଶ୍ୟ। କିଛି ସମୟ ପାଇଁ ଅରୁଣିମା ବିଭୋର ହେଇଗଲା ଏହି ଦୃଶ୍ୟ ରେ। କାହିଁକି କେଜାଣି , ସବୁଦିନେ ତାର ଏ ଫୁଲପ୍ରତି ଏକ ଆକର୍ଷଣ।
ସୁନ୍ଦରଗଡ଼ ର ଏ ଛୋଟ ଗାଁ ପରି ସହରଟିରେ ଅରୁଣ ଙ୍କ ପୋଷ୍ଟିଂ ହେଲାପରେ ସେମାନେ ଏଇଠିକି ଆସିଛନ୍ତି। ଏଇ ସ୍ଥାନଟିର ନାଆଁ ଧୋକା ମୁଣ୍ଡା , ଯାହାର ହାଇସ୍କୁଲ ରେ ଅରୁଣ ପ୍ରଧାନ ଶିକ୍ଷକ ଭାବରେ ଅବସ୍ଥାପିତ। ଯା ହେଉ, ସ୍କୁଲପାଖରେ ଗୋଟେ ଦୁଇବଖୁରି ଭଡା ଘର ମିଳିଯାଇଛି ସେମାନଙ୍କୁ। ସିମେଣ୍ଟ ଓ ପକ୍କାଛାତ ଘରେ ନାଲି ସିମେଣ୍ଟ ଚଟାଣ, ଖାଲି ପିଣ୍ଡା ଟି ଖପର ଛାଉଣି। ଖୋଲା ପିଣ୍ଡାଟି ର ଉଚ୍ଚତା ମାଟି ପତ୍ତନଠାରୁ ପ୍ରାୟ ତିନିଫୁଟ ଉଚ୍ଚ। ସାତ ଆଠଟି ପାହାଚ। ଭାରି ସୁନ୍ଦର ଲାଗେ । ଯାହାର ଆଗ ଓ ପଛରେ ବିସ୍ତିର୍ଣ ଖୋଲା ଜାଗା । ସ୍କୁଲ ପାଖ ହେଇଥିବାରୁ ସ୍କୁଲ ପଡିଆଟି ଗୋଟେ ପଟେ ଅଛି। ପଡ଼ିଆର ଗୋଟେ ପଟେ ବିରାଟ ପୋଖରୀ। ଅନତି ଦୂରରେ ସବୁଜ ପାହାଡ ପଛପଟେ ପାଉଁଶିଆ ରଙ୍ଗର ପାହାଡ଼ ସବୁ ଥାକ ଥାକ ହେଇ ରହିଲା ପରି ଦେଖାଯାଏ । ବର୍ଷା ଯୋଗୁଁ ପାହାଡଟା ଆହୁରି ସବୁଜ ସତେଜ ଦିଶୁଛି। ପାହାଡ଼ ତଳେ ଗାଁ ଟିଏ , ସେଇ ଗାଁ ର ଘର ଗୁଡ଼ିକ ମାଟିର ଆଉ ଛାତ ଖପର। ସେ ଘର ଗୁଡ଼ିକ ଦୂରରୁ ଛୋଟ କଣ୍ଢେଇ ଘର ପରି ଦେଖାଯାଏ।
ଅରୁଣିମାର, ଏ ଘରଟି ଭାରି ପସନ୍ଦ,ଦୂରରୁ ଗୋଟେ ସ୍ବପ୍ନର ଘର ପରି ଦିଶେ, ଯେପରି ସିନେମାରେ ଦେଖାଯାଇଥାଏ। ଏଇଋତୁରେ କାଶତଣ୍ଡି ଫୁଲ ଯୋଗୁଁ ଆହୁରି ସୁନ୍ଦର ଦେଖାଯାଏ, ସେ ସ୍ଥାନଟି। ଅରୁଣ ଓ ପୁଅକୁ ସ୍କୁଲ ପଠେଇଦେବା ପରେ ଅରୁଣିମା ଦାଣ୍ଡପିଣ୍ଡାରେ ବସି ଘଡ଼ିଏ ଚାହେଁ ବାହାରକୁ। ସ୍କୁଲ ର ଶ୍ରେଣୀକକ୍ଷ ଗୁଡ଼ିକ ମଧ୍ୟ ଦେଖାଯାଏ। ପିଲାମାନଙ୍କ ପଣିକିଆ ଡାକ , ପଦ୍ଯ ଆବୃତ୍ତି ଶୁଣାଯାଏ । ଆଉ ଅରୁର ସେ ସମୟର ଏକୁଟିଆ ପଣ ବି ଦୂର ହେଇଯାଏ।
ଆଜି ସୋମବାର, ଝରକା ଖୋଲି ଚାହିଁଲା ବାହାରକୁ ଅରୁଣିମା। ସବୁଦିନ ପରି କାଶତଣ୍ଡି ଫୁଲ ଗୁଡ଼ିକ ପକ୍ଷ ହଲେଇ ତାକୁ ସ୍ବାଗତ କଲେ । ସେଦିନ କିନ୍ତୁ କିଛି ଫୁଲ କମିଗଲାପରି ଜଣାପଡୁଥିଲା। ବିଶେଷ କରି ଫୁଲ ଛଡ଼ା ଅନ୍ୟ ପତ୍ର ଡାଙ୍ଗ ଗୁଡ଼ିକ କଟାହେବା ପରି ଲାଗୁଥିଲା। ବିଶେଷ କିଛି ବୁଝିନପାରି , ସେଦିନ ସ୍କୁଲର ମଧ୍ଯାନ୍ନ ଭୋଜନ ରାନ୍ଧୁଣିଆ ଦିଦିକୁ ପଚାରିଲା କାଶତଣ୍ଡି ଫୁଲ କଟାହେବା ବିଷୟରେ। ରାନ୍ଧୁଣିଆ ଦିଦି କହିଲା, "ଏଥିରେ ଝାଡୁ କରନ୍ତି ତ , ତେଣୁ ପାଖ ଗାଁ ର ସ୍ତ୍ରୀ ଲୋକମାନେ ଆସି ସକାଳୁ କାଟିକି ନେଇଯାଉଛନ୍ତି।" ଅରୁଣିମା ଭାବିଲା କାଲିକି ଜଗିବ ଓ ଦେଖିବ କିଏ ଏ ଫୁଲ କୁ କାଟିକି ନେଉଛି
ତାପରଦିନ ଟିକେ ଶୀଘ୍ର ଉଠି ପଛ ଝରକା ଖୋଲିଦେଇ ଦେଖିଲା ତିନି ଜଣ ସ୍ତ୍ରୀ ଲୋକ ଓ ପିଲା ଆସି କାଶତଣ୍ଡି ଫୁଲର ଗଛକୁ କାଟୁଛନ୍ତି। ଅରୁ ଆଉ ସମ୍ଭାଳି ନପାରି ଘର ପଛପଟକୁ ଯାଇ ବାଡ ପାଖରେ ରହି ଡାକିଲା ଆଉ ଟିକେ ଉତ୍ତେଜିତ ଗଳାରେ ପଚାରିଲା ,"ତୁମେମାନେ ଏ ଫୁଲକୁ କାହିଁକି କାଟି ନେଉଛ? କେତେ ସୁନ୍ଦର ଦିଶୁଛି"
ସେ ଝିଅମାନେ ଟିକେ ଠିଆ ହେଇ ଚାହିଁଲେ। କିଛି କହିଲେନି।
ଅରୁଣିମା ଟିକେ ଆଗକୁ ଯାଇ ପୁଣିଥରେ ପଚାରିଲା। ଏଥର ସେମାନେ ପଳେଇଲେ। ଅରୁ ନଛୋଡବନ୍ଧା । ଯୋରରେ ଡାକିଲା। କିଛି ଉତ୍ତର ନଦେଇ ସେମାନ ପୁଣି ଦୌଡି ଚାଲିଗଲେ। ତାପରଦିନ ବଡ଼ି ଭୋରରୁ ଅରୁଣିମା ସେ ଗଛ ପାଖାପାଖି ଜଗିବସିଲା ଆଉ ଯେମିତି ସେମାନେ ପୁଣି ଆସିଲେ ଏଥର ଜଣଙ୍କୁ ଧରି ପକେଇଲା। ସାତ ଆଠ ବର୍ଷର ଝିଅଟିଏ। ମୁଣ୍ଡ କୁଣ୍ଡେଇନି, କେବେଠୁ ସେଥିରେ ବୋଧେ ତେଲ ବାଜିନି। ଜାମାଟିର ଦୁଇ ତିନିଟି ଜାଗା ରେ ଫଟା। ଝିଅଟି ଭୟ ପାଇଯାଇଥିଲା । ଏଇ ସମୟରେ ଆର ଝିଅ ଓ ଜଣେ ସ୍ତ୍ରୀ ଲୋକ ସେଠି ଆସି ପହଞ୍ଚିଗଲେ।
ସ୍ତ୍ରୀ ଲୋକଟି ଭୟମିଶା ଧୀର ସ୍ବରରେ କହିଲା "ମା ଆମେ ଏଥିରେ ଝାଡୁକରି ହାଟରେ ବିକୁ। " ଅରୁଣିମା ଲକ୍ଷ କଲା ସେ ସ୍ତ୍ରୀ ଲୋକର ମଧ୍ୟ ଝିଅଟି ପରି ବେଶ ପୋଷାକ। ବେଶ୍ ଗରିବ ପରି ଲାଗୁଥିଲା। ଆର ଝିଅଟିର ବେଶ ମଧ୍ୟ ତଦ୍ରୁପ। ଏଥର ଅରୁ ଚେଷ୍ଟା କଲା ଜାଣିବାକୁ ସେମାନଙ୍କ ବିଷୟରେ। ଟିକେ କଅଁଳ ଭାବରେ ପଚାରିଲା ସେମାନଙ୍କ ନାଁ ଗାଁ, କଣ କରନ୍ତି ଇତ୍ୟାଦି।
ସ୍ତ୍ରୀ ଲୋକଟି କହିଲା ," ଏଇ ପାହାଡ଼ ତଳେ ଯେଉଁ ଗାଁ ଦିଶୁଛି ସେଇଠି ଆମ ଘର । ମୋ ନାଁ ସୀତା ଆଉ ଝିଅମାନଙ୍କର ନାଁ ସେବତୀ , କେତକୀ" ।
ତୁମେମାନେ କଣ କେବଳ ଏଇଥିରେ ଚଳ ? ଜମିବାଡ଼ି , ଚାଷବାସ ଅଛି ? ପଚାରିଲା ଅରୁ।
ସୀତା କହିଲା ପାହାଡ଼ ଉପରେ ଅଳ୍ପ ଜମି ଅଛି, ସେଥିରେ ଆମର ଦୁଇ ତିନିମାସ ଚଳିଯାଏ।
"ଆଉ ବାକି ଦିନ "
"ସେବୀର ବାପା ମୂଲ ଲାଗନ୍ତି, ଆଉ ମୁଁ ବି ମୂଲ ଲାଗେ। ସବୁଦିନ ତ ମୂଲ ମିଳେନି। ତେଣୁ ଜଙ୍ଗଲରୁ ମହୂଲ, ଟୋଲ, କୋଳି ଆଣି ହାଟରେ ବିକୁ।"
ବୁଝିଲି ଯେ , ହେଲେ ଏତିକିରେ କଣ ତମର ସବୁ ଖର୍ଚ୍ଚ ଚଳିଯାଏ।
ନାଇଁ , ଚଳିବ କୋଉଠୁ ସେମିତି ରହିଯାଉ।
ସକାଳୁ କଣ କିଛି ଖାଇଛ? ଏ ପ୍ରଶ୍ନ ଟି ଶୁଣି ମା ଚୁପ୍ ରହିଲା। ବଡ଼ ଝିଅଟି ମୁଣ୍ଡ ହଲେଇ ନାହିଁ କଲା।
ତୁମେମାନେ ଏଇଠି ଥାଅ ମୁଁ ଆସୁଛି କହି ଅରୁ ଘରକୁ ଯାଇ ଖୋଜିଲା। ପୁଅର ଟିଫିନ୍ ବକ୍ସରେ ଦେବାପାଇଁ କାଲି ଅରୁଣ ବିସ୍କୁଟ ଆଣି ରଖିଥିଲେ ଘରେ । ସେଇଥିରୁ ଦୁଇ ପାକେଟ ବିସ୍କୁଟ ଆଣି ଦେଲା ସେମାନଙ୍କୁ। ଛୋଟ ଝିଅ କେତକୀ ଚଟାପଟ୍ ହାତ ବଢ଼ଉଥିଲା ନେବାପାଇଁ। ତାକୁ ବୋଧେ ବହୁତ ଭୋକ ଲାଗୁଥିଲା। ତା ମା ସୀତା କହିଲା ,"ଥାଉ ଥାଉ । ଆମେ ଏଇନେ ଘରକୁ ଫେରି ଖାଇବୁ।," ଛୋଟ ଝିଅ କେତକୀ କିନ୍ତୁ ଚାହିଁରହିଥାଏ ସେ
ବିସ୍କୁଟ ପାକେଟକୁ ଆଉ ବେଳେ ବେଳେ ଚାହୁଁଥିଲା ତା ମାକୁ ପୁଣି ପର ମୂହୁର୍ତ୍ତ ରେ ଅରୁଣିମା ର ମୁହଁକୁ।
ଅରୁଣିମା ସେମାନଙ୍କୁ ବୁଝାଇବାକୁ ଚାହୁଁଥିଲା। କିନ୍ତୁ ଟିକେ ସମୟ ନେଲା, ସେମାନଙ୍କୁ ସହଜ ହେବାପାଇଁ। ତେଣୁ "ହଉ ଝାଡୁ ପାଇଁ ଯାହା କାଟୁଛ କାଟ" କହି କଥା ଆରମ୍ଭ କଲା, "ପ୍ରତି ହାଟପାଳିରେ କେତୋଟି ଝାଡୁ ବିକ୍ରି କର।"
ସୀତା କହିଲା , "ସବୁଦିନ ତ ଏଇଟା ମିଳେନି , ବର୍ଷର ଖାଲି ଏଇ ସମୟରେ ମାସେ ଦେଢ଼ମାସ ମିଳେ। ଗୋଟେ ହାଟପାଳି ରେ ପଚାଶଟି ଖଣ୍ଡେ ଝାଡୁ ନେଉ, ପୁଣି ସେଥିରୁ ପାଞ୍ଚ ରୁ ଦଶଟି ବଳିପଡେ।" ଗୋଟିଏ ଝାଡୁକୁ କେତେ ରେ ବିକ ?
ଏଇଠି ତ ପାଞ୍ଚଟଙ୍କା କହିଲା ସୀତା ।
ଆଉ ଅଧିକରେ ଯାଏନି?
ନାଇଁ , ଏଥିରୁ ବି ଲୋକ କାଟିକି ଦିଅନ୍ତି।
ଅରୁକୁ ବହୁତ ଦୁଃଖ ଲାଗିଲା । ପୁଣି ସୀତା ବିସ୍କୁଟ ନ ନେବାର ଦେଖି ଭାବିଲା , କେତେ ସ୍ବାଭିମାନୀ ଏମାନେ।
କାଲି ହାଟ ପୂର୍ବରୁ ଝାଡୁ ସବୁ ବାନ୍ଧିପାରିବ ?
ଏଥର ତ ବେଶୀ ନାହିଁ, ସେବୀ ବା କୁ ଜର ହେଇଛି ବୋଲି ଆସିପାରିନଥିଲି । ଦୁଇ କୋଡ଼ି ରୁ ଟିକେ ଅଧିକା ଝାଡୁ ହେବ ।କାଲିତ ଖରାବେଳେ ହାଟ ଅଛି । ଆଜି ଓ କାଲି ସକାଳେ ଝାଡୁ ବାନ୍ଧିଦେବୁ।
ସେବୀ ବାପାଙ୍କୁ ଜର , ପୁଣି ଝାଡୁ ହାଟକୁ ବିକିବାକୁ କିଏ ନେବ ପ୍ରଶ୍ନ ଉଠୁଥୁଲା ଅରୁଣିମା ମନରେ।
ସୀତା କହିଚାଲୁଥିଲା ମୁଁ ଓ କେତକୀ କାଲି ହାଟକୁ ଯିବୁ। ୟା ପୂର୍ବ ପାଳି ଯାଇନୁ। ଝାଡୁ ବିକ୍ରି ହେଲେ ପଇସା ରେ ସଉଦା ଘିନିବୁ।"
"ହଉ କାଲି ହାଟରେ ଯଦି କିଛି ଝାଡୁ ବଳିବ, ତେବେ ଆମଘରେ ଦେଇଦେବ। ନ ବଳିଲେ ଏ ହାଟପାଳି ପରେ ମୋ ପାଇଁ ପାଞ୍ଚଟା ଝାଡୁ ବାନ୍ଧିଦେବ। ଆଉ କାନିରୁ ଖୋଲି କୋଡ଼ିଏ ଟଙ୍କା ସୀତା ହାତରେ ଗୁଞ୍ଜି ଦେଇ କହିଲା "ଆଗତୁରା ଏଇଟା ରଖ"। ସୀତା କହିଲା ପରେ ଟଙ୍କା ଦେଲେ ହେବନି। ନା ତମେ ଏବେ ରଖିଥାଅ। ଏଥର ଅରୁ ବିସ୍କୁଟ ପାକେଟ ଦିଓଟି ମଧ୍ୟ ସାନଝିଅକୁ ଧରେଇଲା। କେତକୀ ତା ମା ମୁହଁକୁ ଚାହିଁଲା ମାର ସମ୍ମତି ସୂଚକ ମୁଣ୍ଡହଲା ଦେଖି ସେ ଅରୁଣିମା ହାତରୁ ବିସ୍କୁଟ ପାକେଟ ନେଇଗଲା।
ସୀତା ପୁଣି ଦାଆରେ କାଶତଣ୍ଡୀ ଗଛ କାଟିବାକୁ ଆରମ୍ଭ କଲା।
ଆଉ କେତକୀର ମୁହଁ ରେ ଧାରେ ସରଳ ହସକୁ ଦେଖୁଥିଲା ଅରୁଣିମା।